Unknown

 

 

 

 

 

 

 

 

 

 

 

ୟୁରୋପ ଯାତ୍ରୀର ଡାଏରୀ

ମନମୋହନ ଚୌଧୁରୀ

 

ଉଣେଇଶଶହ ସତୁରୀର ଖରାଦିନେ ପଶ୍ଚିମ ବର୍ଲିନ୍‌ରେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାପାଇଁ ମୁଁ ସେଠାକୁ ଯାଇଥିଲି ଓ ସେହି ସୁଯୋଗରେ ଦୁଇମାସ ପାଇଁ ୟୁରୋପର କେତେଗୁଡ଼ିଏ ଦେଶରେ ମୁଁ ବୁଲି ଆସିଥିଲି । ଏ ବହିଖଣ୍ତ ସେହି ଭ୍ରମଣର ପରିଣାମ । ଦୁଇମାସ ସମୟ କୌଣସି ଗୋଟିଏ ଦେଶ ବିଷୟରେ ବି କୌଣସି ପ୍ରକାରର ନିର୍ଭରଯୋଗ୍ୟ ଧାରଣା ହାସଲ କରିବା ପାଇଁ ଯଥେଷ୍ଟ ନୁହେଁ, ଆଉ ସେତିକି ସମୟରେ ଡଜନେ ଦେଶ ବିଷୟରେ ମତାମତ ଦେବାକୁ ଯିବା କଥା ତ ଛାଡ଼ନ୍ତୁ ତାହାଛଡ଼ା ୟୁରୋପକୁ ଏହା ପୂର୍ବରୁ ମୋ’ ଠାରୁ ଢେର ବେଶୀ ସମୟ କଟେଇଛନ୍ତି ଓ ସେ ସବୁ ଅଭିଜ୍ଞତା ଉପରେ ବହି ଲେଖିଛନ୍ତି । ସେ ସବୁକୁ ବଳିଯିବାର ସାମର୍ଥ୍ୟ ଯେ ମୋର ଅଛି ତାହା ବି ନୁହେଁ । ତେବେ ୟୁରୋପରେ ଗାନ୍ଧୀ ବିଚାର ପ୍ରତି ଆକୃଷ୍ଟ ହୋଇଥିବା ବା ତଦନୁରୂପ ବିଚାର ପୋଷଣ କରୁଥିବା ଗୋଷ୍ଠୀ ଓ ବ୍ୟକ୍ତିଙ୍କ ସହିତ ତଥା ଶାନ୍ତି ଆନ୍ଦୋଳନ ସହିତ ନିକଟ ପରିଚୟରେ ଆସିବା ଏ ଯାତ୍ରାରେ ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓ ଏ ଉଦ୍ଦେଶ୍ୟ କେତେକାଂଶରେ ସଫଳ ହୋଇଥିଲା ଏହି ଅନୁଭୂତିକୁ ଓଡ଼ିଶାର ଜନସାଧାରଣଙ୍କ ଆଗରେ ରଖିବା ଏ ବହି ଖଣ୍ତକର ମୁଖ୍ୟ ଉଦ୍ଦେଶ୍ୟ । ବାକୀତକ ତୁଚ୍ଛା ଭ୍ରମଣ କାହାଣୀ, ଯାହା ମୋ ଆଖିରେ ପଡ଼ିଛି, ଯାହା ଭଲ ଲାଗିଛି ବା ମନ୍ଦ ଲାଗିଛି ସେ ସବୁ ଏକାଠି ଗୁନ୍ଥି ଦେଇଛି । ଏଥିରୁ ପାଠକମାନେ କିଛି ଆନନ୍ଦ ପାଇଲେ ଏ ପରିଶ୍ରମ ସାର୍ଥକ ହେଲା ବୋଲି ବୁଝିବି-। ଏ ବହିଖଣ୍ତ ପ୍ରକାଶ କରିବା ଦାୟିତ୍ଵ ଉତ୍କଳ ଖଦୀ ମଣ୍ତଳ ତୁଳାଇଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ ।

ଲେଖକ

Image

 

ସୂଚୀପତ୍ର

 

କ୍ରମିକ

ବିଷୟ

୧.

କାଗଜ ଭେଳା ଓ ଅର୍ଗଳି ପାରି

୨.

ବିଦେଶ ଭୂଇଁରେ ପ୍ରଥମ ପ୍ରଭାତ

୩.

ଭିଏନାରେ

୪.

ପଶ୍ଚିମ ଜର୍ମାନୀରେ ଗାନ୍ଧୀ ଆଶ୍ରମ

୫.

ରାଇନ୍ ନଦୀର କୂଳେ

୬.

ବର୍ଲିନ୍‌ରେ ବିଚାର ଚକ୍ର

୭.

ବିଭକ୍ତ ନଗରୀ, ବିଭକ୍ତ ଦେଶ

୮.

ବର୍ଲିନ୍‌ର ଅନୁଭୂତି

୯.

ମଧ୍ୟ ରାତ୍ରିର ସୂର୍ଯ୍ୟର ଦେଶ

୧୦.

ସ୍ଵୀଡ଼େନର ହ୍ରଦ, ଉଦ୍ୟାନ ଓ ଶାନ୍ତିବାଦୀ

୧୧.

ଭାଇକିଂଗ୍ ଭୂଇଁରେ ଶାନ୍ତି ଉଦ୍ୟମ

୧୨.

ମାନବତା ଓ ପରାକ୍ରମର ଉପାସନା

୧୩.

ଦିନେମାର ଦେଶ

୧୪.

ଜନତା ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା

୧୫.

ଡେନମାର୍କର ଗାଁ ଓ ଚାଷ

୧୬.

ଲଣ୍ତନ

୧୭.

ଲଣ୍ତନର ଶାନ୍ତି ଆନ୍ଦୋଳନ

୧୮.

ସମାଜବାଦ ଓ ଗାନ୍ଧୀ ବିଚାରର ଅନୁଭୂତି

୧୯.

ଲଣ୍ତନରେ ଆଉ କେତେ କଥା

୨୦.

ପଶ୍ଚିମ ଇଂଲଣ୍ତରେ ମିତ୍ର ସମାଗମ

୨୧.

ଏଠାର ନୂଆ ଶିକ୍ଷା ବ୍ୟବସ୍ଥା

୨୨.

ବରମିଂହାମ୍ ଓ ସେକ୍‌ସପୀୟର୍ ତୀର୍ଥ

୨୩.

ହ୍ରଦ ଅଞ୍ଚଳ ଓ ଶାନ୍ତି ଗୋଷ୍ଠୀ

୨୪.

ଫରାସୀ ଭୂଇଁର ପ୍ରଥମ ଅନୁଭୂତି

୨୫.

ନବଜୀବନ କେନ୍ଦ୍ରରେ ଦିନେ

୨୬.

ପ୍ୟାରିସ୍‌ରେ ସଭାସମିତି ଓ ଭକ୍ତିମାର୍ଗ

୨୭.

ମାନବ ପ୍ରେମିକ ଆବେ ପୀୟର

୨୮.

ପ୍ୟାରିସ୍‌ର ଆଉ ସବୁ କଥା ଓ ଷ୍ଟୁର୍ଟଗାର୍ଟ

୨୯.

ହ୍ରଦ ପର୍ବତର ଦେଶରେ

୩୦.

ମିଲାନର ଶାନ୍ତିପ୍ରେମୀ

୩୧.

ଇତାଲୀର ଗାନ୍ଧୀଙ୍କ ଆଶ୍ରମରେ

୩୨.

ତୀର୍ଥ-ନଗରୀ ରୋମ୍

୩୩.

ମେରିଆ କୋମବର୍ତ୍ତୀ

୩୪.

ନବସାମ୍ୟବାଦୀ ଦେଶରେ

୩୫.

ଯୁଗୋସ୍ଳାଭିଆରେ ବିପ୍ଳବ

୩୬.

ଯୁଗୋସ୍ଳାଭିଆ ବିଷୟରେ ଆହୁରି

୩୭.

ବେଲ୍‌ଗ୍ରେଡ଼୍‌ରେ ବିନୋବା ଭକ୍ତ

୩୮.

ଏକ ସରକାରୀ କୃଷିକ୍ଷେତ୍ର

୩୯.

ଏଥେନ୍‌ସରେ ଦିନେ

୪୦.

ଘରମୁହାଁ

Image

 

ଏକ

କାଗଜ ଭେଳା ଓ ଅର୍ଗଳି ପାରି

 

ବିଦେଶ ଯାତ୍ରା ପାଇଁ ଉଡ଼ାଜାହାଜ ବା ଜାହାଜରେ ସବାର ହେବା ପୂର୍ବରୁ ଆଶ୍ରୟ କରିବାକୁ ହୁଏ ପାସ୍‌ପୋର୍ଟ, ପି ଫର୍ମ ଓ ଭିସାର କାଗଜ ଭେଳା ଓ ସେଥିପାଇଁ ପାରି ହେବାକୁ ହୁଏ ନାଲିଫିତାର ଅର୍ଗଳି ।

 

ପଶ୍ଚିମ ବର୍ଲିନରେ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ମତେ ନିମନ୍ତ୍ରଣ ମିଳିଥିଲା ଆଠ ନଅ ମାସ ପୂର୍ବରୁ ଏବଂ ପାସ୍‌ପୋର୍ଟ ଆଦି ସଂଗ୍ରହ କରିବା ଉଦ୍ୟମ ମୁଁ ଆରମ୍ଭ କରିଥିଲି ଯାତ୍ରାର ଚାରି ମାସ ପୂର୍ବରୁ । ବିଚାରିଲି ଯେ ରମାନା ହେବାକୁ ଯଥେଷ୍ଟ ପୂର୍ବରୁ ସବୁ ଅଡ଼ୁଆ ଛିଣ୍ତେଇ ନିଶ୍ଚିନ୍ତ ହୋଇଥିବି । କାରଣ, କୌଣସି ଦୀର୍ଘ ଯାତ୍ରା ଆରମ୍ଭ କରିବାର ଶେଷ ମୁହୂର୍ତ୍ତଯାଏ ନାନା ଅନିଶ୍ଚିତତା ଓ ଆୟୋଜନର ଅସଂପୂର୍ଣ୍ଣତାରେ ଧନ୍ଦି ହେବା ଭଳି ଅଶ୍ଵସ୍ତିକର ଓ ରକ୍ତଚାପ ବୃଦ୍ଧି ସୃଷ୍ଟି କରିବା ଭଳି କଥା ଆଉ କିଛି ନାହିଁ । ଅଥଚ ଯୋଗ ଏପରି ଯେ ସେହି ଶେଷ ମୁହୂର୍ତ୍ତ ଯାଏ ଅଡ଼ୁଆ ଓ ଦୁଶ୍ଚିନ୍ତାରେ ଧନ୍ଦି ହେବାକୁ ହେଲା ।

 

ଆମ ଦେଶର ଢିଲାଢାଲା କାରବାର ଏଥିପାଇଁ ଦାୟୀ । ଗୋଟିଏ ବିଖ୍ୟାତ ଟ୍ରାଭେଲ୍ ଏଜେନ୍‌ସୀର ଯେଉଁ କର୍ମଚାରୀ ମୋର ପାସପୋର୍ଟ ଭିସାର ଦାୟୀତ୍ଵ ନେଇଥିଲେ ସେ ମତେ ବରାବର ଆଶ୍ଵାସଦେଇ ଚାଲିଲେ “ଦାଦା ! କିଛୁ ଭାବବେନ୍ ନା, ସବ୍ ହୟେଯାବେ । ଯଥେଷ୍ଟ ସମୟ ଆଛେ ।” ଏହିପରି ପାସପୋର୍ଟ ଚାରି ପାଞ୍ଚ ଦିନରେ ମିଳିବ କ’ଣ ଷାଠିଏ ଦିନରେ ମିଳିଲା-। ଅଷ୍ଟ୍ରିୟା, ଇଟାଲୀ, ଫ୍ରାନ୍‌ସ ଓ ବେଲଜିୟମ୍‌ର ଭିସା ପାଇଁ ଦରଖାସ୍ତ ପୂରଣ କରିଦେଇ କଲିକତାରୁ କଟକ ଫେରିଲେ । କଥା ଥିଲା ଯେ ଆଠଦିନ ପରେ ମୁଁ ପୁଣି କଲିକତା ଯିବାବେଳକୁ ଏ ସବୁ ଭିସା ମିଳି ସାରିଥିବ । ମାତ୍ର ଆଠଦିନ ପରେ ଯେତେବେଳେ ଯାଇ ପହଞ୍ଚିଲି, ଶୁଣିଲି, “ଦାଦା, ଆପନାର ସବ୍ କାଗଜପତ୍ର ଆମାର ଡେସ୍କେର ମଧ୍ୟେ ଯତ୍ନେ ରାଖା ଅଛେ । ଆଜ୍‌କେଇ ସବ୍ ଡକେଟ୍ କରେ ଆଫିସେ ଜମା ଦେବୋ ।” ଦାଦା ଏ ଘୋଷଣାଟା ଏଭଳି ନିରୁଦ୍‌ବିଗ୍ନ ଭାବରେ ଓ ସତେକି ଗୋଟାଏ ଖୁବ୍ କଠିନ କାର୍ଯ୍ୟ ସାଧ୍ୟ କରିବାର ସନ୍ତୋଷର ସହ ସାହାଯ୍ୟ ବଦନରେ କଲେ ଯେ ମୁଁ ହସିବି କି କାନ୍ଦିବି ସ୍ଥିର କରିପାରିଲି ନାହି ମୋତେ ରମାନା ହେବାକୁ ହେବ ଦଶ ଦିନ ପରେ ଏବଂ ମୋର ପ୍ରଥମ ରହଣୀ ଭିଏନା । ସେଥିପାଇଁ ଅଷ୍ଟ୍ରିଆର ଦିଲ୍ଲୀ ଦୂତାବାସରୁ ଭିସା ମିଳିବ ସ୍ଵୀଜରଲାଣ୍ତ୍‌ର ଭିସା ମଧ୍ୟ ସେହି ଦିଲ୍ଲୀରୁ ହିଁ ମିଳିବା କଥା ।

 

ଏ ସବୁ ଦରଖାସ୍ତ ଭିତରେ ପୁଣି ମୋର ‘ପି’ ଫର୍ମ ପାଇଁ ଦରଖାସ୍ତ ରହିଛି । ତେଣୁ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ‘ଗୋ ସ୍ଳୋ’ ବା ନିୟମ ମୁତାବକ କାମ କରିବା ଆନ୍ଦୋଳନ ଚଳେଇଥାନ୍ତି । କୌଣସି ଖଣ୍ତେ ଦଲୀଲ, ଚେକ୍, ଦରଖାସ୍ତ, ବିଲ୍ ଆଦି ପାଇଲେ କର୍ମଚାରୀମାନେ କିଭଳି ତାକୁ ନିଠେଇ କରି ଆମୁଳଚୂଳ ତନ୍ନ ତନ୍ନ କରି ପଢ଼ୁଥାନ୍ତି, କାଗଜଟା ଠିକ୍‍ ଖାଣ୍ଟିକି ନାହିଁ ତାହା ଆଲୁଅକୁ ଟେକିଧରି ବାରମ୍ଵାର ପରୀକ୍ଷା କରୁଥାନ୍ତି, ରୁଲ୍ ବହି ଖୋଲି ସେ ଦଲୀଲ ଉପରେ ଯାହା କାର୍ଯ୍ୟାନୁଷ୍ଠାନ କରାଯିବ ସେ ବିଷୟକ ନିୟମ ଓ କାର୍ଯ୍ୟବିଧିର ଯଥାର୍ଥତା ବିଷୟରେ ନିଜର ସ୍ମୃତିକୁ ଉଝାଳୁଥାନ୍ତି ଓ ଏଣେ ପାଞ୍ଚ ମିନିଟର କାମ ପାଇଁ ଦୁଇଘଣ୍ଟା ଛିଡ଼ାହେବା ଯୋଗୁଁ ଗରାଖ ବିଚରାଙ୍କର ଗୋଡ଼ମାନ ତ୍ରାହି ତ୍ରାହି ଡାକୁଥାନ୍ତି, ତାହାର ସରସ ବର୍ଣ୍ଣନା ଜଣେ ବନ୍ଧୁଙ୍କଠାରୁ ଅଳ୍ପ ଦିନ ତଳେ ଶୁଣି ଖୁବ୍ ଆମୋଦ ଅନୁଭବ କରିଥିଲି ଏବେ ସେ ଦୃଶ୍ୟ କଳ୍ପନା କରି ଲୋମ ଟାଙ୍କୁରି ଉଠିଲା ।

 

ଏ ‘ପି’ ଫର୍ମର ବ୍ୟାପାର ମଧ୍ୟ ଭାରତ ସରକାରଙ୍କର ନାଲିଫିତାରାଜର ଅଯୌକ୍ତିକତାର ଆଉ ଏକ ହାସ୍ୟାସ୍ପଦ କାହାଣୀ । ଏପ୍ରିଲ ମାସରେ ଭାରତସରକାରଙ୍କର ଇସ୍ତହାର ବାହାରିଲା ଯେ ଯେଉଁମାନେ ପୂର୍ବ ତିନିବର୍ଷ ଭିତରେ ବିଦେଶ ଯାଇ ନାହାନ୍ତି ସେମାନଙ୍କର ଏଣିକି ‘ପି’ ଫର୍ମ ଲୋଡ଼ା ହେବ ନାହିଁ ଓ ସେମାନେ ଏୟାର-ଇଣ୍ତିଆର ବିମାନରେ ଯାତ୍ରା କଲେ ଶହେ ଡଲାର ବିଦେଶୀ ମୁଦ୍ରା ମଧ୍ୟ ପାଇବାର ହକ୍‌ଦାର ହେବେ । ଏଥିରେ ମୋର ଖୁବ୍‍ ସୁବିଧା ହୋଇଗଲା ବୋଲି ମୁଁ ବିଚାର କଲି ଓ ଟ୍ରାଭଲ ଏଜନ୍‌ସୀବାଲା ମଧ୍ୟ ସେୟା କହିଲା । ମୁଁ ନିଶ୍ତିନ୍ତ ହୋଇ ବସିଛି । ଯିବାର ମାତ୍ର ଦୁଇ ସପ୍ତାହ ଅଛି । ହଠାତ୍ ଟ୍ରାଭଲ୍ ଏଜେନ୍‌ସୀର ଦାଦା କହିଲେ ଯେ ଆପଙ୍କର ତ ‘ପି’ ଫର୍ମ ଲାଗିବ ଓ ଆପଣ ଶହେ ଡଲାର ପାଇବେ ନାହିଁ । କାହିଁକି ? ଆଣଙ୍କର ଗସ୍ତଖର୍ଚ୍ଚ ବାହାରୁ ଦିଆଯାଉଛି ବୋଲି ।

 

ଏହାର ଯୌକ୍ତିକତା ଆଜିଯାଏ ମତେ କେହି ବୁଝାଇ ପାରି ନାହାନ୍ତି । ମୁଁ ଯଦି ଅଣ୍ଟିରୁ ପଇସା ଖର୍ଚ୍ଚ କରି ଯାଇଥାନ୍ତି ତେବେ ମତେ ‘ପି’ ଫର୍ମର ଝାମେଲା ମୁଣ୍ତେଇବାକୁ ହେଇ ନ ଥା’ନ୍ତା । ବାହାରୁ କେହି ଖର୍ଚ୍ଚ ଦେଲା ତ ସେଥିରେ ସରକାରର ହାନିଟା କ’ଣ ହେଲା ? ବରଂ ସେତକ ବିଦେଶୀ ବିନିମୟ ମୁଦ୍ରା ତା’ର ଆୟ ହେଲା । କିନ୍ତୁ ନା, ସେୟା ନିୟମ । କ’ଣ କରାଯିବ ?

 

ପୁଣି ସେତିକି ନୁହେଁ । ରିଜର୍ଭ ବ୍ୟାଙ୍କର କୌଣସି ମାଛିମରା କିରାଣୀ ମୋର ଦରଖାସ୍ତ ଉପରେ ପ୍ରଶ୍ନ ଉଠେଇଲେ, “ପଶ୍ଚିମ ଜର୍ମାନୀରୁ ନିମନ୍ତ୍ରଣ ଆସିଛି ତ ପୁଣି ଆନ୍ୟ ଦେଶମାନଙ୍କୁ କାହିଁକି ଯିବେ ? କେଉଁ ଦେଶରେ କେତେ ଦିନ ରହିବେ ? ସେଠୁ କିଛି ଟଙ୍କା ପାଇବେ ତ ଏ ଦେଶକୁ ଆଣିବେ ତ ? ଇତ୍ୟାଦି ।” ମଜାର କଥା ହେଉଛି ଯେ ମୁଁ ଯଦି କେବଳ ବର୍ଲିନ ପର୍ଯ୍ୟନ୍ତ ଯିବାପାଇଁ ଅନୁମତି ମାଗିୁଥା’ନ୍ତି ତେବେ ଏସବୁ ପ୍ରଶ୍ନ ଉଠି ନ ଥା’ନ୍ତା ଓ ବାହାରେ ପହଞ୍ଚି ମୁଁ କୌଣସି ଜାଗାରେ ଯେ କୌଣସି ଉଡ଼ାଜାହଜ କମ୍ପାନୀର ଅଫିସ ବା ଟ୍ରାଭଲ୍ ଏଜେନ୍‌ସୀର ଅଫସିକୁ ଯାଇ ମୋର ଟିକେଟ୍ ଯେପରି ଇଚ୍ଛା ବଦଳେଇ ନେଇ ପାରିଥାନ୍ତି । କୌଣସି ଅସୁବିଧା ହୋଇ ନ ଥାନ୍ତା । ଟ୍ରାଭେଲ୍ ଏଜେନ୍‌ସୀବାଲା ମଧ୍ୟ ସେହିପରି ପରାମର୍ଶ ଦେଇଥିଲେ । ମାତ୍ର ବିଦେଶ ବିଷୟରେ ପୂର୍ବ ଅଭିଜ୍ଞତା ନ ଥିବାରୁ ଏ ଅନିଶ୍ଚିତତା ମୁଣ୍ତାଇବା ପରିବର୍ତ୍ତେ ଏଇଠୁ ସବୁ ବ୍ୟବସ୍ଥା କରିଯିବା ଶ୍ରେୟ ମଣିଲି ।

 

ଯାହାହେଉ କଲିକତାରେ ରିଜର୍ଭ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସାକ୍ଷାତ କରିବାରୁ ସେ ଅନୁଗ୍ରହ କରି ତୁରନ୍ତ ‘ପି’ ଫର୍ମ ଦେବାର ବ୍ୟବସ୍ଥା କରିଦେଲେ । ଇତିମଧ୍ୟରେ କେବଳ ଅଷ୍ଟ୍ରିୟାର ଭିସାଟି ସଂଗ୍ରହ ହୋଇଥିଲା । ଶେଷଦିନ ଇଂଲଣ୍ତରେ ପ୍ରବେଶ କରିବାର ଅନୁମତିପତ୍ର ସଂଗ୍ରହ କରି ଅବଶିଷ୍ଟ ଭିସା ବର୍ଲିନରେ ସଂଗ୍ରହ କରିବାର ନିର୍ଣ୍ଣୟ ନେଇ ଯାତ୍ରା ପାଇଁ ପ୍ରସ୍ତୁତ ହେଲି-। ଶେଷ ପର୍ଯ୍ୟନ୍ତ ‘ଦାଦା’ଙ୍କର ସହାସ୍ୟ ଆଶାବାଦର ହିଁ ଜୟ ହେଲା । ହୁଏତ ମୁଁ ଅନଭିଜ୍ଞ ମଫସଲିଆ ବୋଲି ହିଁ ଏତେ ବେଶୀ ଉଦ୍‌ବିଗ୍‌ନ ହେଉଥିଲି ।

 

ଏଠି ବିଲାତରେ ପ୍ରବେଶର ଅନୁମତିପତ୍ରର ତାମସା ବିଷୟରେ ବି କହି ରଖିବା ଉଚିତ-। ଭାରତ କମନଓ୍ଵେଲଥର ସଦସ୍ୟ ଓ ଆନଇତଃ କମନଓ୍ଵେଲଥ ଦେଶମାନଙ୍କୁ ଯିବା ପାଇଁ ଅନୁମତି ବା ଭିସା ଲୋଡ଼ା ନ ହେବା କଥା ମାତ୍ର ଇଂଲଣ୍ତରେ କଳା ଲୋକଙ୍କ ନିୟନ୍ତ୍ରଣ ପାଇଁ ଏଂଟ୍ରି ପରମିଟ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏଥିରେ ଝାମେଲା ବହୁତ । କୌଣସି ଫୀସ ଅବଶ୍ୟ ଲାଗେ ନାହିଁ, ମାତ୍ର ନିଜେ ଯାଇ ଚେହେରା ଦେଖାଇବାକୁ ହୁଏ । ଅନ୍ୟାନ୍ୟ ଦେଶପରି କୌଣସି ଟ୍ରାଭେଲ ଏଜେନ୍‌ସୀ ଜରିଆରେ ସଂଗ୍ରହ କରି ହୁଏ ନାହିଁ । ଲଣ୍ତନରେ ପହଞ୍ଚି ମଧ୍ୟ ଯେତେ ହୀନସ୍ତା ହେବାକୁ ପଡ଼ିଥିଲା ତାହା ଅନ୍ୟ କୌଣସି ଦେଶରେ ଭୋଗିବାକୁ ହେଇନାହିଁ । ଇଂଲଣ୍ତରେ ଏବେ ତିରିଶ ଲକ୍ଷ କଳା ଲୋକ ବସବାସ କରୁଛନ୍ତି । ଏଥିଭିତରୁ ତିନି ଲକ୍ଷ ଭାରତବାସୀ, ବାକୀ ସବୁ ପାକିସ୍ତାନ, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ଓ ଆଫ୍ରିକାର ବିଭିନ୍ନ ଦେଶରୁ ଯାଇଛନ୍ତି । କଳା ଲୋକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗେ ସାଙ୍ଗେ ସେ ଦେଶରେ ଲୋକଙ୍କ ଭିତରେ ବର୍ଣ୍ଣବିଦ୍ଵେଷ ମଧ୍ୟ ପୁଣି ମୁଣ୍ତ ଟେକୁଛି । ଏଥର ସାଧାରଣ ନିର୍ବାଚନରେ ସେଠାରେ ଜାଠ ଦଳର ବିଜୟ ପଛରେ ଏହି ରଙ୍ଗଭେଦର ମଧ୍ୟ କିଛି ପ୍ରଭାବ ରହିଛି ।

 

ଯାହାହେଉ ଶେଷ ପର୍ଯ୍ୟନ୍ତ ସବୁ ଅଡ଼ୁଆ ତୁଟିଲା ଓ ବାକ୍‌ସ ପେଟରା ବନ୍ଧାଛନ୍ଦା କରି ମେ ତେଇଶ ତାରିଖ ରାତି ସାଢ଼େ ଆଠଟାରେ କଲିକତାର ଦମଦମ ବିମାନଘାଟିରେ ଉଡ଼ାଜାହାଜ ଚଢ଼ିଲି । ଏୟାର ଇଣ୍ତିଆର ଜାହାଜ । ଅଷ୍ଟ୍ରେଲିଆର ସିଡ଼୍‌ନୀରୁ ଆସି ପହଞ୍ଚିଥାଏ । ଏହା ଆମକୁ ବମ୍ଵେ ଯାଏ ନେବ । ସେଠୁ ଆମେ ଦିଲ୍ଲୀରୁ ଆସୁଥିବା ଆଉ ଏକ ବିମାନରେ ସବାର ହେବା ।

 

ଏଇଟି ବୋଇଙ୍ଗ 707 ଜେଟ୍ ବିମାନ । ଗତି ଘଣ୍ଟାକୁ ଛଅଶହ ମାଇଲ । ଉଡ଼ିବାର ଉଚ୍ଚତା ୩୫,୦୦୦ରୁ ୪୦,୦୦୦ ଫୁଟ । ଅର୍ଥାତ୍ ଏଭେରେଷ୍ଟ୍ର ଶୃଙ୍ଗର ଦେଢ଼ମାଇଲ ଉପରକୁ । ହିମାଳୟର ଏକ ଶୃଙ୍ଗ ଅନୁସାରେ ଏହାର ନାମକରଣ ହୋଇଛି ‘ମାକାଲୁ’ । ବମ୍ଵେରୁ ଯେଉଁ ବିମାନ ଆମକୁ ରୋମ୍ ନେଲା ତା’ର ନାମ ହେଲା ‘ଧବଳଗିରି’ ।

 

ନଅଟା ବାଜିବାକୁ କେତେ ମିନିଟ୍ ଥାଇ ବିମାନର ମାଇକ୍‌ରେ ଘୋଷଣା ହେଲା—“ଏ ବିମାନ ଚାଳକ କ୍ୟାପେଟନ୍ ମଣ୍ତଳ । ତାଙ୍କର ଓ ବିମାନର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଆପଣଙ୍କୁ ଏ ବିମାନକୁ ସ୍ଵାଗତ ଜଣାଉଛୁଁ । ଏଠାରୁ ବମ୍ଵେ ପର୍ଯ୍ୟନ୍ତ ଉଡ଼ାଣ ଦୁଇଘଣ୍ଟାରେ ପୂରା ହେବ । ଆପଣମାନେ ଦୟାକରି ସୀଟ୍‌ବେଲ୍ଟ ବାନ୍ଧନ୍ତୁ ଓ ସିଗାରେଟ୍ ଲିଭାନ୍ତୁ ।”

 

ଦେଢ଼ ମାଇଲ ଖଣ୍ତେ ଦଉଡ଼ି ଘୋର ଗର୍ଜ୍ଜନ କରି ବିରାଟ ବିମାନ ଆକାଶକୁ ଉଠି ପଶ୍ଚିମ ଆଡ଼କୁ ମୁହାଁଇଲା । ଦୁଇ ଚାରି ମିନିଟ୍ ମଧ୍ୟରେ ଗଙ୍ଗାନଦୀ ଓ ତା’ର ଦୁଇ କୂଳରେ ଜନପଦମାନଙ୍କର ବିଦ୍ୟୁତ୍ ଦୀପମାଳା ଅନ୍ଧାର ଭିତରେ ଆଲୋକର ଦ୍ଵୀପ ପରି ଭାସିଉଠି ପୁଣି ମିଳେଇ ଯାଉଛି । କୋଡ଼ିଏ ମିନିଟ୍ ପରେ ଟାଟାନଗରର ବୃହତ୍ତର ଆଲୋକ-ଦ୍ଵୀପ ଭାସି ଉଠିଲା । ଦଶଟାର କିଛି ପରେ ନାଗପୁର । ଠିକ୍ ଏଗାରଟାରେ ବିମାନ ବମ୍ଵେର ସାନ୍ତାକ୍ରୃଜ୍ ଘାଟିରେ ଓହ୍ଲାଇଲା । ଏଠୁ ପୁଣି ରାତି ଗୋଟାଏ ବେଳେ ବିମାନ ଛାଡ଼ିବ । ସମସ୍ତେ ବିମାନରୁ ଓହ୍ଲାଇ ବସ୍‌ରେ ଚଢ଼ି ବିମାନଘାଟିର ବିଶ୍ରାମଗାରକୁ ଆସିଲୁଁ ।

 

ବିମାନରୁ ଓହ୍ଲାଇଲା ବେଳେ ଦେଖିଲି ଜଣେ ଅଳ୍ପବୟସ୍କା ଭାରତୀୟ ମହିଳା ଦୁଇଟି ସାନ ପିଲା ସାଙ୍ଗରେ ଧରି ଓହ୍ଳାଇଲେ । ଲୁଗାପିନ୍ଧା ଢଙ୍ଗରୁ ଓଡ଼ିଶାର ଝିଅ ବୋଲି ସନ୍ଦେହ ହେଲା-। ଶୁଣିଲି–ପିଲାଙ୍କୁ କହିଲେ “ବାବୁରେ ! ଦେଖ କେତେ ବଡ଼ ଜାହାଜ !” ଏ’ତ ସତରେ ଓଡ଼ିଆ ! କେଉଁଠୁ ଆସିଲେ ? କୁଆଡ଼େ ଯାଉଛନ୍ତି ? କୌତୁହଳ ହେଲା । ପଚାରି ବୁଝିଲା ଯେ ତାଙ୍କର ଘର ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ପାଖରେ । ତାଙ୍କର ସ୍ଵାମୀ କ୍ୟାନଡ଼ାର ଏକ ସହରରେ କାରଖାନାରେ ମେକାନିକ । ପାଞ୍ଚ ଛଅ ବର୍ଷ ହେଲା ସେଠାରେ କାମ କରୁଛନ୍ତି । ଭଦ୍ରମହିଳା ଏବେ ପିଲା ଦୁଇଟିକୁ ଧରି ସ୍ଵାମୀଙ୍କ ପାଖକୁ ଯାଉଛନ୍ତି ।

 

ଲଣ୍ତନରେ ବିମାନ ବଦଳାଇ କାଲି ଉପରଓଳି ଓନ୍‌ଟାରିଓରେ ପହଞ୍ଚିବେ । ଏହା ପୂର୍ବରୁ ଓଡ଼ିଶା ବାହାରକୁ କ’ଣ ମୟୂରଭଞ୍ଜ ଜିଲା ବାହାରକୁ ବାହାରି ନ ଥିଲେ । ଏବେ ଏକାଥରକେ ସାତ, ସମୁଦ୍ର ପାରି ପୃଥିବୀର ଆରପାଖକୁ ଖେପ । ଗାଉଁଲୀ ଝିଅ, ଇଂରେଜୀ ଜାଣନ୍ତି ନାହିଁ… ଏତେ ଦୂରର ଅଚିହ୍ନା ଦେଶକୁ ଯାତ୍ରା । ଅପରିଚିତ ଓ ଅନଭ୍ୟସ୍ତ ପରିବେଶ ଭଦ୍ରମହିଳା ଟିକିଏ ବିବ୍ରତ ଜଣାପଡ଼ୁ ଥାଆନ୍ତି । ଜଣେ ଓଡ଼ିଆ ସହଯାତ୍ରୀ ପାଇ ଖୁବ ଖୁସି ହେଲେ । ଅବଶ୍ୟ ଚିନ୍ତାର କୌଣସି କାରଣ ନ ଥାଏ । ଦେଖିଲି—ଉଡ଼ାଜାହାଜର ପରିଚାରିକାମାନେ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି, ବରାବର ତତ୍ତ୍ଵ ବୁଝୁଛନ୍ତି, କେଉଁଠି କ’ଣ କରିବାକୁ ହେବ ବୁଝାଇ ଦେଉଛନ୍ତି ।

 

କାହିଁ ରାୟରଙ୍ଗପୁର କାହିଁ ଓନ୍‌ଟାରିଓ ! ଏଠାର ଗାଉଁଲି ଝିଅ ଯାଇ ସେଠି ଚବିଶ ଘଣ୍ଟାରୁ କମ୍ ସମୟରେ ପହଞ୍ଚି ଘରକରଣା ପତେଇବ ! ପୃଥିବୀଟା କେତେ ଛୋଟ ହେଇ ଗଲାଣି-

 

ବମ୍ଵେରେ ବିଦେଶଯାତ୍ରୀଙ୍କ ବିଶ୍ରାମଗାର ଏକ ଜେଲ୍ ଖାନା । ସେଠି ବସିବା ପାଇଁ ଆରାମଦାୟକ ବ୍ୟବସ୍ଥା ଅଛି । ଖାଦ୍ୟପାନୀୟ ଭଣ୍ତାର ମଧ୍ୟ ରହିଛି । ମାତ୍ର ଏକ ପୁଲିସ୍ କନେଷ୍ଟବଳ ମଧ୍ୟ ଦରଜା ପାଖରେ ଟୁଲ୍ ଉପରେ ବସି ବସି ଢୁଳଉଛି । ବିଦେଶ ଯାତ୍ରୀମାନଙ୍କୁ ବିମାନରେ ସବାର ହେବା ପୂର୍ବରୁ କଷ୍ଟମ୍‌ସ ବା ଶୁଳ୍କବିଭାଗର ବେଢ଼ା ପାର ହେବାକୁ ହୁଏ । କୌଣସି ନିଷିଦ୍ଧ ବସ୍ତୁ ଓ ସରକାର ଯେତିକି ନେବାପାଇଁ ଅନୁମତି ଦେଇଥିବେ ତାହାଠାରୁ ଅଧିକ ମୁଦ୍ରା ଯେପରି କେହି ନ ନେଇ ପାରନ୍ତି ତାହା ଦେଖିବା ହେଲା ଏହାର ଉଦ୍ଦେଶ୍ୟ । ତେଣୁ ଥରେ ବେଢ଼ା ପାର ହେଲେ ଆଉ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଦିଆଯାଏ ନାହିଁ । ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପୁଣି ସେ ଦେଶର ବେଢ଼ା ପାର ହେଇ ପଦାକୁ ଯିବାକୁ ହୁଏ ।

 

ବମ୍ଵେରେ କେତେଜଣ ବନ୍ଧୁ ଦେଖା କରିବା ଆଶାରେ ବିମାନଘାଟିକୁ ଆସିଥିଲେ । ମାତ୍ର ବହୁତ ସାଧ୍ୟ-ସାଧନା ପରେ ମଧ୍ୟ ସେମାନଙ୍କ ଦେଖା ପାଇବା ସମ୍ଭବ ହେଲା ନାହିଁ । ଟେଲିଫୋନ୍‌ରେ କଥା କହିବାର ସୁବିଧା ଅଛି ବୋଲି କୁହାଗଲା । ମାତ୍ର ସେ ଟେଲିଫୋନ୍ ମଧ୍ୟ ଅଚଳ ।

 

ଗୋଟାଏ ଅଠତିରିଶରେ ‘ଧବଳିଗିରି’ ବମ୍ଵେ ଛାଡ଼ି ସମୁଦ୍ର ଉପର ଦେଇ ଉତ୍ତର-ପଶ୍ଚିମ ଦିଗକୁ ଉଡ଼ି ଚାଲିଲା । ତଳେ ଆରବ ସାଗରର ଅସରନ୍ତି ବିସ୍ତାର । ଚଉକୀକୁ ପଛକୁ ଢଳେଇଦେଇ ଆଖିକୁ ବୁଜିଲି । ପରବର୍ତ୍ତୀ ରହଣୀ କୁଏତ୍ । ବମ୍ଵେରୁ ୧୭୦୦ କିଲୋମିଟର । ତିନିଘଣ୍ଟା କୋଡ଼ିଏ ମିନିଟରେ ପହଞ୍ଚିବ । ଅଢ଼େଇ ଘଣ୍ଟା ପରେ ନିଦ ଭାଙ୍ଗିଲାରୁ ଦେଖିଲି ଯେ ସ୍ଥଳଭାଗ ଉପର ଦେଇ ଚାଲିଛୁଁ । କିଛି ସମୟ ପରେ ଦୂରରେ ଗୋଟିଏ ଜନବସତିର ଆଲୋକମାଳା ଦେଖାଗଲା । ତା’ ଆଖପାଖରେ କେତେକ ନିଆଁ ହୁଳା । ଏସବୁ ତେଲଖଣି ବା ତେଲ ଶୋଧନାଗାରର କେତେକ ଅପ୍ରୟୋଜନୀୟ ବାଷ୍ପକୁ ଏକ ଚିମିନୀ ଉପରେ ଜଳେଇ ଦିଆଯାଏ । ଏହା ନିଆଁ ହୁଳା ପରି ଦେଖାଯାଏ । କୁଏଟ୍‌ରେ ବହୁତ ତୈଳ ଭଣ୍ତାର ରହିଛି । ଏସବୁ ଆମେରିକାନ୍ ତେଲ କମ୍ପାନୀମାନଙ୍କ କବଳରେ । କୁଏଟ୍ ଗୋଟିଏ ଅତି ସାନ ଦେଶ । ହୁଏତ ଏହି ତେଲ ଖଣି ମାଲିକମାନଙ୍କର ସ୍ଵାର୍ଥଦୃଷ୍ଟିରୁ ଏହାକୁ ଏକ ସ୍ଵତନ୍ତ୍ର ଦେଶ ଭାବରେ ସୃଷ୍ଟି କରାହୋଇଛି-। ମଧ୍ୟପ୍ରାଚ୍ୟରେ ଇରାକ୍, ଇରାନ୍ ଆଦି ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରଚୁର ତୈଳ-ସମ୍ପଦ ରହିଛି । ଏସବୁ ଇଂଲଣ୍ତ ଓ ଆମେରିକାର ଆୟତ୍ତରେ ରହିଛି । ଏହା ଭିତରେ ରୁଷ୍ ମଧ୍ୟ ମୁଣ୍ତ ଗଳାଇବା ଚେଷ୍ଟାରେ ଅଛି । ଏହି ତୈଳ ସମ୍ପଦ ଉପରେ କର୍ତ୍ତ୍ଵତ୍ଵ ପାଇ ବୃହତ୍ ଶକ୍ତିମାନଙ୍କର ଧସ୍ତାଧସ୍ତି ହିଁ ହେଲା । ମଧ୍ୟପ୍ରାଚ୍ୟର ରାଜନୀତି ଓ ସେ ଅଞ୍ଚଳର ସମସ୍ତ ଯୁଦ୍ଧ ବିଗ୍ରହ ପଛରେ ଥିବା ପ୍ରଚ୍ଛନ୍ନ ମୌଳିକ କାରଣ ।

Image

 

ଦୁଇ

ବିଦେଶ ଭୂଇଁରେ ପ୍ରଥମ ପ୍ରଭାତ

 

ମୋର ଘଣ୍ଟା ଅନୁସାରେ ଠିକ୍ ପାଞ୍ଚଟାରେ ଆମେ କୁଏତ୍‌ରେ ଓହ୍ଲାଇଲୁ । କିନ୍ତୁ ସେତେବେଳେ ସେଠାର ସ୍ଥାନୀୟ ସମୟ ହେଲା ଅଢ଼େଇଟା । ଘଣ୍ଟାକୁ ଅଢ଼େଇ ଘଣ୍ଟା ପଛେଇ ଦେବାକୁ ହେଲା । କୁଏତ୍‌ରେ ଘଣ୍ଟାଏ ରହଣୀ ପରେ ପୁଣି ଯାତ୍ରାରମ୍ଭ । ଏଥରକର ଖେପ ଏକଦମ୍ ରୋମ୍ ଯାଏ । ୩୭୩୫ କିଲୋମିଟର । ପାଞ୍ଚଘଣ୍ଟା ଦଶ ମିନିଟ୍‌ରେ ଅତିକ୍ରମ କରିବ ବୋଲି ଘୋଷଣା ହେଲା ।

 

ବିମାନ କିଛି ବାଟ ଦକ୍ଷିଣମୁହାଁ ଯାଇ ପୁଣି ପଶ୍ଚିମକୁ ବୁଲିଲା । ଆକାଶରେ ତ ବାଟ ଅବାଟର ସମସ୍ୟା ନାହିଁ । ତେଣୁ ବିମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିଲ୍‌କୁଲ୍ ସରଳରେଖା ଧରି ଉଠୁଥିବ ବୋଲି ସହଜ ବୁଦ୍ଧି କହେ । ମାତ୍ର ତାହା ସବୁଠାରେ ଏଭଳି ସିଧା ବାଟରେ ଯାଏ ନାହିଁ । ରାଡ଼ାର୍ ଯନ୍ତ୍ରଦ୍ଵାରା ବିମାନଘାଟି ସହିତ ସଂଯୋଗ ରକ୍ଷାର ସୁବିଧା ପାଇଁ ଓ ବେଳେ ବେଳେ କୌଣସି ସାମିରିକ ଘାଟି ସ୍ଥାନ ଏଡ଼େଇବା ପାଇଁ ତାହା ବଙ୍କେଇ ବଙ୍କେଇ ଉଡ଼େ । ବମ୍ଵେରୁ ବେରୁତ୍‌କୁ ସିଧା ଉଡ଼ାବାଟ ଅଛି । ଆମ ବିମାନ ସେହି ବାଟ ଧରିବାପାଇଁ କୁଏତ୍‌ରୁ ଦକ୍ଷିଣକୁ ଆସିଲା । ପ୍ରାୟ ଦେଢ଼ ଘଣ୍ଟା ପରେ ରାତି ପାହିଲା । ସାତ ମାଇଲ ତଳେ ଥିବା ସ୍ଥଳଭାଗ ପାଣ୍ତୁର ଦେଖାଯାଉଥାଏ । ମନେ ହେଉଥାଏ, କେବଳ ବାଲି, ମଝିରେ ମଝିରେ ବାଲିର ସ୍ତୂପ ବା ସାନ ବଡ଼ ପାହାଡ଼ ।

 

ଆରବ୍ୟ ଉପନ୍ୟାସର ରୋମାଞ୍ଚପୂର୍ଣ୍ଣ ସ୍ମୃତିଜଡ଼ିତ ଦାମାସ୍କସ୍ ନଗରୀକୁ ଡାହାଣରେ ରଖି ଆମେ ଲେବାନନ୍ ଉପକୂଳ ଅତିକ୍ରମ କରି ଆସି ପୁଣି ସମୁଦ୍ର ଉପରେ ପଡ଼ିଲୁଁ । ଭୂମଧ୍ୟସାଗର । ଡାହାଣ ପାଖ ଦୂରରେ ଏସିଆ ମାଇନସ୍‌ର ତଟଭୂମି ଓ ପର୍ବତମାଳା କିଛି ସମୟ ପରେ ଦେଖାଗଲା । ଗ୍ରୀକ୍ ଓ ଆରବ୍‌ମାନଙ୍କ ଭିତରେ ତିକ୍ତ ସଂଘର୍ଷର ଇତିହାସ ଭୂମି ସାଇପ୍ରସ୍ ବା କୁବ୍‌ରୁସ୍ ଦ୍ଵୀପର ଠିକ୍ ମଝି ଦେଇ ଉଡ଼ି ଚାଲିଲୁ । କେତେ ସମୟ ପରେ ଗ୍ରୀସ୍‌ର ଦ୍ଵୀପପୁଞ୍ଜ ଡାହାଣ ପଟରେ ଦେଖାଗଲା । ଗ୍ରୀସ୍ ଦେଶର ସର୍ବ ଦକ୍ଷିଣ ଭାଗର ବଡ଼ ଦ୍ଵୀପ ପେଲୋପାନେସସ୍ ଉପର ଦେଇ ଆଗେଇ ଚାଲିଲୁଁ । ଏକାବେଳକେ ପାହାଡ଼ିଆ ।

 

ରୋମ ପହଞ୍ଚିଲା ଓ ଛାଡ଼ିଲାବେଳେ ୟୁରୋପର ଭୂମିର ପ୍ରଥମ ଦର୍ଶନ ମିଳିଲା । ଦକ୍ଷୀଣ ଇତାଲୀର ସମତଳ ଭୂମି, କୃଷିକ୍ଷେତ୍ର, ଫଳବଗିଚା, ଗାଁ ଗଣ୍ତା । ଶ୍ୟାମଳ ଖେତ ଓ ବଗିଚା ସାଙ୍ଗକୁ ସାନ ସାନ ଗାଁମାନଙ୍କର ଘରର ନାଲିଛାତ ମନୋରମ ବର୍ଣ୍ଣବୈଚିତ୍ର୍ୟ ସୃଷ୍ଟି କରୁଥାଏ । ଖେତଗୁଡ଼ିକ ବେଶୀ ବଡ଼ ନୁହେଁ । ଦକ୍ଷୀଣ ଇତାଲୀର ଚାଷୀମାନେ ପଶ୍ଚିମ ୟୁରୋପ ମାପକାଠି ଅନୁସାରେ ଦରିଦ୍ର ଓ ସେଠାରେ ମୁଣ୍ତପିଛା ଜମି ପରିମାଣ ଅପେକ୍ଷାକୃତ କମ । ଇତାଲୀର ମଝିସିରାଟା ପାର୍ବତ୍ୟ ଅଞ୍ଚଳ । ଆଲପସୁ ପର୍ବତମାଳାର ଗୋଟାଏ ଶାଖା । କୌଣସି କୌଣସି ଶୃଙ୍ଗ ଉପରେ ଏବେ ତୁଷାର ମୁକୁଟର ଅବଶିଶ୍ଟାଂଶ ଦେଖାଯାଉଥାଏ । ଉତ୍ତର ଇତାଲୀରେ ପୁଣି ପୋ ନଦୀର ଉପତ୍ୟକା ସମତଳ ଭୂମି । ରୋମର ଭିଏନା ଯିବାବେଳେ ନେପୋଲିୟନ୍ ବୋନାପାର୍ଟିଙ୍କର ନିର୍ବାସନ ସ୍ଥଳ ଏଲବା ଦ୍ଵୀପ ପଡ଼ିଲା । ଏକ ରୁକ୍ଷ ଶୁଷ୍କ ଟାଙ୍ଗର ମୁଣ୍ତିଆ । ବୃକ୍ଷଲତାର କୌଣସି ଚିହ୍ନ ଦିଶିଲା ନାହିଁ । ସମୁଦ୍ର କୂଳରେ ଦୁଇଚାରିଟି ସାନ ସାନ ଗାଁ, ମଝିରେ ଏକ ଦୁର୍ଗର ଭଗ୍ନାବଶେଷ । ପ୍ରକୃତରେ ନିର୍ବାସନର ଉପଯୁକ୍ତ ସ୍ଥାନ ।

 

ଇଟାଲୀ ଓ ଅଷ୍ଟ୍ରିୟା ମଝିରେ ଯୁଗୋସ୍ଳାଭିଆର କେତେକ ଅଂଶ ପଡ଼ିଲା । ଏଇଟି ସମ୍ପୂର୍ଣ୍ଣ ପାର୍ବତ୍ୟ ଅଞ୍ଚଳ । ପାହାଡ଼ ମଝିରେ ଛୋଟ ଛୋଟ ନଈ, ସାନ ସାନ ଗାଁ । ମନେ ହେଉଥାଏ ଯେ କୋରାପୁଟ ଜିଲା ମଧ୍ୟ ଉଡ଼ାଜାହାଜରୁ ଏଇପରି ଦିଶୁଥିବ । ତେବେ ଜଣାପଡ଼ୁଥାଏ ଯେ ଏଠାର ଗାଁ ଘରଗୁଡ଼ିକ ସବୁ ପକ୍କା ଏବଂ ପ୍ରତି ଗାଁକୁ ପକ୍କା ରାସ୍ତା ରହିଛି । ଅଷ୍ଟ୍ରିୟା ଉପରେ ପହଞ୍ଚିଲା ବେଳକୁ ଭୂମିର ରୂପ ବଦଳିଗଲା । ସମତଳ ଭୂମି, ଖେତଗୁଡ଼ିକ ଖୁବ୍ ବଡ଼ ବଡ଼ ଓ ଚଉଖୁଣ୍ଟିଆ । ପଟି ପଟି ହଳ ହୋଇ ହୋଇଛି ଓ ଫସଲ ଲଗା ହୋଇଛି । ବିଭିନ୍ନ ଫସଲର ବିଭିନ୍ନ ସବୁଜ ଆଭା ଓ ଚଷାଭୂଇଁର ପାଟଳ ବର୍ଣ୍ଣ ଏଭଳି ପ୍ୟାଟାର୍ଣ୍ଣ ସୃଷ୍ଟି କରିଛି ଯେପରି କି ବିରାଟ ବଡ଼ ବଡ଼ ହରରଙ୍ଗୀ ସତରଙ୍ଗୀ ବିଛା ହୋଇଛି । ଏଠାର ଗାଁଗୁଡ଼ିକ ବଡ଼ ବଡ଼. ଛୋଟ ସହର କହିଲେ ଚଳେ । ଘରସବୁ ପ୍ରାୟ ଦୋତାଲା । ଛାତ ଗଡ଼ାଣିଆ, ଟାଇଲ୍‌ର ।

 

ଭିଏନା ସହର ଡାନ୍ୟୁବ୍ ନଈ କୂଳରେ ଅବସ୍ଥିତ । ଡାନ୍ୟୁବ୍ ଏଠି ବେଶୀ ପ୍ରଶସ୍ତ ନୁହେଁ । ଗଙ୍ଗା, ଯମୁନା, ମହାନଦୀ, ଗୋଦାବରୀରେ ଅଭ୍ୟସ୍ତ ମତେ ଏହା ଗୋଟାଏ ବଡ଼ ଧରଣର ନାଳ ପରି ମନେ ହେଲା । ତେବେ ଆହୁରି ତଳକୁ, ବେଲଗ୍ରେଡ଼୍‌ର ତଳକୁ ଡାନ୍ୟୁବ୍ ତା’ର ବିରାଟ ରୂପ ପ୍ରକାଶ କରିଛି । ସେଠି ତା’ର ତୁଳନା ମହାନଦୀ ସହିତ ହେବ । ତେବେ ଏ ନଈରେ ସବୁବେଳେ ପାଣି ଭରପୁର ଓ ଅର୍ନ୍ତରାଷ୍ଟ୍ରୀୟ ନୌ-ବାଣିଜ୍ୟର ଏହା ଏକ ପ୍ରଧାନ ମାଧ୍ୟମ ।

 

ୟୁରୋପର ସହରରେ ମୋର ପ୍ରଥମ ପଦାର୍ପଣ ଭିଏନାରେ ଏବଂ କଟକ, କଲିକତା, ବମ୍ଵେର ଅପରିଚ୍ଛନ୍ନତାରୁ ଆସି ଏଠି ପହଞ୍ଚିବା ବେଳକୁ ମନ ଉପରେ ପ୍ରଥମ ଛାପ ପଡ଼ିଲା ଏହାର ରାସ୍ତାଘାଟର ପରିଚ୍ଛନ୍ନତା ଓ ପ୍ରଶସ୍ତତାର ଏବଂ ରାସ୍ତା ଓ ବଜାରରେ ଲୋକ ଚଳାଚଳର ବିରଳତାର-। ୟୁରୋପର ସମସ୍ତ ସହର ଭାରତର ସହରମାନଙ୍କ ତୁଳନାରେ ପରିଚ୍ଛନ୍ନ; କିନ୍ତୁ ଭିଏନା ବୋଧହୁଏ ସବୁଠାରୁ ବେଶୀ ।

 

ଏଠି ଚାରିଦିନ ରହିବା ଭିତରେ ମୁଁ ରାସ୍ତାରେ ମାତ୍ର ଦୁଇ ତିନି ଥର ସିଗାରେଟ୍ ଥୁଣ୍ଟା ଓ ଛିଣ୍ତା କାଗଜ ପଡ଼ିଥିବାର ଦେଖିଛି । ଭିଏନା ଏକ ସମୟରେ ଏକ ବିରାଟ ସମ୍ରାଜ୍ୟର ରାଜଧାନୀ ଥିଲା । ତେଣୁ ଏହାର ଲେ-ଆଉଟ୍ ଏକାବେଳକେ ମହାରାଜକୀୟ ଶୈଳୀରେ । ରାସ୍ତାଘାଟ ଖୁବ୍ ପ୍ରଶସ୍ତ ଓ ସହର ଭିତରେ ବହୁତ ବଡ଼ ବଡ଼ ପାର୍କ ଓ ଖୋଲା ଜାଗା ରହିଛି । ଏହାଛଡ଼ା ସାମ୍ରାଜ୍ୟ ଯୁଗରେ ବହୁ ବିରାଟ ରାଜପ୍ରସାଦ ଓ ଅନ୍ୟ ଭବନମାନ ତ ରହିଛି । ଏସବୁ ଭିତରୁ କେତେଗୁଡ଼ିଏ ପ୍ରକୃତରେ ସୁନ୍ଦର । ଏସବୁ ଭବନର ପ୍ରବେଶ ପ୍ରାଙ୍ଗଣ, ପାର୍କ ଓ ଅନ୍ୟ ସାଧାରଣ ସ୍ଥାନ ସବୁ ବିଖ୍ୟାତ ଭାସ୍କରମାନଙ୍କ ଦ୍ଵାରା ନିର୍ମିତ ବିଶାଳ ମୂର୍ତ୍ତୀମାନଙ୍କ ଦ୍ଵାରା ସୁସଜ୍ଜିତ । ମୁଁ ତ ସେଠି ବିଚ୍ ଖରାଦିନେ ପହଞ୍ଚିଲି । ସେତେବେଳେ ଯେଉଁଠି ଦେଖିବ ସେଠି ନାନାରଙ୍ଗର ଫୁଲ ଭରି ରହିଛି । ସୌଭାଗ୍ୟକୁ ସେ ସମୟରେ ପାଗ ମଧ୍ୟ ଭଲ, ଖରାଟିଆ ଥାଏ । ଏସବୁ ମିଶି ଏକ ଉଜ୍ଜ୍ଵଳ, ଆନନ୍ଦମୟ ଓ ନିରାମୟ ପରିମେୟ ସୃଷ୍ଟି କରୁଥାଏ ।

 

ଏ ସମୟରେ ଲୋକଙ୍କର ମନରେ ମଧ୍ୟ ଏଇ ପରିବେଶର ରଙ୍ଗ ଲାଗିଥାଏ । ଖରା ଛୁଟିର ଆରମ୍ଭ । ସମସ୍ତେ ଦୀର୍ଘ ଛୁଟି ଉପଭୋଗ କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ଆମ ଦେଶରେ ଖରାଛୁଟିର ଉପଭୋଗଟା ବହୁ ଅଧିକ ସଂଖକ ଲୋକଙ୍କ ପକ୍ଷରେ ସଂପୂର୍ଣ୍ଣ ନେତିମୂଳକ-। ଅସହ୍ୟ ଗରମ ସମୟରେ ଦାୟିତ୍ଵପୂର୍ଣ୍ଣ କାମରୁ ମୁକ୍ତି ହିଁ ଯେତିକି ସନ୍ତୋଷ ଦିଏ । ଛୁଟିରେ କୌଣସି ଆରାମପ୍ରଦ ଓ ଆନନ୍ଦଦାୟକ ସ୍ଥାନକୁ ବୁଲି ଯିବାର ସମ୍ଵଳ ଓ ସୁଯୋଗ ଶତକଡ଼ା ଦୁଇଚାରି ଜଣ ଲୋକଙ୍କର ଥାଏ । ବାକୀ ଖଟିଖିଆ ଲୋକଙ୍କ ଭାଗ୍ୟରେ ଖରାଛୁଟି ବି ଥାଏ କାହିଁ-?

 

କିନ୍ତୁ ୟୁରୋପରେ ତ ଖରାଦିନଟା ପ୍ରକୃତିକୁ ଉପଭୋଗ କରିବାକୁ ପ୍ରକୃଷ୍ଟ ସମୟ । ପଶ୍ଚିମ ୟୁରୋପର ଦେଶମାନଙ୍କରେ ପ୍ରାୟ ସମସ୍ତ ଲୋକ, ସାଧାରଣ ଶ୍ରମିକ ସୁଦ୍ଧା, ଖରାଛୁଟି ପାଆନ୍ତି । କାରଖାନା ଆଦିରେ ପାଳି କରି ଛୁଟି ଦିଆଯାଏ । ଛୁଟିରେ କେହି ଘରେ ରହନ୍ତି ନାହିଁ । ପାହାଡ଼, ବଣ ବା ସମୁଦ୍ର କୂଳକୁ ଚାଲିଯା’ନ୍ତି । ସମୁଦ୍ରରେ ଗାଧୁଅନ୍ତି, ପହଁରନ୍ତି ଓ ବାଲିରେ ଦିନଯାକ ପଡ଼ିରହି ଖରା ପୁହାନ୍ତି ।

 

ଜୀବନକୁ ନିଶ୍ଚିନ୍ତରେ ଉପଭୋଗ କରିବାର ସୁଯୋଗ ଓ ସମ୍ଵଳ ଏଠି ଅଧିକାଂଶ ଲୋକଙ୍କର ରହିଛି ।

 

ଅଷ୍ଟ୍ରିୟା ସେତେ ବେଶୀ ଧନାଢ଼୍ୟ ନୁହେଁ । ଏଠି ଶିଳ୍ପର ପ୍ରସାର ଅପେକ୍ଷାକୃତ କମ ଓ କୃଷିର ପ୍ରାଧାନ୍ୟ ଅଧିକ । ତଥାପି ସାଧାରଣ ଲୋକଙ୍କ ଅବସ୍ଥା ସଚ୍ଛଳ । ସାଧାରଣ ମଜୁରୀଦର ମାସକୁ ଦେଢ଼ ହଜାର ଟଙ୍କା ହେବ ।

 

ଅଷ୍ଟ୍ରିୟାରେ କେତେ ବର୍ଷ ହେଲା ଗୋଟାଏ ପ୍ରକାରର ସମାଜବାଦୀ ସରକାର ଅଛି ଓ ଏଠି ପ୍ରତ୍ୟେକ ନାଗରିକ ପାଇଁ ବେଶ ସନ୍ତୋଷଜନକ ସାମାଜିକ ସୁରକ୍ଷାର ବ୍ୟବସ୍ଥା ରହିଛି । ବେକାରମାନଙ୍କୁ ଭତ୍ତା ମିଳେ । ଚିକିତ୍ସା ମଧ୍ୟ ମାଗଣାରେ କରାଯାଏ । ତେଣୁ ଅନ୍ନବସ୍ତ୍ରର ସମସ୍ୟା ଆମ ଦେଶରେ ଯେଉଁ ସ୍ଥୂଳ ଓ ଉତ୍କଟ ରୂପରେ ଅନୁଭବ କରିବାକୁ ହୁଏ ଏଠି ତାହା ନାହିଁ ।

Image

 

ତିନି

ଭିଏନାରେ

 

ଭିଏନାରେ ମୁଁ ଡକ୍ଟର କୁର୍ଟ ସ୍‌ମିଟ୍‌ଙ୍କର ଅତିଥି ହେଇଥିଲି । କୁର୍ଟ ଗତବର୍ଷ ଭାରତ ଭ୍ରମଣରେ ଆସିଥିଲେ ଓ ଭୁବନେଶ୍ଵର ମଧ୍ୟ । ସେତେବେଳେ ତାଙ୍କ ସହିତ ପରିଚୟ ହୋଇଥିଲା । ଅତି ଅମାୟିକ ଭଦ୍ରଲୋକ । ମୁହଁରେ ସବୁବେଳେ ହସ ଲାଗି ରହିଛି । ଭିଏନାର ଏକ ଫୋକ୍ ହାଇସ୍କୁଲ ବା ଜନତା ଉଚ୍ଚ ବିଦ୍ୟାଳୟର ପରିଚାଳକ । ମାତ୍ର ତାଙ୍କର ବଡ଼ ପରିଚୟ ହେଲା ଯେ ସେ ସର୍ଭାସ୍-ଇଣ୍ଟର୍ ନାଶନାଲ୍ ନାମକ ଏକ ଆର୍ନ୍ତରାଷ୍ଟ୍ରୀୟ ସେବା ସଂସ୍ଥାର ମୁଖ୍ୟ ସଂଯୋଜକ । ପୃଥିବୀର ଅନ୍ୟୁନ କୋଡ଼ିଏଟି ଦେଶରେ ଏ ସଂସ୍ଥାର ବହୁ ଶତ ସଦସ୍ୟ ଅଛନ୍ତି । ଦେଶ ଦେଶର ଲୋକମାନଙ୍କ ଭିତରେ ପରିଚୟ ଓ ସୌହାର୍ଦ୍ଦ୍ୟ ବଢ଼ାଇ ବିଶ୍ଵଶାନ୍ତିର ବାଟ ପ୍ରଶସ୍ତ କରିବା ଏ ସଂସ୍ଥାର ଉଦ୍ଦେଶ୍ୟ । ଏଥିପାଇଁ ଏ ସଂସ୍ଥା ପକ୍ଷରୁ ବିଭିନ୍ନ ଦେଶରେ ସେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ତାହାଛଡ଼ା ଏହାର ସଦସ୍ୟମାନେ ଅନ୍ୟ ଦେଶର ଆଗନ୍ତୁକମାନଙ୍କୁ ଆତିଥ୍ୟ ଦେବାର ବ୍ରତ ନେଇଥାନ୍ତି । ସର୍ଭାସ ସଦସ୍ୟଙ୍କ ଘରର ଦ୍ଵାର ବିଦେଶୀ ଅତିଥିଙ୍କ ପାଇଁ ମୁକ୍ତ ଥାଏ । ୟୁରୋପର ବହୁସ୍ଥାନରେ ଏହି ସଂସ୍ଥାର ବନ୍ଧୁମାନଙ୍କର ଆତିଥ୍ୟର ସୌଭାଗ୍ୟ ମତେ ମିଳିଥିଲା ।

 

କୁର୍ଟ, ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଗୋଟାଏ ତିନି ବଖରିଆ ଫ୍ଲାଟ୍‌ରେ ରହନ୍ତି । ପିଲାଙ୍କର ଘରଟି ସେମାନେ ମୋ ପାଇଁ ଖାଲି କରିଦେଇଥିଲେ । ପିଲାଏ ସଂଯୁକ୍ତ ବସିବା ଓ ଖାଇବା ଘରେ ସଫା ଉପରେ ଶୋଉଥିଲେ । ଶ୍ରୀମତୀ ସ୍ମିଟ୍ ସ୍ନେହଶୀଳା ସୁଗୃହିଣୀ । ସ୍ଵାମୀ ସ୍ତ୍ରୀ ଉଭୟେ ମୋର ଟିକିନିଖି ଖବର ବରାବର ବୁଝୁଥାନ୍ତି । ଯେପରି ଟିକେ ହେଲେ ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ରଖିଥାନ୍ତି ।

 

ଅଷ୍ଟ୍ରିୟାର ଗାଁ ଓ ଚାଷୀ ମୁଁ ଦେଖିବାକୁ ଚାହେଁ ବୋଲି ପୂର୍ବରୁ କୁର୍ଟଙ୍କୁ ଲେଖିଥିଲି । ପ୍ରଥମ ଦନ ଉପରଓଳି ଭିଏନାରୁ ତିରିଶି ମାଇଲ ଦୂର ଏକ ସାନ ଗାଁକୁ କୁର୍ଟ, ଶ୍ରୀମତୀ ସ୍ମିଟ୍ ମତେ ତାଙ୍କ ମଟରରେ ନେଇଗଲେ । ସେଠି ସର୍ଭାସର ସଦସ୍ୟ ତାଙ୍କର ଏକ ମହିଳା ବନ୍ଧୁଙ୍କୁ ଧରି ଆମେ ଦୁଇଟି ଚାଷୀ ପରିବାରକୁ ଭେଟିଲୁ । ଭଦ୍ରମହିଳା ପୂର୍ବତନ ସଂଭ୍ରାନ୍ତ ପରିବାରର କନ୍ୟା । ଘରଟା ବହୁତ ପୁରୁଣା ମାତ୍ର ବେଶ୍ ବଡ଼ । ରାଜସ୍ଥାନ, ସୌରାଷ୍ଟ୍ର ପ୍ରଭୃତିରେ ଯେପରି ଖୁବ୍ ଉଚ୍ଚ ମେହେରାବ ଦିଆ ଫାଟକ ଓ ଜାଉଁଳୀ କବାଟ ମଫସଲର ଅବସ୍ଥାପନ ଲୋକଙ୍କ ଘରେ ଦେଖିବାକୁ ମିଳେ ସେହିଭଳି ଏକ ବିରାଟ କାଠ ଫାଟକ ଓ ଅଗଣା । ଭଦ୍ର ମହିଳାଙ୍କର ଦେଢ଼ଶହ ଏକର ଖଣ୍ତେ ଜମି ଅଛି । ଚାଷୀମାନଙ୍କୁ ଖଜଣାରେ ଚଷିବାକୁ ଦେଇଥାନ୍ତି । ନିଜେ ଶିକ୍ଷୟତ୍ରୀ ଥିଲେ । ଏବେ ଘରୋଇ ଭାବରେ ଲୋକଙ୍କୁ ପଢ଼ାନ୍ତି । ଏହି ଶିକ୍ଷୟତ୍ରୀ ହିସାବରେ ତାଙ୍କର ପାଖ ଆଖରେ ସବୁ ଲୋକଙ୍କ ସହ ପରିଚୟ ଓ ଖାତିରି ରହିଛି । ବୁଢ଼ୀଙ୍କ ପାଇଁ ଗାଁର ସମସ୍ତ ଘର ଅବାରିତ ଦ୍ଵାର-

 

ପ୍ରଥମ ଚାଷୀ ଜଣକ ବୃଦ୍ଧ, ବୟସ ପଚସ୍ତରି ହେବ । ଆମେ ଗଲାବେଳକୁ ଦ୍ଵିତୀୟ ମହାଯୁଦ୍ଧର ଜଣେ ସୈନିକ ସାଥୀଙ୍କ ସହିତ ବସି ବିୟର ପିଇ ଦୁଃଖସୁଖ ହେଉଥିଲେ । ମୁଁ ଭାରତରୁ ଆସିଛି ଶୁଣି ଖୁବ୍ ଆଦର ଅଭ୍ୟର୍ଥନା କଲେ । ବୁଢ଼ାଙ୍କର ଘରଟି ଆମ ଦେଶର ସହରର ମଧ୍ୟବିତ୍ତ ଲୋକଙ୍କ ପରି । ସବୁ ପ୍ରକାରର ଆସବାବ ପତ୍ର, ରେଡ଼ିଓ ଆଦି ରହିଛି । ବୁଢ଼ାଙ୍କ କାନକୁ ଭଲ ଶୁଭେ ନାହିଁ । ବୁଢ଼ୀ ସବୁ କଥାବାର୍ତ୍ତା କଲେ । ମସ୍ତ ମୋଟୀ, କିନ୍ତୁ ଖୁବ୍ କର୍ମଠା । ନସରପସର ହୋଇ ସବୁ କାମ କରୁଥାନ୍ତି । ଆମକୁ ନେଇ ତାଙ୍କର ଗୋରୁ, ଘୁଷୁରି, କୁକୁଡ଼ା ଆଦି ଦେଖେଇଲେ-

 

ବୁଢ଼ାଙ୍କର କୋଡ଼ିଏ ହେକ୍ଟରମାନେ ପଚାଶ ଏକର ଜମି । ବୁଢ଼ା ଓ ସାନପୁଅ ମିଶି ଯନ୍ତ୍ର ସାହାଯ୍ୟରେ ଚାଷ କରନ୍ତି । ବଡ଼ ପୁଅ ଚାକିରୀ କରନ୍ତି । ବୁଣାବୁଣି କଟାକଟି ସମୟରେ କିଛି ଅସ୍ଥାୟୀ ମୂଲିଆ ଲଗାନ୍ତି । ଅବଶ୍ୟ ଏଠି ଫସଲ କଟା ଓ ବିଡ଼ା ବନ୍ଧା ମଧ୍ୟ ଯନ୍ତ୍ର ସାହାଯ୍ୟରେ ହୁଏ । ଏମାନେ ଗହମ, ଜଅ, ବାର୍ଲୀ, ଓଟ୍, ଅଙ୍ଗୁର ଆଦି ସବୁ ରକମର ଫସଲ କରନ୍ତି । ମୋଟ ଆୟ କେତେ ପଚାରିବାରୁ ଟିକିଏ ଇତସ୍ତତ ହେଲାପରି ଜଣା ପଡ଼ିଲେ । ସଠିକ୍ କହିପାରିବେ ନାହିଁ ବୋଲି କହିଲେ । ଏମାନେ ତ ଆମ ଦେଶ ଚାଷୀଙ୍କ ପରି ହିସାବ ରଖିବାରେ କଳା ହୋଇ ନ ଥିବେ । କିନ୍ତୁ ହୁଏତ ଆମରି ଚାଷୀଙ୍କ ପରି କହିବାକୁ ଅନିଚ୍ଛୁକ । ତେବେ ବର୍ଷକୁ ହଜାରେ ଶିଲଂ–ତିନିଶହ ଟଙ୍କାରୁ କିଛି କମ୍ ଆୟକର ଦିଅନ୍ତି । ଗହମ ଆମଦାନୀ ଏକରକୁ ୧୬୦୦ କିଲୋ ଅର୍ଥାତ୍ ୪୩-୪୪ ମହଣ ହୁଏ । ମଦ ବର୍ଷକୁ ଚାରି ପାଞ୍ଚ ହଜାର ଲିଟର ତିଆରି କରି ବିକନ୍ତି ।

 

ଷଣ୍ତ ସବୁ ପୋଷିଛନ୍ତି, ମୋଟାକରି ମାଂସ ପାଇଁ ବିକିବେ । କିଲୋ ଷୋଳ ଶିଲିଂ ବା ସାଢ଼େ ଚାରି ଟଙ୍କା ପାଇକାରୀ ଦର । ଷଣ୍ତ ଗୋଟାକରୁ ଛଅଶହ କିଲୋ ମାଂସ ହାରାହାରି ହୋଇଥାଏ । ଘୁଷୁରି ଗୁଡ଼ାକ ଲମ୍ଵା ଲମ୍ଵା ଓ ଲମ୍ଵ ତୁଳନାରେ ଉଚ୍ଚତା କମ୍ ହୋଇଥିବାରୁ ଚଳନ୍ତା ବେଞ୍ଚ ପରି ଦେଖାଯାଉଥାନ୍ତି । ଘୁଷୁରି ଗୋଟାଏ ଅନ୍ତତଃ ଶହେ କିଲୋ ହୁଏ । କୁକୁଡ଼ାଙ୍କଠାରୁ ଦୈନିକ ଚାଳିଶ ଅଣ୍ତା ହୁଏ । ଗୁହାଳ, କୁକୁଡ଼ା ଘର, ଘୁଷୁରି ଖୁଆଡ଼ ଆଦି ଅବଶ୍ୟ ସବୁ ପକ୍କାଘର, ତେବେ ଆମ ଦେଶପରି ଛଣକୁଟା ଗୋବର ଆଦି ଲେସି ହେଇଛି । ତଥାପି ବେଶୀ ଅଳିଆ ନୁହେଁ-

 

ଦ୍ଵିତୀୟ ଚାଷୀଜଣକ ଯୁବକ । ଖୁବ୍ କଚିତ୍ କର୍ମା ଓ ବୁଦ୍ଧିମାନ ଜଣା ପଡ଼ିଲେ । ଏହାଙ୍କର ନିଜର ଚବିଶ ଏକର ଜମି । ଆଉ ପଚସ୍ତରି ଏକର ଜମି ଖଜଣାରେ ନେଇ ଚାଷ କରନ୍ତି-। ଏକର ପିଛା ଖଜଣା ଚାରିଶହ ଟଙ୍କା ଯାଏ ଦିଅନ୍ତି । ଏ ଖୁବ୍‌ ଭଲ ଚାଷୀ । ଉନ୍ନତ ଧରଣର ଯନ୍ତ୍ରପାତି ସବୁ ରଖିଛନ୍ତି । ମଞ୍ଜି ବୁଣିବା ଓ ଫସଲ କାଟିବା ଯନ୍ତ୍ରର ଦାମ ବହୁତ, ଗୋଟାକ ଲକ୍ଷେ ଶିଲିଂ ବା ଅଠେଇଶ ହଜାର ଟଙ୍କା । ଅଥଚ ଏ ଯନ୍ତ୍ର ତାଙ୍କର ବର୍ଷକରେ ମୋଟେ ତିନି ଚାରିଘଣ୍ଟା ବ୍ୟବହାରରେ ଆସେ । ସେଥିପାଇଁ ଅନ୍ୟ ଜଣେ ଚାଷୀଙ୍କ ସହିତ ଭାଗୁଆଳୀ ହୋଇ ଏ ଯନ୍ତ୍ର କିଣିଛନ୍ତି । ମୋଟ ପ୍ରାୟ ତିନି ଲକ୍ଷ ଟଙ୍କାର ଯନ୍ତ୍ର ଏମାନଙ୍କର ରହିଛି । ଏଠି ଜମି ଦାମ୍ ମଧ୍ୟ ଖୁବ୍ ଚଢ଼ା । ଏକର ପ୍ରାୟ ବାର ହଜାର ଟଙ୍କା ।

 

ଏ ମହାଶୟ ଦୁଧ ପାଇଁ ଆଠୋଟି ସ୍ଵୀଜରଲାଣ୍ତର ଗାଈ ରଖିଛନ୍ତି । ଦିନକୁ ପ୍ରତି ଗାଈ ପଚିଶରୁ ତିରିଶି ଲିଟର ଦୁଧ ଦିଅନ୍ତି । ଭଲ ଖାଇଲେ ଆହୁରି ବେଶୀ ଦୁଧ ଦେବେ ବୋଲି ଚାଷୀଭାଇ କହିଲେ । କିନ୍ତୁ ଦୁଧ ଲିଟରକୁ ପାଇକାରୀରେ ମୋଟେ ଦୁଇ ଶିଲିଂ ପଞ୍ଚାବନ ଛପନ ପଇସା-ମିଳେ । ଖୋଇବା ଖର୍ଚ୍ଚ ଲିଟର ପିଛା ଏହାର ଦୁଇଗୁଣ ପଡ଼ିବ । ତେଣୁ ଗାଈକୁ ବିଶେଷ ଖାଦ୍ୟ ନ ଦେଇ କେବଳ ଘାସ, ଛଣ, ଭୁଷି ଆଦି ସାଧାରଣ ଖାଦ୍ୟରେ ଚଳେଇ ନିଅନ୍ତି । ଏ ମଧ୍ୟ ମାଂସ ପାଇଁ ଅଣ୍ତିରା ବାଛୁରୀ ପୋଷିଛନ୍ତି । ସେଗୁଡ଼ିକୁ କେବଳ ଦୁଧ ଦିଆଯାଏ ଗୋଟାକେ ଦିନକୁ ଷୋଳ ସତର ଲିଟର ଲେଖାଁଏ । ଏହାଦ୍ଵାରା କୁଆଡ଼େ ମାଂସ ଖୁବ୍ ଉତ୍କୃଷ୍ଟ ପ୍ରକାରର ହୁଏ । ଦାମ୍ ମଧ୍ୟ ବେଶୀ ମିଳେ ।

 

ଏହାଙ୍କର ଫଳ ବଗିଚାରେ ଆପେଲ, ଚେରୀ, ପିୟର, ପ୍ଳମ୍, ନଟ୍‌ସ ଆଦି ନାନା ଫଳ ଗଛ ଅଛି । ଏହାଙ୍କ ବୁଢ଼ାବାପ ଫଳ ଗଛମାନଙ୍କର ଯତ୍ନ ନେବାରେ ଲାଗିଥାନ୍ତି ।

 

ଏ ଚାଷୀଭାଇଙ୍କର ଚଢ଼େଇ ପୋଷିବାରେ ଭାରୀ ସଉକ । ଦୋତାଲା ଉପରେ ତିନି ବଖରା ବଡ଼ ବଡ଼ ଘରେ ନାନା ଦେଶର ବହୁ ଜାତିର ରଙ୍ଗବେରଙ୍ଗର ଚଢ଼େଇ ପୋଷିଛନ୍ତି । ଚଢ଼େଇଙ୍କର ଘର ଶୀତ ଦିନରେ ଗରମ ରଖିବାପାଇଁ ହିଟର୍‌ର ବ୍ୟବସ୍ଥା ରହିଛି । ଏହାଙ୍କର ଫୁଲର ସଉକ ବି ଖୁବ୍ । ନାନା ଜାତି ଫୁଲରେ ବଗିଚା ପୂର୍ଣ୍ଣ । ଘରକୁ ବି ଫୁଲରେ ସଜେଇଛନ୍ତି ।

 

ଏହାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅଟି ବାରବର୍ଷର ଓ ଝିଅଟି ଆଠବର୍ଷର ହେବ । ଶାଶୁ ମଧ୍ୟ ଏହାଙ୍କ ସାଙ୍ଗରେ ଥାଆନ୍ତି । ଭଦ୍ରଲୋକଙ୍କ ମନରେ ଚିନ୍ତା, ଯଦି ପୁଅ ଚାଷ ଧନ୍ଦା ନ ଧରି ଅନ୍ୟ ଧନ୍ଦା ଧରିବ ତେବେ ଏ ସବୁ ଆୟୋଜନ କ’ଣ ହେବ ? ସବୁ ଦେଶରେ ଏଇ ସମସ୍ୟା । ପିଲାଏ ଗାଁ ଛାଡ଼ି ସହରକୁ ଯିବାକୁ ବ୍ୟଗ୍ର ।

 

ପୂର୍ବରୁ ଅଷ୍ଟ୍ରିୟା ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥା କଥା ଲେଖିଛି । ଏହାର ସୁବିଧା ଚାଷୀମାନେ ବି ପାଆନ୍ତି । ତେବେ ସେମାନେ ମାଗଣା ଚିକିତ୍ସା ପୁରାପୁରି ପାଆନ୍ତି ନାହିଁ । ହାସପାତାଳରେ ଭର୍ତ୍ତି ହେବାକୁ ହେଲେ ଆଂଶିକ ଖର୍ଚ୍ଚ ନିଜେ ଦେବାକୁ ହୁଏ ।

 

ଏଇ ଗାଁଟିର ନାମ ବ୍ରୁକ୍ ଅର୍ଥାତ୍ ସେତୁ । କେଉଁ ସମ୍ରାଟଙ୍କ ଅମଳରୁ ଏଠି ଡାନ୍ୟୁବ ନଈ ଉପରେ ଏକ ପୋଲ ରହିଥିଲା ଓ ସାମରିକ ଦୃଷ୍ଟିରୁ ଏହା ଏକ ଘାଟି ଜାଗା ଥିଲା । ସେଇଥିରୁ ଏହାର ନାମକରଣ ହେଇଯାଇଛି । ଗାଁଟି ପାଦରେ ଚାଲି ଚାଲି ବୁଲି ଦେଖିଲୁ । ସବୁ ଘର ଦୋତାଲା ବା ତେତାଲା । ରାସ୍ତାଗୁଡ଼ିକ ପକ୍କା ଓ ଓସାର । ଖୁବ୍ ପରିଷ୍କାର ପରିଚ୍ଛନ୍ନ । ରବିବାର ଯୋଗୁଁ ଦୋକାନ-ବଜାର ବନ୍ଦ ଥିଲା । ତେବେ ଏଠାର ବଡ଼ ବଡ଼ ସହର ପରି ଦୋକାନର କାଚ ଝରକାରେ ଜିନିଷ ସବୁ ସଜା ହେଇ ରହିଥାଏ । ପ୍ରତ୍ୟେକ ଜିନିଷରେ ଦାମ ଲେଖାଥାଏ । ଦେଖିଲି ଯେ ଦରଦାମ୍ ସେମିତି ଚଢ଼ା ନୁହେଁ ।

 

ଏଠି ଏକ ପୁରୁଣା ଜମିଦାର ବଂଶର ଏକ ଗଡ଼ ରହିଛି । ଏ ବଂଶର ଏଠି ଏବେ ବି ବାର ତେର ହଜାର ଏକର ଜମି ଅଛି । ସବୁ ପ୍ରଜାମାନେ ଖଜଣାରେ ନେଇ ଚାଷ କରନ୍ତି । ଏହାଙ୍କ ଗଡ଼ ବା ପ୍ରାସାଦଟା ପ୍ରକାଣ୍ତ, ତାର ଉଦ୍ୟାନ ମଧ୍ୟ ବିରାଟ । ପ୍ରାସାଦର ଗୋଟାଏ ଅଂଶ ଛ’ ସାତ ଶହ ବର୍ଷର ପୁରୁଣା । ପ୍ରାସାଦର ଉଦ୍ୟାନର ଏକ ସାନ ଅଂଶ ଛଡ଼ା ବାକିସବୁ ସାଧାରଣ ଲୋକଙ୍କ ପାଇଁ ଖୋଲା । ରବିବାର ସନ୍ଧ୍ୟା, ବହୁତ ଲୋକ ସଜବାଜ ହେଇ ବୁଲି ଗଲେ ।

 

ଛୋଟିଆ ଗାଁ’ଟିଏ; କିନ୍ତୁ ଲୋକଙ୍କର ସେଠା ବିଷୟରେ ଖୁବ୍ ଗର୍ବ । ଏଠା ଦେଇ କେଉଁ ସମ୍ରାଟଙ୍କ ଅମଳରେ କେଉଁ ଅଭିଯାନ ଯାଇଥିଲା, କ୍ରୂଜେଡ଼୍–ମଧ୍ୟଯୁଗୀୟ ଧର୍ମଯୁଦ୍ଧ ଅଭିଯାନ ବେଳେ କେଉଁ ଦଳ ଏବାଟେ ଯାଇଥିଲେ; ଏସବୁ ଇତିବୃତ୍ତି ଆମକୁ ସେ ଭଦ୍ର ମହିଳା ଶୁଣାଇଲେ । ଏଠି କେତେକ ପ୍ରାଚୀନ ବାରୋକ୍ ସ୍ଥାପତ୍ୟର ନିଦର୍ଶନ ଅଛି । ତାହା ମତେ ନେଇ ଦେଖାଇଲେ ।

 

ଭିଏନାରେ ଦୁଇଟି ସଭାର ଆୟୋଜନ ହୋଇଥିଲା । ଗୋଟିଏ ସଭା କୁର୍ଟଙ୍କର ହାଇସ୍କୁଲରେ ଓ ଅନ୍ୟଟି କ୍ଵେକରମାନଙ୍କର କେନ୍ଦ୍ରରେ । ସ୍କୁଲ ସଭାରେ ପନ୍ଦର ଷୋଳ ଜଣ ଲୋକ ଯୋଗ ଦେଇଥିଲେ । ଏଠାର ଭାରତୀୟ ଦୂତାବାସରୁ ଗାଂଧୀଜୀ ଓ ବିନୋବାଜୀଙ୍କର ଜାବନୀ ବିଷୟରେ ଦୁଇଟି ଫିଲ୍ମ ଆଣି ଏଠି ଦେଖାଯାଇଥିଲା । ଗ୍ରାମଦାନ ଆନ୍ଦୋଳନ ବିଷୟରେ ହିଁ ମୁଖ୍ୟତଃ ଆଲୋଚନା ହେଲା । ଶ୍ରୋତାମାନଙ୍କ ଭିତରୁ ଅଧିକାଂଶ ଶାନ୍ତିଆନ୍ଦୋଳନ ସହିତ ସଂପୃକ୍ତ-। ଗାଂଧୀଜୀଙ୍କ ପ୍ରତି ଶ୍ରଦ୍ଧାବାନ୍ ଓ ବିନୋବାଙ୍କ ନାମ ଶୁଣିଛନ୍ତି । ପ୍ରଥମେ ଫିଲ୍ମ ଦୁଇଟି ଦେଖାହେବାରୁ ଗାଂଧୀଜୀଙ୍କର ବିଚାରଧାରା ଓ ସର୍ବୋଦୟ ଆନ୍ଦୋଳନ ବିଷୟରେ ପରେ କହିବା ସହଜ ହୋଇଥିଲା । ଏ ସଭାରେ ବକ୍ତୃତା ଜର୍ମାନ୍ ଭାଷାରେ ଅନୁବାଦ କରିବାକୁ ହେଲା । କୁର୍ଟ ଏହା ବେଶ୍ ଦକ୍ଷତାର ସହିତ କରିଥିଲେ । ବକ୍ତୃତା ପରେ ଅନେକ ସମୟ ଧରି ପ୍ରଶ୍ନୋତ୍ତର ଚାଲିଥିଲା । କେତେକ ପ୍ରଶ୍ନ ସର୍ବୋଦୟ ଆନ୍ଦୋଳନ ବିଷୟରେ ଅଧିକ ସ୍ପଷ୍ଟ ଧାରଣା ହାସଲ କରିବା ଉଦ୍ଦେଶ୍ୟରେ କରାଯାଇଥିଲା ଓ ଅନ୍ୟ କେତେକ ପ୍ରଶ୍ନ ଭାରତ ବିଷୟରେ ସାଧାରଣ ତଥ୍ୟ ଜାଣିବା ଉଦ୍ଦେଶ୍ୟରେ ।

 

ଗୋଟାଏ ପ୍ରଶ୍ନ ବେଶ୍‍ କେତେ ଜାଗାରେ ପଚରା ଯାଇଥିଲା ଯେ ଭାରତରେ ଏତେ ସାଂପ୍ରଦାୟିକ ଓ ଅନ୍ୟ ଧରଣର ହିଂସାକାଣ୍ତ ଘଟୁଛି ବୋଲି ଖବର ବାହାରୁଛି । ଏଥିରୁ ମନେ ହେଉଛି ଯେ ସେଠା ଲୋକେ ଗାଂଧୀଜୀଙ୍କ କଥା ଭୁଲିଗଲେଣି । ଗାନ୍ଧୀଜୀ ଯାହା କିଛି କଲେ ସେ ସବୁ କଣ ତେବେ ବ୍ୟର୍ଥ ହେଇଗଲା ? ଦ୍ଵିତୀୟତଃ, ଯେଉଁଠି ଏତେ ସଂଘର୍ଷ ସେ ଦେଶ ଶେଷ ପ୍ରର୍ଯ୍ୟନ୍ତ ଏକ ହେଇ ରହିପାରିବ ତ ?

 

ଏ ପ୍ରଶ୍ନ ଯେ କେବଳ ୟୁରୋପର ଲୋକେ ପଚାରିଲେ ତାହା ନୁହେଁ, ଏଠି ମଧ୍ୟ ଆମ ନିଜ ମନରେ ଏ ପ୍ରଶ୍ନ ଓ ସନ୍ଦେହ ଉଠିଥାଏ । ତେବେ ସେଠି ପହଞ୍ଚି ଦୂରରୁ ଏକ ବ୍ୟାପକ ପରିପ୍ରେକ୍ଷିରେ ନିଜର ଦେଶକୁ ଦେଖିବାର ସୁଯୋଗ ମିଳିଲା ।

 

ପ୍ରଥମତଃ ଭାରତର ଆକାର ଓ ତା’ର ଦେଶବାସୀଙ୍କର ସ୍ଵରୂପ । ପୂର୍ବରୁ ଭୂଗୋଳ ଇତିହାସ ତ ପଢ଼ା ହେଇଥିଲା ଓ ସେଥିରୁ କିଛି କିଛି ଅବଶ୍ୟ ବି ଥିଲା । ମାତ୍ର ଏ ଜେଟ୍ ଯୁଗରେ ୟୁରୋପରେ ପହଞ୍ଚିଲାରୁ ଯାଇ ୟୁରୋପଟା ଯେ କେତେ ଛୋଟ ଜାଗା ଓ ମୋଟ ଉପରେ ପୃଥିବୀଟା ମଧ୍ୟ ଏହା ଭିତରେ କେତେ ସାନ ହେଇଗଲାଣି ତାହାର ଦର୍ଶନ ଚମକପ୍ରଦ ଭାବରେ ମିଳିଲା । ଗୋଟିଏ ରାଜଧାନୀରୁ ଆଉ ଗୋଟାକୁ ଉଡ଼ିଯିବା ଚାଳିଶ, ପଚାଶ ବା ଅତି ବଡ଼ରେ ସତୁରି ପଚସ୍ତରି ମିନିଟ୍‍ର ମାମଲା । ରୋମ୍‍ରୁ ଭିଏନା ପଚସ୍ତରି ମିନିଟ୍ । ଲଣ୍ତନରୁ ପ୍ୟାରିସ୍‌ ଚାଳିଶ ମିନଟ୍ । ଷ୍ଟକହଲ୍‌ମରୁ ଓସଲୋ ପଚାଶ ମିନିଟ୍ । ଏହିଭଳି ସବୁ ।

 

ମାନଚିତ୍ର ଉପରେ କିଛି ଦେଖିଲେ ଜଣାଯିବ ଯେ ସ୍ଵୀଡ଼ନ୍‌ର ଉତ୍ତରତମ ଅଂଶରୁ ରୋମ୍ ଯେତିକି ଦୂର କାଶ୍ମୀରର ଲଦାଖରୁ ତାମିଲନାଡ଼ୁର କନ୍ୟାକୁମାରୀ ସେତିକି ଦୂର । ଲିସବନ୍‌ରୁ ଓ୍ୟାର୍‌ସ ଯେତିକି ଦ୍ଵାରାକାରୁ ଦିବ୍ରୁଗଡ଼ ସେତିକି । ଏଇ ଏତେ ବଡ଼ ଭାରତ ଦେଶ ଭିତରେ ରହିଛି ତେର ଚଉଦଟି ସୁବିକଶିତ ସମୃଦ୍ଧ ଭାଷା ସାଙ୍ଗକୁ ଆହୁରି କେତେ ଉପଭାଷା ଓ ଆଞ୍ଚଳିକ ଭାଷା । କଳା, ଧଳା, ହଳଦିଆ, ଲାଲ, ମାଟିଆ ଆଦି ପୃଥିବୀରେ ଯେତେ କିସମର ଯେତେ ଜାତିର ଲୋକ ଅଛନ୍ତି ସେସବୁ ଭାରତରେ ଦେଖିବାକୁ ମିଳିବେ ଏବଂ ପୃଥିବୀର ସମସ୍ତ ବଡ଼ ବଡ଼ ଧର୍ମର ଅନୁଯାୟୀ ମଧ୍ୟ । ଏଭଳି ଅବସ୍ଥାରେ ଇଂରେଜୀ ଶାସନର ଅବସାନ ଘଟିବା ବେଳକୁ ଯଦି ଭାରତ ମାତ୍ର ଦୁଇଖଣ୍ତରେ ବିଭକ୍ତ ନ ହେଇ ପନ୍ଦର ସତର ଖଣ୍ତରେ—ସେତୋଟି ସ୍ଵାଧୀନ ଦେଶର—ବିଭକ୍ତ ହେଇଥାନ୍ତା ତେବେ ୟୁରୋପର ମାପକାଠି ଅନୁସାରେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥାନ୍ତା-

 

ମାତ୍ର ଏଇଟା ରବୀନ୍ଦ୍ରନାଥ, ଗାନ୍ଧୀଜୀ ଓ ଅନ୍ୟ ମହାପୁରୁଷମାନଙ୍କର ବିଚାର ଓ କର୍ମର ପରିଣାମ ଯେ ପାକିସ୍ତାନ ଛଡ଼ା ଅବଶିଷ୍ଟ ଭାରତ ଏକ ହେଇ ରହିଲା । ଏହାର ତାତ୍ପର୍ଯ୍ୟ ବୁଝାଇବା ପାଇଁ ମୁଁ କଥାଟା ଏହିପରି ରଖୁଥିଲି :

 

ମୁଁ କହୁଥିଲି ଯେ, ଧରନ୍ତୁ ୟୁରୋପ—ରୁସ୍ ଛଡ଼ା—ଗୋଟାଏ ଦେଶ ହେଇ ରହିଥାନ୍ତା ଓ ଯେଉଁ ଦୁଇ ଦୁଇଟା ମହାଯୁଦ୍ଧ ଫଳରେ କୋଟି କୋଟି ଲୋକଙ୍କର ପ୍ରାଣନାଶ ଘଟିଲା, ସହସ୍ର କୋଟି ଟଙ୍କାର ସମ୍ପତ୍ତି ବରବାଦ ହେଲା ଓ ସାରା ପୃଥିବୀର ଲୋକ ଦହଗଞ୍ଜ ହେଲେ ତାହା ପରିବର୍ତ୍ତେ କେତେବେଳେ କେମିତି କେତେକ ଇଂରେଜ ଓ ଜର୍ମାନଙ୍କ ମଧ୍ୟରେ ବା ଫରାସୀ ଓ ଇତାଲିୟାନ୍‌ଙ୍କ ମଧ୍ୟରେ ଦଙ୍ଗାହାଙ୍ଗାମା ଘଟି ପାଞ୍ଚ ପଚିଶଜଣ ଲୋକ ମୃତାହତ ହେଉଥାନ୍ତେ । ଅବଶ୍ୟ କୌଣସି ଅବସ୍ଥାରେ କୌଣସି ସମାଜରେ ଜଣେ ବି ଲୋକ ଦୁଃଖ ପାଇବା ବାଞ୍ଚ୍ଥନୀୟ ନୁହେଁ ଓ ସମସ୍ତଙ୍କ ପକ୍ଷରେ ଜଣକର ଦୁଃଖ, ଜଣକ ପ୍ରତି ଅନ୍ୟାୟ ବି ଚିନ୍ତାର ବିଷୟ ହେବା ସଭ୍ୟତାର ଲକ୍ଷଣ । ମାତ୍ର ଉପରୋକ୍ତ କାଳ୍ପନିକ ପରିସ୍ଥିତି ୟୁରୋପର ବାସ୍ତବ ପରିସ୍ଥିତି ଏ ଦୁଇଟି ମଧ୍ୟରୁ କେଉଁଟିକୁ ଆପଣ କମ୍ ଅବାଞ୍ଚ୍ଥନୀୟ ବୋଲି ମନେ କରନ୍ତେ ?

 

ଦ୍ଵିତୀୟ କଥା ହେଲା ଯେ ଗାନ୍ଧୀଜୀ ଯେଉଁ ଅହିଂସାର ପ୍ରଚାର କରିଥିଲେ ତାହା ପରମ୍ପରାରୁ ଚଳି ଆସୁଥିବା ଅହିଂସାରୁ ଏକାବେଳକେ ଭିନ୍ନ । ଉପରଚାହାଁ ଭାବରେ ଦେଖିବାକୁ ଗଲେ ଗାନ୍ଧୀଙ୍କ ପୂର୍ବରୁ ଭାରତରେ ଅଧିକ ଶାନ୍ତି ଥିଲା । ମାତ୍ର ଏ ଶାନ୍ତିକୁ ଗାନ୍ଧୀଜୀ ଶ୍ମଶାନର ଶାନ୍ତି ଆଖ୍ୟା ଦେଇଥିଲେ । କାରଣ ଏହାର ଗହୀରରେ ଅସଂଖ୍ୟ ଅକଥ୍ୟ ଅନ୍ୟାୟ, ଅତ୍ୟାଚାର, ଦମନ ଓ ଶୋଷଣ ଲୁଚି ରହିଥିଲା । କୋଟି କୋଟି ଲୋକ ଭୋକ ଉପାସରେ ସଢ଼ୁଥିଲେ ଓ ଅନାହାରରେ ମରୁଥିଲେ ମଧ୍ୟ ସେମାନଙ୍କର ଟିକେ ହେଲେ ପାଟି ଫିଟାଇବାର ସାହସ ନ ଥିଲା । ଗାନ୍ଧୀଜୀ ଏହି ଦଳିତ ଲାଂଛିତ ଜନତାକୁ ଜାଗିଉଠିବା ପାଇଁ, ଅଣ୍ଟା ସଳଖ କରି ଛିଡ଼ା ହେବାପାଇଁ ଆହ୍ଵାନ ଦେଇଥିଲେ । ସେ ଜାଣୁଥିଲେ ଯେ ଲୋକେ ଜାଗିଉଠିଲେ ସେମାନଙ୍କର ଅସନ୍ତୋଷ ରୁଦ୍ର ରୂପ ଧରିପାରେ । କିନ୍ତୁ ସେ ଏହାକୁ ଭୟ କରୁ ନ ଥିଲେ । ସେ ଲୋକଙ୍କୁ ଅହିଂସାର ବାଟ ଦେଖାଉଥିଲେ ମାତ୍ର କାଳେ ଅଶାନ୍ତି ବା ହିଂସା ଘଟିଯିବ ଏହି ଭୟରେ ଜନତାର ଜାଗରଣକୁ ଚାପିଦେବାକୁ ଚାହୁଁ ନ ଥିଲେ । ଗାନ୍ଧୀଜୀ ଭାରତରେ ବ୍ୟାପକ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେ ବଞ୍ଚିଥିବାବେଳେ ଆକ୍ଷେପ ହେଉଥିଲା । ବାସ୍ତବରେ ଗାନ୍ଧୀଜୀଙ୍କ ଯୋଗୁଁ ଭାରତରେ ଯେଉଁଭଳି ବ୍ୟାପକ ଆକାରରେ ବିକ୍ଷୋଭ ଓ ଅଶାନ୍ତି ସୃଷ୍ଟି ହେଉଥିଲା ତା’ର ତୁଳନା କେବଳ ପୃଥିବୀର ବିଶାଳ ରାଷ୍ଟ୍ରବିପ୍ଳବ ଗୁଡ଼ିକ ସହିତ ହିଁ ହେଇପାରେ ।

 

ଗାଂନ୍ଧୀଜୀ ଭାରତର ଜନତା ଭିତରେ ଯେଉଁ ଜାଗରଣର ପ୍ରକ୍ରିୟା ଆରମ୍ଭ କରିଥିଲେ ତାହା ଆଗେଇ ଚାଲିଛି । ଜନତା ନିଜର ସମସ୍ୟା ଓ ଅଧିକାର ବିଷୟରେ, ତାହାକୁ ଘେରି ରହିଥିବା ନାନାବିଧ ଅନ୍ୟାୟ ଓ ଅନୀତି ବିଷୟ, କ୍ରମେ ଅଧିକ ଜାଗ୍ରତ ହେଉଛି ।

 

ଦରଦାମ ବୃଦ୍ଧି, ଭୂମି ସମସ୍ୟା, ଶ୍ରମିକମାନଙ୍କର ଦାବୀ ଆଦି ଘେନି ଘଟୁଥିବା ବିକ୍ଷୋଭ ଓ ସେଥିରୁ ବେଳେ ବେଳେ ଉପୁଜୁଥିବା ହିଂସା ଏହି ଜାଗରଣର ପରିମାଣ । ତେବେ ଅଶାନ୍ତି ଯେ ଘଟୁଛି ଏହା ଆଶ୍ଚର୍ଯ୍ୟର କଥା ନୁହେଁ, ଆଶ୍ଚର୍ଯ୍ୟର କଥା ହେଲା ଯେ ଯେତେ ଅନ୍ୟାୟ, ଶୋଷଣ ଓ ଦୁଃଖ ରହିଛି ତାହା ତୁଳନାରେ ଅଶାନ୍ତି ଓ ହିଂସା ବହୁତ କମ ଘଟୁଛି । ଏହା ଗାଂନ୍ଧୀଜୀଙ୍କର ପ୍ରଭାବର ପରିମାଣ ଯେ କେବଳ ନକ୍ସଲବାଦୀଙ୍କ ଛଡ଼ା ବାକୀ ସମସ୍ତ ବାମପନ୍ଥୀ ରାଜନୀତିକ ଦଳମାନେ ମୋଟ ଉପରେ ଶାନ୍ତିପୂର୍ଣ୍ଣ ଭାବରେ ହିଁ କାମ କରୁଛନ୍ତି ଏବଂ ସାମାଜର ଏହିସବୁ ଅନ୍ୟାୟ, ଶୋଷଣ, ବିଷମତା ଆଦି ବିରୋଧରେ ଅହିଂସା ପନ୍ଥାରେ ଯୁଝିବାର ଉଦ୍ୟମ ସର୍ବୋଦୟ ଆନ୍ଦୋଳନ କରୁଛି ଓ ତାହାକୁ ଯେଉଁ ପରିମାଣରେ ସଫଳତା ମିଳିଛି ତାହା ମଧ୍ୟ ଭୁଲିବା ଉଚିତ ନୁହେଁ ।

 

ଏହିଭଳି ପରିପ୍ରେକ୍ଷିତରେ କଥାଟାକୁ ରଖିଲେ ଶ୍ରୋତାମାନଙ୍କ ପକ୍ଷରେ ବୁଝିବା ସହଜ ହେଉଥିଲା ଓ ଭାରତର ପରସ୍ଥିତିର କଳନା ମଧ୍ୟ କରିବାରେ ସେମାନଙ୍କୁ ସାହାଯ୍ୟ ମିଳୁଥିଲା ।

 

ଜ୍ଵେକର୍ ଏକ ପ୍ରାଚୀନ ଖ୍ରୀଷ୍ଟୀୟ ସଂପ୍ରଦାୟ । ସାତ-ଶହ ବର୍ଷ ତଳେ ଜର୍ଜ ଫକ୍‌ସ୍ ଇଂଲଣ୍ତରେ ଏହାର ସ୍ଥାପନା କରିଥିଲେ । ଏମାନେ ପ୍ରୋଟେସ୍‌ଟାଣ୍ଟ । ଯୀଶୁଙ୍କର ବାଣୀର ସାରମର୍ମ ପ୍ରେମ ଓ ଅହିଂସା ବୋଲି ଏମାନେ ବିଶ୍ଵାସ କରନ୍ତି । ବ୍ୟକ୍ତିଗତ ଓ ସାମାଜିକ ଜୀବନରୁ ହିଂସା ଲୋପ କରିବାର ଉଦ୍ୟମ ଏମାନେ ଯୁଦ୍ଧ-ବିରୋଧୀ ମଧ୍ୟ । ସାମାଜିକ ଅହିଂସାର କ୍ଷେତ୍ରରେ ଜ୍ଵେକର୍ ସଂପ୍ରଦାୟ ଲୋକଙ୍କର ବହୁତ ମହତ୍ତ୍ଵପୂର୍ଣ୍ଣ ସାଫଲ୍ୟ ରହିଛି । ଏହାର ଗୋଟିଏ ଉଦହରଣ ହେଲା ଆମେରିକାରେ ଉପନିବେଶ ସ୍ଥାପନ ବେଳେ ଏମାନଙ୍କର ଆଚରଣ । କେତେକ କ୍ଵେକର୍ ଉଇଲିୟମ୍‌ପେନ୍‌ଙ୍କ ନେତୃତ୍ଵରେ ଆମେରିକା ଯୁକ୍ତରାଷ୍ଟ୍ରର ଗୋଟିଏ ଅଞ୍ଚଳରେ ଯାଇ ବସବାସ କଲେ ଯାହା ପରେ ପେନ୍‌ଙ୍କ ନାମାନୁସାରେ ପେନ୍‌ସିନ୍‌ଭାନିଆ ରାଜ୍ୟ ନାମରେ ପରିଚିତ ହେଲା । ଆମେରିକାର ଅନ୍ୟ ସର୍ବତ୍ର ଗୋରାମାନେ ସ୍ଥାନୀୟ ଆଦିବାସୀମାନଙ୍କୁ ସବୁମନ୍ତେ ଠକିବା, ଶୋଷଣ କରିବା, ଦମନ କରିବା ଓ ଶେଷକୁ ମାରି କାଟି ନିର୍ମୂଳ କରିବା ଉଦ୍ୟମ କରୁଥିବା ବେଳେ ପେନ୍‌ସିଲଭାନିଆରେ କ୍ଵେକର୍‍ମାନେ ସେମାନଙ୍କ ସହିତ ନ୍ୟାୟ ଓ ସମ୍ମାନଯୁକ୍ତ ବ୍ୟବହାର କରୁଥିଲେ । ଯାହା ଫଳରେ ସେ ଅଞ୍ଚଳରେ ଉଭୟ ଗୋଷ୍ଠୀ ଭିତରେ ପୂର୍ଣ୍ଣ ସଦ୍ଭାବ ରହିଥିଲା ଓ ଅନ୍ୟ ସର୍ବତ୍ର ସର୍ବଦା ଯୁଦ୍ଧ ବିଗ୍ରହ ଲାଗି ରହିଥିବା ବେଳେ ଏ ଅଞ୍ଚଲରେ ଏକରକମ ପୂର୍ଣ୍ଣ ଶାନ୍ତି ରହିଥିଲା ।

 

ଏବେ ୟୁରୋପର ପ୍ରାୟ ସମସ୍ତ ଦେଶରେ ଉତ୍ତର ଆମେରିକାରେ ଏ ସଂପ୍ରଦାୟର ଲୋକ ରହିଛନ୍ତି । ଏମାନେ ବିଶ୍ଵଶାନ୍ତି ଆନ୍ଦୋଳନରେ ଅଗ୍ରଣୀ ଓ ବିଭିନ୍ନ ସେବା ଅନୁଷ୍ଠାନ ମାଧ୍ୟମରେ ପୃଥିବୀର ବହୁ ଦେଶରେ ସମାଜ ସେବା କରିଥାନ୍ତି । ସର୍ବଶ୍ରୀ ଡୋନାଲ୍‌ଡ଼ ଗ୍ରୁମ, ମାର୍ଜୋରୀ ସାଇକ୍ସ ପ୍ରଭୃତି ବହୁ କ୍ଵେକର୍ ବିନ୍ଧୁ ବିଲାତରୁ ଏ ଦେଶକୁ ଆସି ଗାଂଧୀଜୀଙ୍କର ରଚନାତ୍ମକ କାମରେ ସାହାଯ୍ୟ କରୁଥିଲେ ଓ ଏବେ ବି କରୁଛନ୍ତି । ସମ୍ଵଲପୁର ଜିଲାର ବରପାଲୀଠାରେ ଆମେରିକାନ୍ କ୍ଵେକର୍ ବନ୍ଧୁମାନେ ୧୯୫୦ ରୁ ୧୯୬୦ ଯାଏ ଦଶ ବର୍ଷ କାଳ ଏକ ସେବାକେନ୍ଦ୍ର ଚଳାଇଥିଲେ ।

 

ଏମାନଙ୍କର ନାମକରଣର ରହସ୍ୟ ହେଉଛି ଯେ ପ୍ରାର୍ଥନା କରିବାବେଳେ ଏମାନେ ଭାବାବେଗର ଆତିଶଯ୍ୟରେ ଥରୁଥିଲେ ବା କମ୍ପୁଥିଲେ । ଏହି କମ୍ପିବାର ଇଂରେଜୀ ପ୍ରତିଶବ୍ଦ ‘କ୍ଵେକ୍’ରୁ ଏମାନଙ୍କୁ ଲୋକେ କ୍ଵେକର୍ ବୋଲି କହିବାକୁ ଲାଗିଲେ । ଆମର ଭକ୍ତିଶାସ୍ତ୍ରରେ ବି ତ ପୁଲକ, ସ୍ତମ୍ଭ ଆଦି ଭକ୍ତିର ଆଠ ପ୍ରକାର ଲକ୍ଷଣ ଭିତରେ କମ୍ପ ବି ରହିଛି ।

 

ଭିଏନାରେ ଏହି କ୍ଵେକର୍‌ମାନଙ୍କ କେନ୍ଦ୍ରରେ ସେମାନଙ୍କ ପକ୍ଷରୁ ଏକ ସଭାର ଆୟୋଜନ ହେଇଥିଲା । ଏଠି ସମସ୍ତେ ଇଂରେଜୀ ଜାଣିବା ଲୋକ ଥିବାରୁ ଅନୁବାଦ ଲୋଡ଼ା ହେଲା ନାହିଁ । ଏଠି ଅନ୍ୟାନ୍ୟମାନଙ୍କ ଭିତରେ ଡ: ସ୍ଵାର୍ଟସ୍ ନାମକ ଭଦ୍ରଲୋକଙ୍କ ସହିତ ପରିଚୟ ହେଲା । ଏ ମହାଶୟ ଗୋଟିଏ ପୁସ୍ତକ ପ୍ରକାଶନ ସଂସ୍ଥାର ମୁଖ୍ୟ । ଏ ଦେଶରେ ଗାଂଧୀ ସାହିତ୍ୟ ପ୍ରକାଶ କରିବା ଦିଗରେ ଏହି ସଂସ୍ଥା ଅଗ୍ରଣୀ । ସେହି ସମୟରେ ଭୂଦାନ ଆନ୍ଦୋଳନ ଉପରେ ହ୍ୟାଲମ୍ ଟେନିସନଙ୍କ ଲିଖିତ ‘ସେଣ୍ଟ୍ ଅନ୍ ମାର୍ଚ୍ଚ’ ବହିର ଜର୍ମାନ ଅନୁବାଦର ପ୍ରକାଶନରେ ଏ ମହାଶୟ ବ୍ୟସ୍ତ ଥା’ନ୍ତି ।

 

ଭିଏନାର ଏକ ବିଶେଷତ୍ଵ ହେଲା ତାକୁ ଲାଗି ରହିଥିବା ବିରାଟ ବଣ । ଏହାର ଆୟତନ ଛଅ ସାତ ବର୍ଗ ମାଇଲ ବା ତହିଁରୁ ଅଧିକ ହେବ । ବଣରେ ବିରାଟ ବିରାଟ ଓକ ଚେଷ୍ଟନଟ୍, ପପ୍‌ଲାର, ପାଇନ ପ୍ରଭୃତି ଗଛ ଖରାଦିନର ପତ୍ର ସଂଭାରରେ ଭରପୂର ହୋଇ ମନୋହର ଶୋଭା ସୃଷ୍ଟି କରୁଥାଏ । ବଣ, କିନ୍ତୁ କଣ୍ଟାଝଟା ଅରମା ନାହିଁ । ଗଛ ତଳ ମୋଟାମୋଟି ପରିଷ୍କାର । ଘାସର ବହଳିଆ ଗାଲିଚା । ଏ ବଣରେ ଜନ୍ତୁ ଭିତରେ ଠେକୁଆ ଓ କୋକିଶିଆଳୀ ତଥା ନାନା ଜାତିର ଅଜସ୍ର ଚଢ଼େଇ ।

 

ବଣ ଭିତରେ ଚାରିଆଡ଼କୁ ଯିବା ଆସିବା ପାଇଁ ବହୁତ ରାସ୍ତା ତିଆରୀ କରାହେଇଛି । ଠାଏ ଠାଏ ହୋଟେଲ ରେସ୍ତୋରାଁ ମଧ୍ୟ ରହିଛି । ଛୁଟି ଉପଭୋଗକାରୀଙ୍କ ପାଇଁ ଅଜସ୍ର ସୁବିଧା । ବଣ ଭିତରେ ଗୋଟାଏ ପାହାଡ଼ ମୁଣ୍ତିଆ ଅଛି । ତାହା ଉପରେ ଏକ ହୋଟେଲ । ଦିନେ ରାତିରେ କୁର୍ଟ ଓ ତାଙ୍କ ସ୍ତ୍ରୀ ମତେ ବଣ ଭିତରକୁ ବୁଲେଇ ନେଇଗଲେ ଓ ସେ ମୁଣ୍ତିଆ ଉପରୁ ଭିଏନା ସହରର ଆଲୋକମାଳା ଦେଖାଇଲେ । ଏ ବଣ ଏତେ ପ୍ରସିଦ୍ଧ ଯେ ଏହା ଅନୁସାରେ ଗୋଟାଏ ହୋଟେଲ କମ୍ପାନୀ ନିଜର ନାମକରଣ କରିଛି ଓ ଏ “ଭିନର୍‌ଭାଲ୍ଟ” ହୋଟେଲ ବର୍ଲୀନ, ଲଣ୍ତନ, ପ୍ୟାରିସ୍‌ ପ୍ରଭୃତି ପ୍ରାୟ ସର୍ବତ୍ର ଆଖିରେ ପଡ଼ିଲା ।

 

କେବଳ ଭିଏନା ନୁହେଁ ୟୁରୋପର ପ୍ରାୟ ସର୍ବତ୍ର ପ୍ରଚୁର-ସଂପଦ ରହିଛି । ମାତ୍ର ଜର୍ମାନୀରେ ହିଁ ଏହା ସବୁଠାରୁ ଅଧିକ ବୋଲି ବନ୍ଧୁମାନେ କହିଲେ । ଏମାନେ ଦେଇଥିବା ହିସାବ ଅନୁସାରେ ପଶ୍ଚିମ ଜର୍ମାନୀର ତିନିପା’ ଭୂମିରେ ବଣ ରହିଛି । ଉଡ଼ାଜାହାଜରୁ ଯାହା ଦେଖିଲି ସେଥିରେ ଏ ହିସାବ ଭୁଲ ବୋଲି ମନେ ହେଲା ନାହିଁ । ଆଉ ଏକ ବିଶେଷତ୍ଵ ହେଲା ଯେ ଏସବୁ ବଣ ବଡ଼ ବଡ଼ ସହରୁ ଲାଗିକରି ରହିଛି । ବର୍ଲୀନ, ଫ୍ରାଙ୍କଫର୍ଟ, ଷ୍ଟାକହଲ୍‌ମ, ଓସଲୋ ସର୍ବତ୍ର ସହରର ଜନବସତି ସରିବା ମାତ୍ରେ ବଣ ଆରମ୍ଭ । ୟୁରୋପର ଯାନ୍ତ୍ରିକ ଓ ନଗରାଶ୍ରୟୀ ସଭ୍ୟତା ବିଷୟରେ ଏତେ କଥା ପୂର୍ବରୁ ଶୁଣା ହେଇଥିଲା ଯେ ସେଠି ପ୍ରାକୃତିକ ପରିବେଶର ଏଭଳି ପ୍ରାଚୁର୍ଯ୍ୟ ଥିବ ବୋଲି କଳ୍ପନା ନଥିଲା । ତେବେ ଏ କଥା ଠିକ୍ ଯେ ଏଠି ମଣିଷର ପ୍ରାକୃତିକ ପରିବେଶକୁ ଯାତ୍ରୀକ ସଭ୍ୟତା ଲୁପ୍ତ ଓ କଳୁଷିତ କରି ଚାଲିଛି ଓ ଏବେ ଏଠି ତାହା ଗୁରୁତର ଚିନ୍ତାର ବିଷୟ ହୋଇ ପଡ଼ିଛି । ଏ ବିଷୟରେ ଅଧିକ କଥା ପରେ ।

 

ଭିଏନାରେ ଅନେକଗୁଡ଼ିଏ କଳା ସଂଗ୍ରହାଳୟ ରହିଛି । ସେଥିଭିତରୁ ରାଷ୍ଟ୍ରୀୟ କଳା ଇତିହାସ ସଂଗ୍ରହାଳୟ ଓ ଶୋଏନବ୍ରୁନ୍ ପ୍ରାସାଦ, ଏହି ଦୁଇଟି ଦେଖିବାକୁ ସମୟ ମିଳିଲା । ପ୍ରଥମଟିରେ ୟୁରୋପର ପ୍ରସିଦ୍ଧ ଚିତ୍ରକର ଓ ଭାସ୍କରମାନଙ୍କର କୃତି ରହିଛି । ଏ ସବୁ ଭଲଭାବରେ ଦେଖି ଉପଭୋଗ କରିବାକୁ ପ୍ରଚୁର ଅବସର ଲୋଡ଼ା । ଦୁଇ ଘଣ୍ଟାରେ ଠିକେ ଠିକେ ଦେଖିନେଇ ଗୋଟାଏ ମୋଟାମୋଟି ଧାରଣା କରିବା ଛଡ଼ା ଆଉ ଅଧିକ କିଛି ସମ୍ଭବ ନ ଥିଲା ।

 

ଶୋଏନ୍‍ବୁନ୍‍ ପ୍ରାସାଦ ସମ୍ରାଟ ଫ୍ରାନ୍‌ଜ୍ ଜୋସେଫ୍, ସାମ୍ରାଜ୍ଞୀ ମାରିଆ ଟେରେସା ଆଦିଙ୍କର ବାସ ଭବନ ଥିଲା । ବିରାଟ ଭବନ, ତତୋଽଧିକ ବିରାଟ ଉଦ୍ୟାନ । ଏ ରାଜଭବନ ଏବେ ଏକ ଐତିହାସିକ ସଂଗ୍ରହାଳୟରେ ପରିଣତ ହୋଇଛି । ସାମ୍ରାଜ୍ୟ ଯୁଗରେ ଘରଗୁଡ଼ିକର ସାଜସଜ୍ଜା ଯେପରି ଥିଲା ସେହିପରି ରଖା ହେଇଛି । ଆମର ଗଡ଼ଜାତ ରାଜାମାନଙ୍କର କୋଠାରେ ଯେଉଁ ପ୍ରକାରର ସୁନା-ରୂପାର ପାତ ଛାଆ ହୋଇଥିବା ପୁରୁଣାକାଳିଆ କାରୁକାର୍ଯ୍ୟପୂର୍ଣ୍ଣ ଆରାମହୀନ ଆସବାବ ଦେଖିବାକୁ ମିଳୁଥିଲା ସେହିଭଳି ଆସବାବରେ ଘର ଗୁଡ଼ିକ ପୂର୍ଣ୍ଣ । ପ୍ରଚୁର ସାନବଡ଼ ଚିତ୍ର ରହିଛି । ସେଥିରୁ ଅଧିକାଂଶ ସମ୍ରାଟବଂଶର ଲୋକଙ୍କର ଓ ବିଭିନ୍ନ ଯୁଦ୍ଧ ଆଦି ଘଟନାର । ଏ ସବୁ ମଧ୍ୟ ଉଚ୍ଚଦରର ଶିଳ୍ପୀଙ୍କର କୃତି ବୋଲି ମନେ ହେଲା ନାହିଁ । ମଝିରେ ମଝିରେ ଖ୍ୟାତନାମା ଶିଳ୍ପୀଙ୍କର ଉଚ୍ଚଦରର କୃତି ପାଞ୍ଚ ଦଶଟି ଦେଖିବାକୁ ମିଳିଲା । ଚୀନ, ଜାପାନ ଓ ଭାରତୀୟ ରାଜପୁତ, କାଙ୍ଗଡ଼ା ପ୍ରଭୃତି ପ୍ରାଚୀନ ଶୈଳୀର କେତେକ ଉତ୍ତମ ଚିତ୍ର ମଧ୍ୟ ବିଭିନ୍ନ ବଖରାରେ ରହିଥିବାର ଦେଖିଲି ।

Image

 

ଚାରି

ପଶ୍ଚିମ ଜର୍ମାନୀରେ ଗାନ୍ଧୀ ଆଶ୍ରମ

 

ଭିଏନାରେ ଚାରି ଦିନ ରହଣୀ ପରେ ଫ୍ରାଙ୍କଫର୍ଟ, ପଶ୍ଚିମ ଜର୍ମାନୀ । ସକାଳ ସାଢ଼େ ସାତଟାରେ ପ୍ଳେନ୍ । ସେଠାକାର କାରବାର ଅନୁସାରେ ବଡ଼ିଭୋର । ଯଦିଓ ଖରା ସେତେବେଳେକୁ ଦି’ଘଡ଼ି ହେଲା ଉଠିଲାଣି । ସାତଟା ସାଢ଼େ ସାତଟାରେ ତ ଏଠି ଲୋକେ ଉଠିବା ଆରମ୍ଭ କରନ୍ତି । ଯାହା ହେଉ ଶ୍ରୀମତି ସ୍ମୀଟ୍ ଭୋରରୁ ଉଠି ମତେ ଗରମ କୋକୋ ପିଆଇ ଗାଡ଼ିରେ ନେଇ ଉଡ଼ାଜାହାଜ ଘାଟିରେ ଛାଡ଼ିଦେଇ ଆସିଲେ । ସହରରୁ ବିମାନଘାଟିକୁ ଆସିବା ବାଟରେ ଶ୍ରୀମତୀ ସ୍ମିଟ୍‌ଙ୍କ ସହିତ ଖୁବ୍ ଘରୋଇ ଗପ ହେଲା । ସେତିକିବେଳେ ତାଙ୍କଠାରୁ ଜାଣିଲି ଯେ ତାଙ୍କର ଜନ୍ମ ସ୍ଵୀଡ଼େନ୍ ଦେଶରେ । କୌଣସି ଏକ ଶାନ୍ତି ସମ୍ମିଳନୀରେ ତାଙ୍କର ସ୍ମିଟ୍‌ଙ୍କ ସହିତ ପରିଚୟ ହୁଏ ଓ ଏ ପରିଚୟ ପରିଣତ ହୁଏ ପ୍ରଗାଢ଼ ପ୍ରଣୟରେ । ଏ ସ୍ନେହଶୀଳା ସୁଗୃହିଣୀଙ୍କଠାରୁ ବିଦାୟ ନେବାବେଳେ ମନଟା ବିଷର୍ଣ୍ଣ ହେଇଗଲା ।

 

ଭିଏନାରୁ ଫ୍ରାଙ୍କଫର୍ଟ ଜେଟ୍ ବିମାନରେ ପଞ୍ଚାବନ ମିନିଟ୍‍ର ବାଟ । ବହୁତ ଦୂର ପର୍ଯ୍ୟନ୍ତ ମେଘ ଓ କୁହୁଡ଼ି ବସୁନ୍ଧରାର ବକ୍ଷକୁ ଆଚ୍ଛାଦିତ କରି ରଖିଥିଲା । ଯେତେବେଳେ ବାଦଲର ଆବରଣ ଶେଷ ହେଇଗଲା ତଳେ ଦେଖାଗଲା ପଶ୍ଚିମ ଜର୍ମାନୀର ଭୂମି । ଛୋଟ ବଡ଼ ଗାଁ, କୃଷିକ୍ଷେତ୍ର ଓ ବଣ । ଏଇ ବଣର ପ୍ରାଚୁର୍ଯ୍ୟ ମତେ ବିସ୍ମୟମିଶ୍ରିତ ଆନନ୍ଦ ଦେଇଥିଲା ।

 

ଫ୍ରାଙ୍କଫର୍ଟ ଉଡ଼ାଜାହାଜ ଘାଟିରେ ଏୟାର ଇଣ୍ତିଆର ଏୟାରପୋର୍ଟ ମେନେଜର ମତେ ଭେଟି ପାଛୋଟି ନେଲେ ଓ କଷ୍ଟମସ୍, ପାସପୋର୍ଟ ଆଦିର ବେଢ଼ା ପାର କରେଇ ଦେଲେ । ଅବଶ୍ୟ ଏ ବାବଦରେ ୟୁରୋପରେ ସାଧାରଣତଃ କୌଣସି ଝଂଝଟ ନାହିଁ । କଷ୍ଟମ୍‍ସରେ କୌଣସି ଠାରେ ବାକ୍‌ସ-ପେଟରା ଖୋଲି ଦେଖି ନାହାନ୍ତି, କେବଳ ଲଣ୍ତନ ଓ ଏଥେନ୍‌ସ ଛଡ଼ା । ପାସ୍‍ପୋର୍ଟ ଯାଞ୍ଚ୍ କରି ଛାପା ମାରିବାକୁ ମଧ୍ୟ ଅଧ ମିନିଟ୍‍ରୁ ବେଶୀ ଲାଗେ ନାହିଁ । ତେବେ ଏୟାର ଇଣ୍ତିଆ ମେନେଜରଙ୍କ ସାହାଯ୍ୟ ଯୋଗୁଁ ଅପରିଚୟର ଉଦବେଗ ବହୁତ ଊଣା ହେଇଗଲା । ଏୟାର ଇଣ୍ତିଆର କଲିକତା ଅଫିସର ମେନେଜରଙ୍କ ସହୃଦୟତା ଯୋଗୁଁ ଏତକ ସୁବିଧା ହେଇଥିଲା । ସେ ୟୁରୋପର ସବୁ ଏୟାର ଇଣ୍ତିଆ ଅଫିସକୁ ଏକ ବାର୍ତ୍ତା ପଠେଇ ଦେଇଥିଲେ ଓ ଫଳରେ ଯିବାବେଳେ ଯେଉଁଠି ଯେଉଁଠି ଏୟାର ଇଣ୍ତିଆର ଅଫିସ ଥିଲା ସେଠି ସେମାନେ ମତେ ଏଭଳି ସାହାଯ୍ୟ କରିଥିଲେ ।

 

ଫ୍ରାଙ୍କଫର୍ଟରୁ ମୋର ଯିବାର କଥା ବେଲେନ୍‍ହାଉଜନ୍-ଉଏବର୍-ଗ୍ଳାଡ଼େନବାଖ ନାମକ ଏକ ଛୋଟ ଗାଁକୁ । ଏଠୁ ସତୁରି ମାଇଲ ଦୂର, ଯେଉଁଠି ଡ: ରଲଫ ହିଣ୍ତର୍ ଏକ ଆଶ୍ରମ ଭଳି ସଂସ୍ଥା ଆରମ୍ଭ କରିଛନ୍ତି । ସେଠି ଶ୍ରୀମତୀ ଇରେନେ କୟଫର, ରଲ୍‍ଫଙ୍କ ସହକର୍ମୀ ଡେଲମାନ୍‍ ଓ ଆଉ ଜଣେ ଝିଅ ମତେ ନେବାକୁ ବିମାନଘାଟିକୁ ଆସିଥିଲେ । ସେମାନେ ପ୍ରସ୍ତାବ ଦେଲେ ଯେ ବେଲେନ୍‍ହାଉଜନ୍ ଯିବା ପୂର୍ବରୁ ଦୁଇଘଣ୍ଟା ଖଣ୍ତେ ଫ୍ରାଙ୍କଫର୍ଟ ସହର ବୁଲି ଦେଖିନେବା । ଉଡ଼ାଜାହାଜ ଘାଟିରୁ ଫ୍ରାଙ୍କଫର୍ଟ୍ ବାର ମାଇଲ ହେବ । ବିରାଟ ରାଜପଥ-“ଆଉଟୋବାନ୍”, ଏକା ସାଙ୍ଗରେ ଏ ଦିଗକୁ ଆଠଧାଡ଼ି ଓ ସେ ଦିଗକୁ ଆଠଧାଡ଼ି ଗାଡ଼ି ଚାଲିବା ଭଳି ଓସାର ଏବଂ ରାସ୍ତାର ଦୁଇ ପାଖରେ ପୁଣି ସେଇ ଘଞ୍ଚ ଜଙ୍ଗଲ । ସତୁରି ଅଶି ମାଇଲରେ ଗାଡ଼ି ଛୁଟେଇ ଆମେ ଦଶ ପନ୍ଦର ମିନିଟ୍‍ରେ ଫ୍ରାଙ୍କଫର୍ଟ ପହଞ୍ଚିଗଲୁ ଓ ରାସ୍ତାରେ ଗୋଟାଏ ଜାଗାରେ ଗାଡ଼ି ରଖିଦେଇ ଚାଲି ଚାଲି ସହର ଦେଖି ବାହାରିଲୁ ।

 

ଫ୍ରାଙ୍କଫର୍ଟର ପୂରା ନାମ ଫ୍ରାଙ୍କଫୁର୍ଟ-ଆମ୍-ମାଇନ୍ । ବିଖ୍ୟାତ ମାଇନ୍ ନଦୀ ଏହି ସହର ମଝି ଦେଇ ବହିଯାଇଛି । ବେଶ୍ ପ୍ରଶସ୍ତ ଭରା ନଈ । ନଈ ଉପରେ ଅନେକ ପୋଲ ତେବେ ରୋମାନ୍ ଯୁଗର ଗୋଟାଏ ପାଦଚଲା ପୋଲ ଦର୍ଶନୀୟ । ଫ୍ରାଙ୍କଫର୍ଟ ସହରର ପ୍ରଧାନ ଦର୍ଶନୀୟ ବସ୍ତୁ, ଅନ୍ତତଃ ମୁଁ ଯାହା ଦେଖିଲି, ତାହା ହେଲା ସେଠାର ପ୍ରଧାନ ଗୀର୍ଜା ଓ ମହାକବି ଗେଟେଙ୍କ ଜନ୍ମସ୍ଥାନ । ଏଠି ବିଭିନ୍ନ ଯୁଗର ଅନେକଗୁଡ଼ିଏ ଗୀର୍ଜା ରହିଛି ଓ ରୋମାନ୍, ଗଟିକ୍, ବାରୋକ୍, ରେନେସାଁସ ଆଦି ଏ ସବୁର ବିଭିନ୍ନ ନିର୍ମାଣଶୈଳୀ ଶିଳ୍ପରସିକମାନଙ୍କ ପକ୍ଷରେ ଖୁବ୍ ଆକର୍ଷଣ ଓ ଅନୁଧ୍ୟାନର ବିଷୟ । ତେବେ ଏଠାର ପ୍ରଧାନ ଗୀର୍ଜାର ବିଶାଳତା ଓ ଗମ୍ଭୀର ଶାନ୍ତ ବାତାବରଣ ମତେ ଖୁବ୍ ଭଲ ଲାଗିଥିଲା । ଗୀର୍ଜାର ଗୋଟାଏ ବିଶେଷତ୍ଵ ହେଲା ଯେ ଆମ ମନ୍ଦିରମାନଙ୍କ ଭଳି ଏହା ଭିତରେ ହଟ୍ଟଗୋଳ ନଥାଏ । ଶହ ଶହ ଲୋକ ବୁଲି ଦେଖୁଥାନ୍ତି । ଅନେକ ଲୋକ ବସି ପ୍ରାର୍ଥନା କରୁଥାନ୍ତି ବା ହୁଏତ ବସି ବିଶ୍ରାମ କରୁଥାନ୍ତି । କିନ୍ତୁ କୌଣସି ପ୍ରକାରର ପାଟିତୁଣ୍ତ ନ ଥାଏ-। କଥା କହିଲେ ଅତି ଅନୁଚ୍ଚ ସ୍ଵରରେ କହୁଥାନ୍ତି । ଏ ଗୀର୍ଜାରେ ଏକ ଆଧୁନିକ ବିଦ୍ୟୁତ୍ ଅର୍ଗାନ୍ ଖଞ୍ଜା ହେଇଛି ଓ ତା’ର ଉଦାତ୍ତ ଗମ୍ଭୀର ସଙ୍ଗୀତ ଶୁଣିବାର ସୌଭାଗ୍ୟ ସେଠି ହେଲା । ମହାକବି ଗେଟେଙ୍କ ଘରଟି କେବଳ ବାହାରୁ ଯାହା ଦେଖିଲୁ । ଆମେ ପହଞ୍ଚିବା ବେଳକୁ ତାହା ଦି’ ପହର ଛୁଟି ପାଇଁ ବନ୍ଦ ହେବାକୁ ଯାଉଥିଲା ଓ ପାଞ୍ଚ ଦଶ ମିନିଟ୍‍ରେ ତରତର ହେଇ ଆଖି ବୁଲାଇବା ଅପେକ୍ଷା ନ ଦେଖିବା ଭଲ ବୋଲି ଆମେ ସ୍ଥିର କଲୁଁ ।

 

ଏଠୁ ବେଲେନ୍‍ହାଉଜନ୍ ଷାଠିଏ ମାଇଲରୁ ଅଧିକ, ଘଣ୍ଟାଟାଏ ସମୟ ଲାଗିଲା । ଅଧିକାଂଶ ଆଉଟୋବାନ, ଅଳ୍ପ ବାଟ ଏକ ଶାଖା ରାସ୍ତାରେ ଗଲୁ । ସମସ୍ତ ରାସ୍ତା ପକ୍କା । ସତୁରୀ ମାଇଲରୁ କମ୍‍ରେ କେହି ଗାଡ଼ି ଚଳନ୍ତି ନାହିଁ । ନବେ ଶହେ ମାଇଲ ସାଧାରଣ । ରାସ୍ତାରେ ଇଲେକ୍ଟ୍ରିକ୍ ସିଗନାଲ ବ୍ୟବସ୍ଥା । ପୁଣି ଆଗକୁ ସିଗନାଲ ଆସୁଛି ବୋଲି ଦୁଇ ତିନି କିଲୋମିଟର ଆଗରୁ ସତର୍କ ସଙ୍କେତ । କୌଣସି ଛକ ବା ବସତି ଆସିବାର ଦେଢ଼ କିଲୋମିଟର ଆଗରୁ ଖୁବ୍ ବଡ଼ ବଡ଼ କରି ଲେଖା ଶଙ୍କେତ ଯଥା–“ମାରବର୍ଗ ୧୫୦୦ ମିଟର” । ପୁଣି “ମାରବର୍ଗ୧୦୦୦ମିଟର” ଓ “ମାରବର୍ଗ ୫୦୦ ମିଟର” । ବଡ଼ ବଡ଼ ଛକଠାରେ ଗୋଟାଏ ରାସ୍ତା ଅନ୍ୟଟିର ଉପର ଦେଇ ଯାଇଛି, ଯେପରି ଉଭୟ ରାସ୍ତାରେ ଯାନ ଚଳାଚଳ ଅବ୍ୟାହତ ରହିବ । ଗୋଟାଏ ରାସ୍ତାରୁ ବାଙ୍କ ବୁଲି ବାଁ ବା ଡାହାଣକୁ ଅନ୍ୟ ରାସ୍ତାରେ ଯିବାକୁ ହେଲେ ଅନ୍ୟ ଦିଗରେ ଯାଉଥିବା ଯାନ ଚଳାଚଳରେ ବ୍ୟାଘାତ ନ ଦେଇ ସେ ରାସ୍ତାରେ ପହଞ୍ଚିବାପାଇଁ ବିଶେଷ ଚକ୍ରାକାର ରାସ୍ତା ରହିଛି ।

 

ଡଃ ହିଣ୍ତରଙ୍କ ବୟସ ଚାଲିଶ ବୟାଳିଶ ହେବ । ପୂର୍ବରୁ ସେ ଏକ ପୁସ୍ତକ ପ୍ରକାଶନ ସଂସ୍ଥା ଚଳାଉଥିଲେ । ଅଢ଼େଇ ତିନି ବର୍ଷ ତଳେ ପଶ୍ଚିମ ଜର୍ମାନୀର ରାଜଧାନୀ ବୋନ୍‍ଠାରେ ଆୟୋଜିତ ଏକ ସଭାରେ ଗାନ୍ଧୀଜୀଙ୍କ ବିଷୟରେ ଏକ ବକ୍ତୃତା ସେ ସଂଯୋଗ କ୍ରମେ ଶୁଣିଲେ । ଏହାଦ୍ଵାରା ଗାନ୍ଧୀଜୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କର ଆଗ୍ରହ ଜନ୍ମିଲା ଓ ଫଳରେ ସେ ଯାହା ଗାନ୍ଧୀ ସାହିତ୍ୟ ପାଇଲେ ପଢ଼ିବାକୁ ଲାଗିଲେ । କେବଳ ଗାନ୍ଧୀଜୀଙ୍କ ବିଷୟରେ ନୁହେଁ, ଭାରତୀୟ ଦର୍ଶନ ବିଷୟରେ ମଧ୍ୟ ସେ ଅଧ୍ୟୟନ ଆରମ୍ଭ କରି ଗୀତା, ବ୍ରହ୍ମସୂତ୍ର ଆଦି ପଢ଼ିଲେ । ଗାନ୍ଧୀଜୀଙ୍କର ଆଦର୍ଶରେ ତାଙ୍କର କ୍ରମେ ବିଶ୍ଵାସ ଦୃଢ଼ ହେଲା ଓ ନିଜ ଜୀବନରେ ସେହି ଆଦର୍ଶ ଅନୁସରଣ କରିବା ଓ ତଦନୁରୂପ ସମାଜ ଗଢ଼ିବା ପାଇଁ ସେ ବଦ୍ଧପରିକର ହେଇ ସହର ଛାଡ଼ି ଆସି ଏ ସାନ ଗାଁରେ ବସିଛନ୍ତି । ତାଙ୍କର ପ୍ରକାଶନ ସଂସ୍ଥାର ସାଥୀ ଡେଲ୍‌ମାନ୍ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି । ଏଠି ସେମାନେ ପ୍ରକାଶନ କାମ ଛୋଟ ଆକାରରେ ଚଳାଉଛନ୍ତି, କେବଳ ଉଚ୍ଚ ସ୍ତରର ବିଚାରମୂଳକ ଓ ବୈପ୍ଳବିକ ସାହିତ୍ୟ ହିଁ ପ୍ରକାଶ କରୁଛନ୍ତି; ଯଥା : ଗାନ୍ଧୀଜୀଙ୍କର ଲେଖାର ଏକ ସଂକଳନ ‘ସର୍ବୋଦୟ’ର ଅନୁବାଦ, କ୍ୟୁବାର ବିପ୍ଳବୀ ନେତା ଫିଡ଼େଲ କାସ୍ତ୍ରୋଙ୍କର ବିଚାରଧାରାର ସଂକଳନ, ଟଲଷ୍ଟୟଙ୍କର ବହି, ଇତ୍ୟାଦି । ବିନୋବାଙ୍କର “ସ୍ଥିତପ୍ରଜ୍ଞ ଦର୍ଶନ”ର ଜର୍ମାନ ଅନୁବାଦ ମଧ୍ୟ ମୁଁ ଯାଇଥିବା ବେଳେ ହେଇ ସାରିଥିଲା ଓ ଦୁଇମାସ ଭିତରେ ପ୍ରକାଶିତ ହେବାର ଥିଲା ।

 

ଏଠି ସେ ତାଙ୍କର ପରିବାର, ଡେଲମାନ୍‍ଙ୍କ ପରିବାର ଓ ଅନ୍ୟ କେତେକ ସ୍ତ୍ରୀ ଓ ପୁରୁଷ ସ୍ଵେଚ୍ଛାସେବକଙ୍କ ସମେତ ମୋଟରେ ଷୋଳ ସତର ଜଣ ଲୋକ ଏକାଠି ରହିଛନ୍ତି । ବେଲେନ୍‍ହାଉଜନ୍‍ରେ ପ୍ରଥମେ ଗୋଟାଏ ଘରେ ରହୁଥିଲେ । ସେଠି ଏବେ ପ୍ରକାଶନ ସଂସ୍ଥା ଓ ତାଙ୍କର ଦାଦାପୁଅ ଭାଇଙ୍କ ପରିବାର ରହନ୍ତି । ଏମାନେ ଟିକିଏ ଦୂରରେ ଗୋଟିଏ ପୁରୁଣା ଖମାର ଘର କିଣି ସେଠାରେ ରହୁଛନ୍ତି । ସେ ଘରର ଗୁହାଳ, ଅମାର ପ୍ରଭୃତିକୁ ବଦଳାଇ ରହିବା ଘର, ଖାଇବାଘର, ସଭାଘର ଆଦିରେ ପରିଣତ କରିବାରେ ଲାଗିଥାନ୍ତି । ଏ କାମରେ ସେମାନେ ଜଣେ ଦୁଇଜଣ ବାହାର କାରିଗରଙ୍କୁ ଧରି ନିଜେ ନିଜେ ସାରା ଦିନ ପରିଶ୍ରମ କରୁଥାନ୍ତି ।

 

ଏ ଗାଁଟି ଛୋଟ । ମାତ୍ର ସତୁରୀଟି ପରିବାର, ଅଢ଼େଇଶହ ଲୋକ ହେବେ । କହିବା ବାହୁଲ୍ୟ ଯେ ଗାଁରେ ସବୁ ଆଧୁନିକ ସୁବିଧା: ପାଣିବ୍ୟବସ୍ଥା, ବିଜୁଳି ଯୋଗାଣ, ପକ୍କା ରାସ୍ତା, ଟେଲିଫୋନ୍ ସଂଯୋଗ, ସବୁ ରହିଛି । ଜର୍ମାନ ଚାଷୀମାନଙ୍କର ଅବସ୍ଥା ମଧ୍ୟ ଖୁବ୍ ସଚ୍ଛଳ । ଚାଷ ବାସ ସବୁ ଯନ୍ତ୍ର ସାହାଯ୍ୟରେ ।

 

ଗାଁ ବାହାରକୁ ବିଲକୁ ବୁଲିଗଲୁ । ଗହମ, ମକ୍କା ପ୍ରଭୃତି ଫସଲ ବିଲରେ ଥାଏ । ଅଞ୍ଚଳଟି ସମତଳ ନୁହେଁ । ଉଚ୍ଚ ନୀଚ ଢେଉ ଖେଳିଲା ପରି । ଗୋଟାଏ ଉଚ୍ଚ ସ୍ଥାନ ଉପରକୁ ଚଢ଼ିଲୁ । ଗାଁଟି ଗଛ ପତ୍ରରେ ଢାଙ୍କି ହେଇ ଖୁବ୍ ସୁନ୍ଦର ଦେଖାଯାଉଥାଏ । ମୁଣ୍ତିଆ ଉପରେ ଖଣ୍ତେ ଜମି ଗୋରୁ ଚରିବା ପାଇଁ ଥାଏ । ସେଥିରେ ପନ୍ଦରଟା ଖଣ୍ତେ ଗାଈ ଚରୁଥାନ୍ତି । ଜମି ଚାରି ପାଖରେ ଗୋଟିଏ ବିଦ୍ୟୁତ୍‌ବାହୀ ତାର ଘେରେଇ ଦିଆ ହୋଇଥାଏ । ଗାଈମାନଙ୍କୁ ଆକଟରେ ରଖିବା ପାଇଁ ସେତିକି ଯଥେଷ୍ଟ । ଏଠି ଗାଈଗୋରୁଙ୍କ ପାଇଁ ଜମିରେ ଘାସ ଓ ଅନ୍ୟ ଚାରା ରୀତିମତ ଚାଷ କରାଯାଏ । ଗାଈଗୁଡ଼ିକ ଖୁବ୍ ହୃଷ୍ଟପୁଷ୍ଟ । ଦୈନିକ ପନ୍ଦରରୁ ପଚିଶ ଲିଟର ଦୁଧ ଦିଅନ୍ତି । ପଶ୍ଚିମ ଜର୍ମାନୀରେ ଦୁଧ ଉତ୍ପାଦନ ଚାହିଦାରୁ ବହୁତ ବେଶୀ ଅଧିକ ହେଉଛି । ସେଥିପାଇଁ ତାହା ଊଣା କରିବାର ନାନା ଉପାୟ ବିଚାର ହେଉଛି ।

 

ୟୁରୋପରେ ଦୁଧ ପାଇଁ ଓ ମାଂସ ଖାଇବା ପାଇଁ ଭିନେ ଭିନେ ଜାତିର ଗାଈ ପୋଷା ହୁଅନ୍ତି । କୁଆଡ଼େ ବେଶୀ ଦୁଧ ଦେବା ଜାତିର ମାଂସ ଭଲ ନୁହେଁ ଓ ମାଂସ ଭଲ ଥିବା ଜାତିରୁ ସେପରି କିଛି ଦୁଧ ମିଳେ ନାହିଁ । ଶୁଣିବାକୁ ପାଇଲି ଯେ ଦୁଧଦେବା ଜାତିର ଗାଈକୁ ଖାଇବା ପାଇଁ କାଟିଲେ ପଶ୍ଚିମ ଜର୍ମାନୀ ସରକାର ଗାଈ ଗୋଟିକ ଚାରିଶହ ମାର୍କ ଲେଖା ଅନୁଦାନ କାଟିବା ବାଲାକୁ ଦିଅନ୍ତି । ଏହାର ଉଦ୍ଦେଶ୍ୟ ଦୁଧ ଉତ୍ପାଦନ ଊଣା କରିବା ।

 

ଡଃ ହିଣ୍ତରଙ୍କ ସହିତ ତାଙ୍କର ଆଶ୍ରମର ଉଦ୍ଦେଶ୍ୟ ବିଷୟରେ ସବିସ୍ତାରେ ଆଲୋଚନା ହେଲା । ତାଙ୍କର ବିଚାର ହେଲା ଯେ ଯୁଦ୍ଧ ବିଗ୍ରହ ଓ ଶୋଷଣରୁ ମୁକ୍ତ ବାସ୍ତବ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିବା ପାଇଁ ହେଲେ ସମାଜ ଭିତରେ ପରସ୍ପର ପ୍ରତି ଚିନ୍ତା, ପରସ୍ପର ପାଇଁ ତ୍ୟାଗ ଓ ପରସ୍ପର ସହଯୋଗ ରହିବା ଚାହି । ସେଥିପାଇଁ ଲୋକେ ଛୋଟ ଛୋଟ ଗାଁ ଭଳି ଗୋଷ୍ଠୀମାନଙ୍କର ରହିବା ଚାହି ଓ ତାହା ଭିତରେ ଏହିଭଳି ଗ୍ରାମଭାବନା ବା ପରିବାର ଭାବନା ରହିବା ଚାହି ।

 

ଏହିଭଳି ଏକ ଗୋଷ୍ଠୀ ବା କମ୍ୟୁନିଟି ଜୀବନର ସାଧନା କରିବା ଡଃ ହିଣ୍ତରଙ୍କର ଲକ୍ଷ୍ୟ-। ଏ ଗୋଷ୍ଠୀର ନାମ ସେ ଦେଇଛନ୍ତି—ଭାରତ-ଜର୍ମାନୀ ସୁହୃଦ ସମାଜ । କାରଣ ଭାରତୀୟ ଚିନ୍ତାଧାରା, ଖାସ କରି ଗାନ୍ଧୀଜୀଙ୍କ ବିଚାରଧାରା ତାଙ୍କର ପ୍ରେରଣାର ମୂଳ ଉତ୍ସ । ଭାରତର ଗାଁ ଗୁଡ଼ିକ ଏହି ଦୃଷ୍ଟିରୁ ସମାଜ ସଂଗଠନର ଏକ ଅନୁକୂଳ ଢାଂଚା ଯୋଗାଏ ବୋଲି ସେ ବିଚାରନ୍ତି ।

 

ମଣିଷ ସହିତ ମଣିଷର ସଂପର୍କ କ୍ଷୀଣ ହେଇ ଶେଷକୁ ଏକାବେଳକେ ଉଭେଇଯିବା ଆଧୁନିକ ସଭ୍ୟତାର ଗୋଟାଏ ପରିଣାମ ଯାହା ଏବେ ଦୁନିଆର ବହୁ ବିଚାରବାନ ଲୋକଙ୍କ ମନରେ ଚିନ୍ତାର ଉଦ୍ରେକ କରୁଛି । ବଡ଼ ବଡ଼ ସହରମାନଙ୍କରେ ଗୋଟାଏ ଗୋଟାଏ ଲୋକଙ୍କ ବହୁତଳ ଭବନରେ ଶହ ଶହ ପରିବାର ରହୁଛନ୍ତି, କିନ୍ତୁ ସେମାନଙ୍କର କାହାରି ସହିତ କାହାରି ସମ୍ପର୍କ ନାହିଁ । ପାଖ ଘରେ କେହି ରୋଗରେ ପଡ଼ିଲେ ବା ମରିଗଲେ ବି ପଡ଼ିଶା ଘର ଜାଣିବେ ନାହିଁ ବା ଜାଣିଲେ ବି ପରବାଏ କରିବେ ନାହିଁ ଏହିପରି ଅବସ୍ଥା । ଯେ ଯାହାର ନିଜ ଧନ୍ଦା, ନିଜ ଚିନ୍ତା, ନିଜ ଆମୋଦପ୍ରମୋଦରେ ବ୍ୟସ୍ତ । ରୋଗ, ବୃଦ୍ଧାବସ୍ଥା, ବେକାର ଅବସ୍ଥା ଆଦିରେ ଆର୍ଥିକ ସାହାଯ୍ୟ ଦେବାର ଅତି ଉତ୍ତମ ବ୍ୟବସ୍ଥା ଅଧିକାଂଶ ୟୁରୋପୀୟ ଦେଶରେ ରହିଛି । ଏ ବ୍ୟବସ୍ଥା ସରକାରୀ ବିଭାଗ ଦ୍ଵାରା ପରିଚାଳିତ । ଏହାଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ସୁରକ୍ଷିତ ରହୁଛି । ଭୋକ ଉପାସ ବା ରୋଗ କବଳରେ ଅସହାୟ ଭାବରେ ପଡ଼ିବାର ଭୟ ନାହିଁ । କିନ୍ତୁ ଏହା ସାଙ୍ଗକୁ ମାନବିକ ହୃଦୟର ଉଷ୍ଣସ୍ପର୍ଶ ନାହିଁ ।

 

ଏହି ପ୍ରସଙ୍ଗରେ ଲଣ୍ତନରେ ଭେଟ ହେଇଥିବା ଜଣେ ପାକିସ୍ଥାନୀ ଯୁବକଙ୍କର କଥା ମନେ ପଡ଼ୁଛି । ଗୋଟିଏ ଫଟୋ ଦୋକାନରେ ସେ କାମ କରନ୍ତି । ଛଅ ସାତ ବର୍ଷ ହେଲା ଲଣ୍ତନରେ ରହିଲେଣି । ଫଟୋ ଧୋଇବାକୁ ଦେବାକୁ ଯାଇ ତାଙ୍କ ସହିତ ସାକ୍ଷାତ ଓ ପରିଚୟ । ଆଳାପ ପ୍ରସଙ୍ଗରେ ସେ କହିଲେ “ଏ ଦେଶଟା ଯୁବକଙ୍କ ପାଇଁ ଖୁବ୍ ଭଲ । ବୟସ ଥିବାଯାଏ ଖୁବ୍ ଖଟ, ଖୁବ୍ କମାଅ ଏ ଖୁବ୍ ମଉଜ କର । କିନ୍ତୁ ବୁଢ଼ା ହେଲେ କେହି ପଚାରିବେ ନାହିଁ ।

 

“ଏଠି ବୁଢ଼ା ବୁଢ଼ୀଙ୍କ ପାଇଁ ସରକାରୀ ଭବନ ଅଛି । ସେଠି ଯାଇ ରହିବ, କିନ୍ତୁ ପୁଅ ଝିଅ ବି ଦେଖିବାକୁ ଆସିବେ ନାହିଁ ।” ସେ ପୁଣି କହିଲେ ଯେ ତାଙ୍କର ଜଣେ ଜଣା ଲୋକଙ୍କର ନିକଟ ଆତ୍ମୀୟ କେହି ନ ଥିବାରୁ ତାଙ୍କର ଜଣେ ଅତି ଅନ୍ତରଙ୍ଗ ବନ୍ଧୁଙ୍କୁ ନିଜର ସମସ୍ତ ସମ୍ପତ୍ତି ଉଇଲି କରିଦେଇ ଥିଲେ । କିନ୍ତୁ ସେ ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ବେଳେ ଏ ବନ୍ଧୁ ଜଣକ ଜାଣି ମଧ୍ୟ ତାଙ୍କୁ ଦେଖିବାକୁ ଗଲେ ନାହିଁ, ଯଦିଓ ସେ ବୁଢ଼ା ତାଙ୍କୁ ଦେଖିବାକୁ ଅତି ବ୍ୟାକୁଳ ହେଉଥିଲେ । ଏପରିକି ସେ ମରିବା ପରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାକୁ ସୁଦ୍ଧା ସେ ସମ୍ପତ୍ତି ପାଇଥିବା ଭଦ୍ରଲୋକ ଗଲେ ନାହିଁ ।

 

ଆଧୁନିକ ଶିଳ୍ପ ସଂଗଠନର ସ୍ଵରୂପ, ବଡ଼ ବଡ଼ ସହରର ଯାନ୍ତ୍ରିକ ଜୀବନର ପ୍ରଭାବ ଆଦି ନାନା କାରଣରୁ ଏଭଳି ଘଟୁଛି । ହୁଏତ ଗୋଟାଏ କିଛି ମୂଲ୍ୟବୋଧର ଅଭାବ ବା ଏକାଂଗୀତା ମଧ୍ୟ ରହିଛି । ଡଃ ହିଣ୍ତର୍‌ଙ୍କ ସହିତ ଆଲୋଚନା ପ୍ରସଙ୍ଗରେ ଏହା ଉପରେ କିଛି ଆଲୋକପାତ ହେଲା ।

 

ଛୋଟ ଗୋଷ୍ଠୀର ଗୁଣ ଯେ ସେଥିରେ ମାନବିକ ସଂପର୍କ ପାଇଁ ବେଶୀ ଅନୁକୂଳତା ଥାଏ । ମାତ୍ର ଆଜିଯାଏ ସାନ ସାନ ଗାଁ ସବୁ ଯେଭଳି ଭାବରେ ସଂଗଠିତ ହେଇ ଆସିଛି, ଯେଭଳି ଚଳି ଆସିଛି ସେଥିରେ ଦୋଷ ହେଲା ଯେ ତାହା ବ୍ୟକ୍ତିସ୍ଵାତନ୍ତ୍ର୍ୟର ବିକାଶ ପାଇଁ ବହୁତ କମ ସୁଯୋଗ ଦିଏ । ପ୍ରତ୍ୟେକ ଲୋକର ସମସ୍ତ ଗତିବିଧି ସର୍ବଦା ସମସ୍ତଙ୍କ ଆଖି ଆଗରେ ଥାଏ ଓ ଫଳରେ ଲୋକମତର ଚାପ ଅତି ପ୍ରବଳ ଭାବରେ କାମ କରେ । ଏହା ଛଡ଼ା ଆଜିଯାଏ ଗାଁର ସମାଜ ସାମନ୍ତବାଦୀ ଢଙ୍ଗରେ ସଂଗଠିତ ହେଇ ଆସିଛି । ଏଥିରେ ପରିବାରରେ ବୟସରେ ବଡ଼ ବାପ ଗୋସବାପଙ୍କର ତଥା ସମାଜରେ ଜାତିରେ ଓ ସମ୍ପତ୍ତିରେ ବଡ଼ ପରିବାରଙ୍କର କର୍ତ୍ତୃତ୍ଵ ସ୍ଵୀକୃତ ହେଇ ଆସିଛି । ଏହି ପରଂପରା ଗାଁ ସମାଜର ଜୀବନକୁ ସ୍ଥିତିଶୀଳ ଓ ରକ୍ଷଣଶୀଳ କରିଛି ।

 

ଆଧୁନିକ ନଗର ସଭ୍ୟତା ବ୍ୟକ୍ତିକୁ ସମାଜର ନିବିଡ଼ ବନ୍ଧନରୁ ମୁକ୍ତିର ସୁଯୋଗ ଦେଇଛି-। ସେଥିଯୋଗୁଁ ବ୍ୟକ୍ତି ସ୍ଵାତନ୍ତ୍ର୍ୟର ବିକାଶର ଇତିହାସରେ ନଗର ସଭ୍ୟତାର ବିଶେଷ ଅବଦାନ ରହିଛି । ମାତ୍ର ଏ ସ୍ଵତନ୍ତ୍ରତା ସାଙ୍ଗେ ସାଙ୍ଗେ ଘଟୁଛି ପରସ୍ପର ସମ୍ପର୍କ, ସ୍ନେହ, ସହନୁଭୂତି, ସହଯୋଗର ମଧ୍ୟ ବିଲୟ । ପରସ୍ପର ଚିନ୍ତା ଓ ମାନବିକ ସମ୍ପର୍କର ବିକାଶ ପାଇଁ ସାନ ସାନ ଗୋଷ୍ଠୀ ଗଢ଼ିବାବେଳେ ବ୍ୟକ୍ତି ସ୍ଵାତନ୍ତ୍ର୍ୟର ବିକାଶ ପାଇଁ ମଧ୍ୟ ଯେପରି ସେଥିରେ ପୂର୍ଣ୍ଣ ଅବକାଶ ମିଳେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ଭାରତରେ ଗ୍ରାମଦାନ ମାଧ୍ୟମରେ ଏହିଭଳି ଏକ ପ୍ରୟୋଗ ଚାଲିଛି ବୋଲି ମୁଁ ତାଙ୍କୁ ଜଣାଇଥିଲି ।

 

ଜର୍ମାନୀ ପୃଥିବୀର ଶିଳ୍ପ ପ୍ରଧାନ ଦେଶମାନଙ୍କ ଭିତରେ ଅଗ୍ରଗଣ୍ୟ ହେଲେ ମଧ୍ୟ ଏଠାରେ ହସ୍ତଶିଳ୍ପ ଓ ତାହାର ଚାହିଦା ପୂରାପୂରି ଲୋପ ପାଇନାହିଁ । ଚୀନାମାଟି, ପଥର, ବେତ, ଚମଡ଼ା ଓ କାଠର ହାତ ତିଆରି ସାମଗ୍ରୀ ଓ ହାତ ତିଆରି କାର୍ପେଟ୍, କମ୍ଵଳ ଆଦିର ଏଠି ବେଶ୍ ଚାହିଦା ଅଛି ଓ ପୂର୍ବ ୟୁରୋପର ଦେଶମାନଙ୍କରୁ ଏଭଳି ଜିନିଷ ଏଠାକୁ ଆମଦାନୀ ହୁଏ । ଏସବୁ ଜିନିଷର କଳାତ୍ମକ ସୌନ୍ଦର୍ଯ୍ୟ ନିମନ୍ତେ ହିଁ ଏଭଳି ଚାହିଦା । ହିଣ୍ତର୍‌ଙ୍କର ବାପା ଓ ଦାଦା ଏକ ହସ୍ତଶିଳ୍ପ ବସ୍ତୁର ଦୋକାନ ଆରମ୍ଭ କରିଥିଲେ । ଏବେ ତାଙ୍କର ଖୁଡ଼ୁତାପୁଅ ଭାଇ ଏହାକୁ ଚଳାଉଛନ୍ତି । ଜର୍ମାନୀର ସ୍ଥାନୀୟ ହସ୍ତଶିଳ୍ପର ବିକାଶ ଓ ପ୍ରସାର ଘଟାଇବା ଏହାଙ୍କର ଲକ୍ଷ୍ୟ । ଜର୍ମାନୀର ଅନ୍ୟ ଅଞ୍ଚଳର ସାମଗ୍ରୀ ଆଣି ବିକିବା ଛଡ଼ା ସେ ସେଠି ପଶମର ଗାଲିଚା, କମ୍ଵଳ, ପୋଷାକ କପଡ଼ା ବୁଣିବା କାମ ମଧ୍ୟ କରନ୍ତି । ହାତ ତନ୍ତରେ ନାନା ପ୍ରକାରର ଅତି ସୁନ୍ଦର ଡିଜାଇନ୍ ବୁଣା ହୋଇଥାଏ । ଏ ତନ୍ତ ବିଭାଗରେ ଦଶ ଜଣ ଝିଅ କାମ କରନ୍ତି । ଏମାନଙ୍କର ମଜୁରୀ ଘଣ୍ଟାକୁ ତିନି ବା ଚାରି ମାର୍କ : ଛଅରୁ ଆଠ ଟଙ୍କା । ଅର୍ଥାତ୍ ମାସିକ ଆୟ ଦେଢ଼ରୁ ଦୁଇ ହଜାର ଟଙ୍କା । ଆମ ଦେଶର କାଶ୍ମୀର ସମ୍ଵଲପୁର, ସୌରାଷ୍ଟ୍ର ଆଦିରେ ଅତି ଉଚ୍ଚକୋଟିର କଳାତ୍ମକ ସାମଗ୍ରୀ ତିଆରି କରୁଥିବା ବୟନଶିଳ୍ପୀ ବର୍ଷଟା ସାରାରେ ବି ଏତେକ ରୋଜଗାର କରି ପାରନ୍ତି ନାହିଁ । ଅବଶ୍ୟ ଏହାର କାରଣ ହେଲା ଯେ ସେ ସବୁ ଦେଶରେ ଯାଂନ୍ତ୍ରିକ ଶିଳ୍ପର ବ୍ୟାପକ ବିକାଶ ଫଳରେ ଉତ୍ପାଦନ ଓ ତାହା ସହିତ ଜୀବନଯାତ୍ରାର ମାନ ବହୁତ ବଢ଼ି ଯାଇ ଥିବାରୁ ମୋଟ ଆୟର ପାଞ୍ଚସାତ ଭାଗ କଳାତ୍ମକ ଅଥଚ ମହଙ୍ଗା ହାତ ତିଆରି ଜିନିଷ ପାଇଁ ଖର୍ଚ୍ଚ କରିବାକୁ ଲୋକେ ଇତସ୍ତତ କରନ୍ତି ନାହିଁ । ମୁଁ ଗୋଟାଏ ଛୋଟ ଚୀନାମାଟି ତିଆରି ମେଣ୍ଢା ସେଠୁ ଆଣିଲି । ଏଭଳି ଏକ କଣ୍ଢେଇର ଦାମ ଏଠି ବଡ଼ ଜୋର ଆଠ ଅଣା ହେବ । ସେଠି ଆଠ ଟଙ୍କା ।

 

ପରେ ଷ୍ଟକହଲମରେ ଗୋଟିଏ ଦୋକାନରେ ତାଳପତ୍ର ପରି କୌଣସି ଗୋଟାଏ ଜାତିର ପତ୍ରରେ ତିଆରି ଏକ ମାଳି ଦେଖିଲି । ତାଳପତ୍ରରେ ଆମର ଯେପରି କରନ୍ତି ସେପରି ତିନି କୋଣିଆ ଓ ଚାରି କୋଣିଆ ଛୋଟ ଛୋଟ ତାରା ପରି ବୁଣି ସେ ସବୁକୁ ଗୁନ୍ଥି ଏକ ମାଳି କରାହେଇଛି । ଆମର ଏଠି ଦାମ ପଚିଶି ପଇସା ହୁଅନ୍ତା । ସେଠି ଆଠ ସ୍ଵୀଡ଼ୀଶ୍ କ୍ରାଉନ୍ ବା ପ୍ରାୟ ବାର ଟଙ୍କା ।

Image

 

ପାଞ୍ଚ

ରାଇନ୍ ନଦୀର କୂଳେ

 

ବେଲନହାଉଜେନରୁ ହିଣ୍ତରଙ୍କ ସହିତ ମଟରରେ ବୋନ୍ ଗଲୁ । ଶହେ ମାଇଲ ଉପରେ । ପଶ୍ଚିମ ଜର୍ମାନୀର ଏକ ବିରାଟ ଓ ବିଖ୍ୟାତ ବଣ ଭେସ୍‌ଟର୍‌ଭାଲ୍‌ଟ ବାଟରେ ପଡ଼ିଲା । ଏଇ ଅଞ୍ଚଳରେ ଜର୍ମାନୀର ଗରୀବ ଚାଷୀମାନଙ୍କର ବାସ ବୋଲି ହିଣ୍ତର କହିଲେ । ବାଟରେ ସାନ ସାନ ଗାଁ ପଡ଼ିଲା, ପୁରୁଣାଢଙ୍ଗର ଛୋଟ ଛୋଟ ଘର । ତେବେ ପ୍ରତ୍ୟେକ ଘର ଉପରେ ଟେଲିଭିଜନର ଏରିୟାଲ ଥାଏ । ଟେଲିଭିଜନ୍ ଓ ଖଣ୍ତେ ମୋଟରଗାଡ଼ି ରଖିବା ଭଳି ସଂଗତି ଏ ପ୍ରତ୍ୟେକ ଗରୀବ ଚାଷୀର ଅଛି । ତଥାପି ଏମାନେ ଜର୍ମାନୀର ଅନ୍ୟ ଅଞ୍ଚଳର ଚାଷୀ ଓ ଅନ୍ୟ ଶ୍ରେଣୀର ଲୋକଙ୍କ ତୁଳନାରେ ଗରୀବ । ସେଥିପାଇଁ ଏବେ ଜର୍ମାନୀ ସରକାର ଏ ଅଞ୍ଚଳର ବିକାଶ ପାଇଁ ବିଶେଷ ଦୃଷ୍ଟି ଦେଉଛନ୍ତି ।

 

ବୋନ୍ ପଶ୍ଚିମ ଜର୍ମାନୀର ରାଜଧାନୀ । ଏଠି ପହଞ୍ଚିବା ପାଇଁ ରାଇନ୍ ନଈ ପାର ହେବାକୁ ପଡ଼ିଲା । ନଈ ଉପରେ ଅନେକ ପୋଲ ଅଛି, ମାତ୍ର ଏହାର ସୌନ୍ଦର୍ଯ୍ୟ ପୂରା ଉପଭୋଗ କରିବା ଉଦ୍ଦେଶ୍ୟରେ ଆମେ ବୋନ୍‌ର କୋଡ଼ିଏ ମାଇଲ ଖଣ୍ତେ ଉପରକୁ ଏକ ଘାଟରେ ଫେରୀ ଦ୍ଵାରା ପାରି ହେଲୁ । ରାଇନ ନଦୀ ୟୁରୋପର ମାପକାଠୀ ଅନୁସାରେ ରୀତିମତ ପ୍ରଶସ୍ତ । ଜଳପୂର୍ଣ୍ଣ ଓ ଖରସ୍ରୋତା । ଏଥିରେ ନୌବାଣିଜ୍ୟ ଚଳାଚଳ ପ୍ରଚୁର ପରିମାଣରେ ହୁଏ । ରାଇନ୍ ନଦୀର ଅବବାହିକା ରାଇନଲ୍ୟାଣ୍ତ ଜର୍ମାନୀର ସବୁଠାରୁ ସୁନ୍ଦର ଅଞ୍ଚଳ । ନଈ କୂଳେ କୂଳେ ବୋନ୍ ଓ ସେଠୁ ପୁଣି କୋଲନ୍ ଯାଏ ଯିବା ବାଟରେ ବେଶ୍ କିଛି ସମୟ ଧରି ଏ ଅଞ୍ଚଳ ଦର୍ଶନ କରିବାର ସୁଯୋଗ ମିଳିଲା । ସହର ପାଖରେ ଓ ସହର ବାହାରେ ମଧ୍ୟ ଅନେକ ଦୂରଯାଏ ନଈ କୂଳରେ ପାଦଚାରୀଙ୍କର ବୁଲିବା ପାଇଁ ରାସ୍ତା ରହିଛି । ଗଛପତ୍ର ଲଗା ହେଇ ଉଦ୍ୟାନ ଭଳି କରାଯାଇଛି । ଆଲୋକର ବ୍ୟବସ୍ଥା ତ ରହିଛି ହିଁ ।

 

ବୋନ୍ ଅପେକ୍ଷାକୃତ ଛୋଟ ସହର । ସେଥିରେ ସରକାରୀ କୋଠାବାଡ଼ି, ପାର୍ଲାମେଣ୍ଟ ଭବନ ଆଦି ସବୁ ନୂଆ ନୂଆ ଆଧୁନିକ ଶୈଳୀରେ ଗଢ଼ା । ବାକୀ ସବୁ ସହର ତ ଆଜିକାଲି ଏକ ପ୍ରକାରର । ଏକା ପ୍ରକାରର କୋଠାବାଡ଼ି, ରାସ୍ତାଘାଟ । ତେବେ କେଉଁଟା ଏଠିକା ପରି ଖୁବ୍ ପରିଚ୍ଛନ୍ନ, କେଉଁଟା ଅବା କମ୍ । ବୋନ୍‌ରୁ କୋଲନ୍ ବେଶୀ ଦୂର ନୁହେଁ । ଏଠାର ବିଶେଷତ୍ଵ ହେଲା ତା’ର ବଡ଼ ଗୀର୍ଜା, କ୍ୟାଥେଡ଼୍ରାଲ । ଏଇଟି ନ ଦେଖିଥିଲେ ଗୋଟାଏ ଅଭାବ ରହିଯାଇଥାନ୍ତା । ମଧ୍ୟ ଯୁଗରେ ତିଆରି ଏ ଗୀର୍ଜା ଶହେ ଷାଠିଏ ମିଟର ବା ପାଞ୍ଚଶହ ଚବିଶ ଫୁଟ ଉଚ୍ଚ, ପୁରୀ ମନ୍ଦିରର ଅଢ଼େଇ ଗୁଣରୁ ବେଶୀ । ବାହାର ଓ ଭିତରର କାରୁକାର୍ଯ୍ୟ ଅତି ଚମତ୍କାର, ବିଶେଷ କରି ବହୁସଂଖ୍ୟକ ରଙ୍ଗୀନ କାଚର ଝରକାଗୁଡ଼ିକ । ବିଭିନ୍ନ ରଙ୍ଗର କାଚର ଟୁକୁରା ଦ୍ଵାରା ଯୀଶୁଙ୍କର ଜୀବନର ଘଟଣା ଓ ଖ୍ରୀଷ୍ଟୀୟ ସାଧୁ ମହାତ୍ମାମାନଙ୍କର ପ୍ରତିକୃତି ଝରକାମାନଙ୍କରେ ଅଙ୍କିତ ହେଇଛି-। ଦ୍ଵିତୀୟ ମହାଯୁଦ୍ଧ ବେଳେ ବୋମାର ଆଘାତରେ ଏ ଗୀର୍ଜାର କେତେକାଂଶ କ୍ଷତିଗ୍ରସ୍ତ ହୋଇଥିଲା-। ଅନେକଗୁଡ଼ିଏ ରଙ୍ଗୀନ ଝରକା ମଧ୍ୟ ଭାଙ୍ଗି ଯାଇଥିଲା । କୋଠର ଭଙ୍ଗା ଅଂଶ ମରାମତି ସରିଲାଣି; ମାତ୍ର ଝରକାଗୁଡ଼ିକରେ ଚିତ୍ରିତ ରଙ୍ଗୀନ କାଚ ବସାଇବା କାମ ଏବେ ବି ପୂରା ହୋଇ ନାହିଁ । ଏ ଗୀର୍ଜାର ଠିକ୍ ସାମନାରେ ମାଟି ଖୋଳା ହେଇ ଦୁଇ ହଜାର ବର୍ଷ ପୂର୍ବର ରୋମାନ ଯୁଗର କେତେକ କୋଠାବାଡ଼ି, ବୋଧହୁଏ ଏକ ଦୁର୍ଗର, ଅଂଶ ବାହାରିଛି । ଖୋଳା କାମ ଏବେ ବି ଚାଲିଛି ।

 

କୋଲନରେ ହୋଟେଲରେ ରାତ୍ରି ଭୋଜନ ସାରି ଡୁସେଲ୍‌ଡ଼ର୍ଫ ଦେଇ ଏସେନ୍ ନିକଟରେ ଏକ ଛୋଟ ସହରରେ ଡେଲମାନଙ୍କ ବାପା ମା’ଙ୍କ ଘରେ ରାତି ରହଣି ହେଲା । ବୁଢ଼ା ଡେଲମାନ୍ ରେଲବାଇରେ ଲାଇନ୍ ମରାମତି କାମ କରୁଥିଲେ । ଆମର ଯାହାକୁ କହନ୍ତି ଗ୍ୟାଙ୍ଗ୍ କୁଲୀ । ଏବେ ଅବସର ନେଇଛନ୍ତି । ବଡ଼ପୁଅ ତ ଆଶ୍ରମବାସୀ, ସାନପୁଅ ବାପାମା’ଙ୍କ ପାଖରେ ଥାନ୍ତି । ମଟରଗାଡ଼ି ବିକ୍ରେତା କାମ କରନ୍ତି । ଘରଟି ସାନ, ଦୋତାଲା । ଆମର ଉଚ୍ଚ ମଧ୍ୟବିତ୍ତ ଲୋକଙ୍କ ଘର ପରି ସୁସଜ୍ଜିତ । ରାତିରେ ବୁଢ଼ୀ ଉଠି ପୁଅକୁ ଓ ଆମମାନଙ୍କୁ ସ୍ଵାଗତ ଜଣେଇଲେ । ବୁଢ଼ାଙ୍କ ସହିତ ସକାଳେ ଦେଖା ହେଲା । ବୁଢ଼ା ଏବେ ବି ବେଶ୍ ଟାଣ ଅଛନ୍ତି ଓ ଖୁବ୍ ହସଖୁସି । ସକାଳ ଜଳଖିଆ ଟେବୁଲ୍‌ରେ ଗୋଟାଏ ସାନ ଟୋକେଇରେ ଚାରି ପାଞ୍ଚ ଗୋଟା ପାଉଁରୁଟି ରଖା ହେଇଥିଲା । ମୋଟରେ ଛଅ ଜଣ ଲୋକ । ବୁଢ଼ା ଯାଇ ଆଉ ଦୁଇ ଚାରିଟା ନେଇ ଆସିଲେ । ମୁଁ ବିଚାରୁଥାଏ ଯେ ଏତେ ରୁଟି କିଏ ଖାଇବ ? ମାତ୍ର ବୁଢ଼ା ସେସବୁକୁ ବେକନ୍ ଓ ସସେଜ୍ ସଂଯୋଗରେ ଚାହୁଁ ଚାହୁଁ ସାଫ୍ କରିଦେଲେ ।

 

ବୁଢ଼ାବୁଢ଼ୀ ଭାରତ ବିଷୟରେ କୌତୁହଳୀ ହେଇ ଅନେକ ପ୍ରଶ୍ନ ପଚାରିଲେ । ବିଶେଷତଃ ମୋର ନିରାମିଷ ଖାଇବା ଅଭ୍ୟାସ ସେମାନଙ୍କୁ ନୂଆ ଲାଗୁଥାଏ । ଭାରତରେ କେତେ ଲୋକ ନିରାମିଷାଶୀ, କାହିଁକି, ଓ ପୁଣି ଆମ ଦେଶର ଗୃହସ୍ଥଙ୍କ ପରି ତମର ଘରେ କିଏ କିଏ ଅଛନ୍ତି, ପୁଅ ଝିଅ କେତୋଟି, କ’ଣ କରନ୍ତି ଆଦି ଖବର ନେବାରେ ବୁଢ଼ାବୁଢ଼ୀ ଲାଗିଥାନ୍ତି । ନିରାମିଷାହାର ୟୁରୋପରେ ଅତି ଅଳ୍ପ ପ୍ରଚଳିତ ହେଲେ ମଧ୍ୟ ନିରାମିଷାହାରୀ ପକ୍ଷରେ ଏଠି କୌଣସି ଅସୁବିଧା ହୁଏ ନାହିଁ । ଦୁଧ, ଦହି, ମଖନ, ଫଳ, ପରିବା ଆଦି ପ୍ରଚୁର ପରିମାଣରେ ମିଳେ, ବିଶେଷ କରି ଖରାଦିନେ । ଏଠାର ଦହି ଖୁବ୍ ବଢ଼ିଆ; ନାମ–ୟୋଗୁର୍ଟ ବା ୟୋଗର୍ । ଏ ନାମ ପୂର୍ବ ୟୁରୋପରୁ ଆସିଛି । ଦୁଧରେ ରାସ୍ପବେରୀ, ବ୍ଲାକବେରୀ, ସ୍ଟ୍ରବେରୀ, ଏପ୍ରିକଟ୍, ପ୍ଳମ୍, ସପୁରୀ ଆଦି ନାନା ଫଳର ରସ ମିଶେଇ ଦହି ବସାଇଥାନ୍ତି ଓ କାଗଜ କପରେ ତାହା ବିକ୍ରୀ ହୁଏ । ଦାମ ଦେଢ଼ ଶହ ଗ୍ରାମ ସରିକି ପ୍ରାୟ ସତୁରି ପଚସ୍ତରି ପଇସା । ଦୁଧ ବି କାଗଜ ଖୋଳରେ ବିକ୍ରି ହୁଏ । କେଲୋ ଦେଢ଼ଟଙ୍କା ସରିକି ହେବ । ଏଣେ ସାଧାରଣତଃ ଥଣ୍ତା ଦୁଧ ପିଇବା ହିଁ ଅଭ୍ୟାସ । ଦୁଧ କିଣି ଫ୍ରିଜରେ ରଖି ଦେଇଥାଆନ୍ତି, ବାହାର କରି ଥଣ୍ତା ଥଣ୍ତା ହିଁ ପିଅନ୍ତି ।

 

ବୁଢ଼ାବୁଢ଼ୀଙ୍କଠାରୁ ବିଦାୟ ନେଇ ଆମେ ଚାଲିଲୁ ଗେଲଜେନ୍-କୀର୍ ଷେନ୍ । ଏ ଗୋଟିଏ ଛୋଟ ଶିଳ୍ପନଗର । ଏଠି ଦୁଇଜଣ ଓଡ଼ିଆ ଇଞ୍ଜିନିୟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ ଓ ଶ୍ରୀ ଅପରାଜିତ ରାୟ ରହନ୍ତି । ଶ୍ରୀ ରାଜେନ୍ଦ୍ର ଏକ ବଡ଼ କାରଖାନାରେ ଉଚ୍ଚପାହ୍ୟାର ଦାୟିତ୍ଵରେ ଥିବା ସଙ୍ଗେ ସଙ୍ଗେ ଡକ୍ଟରେଟ୍ ପାଇଁ ଗବେଷଣା ମଧ୍ୟ କରୁଛନ୍ତି । ଉଭୟେ ଏଠି ସପରିବାରେ ଥା’ନ୍ତି । ଏମାନଙ୍କ ଛଡ଼ା ଏ ଅଞ୍ଚଳରେ ବହୁ ଭାରତୀୟ ଓ ବିଶେଷ କରି ଓଡ଼ିଆ ଇଞ୍ଜିନିୟର ଅଛନ୍ତି । ପଶ୍ଚିମ ଜର୍ମାନୀର ଯୁଦ୍ଧୋତ୍ତର ଶିଳ୍ପବିକାଶ ଏତେ ଦ୍ରୁତ ଗତିରେ ଘଟୁଛି ଯେ ଏଠି କାମ କରିବା ଲୋକଙ୍କ ଅଭାବ ରହୁଛି । ସେଥିପାଇଁ ଇଟାଲୀ, ଗ୍ରୀସ୍ ପ୍ରଭୃତି ଦକ୍ଷିଣ ୟୁରୋପରେ ଦେଶମାନଙ୍କରୁ ଏଠାକୁ ବହୁ ସଂଖ୍ୟାରେ ସାଧାରଣ ଶ୍ରମିକ ଆସିଛନ୍ତି ଓ ଆସୁଛନ୍ତି । ଆଫ୍ରିକାର ଉତ୍ତର ଉପକୂଳରୁ କେତେକ ନିଗ୍ରୋ ମଧ୍ୟ ଆସିଛନ୍ତି ଏବଂ ଭାରତ ଓ ପାକିସ୍ଥାନରୁ ଇଞ୍ଜିନିୟର ଆଦି ଶିକ୍ଷିତ ବିଶେଷଜ୍ଞ-

 

ଶ୍ରୀ ରାଜେନ୍ଦ୍ର ପ୍ରଭୃତିଙ୍କ ସହିତ ଆଲୋଚନା କରି ଜଣାଗଲା ଯେ ସେମାନେ ଏଠି କୌଣସି ପ୍ରକାରର ବର୍ଣ୍ଣବୈଷମ୍ୟର ମନୋଭାବ ଥିବାର ଲକ୍ଷ୍ୟ କରୁନାହାନ୍ତି, ଅବଶ୍ୟ ଜର୍ମାନୀ ଦେଶରେ ଜର୍ମାନମାନଙ୍କର ପ୍ରାଧାନ୍ୟ ରହିବା ସ୍ଵାଭାବିକ ଓ ନିଜ ଦେଶବାସୀଙ୍କ ସ୍ଵାର୍ଥକୁ ସେମାନେ ଜଗିଥାନ୍ତି, ତଥାପି ଅଧିକ ଦାୟିତ୍ଵ ଅର୍ପଣ, ପଦୋନ୍ନତି ଆଦି ବ୍ୟାପାରରେ ଆମର ଭାରତୀୟ ଇଞ୍ଜିନିୟରମାନେ କୌଣସି ପ୍ରକାରର ରଙ୍ଗଗତ ଭେଦଭାବର ସମ୍ମୁଖିନ ହେଇ ନାହାନ୍ତି ବୋଲି ପ୍ରକାଶ କଲେ ।

 

ଏଠି ଆମେ ଗୋଟିଏ ହାଟ ଦେଖିବାକୁ ଗଲୁଁ । ଗେଲଜେନ୍ କୀର୍‌ଷେନରେ ଏ ହାଟ ହପ୍ତାରେ ଦୁଇଥର–ଶନିବାର ଓ ବୁଧବାର ବସେ । ଆଖପାଖରେ ଚାଷୀମାନେ ପନିପରିବା, ଫଳ, ଅଣ୍ତା, ମାଂସ, ମାଛ ଓ ଶୁଖୁଆ ଆଦି ଆଣି ବିକ୍ରୀ କରନ୍ତି । ଆମ ଦେଶର ହାଟ ପରି ଧାଡ଼ି ଧାଡ଼ି ଚାଳିଆ ରହିଥାଏ । ପ୍ରଭେଦ ଏୟା ଯେ ଚାଳିଆର ଛପର ରଙ୍ଗବେରଙ୍ଗ କେରପାଲ ବା ପ୍ଳାଷ୍ଟିକର-। ପିଣ୍ତୀଗୁଡ଼ିକ ପକ୍କା ଓ ଜିନିଷପତ୍ର ସଜେଇ ରଖିବା ପାଇଁ ଟେବୁଲ ବା କାଉଣ୍ଟର ଓ ବସିବା ପାଇଁ ଚୌକୀ, ବେଞ୍ଚ ଆଦି ରହିଛି । କେତେକ ଚାଷୀ ଟ୍ରେଲରଭ୍ୟାନରେ ଜିନିଷପତ୍ର ଆଣିଥାନ୍ତି, ସେହି ଭ୍ୟାନ୍‌ର ଝରକା ଖୋଲିଦେଇ ଜିନିଷପତ୍ର ବିକ୍ରୀ ପାଇଁ ସଜେଇ ଦେଇଥାନ୍ତି । ବାକୀସବୁ କାରବାର ଆମରି ଏଠା ହାଟ ପରି । ଆମ ବାଇଗଣବାଲୀ ବୁଢ଼ୀ ପରି ସେଠି ବି ସ୍ତ୍ରୀ ଓ ପୁରୁଷବିକାଳୀମାନେ ପାଟିକରି ଡାକୁଥାନ୍ତି “ଆସ ଆସ ନିଅ ତଟକା ପିଆଜ, ଫୁଲକୋବି ।” “ନିଅ ନୂଆ ଆଳୁ, ତଟକା ପ୍ଳମ୍ ।” ବୁଝିଲି ଯେ ଏଠି ସମସ୍ତେ ଡକାହକା କରି ଗରାଖ ଯୁଟାଇଲେ ମଧ୍ୟ ଦର କଷାକଷିର ଅବକାଶ ନାହିଁ । ପ୍ରତି ହାଟପାଳିରେ ହାଟ ଆରମ୍ଭରୁ ଦର ନିର୍ଦ୍ଦିଷ୍ଟ କରି ଦିଆଯାଏ ଓ ସମସ୍ତେ ସେହି ଦରରେ ବିକନ୍ତି । ଏଭଳି ହାଟ ଜର୍ମାନୀର ସବୁ ଛୋଟ ଛୋଟ ସହରରେ ଲାଗେ ବୋଲି ଶୁଣିଲି-। ଯୁଗୋସ୍ଳୋଭିଆରେ ମଧ୍ୟ ଏକ ସାପ୍ତାହିକ ହାଟ ଦେଖିଥିଲି । ସେଠି ବି ସବୁ କାରବାର ଏହିପରି-। ସେଠି ଦେଖିଲି ଯେ ପରିବା ତୌଲିବା ପାଇଁ ଆମ ଗାଁମାନଙ୍କରେ ପୂର୍ବରୁ ଚଳୁଥିବା ବିଶାକାଠି ଏବେ ବି ଚଳୁଛି ।

 

ଏସେନ୍ ଚତୁଃପାର୍ଶ୍ଵର ରୁର୍ ଅଞ୍ଚଳ ଜର୍ମାନୀର ଓ ବୋଧହୁଏ ପୃଥିବୀର ସବୁଠାରୁ ଅଧିକ ଶିଳ୍ପସମୃଦ୍ଧ କ୍ଷେତ୍ର । ସନ୍ଧ୍ୟାରେ ପ୍ରାୟ ଶହେ ମାଇଲ ଖଣ୍ତେ ମଟରରେ ଚକ୍କର କାଟି ଏ ଅଞ୍ଚଳ ଉପରେ ଥରେ ଆଖି ପକେଇ ନେଲୁଁ । ଅସଂଖ୍ୟ ସାନ ବଡ଼ କାରାଖାନା, କିନ୍ତୁ ଆମ ଦେଶର କାରଖାନା ପାଖ ଆଖରେ ଯେପରି ସ୍ତୁପୀକୃତ ଆବର୍ଜନା ଓ ମାଳିନ୍ୟ ଦେଖିବାକୁ ମିଳେ ସେଭଳି ଆଦୌ ନାହିଁ । ସବୁ ବେଶ୍ ପରିଷ୍କାର ପରିଚ୍ଛନ୍ନ । ଅନେକ କ୍ଷେତ୍ରରେ କାରଖାନା ଚାରିପଟେ ସୁନ୍ଦର ବଗିଚା ରହିଛି । ଏଠି ଆମର ଇଞ୍ଜିନିୟର ବନ୍ଧୁମାନେ ଗୋଟାଏ ସ୍ଥାନରେ ଥିବା ଚାରି ପାଞ୍ଚଟା ଛୋଟ ଇସ୍ପାତ୍ କାରଖାନା ପ୍ରତି ମୋର ଦୃଷ୍ଟି ଆକର୍ଷଣ କଲେ । ଏଥିରୁ ପ୍ରତ୍ୟେକଟିରେ ମାତ୍ର ଅଳ୍ପ କେତେ ହଜାର ଟନ୍ ଇସ୍ପାତ୍ ଉତ୍ପନ୍ନ ହୁଏ ମାତ୍ର ତାହା ଖୁବ୍ ଉଚ୍ଚକୋଟିରେ ହୋଇଥାଏ । ସେମାନଙ୍କ ବିଚାରରେ ଭାରତରେ ଏହିଭଳି ଛୋଟ ଛୋଟ ଇସ୍ପାତ୍ ଓ ଅନ୍ୟ କାରଖାନା ସ୍ଥାପନ କରିବା ହିଁ ଯୋଜନାର ଲକ୍ଷ୍ୟ ହେବା ଉଚିତ, ଅଳ୍ପ କେତେଟା ଅତି ବୃହତ୍ କାରଖାନା ନୁହେଁ । ମୁଁ ମଧ୍ୟ ସେମାନଙ୍କ ସହ ଏକମତ ହେଲି ।

 

ଏହା ଭିତରେ ଦୁଇଟି ଉଦ୍ୟାନ ମଧ୍ୟ ଦେଖିଲୁ । ଗୋଟିଏ ରୁର୍ ନଈକୂଳରେ । ଏସବୁ ଉଦ୍ୟାନର ଏଠା ମୁନିସିପାଲଟି ରକ୍ଷଣାବେକ୍ଷ କରନ୍ତି । ବିରାଟ ଆୟତନ । ଖୁବ୍ ସୁନ୍ଦର ଭାବରେ ସଜ୍ଜିତ । ଖରାଦିନ ବୋଲି ନାନା ଜାତିର ନାନାରଙ୍ଗର ଫୁଲ ଚାରିଆଡ଼େ ରଙ୍ଗର ନିଆଁ ଲଗେଇ ଦେଇଥାନ୍ତି । ପିଲାଙ୍କର ଖେଳିବା ପାଇଁ ମଧ୍ୟ ଏଠି ନାନା ପ୍ରକାରର ବ୍ୟବସ୍ଥା, ବିରାଟ ନାଗର-ଦୋଳା ଆଦି ରହିଥାଏ । ଗୋଟାଏ ପାର୍କରେ ପ୍ରବେଶ କରିବାକୁ ତ ଟିକଟର ବ୍ୟବସ୍ଥା ଥାଏ । ଶହ ଶହ ବା ହଜାର ହଜାର ଲୋକ ତାହା ଭିତରେ ଗ୍ରୀଷ୍ମ ସନ୍ଧ୍ୟାର ଆନନ୍ଦ ଉପଭୋଗ କରି ବୁଲୁଥାନ୍ତି ।

Image

 

ଛଅ

ବର୍ଲିନରେ ବିଚାର ଚକ୍ର

 

ମଇ ୩୧ ତାରିଖ । ଡୁସେଲ୍ ଡର୍ଫରୁ ପଶ୍ଚିମ ବର୍ଲିନ୍‌, ପଚାଶ ମିନିଟ୍ । ଏଠି ଆଠ ଦିନ ରହଣୀ ହେବ । ମୋର ୟୁରୋପ ଯାତ୍ରାର ପ୍ରଧାନ ଉଦ୍ଦେଶ୍ୟ ଯେଉଁ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଯୋଗ ଦେବା, ତାହା ଏଇଠି ଚାଲିବ । ଏଠି ରହିବାର ବ୍ୟବସ୍ଥା ଟେଲିଭିଜନ୍ ସଂସ୍ଥା ପକ୍ଷରୁ ବର୍ଲିନ୍‌ ହିଲ୍‌ଟନ୍ ହୋଟେଲରେ ହେଇଥିଲା । ବିରାଟ ହୋଟେଲ, ବ୍ୟବସ୍ଥାରେ ଆଧୁନିକ ଆଭିଯାତ୍ୟର ଚରମ । ତାହା ଭିତରେ ପହଞ୍ଚି ମୋ ଭଳି ମଫସଲୀ ଓ ବଣୁଆ ଲୋକ ତ ପ୍ରଥମେ ବଣା ହୋଇଗଲା । କ୍ରମେ ତାର ବାଗବର୍ଗ ସବୁ ଜଣା ପଡ଼ିଲା ପରେ ମଣିଷ ଟିକେ ସ୍ଵସ୍ତି ଅନୁଭବ କଲା-

 

ପ୍ରଥମ ଦିନ ସଂଧ୍ୟାରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆସିଥିବା ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଟେଲିଭିଜନ୍ କର୍ମୀମାନେ ପରସ୍ପର ପରିଚିତ ହେବାର ଏହା ପ୍ରଥମ ସୁଯୋଗ ଯୋଗାଇଲା । ଏହାଛଡ଼ା କାର୍ଯ୍ୟକ୍ରମର ରୂପରେଖ ଓ ତାହା ରେକର୍ଡ଼ କରିବାର ପଦ୍ଧତି, ସମୟ ନିର୍ଘଣ୍ଟ ଆଦି ବିଷୟରେ ମଧ୍ୟ ସୂଚନା ଏଠି ଦିଆଗଲା ଓ ପରସ୍ପର ଆଲୋଚନା ପରେ ସେ ସବୁଥିରେ କିଛି କିଛି ପରିବର୍ତ୍ତନ କରିବା ମଧ୍ୟ ସ୍ଥିର ହେଲା ।

 

ଟେଲିଭିଜନ୍ କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା ବିଶ୍ଵର ସମସ୍ୟା, ବିଶ୍ଵଧର୍ମ : ଏକ ମୁକାବିଲା । ଏଥିରେ ସେମାନେ ପୃଥିବୀର ବର୍ତ୍ତମାନର ସବୁଠାରୁ ଉତ୍କଟ ସମସ୍ୟାସବୁ, ଦାରିଦ୍ର୍ୟ, ଶୋଷଣ, ବେକାରୀ, ଅନାହାର, ଲୋକସଂଖ୍ୟା ବୃଦ୍ଧି, ରଙ୍ଗଭେଦ, ସଂକୀର୍ଣ୍ଣ ରାଷ୍ଟ୍ରୀୟତା, ଜାତିଭେଦ, ବ୍ୟକ୍ତି ସ୍ଵାତନ୍ତ୍ର୍ୟ ଉପରେ ଆକ୍ରମଣ, ହିଂସା, ସମାଜରେ ସ୍ତ୍ରୀପୁରୁଷଙ୍କର ସଂପର୍କ ଓ ଅଧିକାର ଭେଦ ଆଦିକୁ ନେଇଥିଲେ । ଏବଂ ଏ ସବୁର ପ୍ରତିକାର ବିଷୟରେ ପୃଥିବୀର ପ୍ରଧାନ ପ୍ରଧାନ ଧାର୍ମିକ ବିଚାରଧାରା ଭିତରେ ଅଦ୍ୟତନ ବିଚାର ଓ ଉଦ୍ୟମ କଣ ଚାଲିଛି ତାହାର ପରିଚୟ ଦେବାକୁ ପୃଥିବୀର ପାଞ୍ଚଟି ମୁଖ୍ୟ ଧର୍ମ ତଥା ମାର୍କସବାଦର ପ୍ରତ୍ୟେକର ଦୁଇଜଣ ଲେଖାଁ ପ୍ରବକ୍ତାଙ୍କୁ ନିମନ୍ତ୍ରଣ ଦେଇଥିଲେ । ଟେଲିଭିଜନରେ ପ୍ରଥମେ କୋଡ଼ିଏ ମିନିଟ୍ ଏସବୁ ସମସ୍ୟାର ଚିତ୍ରଣ କରୁଥିବା ତଥ୍ୟମୂଳକ ଫିଲିମ୍ ଦେଖାଇ ତା’ପରେ ସେ ସବୁ ବିଷୟରେ ଆମନ୍ତ୍ରିତ ବ୍ୟକ୍ତିମାନଙ୍କର ମତାମତ ପଚରାଯାଉଥିଲା ଓ ଆଲୋଚନା କରାଯାଉଥିଲା ।

 

ପୃଥିବୀର ପାଞ୍ଚଟି ପ୍ରଧାନ ଧର୍ମ : ହିନ୍ଦୁ, ବୌଦ୍ଧ, ଇସଲାମ, ଖ୍ରୀଷ୍ଟ ଓ ଇହୁଦୀ ଧର୍ମମାନଙ୍କ ବିଷୟରେ କହିବା ପାଇଁ ପ୍ରତ୍ୟେକରୁ ଦୁଇଜଣ ଲେଖାଁ ଦଶଜଣ ଓ ମାର୍କସବାଦ ବିଷୟରେ କହିବା ପାଇଁ ଦୁଇଜଣ, ମୋଟ ବାରଜଣ ଏଥିପାଇଁ ନିମନ୍ତ୍ରିତ ହେଇଥିଲେ । ଏମାନେସବୁ ହେଲେ, ଜାପାନର ଟୋକିଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡଃ ହେଜିମେ ନାକାମୁରା, ଲଙ୍କା ବିଶ୍ୱବିଦ୍ୟାଳୟର ଓ ଏବେ ପ୍ୟାରିସରେ ଥିବା ଡଃ ରାହୁଲ ଗୁଣବର୍ଦ୍ଧନ, ଇସ୍ରାଏଲର ଅଧ୍ୟାପକ ଭେର୍ ବ୍ଳୋସକୀ ଓ ପ୍ୟାରିସର ରାବବୀ ଆଇଜେନବର୍ଗ (ଇହୁଦୀମତ), ପାକିସ୍ଥାନର ଅଧ୍ୟାପକ ଫଜଲୁର୍ ରହମାନ୍ (ବର୍ତ୍ତମାନ ଯୁକ୍ତରାଷ୍ଟ୍ରର ଶିକାଗୋ ବିଶ୍ଵବିଦ୍ୟାଳୟରେ ) ଓ ଟୁନିସିଆ ବିଶ୍ଵବିଦ୍ୟାଳୟର ଡଃ ବୁର୍‌ଦିବା, ପଶ୍ଚିମ ବର୍ଲିନ୍‌ର ଡଃ ହେଲମୁଟ୍ ଗୋଲଓ୍ଵିଟଜର, ବ୍ରାଜିଲ୍‌ର କାମାରାର ଆର୍କ ବିଶପ’ (ପ୍ରଧାନ ଧର୍ମଯାଜକ) ଡମ୍ ହେଲଡର୍, ଯୁଗୋସ୍ଳାଭିଆର ଜାଗ୍ରେବ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ବୋସ୍‌ନିୟାକ୍, ଫ୍ରାନ୍‌ସର ପ୍ରଫେସର ଗାରୋଦୀ ଏବଂ ଭାରତରୁ କଲିକତା ବିଶ୍ଵବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରଧାନ ଅଧ୍ୟକ୍ଷ ଡ: ଜିତେନ୍ଦ୍ରନାଥ ମହାନ୍ତି ଓ ମୁଁ ।

 

ଡ: ନାକାମୁରା, ଦର୍ଶନଶାସ୍ତ୍ରର ଅଧ୍ୟାପକ । ସଂସ୍କୃତରେ ପଣ୍ତିତ । ‘ବ୍ରହ୍ମସୂତ୍ର’ର ଅନୁବାଦ ଜାପାନୀ ଭାଷାରେ କରିଛନ୍ତି । ଅନେକ ଥର ଭାରତ ଆସିଛନ୍ତି । ଭାରତ ପ୍ରତି ତାଙ୍କର ପ୍ରଗାଢ଼ ପ୍ରୀତି ରହିଛି, କାରଣ ଭାରତ ହିଁ ଜାପାନକୁ ବୌଦ୍ଧଧର୍ମ ଦେଇଛି ।

 

ଡ: ରାହୁଲ ମଧ୍ୟ ଦର୍ଶନଶାସ୍ତ୍ରବିଦ୍, ପ୍ରଗତିଶୀଳ ବିଚାରର ପରିପୋଷକ । ଶ୍ରୀମତୀ ଶିରମାଓ ଭଣ୍ତାରନାୟକେଙ୍କର ସମର୍ଥକ । ଶ୍ରୀମତୀ ଭଣ୍ତାରନାୟକେଙ୍କର କ୍ଷମତାରୁ ପତନ ଯୋଗୁଁ ଲଙ୍କାରେ ତାଙ୍କର ଆସ୍ଥାନ ଟଳମଳ ହେଇଥିଲା । ବର୍ଲିନରେ ଥିବାବେଳେ ଶ୍ରୀମତୀ ଭଣ୍ତାରନାୟକେଙ୍କର ପୁଣି ବିଜୟ ହେବାର ସଂବାଦ ପାଇ ଉତଫୁଲ୍ଲ ହେଲେ ।

 

ଡ: ଭେର୍‌ବ୍ଳୋସକୀକୁ ତୁଳନାମୂଳକ ଧର୍ମର ଅଧ୍ୟାପକ, ଖୁବ୍ ବିଦ୍ଵାନ ଓ ଖୁବ୍ ରସିକ ମଧ୍ୟ । ଅତି ଗୁରୁଗମ୍ଭୀର ଶୁଷ୍କପାଣ୍ତିତ୍ୟର ବାତାବରଣକୁ ରସିକତାପୂର୍ଣ୍ଣ ମନ୍ତବ୍ୟଦ୍ଵାରା ହାଲୁକା ଓ ସରସ କରିଦେବାରେ ସିଦ୍ଧହସ୍ତ । ଅଧ୍ୟାପକ ଫଜଲୁର ରହମାନ୍ ପାକିସ୍ଥାନର ପୂର୍ବତନ ଶାସକ ସେନାପତି ଆୟୁବ୍ ଖାଁଙ୍କର ପରାମର୍ଶଦାତା ଥିଲେ । ଆୟୁବଙ୍କ ପତନ ପରେ ଏକରକମ ଦେଶତ୍ୟାଗୀ ହେଇଯାଇ ଆମେରିକାରେ ରହିଛନ୍ତି । ଡ: ଗୋଲଓ୍ଵୀଟ୍‌ଜର ଜଣେ ପ୍ରଗତିଶୀଳ ଚିନ୍ତୁକ, ୟୁରୋପରେ ସୁପରିଚିତ । ଖ୍ରୀଷ୍ଟଧର୍ମରେ ଚର୍ଚ୍ଚ ସଂଗଠନର ବ୍ୟକ୍ତିସ୍ଵାତନ୍ତ୍ର୍ୟ ବିରୋଧୀ ପ୍ରଭାବର ସମାଲୋଚକ, ସାମାଜିକ ଅସମାନତାର ମଧ୍ୟ ବିରୋଧୀ । ପ୍ରଫେସର ଗାରୋଦୀ ଫରାସୀ କମ୍ୟୁନିଷ୍ଟ ପାର୍ଟିର ଜଣେ ମୁଖ୍ୟ ସଦସ୍ୟ ଥିଲେ । ଲେଖକ ଓ ଚିନ୍ତୁକ ଭାବରେ ମଧ୍ୟ ସାରା ୟୁରୋପରେ ସୁପରିଚିତ । ଚେକୋସ୍ଳୋଭିକିଆରେ ରୁଷ୍ ଆଦି ପଞ୍ଚଶକ୍ତିର ହସ୍ତକ୍ଷେପର ତୀବ୍ର ସମାଲୋଚନା କରିବା ଫଳରେ ତାଙ୍କୁ ଏବେ ଫରାସୀ କମ୍ୟୁନିଷ୍ଟ ଦଳରୁ ଅଲଗା ହେବାକୁ ପଡ଼ିଛି, କାରଣ ଉପରୋକ୍ତ ଦଳ ରୁଷ୍‌ର ନୀତିର ଆଖିବୁଜା ସମର୍ଥକ । ଅନ୍ୟମାନେ ମଧ୍ୟ ବିଶିଷ୍ଟ ବିଦ୍ଵାନ ଓ ଏ ମଣ୍ତଳୀର ବିଶେଷତ୍ଵ ହେଲା ଯେ ଏଥିରେ ପ୍ରାୟ ସମସ୍ତଙ୍କର ବିଶ୍ଵବ୍ୟାପୀ ଉଦାରଦୃଷ୍ଟି ରହିଥିଲା-। ଧର୍ମଗତ ବା ରାଷ୍ଟ୍ରଗତ ସଂକୀର୍ଣ୍ଣତାର ଦର୍ଶନ କ୍ୱଚିତ୍ ମିଳୁଥିଲା ।

 

ତେବେ ସମସ୍ତଙ୍କ ଭିତରେ ଜଣେ ମଣିଷ ପରି ମଣିଷ ହେଲେ କାମାରାର ଆର୍କବିଶପ୍ ଡମ୍ ହେଲ୍‌ଡର୍ । ଏଇ ଜଣେ ମହାନ୍ ବ୍ୟକ୍ତିଙ୍କର ଦର୍ଶନ ପାଇବାଦ୍ଵାରା ହିଁ ଜାଣି ମୋର ବର୍ଲିନ ଯାତ୍ରା ସାର୍ଥକ ହେଇଗଲା । କ୍ଷୀଣକାୟ, ବାଙ୍ଗରା, ସୌମ୍ୟଦର୍ଶନ ବୃଦ୍ଧ, ବୟସ ଅଠଷଠି ସତୁରି ହେବ । ବିଶପଙ୍କର ପରଂପରାଗତ ପୋଷାକ ପାଦଯାଏ ଲମ୍ଵ କଳା ଆଲ୍ ଖାଲ୍ଲାରେ ଭୂଷିତ । ମୁହଁରେ ସବୁବେଳେ ସ୍ମିତହାସ୍ୟ ଲାଗି ରହିଛି । କଥାବାର୍ତ୍ତା ଓ ଅପର ଲୋକଙ୍କ ସହ ବ୍ୟବହାରରେ ସ୍ନେହ ଓ ବିନୟ ଝରିପଡ଼ୁଛି । ଅଥଚ ହୃଦୟ ଭିତରେ ବିପ୍ଳବର ନିଆଁ । ବିନୋବା ଓ ଜୟପ୍ରକାଶଙ୍କର ଯୋଡ଼ି ।

 

ଦକ୍ଷିଣ ଆମେରିକାର ଅନ୍ୟ ଅଧିକାଂଶ ଦେଶ ଭଳି ବ୍ରାଜିଲ୍‌ର ସମସ୍ତ ଜମିବାଡ଼ି ସମ୍ପତ୍ତି ମୁଷ୍ଟିମେୟ ବଡ଼ଲୋକଙ୍କ ହାତରେ ଏବଂ ଏମାନେ ପୁଣି ହେଲେ ଯୁକ୍ତରାଷ୍ଟ୍ରର ମୁଷ୍ଟିମେୟ ସୁବୃହତ୍ ବ୍ୟବସାୟ ପ୍ରତିଷ୍ଠାନଙ୍କର ନିୟନ୍ତ୍ରଣରେ । ଏଇ ବ୍ୟବସାୟ ପ୍ରତିଷ୍ଠାନମାନେ ହିଁ ଏସବୁ ଦେଶର ଅର୍ଥନୀତି ଓ ରାଜନୀତି ନିଜ ସ୍ଵାର୍ଥରେ ପରିଚାଳିତ କରନ୍ତି । ଆମେରିକାର ନିର୍ଦ୍ଦେଶରେ ହିଁ ଏ ସବୁ ଦେଶର ସରକାର ଗଢ଼ା ହେଇଥାଏ । ଗଣତନ୍ତ୍ରର ଚିହ୍ନ ସୁଦ୍ଧା ନାହିଁ କିମ୍ଵା ଅଛି ତ କେବଳ ଉପରଦେଖାଣିଆ ଲୋକଭୁଲାଣିଆ ଭାବରେ । ସରକାର ସାଧାରଣତଃ ବଦଳେ ସଶସ୍ତ୍ର ବିଦ୍ରୋହ ଦ୍ଵାରା ଏବଂ ସାଧାରଣତଃ ପରସ୍ପର ବିବଦମାନ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ସାମରିକ ବାହିନୀର ସାହାଯ୍ୟ ନେଇ ଏଭଳି ବିଦ୍ରୋହ କରିଥାନ୍ତି । କେତେବେଳେ କେମିତି ସାଧାରଣ ଲେକଙ୍କ ସ୍ଵାର୍ଥକୁ ଜଗିବା ଭଳି ସରକାର କ୍ଷମତାକୁ ଆସିଲେ ଓ ଜନତାର ସ୍ଵାର୍ଥଦୃଷ୍ଟିରୁ ବଡ଼ ଧନୀକ ଓ ଆମେରିକାନ ବ୍ୟବସାୟ ପ୍ରତିଷ୍ଠାନମାନଙ୍କର ସ୍ଵାର୍ଥ ତିଳେମାତ୍ର ଖର୍ବ କରିବାକୁ ଚାହିଁଲେ ସେ ସରକାର ମୁଣ୍ତରେ ଛଞ୍ଚାଣ ଉଡ଼ନ୍ତି ଓ ଚବିଶ ଘଣ୍ଟା ଭିତରେ ତା’ର ପତନ ହୁଏ । ଏହାର ଅଦ୍ୟତନ ଦୃଷ୍ଟାନ୍ତ ଆମେରିକାର କ୍ଷୁଦ୍ର ଦେଶ ଡୋମିନିକାନ୍ ଗଣତନ୍ତ୍ର ।

 

ବ୍ରାଜିଲ୍‌ରେ ଏକ ଛତ୍ରବାଦୀ ସାମରିକ ଶାସନ ଚାଲିଛି ଓ ସ୍ଵଭାବତଃ ବ୍ୟକ୍ତିସ୍ଵାତନ୍ତ୍ର୍ୟର ଦର୍ଶନ ନାହିଁ । ଗାଁଗହଳରେ ସାଧାରଣ ଲୋକଙ୍କର ଅବସ୍ଥା ଅର୍ଦ୍ଧକ୍ରୀତଦାସ ପରି । ଏ ଅବସ୍ଥାର ଅବସାନ ଘଟାଇବା ପାଇଁ ଗୋଟାଏ ଆଡ଼େ ଫିଡେଲ୍ କାସ୍ତ୍ରୋ ଓ ଚେ ଗୁଏଭାରାଙ୍କଠାରୁ ପ୍ରେରଣା ନେଇ ସଶସ୍ତ୍ର ବିପ୍ଳବର ଉଦ୍ୟମ ହେଉଛି ତ ଅନ୍ୟ ଦିଗରେ ଡମ୍ ହେଲ୍‌ଡ଼ରର୍ଙ୍କ ନେତୃତ୍ଵରେ “ସ୍ଵାତନ୍ତ୍ର୍ୟ ଓ ନ୍ୟାୟ ପାଇଁ ଆନ୍ଦୋଳନ” ନାମରେ ଏକ ଅହିଂସା ଉଦ୍ୟମ ଆରମ୍ଭ ହେଇଛି । ବ୍ରାଜିଲ୍‌ରେ କ୍ୟାଥଲିକ ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି ଓ ଏହି କ୍ୟାଥଲିକ ଧର୍ମଯାଜକଙ୍କ ଭିତରୁ ହିଁ ଅନେକେ ଏ ଆନ୍ଦୋଳନରେ ଅଗ୍ରଣୀ ହେଇଛନ୍ତି । ଗରୀବ ଲୋକଙ୍କୁ ସଂଗଠିତ ଓ ଶକ୍ତିଶାଳୀ କରିବା ତଥା ନୈତିକ ପ୍ରଭାବ ବିସ୍ତାର କରି ଧନୀ ଲୋକଙ୍କର ହୃଦୟ ପରିବର୍ତ୍ତନ ଘଟାଇବା ଏ ଆନ୍ଦୋଳନର ଉଦ୍ଦେଶ୍ୟ ।

 

ସ୍ଵଭାବତଃ ସେ ଦେଶର କ୍ଷମତାସୀନ ଗୋଷ୍ଠୀ ଏ ଆନ୍ଦୋଳନର ବିରୋଧୀ ଓ ଡମ୍ ହେଲ୍‌ଡ଼ରଙ୍କର ବହୁ ସହକର୍ମୀଙ୍କୁ ସେମାନେ ଗୁପ୍ତ ଘାତକଙ୍କ ଦ୍ଵାରା ହତ୍ୟା କରିଛନ୍ତି । ଆହୁରି ଅନେକେ ବନ୍ଦୀ ହେଇଛନ୍ତି । ବୋଧହୁଏ ଡମ୍ ଆର୍କବିଶିପ ବୋଲି ଏ ପର୍ଯ୍ୟନ୍ତ ତାଙ୍କ ଦେହରେ ହାତ ହେବା ସାହସ କରିନାହାନ୍ତି ।

 

ଡମ୍ ହେଲ୍‌ଡ଼ର ଗାନ୍ଧୀ ଓ ବିନୋବାଙ୍କ ଜୀବନ ଓ ଆଦର୍ଶ ସହିତ ସୁପରିଚିତ ଓ ସେଇଥିରୁ ପ୍ରେରଣା ନେଇ କାମ କରୁଛନ୍ତି । ଅବଶ୍ୟ ଯୀଶୁଙ୍କର ଜୀବନର ମହାନ ଆଦର୍ଶ ଓ ପ୍ରେରଣା ତ ମୂଳରେ ରହିଛି ହିଁ । ମୁଁ ବିନୋବାଙ୍କ ଆନ୍ଦୋଳନରେ କାମ କରେ ବୋଲି ଶୁଣି ସେ ଖୁବ୍ ଆଗ୍ରହରେ ମୋ ସହିତ ଆଳାପ କଲେ ଓ ବିନୋବା ତଥା ଗ୍ରାମଦାନ ଆନ୍ଦୋଳନ ବିଷୟରେ ଅଦ୍ୟତନ ସମାଚାର ତନ୍ନ ତନ୍ନ କରି ପଚାରି ବୁଝିଲେ । ବିନୋବାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଟେପରେକର୍ଡ଼ ମାଧ୍ୟମରେ ଦେଲେ । ସେଥିରେ ସେ କହିଛନ୍ତି :

 

“ବିନୋବା, ମୁଁ ଆପଣଙ୍କୁ ଭଲ ପାଏ । ଆପଣଙ୍କ କାମର ସାଫଲ୍ୟ ପାଇଁ ପ୍ରାର୍ଥନା କରେ । ଆପଣ ଓ ଆପଣଙ୍କର ମହାନ୍ ସହକର୍ମୀମାନେ ଯେଉଁ କାମ କରୁଛନ୍ତି ତାହା ଭାରତକୁ ଯାଇ ଦେଖିବାର ମୋର ବାସନା ରହିଛି । ମୁଁ ଆଶା କରୁଛି ଯେ ଆପଣଙ୍କର କାର୍ଯ୍ୟ ଶୀଘ୍ର ସଫଳ ହେବ ଓ ଭାରତର ଜନତାକୁ ମୁକ୍ତି ଦିଆଇବ ।”

 

ଟେଲିଭିଜନ୍ କାର୍ଯ୍ୟକ୍ରମରେ ଯେତେବେଳେ ହିଂସା ଅହିଂସା ବିଷୟରେ ଆଲୋଚନା ହେଲା ଓ ଚାରିଆଡ଼େ ନାନାପ୍ରକାର ଅଶାନ୍ତି ଓ ହିଂସାତ୍ମକ ବିକ୍ଷୋଭର ପ୍ରାଦୁର୍ଭାବ ବଢ଼ିଚାଲିବା ନେଇ ଚିନ୍ତା ବ୍ୟକ୍ତ କରାଗଲା ସେତେବେଳେ ଡମ୍ ହେଲ୍‌ଡ଼ର କହିଲେ: “ଦୁନିଆର ହିଂସା ବଢ଼ିଲା ବୋଲି ସାଧାରଣତଃ ଯେଉଁମାନେ ଚିନ୍ତାନ୍ଵିତ ହୋଇଥାନ୍ତି ସେମାନଙ୍କ ଆଖି କେବଳ ଦଳିତ ଜନତା ତଥା ଛାତ୍ର ଓ ଯୁବକମାନେ କରୁଥିବା ହିଂସା ଉପରେ ପଡ଼ୁଛି, ମାତ୍ର ଏ ସବୁଠାରୁ ଯେ ଅନେକ ଗୁଣ ଅଧିକ ହିଂସା ଜନସାଧାରଣଙ୍କର ଦମନ ଓ ଶୋଷଣ ନିମନ୍ତେ କରାଯାଉଛି ତାହା ଏମାନଙ୍କ ଆଖିରେ ପଡ଼ୁ ନାହିଁ ।”

 

“ଆର୍ଥିକ ସମ୍ପଦ ଓ କ୍ଷମତା କରାୟତ କରି ଜନତାକୁ ଶୋଷଣ କରିବା ହେଲା ଗୋଟାଏ ପ୍ରକାରର ହିଂସା । ରାଜନୀତିକ କ୍ଷମତା ଅପହରଣ କରି ଜନତାର ସ୍ଵାତନ୍ତ୍ର୍ୟ ଅପହରଣ କରିବା ଓ ତାହାକୁ ଦମନ କରିବା ହେଲା ଦ୍ଵିତୀୟ ପ୍ରକାରର ଓ ସଂଗଠିତ ସୈନ୍ୟବାହିନୀ ମାଧ୍ୟମରେ ଦେଶ ଦେଶ ଭିତରେ ଯୁଦ୍ଧର ଆୟୋଜନ କରିବା ହେଲା ଆଉ ଏକ ହିଂସା । ଖ୍ରୀଷ୍ଟାନ୍ ଚର୍ଚ୍ଚ ସଂଗଠନ ଗୋଟିଏ ଖୁବ୍ ସୁନ୍ଦର ଜିନିଷ; କିନ୍ତୁ ଅତି ଦୁଃଖର କଥା ଯେ ଉପରୋକ୍ତ ହିଂସା ସମୂହର ବିରୋଧ କରିବାର ସାହସ ଏହାର ନାହିଁ । ଏସବୁ ହିଂସାର ନିରାକରଣ ନ କରି କେବଳ ତା’ର ପ୍ରତିକ୍ରିୟାରୂପେ ଘଟୁଥିବା ଜନତାର ଓ ଯୁବକଗୋଷ୍ଠୀର ହିଂସାର ସମାଲୋଚନା କଲେ ଦୁନିଆରୁ ହିଂସା ଲୋପ ହେବ ନାହିଁ ।”

 

“କ୍ୟୁବାର ବିପ୍ଳବ ଦକ୍ଷିଣ ଆମେରିକାର ଜନତା ପାଇଁ ଏକ ଆଦର୍ଶ ଓ ପ୍ରେରଣାର ବସ୍ତୁ ହେଇଛି । କିନ୍ତୁ ଦକ୍ଷିଣ ଆମେରିକାର ପ୍ରତ୍ୟେକ ଦେଶରେ ବିପ୍ଳବକୁ ଦବାଇବା ପାଇଁ ଘେରିଲା ପ୍ରତିରୋଧୀ । ସୈନ୍ୟ ଦଳ ଆମେରିକା ଯୁକ୍ତରାଷ୍ଟ୍ରର ସାହାଯ୍ୟ ନେଇ ଗଢ଼ା ଯାଉଛି । ବ୍ରେଜିଲ୍‌ରେ ବହୁ ଯୁବକ ସଶସ୍ତ୍ର ବିପ୍ଳବ ପାଇଁ ଉଦ୍ୟମ କରୁଛନ୍ତି । ମୋର ସେମାନଙ୍କ ପ୍ରତି ଶ୍ରଦ୍ଧା ରହିଛି । କାରଣ ସାଧାରଣ ଜନତା ପ୍ରତି କରୁଣାଦ୍ଵାରା ପ୍ରେରିତ ହେଇ ସେମାନେ ଏଭଳି କରୁଛନ୍ତି । ସେମାନଙ୍କୁ ବୁଝାଇବାକୁ ହେବ ଯେ ବିରୋଧୀମାନଙ୍କ ଅସ୍ତ୍ରରେହିଁ ସେମାନଙ୍କ ସହିତ ଲଢ଼ିବାକୁ ଗଲେ ଆମେ କେବେ ପାରିବା ନାହିଁ । ଆମକୁ ନୂଆ ଓ ଶକ୍ତିଶାଳୀ ଅସ୍ତ୍ର ଗ୍ରହଣ କରିବାକୁ ହେବ । ଅହିଂସା ହେଉଛି ଏହିଭଳି ଏକ ନୂଆ ଏ ଶକ୍ତିଶାଳୀ ଅସ୍ତ୍ର ।”

 

ସେ ପୁଣି କହିଲେ—“ଏ ଏକ ଅତି ବଡ଼ କଥା ଯେ ଆମେ ଏତେ ଧର୍ମର ଲୋକ ଏଠି ଏକତ୍ର ହେଇଛୁ । ଏହା ଏ ଯୁଗର ଆତ୍ମାର ଏକ ପ୍ରତୀକ ଓ ପୃଥିବୀ ପକ୍ଷରେ ଏକ ବଡ଼ ଆଶାର ବସ୍ତୁ । ଆମେ ଯଦି ଧର୍ମର ଛୋଟ ଛୋଟ ଗଣ୍ତୀ ଭିତରେ ଆବଦ୍ଧ ରହି ଛୋଟ ଛୋଟ ସମସ୍ୟାର ଆଲୋଚନାରେ ହିଁ ବୁଡ଼ି ରହୁଁ ତେବେ ଆମେ ବିଶ୍ଵ ସମସ୍ୟାର ସମ୍ମୁଖୀନ ହେବାର ଶକ୍ତି ଅର୍ଜନ କରି ପାରିବା ନାହିଁ । ଆମେ ଯଦି ସମସ୍ତେ ଏକଜୁଟ ହେଇ ଏକ ସର୍ବସମ୍ମତ ପନ୍ଥା ଧରୁ ତେବେ ବିଶ୍ଵର ଯୁବଗୋଷ୍ଠୀ ମଧ୍ୟ ଆମ ସାଙ୍ଗକୁ ଆସିବ ।”

Image

 

ସାତ

ବିଭକ୍ତ ନଗରୀ, ବିଭକ୍ତ ଦେଶ

 

ଗତ ଦ୍ଵିତୀୟ ମହାଯୁଦ୍ଧରେ ଜର୍ମାନୀର ପରାଜୟ ଓ ଜର୍ମାନ-ସୈନ୍ୟବାହିନୀର ଆତ୍ମସମର୍ପଣବେଳେ ଇଂଲଣ୍ତ, ଫ୍ରାନ୍‌ସ, ଆମେରିକା ଯୁକ୍ତରାଷ୍ଟ୍ର ଓ ସୋଭିଏତ୍ ଯୁକ୍ତରାଷ୍ଟ୍ର, ଏହି ଚାରି ଶକ୍ତିର ସୈନ୍ୟବାହିନୀ ଜର୍ମାନୀର ବିଭିନ୍ନ ଅଂଶକୁ ଦଖଲ କରିଥିଲେ । ଏହି ଦଖଲ ଅନୁସାରେ ପାଶ୍ଚାତ୍ୟ ଶକ୍ତି ଦଖଲରେ ଥିବା ଅଂଶ ପଶ୍ଚିମ-ଜର୍ମାନୀ ଓ ରୁଷ୍ ଦଖଲରେ ଥିବା ଅଂଶ ପୂର୍ବ ଜର୍ମାନୀ ଏହି ଭଳି ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା । ଜର୍ମାନୀର ରାଜଧାନୀ ବର୍ଲିନ୍‌ ମଧ୍ୟ ଦୁଇ ଭାଗରେ ବିଭକ୍ତ ହେଇ ତା’ର ପଶ୍ଚିମ ଅଂଶ ପାଶ୍ଚାତ୍ୟ ଶକ୍ତିଙ୍କ ହାତରେ ରହିଲା । ମାତ୍ର ବର୍ଲିନ ଚାରିପଟର ଅଞ୍ଚଳ ପୂର୍ବ ଜର୍ମାନୀର ଅନ୍ତର୍ଭୁକ୍ତ ହେଇଥିବାରୁ ପଶ୍ଚିମ ବର୍ଲିନ କମ୍ୟୁନିଷ୍ଟ ରାଜ୍ୟ ମଝିରେ ଏକ ଫୁଜିବାଦୀ ଟାପୁ ଭଳି ରହିଛି । ଏହା ଫଳରେ ସ୍ଵଭାବତଃ ବହୁତ ସମସ୍ୟା ଉପୁଜୁଛି । ପାଶ୍ଚାତ୍ୟ ଶକ୍ତିମାନେ ଏହାକୁ କମ୍ୟୁନିଷ୍ଟ ପୂର୍ବ ଜର୍ମାନୀ ବିରୋଧରେ ପ୍ରଚାର ଓ ଗୁପ୍ତଚରବୃତ୍ତିର ଏକ ଘାଟି ରୂପେ ବ୍ୟବହାର କରୁଛନ୍ତି ବୋଲି କମ୍ୟୁନିଷ୍ଟ ପକ୍ଷର ଅଭିଯୋଗ । ଏହାଛଡ଼ା ଯେଉଁମାନେ କମ୍ୟୁନିଷ୍ଟ ରାଜତ୍ଵରେ ରହିବାକୁ ଚାହାନ୍ତି ନାହିଁ ସେମାନଙ୍କ ପାଇଁ ସେଠୁ ପଳେଇ ଆସିବାର ଏକ ମସ୍ତବଡ଼ ସୁଯୋଗ ମଧ୍ୟ ପଶ୍ଚିମ ବର୍ଲିନ ଯୋଗାଉଥିଲା । କୌଣସିମତେ ପୁଲିସ୍ ପହରାକୁ ଏଡ଼ି ଡିଆଁଟାଏ ମାରିଦେଲେ ହେଲା । ଏଭଳି ଭାବରେ ପ୍ରାୟ ପଇଁତ୍ରିଶ ଲକ୍ଷ ଲୋକ ସେଠୁ ପଳାଇ ମଧ୍ୟ ଆସିଛନ୍ତି । ଏହିରୂପେ ପୂର୍ବ-ପଶ୍ଚିମ ଶୀତଳ ଯୁଦ୍ଧରେ ଜର୍ମାନୀର ପୁନର୍ମିଶ୍ରଣ ସମସ୍ୟା ଭିତରେ ପଶ୍ଚିମ ବର୍ଲିନ୍‌ର ସମସ୍ୟା ମଧ୍ୟ ଏକ ମୁଖ୍ୟ ଉପାଦାନ ହେଇ ରହିଛି । ଷୋଳ ସତର ବର୍ଷ ତଳେ ପାଶ୍ଚାତ୍ୟ ଶକ୍ତି ଗୋଷ୍ଠୀଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ପୂର୍ବ ଜର୍ମାନୀ ଭିତର ଦେଇ ପଶ୍ଚିମ ବର୍ଲିନକୁ ଆସିବାର ରେଲ ଓ ସଡ଼କ ବାଟର ଚଳାଚଳ ଉପରେ ରୁଷ ପକ୍ଷରୁ ଏଭଳି ସବୁ ନିୟମକାନୁନ ଲାଗୁ କରାଗଲା ଯେ ସେ ବାଟେ ଯାତାୟାତ କରିବା କାର୍ଯ୍ୟତଃ ଅସମ୍ଭବ ହେଇ ପଡ଼ିଲା । ସେତେବେଳେ ପାଶ୍ଚାତ୍ୟ ଗୋଷ୍ଠୀ ଉଡ଼ାଜାହାଜ ଯୋଗେ ବର୍ଲିନ ସହ ସଂଯୋଗ ରକ୍ଷାକଲେ, ଏପରିକି ଜାଳେଣି ସୁଦ୍ଧା ଉଡ଼ାଜାହାଜରେ ବୋହିଲେ ଓ ଶୀତଦିନେ ତ ଏଠାରେ ଘର ଗରମ କରିବା ପାଇଁ ଲକ୍ଷ ଲକ୍ଷ ମହଣ ଅଧିକା କୋଇଲା ଲୋଡ଼ା ହୁଏ । ଲୋକ ପଳେଇ ଆସିବାରେ ବାଧା ଦେବା ପାଇଁ ଓ ଏ ପାଖରୁ ଗୁପ୍ତଚର ଓ ଅନ୍ୟ ଅବାଂଛିତ ଲୋକଙ୍କର ପ୍ରବେଶ ଉପରେ କଟକଣା ରଖିବା ପାଇଁ ନଅ ବର୍ଷ ତଳେ ପୂର୍ବ ଜର୍ମାନୀ ପକ୍ଷରୁ ପୂର୍ବ ଓ ପଶ୍ଚିମ ବର୍ଲିନର ସରହଦରେ ଏକ ବିରାଟ ପାଚିରୀ ରାତାରାତି ଛିଡ଼ା କରି ଦିଆଗଲା । ଏ ପାଚିରୀ ପାଶ୍ଚାତ୍ୟ ଶକ୍ତିମାନଙ୍କୁ କମ୍ୟୁନିଜମ୍ ବିରୋଧରେ ପ୍ରଚାରର ଏକ ଖୋରାକ ଯୋଗାଇଛି । ଯେ ପଶ୍ଚିମ ବର୍ଲିନକୁ ଯା’ନ୍ତି ତାଙ୍କୁ ନେଇ ଏ ପାଚେରୀ ଦେଖାହୁଏ । ଆମକୁ ବି ଦେଖା ହେଲା । ଏହା ପଥର ଓ ସିମେଣ୍ଟରେ ଗଢ଼ା, ବାରଫୁଟ ଖଣ୍ତେ ଉଚ୍ଚ । ଉପରେ କଣ୍ଟା ତାରର ବାଡ଼ି ଦିଆଯାଇଛି । ପାଚିରୀ ତଳେ ତାର କଡ଼େ କଡ଼େ ସୈନିକ ପହରା । ପାଚିରୀ ଉପରେ ମଧ୍ୟ ଠା’କୁ ଠା’ ଗୁମୁଟୀ ରହିଛି ଓ ସେଥିରେ ପହରା ରହିଛନ୍ତି ।

 

ଏ ପାଖରେ ପଶ୍ଚିମ ଜର୍ମାନୀ ଆଡ଼େ ଏମାନେ କେତେ ଜାଗାରେ କେତୋଟି ଉଚ୍ଚ ମଞ୍ଚ ତିଆରି କରିଛନ୍ତି । ଏ ମଞ୍ଚ ଉପରେ ଛିଡ଼ା ହେଲେ ପାଚିରୀ ସେପାଖ ଦେଖାଯାଏ । ପାଚିରୀ ସେପାଖରେ ଶହେ ଗଜ ଭଳି ଜାଗା ଏକାବେଳକେ ଖାଲି କରି ଦିଆହେଇଛି । ତାହା ଭିତରେ ଲୋକ ଚଳାଚଳ ନିଷିଦ୍ଧ । ତାହା ଭିତରେ ଥିବା ଘର ସବୁ ମଧ୍ୟ ଖାଲି । କେତେକ ଘର ପାଚିରୀକୁ ଏକାବେଳକେ ଲାଗି ରହିଛି ଓ ସେ ସବୁ ଘରେ ଲୋକ ରହୁଥିଲା ବେଳେ କେତେ ଲୋକ ଘରର ଉପର ମହଲାରୁ ପାଚିରୀ ଏ ପାଖକୁ ଡେଇଁ ପଡ଼ୁ ଥିଲେ । ସେଥିପାଇଁ ଏଭଳି ବ୍ୟବସ୍ଥା ।

 

ଅବଶ୍ୟ ସର୍ବଶେଷ ଖବର ଦେଉଛି ଯେ ପୂର୍ବ ଜର୍ମାନୀରୁ ପଶ୍ଚିମକୁ ଚାଲି ଆସିଥିବା ଲୋକଙ୍କ ଭିତରୁ ପଚାଶ ହଜାରରୁ ଅଧିକ ପୁଣି ପୂର୍ବକୁ ଫେରିଗଲେଣି । ତା’ର କାରଣ ସ୍ଵରୂପ ସେମାନେ କୁଆଡ଼େ ଏ କଥା କହୁଛନ୍ତି ଯେ ଏ ପାଖରେ ସିନା ବେଶୀ ସମୃଦ୍ଧି ଓ ଚାକଚକ୍ୟ ରହିଛି ମାତ୍ର ମଣିଷ ମଣିଷ ଭିତରେ ସଂପର୍କ ନାହିଁ । ପୂର୍ବ ଜର୍ମାନୀରେ ଏହି ସମାଜ ଭାବନା (sense of community) ରହିଛି ଓ ଆକର୍ଷଣରେ ସେମାନେ ଫେରି ଯାଉଛନ୍ତି ।

 

ପୂର୍ବ ବର୍ଲିନକୁ ଅଳ୍ପ ସମୟ ପାଇଁ ଯିବାର ସୁଯୋଗ ମିଳିଥିଲା । ଓଡ଼ିଆ ଡାକ୍ତର ଶ୍ରୀ ବୀରେନ୍ଦ୍ର କୁମାର ଦାସ ତାଙ୍କ ଗାଡ଼ିରେ ନେଇଯାଇଥିଲେ । ଡ: ଦାସ ଯୁବକ, ମେଧାବୀ ଓ ଏଠା ବିଶ୍ଵବିଦ୍ୟାଳୟର ଏକସରେ କ୍ଲିନିକରେ କାମ କରନ୍ତି । ବେଶ୍ କେତେ ବର୍ଷ ହେଲା ଏଠି ରହିଲେଣି-। ଦିନେ ରବିବାର ସକାଳେ ପୂର୍ବ ବର୍ଲିନ ଯିବା କଥା ହେଲା । ଦୁଇ ବର୍ଲିନ ମଧ୍ୟରେ ଯିବା ଆସିବା ପାଇଁ ମାତ୍ର ଗୋଟିଏ ବାଟ ରହିଛି । ଆମେରିକାନ୍ କଥାରେ ତାହା ଚେକ୍ ପଏଣ୍ଟ୍ ଚାର୍ଲି ନାମରେ ପରିଚିତ । ଏଠି ଭିସା ଦେବାର ବ୍ୟବସ୍ଥା ରହିଛି । ସେ’ଦିନ ଦଳ ଦଳ ଟୁରିଷ୍ଟ ଭିସା ନେବାକୁ ଧାଡ଼ି ଲଗାଇଥା’ନ୍ତି । ବେଶ୍ ତତ୍ପରତାର ସହ ଭିସା ଦେଇ ଦିଆଯାଉଥାଏ । ଜଣକା ଚାରି ପାଞ୍ଚ ମିନିଟରୁ ବେଶୀ ସମୟ ଲାଗୁ ନ ଥାଏ । ଭିସା ପାଇଁ ଆବଶ୍ୟକ ଦର୍ଶନୀ ସାଙ୍ଗକୁ ପ୍ରତ୍ୟେକକୁ ଅନ୍ୟୁନ ପାଞ୍ଚ ମାର୍କ ମୂଲ୍ୟର ପୂର୍ବ ଜର୍ମାନ୍ ମୁଦ୍ରା ନେବାକୁ ପଡ଼ୁଥାଏ । ଏହା ଆଉ ଫେରାଇ ନେଇ ହୁଏ ନାହିଁ-। ଆମକୁ ଏ କଥା ଜଣା ନ ଥିଲା । ପୂର୍ବ ବର୍ଲିନରେ ଚା’ ଜଳଖିଆ ଖାଇବା ବା କିଛି କିଣାକିଣି କରିବାର ଆବଶ୍ୟକତା ଅନୁଭବ ନ କରି ଆମେ ଫେରିବାବେଳେ ସେ ମୁଦ୍ରାକୁ ପୁଣି ପଶ୍ଚିମ ଜର୍ମାନୀ ମୁଦ୍ରାରେ ବଦଳ କରାଇ ନେବା ଇଚ୍ଛା କଲୁ । ଆମକୁ କୁହାଗଲା ଯେ ତାହା ହେଇ ପାରିବ ନାହିଁ ଓ ସେ ମୁଦ୍ରା ମଧ୍ୟ ଆମେ ସାଙ୍ଗରେ ବାହାରକୁ ନେଇ ପାରିବୁ ନାହିଁ । ରେଡକ୍ରସ ପାଇଁ ଉଦ୍ଦିଷ୍ଟ ଏକ ଚାନ୍ଦା ବାକ୍‌ସରେ ସେତକ ଗଳେଇ ଦେଇ ଆସିଲୁ । ଏ ନିୟମ ନ ଜାଣିଥିବା ଅନେକ ଟୁରିସ୍‌ଟ ଏଭଳି ପଇସା ଖର୍ଚ୍ଚ ନ କରି ଫେରାଇ ଆଣୁଥିବେ । ସେଥିପାଇଁ ସେଠି ଏ ବାକ୍‌ସଟି ବରାବର ରଖା ହେଇଛି ।

 

ରବିବାର ଦିନ ସକାଳ ଓଳି ୟୁରୋପର ସହରମାନଙ୍କରେ ସାଧାରଣତଃ ଯାନବାହାନ ଚଳାଚଳ ଊଣା ଥାଏ । ମାତ୍ର ପୂର୍ବ ବର୍ଲିନରେ ଏହା ଏକାବେଳକେ ଊଣା ଥିବାର ଦେଖିଲୁ । ପ୍ରାୟ କଟକ ସହରର ରାସ୍ତାରେ ଯେତିକି ଗାଡ଼ି ଦେଖାଯାଏ ସେତିକି । ଏତେ କମ ଯେ ବଡ଼ ବଡ଼ ଛକମାନଙ୍କରେ ସୁଦ୍ଧା ଟ୍ରାଫିକ୍ ସିଗନାଲ୍‍ ନ ଥାଏ । ଏଠାର ଘର ବାଡ଼ି ବହୁ ଦିନ ରଙ୍ଗ ନ ହୋଇ କୋତରା ଦିଶୁଥାଏ । ଦୋକାନ ବଜାର ତ ବନ୍ଦ ଥାଏ ମାତ୍ର ଦୋକାନ ଝରକା ମାନଙ୍କରେ ଯାହା ଜିନିଷପତ୍ର ସଜା ହେଇ ଥିବାର ଦେଖାଯାଉଥାଏ ତା’ର ପ୍ରାଚୁର୍ଯ୍ୟ କମ ବୋଲି ମନେ ହେଲା । କିନ୍ତୁ ଲୋକମାନଙ୍କର ଲୁଗା ପଟାରେ, ବିଶେଷ କରି ମହିଳା ମାନଙ୍କର ପୋଷାକରେ, ଆଧୁନିକ ଫେଶନ୍ କୌଲୁସ୍ ଊଣା ଦିଶୁ ନ ଥାଏ । ମିନିସ୍କାର୍ଟର ପ୍ରାଚୂର୍ଯ୍ୟ ମଧ୍ୟ ବେଶ ଥାଏ ।

 

ରାସ୍ତାରେ କିଛି ସମୟ ବୁଲାବୁଲି କରି ଷ୍ଟାଲିନଙ୍କଦ୍ଵାରା ନିର୍ମିତ ଯୁଦ୍ଧସ୍ମାରକ ଦେଖିବାକୁ ଆମେ ଗଲୁ । ଏ ସ୍ମାରକ ଏକ ବିରାଟ ଉଦ୍ୟାନ ମଝିରେ ତିଆରି ହେଇଛି । ମଝିରେ ଏକ ସ୍ତୁପ ଉପରେ ସ୍ମୃତି ସୌଧ । ପ୍ରଧାନ ତୋରଣଠାରୁ ସୌଧ ପର୍ଯ୍ୟନ୍ତ ଯିବା ବାଟ ଦୁଇ କଡ଼ରେ ପ୍ରସ୍ତର ଫଳକମାନଙ୍କରେ ଦ୍ଵିତୀୟ ମହାଯୁଦ୍ଧରେ ରୁଷ୍ ସୈନ୍ୟବାହିନୀର ବିବିଧ ପରାକ୍ରମ ଓ ବିଜୟର ଚିତ୍ର ଖୋଳା ହୋଇଛି । ସମସ୍ତ ପରିବେଶ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ମନୋରମ । କିନ୍ତୁ ମନରେ ଏ ପ୍ରଶ୍ନ ଉଠିଲା ଯେ ସମସ୍ତ ୟୁରୋପକୁ ବିଧ୍ଵସ୍ତ କରିଥିବା, ଦୁଇ କୋଟି ସରିକି ଲୋକଙ୍କର ପ୍ରାଣନାଶ ଘଟାଇଥିବା ଓ ବହୁ କୋଟି ଲୋକଙ୍କୁ ଅନାଥ ଓ ଆଶ୍ରୟହୀନ କରି ଅନାହାର ଓ ରୋଗ ମୁହଁକୁ ଠେଲି ଦେଇଥିବା ଏକ ଯୁଦ୍ଧର ଅବ୍ୟବହିତ ପରେ ବହୁ କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ଏକ ବିରାଟ ସ୍ମାରକ ତିଆରି କରିବାର ପଛରେ ଯେଉଁ ମନୋଭାବ ତାହା ପୂର୍ବର ରାଜା ମହାରାଜା ସମ୍ରାଟଙ୍କର ମନୋଭାବରୁ କି ଗୁଣରେ ଭିନ୍ନ?

 

ପୂର୍ବ ବର୍ଲିନରେ ପଶିବା ବେଳେ ତ ମଟରର ଇଞ୍ଜିନ୍, ଲଗେଜ୍ ବୁଟ୍ ଆଦି ଖୋଲି ଦେଖା ହୋଇଥିଲା । ଫେରିବା ବେଳେ ଆହୁରି ତନ୍ନ ତନ୍ନ କରି ଯାଞ୍ଚ କରା ହେଲା । ମଟରର ସିଟ୍ ସବୁ ଉଠେଇ ତା ତଳ ଦେଖା ହେଲା ଓ ଏପରିକି ଠେଲାଗାଡ଼ି ଭଳି ଗୋଟାଏ ଜିନିଷରେ ଖଞ୍ଜା ହେଇଥିବା ଆଇନା ସାହାଯ୍ୟରେ ଗାଡ଼ିର ତଳ ପାଖ ବି ଯାଞ୍ଚ କରିନେଲେ । ପୂର୍ବ ଜର୍ମାନୀରୁ ମଣିଷ ଲୁଚେଇ କରି ନେଇ ଆସିବା ରୋକିବା ପାଇଁ ଏତେ କଟକଣା ।

 

ଯିବାବେଳେ ଆଖିରେ ପଡ଼ି ନ ଥିଲା । ଫେରିବା ବେଳେ ପଡ଼ିଲା ଗାନ୍ଧୀଜୀଙ୍କର ଏକ ବିରାଟ ଚିତ୍ର ପଶ୍ଚିମ ବର୍ଲିନ୍‌ ପଟେ ପୂର୍ବକୁ ମୁହଁ କରି ଉଚ୍ଚରେ ଲଗା ହେଇଛି । ସେଥିରେ ଜର୍ମାନ ଭାଷାରେ ଗାନ୍ଧୀଜୀଙ୍କର ଏକ ଉକ୍ତିର ଅନୁବାଦ ଲେଖା ହୋଇଛି । ଯାହାର ସାରମର୍ମ ହେଲା ଯେ ଲୋକେ ଯଦି ଅତ୍ୟାଚାରୀ ଶାସନର ଅନ୍ୟାୟ ଆଦେଶକୁ ମାନିବେ ନାହିଁ ବୋଲି ଦୃଢ଼ଭାବରେ ସଂକଳ୍ପ କରିବେ ତେବେ ହୁଏତ ସେ ଶାସନର ସ୍ଵଭାବ ବଦଳିବ ନଚେତ୍ ତାହା ଲୋପ ପାଇଯିବ । ଏହା ସାଙ୍ଗକୁ ଆମେରିକାରେ ନିଗ୍ରୋମାନଙ୍କର ନାଗରିକ ଅଧିକାର ପାଇଁ ସଂଗ୍ରାମ ଓ ଚେକୋସ୍ଳୋଭାକିଆର ଜନତାର ରୁଷ ଆକ୍ରମଣ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିରୋଧର ମଧ୍ୟ ବଡ଼ ବଡ଼ ଚିତ୍ର ଦିଆଯାଇଥିଲା । ଏହା ଗାନ୍ଧୀ ଶତବାର୍ଷିକୀ ଉପଲକ୍ଷେ କରାଯାଇଛି ବୋଲି ଲେଖା ଯାଇଥିଲା ।

Image

 

ଆଠ

ବର୍ଲିନ୍‌ର ଅନୁଭୂତି

 

ଗତ ଦ୍ଵିତୀୟ ମହାଯୁଦ୍ଧର ଏକ ବିଚିତ୍ର ବିରୋଧାଭାସଯୁକ୍ତ ପରିଣାମ ହେଲା ଯେ ଯୁଦ୍ଧ ସରିବାର ଦଶବର୍ଷ ଭିତରେ ଯୁଦ୍ଧରେ ଜିତିଥିବା ଫ୍ରାନ୍‌ସ, ଇଂଲଣ୍ତ ଆଦିଙ୍କ ଅପେକ୍ଷା ପରାଜିତ ଜର୍ମାନୀ ବହୁତ ବେଶୀ ବୈଷୟିକ ଉନ୍ନତି କରିଗଲା । ପଶ୍ଚିମ ଜର୍ମାନୀରେ ବାର୍ଷିକ ଅଭିବୃଦ୍ଧି ଶତକଡ଼ା ଆଠ ନଅ ଭାଗ ହିସାବରେ ହେଇ ଚାଲିଛି, ଅଥଚ ବିଜେତା ଇଂଲଣ୍ତର ଓ ଫ୍ରାନ୍‌ସର ହେଇଛି ମାତ୍ର ତାର ପ୍ରାୟ ଅଧା ହାରରେ । ଏହାର ମୋଟାମୋଟି ତିନୋଟି କାରଣ ରହିଛି ବୋଲି ମନେ ହୁଏ । ପ୍ରଥମତଃ ପଶ୍ଚିମ ଜର୍ମାନୀକୁ ଯୁଦ୍ଧ ପରେ ଆମେରିକାରୁ ପ୍ରଭୂତ ଆର୍ଥିକ ସାହାଯ୍ୟ ମିଳିଛି । ପୂର୍ବ ଜର୍ମାନୀର ସାମ୍ୟବାଦୀ ଅର୍ଥନୀତି ତୁଳନାରେ ଏପାଖର ପୁଂଜିବାଦୀ ବ୍ୟବସ୍ଥାର ଶ୍ରେଷ୍ଠତ୍ଵ ସାବ୍ୟସ୍ତ କରିବା ଏହାର ଉଦ୍ଦେଶ୍ୟ ମଧ୍ୟ ଏହା ଭିତରେ ହୁଏତ ଥିଲା କିନ୍ତୁ ଆପାତତଃ ଏହା ଯୁଦ୍ଧବିଧ୍ଵସ୍ତ ୟୁରୋପକୁ ପୁଣି ସଚଳ ସବଳ କରିବା ଉଦ୍ଦେଶ୍ୟରେ କରାଯାଇଥିଲା । ଦ୍ୱିତୀୟତଃ ଯୁଦ୍ଧ ପରେ କେତେ ବର୍ଷ ପର୍ଯ୍ୟନ୍ତ ପଶ୍ଚିମ ଜର୍ମାନୀକୁ ନିରସ୍ତ୍ର ରଖାଗଲା । ଏଥିଯୋଗୁଁ ତା’ର ଆର୍ଥିକ ସମ୍ଵଳର ଯେଉଁ ବିରାଟ ଅଂଶ ସୈନ୍ୟବଳ ପିଛା ଖର୍ଚ୍ଚ ହୋଇଥାନ୍ତା ତାହା ଆର୍ଥିକ ବିକାଶରେ ଲାଗିଲା ଏବଂ ଶେଷ, ମାତ୍ର ତାହାବୋଲି ପ୍ରଥମ ଦୁଇଟିରୁ ଊଣା ଗୁରୁତ୍ଵପୂର୍ଣ୍ଣ ନ ହେଇଥିବା, କାରଣ ହେଲା ଜର୍ମାନ ଜାତିର ଅଧ୍ୟବସାୟ ଓ ସଂଗଠନ ଶକ୍ତି । ଏହାର ଦର୍ଶନ ପଶ୍ଚିମ ବର୍ଲିନ୍‌ର ସର୍ବତ୍ର ମିଳେ । ପଚିଶ ବର୍ଷ ତଳେ ଏ ସହର ଏକ ଧ୍ଵଂସସ୍ତୂପରେ ପରିଣତ ହେଇଥିଲା ବୋଲି ଆଜିର ବର୍ଲିନ ଦେଖିଲେ କେହି କଳ୍ପନା କରିପାରିବ ନାହିଁ । ସମୃଦ୍ଧି ଓ ଚାକଚକ୍ୟରେ ଏହା ପୃଥିବୀର ଅନ୍ୟ ଯେ କୌଣସି ସମୃଦ୍ଧିଶାଳୀ ନଗର ସହିତ ପଟ ପକେଇବ । ଯୁଦ୍ଧରେ ବିଧ୍ଵସ୍ତ କୋଠାବାଡ଼ି ସବୁ ମରାମତ ସରିଛି ବା ନୂଆ ହେଇ ଗଢ଼ା ସରିଛି । ତେବେ ଯୁଦ୍ଧର ଧ୍ଵଂସଲୀଳାର ସ୍ମାରକ ସ୍ଵରୂପ ମଝିରେ ମଝିରେ ଗୋଟାଏ ଗୋଟାଏ ଘର ଓ ଖାସ୍ କରି ଗୀର୍ଜା ସେହିପରି ଭଙ୍ଗାରୁଜା ଅବସ୍ଥାରେ ରଖି ଦିଆଯାଇଛି । ଏହା ଭିତରେ ସର୍ବପ୍ରଧାନ ହେଲା କାଇଜର ଓ୍ୟାଲହେଲମ୍ ସ୍ମାରକ ଗୀର୍ଜା । ବର୍ଲିନ୍‌ର ଅନ୍ୟତମ ପ୍ରାଧାନ ରାଜପଥ କୁର୍‌ଫୁରଷ୍ଟେନଡ଼ାମ୍‌ର ପୂର୍ବ ମୁଣ୍ତରେ ଅବସ୍ଥିତ ଏହି ଗୀର୍ଜାଟି ଏକ ସମୟରେ ନିଶ୍ଚୟ ଖୁବ୍ ସୁନ୍ଦର ଥିଲା । ମାତ୍ର ବୋମା ମାଡ଼ରେ ତା’ର ଚୂଡ଼ା ଭାଙ୍ଗିଯାଇ ତାହା ଏକ ଧ୍ଵଂସସ୍ତୂପରେ ପରିଣତ ହେଇଛି । ବୋମା ମାଡ଼ ପରେ ଏହା ଯେଉଁ ଅବସ୍ଥାରେ ଥିଲା ସେହି ଅବସ୍ଥାରେ ହିଁ ତାକୁ ରଖି ଦିଆଯାଇଛି । ଏପରିକି ଭିତରୁ ଭଙ୍ଗା ଇଟା-ପଥରର କୁଢ଼ ସୁଦ୍ଧା ସଫା କରା ହେଇ ନାହିଁ । ତେବେ ଏହାର ଆଗ ଓ ପଛରେ ସ୍ଵତନ୍ତ୍ର ଭାବରେ ନୂଆ ଗୀର୍ଜା ତିଆର କରାଯାଇଛି, ପଛ ପାଖରେ ଗର୍ଭଗୃହ ବା ଚ୍ୟାପେଲ୍ ଓ ଆଗ ପାଖରେ ପ୍ରାର୍ଥନା ମନ୍ଦିର । ଏ ନୂଆ ଗୀର୍ଜା ଏକାବେଳକେ ଆଧୁନିକ ଶୈଳୀରେ ତିଆରି ହେଇଛି । ହଠାତ୍ ଦେଖିଲେ କେହି ଗୀର୍ଜା ବୋଲି ଅନୁମାନ କରିପାରିବ ନାହିଁ । ତେବେ ଏ ନୂତନତ୍ଵରେ ଯେ ଏକ ନୂଆ ପ୍ରକାରର ସୌନ୍ଦର୍ଯ୍ୟ ଅଛି, ଏହା ଅସ୍ଵୀକାର କରି ହେବ ନାହିଁ ।

 

ଦିନେ ଟୁରିଷ୍ଟ ବସରେ ବସି ପଶ୍ଚିମ ବର୍ଲିନ୍‌ର ଏକ ଦୁଇ ଘଂଟିଆ ଗସ୍ତ କରା ହେଲା । ଦର୍ଶନୀ ପଡ଼ିଲା ମୁଣ୍ତପିଛା ଦଶମାର୍କ ବା କୋଡ଼ିଏ ଟଙ୍କା । ପ୍ରାଧାନ ପ୍ରଧାନ ରାସ୍ତା ଦେଇ ବୁଲି ଅନେକ ନାମଜାଦା ଭବନ, ଗୀର୍ଜା ଆଦି ଦେଖା ହେଲା । ତାହା ଭିତରେ ପ୍ରଧାନ ହେଲା ରାଇଷଷ୍ଟାକ୍ ଭବନ, ବ୍ରାଣ୍ତେନବୁର୍ଗ ତୋରଣ ଓ କଂଗ୍ରେସ୍ ଅଫ୍ ଦି ପିପଲସ୍ ଭବନ । ରାଇଷଷ୍ଟାକ୍ ଅବିଭକ୍ତ ଜର୍ମାନୀର ବିଧାନସଭା ଥିଲା । ଏଇଠି ୧୯୩୩ରେ ଏକ ଅଗ୍ନିକାଣ୍ତ ଘଟିଥିଲା ଓ ତାହାକୁ ଆଳ କରି ସେତେବେଳର ଶାସକ ହିଟ୍‌ଲର କମ୍ୟୁନିଷ୍ଟମାନଙ୍କୁ ଦମନ କରିବା ପାଇଁ ଏକ କଠୋର ଅଭିଯାନ ଆରମ୍ଭ କରିଥିଲେ । କମ୍ୟୁନିଷ୍ଟମାନେ ହିଁ ଏ ଅଗ୍ନିକାଣ୍ତ ଭିଆଇଥିଲେ ବୋଲି ସେତେବେଳେ ସେ ପ୍ରଚାର କରିଥିଲେ । ମାତ୍ର ପରେ ଜଣାଗଲା ଯେ ତାହା ସ୍ଵୟଂ ହିଟ୍‌ଲରଙ୍କ ଗୁପ୍ତ ଆଦେଶ ଅନୁସାରେ କରାଯାଇଥିଲା କମ୍ୟୁନିଷ୍ଟ ଓ ଇହୁଦୀମାନଙ୍କ ଉପରେ ଦୋଷ ଲଦିବା ଉଦ୍ଦେଶ୍ୟରେ । ଏବେ ତ ପଶ୍ଚିମ ଜର୍ମାନୀର ରାଜଧାନୀ ବନ୍‌ରେ । ଏ ଭବ୍ୟ ଏ ବିରାଟ ଭବନରେ ଗୋଟାଏ କ’ଣ ଅଫିସ୍ ଚାଲିଛି ।

 

କଂଗ୍ରେସ୍ ଅଫ୍ ଦି ପିପଲ୍‌ସର ଭବନ ଅତି ଆଧୁନିକ ଶୈଳୀରେ ତିଆରି । ଏହା କୌଣସି ଏକ ସମ୍ମିଳନୀ ପାଇଁ ଗଢ଼ା ହେଇଥିଲା । ଏହାର ଛାତ ଏକ ବିରାଟ ଶାମୁକା ଆକାରର । ଚାରି ହଜାର ଲୋକ ବସିବାର ସ୍ଥାନ ଅଛି ।

 

ଏ ଭବନଟି ବର୍ଲିନ୍‌ର ବିଖ୍ୟାତ ଓ ବିଶାଳ ଉଦ୍ୟାନ ଟୀୟରଗାର୍ଟନ ଭିତରେ ଅବସ୍ଥିତ । ଏହି ଉଦ୍ୟାନର ଆୟତନ ଦୁଇ ବର୍ଗ ମାଇଲ ହେବ । ଗତ ମହାଯୁଦ୍ଧ ବେଳେ । ଯେତେବେଳେ ସହରରେ ଜାଳେଣିକାଠର ଘୋର ଅଭାବ ପଡ଼ିଲା ସେତେବେଳେ ଲୋକେ ଏହାର ସମସ୍ତ ଗଛପତ୍ର କାଟି ନେଇ ଜାଳି ଦେଇଥିଲେ । ଯୁଦ୍ଧ ପରେ ଗତ ପଚିଶ ବର୍ଷରେ ପୁଣି ଏହା ଘଞ୍ଚ ବୃକ୍ଷରାଜିରେ ପରିପୂର୍ଣ୍ଣ ହେଲାଣି ।

 

ପଶ୍ଚିମ ବର୍ଲିନ୍‌ର ଜଣେ ସର୍ଭାସ୍ ସଦସ୍ୟା ଓ ଭାରତପ୍ରେମୀ ଶ୍ରମତୀ ଇର୍ମଗାର୍ଡ଼ ଶୁଖାର୍ଟଙ୍କର ନାମଧାମ ଭିଏନାରୁ ମିଳିଥିଲା ମାତ୍ର ଗୋଳମାଳ ଭିତରେ ତାଙ୍କୁ ପୂର୍ବରୁ ମୋର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଜଣାଇ ପାରି ନ ଥିଲି । ବର୍ଲିନରେ ପହଞ୍ଚି ଟେଲିଫୋନରେ ଯୋଗାଯୋଗ କଲି । ଭଦ୍ରମହିଳାଙ୍କର ଭାରତ ପ୍ରତି ଗଭୀର ଶ୍ରଦ୍ଧା ରହିଛି ଓ ଏଠା ବିଷୟରେ ସେ ଅନେକ କିଛି ଖବର ରଖନ୍ତି । ଶ୍ରୀ ଆଶାଦେବୀ ଆର୍ଯ୍ୟନାୟକମଙ୍କ ସହ ତାଙ୍କର ଖିୁବ୍ ଘନିଷ୍ଠ ପରିଚୟ ଅଛି ଓ ଆଶାଦେବୀ ଥରେ ଆସି ତାଙ୍କ ଘରେ ସପ୍ତାଏ ଖଣ୍ତେ ରହିଥିଲେ । ମୁଁ ତାଙ୍କ ଘରେ ନ ରହି କାହିଁକି ହୋଟେଲରେ ରହିଲି ବୋଲି ସେ ଅନୁଯୋଗ କଲେ ଓ ଆଉ ଥରେ କେବେ ଆସିଲେ ତାଙ୍କରି ଘରେ ରହିବା ପାଇଁ ସନିର୍ବନ୍ଧ ନିମନ୍ତ୍ରଣ ଦେଇ ରଖିଲେ । ତାଙ୍କଠାରୁ ଖବର ମିଳିଲା ଯେ ବର୍ଲିନରେ ଗୋଟିଏ ଭାରତପ୍ରେମୀ ବନ୍ଧୁଗୋଷ୍ଠୀ ରହିଛି । ସେମାନେ ଭାରତରେ ନାନା ପ୍ରକାରର ସେବା କାର୍ଯ୍ୟ ପାଇଁ କିଛି କିଛି ଅର୍ଥ ସଂଗ୍ରହ କରି ମଧ୍ୟ ପଠାଇଥାନ୍ତି । ସେବାଗ୍ରାମର ମୌଳିକ ଶିକ୍ଷା ଅନୁଷ୍ଠାନ ପାଇଁ ମଧ୍ୟ ଏ ଗୋଷ୍ଠୀ ଏହିଭଳି ସାହାଯ୍ୟ କରିଛନ୍ତି ।

 

ସର୍ବୋଦୟ ଆନ୍ଦୋଳନ ଓ ଗ୍ରାମଦାନ ବିଷୟରେ ବେଶ୍ ଆଲୋଚନା ହେଲା । ଆନ୍ତର୍ରାଷ୍ଟ୍ରୀୟ ଯୁଦ୍ଧ ବିରୋଧୀ ସଂଘର ମୁଖପତ୍ର “ଓ୍ୟାର୍ ରେଜିସ୍‌ଟର୍” ରେ କିଛି ଦିନ ପର୍ବରୁ ମୋର ଗ୍ରାମଦାନ ଉପରେ ଗୋଟିଏ ଲେଖା ବାହାରିଥିଲା । ସେ ପତ୍ରିକାର ସେହି ସଂଖ୍ୟାଟି ବାହାର କରି ମତେ ଦେଖେଇଲେ ଓ ଲେଖାଟି ଆଗ୍ରହର ସହ ପଢ଼ିଛନ୍ତି ବୋଲି କହିଲେ । ସର୍ବୋଦୟ ବିଷୟରେ ଆଲୋଚନା କରିବା ପାଇଁ ସେ ଦୁଇଦିନ ପରେ ଗୋଟିଏ ସଭା ଡାକିବେ ବୋଲି ଆଗ୍ରହ କଲେ । ଅବଶ୍ୟ ସାଙ୍ଗେ ସାଙ୍ଗେ ଏ ଆଶଙ୍କା ମଧ୍ୟ ପ୍ରକାଶ କଲେ ଯେ ଏବେ ଖରାଛୁଟି ଆରମ୍ଭ ହେଇଯାଇଥିବାରୁ ବୈଠକକୁ ବେଶୀ ଲୋକ ଆସିବାର ଆଶା କମ୍ । ପ୍ରକୃତରେ ସେ ବୈଠକକୁ ମାତ୍ର ଆଉ ଦୁଇଜଣ ମହିଳା ଆସିଲେ । ତେବେ ଆଲୋଚନାଟା ଖୁବ୍ ଜମିଲା ।

 

ସେଦିନ ଶ୍ରୀମତୀ ଶୁଖାର୍ଟଙ୍କ ଘରୁ ଫେରିବା ବେଳେ ମୁଁ ବସରେ ଉଠିଲି, ମାତ୍ର ମୋର ଖିଆଲ ନାହିଁ ଯେ ମୋ ପାଖର କେବଳ ପଚାଶ ମାର୍କର ନୋଟ୍ ରହିଛି, ରେଜା ନାହିଁ । ବସ୍ କଣ୍ତକ୍ଟର ଟିକଟ ଦେବାକୁ ଆସିଲାରୁ ମୁଁ ଯେତେବେଳେ ତାକୁ ନୋଟଟିକୁ ବଢ଼େଇ ଦେଲି ସେ ବିରକ୍ତ ହେଇ ମତେ ଓହ୍ଲେଇ ଯିବାକୁ କହିଲା, କାରଣ ବସ୍ ଭଡ଼ା ଅଧମାର୍କ ଓ ଆମ ଦେଶ ପରି ସେଠି ମଧ୍ୟ କଣ୍ତକ୍ଟରଠାରେ ଶହେ ଟଙ୍କିଆ ନୋଟର ରେଜା ନ ଥିବା କଥା । ମୁଁ ଉଠିବା ଉଦ୍ୟମ କରୁଛି ଏତିକିବେଳେ ଜଣେ ଭଦ୍ର ମହିଳା ଉଠିପଡ଼ି କଣ୍ତକ୍ଟରଙ୍କୁ ଖୁବ୍ ଧମକ ଦେଲେ । ମୋର ଦରଖଣ୍ତିଆ ଜର୍ମାନ ଜ୍ଞାନରେ ମୁଁ ବୁଝିଲି ଯେ ସେ କହୁଛନ୍ତି “ଦେଖୁନାହଁ, ଏ ଜଣେ ବିଦେଶୀ ଭଦ୍ରଲୋକ । ତାଙ୍କ ସହିତ ଏଭଳି ବ୍ୟବହାର କ’ଣ ଶୋଭାଦାୟକ ?” କଣ୍ତକ୍ଟର ମଧ୍ୟ ବିଡ଼ ବିଡ଼ ହୋଇ ନିଜ କାର୍ଯ୍ୟର ସମର୍ଥନରେ ଅନେକ କିଛି କହିଗଲା । ଭଦ୍ରମହିଳା ଝଟ୍ କରି ଉଠିଆସି ମୋର ବସ୍ ଭଡ଼ାଟା ଦେଇଦେଲେ । ତାଙ୍କୁ ପ୍ରଭୃତ ଧନ୍ୟବାଦ ଦେଇ ମୁଁ ସେ ଯାତ୍ରା ବିଡ଼ମ୍ଵନାରୁ ରକ୍ଷାପାଇଲି । ବାଟଘାଟରେ ଅପରିଚିତ ଲୋକଙ୍କର ଏଭଳି ଅଯାଚିତ ସହାନୁଭୂତି ଅନେକଥର ମିଳିଛି ଓ ତାହା ମୋର ଏହି ଭାବନାକୁ ଦୃଢ଼ କରିଛି ଯେ ସାରା ପୃଥିବୀର ସର୍ବତ୍ର ସାଧାରଣ ଲୋକଙ୍କର ହୃଦୟ ସଜ୍ଜନତାରେ ପୂର୍ଣ୍ଣ ।

 

ଭିଏନାରୁ ବର୍ଲିନ, ଜର୍ମାନଭାଷୀ ଦେଶରେ ମୋଟ ଷୋଳ ଦିନ କଟିଲା । ବାହାରକୁ ଯିବା ପୂର୍ବରୁ ଜର୍ମାନ ଭାଷା ସହିତ ଗୋଟାଏ ମୁହଁ ଚିହ୍ନା ପରିଚୟ ହାସଲ କରିବା ଚେଷ୍ଟା କରିଥିଲି-। ଯେତକ ପରିଚୟ ହେଲା ତାହାଦ୍ଵାରା ବାଟଘାଟ ପଚାରିବା, ଦୋକାନ-ବଜାରରେ ଚଳପ୍ରଚଳ ହେବା ଭଳି ସୁବିଧା ହୋଇଥିଲା । ପୂର୍ବରୁ ଶୁଣିଥିଲି ଯେ ଜର୍ମାନ ଭାଷାରେ ସଂସ୍କୃତ ପରି ସନ୍ଧି-ସମାସର ଖୁବ୍ ଜୋର । ଶିଖିବା ବେଳେ ଦେଖିଲି ଯେ କଥାଟା ଏକଦମ୍ ସତ । ଏମାନେ ଇଂରେଜଙ୍କ ଭଳି ‘ଲଂଚ’ ପରି ବଂଶଗୋତ୍ରହୀନ ଶବ୍ଦ ବ୍ୟବହାର କରିବେ ନାହିଁ, କହିବେ mittagessen— ମଧ୍ୟାହ୍ନ ଭୋଜନ । ରେଲଗାଡ଼ି ଭଳି ଅପରିପକ୍ଵ ଶବ୍ଦ ଏମାନଙ୍କ ଅଭିଧାନରେ ନାହିଁ, ଅଛି ପୂର୍ଣ୍ଣ ଶବ୍ଦାର୍ଥବ୍ୟଞ୍ଜକ ସମାସ—eisenbahnwagen ଏକଦମ ଅକ୍ଷରଶଃ ‘ଲୌହବର୍ତ୍ମ ଶକଟ’ । ଅଶ୍ରୁପୂର୍ଣ୍ଣ ଲୋଚନ, ସାହାସ୍ୟ ବଦନ ଭଳି ସମାସ ତ ସେଥିରେ ଭରପୁର ।

 

ସେ ଦେଶରେ ପହଞ୍ଚି ଏହାର ଚରମ ପରାକାଷ୍ଠା ଦେଖିଲି । ଟ୍ରାମ ରହିବା ସ୍ଥାନ ବା ଟ୍ରାମଷ୍ଟପ୍‌ର ଜର୍ମାନ ହେଲା ‘straseenbahnhaitestelle’ — ଏହାର ମୋଟାମୋଟି ସଂସ୍କୃତ ଅନୁବାଦ ହେବ “ରାଜପଥ ଲୌହବରର୍ତ୍ମମାର୍ଗ ସ୍ଥଗନସ୍ଥଳ” ! ଆଜ୍ଞା, ଏ ଶବ୍ଦ କେବଳ ଅଭିଧାନରେ ଅଛି ବୋଲି ବିଚାରନ୍ତୁ ନାହିଁ । ସହରର ପ୍ରତି ଛକରେ, ପ୍ରତି ଟ୍ରାମ୍ ରହିବା ଜାଗାରେ ଲେଖା ହେଇଛି । ଆଉ ଏକ ନମୁନା ଶୁଣନ୍ତୁ : Auslande flugdienstgesellschsft–ବୈଦେଶିକ ବିମାନ ସେବା ସଂସ୍ଥା ଆଜ୍ଞା, ଗୋଟାଏ ସମାସ ଶବ୍ଦ, ଦେଖିବେ ସେଠାର ବିମାନଘାଟିର ସମୟ ନିର୍ଘଣ୍ଟର ପଛ ପୃଷ୍ଠାରେ ଲେଖାଅଛି ।

 

ତେବେ ଜର୍ମାନ ଭାଷାର ଗୋଟାଏ ବଡ଼ ସୁବିଧା ହେଲା ଯେ ଏହାର ଉଚ୍ଚାରଣ ଅବିକଳ ଯାହା ଲେଖା ହେଇଥିବ ସେୟା, ଇଂରେଜୀ ପରି ହଜାର ବ୍ୟତିକ୍ରମ ଓ ଅନୁଚ୍ଚାରିତ ଉହ୍ୟ ଅକ୍ଷର ନାହିଁ । ତେବେ ଇଂରେଜୀ, ଫରାସୀ ଆଦି ଭାଷାରୁ ଶବ୍ଦ ମଧ୍ୟ ଜର୍ମାନ ଭାଷାରେ ପଶିଲାଣି ଓ ସେ ସବୁର ବନାନ ମୂଳ ଭାଷା ଅନୁଯାୟୀ ହେଉଥିବାରୁ ଜର୍ମାନର ଉଚ୍ଚାରଣର ସରଳ ନିୟମର ବ୍ୟତିକ୍ରମ ଘଟୁଛି ।

 

ଉଚ୍ଚାରଣ ଦୃଷ୍ଟିରୁ ସବୁଠାରୁ କଠିନ ଭାଷା ହେଲା ଫରାସୀ । ଅଧେ ଅକ୍ଷରର ଉଚ୍ଚାରଣ ଉହ୍ୟ ଓ ବାକୀ ଅଧକରୁ ଅଧେର ଉଚ୍ଚାରଣ ଆନୁନାସିକ ହେବା ଫଳରେ ଲେଖା ସହିତ ଶୁଣାର ସାମଞ୍ଜସ୍ୟ ବସାଇବା ପ୍ରାୟ ଅସମ୍ଭବ । ଏଇଥି ଯୋଗୁଁ ଫ୍ରାନ୍‌ସରେ ଯାଇ ମୋ ନାଁଟା ବଦନାମ ହେଇଗଲା । Manmohanର ଫରାସୀମତେ ଉଚ୍ଚାରଣ ହେବ “ମାଁମୋଆଁ” । ତେଣୁ ଖବରକାଗଜ୍ ବାଲା ମନମୋହନର ଉଚ୍ଚାରଣ ଫରାସୀରେ ସାଧ୍ୟମତେ ସଠିକ ରଖିବା ପାଇଁ ମୋ ନାମ ଛାପି ଦେଲେ madmonan ।

 

ବରଂ ମାଧୁର୍ଯ୍ୟ ଓ ସରଳତା ଉଭୟ ଦୃଷ୍ଟିରୁ ଇତାଲୀୟାନ୍ ଭାଷା ମତେ ବେଶୀ ଭଲ ଲାଗିଲା । ଏଥିରେ ଉଚ୍ଚାରଣରେ କର୍କଶତା ବା କଠୋରତା ଆଦୌ ନାହିଁ । ଫରାସୀ ଭଳି କୋମଳ ଓ ଶ୍ରୁତିମଧୁର ଅଥଚ ଉଚ୍ଚାରଣ ଖୁବ୍ ସ୍ପଷ୍ଟ ଓ ଯାହା ଲେଖା ସେୟା ଉଚ୍ଚାରଣ । ରୋମ୍ ଲାତୀନ୍ ଭାଷାର ମଧ୍ୟ ପୀଠସ୍ଥଳୀ ଥିଲା । ସେଥିପାଇଁ ପୁରୀ ଆଖପାଖରେ ଶାସନୀ ବ୍ରାହ୍ମଣମାନେ ଯେପରି ସ୍ପଷ୍ଟ ଓ ନିର୍ଭୁଲ ଉଚ୍ଚାରଣ ଉପରେ ଜୋର ଦେଇଥାନ୍ତି ସେହିପରି ହୁଏତ ରୋମ୍ ଆଖପାଖରେ ବି ଶୁଦ୍ଧ ଓ ସ୍ପଷ୍ଟ ଉଚ୍ଚାରଣ ଉପରେ ଜୋର ଦିଆଯାଇଥିବ । ସାଧାରଣତଃ ଫରାସୀ ଭାଷାକୁ ଲାଳିତ୍ୟ ଦୃଷ୍ଟିରୁ ବଙ୍ଗଳା ସହିତ ତୁଳନା କରାଯାଇଥାଏ । ତା’ ହେଲେ ଇତାଲୀୟାନକୁ ଓଡ଼ିଆ ସହିତ କରିବାକୁ ହେବ । ଓଡ଼ିଆରେ ବି ଉଚ୍ଚାରଣର ସ୍ପଷ୍ଟତା ବଙ୍ଗଳା, ହିନ୍ଦୀ ଆଦି ଠାରୁ ଯଥେଷ୍ଟ ବେଶୀ ଓ ତାହା ବାହାର ଲୋକଙ୍କର ଦୃଷ୍ଟି ବରାବର ଆକର୍ଷଣ କରିଥାଏ ।

Image

 

ନଅ

Unknown

ମଧ୍ୟରାତ୍ରିର ସୂର୍ଯ୍ୟର ଦେଶ

 

ବର୍ଲିନରୁ କାମ ସରିଲା । ଆଠ ତାରିଖ ଉପରତଳି ପେଡ଼ିପୁଟୁଳି ଧରି ଷ୍ଟକହଲମ୍ ଅଭିମୁଖେ ରମାନା ହେଲି । ବର୍ଲିନରୁ ହାମବୁର୍ଗ ଓ ସେଠି ଉଡ଼ାଜାହାଜ ବଦଳାଇ ଷ୍ଟକହଲମ୍‍ । ବର୍ଲିନର ଟେମ୍ପଲହଫ ଉଡ଼ାଜାହାଜ ଘାଟିରେ ପହଞ୍ଚି ଟ୍ୟାକ୍ସିରୁ ଉତୁରିବା ବେଳକୁ ଜଣେ ମଜୁରିଆ ଆସି ଜିନିଷ ନେଇଯିବିକି ବୋଲି ପଚାରିଲା । ମୁଁ ବିଚାରିଲି ଯେ ଆମର ଏଠି ଯାତ୍ରୀଙ୍କ ମାଲ ବୋହି ନେବା ପାଇଁ ଏୟାରଲାଇନ ପକ୍ଷରୁ ଯେପରି ଲୋକ ଥା’ନ୍ତି ଏ ସେହିପରି ହେଇଥିବ । ମୁଁ ତାକୁ ଜିନିଷ ଦେଲି ଓ ସେ କାଉଣ୍ଟରଠାରେ ପହଞ୍ଚାଇ ଦେଇ ମଜୁରୀ ଚାର୍ଯ୍ୟ କଲା ଅଢ଼େଇ ମାର୍କ ବା ପାଞ୍ଚଟଙ୍କା । ଏ ଆଡ଼େ କୁଲୀ ମଜୁରୀର ରେଟ ପ୍ରକୃତରେ ଏହିଭଳି । ରେଳ ଷ୍ଟେସନ ବା ଉଡ଼ାଜାହାଜ ଘାଟୀରେ ଲୋକେ କ୍ଵଚିତ୍ କୁଲୀର ସାହାଯ୍ୟ ନିଅନ୍ତି । ଜିନିଷ ନେବା ଆଣିବା ପାଇଁ ଛୋଟ ଛୋଟ ହାତଗାଡ଼ି ଥାଏ । ସେଥିରେ ଜିନିଷ ପତ୍ର ଥୋଇ ନିଜେ ନିଜେ ନେବା ଆଣିବା କରିବାକୁ ହୁଏ । କୁଲୀ ସାମାନ୍ୟ କେତେକ ଥାନ୍ତି ବୁଢ଼ାବୁଢ଼ୀ ବା ଅକ୍ଷମ ଲୋକ କିମ୍ଵା ଅତି ଧନୀ କୋଟିପତି ଶ୍ରେଣୀର ଲୋକଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ । ମୁଁ ଏଇଥରେ ଠେକି ଶିଖି ଆଉ କେବେ କୁଲୀ ପଇସା ଦେବା ଅବସ୍ଥାରେ ପଡ଼ି ନାହିଁ ।

 

ଷ୍ଟକହଲମ୍‌ର ଏଲଲାଣ୍ତା ଘାଟିରେ ଉତୁରିବା ବେଳକୁ ରାତି ପ୍ରାୟ ନଅଟା ମାତ୍ର ଖରାଦିନ ଓ ସତୁରି ଡିଗ୍ରୀ ଅକ୍ଷାଂଶ ତେଣୁ ସେତେବେଳଯାଏ ସୂର୍ଯ୍ୟାସ୍ତ ହେବାକୁ ବେଶ କିଛି ସମୟ ବାକୀ ଥାଏ । ଷ୍ଟକହଲମ୍ ଓ ଓସଲୋରେ ଏଇ ଲମ୍ଵାଦିନର ବ୍ୟାପାରଟା ବେଶ ମଜ୍ଜାର ଲାଗିଥିଲା ଏଠାରେ ସୂର୍ଯ୍ୟାସ୍ତ ହେଉଥିଲା ଅନ୍ତତ ସାଢ଼େ ନଅଟାରେ ଓ ଗୋଧୂଳିର ଆଲୋକ ରହୁ ଥିଲା ଅନ୍ତତଃ ଏଗାରଟାଯାଏ । ରାତି ଏଗାରଟାରେ ଖବରକାଗଜ ପଢ଼ିବା ଭଳି ଆଲୁଅ ରହୁଥିଲା । ରାତିରେ ପୂରା କିଟି କିଟି ଅନ୍ଧାର ଏ ସମୟରେ ଏଠି ମୋଟେ ହୁଏ ନାହିଁ । ରାତି ତିନିଟା ବେଳକୁ ପୂରା ଫର୍ଚ୍ଚା ହୋଇଯାଇଥାଏ । ଚାରିଟା ଖଣ୍ତେ ବେଳକୁ ସୂର୍ଯ୍ୟୋଦୟ । ଝରକାରେ ଭଲଭାବରେ ପର୍ଦ୍ଦା ଟାଣି ନ ଶୋଇଲେ ପୁରା ନିଦ ହେବା ଅସମ୍ଭବ, କାରଣ ଅଭ୍ୟାସ ତ ହୋଇଯାଇଛି ଟିକିଏ ଫର୍ଚା ହେଇ ଆସିଲେ ନିଦ ଭାଙ୍ଗିଯିବ । ‘ଦିଘଡ଼ି’ ଦିନ ଥାଉ ଥାଉ ଶୋଇବାକୁ ଗଲେ ନିଦ ଆସିବା କଷ୍ଟ ଓ ‘ଦିଘଡ଼ି’ ଦିନ ଯାଏ ଶୋଇ ରହିବା ମଧ୍ୟ ।

 

ଏଠୁ ଆଉ ତିନିଶହ ମାଇଲ ଖଣ୍ତେ ଉତ୍ତରକୁ ଯାଇଥିଲେ ‘ମଧ୍ୟରାତ୍ରିର ସୂର୍ଯ୍ୟ’ ଦେଖି ହେଇଥାନ୍ତା । ସେଠି ଜୁନ ତେଇଶି ତାରିଖ, ବର୍ଷର ଦୀର୍ଘତମ ଦିନର ଆଖ ପାଖରେ କେତେ ଦିନ ସୂର୍ଯ୍ୟ ମୋଟେ ଅସ୍ତ ହୁଏ ନାହିଁ । ଦିନ ଦୁଇ ପହରରୁ ଦକ୍ଷିଣ ଆକାଶରୁ କ୍ରମେ ପଶ୍ଚିମବାଟେ ବୁଲି ଉତ୍ତର ଦିଗରେ ଦିଗ୍‌ବଳୟକୁ ରାତି ଅଧରେ ଛୁଏଁ ଓ ପୂର୍ବ ଦିଗକୁ ଗତି କରିବା ସାଙ୍ଗେ ସାଙ୍ଗେ ଦିଗ୍‌ବଳୟରୁ ଉପରକୁ ଉଠିବାକୁ ଆରମ୍ଭ କରେ । ମାତ୍ର ସେଠାକୁ ଯିବା ଆସିବା ପାଇଁ ଖର୍ଚ୍ଚ ଓ ସମୟ ଅକୁଳାନ ଥିଲା ।

 

ଏର୍‌ଲଣ୍ତା ବିମାଟଘାଟୀକୁ ଶ୍ରୀ ହ୍ଵାଇଟ୍ ମତେ ନେବାକୁ ଆସିଥିଲେ । ହ୍ଵାଇଟଙ୍କର ବାପା ଇଂରେଜ, ମା ସ୍ଵୀଡ଼େନବାସୀ । ଷ୍ଟକହଲମ୍ ବିଶ୍ଵବିଦ୍ୟାଳୟରେ ଆର୍ଥନୀତିକ ଭୂଗୋଳ ବିଭାଗରେ ଗବେଷଣା କରୁଛନ୍ତି । ତାଙ୍କର ଗବେଷଣାର ବିଷୟବସ୍ତୁ ଭାରତର ଗ୍ରାମଦାନ ଆନ୍ଦୋଳନ । ଏହା ଅଧ୍ୟୟନ କରିବା ପାଇଁ ସେ ତିନିବର୍ଷ ତଳେ ଭାରତ ଆସି ପ୍ରାୟ ବର୍ଷେ ଖଣ୍ତେ କଟେଇ ଥିଲେ ଓ ବିଭିନ୍ନ ରାଜ୍ୟରେ ବୁଲି ଆନ୍ଦୋଳନର ଗତିବିଧି ପର୍ଯ୍ୟବେକ୍ଷଣ କରିଥିଲେ । ସେତିକି ବେଳେ ତାଙ୍କ ସହିତ ପରିଚୟ ହେଇଥିଲା । ଶ୍ରୀ ହ୍ଵାଇଟ୍ ଓ ଷ୍ଟକହଲମ୍ ଆଖ ପାଖର ଆଉ କେତେକ ଶାନ୍ତିବାଦୀ ଓ ଭାରତପ୍ରେମୀ ମିଳି ଏଠି ଗୋଟିଏ ସର୍ବୋଦୟ ମଣ୍ତଳୀ-‘ସର୍ବୋଦୟ ଗ୍ରୁପେନ୍’ ଗଢ଼ିଛନ୍ତି । ସର୍ବୋଦୟ ବିଷୟରେ ନିୟମିତ ପଢ଼ାଶୁଣା କରନ୍ତି ଓ ସ୍ଵୀଡ଼ିଶ୍ ଭାଷାରେ କିଛି କିଛି ସାହିତ୍ୟ ମଧ୍ୟ ପ୍ରକାଶ କରନ୍ତି । ମୋର ‘ଜନତାର ରାଜ୍ୟ’ ବହି ଖଣ୍ତକ ମଧ୍ୟ ଏମାନେ ସ୍ଵୀଡ଼ିଶ ଭାଷାରେ ଅନୁବାଦ କରି ପ୍ରକାଶ କରିଛନ୍ତି । ଏ ଗୋଷ୍ଠୀର ଜଣେ ଯୁବକ ଓ ଉତ୍ସାହୀ ସଦସ୍ୟ ଶ୍ରୀ ଓ୍ୟାଲଷ୍ଟ୍ରୋମଙ୍କ ସହିତ ମୋର ପୂର୍ବରୁ ପତ୍ର ବ୍ୟବହାର ହେଇଥିଲା । ଆମେ ଉଭୟ ପରସ୍ପରଙ୍କୁ ଭେଟିବାକୁ ଉତ୍ସୁକ ଥିଲୁ । ମାତ୍ର ହ୍ଵାଇଟଙ୍କଠାରୁ ଖବର ମିଳିଲା ଯେ ମାତ୍ର ଚାରିଦିନ ତଳେ ଓ୍ୟାଲଷ୍ଟ୍ରୋମଙ୍କୁ ବାଧ୍ୟତାମୂଳକ ସାମରିକ ଶିକ୍ଷା ପାଇଁ ତଲବ ଆସିବାରୁ ତାଙ୍କୁ ଯାଇ ଛାଉଣୀରେ ଯୋଗ ଦେବାକୁ ପଡ଼ିଛି । ସେ ଜଣେ ଶାନ୍ତିବାଦୀ ଓ ବିବେକଗତ ଯୁଦ୍ଧବିରୋଧୀ । ସ୍ଵୀଡ଼େନରେ ଏଭଳି ଲୋକଙ୍କୁ ସାମରିକ ତାଲିମ୍‌ର ବିକଳ୍ପ ସ୍ପରୂପ କୌଣସି ଶିକ୍ଷା ଅନୁଷ୍ଠାନ, ହାସପାତାଲ୍, ଶିଶୁବିହାର ବା ସେହି ଭଳି ଅନ୍ୟ ଅନୁଷ୍ଠାନରେ ଦେଢ଼ବର୍ଷ ପାଇଁ ଅସାମରିକ ସମାଜସେବା କରିବାକୁ ଦିଆଯାଏ । ଓ୍ୟାଲଷ୍ଟ୍ରୋମ୍‍ ସେଥିପାଇଁ ଦରଖାସ୍ତ କରିଥାନ୍ତି ଓ ସପ୍ତାହକ ଭିତରେ ତାଙ୍କୁ ସାମରିକ ଛାଉଣୀରୁ ମୁକ୍ତି ମିଳିବାର ସମ୍ଭାବନା ଥାଏ । କିନ୍ତୁ ସେ ପର୍ଯ୍ୟନ୍ତ ତାଙ୍କୁ ଛାଉଣୀର ଶୃଙ୍ଖଳାରେ ରହିବାକୁ ପଡ଼ୁଥାଏ ଓ ସେଥିରୁ ତାଙ୍କୁ ଫୁରସତ ମିଳିବା କଠିନ ହେଉଥାଏ । ପରଦିନ ସାଧାରଣ ସଭା ବେଳକୁ ସେ ଯେତେବେଳେ ଅଳ୍ପସମୟ ପାଇଁ ଛୁଟି ନେଇ ସାମରିକ ପୋଷାକ ପିନ୍ଧି ପହଞ୍ଚିଲେ ସେତେବେଳେ ‘ଶାନ୍ତିବାଦୀ ସାର୍ଜେଣ୍ଟ’ ଓ୍ୟାଲଷ୍ଟ୍ରୋମଙ୍କୁ ଥଟାଟାପରା କରିବାର ଗୋଟାଏ ବଡ଼ ସୁଯୋଗ ଆମ ସମସ୍ତଙ୍କୁ ମିଳିଗଲା ।

 

ହ୍ଵାଇଟ୍ ଷ୍ଟକହଲମ୍ ସହର ବାହାରେ ରହନ୍ତି । ମୋର ରହିବାର ବ୍ୟବସ୍ଥା ସହରରେ ଶ୍ରୀଓଲୋଫ୍ ଆଲବର୍ଗଙ୍କ ଘରେ କରାହେଇଥିଲା । ସେ ସେର୍ଭାସର ସଦସ୍ୟ ଓ ଜଣେ ଚିତ୍ରଶିଳ୍ପୀ । ତାଙ୍କର ଦ୍ଵିତୀୟ ପକ୍ଷର ସ୍ତ୍ରୀ ଏଠାର ସ୍ଵୀଡ଼ିଶ ସାହିତ୍ୟ ପ୍ରତିଷ୍ଠାନର କ’ଣ ଗୋଟାଏ କାମ କରନ୍ତି । ପ୍ରଥମ ସ୍ତ୍ରୀଙ୍କ ଆଡ଼ୁ ଗୋଟିଏ ପୁଅ, ଦଶ ଏଗାର ବର୍ଷର, ସ୍କୁଲରେ ପଢ଼େ, ମା’ ପାଖରେ ଥାଏ । ଦ୍ଵିତୀୟ ପକ୍ଷର ସ୍ତ୍ରୀ ବୋଲି ଭଦ୍ରଲୋକ ବୋଲି ବିଚାରିବେ ନାହିଁ । ବୟସ ଚାଳିଶ ଭିତରେ ହେବ ।

 

ତାଙ୍କର ବସିବା ଘରଟି ସେ ମୋ ପାଇଁ ଛାଡ଼ି ଦେଇଥିଲେ । ରୋଷେଇ ଘର ଓ ଗାଧୁଆ ଘରକୁ ଛାଡ଼ି ଚାରି ବଖରା ଘର । ସେଥିରୁ ଦୁଇ ବଖରାରେ ଓଲୋଫଙ୍କ ଚିତ୍ର ବିଜ୍ଞାନଶାଳା-। ସେ ଚିତ୍ରଶିଳ୍ପୀ । ପୁରୁଣା ଚିତ୍ରର ପୁନଃସଂସ୍କାର ବା ଜୀର୍ଣ୍ଣୋଦ୍ଧାର କାମ ମଧ୍ୟ କରନ୍ତି । ଆଉ ଏକ ଧନ୍ଦା ହେଲା ଚିତ୍ରକଳା କାରବାରରେ ଗୋଇନ୍ଦାଗିରି ।

 

ଆଧୁନିକ ଦୁନିଆରେ ସମୃଦ୍ଧ ଦେଶମାନଙ୍କରେ ଚିତ୍ରକଳା ଓ ଭାସ୍କର୍ଯ୍ୟର କଦର ବଢ଼ିବାର ଗୋଟାଏ ପରିଣାମ ହେଲା ଯେ ନାମକରା ଶିଳ୍ପୀମାନଙ୍କର କୃତି ଅମୂଲମୂଲରେ ବିକ୍ରି ହେଇଥାଏ । ମିକେଲ୍ ଏଞ୍ଜେଲୋ, ଲିଓନାର୍ଦୋ ଦା ଭିଂଚି ଆଦି ମଧ୍ୟଯୁଗୀୟ ଶିଳ୍ପୀଙ୍କଠାରୁ ଆରମ୍ଭ କରି ଏ ଯୁଗର ମାତିସ୍, ଦେଗା, ପିକାସୋ ଆଦିଙ୍କ ଯାଏ ବିଖ୍ୟାତ ଚିତ୍ରକରଙ୍କର ଗୋଟିଏ ଗୋଟିଏ ମୌଳିକ ଛବି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଧନୀ ଲୋକମାନେ ଫେଶନ ହିସାବରେ ବହୁତ ଦାମ ଦେଇ ଛବି କିଣୁଛନ୍ତି, ପୁଣି ନିଜର ସଞ୍ଚୟକୁ ଗୋଟାଏ ପ୍ରକାରର ନିରାପଦ ଆକାରରେ ସାଇତିବା ପାଇଁ ମଧ୍ୟ ।

 

ଏହିରୂପେ ଛବି ବେପାରରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହେବା ବେଳକୁ ଜାଲିୟାତୀ ବ୍ୟବସାୟ ମଧ୍ୟ ପ୍ରବଳ ହେଇଛି । ଏଭଳି ସବୁ ଭଲ ଭଲ ଜାଲିୟାତ୍ ଶିଳ୍ପୀ ଅଛନ୍ତି, ଯେଉଁମାନଙ୍କର ଅଙ୍କା ଛବିକୁ କୌଣସି ବିଖ୍ୟାତ ଶିଳ୍ପୀଙ୍କର କୃତିଠାରୁ ବାରିଦେବା ଅଭିଜ୍ଞ କଳାବିତ୍ ପକ୍ଷରେ ମଧ୍ୟ ଅତି କଠିନ । ଏବେ ଆମେରିକାର ଜଣେ ଏଭଳି ଶିଳ୍ପୀଙ୍କର କଥା କାଗଜରେ ବାହାରିଥିଲା ଯେ ବିଖ୍ୟାତ ଶିଳ୍ପୀମାନଙ୍କର ଛବି ଜାଲକରି ବିକ୍ରି କରୁଥିଲେ ଓ ଧରାପଡ଼ି କେତେ ବର୍ଷ ଜେଲ ଖଟିଲେ-। ଏବେ ଜେଲରୁ ବାହାରି ସେ ଅନ୍ୟ ଶିଳ୍ପୀଙ୍କର ଛବି ନକଲ ଠକାଇବା ଉଦ୍ଦେଶ୍ୟରେ ନୁହେଁ ମାତ୍ର ନକଲ ବୋଲି ଜଣାଇକରି ହିଁ ବିକୁଛନ୍ତି ଓ ତାହା ଏତେ ଯଥାର୍ଥ ହେଉଛି ଯେ ଏସବୁ ନକଲ ଛବି ହିଁ ଗୋଟା ଆଠ ଦଶ ହଜାର ଟଙ୍କାରେ କଟୁଛି ।

 

ଏବେ ଜାଲ ଧରିବା ପାଇଁ ବିଜ୍ଞାନର ସାହାଯ୍ୟ ନିଆଯାଉଛି । ଦୁଇ ଚାରି ଶହ ବର୍ଷ ତଳେ ରଙ୍ଗରେ ଯେଉଁସବୁ ଉପାଦନ ବ୍ୟବହୃତ ହେଉଥିଲା ଆଜିକାଲି ତା’ଠୁଁ ଭିନ୍ନ ବସ୍ତୁ ବ୍ୟବହୃତ ହେଉଛି । ଛବିରୁ ସାମାନ୍ୟ ପରିମାଣ ରଙ୍ଗ ଚାଂଛି ନେଇ ରାସାୟନିକ ପରୀକ୍ଷା କଲେ ସେ ରଙ୍ଗ କେଉଁ ଯୁଗର ତାହା ବାରି ହେଇଯିବ । ଯେଉଁ କନା ଉପରେ ଛବି ଅଙ୍କା ହେଇଥିବ ତା’ର ବୟସ ମଧ୍ୟ ଏକଦରେ ଆଦି ଦ୍ଵାରା କଳନା କରି ହେଉଛି । ଏହିଭଳି ନାନା ପରୀକ୍ଷାନିରୀକ୍ଷା କରି ଶ୍ରୀ ଆଲ୍‌ବର୍ଗ ଛବିର ଅସଲନକଲପଣିଆ ଯଚେଇ କରିଥାନ୍ତି । ସେଥିପାଇଁ ତାଙ୍କ ପାଖରେ ଅଣୁବୀକ୍ଷଣ, କାମେରା, ଏକସରେ ଯନ୍ତ୍ର ଆଦି ନାନା ପ୍ରକାରର ଯନ୍ତ୍ରପାତି ରହିଛି । ସ୍ଵୀଡ଼େନ୍‌ର ସରକାର ତାଙ୍କୁ କେତେକ ସୂକ୍ଷ୍ମ ଯନ୍ତ୍ରପାତି କିଣିବା ପାଇଁ ଦଶ ହଜାର କ୍ରାଉନ୍ ସାହାଯ୍ୟ ଦେଇଛି ।

 

ଏ ଦମ୍ପତିଙ୍କର ସହଜ ସରଳ ବ୍ୟବହାର ତାଙ୍କ ଘରକୁ ମୋର ନିଜ ଘର ପରି କରିଦେଲା । ପ୍ରଥମେ ତ ସେ ମତେ ତାଙ୍କ ଦାଣ୍ତ ଦରଜାର ଗୋଟିଏ ଚାବି ଦେଇଦେଲେ, ଯେପରି ମୁଁ ଇଚ୍ଛାମତେ ଯିବା ଆସିବା କରିପାରିବି । ପ’ର ଦିନ ସକାଳୁ ଶ୍ରୀମତୀ ଆଲବର୍ଗ ତ ଖୁବ୍ ବଡ଼ି ସକାଳୁ ତାଙ୍କ କାମକୁ ଚାଲିଗଲେ । ମତେ ଆଲବର୍ଗ ନେଇ ତାଙ୍କ ରୋଷେଇ ଓ ଖାଇବା ଘରରେ କେଉଁଠି କ’ଣ ଅଛି ତାହା ସବୁ ଦେଖାଇ ଦେଲେ ଓ କହିଦେଲେ ଯେ ଯେତେବେଳେ ଭୋକ କରିବ ଯାହା ଦରକାର ନେଇ ଖାଇବ । କିନ୍ତୁ ସଂକୋଚ କରିବ ନାହିଁ ।

 

ସ୍ଵୀଡ଼େନ ଦେଶଟାର ଆୟତନ ବେଶ୍ ବଡ଼ ହେଲେ ବି ଲୋକସଂଖ୍ୟା ବେଶୀ ନୁହେ, ମାତ୍ର ଅଶି ଲକ୍ଷ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ଵର, ଓଡ଼ିଶାର ଏହି ଚାରିଟା ଜିଲ୍ଲାର ସମାନ । ଷ୍ଟକହଲମ୍ ସହରଟା ମଧ୍ୟ ଖୁବ୍ ବଡ଼ ନୁହେଁ । ତେବେ ଏହା କେତେଗୁଡ଼ିଏ ଛୋଟ ଛୋଟ ଦ୍ଵୀପ ଉପରେ ଅବସ୍ଥିତ । ସମୁଦ୍ର ଭିତରେ ବହୁ ଛୋଟ ଛୋଟ ଦ୍ଵୀପ । ଯେ କେତୋଟି ଉପରେ ସହର ସେସବୁ ସେତୁଦ୍ଵାରା ସଂଯୁକ୍ତ । ଆଖପାଖର ଅନ୍ୟ ଦ୍ଵୀପମାନଙ୍କରେ ଛୋଟ ଛୋଟ ସହର ବା ଗାଁ ରହିଛି । ଗୋଟିଏ ଦ୍ଵୀପରେ ଏକ ପ୍ରମୋଦ ଉଦ୍ୟାନ ରହିଛି, ଜୁର୍‌ଗାର୍ଟେନ୍ ବା ପଶୁ-ଉଦ୍ୟାନ । ଏ ସବୁଠାକୁ ଯିବା ଆସିବା କରିବାକୁ ମୋଟର ବୋଟ୍ ସର୍ଭିସ୍ ମଧ୍ୟ ରହିଛି । ପ୍ରଥମ ଦିନ ଚାଲି ଚାଲି ସହରର ପ୍ରଧାନ ଦର୍ଶନୀୟ ସ୍ଥାନ ଦେଖିଲି । ସ୍ଵୀଆଭାଗେନ୍ ଏକ ବଡ଼ ଉଦ୍ୟାନ, ସହର ମଝିରେ । ଏହାର କେତେକ ଅଂଶ ଏକ ପାହାଡ଼ ମୁଣ୍ତିଆ ଉପରେ ଓ ସେଠୁ ସହରର ଏକ ମନୋରମ ଦୃଶ୍ୟ ଦେଖାଯାଏ । ଅସଂଖ୍ୟ ନରନାରୀ ଓ ପିଲା ଉଦ୍ୟାନରେ ବସି ଶୋଇ ଖରା ପୋଉଁଥାନ୍ତି । ଏଠି ବେଶ୍ ଶୀତ ଥିବ ବୋଲି ମୁଁ ଆଶଂକା କରିଥିଲି । ମାତ୍ର ବାସ୍ତବରେ ଅତି ସାମାନ୍ୟ ଶୀତ ଥିଲା । ଖରାବେଳେ ତ ଗରମ ଲୁଗା ପିନ୍ଧିବା ଅଶ୍ଵସ୍ତିକର ବୋଧ ହେଉଥିଲା ।

 

ଏଠାରେ ରାଜକୀୟ ଶିଳ୍ପ ସଂଗ୍ରହାଳୟ ଓ ଆଧୁନିକ କଳା ସଂଗ୍ରହାଳୟ ଦେଖିଲି । ପ୍ରଥମଟିରେ ସାରା ୟୁରୋପର ବିଶିଷ୍ଟ ଖ୍ୟାତନାମା ଶିଳ୍ପୀମାନଙ୍କର ଉତ୍କୃଷ୍ଟ ଚିତ୍ରମାନଙ୍କର ସଂଗ୍ରହ ରହିଛି । ବିରାଟ ତେତାଲା ଭବନ । ଅଳ୍ପ ସମୟ ଭିତରେ ସେ ସବୁର ଗୋଟାଏ କେବଳ ଅତି ଉପର ଠାଉରିଆ ଧାରଣା ହିଁ ମିଳିବା ସମ୍ଭବ ଥିଲା । ଏହାର ଅଳ୍ପ ଦୂରରେ ଆଧୁନିକ କଳା ସଂଗ୍ରହାଳୟ । ବାସ୍ତବ ଦୃଶ୍ୟର ଅନୁକରଣରେ ହିଁ ଚିତ୍ରକଳାର ଆରମ୍ଭ; ମାତ୍ର ଏବେ ଆଧୁନିକ ଚିତ୍ରକଳା ଆଉ ବାସ୍ତବକୁ ଆଶ୍ରୟ କରି ରହୁ ନାହିଁ । ବାସ୍ତବ ଦୃଶ୍ୟର ପ୍ରତିକୃତି ନିର୍ମାଣ ଛାଡ଼ିଦେଇ ବର୍ତ୍ତମାନ ତାହା ବିମୂର୍ତ୍ତ ଆକୃତି ଓ ବର୍ଣ୍ଣର ବ୍ୟଂଜନାକୁ ହିଁ ଆଶ୍ରୟ କରିଛି । ସଂଗୀତ ସହିତ ଏହାର ତୁଳନା କରାଯାଇପାରେ । ଗୀତରେ କଥା ଓ କଥାର ବିଶିଷ୍ଟ ଭାବ ଥାଏ ମାତ୍ର ଯନ୍ତ୍ର ସଙ୍ଗୀତରେ କଥା ନ ଥାଏ କେବଳ ସୁରର ମୂର୍ଚ୍ଛନା ଥାଏ । ସେହି ସୁରର ମୂର୍ଚ୍ଛନା ହିଁ ଶ୍ରୋତାର ହୃଦୟରେ ନାନା ଭାବାବେଗ ଉଦ୍ରେକ କରିବାକୁ ସମର୍ଥ ହୁଏ । ଆଧୁନିକ ଚିତ୍ରକଳା ସେହି ଯନ୍ତ୍ର ସଙ୍ଗୀତ ପରି । ଏଥିରେ ଆକାର ଓ ବର୍ଣ୍ଣର ଲୀଳାଖେଳା ବାସ୍ତବର ଅନୁକୃତି ନୁହେଁ ମାତ୍ର ଯନ୍ତ୍ର ସଙ୍ଗୀତର ମୂର୍ଚ୍ଛନା ପରି ଦର୍ଶକ ହୃଦୟରେ ତାହା ନାନା ଭାବର ଉଦ୍ରେକ କରେ । ଏ ଆଧୁନିକ ଚିତ୍ରକଳାରେ ନାନା ଉଦ୍ଭଟ କାରବାର ଅଛି । ଗୋଟାଏ ଆଧୁନିକ ‘ଚିତ୍ର’ ଦେଖିଲି ସ୍ରେଫ ଗୋଟାଏ କଳାପଟା, କାଚ ଓ ଫ୍ରେମ୍ ଦିଆ ହେଇ ବନ୍ଧା ହେଇ ରହିଛି । ବୋଧହୁଏ ନିରାକାର ପରଂବ୍ରହ୍ମଙ୍କ ପ୍ରତୀକ । ଆଉ କେତେକ ଚିତ୍ର ଦେଖିଲେ ମନେହେବ ଚିତ୍ରକର ଆଖି ବୁଜି ତୁଳିକୁ ନାନା ରଙ୍ଗରେ ବୁଡ଼େଇ ଛାଟି ଦେଇଛନ୍ତି ବା ଗାରେଇ ଦେଇଛନ୍ତି । ଥରେ କୃଶ୍ଚେଭ ବିରକ୍ତ ହେଇ କହିଥିଲେ ଯେ ଗଧ ଲାଞ୍ଚକୁ ରଙ୍ଗରେ ବୁଡ଼େଇ ଛାଡ଼ିଦେଲେ ଓ ସେହି ଗଧ ଲାଞ୍ଜ ଛାଟିଦେଲେ ଯାହା ହେବ ତାହା ହେଲା ଆଧୁନିକ ଚିତ୍ରକଳା । ଷ୍ଟକହଲମ୍‌ର ସଂଗ୍ରହାଳୟରେ ଆଧୁନିକ ଚିତ୍ର ଆଙ୍କିବା ପାଇଁ ଗୋଟାଏ ଯନ୍ତ୍ର ରହିଛି । ଟଙ୍କାଟାଏ ଦେଇ ସେଥିରେ ଖଣ୍ତେ ଧଳା କାଗଜ ଆଣ୍ଟି ଯନ୍ତ୍ର ଚଳେଇ ଦେଲେ ଯନ୍ତ୍ରରେ ଖଞ୍ଜା ହେଇଥିବା ରଙ୍ଗ ପେନସିଲ ସବୁ ଇତସ୍ତତ ଚାଲି ‘ଆଧୁନିକ’ ଚିତ୍ର ଆଙ୍କିଦେବ । ତେବେ ପ୍ରଥମେ ଆଧୁନିକ ଚିତ୍ରସବୁ ମତେ କିଂଭୂତକିମାକାର ଲାଗୁଥିଲେ ମଧ୍ୟ ଅନେକ ଛବି ଦେଖିବା ପରେ ଏବେ ସେ ସବୁରେ ବର୍ଣ୍ଣ ଓ ରେଖାର ହିଜିବିଜି ଭିତରେ ଏକପ୍ରକାର କଳାର ପରିପ୍ରକାଶ ବାସ୍ତବରେ ରହିଛି ବୋଲି ମୋର ହୃଦବୋଧ ହେବାକୁ ଲାଗିଲା ।

 

ସେଦିନ ସନ୍ଧ୍ୟାରେ ଆଲବର୍ଗ ଓ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ବହୁତ ରାତି ପର୍ଯ୍ୟନ୍ତ ବସି ଗପ ହେଲା । ଆଉ ଦୁଇଜଣ ଛାତ୍ରଛାତ୍ରୀ ମଧ୍ୟ ଆସିଥିଲେ । ପ୍ରଥମତଃ ସେମାନେ ଭାରତର ପରିସ୍ଥିତି ଓ ତାହା ଭିତରେ ସର୍ବୋଦୟ ଆନ୍ଦୋଳନର ଗତିବିଧି ବିଷୟରେ ଜାଣିବାକୁ ଆଗ୍ରହୀ ଥିଲେ । ତା’ପରେ ସ୍ଵୀଡ଼େନ୍ ବିଷୟରେ ଅନେକ ଚର୍ଚ୍ଚା ହେଲା । ସ୍ଵୀଡ଼େନ୍ ତ ୟୁରୋପର ସବୁଠାରୁ ସମୃଦ୍ଧ ଦେଶ, ବୋଧହୁଏ ଯୁକ୍ତରାଷ୍ଟ୍ର ଆମେରିକାର ସମକକ୍ଷ ହେବ, ସମୃଦ୍ଧିରେ । ଏଠି ଗତ ପଚାଶ ବର୍ଷରୁ ଅଧିକ କାଳ ସୋଶାଲ ଡେମୋକ୍ରାଟିକ୍ ଦଳର ଶାସନ ଚାଲିଛି । ଏ ଦଳ ଗୋଟାଏ ପ୍ରକାରର ସମାଜବାଦରେ ବିଶ୍ଵାସ କରେ ଓ ଫଳରେ ଏଠି ସାମାଜିକ ସେବା ଓ ସୁରକ୍ଷା ବ୍ୟବସ୍ଥାର ବିକାଶ ଖୁବ୍ ଭଲ ଭାବରେ ହେଇଛି । ଏ ଦୃଷ୍ଟିରୁ ଏହାକୁ ପୃଥିବୀର ଆଦର୍ଶ ସ୍ଥାନୀୟ କୁହାଯାଇପାରେ । ଏଠାର ସାଧାରଣ ଶ୍ରମିକ ଘଣ୍ଟାକୁ ସାତଆଠ କ୍ରୋନର୍ ବା ଏଗାର ବାର ଟଙ୍କା ରୋଜଗାର କରେ । ପ୍ରାଥମିକ ଶିକ୍ଷକର ଦରମା ମାସକୁ ସାଢ଼େ ତିନି ଚାରି ହଜାର ହେବ । ଆର୍ଥନୀତିକ ବିଷମତା ପାଞ୍ଚସାତ ଗୁଣରୁ ବେଶୀ ନୁହେଁ ବୋଲି ମତେ ବନ୍ଧୁମାନେ କହିଥିଲେ । ସମସ୍ତଙ୍କ ପାଇଁ ବେକାର ଭତ୍ତା, ପଞ୍ଚଷଠି ବରଷରେ ସମସ୍ତ ପୁରୁଷ ଓ ଷାଠିଏ ବର୍ଷରେ ସମସ୍ତ ସ୍ତ୍ରୀମାନଙ୍କ ପାଇଁ ପେନ୍‌ସନ୍ ବ୍ୟବସ୍ଥା ଅଛି ।

 

ଚିକିତ୍ସା ବ୍ୟବସ୍ଥା ମଧ୍ୟ ଏହିଭଳି ରାଷ୍ଟ୍ର ପକ୍ଷରୁ ରହିଛି । ଚିକିତ୍ସା ପାଇଁ ସବୁ ପ୍ରକାରର ଆବଶ୍ୟକ ଖର୍ଚ୍ଚ ରାଷ୍ଟ୍ର ପକ୍ଷରୁ କରାଯାଏ ଓ ତେଣୁ ପ୍ରତ୍ୟେକ ରୋଗୀ ସର୍ବୋତ୍ତମ ସେବା ଓ ଚିକିତ୍ସାର ସୁଯୋଗ ସମାନ ଭାବରେ ପାଇଥାନ୍ତି । ଏଠାର ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଶ୍ଵବିଦ୍ୟାଳୟର ଉଚ୍ଚତମ ସ୍ତର ପର୍ଯ୍ୟନ୍ତ ମାଗଣା । ଏହାଛଡ଼ା ପିଲାମାନଙ୍କର ଯଥାଯଥ ଲାଳନ ପାଳନ ପାଇଁ ପ୍ରତିଟି ପିଲା ଜନ୍ମ ହେବାଠାରୁ ଅଠର ବର୍ଷ ବୟସର ହେବା ଯାଏ ତା’ର ବାପା ମାଙ୍କୁ ନିୟମିତ ଭତ୍ତା ମିଳିଥାଏ । ଏହାର ପରିମାଣ ପିଲା ପିଛା ମାସକୁ ତିନିଶହ ଟଙ୍କା ହେବ ।

 

ଏସବୁ ପ୍ରକାର ସମୃଦ୍ଧ ବ୍ୟବସ୍ଥା ଗୋଟାଏ ଦିଗରେ ହେଲା ବେଳକୁ ଅନ୍ୟ ଦିଗରେ ସମସ୍ୟାର ମଧ୍ୟ ଅଭାବ ନାହିଁ । ସମାଜବାଦୀ ସରକାର ହେଲେ ବି ଅର୍ଥନୀତିଟା ପୁଞ୍ଜିବାଦୀ । ବହୁବର୍ଷ ହେଲା ସ୍ଵୀଡ଼େନ୍ ଶିଳ୍ପ ବାଣିଜ୍ୟ ଦିଗରେ ମାନ୍ଦା ଅନୁଭବ କରି ନ ଥିଲା । ଏବେ ଗତ ବର୍ଷ ମାନ୍ଦା ପଡ଼ିଛି । ଫଳରେ କେତେଗୁଡ଼ାଏ ଛୋଟକାଟର ଶିଳ୍ପ ବନ୍ଦ ହୋଇ ଯାଇଛି । ଉତ୍ତର ସ୍ଵୀଡ଼େନରେ କେତେକ ଛୋଟ ଛୋଟ ସହରର ପୂରାପୂରି ଗୋଟିଏ ଲେଖାଏଁ ଶିଳ୍ପ ଉପରେ ନିର୍ଭରଶୀଳ । ଏପରି ଶିଳ୍ପଟାଏ ବନ୍ଦ ହେବା ଅର୍ଥ ସେ ସହରଟା ଯାକର ଲୋକ ବେକାର । ସେମାନେ ଅବଶ୍ୟ ପ୍ରଚୁର ବେକାର ଭତ୍ତା ପାଉଛନ୍ତି, ମାତ୍ର ବେକାର ଅବସ୍ଥାଟା ମଣିଷର ନୈତିକ ଆଣ୍ଟ ଭାଙ୍ଗିଦିଏ, ତା’ର ପାରବାରିକ ଓ ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଦିଏ । ସମୃଦ୍ଧି ଆଣି ଦେଇଥିଲେ ମଧ୍ୟ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଯେ ତ୍ରୁଟିଶୂନ୍ୟ ଓ ସଙ୍କଟଶୂନ୍ୟ ନୁହେଁ ତାହା ଲୋକେ ଅନୁଭବ କରୁଛନ୍ତି ।

 

ଏହାଛଡ଼ା ସ୍ଵୀଡ଼େନରେ ଆତ୍ମହତ୍ୟାର ହାର ପୃଥିବୀରେ ସବୁଠଁ ବେଶୀ । ସବୁ ପ୍ରକାରର ବୈଷୟିକ ସଂପନ୍ନତା ଥାଇ ମଧ୍ୟ ଏଭଳି କାହିଁକି ଘଟୁଛି ? ଜୀବନର କୌଣସି ମହତ୍ ବା ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ନ ଥିବାର ଅନୁଭବ କରି ଲୋକେ ହତାଶ ହେଇ ଆତ୍ମହତ୍ୟା କରୁଛନ୍ତି ବୋଲି କେତେକ ସମାଜବିଜ୍ଞାନୀମାନଙ୍କର ମତ । ଅନ୍ୟମାନେ କହନ୍ତି ଯେ ଯେଉଁ ସଭ୍ୟ ଦେଶମାନେ ଦେଶରୁ ଦାରିଦ୍ର୍ୟ ଓ ଅଭାବ ଲୋପ କରିବାକୁ ସମର୍ଥ ହୋଇ ନାହାନ୍ତି ସେମାନେ ଏ କଥାଟାକୁ ବେଶୀ କରି ଉଝାଳୁଛନ୍ତି ଯେ ଜୀବନ ଅତି ସୁରକ୍ଷିତ ହେଲେ ସେଥିରୁ ସ୍ଵାଦ ଚାଲିଯାଏ । ବାସ୍ତବରେ ସ୍ଵୀଡ଼େନରେ ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ ନ ହେଇ ଥିବାରୁ ଓ ଖବର କାଗଜରେ ତାହାର ଖବର ବାହାରୁ ନ ଥିବାରୁ ଏଠି ଲୋକେ ଏଭଳି ଘଟଣା ଲୁଚାନ୍ତି ନାହିଁ ଓ ତେଣୁ ହିସାବରେ ଏହାର ହାରଟା ବେଶୀ ଦେଖାଯାଏ । ପ୍ରସଙ୍ଗ କ୍ରମେ ଏଇ ଜୀବନର ଲକ୍ଷ୍ୟ କଥା ନେଇ ଆଲବର୍ଗଙ୍କ ସହ ଆଲୋଚନା ହେଲା । ଏ ଦେଶର ଲୋକେ ଏବେ ପ୍ରଚୁର ଅବସର ଉପଭୋଗ କରୁଛନ୍ତି ଓ ତାହାର ସଦୁପଯୋଗ ନିମନ୍ତେ ସେମାନଙ୍କର ସାଂସ୍କୃତିକ ଉତ୍କର୍ଷ ହେବା ଆବଶ୍ୟକ; ସାହିତ୍ୟ, କଳା, ବିଜ୍ଞାନ, ଦର୍ଶନ ଆଦି ବିବିଧ ବିଷୟର ଚର୍ଚ୍ଚା ଓ ଜ୍ଞାନ ଆହରଣ କରିବା ପାଇଁ ଲୋକଙ୍କୁ ପ୍ରେରଣା ଦେବା ଆବଶ୍ୟକ ବୋଲି ଅନୁଭବ କରି କିଛିଦିନ ହେଲା ଗୋଟିଏ ଆନ୍ଦୋଳନ ଏ ଦେଶରେ ଆରମ୍ଭ ହେଇଛି । ଲୋକଙ୍କୁ ଏ ଦିଗରେ ପ୍ରବୃତ୍ତ କରାଇବା ପାଇଁ ନାନାବିଧ ଆୟୋଜନ କରିବା ଏ ଆନ୍ଦୋଳନର ଉଦ୍ଦେଶ୍ୟ । ଆଲବର୍ଗ ଏଥିରେ ଜଣେ ପ୍ରଧାନ ପୁରୋଧା । ପ୍ରଚଳିତ ରାଜନୀତିର ଗତିବିଧି ସମ୍ଵନ୍ଧରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଲା । ରାଜନୀତିକ ନେତାମାନେ ଖାଲି ଉପର ଠାଉରିଆ ଭାବରେ ଭାବନ୍ତି, କାମ କରନ୍ତି, ଜୀବନର ସମସ୍ୟାର ଗହୀରକୁ ଯାଆନ୍ତି ନାହିଁ ବୋଲି ସେ ଅଭିଯୋଗ କଲେ ।

 

ଶ୍ରୀମତୀ ଆଲବର୍ଗ ଭାରତୀୟ ଦର୍ଶନ ଅଧ୍ୟୟନ କରିଛନ୍ତି ବୋଲି ଆଲୋଚନା ପ୍ରସଙ୍ଗରେ ଜଣାପଡ଼ିଲା । ଅଦ୍ଵୈତବାଦ ଓ ଭକ୍ତିତତ୍ତ୍ଵ ତାଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଛି । ଏ ବିଷୟରେ ତାଙ୍କ ସହିତ ଦୀର୍ଘ ଆଲୋଚନା ହେଲା । ଗୀତା ପ୍ରବଚନ ପଢ଼ିବାକୁ ସେ ବିଶେଷ ଆଗ୍ରହ ପ୍ରକାଶ କଲେ ।

 

ତା’ପର ଦିନ ହ୍ଵାଇଟ୍ ଓ ମୁଁ ଲଞ୍ଚରେ ଭାକ୍‌ସହୋଲମ୍ ବୋଲି ଗୋଟିଏ ଗାଁକୁ ଗଲୁ । ପ୍ରାୟ କୋଡ଼ିଏ ମାଇଲ ବାଟ, ମୋଟର ଲଞ୍ଚରେ ଘଣ୍ଟାଟିଏ ଲାଗିଲା । ଦ୍ଵୀପମାନଙ୍କର ମଝି ଦେଇ ହ୍ରଦତୁଲ୍ୟ ସମୁଦ୍ର ଉପରେ ଯାତ୍ରା । ଦ୍ଵୀପ ଉପରେ ପାହାଡ଼, ବଣ, ଗାଁ, ସମୁଦ୍ରରେ ନାନା ଉଜ୍ଜ୍ଵଳ ରଙ୍ଗର ପାଲଟଣା ନୌକା ଖରା ତେଜରେ ଝଟକୁଛି । ଏସବୁ ନୌକା ଲୋକେ ପ୍ରମୋଦବିହାର ପାଇଁ ବ୍ୟବହାର କରନ୍ତି । ଉପରେ ମେଘମୁକ୍ତ ନୀଳ ଆକାଶ ତଳେ ଘନନୀଳ ସମୁଦ୍ର । ଘଣ୍ଟାଟା ଖୁବ୍ ଉପଭୋଗ୍ୟ ହେଲା ।

 

ଭାକ୍‌ସହୋଲମ୍ ତାଙ୍କ ଦେଶର ସାନ ଗାଁ ସତ ମାତ୍ର ଆମ ଦେଶର ଗାଁ ସହିତ ତା’ର କୌଣସି ସାଦୃଶ୍ୟ ନାହିଁ ଏହା କହିବା ବାହୁଲ୍ୟ ମାତ୍ର । ଚଉଡ଼ା ପକ୍କା ରାସ୍ତା, ଦୋତଲା ତେତାଲା ଘର, ପଣ୍ୟ ସାମଗ୍ରୀରେ ପରିପୂର୍ଣ୍ଣ ଦୋକାନର କାଚ ଝରକା, ରେସ୍ତୋରାଁ ବା ହୋଟେଲ ବାହାରେ ରଙ୍ଗବେରଙ୍ଗ ଛତା ତଳେ ବସି ଚା ପିଉ ପିଉ ଗପ କରୁଥିବା ନରନାରୀଙ୍କ ଗହଳି, ଏସବୁ ଦେଖିଲେ ମନେ ହେବ ଏହା ବମ୍ଵେର ଜୁହୁ ପାଖର ଏକ ଅଞ୍ଚଳ । ତେବେ ଗାଁ ଭିତରକୁ ଗଲେ ଗଛପତ୍ରର ପ୍ରାଚୁର୍ଯ୍ୟ ରହିଛି । ଘର ସବୁ ସହର ପରି ଲଗାଲଗି ନୁହେଁ । ପ୍ରାୟ ପ୍ରତି ଘରେ ଚାରିପଟେ ଖଣ୍ତେ ବଗିଚା ରହିଛି । ଖରାଦିନ, ଅଜସ୍ର ଫୁଲଫୁଟି ଚାରିଆଡ଼ ଝଟକୁଛି । ଲୋକଙ୍କ ଘର ସବୁ ମଧ୍ୟ ନାଲି, ହଳଦିଆ, ନୀଳ, ସାବୁଜ ଆଦି ନାନା ରଙ୍ଗରେ ବର୍ଣ୍ଣାଢ଼୍ୟ । ଏଭଳି ରଙ୍ଗ ବେରଙ୍ଗର ଘର ଆମ ଦେଶରେ କେବଳ କେତେକ ଆଦିବାସୀ ଅଞ୍ଚଳରେ ହିଁ ଦେଖାଯାଇଥାଏ ।

 

ଏ ଗାଁର ଅନେକ ଲୋକ ଷ୍ଟକହଲମ ସହରର ଅଫିସ୍, କାରଖାନା ଆଦିରେ କାମ କରନ୍ତି । ଆଉ କିଛି କରନ୍ତି ଲଞ୍ଚ, ଷ୍ଟୀମର ଆଦି ଚଳାଚଳ ବ୍ୟବସ୍ଥାରେ । ଚାଷଜମି ବିଶେଷ ନାହିଁ କି ସେ ଧନ୍ଦା ମଧ୍ୟ ବିଶେଷ କାହାରି ନାହିଁ । ଏଠାକୁ ବହୁତ ଭ୍ରମଣାର୍ଥୀ ଆସୁଥିବାରୁ ଦୋକାନ, ହୋଟେଲ୍ ଆଦି ମଧ୍ୟ କେତେକ ଲୋକଙ୍କ ପାଇଁ ଭଲ ରୋଜଗାରର ପନ୍ଥା ।

Image

 

ଦଶ

ସ୍ଵୀଡ଼େନର ହ୍ରଦ, ଉଦ୍ୟାନ ଓ ଶାନ୍ତିବାଦୀ

 

ଭାକ୍‌ସହୋଲମ୍‌ରୁ ଫେରିବା ପରେ ସଂଧ୍ୟାରେ ଷ୍ଟକହଲମରେ ଗୋଟାଏ ସଭାରେ ଯୋଗ ଦେବାର ଥିଲା । ଆନ୍ତର୍ରାଷ୍ଟ୍ରୀୟ ଯୁଦ୍ଧ ବିରୋଧୀ ସଂଘର ସ୍ଵୀଡ଼ିଶ୍ ଶାଖା ଓ “ଶାନ୍ତି ଓ ସ୍ଵାଧୀନତା ନିମନ୍ତେ ନାରୀମାନଙ୍କର ସଂଘ” ଏ ଦୁଇ ଅନୁଷ୍ଠାନ ମିଶି ଶେଷୋକ୍ତ ସଂଘର ଅଫିସ୍‌ରେ ସଭା ଡାକିଥିଲେ । ପ୍ରଥମୋକ୍ତ ସଂଘଟିର ପ୍ରଧାନ କେନ୍ଦ୍ର ଲଣ୍ତନରେ । ଶ୍ରୀ ଦେବୀପ୍ରସାଦ ନଅ ବର୍ଷ ହେଲା ଏହାର ପ୍ରଧାନ ସମ୍ପାଦକ ଅଛନ୍ତି । ଶେଷୋକ୍ତଟି ମଧ୍ୟ ଗୋଟିଏ ଆନ୍ତର୍ରାଷ୍ଟ୍ରୀୟ ସଂଘ । ଏହା କେବଳ ମହିଳାମାନଙ୍କ ପାଇଁ । ତା’ର ମୁଖ୍ୟକେନ୍ଦ୍ର ଷ୍ଟକ୍‌ହଲମରେ । ହ୍ଵାଇଟ୍ ମତେ ପୂର୍ବରୁ ବାରଂବାର ଚେତେଇ ଦେଉଥିଲା ଯେ ଏବେ ଖରାଛୁଟି ସମୟ ଓ ତା’ ଉପରେ ଆଜିକାର ପାଗ ଅପ୍ରତ୍ୟାଶିତ ଭାବରେ ନିର୍ମଳ । ଏ ଭଳି ଏକ ସୁନ୍ଦର ସନ୍ଧ୍ୟାରେ ବହୁତ କମ୍ ଲୋକ ଘର ଭିତରେ ବସି ବକ୍ତୃତା ଶୁଣିବାକୁ ଇଚ୍ଛା କରିବେ । ଛଅ ଜଣରୁ ବେଶୀ ଶ୍ରୋତା ଆଶା କରିବାର ନୁହେଁ । କିନ୍ତୁ ଶେଷ ପର୍ଯ୍ୟନ୍ତ ଏହି ସଭାରେ ଏହାର ଦୁଇଗୁଣ ଲୋକ ଉପସ୍ଥିତ ହେଲେ ଓ ସଭା ବେଶ୍ ଜୋରସାରରେ ଚାଲିଲା । ନାନା ବିଷୟ ନେଇ ଖୁବ୍ ପ୍ରଶ୍ନୋତ୍ତର ମଧ୍ୟ ହେଲା । ଶ୍ରୋତାମାନଙ୍କ ଭିତରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ଓ ଗନ୍ଧୀ ବିନୋବାଙ୍କର ଆଦର୍ଶ ଓ କାମ ବିଷୟରେ ସେମାନଙ୍କର ଜାଣିବାର ଆଗ୍ରହ ବେଶ୍ ଆନନ୍ଦଦାୟକ ଥିଲା ।

 

ତୃତୀୟ ଦିନ ଆମେ ଜୁରଗାର୍ଟେନ ବୁଲିଗଲୁ । ଜଣେ ଛାତ୍ରବନ୍ଧୁ ତାଙ୍କର ଗାଡ଼ି ନେଇ ଆସିଥିଲେ । ଏ ଉଦ୍ୟାନକୁ ଛୁଟି ଦିନରେ ଅସଂଖ୍ୟ ଲୋକ ବୁଲି ଆସନ୍ତି । ଏହା ଭିତରେ ପିଲାଙ୍କର ଖେଳିବା ପାଇଁ ସବୁ ପ୍ରକାର ସୁବିଧା ଅଛି । ଗୋଟାଏ ଛୋଟ ରେଲ ଲାଇନ୍ ଓ ଗାଡ଼ି ମଧ୍ୟ ଅଛି । ପିଲାଏ ସେଥିରେ ବୋଝେଇ ହେଇ ଖୁବ୍ ଆନନ୍ଦ ଉପଭୋଗ କରୁଥାନ୍ତି । ପୁଣି ଥାଏ ଗୋଟାଏ ଅଗଭୀର ପକ୍କା ଗାଡ଼ିଆ । ଏଥିରେ ଆଣ୍ଠିଏ ମାତ୍ର ପାଣି ଥାଏ । ସେଥିରେ ସାନ ପିଲାମାନେ ମନ ଇଚ୍ଛା ଚବର ଚବର ହେଉଥାନ୍ତି । ଆମ ଦେଶର ସହରିଆ ଲୋକଙ୍କର ଯେପରି କୁସଂସ୍କାର ଅଛି ଯେ ପାଣି ଦେହରେ ଲାଗିଲାମାତ୍ରେ ଥଣ୍ତା ଧରି ସର୍ଦ୍ଦି କି ଆଉ କି କି ସାଂଘାତିକ ରୋଗ ଘୋଟିଯିବ ଏଟା ଥଣ୍ତା ଦେଶ ହେଲେବି ଏଠି ସେପରି କୁସଂସ୍କାର ନ ଥିବାର ଜଣାଗଲା ।

 

ଏ ଉଦ୍ୟାନ ଭିତରେ ସ୍ଵୀଡ଼େନ୍‌ର ପ୍ରାଚୀନ ସଂସ୍କୃତିକ ନମୁନା ସ୍ଵରୂପ ବିଭିନ୍ନ ଅଞ୍ଚଳର ପଚାଶ ଶହେ ବର୍ଷ ପୂର୍ବର ଗାଁର ଘର ବାଡ଼ି ଆଣି ରଖାଯାଇଛି । ଆଜିକାଲି ଆମ ଦେଶର ଗାଁଗହଳରେ ଯେଉଁ ପ୍ରକାରର ଚାଳ ଘର ବା ଟାଇଲ, ଖପର ଘର ରହିଛି ଓ ଯେଉଁ ସ୍ତରର ଚଳଣି ରହିଛି ପଚାଶ ଶହେ ବର୍ଷ ତଳେ ସେ ଦେଶର ଗାଁ ଲୋକେ ବି ପ୍ରାୟ ସେହିଭଳି ଚଳୁଥିଲେ । ଗରୀବ ଲୋକଙ୍କ ଚାଳିଆର ପଥରରେ ମାଟି ଲେସା ହେଇଥିବା ବା କାଠଗଡ଼ରେ ଗଢ଼ା କାନ୍ଥ ଓ ଘାସ ଛାଉଣୀ ଚାଳ । ବଡ଼ଲୋକଙ୍କ ଘର ଆଉ ଟିକେ ଚିକ୍କଣଚାକଣ । ହୁଏତ ବା ଦୋତାଲା । ଘର ଭିତରେ ସବୁ ଆସବାବ ପତ୍ର, କୃଷି ଉପକରଣ, ରୋଷେଇ ସରଞ୍ଜାମ, ଲୁଗାପଟା ଅବିକଳ ପୂର୍ବ କାଳ ପରି ସଜେଇ ରଖା ହେଇଛି । ଏଥିରୁ ଦେଖାଯାଏ ଯେ ପୂର୍ବକାଳରେ ଦେଶର ବିଭିନ୍ନ ଅଞ୍ଚଳରେ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ପ୍ରକାରର ପୋଷାକ ଥିଲା ଏବଂ ସମାଜର ବିଭିନ୍ନ ଶ୍ରେଣୀର ପୋଷାକ ମଧ୍ୟ ଚାଷୀମାନଙ୍କର ପ୍ରକାରେ, ସାଆନ୍ତମାନଙ୍କର ଆଉ ପ୍ରକାରେ । ଏବେ ତ ସାରା ୟୁରୋପର ନିତିଦିନିଆ ପୋଷାକ ଏକା ପ୍ରକାରର ହେଇ ଗଲାଣି । ସେଇ ପୁରୁଣା ଯୁଗର ସଠିକ ଆବହାଓ୍ୟା ସୃଷ୍ଟି କରିବା ପାଇଁ କେତେକ ସ୍ତ୍ରୀ ଲୋକ ସେଇ ପୁରୁଣା ପୋଷାକ ପିନ୍ଧି ଦର୍ଶକମାନଙ୍କୁ ସବୁ ଦେଖାଇବା ପାଇ ଗାଇଡ଼୍ କାମ ବା ଖାଇବା ଦୋକାନମାନଙ୍କରେ ପରିବେଷଣ କାମ କରୁଛନ୍ତି । ଗୋଟାଏ ଘରେ ଜଣେ ବୁଦ୍ଧା ବସି ଶହେ ବର୍ଷ ତଳର ଅରଟ ମଧ୍ୟ ଚଳାଉଛି । ଗୋଟିଏ ଚାଷୀର ଖମାର ଘର ମଧ୍ୟ ପୂରା ରଖା ହେଇଛି । ସେଥିରେ ଗାଈ, ଘୁଷୁରୀ, କୁକୁଡ଼ା ମଧ୍ୟ ରହିଛନ୍ତି । ଦୁଇଜଣ ଲୋକ ଏମାନଙ୍କ ତତ୍ତ୍ଵାବଧାନ କରୁଥାନ୍ତି । ଚାଳଘର, ପଥର ଚଟାଣ, କାଠର କାନ୍ଥ । ଅଗଣା ଚାରିପଟେ ଖଞ୍ଜା ବୁଲିଛି । ପାଖେ ଗୁହାଳ ଓ ଘୁଷୁରୀ ଖୁଆଡ଼, ପାଖେ ଅମାର, ପାଖେ ରହିବା ଘର, ଆଉ ପାଖେ କୃଷି ଉପକରଣ ଆଦି ରଖିବା ଘର । ଗୋଟିଏ କାଠ ତିଆରୀ ପୁରୁଣା ଗୀର୍ଜା ମଧ୍ୟ ଉଠେଇ ଆଣି ଏଠି ରଖା ହେଇଛି । ଏଭଳି କାଠ ତିଆରୀ ବଡ଼ ବଡ଼ ମନ୍ଦିର ଆମ ଦେଶରେ ହିମାଳୟ ଉପରେ ଉତ୍ତରାଖଣ୍ତ ଆଡ଼େ ଦେଖାଯାଏ । ବର୍ମାରେ ବି କାଠର ପ୍ୟାଗୋଡ଼ା ଅଛି ।

 

ଏଠୁ ଫେରିବା ବେଳେ ମୋଟର ଲଞ୍ଚରେ ଦେଖିଲି ଯେ କେତେ ଜଣ ମହିଳା ସାନ ସାନ ଦେଢ଼ ଦୁଇ ବର୍ଷର ପିଲାଙ୍କୁ ସାଙ୍ଗରେ ଧରି ଯାଉଛନ୍ତି । ଏ ପିଲାଙ୍କ ଛାତି ଓ ପିଠିରେ ରବରର ବେଲୁନ ପରି ଗୋଟାଏ ଗୋଟାଏ ପବନରେ ଫୁଲିଥିବା ଥଳି ବନ୍ଧା ହେଇଛି । ଯଦି ହଠାତ୍ ପାଣିରେ ପଡ଼ିଯାନ୍ତି ବା କୌଣସି ଦୁର୍ଘଟଣା ହେଇ ଲଞ୍ଚ ବୁଡ଼ିଯାଏ ତେବେ ପିଲାଙ୍କୁ ଏହା ଭସେଇ ରଖିବ । ଏହାଛଡ଼ା ସେମାନଙ୍କ କାନ୍ଧରେ ଗୋଟାଏ ଲେଖା ବକଲେସ୍ ବନ୍ଧା ହେଇ ସେଥିରେ ଚମଡ଼ାର ପଘା ଲାଗିଛି । ମା’ମାନେ ଏ ପଘା ଧରି ଚାଲିଥାନ୍ତି । ପିଲା ଆଉ ବେଶୀ ବାଟ ପଳେଇ ଯିବାର ବା ଏଣେତେଣେ ହଜିବାର ଆଶଙ୍କା ନାହିଁ । ଏହାଛଡ଼ା ପିଲାଙ୍କୁ ପିଠିରେ ବୋହିବା ପାଇଁ ମଧ୍ୟ ଆଧୁନିକ ବ୍ୟବସ୍ଥା ଦେଖିଲି । ଆମ ଦେଶର ଆଦିବାସୀ ମା’ମାନେ ପିଲାକୁ ଚାଦରରେ ପୁରେଇ ପିଠିରେ ବାନ୍ଧି ନିଅନ୍ତି । ଏଠି ଏଲୁମିନିୟମ୍ ଫ୍ରେମରେ କ୍ୟାମ୍ଵିସ୍‌ର ଚଉକି ଭଳି ଲଗା ହେଇଛି, ସେଥିରେ ଲାଗିଥିବା ପଟି ମାଆ ବା ବାପର ଦୁଇ କାନ୍ଧରେ ରହିବ, ନ୍ୟାପସାକ ବା ପିଲାଙ୍କର ସ୍କୁଲ ବ୍ୟାଗ ପରି । x x x

 

ପୂର୍ବରୁ ଶାନ୍ତିବାଦୀମାନଙ୍କର ବିଷୟ ଉଲ୍ଲେଖ କରିଛି । ସ୍ଵୀଡ଼େନ୍, ନରଓ୍ଵେ ଓ ଡେନମାର୍କରେ ଯୁଦ୍ଧ ବିରୋଧର ପ୍ରଭାବ ଅନ୍ୟାନ୍ୟ ଦେଶ ଅପେକ୍ଷା ଅଧିକ ବୋଲି ମନେହେଲା । ଏ ସବୁ ଦେଶରେ ଯୁବକମାନଙ୍କ ପାଇଁ ଏକ ବର୍ଷିଆ ବାଧ୍ୟତାମୂଳକ ସାମରିକ ଶିକ୍ଷାର ବ୍ୟବସ୍ଥା ଅଛି-। ମାତ୍ର ପ୍ରତିବର୍ଷ ବହୁ ସଂଖ୍ୟକ ଯୁବକ, ଏଭଳି ତାଲିମ ନେବାକୁ ନୀତି ଓ ବିବେକ ଦୃଷ୍ଟିରୁ ଅସ୍ଵୀକାର କରୁଛନ୍ତି । ନରଓ୍ଵେରେ ପୂର୍ବ ବର୍ଷରେ ଏମାନଙ୍କ ସଂଖ୍ୟା ପ୍ରାୟ ଆଠଶହ ଥିଲା ବୋଲି ହିସାବ ମିଳିଲା, ଓ ଏମାନଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିଚାଲିଛି । ଏମାନଙ୍କ ପାଇଁ ବିକଳ୍ପ ଅସାମରିକ ସେବାର ବ୍ୟବସ୍ଥା କେତେକ ଦେଶରେ ଥିବା କଥା ମଧ୍ୟ ପୂର୍ବରୁ କହିଛି । ମୁଁ ଷ୍ଟକହଲମ୍‌ରୁ ଯାଇ ଯେଉଁ ଦିନ ଓସଲୋ ପହଞ୍ଚିଲି ତା’ର ପୂର୍ବଦିନ ନରଓୟେର ପାର୍ଲାମେଣ୍ଟରେ ଏକ ଆଇନ ଗୃହୀତ ହେଇଥାଏ ଯେ ଯେଉଁମାନେ ଅହିଂସାରେ ବିଶ୍ଵାସ ଦୃଷ୍ଟିରୁ ସାମରିକ ଶିକ୍ଷା ନେଉ ନାହାନ୍ତି ସେମାନଙ୍କୁ ଅହିଂସାରେ ତାଲିମ ଦେବା ପାଇଁ ଏକ ବିଦ୍ୟାଳୟ ସରକାର ପକ୍ଷରୁ ଖୋଲାଯାଉ-। ମୁଁ ସେଠା ଶାନ୍ତିସଂଘ ଅଫିସ୍‌କୁ ଯିବା ବେଳକୁ ସେଠି ଏ ବିଷୟରେ କି’ ଭଳି କ’ଣ କରାଯିବ ତାହାର ଏକ ଆଲୋଚନା ଶାନ୍ତିବାଦୀ ଯୁବକମାନଙ୍କର ପ୍ରତିନିଧି ଓ ନରଓ୍ଵେ ସରକାରଙ୍କର ଆଇନମନ୍ତ୍ରଣାଳୟର ସେକ୍ରେଟାରୀଙ୍କ ଭିତରେ ଚାଲିଥାଏ । ନରଓ୍ଵେ ଓ ସ୍ଵୀଡ଼େନ୍ ବୋଧହୁଏ ପୃଥିବୀର ପ୍ରଥମ ଦେଶ, ଯାହାର ସରକାର ସେମାନଙ୍କର ଦେଶରକ୍ଷା ବିଭାଗ ପକ୍ଷରୁ ଏ ବିଷୟରେ ଗବେଷଣା ଓ ଅନୁସନ୍ଧାନ ଚଳାଉଛନ୍ତି ଯେ ବିନା ଅସ୍ତ୍ରରେ ବେସାମରିକ ଦେଶରକ୍ଷା କରିବାର କି କି ଉପାୟ ଅଛି ଓ ତାହା କେତେଦୂର ସମ୍ଭବ । ଏସବୁ ଦେଶ ଖୁବ୍ ଛୋଟ ଓ ଏମାନେ କେତେ ଶହ ବର୍ଷ ହେଲା ଯୁଦ୍ଧବିଗ୍ରହରେ ପଶି ନାହାନ୍ତି । ଅବଶ୍ୟ ନରଓ୍ଵେ ଡେନମାର୍କକୁ ଦ୍ଵିତୀୟ ମହାଯୁଦ୍ଧବେଳେ ଜର୍ମାନୀର ନାତ୍ସୀବାହିନୀ ଅଧିକାର କରିଥିଲେ । ସେମାନଙ୍କର ବିଧିବଦ୍ଧ ସୈନ୍ୟସାମନ୍ତ ଅଛନ୍ତି ଓ ନରଓ୍ଵେ ନାଟୋ ମେଣ୍ଟର ମଧ୍ୟ ଏକ ରହସ୍ୟ । ତଥାପି ଅନ୍ୟ ଦେଶ ଅପେକ୍ଷା ବୋଧହୁଏ ଏସବୁ ଦେଶର ଲୋକ ଅଧିକ ଅନୁଭବ କରୁଛନ୍ତି ଯେ ଏ ପାଖରେ ରୁଷ୍ ଓ ସେପାଖରେ ଆମେରିକାର ବିପୁଳ ଆଣବିକ ସମରସଜ୍ଜା ମଝିରେ ରହି ଅସ୍ତ୍ର ଶସ୍ତ୍ର ବଳରେ ଦେଶ ରକ୍ଷା କରିବା ଚେଷ୍ଟା ବ୍ୟର୍ଥ ପ୍ରଚେଷ୍ଟା ମାତ୍ର ହେବ ।

 

ଷ୍ଟକହଲମ୍ ଓ ଓସଲୋ ଉଭୟ ସ୍ଥାନରେ ଗୋଟିଏ ଲେଖାଁ ଆନ୍ତର୍ରାଷ୍ଟ୍ରୀୟ ଶାନ୍ତି ଗବେଷଣା ସଂସ୍ଥାନ ରହିଛି । ଏ ସଂସ୍ଥାନକୁ ମଧ୍ୟ ସେହି ଦେଶର ସରକାର ଅର୍ଥ ସାହାଯ୍ୟ ଦିଅନ୍ତି । ଷ୍ଟକହଲମ୍‌ର ସଂସ୍ଥାନଟିର ଅଧ୍ୟକ୍ଷ ବିଖ୍ୟାତ ଅର୍ଥନୀତିବିଦ୍ ଗୁନ୍ନାର୍ ମୀରଡ଼ାଲ୍ ଓ ତା’ର ପ୍ରଧାନ ପରିଚାଳକ ଜଣେ ଇଂରେଜ ସମାଜ ବିଜ୍ଞାନୀ ଶ୍ରୀ ନୀଲଡ଼ି । ଏହାଙ୍କ ସହିତ ଆଳାପ ହେଲା । ଏ ସଂସ୍ଥାନରେ ଚାଲିଥିବା ବିବିଧ ଗବେଷଣା ବିଷୟରେ ସେ ଧାରଣା ଦେଇଥିଲେ । ନିକଟରେ ସମାନ ଗୋଟିଏ କାମ ପୂରା କରିଛନ୍ତି, ତାହାହେଲା ଆନ୍ତର୍ରାଷ୍ଟ୍ରୀୟ ନିରସ୍ତ୍ରୀକରଣ ପାଇଁ ଏପର୍ଯ୍ୟନ୍ତ ଯେତେ ଯେତେ ଉଦ୍ୟମ ହେଇଛି ତା’ର ଏକ ପୁଙ୍ଖାନୁପୁଙ୍ଖ ବିବରଣ । ଏସବୁ ନିରସ୍ତ୍ରୀକରଣ ଉଦ୍ୟମ କି କି କାରଣରୁ ବିଫଳ ହେଲା ଓ କି କି କାରଣ ଏଭଳି ଉଦ୍ୟମକୁ ସଫଳ କରିବା ଦିଗରେ ସାହାଯ୍ୟ କରିବ ତାହା ଏ ପୁଙ୍ଖାନୁପୁଙ୍ଖ ବିବରଣର ବିଶ୍ଳେଷଣ ଓ ପର୍ଯ୍ୟାଲୋଚନା ଦ୍ଵାରା ଜାଣିବା ସମ୍ଭବ ହେବ ।

 

ଶାନ୍ତି ଗବେଷଣା ବିଶ୍ଵାଶାନ୍ତି ଦିଗରେ ଆଧୁନାତମ ଉଦ୍ୟମ । ଏ ପର୍ଯ୍ୟନ୍ତ ଶାନ୍ତି ଓ ଅହିଂସାର ପୋଷକତା ଅଧିକାଂଶତଃ ନୀତି ଓ ଆଦର୍ଶ ଦୃଷ୍ଟିରୁ କରାଯାଇଛି । ଶାନ୍ତି ଭଲ, ଅହିଂସା ଭଲ, ଏ କଥା ଠିକ୍ । ମାତ୍ର ତାହା କାର୍ଯ୍ୟତଃ ନ ହେଉଛି କାହିକି ? ସ୍ଵାସ୍ଥ୍ୟ ଭଲ, ମାତ୍ର ଯେଉଁଠି ରୋଗ ରହିଛି ସେଠି ତା’ର କାରଣଟା ଜାଣିଲେ ପୁଣି ସେ କାରଣଟାକୁ ଦୂର କରିବାର ଉପାୟ ଜାଣିଲେ ଯାଇ ସ୍ଵାସ୍ଥ୍ୟ ଫେରାଇ ଆଣିହେବ । ହିଂସା ଓ ଯୁଦ୍ଧ ସମାଜ ଦେହରେ ରୋଗ ଭଳି । ଏ ସବୁର ନିରାକରଣ ପାଇଁ ସମସ୍ତ ଦିଗରୁ ଏ ସବୁର ପୁଙ୍ଖାନୁପୁଙ୍ଖ ବୈଜ୍ଞାନିକ ବିଶ୍ଳେଷଣ ଲୋଡ଼ା । ଶାନ୍ତି ଗବେଷଣା ସଂସ୍ଥାନମାନଙ୍କରେ ମନୋବିଜ୍ଞାନ, ସମାଜବିଜ୍ଞାନ, ରାଜନୀତି-ବିଜ୍ଞାନ, ଅର୍ଥନୀତି, ଶିକ୍ଷାତତ୍ତ୍ଵ ଆଦି ବିବିଧ ଦିଗରୁ ଯୁଦ୍ଧ ଓ ଶାନ୍ତି ସହିତ ସର୍ବଧିତ ସମସ୍ୟାମାନଙ୍କର ଗବେଷଣା କରାଯାଉଛି ।

 

ଉଦାହରଣ ସ୍ଵରୂପ ଆମେରିକା, ରୁଷ ପ୍ରଭୃତି ଅଧିକାଂଶ ଆଧୁନିକ ବୃହତ୍ ରାଷ୍ଟ୍ରମାନଙ୍କର ଅର୍ଥନୀତିରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ଗୋଟାଏ ଖୁବ୍ ବଡ଼ ସ୍ଥାନ ରଖିଥାଏ । ପୁଣି ଯୁଦ୍ଧ ଲାଗିଲେ ଏହାର ଗୁରୁତ୍ଵ ଆହୁରି ବଢ଼ିଯାଏ । ଭିଏତନାମ ଯୁଦ୍ଧରେ ଯେ ହଜାର ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ପ୍ରତିବର୍ଷ ଖର୍ଚ୍ଚ ହେଉଛି ତାହା ଆମେରିକାର ଶିଳ୍ପ ବାଣିଜ୍ୟକୁ ଖୁବ୍ ସରଗରମ କରୁଛି । ଏ ସବୁ ତିଆରୀ କରି ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନମାନେ ଶହ ଶହ କୋଟି ଟଙ୍କା ଲାଭ ପାଉଛନ୍ତି । ଲକ୍ଷ ଲକ୍ଷ ଶ୍ରମିକ, ଇଂଜିନିୟର, କିରାଣୀ, ମେନେଜର ଏହା ଦ୍ଵାରା ପୋଷି ହେଉଛନ୍ତି । ଯୁଦ୍ଧ ବନ୍ଦ ହେଇଗଲେ ଏସବୁ ବି ବନ୍ଦ ହେଇଯିବ ଓ ଆମେରିକାର ସମସ୍ତ ଅର୍ଥନୀତି ଭୁଷୁଡ଼ିବା ଅବସ୍ଥାରେ ପହଞ୍ଚିବ । ତେଣୁ ଯୁଦ୍ଧ ଚାଲୁ ରଖିବା ସପକ୍ଷରେ ବହୁ ଲକ୍ଷ ଲୋକଙ୍କର ସ୍ଵାର୍ଥ ରହିଛି । ଯୁଦ୍ଧ ନ ଚାଲିଥିବା ବେଳେ ମଧ୍ୟ କମ ଲୋକ ଯୁଦ୍ଧ ସାମଗ୍ରୀ ତିଆରୀରେ ଲାଗୁ ନାହାନ୍ତି । ନିରସ୍ତ୍ରୀକରଣ ହେଲେ ଏ ସବୁ ବନ୍ଦ ହେଇଯିବ । ତେଣୁ ଏହା ଗୋଟାଏ ଗବେଷଣାର ବିଷୟ ଯେ ନିରସ୍ତ୍ରୀକରଣ ହେଲେ ଏ ସବୁ କାରଖାନା ଓ ଲୋକଙ୍କୁ କି ପ୍ରକାର ଅନ୍ୟ କାମରେ ଲଗେଇ ହେବ-

 

ଗୋଟିଏ ଦେଶର ଲୋକଙ୍କ ବିଷୟରେ ଅନ୍ୟ ଦେଶର ଲୋକଙ୍କର କେତେଗୁଡ଼ାଏ ଧରାବନ୍ଧା ଧାରଣା ଥିବାର ଦେଖାଯାଏ । ଏ ଧାରଣାର କିଛିଟା ସତ୍ୟ ମାତ୍ର ଅଧିକାଂଶ କାଳ୍ପନିକ । ଏଭଳି ଭ୍ରାନ୍ତଧାରଣାର ବଶବର୍ତ୍ତୀ ହେଇ ଏକ ଦେଶର ଲୋକ ଅନ୍ୟ ଦେଶର ଲୋକଙ୍କୁ ସନ୍ଦେହ, ଅବିଶ୍ଵାସ ଓ ବିଦ୍ଵେଷର ଦୃଷ୍ଟିରେ ଦେଖିଥାନ୍ତି ଓ ଏହାକୁ ହିଁ ଆଶ୍ରୟ କରି ପରସ୍ପର ବିରୋଧରେ ଯୁଦ୍ଧ ଆୟୋଜନ ଅନେକ ସମୟରେ ଚାଲେ । ଏସବୁ ଧାରଣାର ରୂପରେଖ କ’ଣ, ଏହା କିପରି ସୃଷ୍ଟି ହେଲା ତାହା ସଠିକ ଭାବରେ ଜାଣିଲେ ଦେଶ ଦେଶର ଲୋକଙ୍କ ଭିତରେ ସଦ୍ଭାବ ଫେରାଇ ଆଣିବା ସହଜ ହେବ ।

 

ଏ କେବଳ ଦୁଇଟି ଅତି ସାଧାରଣ ଉଦାହରଣ ହେଲା । ଏହିପରି ଅସଂଖ୍ୟ ବିଷୟରେ ଅନୁସନ୍ଧାନ ଓ ଗବେଷଣାର ପ୍ରୟୋଜନ ରହିଛି । ଦୁଇବର୍ଷ ତଳେ ଚେକୋସ୍ଳୋଭାକିଆ ଉପରେ ରୁଷ ଆଦି ପଞ୍ଚଶକ୍ତିର ମିଳିତ ଆକ୍ରମଣ ହେବା ବେଳେ ସେଠାର ଜନତା ଯେଉଁ ଧରଣର ଅହିଂସା ପ୍ରତିରୋଧ ଅନେକ ଦିନ ପର୍ଯ୍ୟନ୍ତ ଚଳାଇଥିଲେ ତାହାର ମଧ୍ୟ ଅଧ୍ୟୟନ ଓସଲୋର ଶାନ୍ତି ଗବେଷଣା ସଂସ୍ଥାନ ପକ୍ଷରୁ କରାଯାଉଛି । ସେଥିପାଇଁ ସେ ସଂସ୍ଥାର ପରିଚାଳକ ୟୋହାନ୍ ଗାଲଟୁଂଗ ସ୍ଵୟଂ ଯାଇ ସେଠି ପହଞ୍ଚି ଯାଇଥିଲେ ।

 

ଶ୍ରୀ ଗାଲଟୁଂଗ୍ ଯୁବକ, ଚାଳିଶ ଏପାଖ ହେବେ, ତୀକ୍ଷ୍‌ଣଧି ବିଦ୍ଵାନ ଓ କରିତ୍‌କର୍ମା ଲୋକ । ସମାଜବିଜ୍ଞାନ, ରାଜନୀତିବିଜ୍ଞାନ ଆଦିରେ ତାଙ୍କର ତ ଖୁବ୍ ଗଭୀର ଓ ବ୍ୟାପକ ଦଖଲ ରହିଛି, ତାହା ଛଡ଼ା ସେ ୟୁରୋପର ସାତ ଆଠଟି ପ୍ରାଧାନ ପ୍ରଧାନ ଭାଷା ଖୁବ୍ ଭଲ ଭାବରେ ଆୟତ୍ତ କରିଛନ୍ତି । ସେ ଭାରତକୁ ପୂର୍ବରୁ ତିନିଚାରି ଥର ଆସିଛନ୍ତି ଓ ସେହି ସୂତ୍ରରେ ତାଙ୍କ ସହିତ ପରିଚୟ ହେଇଥିଲା । ଦୁନିଆ ଘୂରି ବୁଲିବା ତାଙ୍କର ଅଭ୍ୟାସ ଓ ବିଭିନ୍ନ ଦେଶର ପରିସ୍ଥିତି ଓ ଆନ୍ଦୋଳନ ଆଦିର ଗତିବିଧି ଅଧ୍ୟୟନ କରିବାକୁ ସେ କେତେବେଳେ କ୍ୟୁବା ତ କେତେବେଳେ ଆଲଜିରିୟା, କେତେବେଳେ ଭାରତ ତ କେତେବେଳେ ଜାପାନ ଚକ୍କର କାଟୁଥାନ୍ତି । ଓସଲୋରେ ମୋର ରହଣୀ ଏହି ଶାନ୍ତି ଗବେଷଣା କେନ୍ଦ୍ରରେ ହେଇଥିଲା । ମୁଁ ଯାଇ ସେଠି ପହଞ୍ଚିବା ବେଳକୁ ଗାଲଟୁଂଗ୍ ତାଙ୍କର ଜାପାନୀ ସ୍ତ୍ରୀଙ୍କ ସହିତ ସ୍ପେନ୍ ଗସ୍ତରେ ବାହାରିବା ପାଇଁ ସଜ ହେଉଛନ୍ତି । ସିଧା ଗୋଟାଏ ମଟରଗାଡ଼ିରେ ଯିବେ । ସେଥିପାଇଁ ସେଥିରେ ସବୁ ପ୍ରକାରର ପ୍ରୟୋଜନୀୟ ଜିନିଷ ଖୁନ୍ଦା ହେଉଛି । ମୁଁ ପହଞ୍ଚିବାର ଘଣ୍ଟାଏ ଭିତରେ ସେ ରମାନା ହେଇଗଲେ ।

 

ଷ୍ଟକହଲମ୍‌ରେ ପହଞ୍ଚି ସେଠି ଆମର ରାଷ୍ଟ୍ରଦୂତ ଶ୍ରୀ ମାନିଙ୍କ ସହିତ ସାକ୍ଷାତ କରିଥିଲି । ଅତି ଅମାୟିକ ଭଦ୍ରଲୋକ, ଅନେକ ବିଷୟରେ ଆଳାପ ହେଲା । ମୋ ପାଇଁ ସେ ଗୋଟିଏ ସଭାର ଆୟୋଜନ ଦୂତାବାସର ସାଂସ୍କୃତିକ ବିଭାଗ ପକ୍ଷରୁ କରିବା ପାଇଁ ଇଚ୍ଛୁକ ଥିଲେ । ଭାରତ ଛାଡ଼ିବା ପୂର୍ବକୁ ଏ ସମସ୍ତ ଦେଶରେ ଥିବା ଆମର ଦୂତାବାସମାନଙ୍କୁ ମୋର କାର୍ଯ୍ୟକ୍ରମ ବିଷୟରେ ଲେଖାଯାଇଥିଲା । ପ୍ରାୟ ସମସ୍ତେ ମୋର କାର୍ଯ୍ୟକ୍ରମ ବିଷୟରେ ତତ୍ତ୍ଵ ନେଇଥିଲେ ଓ କୋପେନହେଗେନ୍‌ର ଦୂତବାସ କେତୋଟି କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲେ । ଷ୍ଟକହଲମ୍‌ରେ ମୋର ଯେ ଆଦ୍ୟ ଯଯମାନ, ଶ୍ରୀ ଓ୍ୟାଲଷ୍ଟ୍ରୋମ୍, ସେ ଯାଇ ସାମରିକ ତାଲିମ ଛାଉଣୀରେ ବନ୍ଦୀ’ ହେବାରୁ ଏଠା ଦୂତାବାସ ତାଙ୍କ ସହ ଯୋଗାଯୋଗ କରି ନ ପାରି କୌଣସି ସଭାର ଆୟୋଜନ କରିପାରିଲେ ନାହିଁ ।

 

ରାଷ୍ଟ୍ରଦୂତ ମହାଶୟ ସ୍ଵୀଡ଼େନ୍‌ର ପ୍ରାକୃତିକ ଦୃଶ୍ୟସମ୍ପଦ ଓ ଆର୍ଥିକ ପ୍ରଗତିର ପ୍ରଶଂସା କରି କହିଲେ ଯେ ଥରେ ସେଠି ତାଙ୍କୁ ଗୋଟିଏ ଭାଷଣ ଦେବାକୁ ହୋଇଥିଲା । ସ୍ଵୀଡ଼ୀଶ୍ ଭାଷାରେ ସ୍ଵୀଡ଼େନ୍‌ର ନାମ SVERIGE, (ଉଚ୍ଚାରଣ ସ୍ଵେରୀୟ), ଏହାକୁ ସ୍ଵେରୀଗେ ପଢ଼ାଯାଇପାରେ । ଶ୍ରୀମାନ ବକ୍ତୃତାରେ କହିଲେ ଯେ ଭାରତର ଦେବଲୋକକୁ ସ୍ଵର୍ଗ କୁହାଯାଏ ଓ ଏ ଦେଶ ସ୍ଵେରୀଗେ ଅର୍ଥାତ୍ ଭାରତୀୟ ଅର୍ଥରେ ଦେବଲୋକ । ମୁଁ ବିଚାରିଲି ନରଓୟେର ନାମ ତ ତାଙ୍କ ଭାଷାରେ NORGE ନୋରଗେ ମଧ୍ୟ । ସ୍ଵେରିଗେ ଯଦି ସ୍ଵର୍ଗ ତେବେ ନୋରଗେ ହେବ ନରକ ! ସ୍ଵର୍ଗ ଓ ନରକ ଦୁଇଟିଯାକ ପାଖାପାଖି ।

Image

 

ଏଗାର

ଭାଇକିଂଗ୍ ଭୂଇଁ ରେ ଶାନ୍ତି ଉଦ୍ୟମ

 

ନରଓୟେର ଲୋକସଂଖ୍ୟା ମାତ୍ର ଚାଳିଶ ଲକ୍ଷ । ସ୍ଵୀଡ଼େନ୍ ପାହାଡ଼, ବଣ ଓ ହ୍ରଦରେ ପୂର୍ଣ୍ଣ । ଏଠାର ବିଶେଷତ୍ଵ ହେଲା ଫିୟୋର୍ଡ଼ । ନରଓୟେର ମଝିଆମଝି ଗୋଟାଏ ପର୍ବତମାଳା ଉତ୍ତର ଦକ୍ଷିଣ ଦେଇ ରହିଛି ଓ ସେଥିରୁ ସବୁ ନାସି ବାହାରି ହାତ ଆଙ୍ଗୁଠିର ସିରା ପରି ସମୁଦ୍ରରେ ପଶିଛି । ଦୁଇ ଆଙ୍ଗୁଠି ବା ନାସି ମଝିରେ ଯେଉଁ ସମୁଦ୍ର ସେଇ ହେଲା ଫିୟୋର୍ଡ଼ । ପାହାଡ଼ ଘେରି ରହିଥିବା ଏହି ଫିୟୋର୍ଡ଼ମାନଙ୍କର ଦୃଶ୍ୟ ଅତି ସୁନ୍ଦର । ବନ୍ଦର ପାଇଁ ମଧ୍ୟ ଏସବୁ ସ୍ଥାନ ଖୁବ୍ ଅନୁକୂଳ । ଓସଲୋ ସହର ମଧ୍ୟ ଏହିଭଳି ଏକ ବଡ଼ ଫିୟୋର୍ଡ଼ରେ ଅବସ୍ଥିତ । ବେଶୀ ବଡ଼ ନୁହେଁ । ଉଡ଼ାଜାହାଜରୁ ଅତି ମନୋରମ ଦେଖାଗଲା । ସହରର ଗୋଟାଏ ପାଖରେ ସମୁଦ୍ର, ଅନ୍ୟ ତିନି ପାଖରେ ପାହାଡ଼ ଓ ବଣ । ସହରର ଭିତରେ ମଧ୍ୟ ଅନେକ ବଡ଼ ବଡ଼ ଉଦ୍ୟାନ ।

 

ଏଠାରେ କୌଣସି ସଭା ଓ ବୈଠକର ପୂର୍ବରୁ ଆୟୋଜନ ହେଇ ନ ଥିଲା । ଏଠା ଶାନ୍ତିସଂଘ ଅଫିସରେ କେତେ ଜଣ ଶାନ୍ତିବାଦୀ ଯୁବକ ଯୁବତୀଙ୍କ ସହିତ ଶାନ୍ତି ଆନ୍ଦୋଳନ ସମ୍ଵନ୍ଧରେ ଦୀର୍ଘ ଆଲୋଚନା ହେଇଥିଲା । ସରକାର ପକ୍ଷରୁ ଖୋଲା ହେବାର ଥିବା ଅହିଂସା ବିଦ୍ୟାଳୟ ସମ୍ଵନ୍ଧରେ ଆଲୋଚନା କରିବାପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ଯେଉଁ ଶାନ୍ତିବାଦୀ ଯୁବକମାନେ ଆସିଥିଲେ ସେମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେଲା । ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ପନ୍ଥା ଓ ସର୍ବୋଦୟ ଆନ୍ଦୋଳନର ବର୍ତ୍ତମାନ ଗତିବିଧି ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥିଲେ-

 

ପୂର୍ବରୁ କହିଛି ଯେ ଏ ଦେଶରେ ପ୍ରତିବର୍ଷ ସାତଆଠ ଶହ ଯୁବକ ସାମରିକ ତାଲିମ ନେବାକୁ ମନା କରିଛନ୍ତି । ଦେଶରେ ବିବିଧ ଶାନ୍ତିବାଦୀ ଅନୁଷ୍ଠାନ ରହିଛି, ଆନ୍ତରାଷ୍ଟ୍ରୀୟ ସଂଗଠରର ଶାଖାମାନ ମଧ୍ୟ । ଏ ସବୁର ମୋଟ ସଦସ୍ୟ ସଂଖ୍ୟା ବେଶ କେତେ ହଜାର ହେବ । ଏ ସଂସ୍ଥାମାନେ ନିଜ ଢଙ୍ଗରେ କାମ କରିଥାନ୍ତି, ଯୁଦ୍ଧ ବିରୋଧୀ ପ୍ରଚାର କରିଥାନ୍ତି । ଏବେ ସେ ସମସ୍ତଙ୍କ କାମରେ ସାମଞ୍ଜସ୍ୟ ଆଣିବାର ଉଦ୍ୟମ ଆରମ୍ଭ ହେଇଛି ।

 

ଏଠାର ଶାନ୍ତି କାର୍ଯ୍ୟାଳୟକୁ ଗଲି । ଚାରି ତାଲା ଉପରେ ତିନି ବଖରା ଘର । ପ୍ରଚାରପତ୍ର, ପୋଷ୍ଟର ଆଦି ଇତସ୍ତତ ଗଦା ହେଇଛି । ବହୁଲୋକଙ୍କର ବ୍ୟାଗ, ବିଛଣା, ବୋକଚା ବୋକଚି ମଧ୍ୟ । ଅମ କଟକ ଭୂଦାନ ଅଫିସ ପରି ଅବସ୍ଥା । ସଗୋତ୍ରୀୟ ଲୋକ ତ । ଯାହାହେଉ ଏହା ଫଳରେ ତୁରନ୍ତ ଆତ୍ମୀୟତା ଅନୁଭବ କଲି ।

 

ଶାନ୍ତି ଆନ୍ଦୋଳନରେ କ୍ରିୟାଶୀଳ ଦୁଇଜଣ ଛାତ୍ରଛାତ୍ରୀ ଓ ମୁଁ ଯାଇ ସେଠାର ରାଜପ୍ରାସାଦ ନିକଟରେ ଥିବା ଏକ ଉଦ୍ୟାନରେ ବସି ଆଲୋଚନା ଚଳାଇଲୁ । ଅନେକ କିଛି ଜାଣିବାକୁ ମିଳିଲା । ନରଓୟେର ସରକାର ଯେ ଶାନ୍ତି ଗବେଷଣାକୁ ସାହାଯ୍ୟ କରୁଛି । ତାହାକୁ ଏମାନେ ଗୁରୁତ୍ଵ ଦେଉ ନାହାନ୍ତି । ଲୋକ ଦେଖାଣିଆ କାମ ବୋଲି କହୁଛନ୍ତି । ତେବେ ଏଭଳି ଲୋକ ଦେଖାଣିଆ କାମ ଅନ୍ୟ ଦେଶ ତ କରୁନାହାନ୍ତି । ଏଠି ଲୋକମତ ଶାନ୍ତିପକ୍ଷରେ ବହୁତ ବେଶୀ ବୋଲି ତ ସରକାରକୁ ଲୋକ ଦେଖାଣିଆ ଭାବରେ ହେଉ ପଛେ ଏହା କରିବାକୁ ପଡ଼ୁଛି ।

 

ଏଠାର ଯୁଦ୍ଧ ବିରୋଧୀ ସଂଘ ପକ୍ଷରୁ ଏବେ ଶିକ୍ଷାନୁଷ୍ଠାନମାନଙ୍କରେ ଶାନ୍ତିବାଦର ପ୍ରଚାର କରିବା ଓ ଛାତ୍ରଛାତ୍ରୀମାନଙ୍କର ଶାନ୍ତିବାଦୀ ଗୋଷ୍ଠୀ ଗଢ଼ିବାର ଏକ ବିଶେଷ ଉଦ୍ୟମ ଆରମ୍ଭ ହେଇଛି । ଭିଏତନାମରେ ଆମେରିକାର ଆକ୍ରମଣର ବିରୋଧ ମଧ୍ୟ ଏଠି ସ୍ଵୀଡ଼େନ୍ ଭଳି ବେଶ ବ୍ୟାପକ । ଏହାଛଡ଼ା ଅନ୍ୟ ବିବିଧ ସମସ୍ୟା ନେଇ ମଧ୍ୟ ଏମାନେ ପ୍ରଚାର ଚଳାଇଥାନ୍ତି । ଅନୁନ୍ନତ ଦେଶମାନଙ୍କରେ ବୈପ୍ଳବିକ ଆନ୍ଦୋଳନ, ପରାଧୀନ ଦେଶମାନଙ୍କରେ ସ୍ଵୀଧୀନତା ଆନ୍ଦୋଳନ ପ୍ରତି ସମର୍ଥନ ଏବର ଶାନ୍ତିବାଦୀମାନଙ୍କର ଏକ ବିଶେଷତ୍ଵ । ଏହା ଭିତରେ ଅନେକେ ମାର୍କସ, ମାଓ ବା ଫିଡ଼େଲ୍ କାସ୍‌ତ୍ରୋଙ୍କର ଚିନ୍ତାଧାରା ଦ୍ଵାରା ପ୍ରଭାବିତ ଓ ଶେଷ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଚାହୁଁ ଥିଲେ ମଧ୍ୟ ବିପ୍ଳବ ବା ସ୍ଵାଧୀନତା ସଂଗ୍ରାମରେ ହିଂସାର ପ୍ରୟୋଗର ସମର୍ଥନ କରନ୍ତି । ଶାନ୍ତିବାଦର କ୍ରମବିକାଶରେ ଏ ଏକ ନୂତନ ସୋପାନ । ଆଦ୍ୟରେ ଶାନ୍ତି ଆନ୍ଦୋଳନ କେବଳ ଯୁଦ୍ଧ ବିରୋଧ ହିଁ କରୁଥିଲା । ସମାଜରେ ଅର୍ନ୍ତନିହିତ ହିଂସା ଶୋଷଣ, ବିଷମତା, ସାମାଜିକ ଅନ୍ୟାୟ ବିଷୟରେ ଏହାର ବିଶେଷ କିଛି ସମ୍ପର୍କ ନ ଥିଲା । ଏବେ ଶାନ୍ତିବାଦୀମାନେ ଉପଲବ୍ଧି କରିବାକୁ ଆରମ୍ଭ କଲେଣି ଯେ ଦେଶ ଦେଶର ସମାଜ ଭିତରୁ ଶୋଷଣ, ଅନ୍ୟାୟ ଓ ବିଷମତାରୂପୀ ହିଂସା ଦୂର ନ ହେଲେ ଦେଶ ଦେଶ ଭିତରେ ସମ୍ପର୍କରୁ ତାହା କିପରି ଦୂର ହେବ ? ଯୁଦ୍ଧର ମୂଳ ତ ସମାଜ ଓ ଅର୍ଥନୀତି ଭିତରେ ରହିଛି ।

 

ଏଠାର ଶାନ୍ତି ଗବେଷଣା କେନ୍ଦ୍ରରେ ମଧ୍ୟ ଏହି ସମାଜର ଅନ୍ତର୍ନିହିତ ହିଂସା ‘structural violence’ ନେଇ ଗବେଷଣା ଆରମ୍ଭ ହେଇଛି । ଦକ୍ଷିଣ ଆମେରିକାର ବ୍ରାଜିଲ୍ ପ୍ରଭୃତି ଦେଶମାନଙ୍କରେ ଏହି ସମାଜଗତ ହିଂସାର ରୂପରେଖ ଅଧ୍ୟୟନ କରାଯାଉଛି ।

 

ଓସଲୋ ଜଣେ ପ୍ରବୀଣ ବୟୋବୃଦ୍ଧ ଶାନ୍ତିବାଦୀ ଶ୍ରୀ ଡିଡ଼େରିକ୍ ଲୁଣ୍ତ୍‌ଙ୍କ ସହ ସାକ୍ଷାତ ହେଲା । ଶ୍ରୀ ଲୁଣ୍ତ୍ ମଧ୍ୟ ଦଶ ବର୍ଷ ତଳେ ଭାରତ ଆସିଥିଲେ । କେରଳରେ ଏକ ଆଧୁନିକ ଧରଣର ମାଛଧରା ପ୍ରଣାଳୀର ପ୍ରବର୍ତ୍ତନରେ ନରଓ୍ଵେ ସରକାରଙ୍କ ପକ୍ଷରୁ ସାହାଯ୍ୟ ଦିଆ ଯାଇଥିଲା ଓ ସେହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଆସିଥିଲେ । ବୟସ ବୟାଅଶି, ସୌମ୍ୟ ଦର୍ଶନ, ଦୀର୍ଘକାୟ ବୃଦ୍ଧ, ମାତ୍ର ଏବେ ବି ଖୁବ କର୍ମଠ ଅଛନ୍ତି । ସେହି ସପ୍ତାହକ ଭିତରେ ସେ ଆଲଜିରିୟା ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ନରଓ୍ଵେର ଏକ ସେବା ସଂସ୍ଥା ପକ୍ଷରୁ ସେଠାରେ ଏକ ଗ୍ରାମଉନ୍ନୟନ ଯୋଜନାରେ ସାହାଯ୍ୟ କରାହେଉଥାଏ । ସ୍କୁଲ, ଡାକ୍ତରଖାନା ଆଦି ନିର୍ମାଣ କରିବା ପାଇଁ ବହୁ ଲକ୍ଷ ଟଙ୍କା ସାହାଯ୍ୟ ଦିଆ ହେଉଥାଏ । ସେହି ଯୋଜନାର ତତ୍ତ୍ଵାବଧାନ ପାଇଁ ସେ ଯାଉଥାନ୍ତି ।

 

ଶ୍ରୀ ଲୁଣ୍ତଙ୍କର ଭାରତ ପ୍ରତି ଗଭୀର ପ୍ରୀତି ଓ ଅହିଂସାର ନୀତିରେ ତାଙ୍କର ବିଶ୍ଵାସ ଅଟଳ । ମଣିଷ ମଣିଷ ଭିତରେ ସଂପ୍ରତୀ ଓ ଦେଶ ଦେଶ ଭିତରେ ସଦ୍ଭାବ ଓ ଶାନ୍ତି ଅବଶ୍ୟ ଆସିବ, ଏହା ସେ ଅନ୍ତରର ଗଭୀରତମ ପ୍ରଦେଶରୁ ବିଶ୍ଵାସ କରନ୍ତି । ତାଙ୍କ ବସିବା ଘରେ ଟଙ୍ଗା ହେଇଥିବା କଳାକୃତିମାନଙ୍କରୁ ଓ ସେ ଘରର ସରଳ ଅଥଚ କଳାପୂର୍ଣ୍ଣ ସାଜସଜ୍ଜାରୁ ଜଣାଯାଉଥିଲା ଯେ ସେ ଜଣେ କଳାପ୍ରେମୀ । ଭାରତରୁ ସଂଗ୍ରହ କରିଥିବା କେତେକ ଉଚ୍ଚକୋଟିର ଚିତ୍ର ସେ ଗୋଟିଏ ଘରେ ଟାଙ୍ଗି ରଖିଥାନ୍ତି । ମତେ ଅତି ଆଗ୍ରହ ସହକାରେ ଦେଖାଇଲେ ଓ କେଉଁଟି କେଉଁଠୁଁ ସଂଗ୍ରହ କରିଥିଲେ ତାହା ମଧ୍ୟ ଠିକେ ଠିକେ ବର୍ଣ୍ଣନା କଲେ ।

 

୧୯୪୧ରେ ଯେତେବେଳେ ଜର୍ମାନ ନାତସିବାହିନୀ ନରଓ୍ଵେ ଦଖଲ କରିଗଲେ ସେତେବେଳେ ସେ ଦେଶର ଜନତା ଓ ଆକ୍ରମଣକାରୀଙ୍କ ସହିତ ଶାନ୍ତିପୂର୍ଣ୍ଣ ଅସହଯୋଗ କରି ସେ ଦେଶର ଆତ୍ମାକୁ କଳୁଷିତ କରିବାର ହିଟ୍‌ଲରର ଉଦ୍ୟାମକୁ ବହୁ ଦୂରଯାଏ ପ୍ରତିହତ କରି ପାରିଥିଲେ । ଇତିହାସର ଏ ଏକ ଅତୁଳନୀୟ ଘଟଣା, ମାତ୍ର ଦୁନିଆରେ ଲୋକେ ଏ ଗୌରବମୟ ପ୍ରତିରୋଧର କାହାଣୀ ଖୁବ୍ କମ୍‍ ଜାଣନ୍ତି । କାରଣ ଯୁଦ୍ଧର ହିଂସାତ୍ମକ ପ୍ରତିରୋଧ ଓ ଅସ୍ତ୍ରଧାରୀ ସୈନୀକଙ୍କର ବୀରତ୍ଵର ଗାଥା ହିଁ ଅଧିକ ପ୍ରଚାର କରାଯାଏ । ଶ୍ରୀ ଲୁଣ୍ତ୍ ଉପରୋକ୍ତ ପ୍ରତିରୋଧର ପ୍ରତ୍ୟକ୍ଷଦର୍ଶୀ । ଖଣ୍ତେ ଛୋଟ ପୁସ୍ତିକାରେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି ।

 

ସେ ସମୟରେ ଏ ଦେଶର ସମସ୍ତ ସାଧାରଣ ଅନୁଷ୍ଠାନ, ଶିକ୍ଷକ, ସରକାରୀ କର୍ମଚାରୀ, ଖ୍ରୀଷ୍ଟାନ ପାଦ୍ରୀ, ଶ୍ରମିକ, ଖେଳ କସରତବାଲା ପ୍ରଭୃତି ଆକ୍ରମଣକାରୀଙ୍କ ସହ ସହଯୋଗ କରିବାକୁ ଅସ୍ଵୀକାର କରିଥିଲେ । ସ୍କୁଲମାନଙ୍କରେ ଜର୍ମାନ ଜାତିର ପ୍ରଶସ୍ତି, ବର୍ଣ୍ଣବିଦ୍ଵେଷ ଓ ଇହୁଦୀ ବିଦ୍ଵେଷପୂର୍ଣ୍ଣ ବିକୃତ ଓ ମିଥ୍ୟା ଇତିହାସ ପଢ଼ିଯିବା ପାଇଁ ଓ ଛାତ୍ରମାନଙ୍କୁ ନାତ୍ସି ଛାଞ୍ଚରେ ସଂଗଠିତ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଜର୍ମାନ ଭାଷା ବାଧ୍ୟତାମୂଳକ କରଗଲା । ଶିକ୍ଷକମାନେ ଏ ନିର୍ଦ୍ଦେଶ ମାନିବାକୁ ଅସ୍ଵୀକାର କଲେ ଓ ସବୁ ବିଦ୍ୟାଳୟ ବନ୍ଦ କରିଦେଲେ । କେତେ ହଜାର ଶିକ୍ଷକଙ୍କୁ ବନ୍ଦୀ କରି ନରଓ୍ଵେର ଉତ୍ତରାଂଶରେ ଅତି ଶୀତଳ ଓ ଦୁର୍ଗମ ସ୍ଥାନକୁ ନିର୍ବାସିତ କରାଗଲା । ତଥାପି ସେମାନେ ବଶ ମାନିଲେ ନାହିଁ । ଶେଷକୁ ଏସବୁ ଆଦେଶରୁ କେତେକ ପ୍ରତ୍ୟାହୃତ ହେଲା ଓ କେତେକ ପରିବର୍ତ୍ତିତ ହେଲା ।

 

ଶ୍ରମିକ ସଂଘମାନଙ୍କୁ ମଧ୍ୟ ନାତ୍ସି ଏକଛତ୍ରବାଦ ଛାଞ୍ଚରେ ପୁନର୍ଗଠିତ କରିବାକୁ ଆଦେଶ ଦିଆଯିବାରୁ ତାହା ବିରୋଧରେ ଶ୍ରମିକମାନେ ଧର୍ମଘଟ କଲେ । ପାଦ୍ରୀମାନଙ୍କର କେତେକ ସ୍ଵତନ୍ତ୍ର ଅଧିକାର କାଢ଼ିଦେଇ ସେମାନଙ୍କୁ ସରକାରୀ ତନ୍ତ୍ରର ଅଧୀନ କରିବା ଉଦ୍ୟମର ପ୍ରତିରୋଧ ପାଦ୍ରୀମାନେ ପ୍ରାୟ ସର୍ବସମ୍ମତ ଭାବରେ କଲେ । ଖେଳକସରତ ଅନୁଷ୍ଠାନମାନେ ନାତ୍ସି ଢାଞ୍ଚାରେ କାମ କରିବାକୁ ବାଧ୍ୟ ହେବା ଅପେକ୍ଷା ବରଂ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିଦେବା ଶ୍ରେୟସ୍କର ମଣିଲେ । ନାତ୍ସି ଯୁଦ୍ଧ ଉଦ୍ୟମ ପାଇଁ ଶ୍ରମିକ ଲୋଡ଼ା ହେବାରୁ ଯେତେ ସହସ୍ର ଲୋକଙ୍କୁ ଏ କାର୍ଯ୍ୟରେ ଯୋଗ ଦେବାକୁ ଆଦେଶ ଦିଆହେଲା, ତା’ର ମାତ୍ର ଦଶଭାଗରୁ ଭାଗେ ସେଥିରେ ଯୋଗଦେଲେ । ଏହିଭଳି ପ୍ରତିରୋଧ ବର୍ଷାଧିକକାଳ ଧରି ଚାଲିଲା । ଏହାର ବର୍ଣ୍ଣନା ଶ୍ରୀ ଲୁଣ୍ତ୍ ଖୁବ୍ ଗର୍ବର ସହିତ କରୁଥାନ୍ତି ।

 

ଯେତେବେଳେ ସୋଭିଏତ୍ ସୈନ୍ୟବାହିନୀ ନରଓ୍ଵେକୁ ନାତ୍ସି କବଳରୁ ମୁକ୍ତ କଲେ ସେତେବେଳେ ସେମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ପାଇଁ ଶ୍ରୀ ଲୁଣ୍ତଙ୍କୁ ଉତ୍ତର ନରଓ୍ଵେକୁ ପଠାଯାଇଥିଲା । ଆଲୋଚନା ପ୍ରସଙ୍ଗରେ ସୋଭିଏତ୍ ବାହିନୀର ସେତେବେଳର ଆଚରଣକୁ ସେ ଖୁବ୍ ପ୍ରଶଂସା କରିଥିଲେ । ସେମାନେ ସାଧାରଣ ଲୋକଙ୍କ ସହିତ ଖୁବ୍ ଭଦ୍ର ଓ ସହାନୁଭୂତିପୂର୍ଣ୍ଣ ଆଚରଣ କରୁଥିଲେ । ଜର୍ମାନ ସୈନ୍ୟଙ୍କ ହାତରୁ କୌଣସି ଗାଁ ବା ସହର ମୁକ୍ତ କଲେ ସେଠାର ଅତୁଟ ରହିଥିବା ଘର ସବୁ ସେଠାକୁ ଫେରି ଆସୁଥିବା ନାଗରିକମାନଙ୍କୁ ବ୍ୟବହାର କରିବାକୁ ଦେଇ ନିଜେ ପଦାରେ ରହୁଥିଲେ । ନିଜର ଖାଦ୍ୟ ନାଗରିକଙ୍କ ସହ ବାଂଟି ଖାଉଥିଲେ ।

 

ଶ୍ରୀ ଲୁଣ୍ତଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ସ୍ତ୍ରୀ ବଞ୍ଚିଛନ୍ତି । ଗୋଟିଏ ପୁଅ ଜନ୍ମରୁ ପଙ୍ଗୁ-। ତା’ର ସମସ୍ତ ଖର୍ଚ୍ଚ ରାଷ୍ଟ୍ର ବହନ କରେ । ବଡ଼ ପୁଅ ଶିକ୍ଷକ । ଝିଅ ମଧ୍ୟ କେଉଁଠି ଗୋଟାଏ ଚାକିରି କରେ । ତାଙ୍କର ନାତି, ବୟସ ଅଠର କୋଡ଼ିଏ, ଏବେ ଶାନ୍ତି ଆନ୍ଦୋଳନରେ ଅଗ୍ରଣୀ ହେଉଛି ।

 

ନରଓ୍ଵେର ସାମାଜିକ ସୁରକ୍ଷା ବ୍ୟବସ୍ଥା ସ୍ଵୀଡ଼େନ୍ ପରି ଖୁବ୍ ବ୍ୟାପକ ଓ ପର୍ଯ୍ୟାପ୍ତ । ବିଶ୍ଵବିଦ୍ୟାଳୟର ଶେଷ ସୀମା ଯାଏ ପିଲାଙ୍କର ମାଗଣା ପାଠପଢ଼ା, ଶିଶୁପାଳନ ପାଇଁ ଭତ୍ତା, ବେକାର ଭତ୍ତା, ପେନସନ୍, ମାଗଣା ଚିକିତ୍ସା, ସବୁ ଅଛି । ଲୁଣ୍ତ୍ ଟିକେ ଛୋଟେଇ ଛୋଟେଇ ଚାଲୁଥାନ୍ତି । ତା’ର କୈଫିୟତ୍ ଦେଇ ସେ କହିଲେ ଯେ ତାଙ୍କର ଡାହାଣ ଗୋଡ଼ ଜଘଂ ହାଡ଼ର ଜୋଡ଼ ବା ଖୁଆ ଘୋରିହେଇ ଯାଇଥିବାରୁ ତାହା ବଦଳାଇ ଏକ ଇସ୍ପାତର ଖୁଆ ଲଗାଇ ଦିଆଯାଇଛି । ସେଟା ଠିକ୍ ସେଟ୍ ହବାକୁ ଟିକେ ସମୟ ଲାଗିବ । ସେ ଯାଏ ଚଲାବୁଲା କରିବା ବେଳେ ଟିକେ ବଥା ହେଉଛି । ଏ ଅସ୍ତ୍ର ଚିକିତ୍ସାରେ ବହୁ ସହସ୍ର ଟଙ୍କା ଖର୍ଚ୍ଚ ହେଲା । ମାତ୍ର ସେସବୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ମିଳିଲା ।

 

ଏଠି ଆଉ ଏକ ସୁବିଧା ବୁଢ଼ାବୁଢ଼ୀମାନଙ୍କ ପାଇଁ ଅଛି । ସତୁରି ଟପିଲେ ରେଲ୍, ମଟର ଉଡ଼ାଜାହାଜରେ ଅଧା ଭଡ଼ାରେ ଯାତାୟାତ କରି ପାରିବେ । ବାଳବୃଦ୍ଧାଃ ସମାନାଃ ।

Image

 

ବାର

ମାନବତା ଓ ପରାକ୍ରମର ଉପାସନା

 

ଓସଲୋ ଶାନ୍ତି ଗବେଷଣା କେନ୍ଦ୍ରର ନିକଟରେ, ରାସ୍ତା ସେ କଡ଼େ ଗୋଟାଏ ବଡ଼ ଉଦ୍ୟାନ ଅଛି । ତାହା ଏ ଦେଶର ବିଖ୍ୟାତ ଭାସ୍କର ଭିଗଲ୍ୟାଣ୍ତ୍‌ଙ୍କ ସ୍ମୃତିରେ ନାମିତ । ଭିଗଲ୍ୟାଣ୍ତ ସାରା ଜୀବନ ଧରି ଶହ ଶହ ପଥର ମୂର୍ତ୍ତି ତିଆରି କରି ଚାଲିଥିଲେ । ଏ ସବୁର ଅଧିକାଂଶ ଏ ଉଦ୍ୟାନ ଭିତରେ ସଜାଇ ରଖା ହେଇଛି । ଦେଖିଲେ ବିସ୍ମିତ ହେବାକୁ ହୁଏ ଯେ ଏହାଙ୍କ ଭିତରେ କି ଅସରନ୍ତି ସୃଜନୀଶକ୍ତି, କି ଅଦମ୍ୟ ଓ ଅକ୍ଳାନ୍ତ କର୍ମପ୍ରେରଣା ଥିଲା । ନରନାରୀ, ବାଳକବାଳିକା, ଯୁବକଯୁବତୀ, ବୁଦ୍ଧବୁଦ୍ଧା, ସମସ୍ତ ମାନବତାର ନାନା ଭଙ୍ଗୀରେ ନାନା ଭାବନା ବ୍ୟକ୍ତ କରୁଥିବା ଅଜସ୍ର ମୂର୍ତ୍ତୀ । ପ୍ରତ୍ୟେକଟି ଭାବସିକ୍ତ, ପ୍ରତ୍ୟେକଟି ଜୀବନ୍ତ । ସାଧାରଣ ମଣିଷର ସାଧାରଣ ଜୀବନର ସୁଖଦୁଃଖ, ପ୍ରେମ-କଳହର ଜୟଗାନ କରି ଚାଲିଛନ୍ତି ଶିଳ୍ପୀ । ଉଦ୍ୟାନର କେନ୍ଦ୍ରବିନ୍ଦୁ ହେଲା “ମାନବତାର ମୀନାର” । ତିରିଶ ଫୁଟ କି କେତେ ଉଚ୍ଚ ଗୋଟିଏ ସ୍ତମ୍ଭ ତଳୁ ଉପର ଯାଏ ନାନା ଭଙ୍ଗୀର, ନାନା ଭାବର ମନୁଷ୍ୟର ଆକୃତିରେ ପୂର୍ଣ୍ଣ । ବୃକ୍ଷଲତା ଭଳି ସବୁ ଛନ୍ଦି ଦେଇ ରହିଛନ୍ତି, ଯେପରିକି ମାନବର ସମୂହ ଆତ୍ମା ସ୍ଵର୍ଗକୁ ହାତ ବଢ଼ାଉଛି !

 

ଓସଲୋ ବନ୍ଦର ଆରପଟେ ବିଗ୍ଡ଼ୟ ଦ୍ଵୀପରେ ଅନେକଗୁଡ଼ିଏ ସଂଗ୍ରହାଳୟ ରହିଛି । ଏଠି ଏକ ଲୋକକଳା ସଂଗ୍ରହାଳୟ ରହିଛି । ସେଥିରେ ସବୁ ଯୁଗର ପୋଷାକ, ଆସବାବ, କଳା-ସାମଗ୍ରୀ, ବାଦ୍ୟଯନ୍ତ୍ର, କୃଷି ଉପକରଣ ଆଦି ସବୁ ପ୍ରକାରର ବସ୍ତୁ ସଂଗ୍ରହ କରି ରଖାଯାଇଛି । ଷ୍ଟକହଲମ୍‌ର ଜୁରଗାର୍ଡ଼େନ୍ ପରି ପୁରୁଣାକାଳର ଗାଉଁଲୀ ଘର ମଧ୍ୟ ରଖାଯାଇଛି । ଏ ମ୍ୟୁଜିୟମ ଦେଖିଲେ ଏ ଦେଶର ପ୍ରାଚୀନ ସଂସ୍କୃତି ବିଷୟରେ ଖୁବ୍ ଭଲ ଧାରଣା ମିଳେ ।

 

ଏଠାର ଆଉ ଦୁଇଟି ସଂଗ୍ରହାଳୟ ଦେଖି ଖୁବ୍ ଆନନ୍ଦ ଓ ସନ୍ତୋଷ ମିଳିଲା । ଗୋଟିଏ ହେଲା ମେରୁ ଅଭିଯାତ୍ରୀ ନାନ୍‌ସେନଙ୍କ ଜାହାଜ ‘ଫ୍ରାମ୍’ ଓ ଅନ୍ୟଟି କାଠର ଭେଳା ‘କୋନ୍‌ଟିକି’, ଯେଉଁଥିରେ ଥର୍‍ ହେୟାରର୍ଡ଼ାଲ ଓ ତାଙ୍କର ପାଞ୍ଚଜଣ ସାଥୀ ପ୍ରଶାନ୍ତ ମହାସାଗର ପାର ହେଇଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ନାନ୍‌ସେନ୍ ତିନିଥର ଏହି କାଠ ତିଆରି ଜାହାଜରେ ଉତ୍ତର ମେରୁ ଆବିଷ୍କାର ପାଇଁ ଯାତ୍ରା କରିଥିଲେ । ଦକ୍ଷିଣ ମେରୁ ଯାତ୍ରା ମଧ୍ୟ ଥରେ କରିଥିଲେ । ତାଙ୍କର ଏ ସବୁ ଯାତ୍ରା ମାନବର ଦୁର୍ଜୟ ସାହସ ଓ ଅଦମ୍ୟ ଅନୁସନ୍ଧିତ୍ସାର ଅବିସ୍ମରଣୀୟ ଉଦାହରଣ । ସେତେବେଳେ ବେତାରବାର୍ତ୍ତା ପ୍ରେରଣ ବ୍ୟବସ୍ଥା ନ ଥିଲା । ବେତାର ଉପରେ ଭିତ୍ତି କରି ଦିଗନିର୍ଣ୍ଣୟ ଓ ସ୍ଥାନନିରୂପଣ ତଥା ପାଣିପାଗର ଆଗତୁରା ତଥ୍ୟ ସଂଗ୍ରହ କରିବାର ଯେ ସବୁ ବ୍ୟବସ୍ଥା ଏବେ ସମୁଦ୍ରଯାତ୍ରୀ ଜାହାଜ ଓ ଉଡ଼ାଜହାଜାର ଯାତାୟତକୁ ସୁଗମ ଓ ନିରାପଦ କରିବାରେ ସାହାଯ୍ୟ କରିଥାଏ ସେସବୁ ସେତେବେଳେ ସ୍ଵପ୍ନର ଆଗୋଚର ଥିଲା । କାଠ ଜାହାଜରେ କେବଳ କମ୍ପାସ୍ ଓ ସେକସଟାଣ୍ଟ୍‌କୁ ଆଶ୍ରା କରି ଏ ଅଭିଯାତ୍ରୀ ଦଳ ଅଜଣା ମେରୁ ପ୍ରଦେଶର ସମସ୍ତ ବିପଦକୁ ଛାତି ପତେଇ ନେଇଥିଲେ ।

 

‘ଫ୍ରାମ୍’ ଜାହାଜଟି ସେତେବେଳେ ଯେପରି ଥିଲା ଅବିକଳ ସେହିପରି ରଖାଯାଇଛି । ମେରୁ ଅଭିଯାନ ସମ୍ଵନ୍ଧରେ ଅନ୍ୟାନ୍ୟ ସମସ୍ତ ତଥ୍ୟ ଓ ଅନ୍ୟାନ୍ୟ ଅଭିଯାତ୍ରୀମାନଙ୍କର ଚିତ୍ର, ପ୍ରତିମୂର୍ତ୍ତି ଓ ଅଭିଯାନର ତଥ୍ୟ ମଧ୍ୟ । ଦେଖିଲେ ବିସ୍ମିତ ହେବାକୁ ହୁଏ ଯେ ଅଜ୍ଞାତକୁ ଜ୍ଞାତ କରିବା ପାଇଁ, ଦୁରଧିଗମ୍ୟ ଉପରେ ମନୁଷ୍ୟର ବିଜୟ ପତାକା ଉଡ଼ାଇବା ପାଇଁ କେତେ ଦେଶର କେତେ ତରୁଣ ଓ ପୌଢ଼ ଘର ଓ ନଗର ସଭ୍ୟତାର ନିଶ୍ଚିନ୍ତ ଆଶ୍ରୟ ତ୍ୟାଗ କରି ଅନିଶ୍ଚିତ ପଥକୁ ଗୋଡ଼ ବଢ଼ାଇଛନ୍ତି । ଉତ୍ତରମେରୁ, ଦକ୍ଷିଣମେରୁ, ହିମାଳୟର ଶୃଙ୍ଗ, ଗୋବି ଓ ସାହାରା ମରୁଭୂମି, ଆଫ୍ରିକାର ଘନ ଅରଣ୍ୟ, ସମୁଦ୍ର ପାରିର ଅଜଣା ଦେଶ, ଆଗ୍ନେୟଗିରିର ଗହ୍ଵର, ଅଧିକ ଆଉ କ’ଣ ଅଛି ? ଏଇଥିରେ ୟୁରୋପୀୟ ସଭ୍ୟତାର ପ୍ରାଣଶକ୍ତିର ଏକ ଅସରନ୍ତି ଉତ୍ସର ଇଙ୍ଗିତ ମିଳେ । ସତ୍ୟର ସନ୍ଧାନର ଏ ବି ଗୋଟାଏ ଦିଗ, ଯେମିତି ଆଉ ଗୋଟାଏ ଦିଗ ବିଜ୍ଞାନର ପନ୍ଥାରେ ପ୍ରକୃତିର ରହସ୍ୟର ଅନୁସନ୍ଧାନ । ଭାରତର ଜନତା ଭିତରେ ମଧ୍ୟ ଦିନେ ଏହି ଦୁର୍ଜ୍ଜୟ ଅଭିଯାତ୍ରୀ ବୃତ୍ତି ଥିଲା । ତାହା ନ ହେଲେ ସେ କାଳରେ ଯବଦ୍ଵୀପଠାରୁ ଆରମ୍ଭ କରି ଫିଲିପାଇନ୍ ଓ ହୁଏତ ମଧ୍ୟ ଆମେରିକା ଯାଏ ଏଠାର ସଭ୍ୟତା ପହଞ୍ଚିଲା କିପରି ? ମାତ୍ର ବ୍ରାହ୍ମଣ୍ୟ ଆଧିପତ୍ୟ ଏ ସାହସିକତାକୁ ବିଧି ନିଷେଧର ଅସହ୍ୟ ଚାପରେ ନିଃଶେଷ କରିଦେଲା ।

 

ୟୁରୋପର ଅନ୍ୟ ଦେଶରୁ ଯେତେ କେବଳ ସ୍କାଣ୍ତିନେଭିଆ ଓ ବିଶେଷକରି ନରଓ୍ଵେରୁ ବୋଧହୁଏ ତାହାଠାରୁ ବେଶୀ ସମୁଦ୍ର ଅଭିଯାତ୍ରୀ ବାହାରିଛନ୍ତି । ଭାଇକିଙ୍ଗ୍ ପରଂପରା ଏହାର କାରଣ । ଦୁଇଶହ ବର୍ଷ ତଳ ପର୍ଯ୍ୟନ୍ତ ନରଓ୍ଵେର ଭାଇକିଙ୍ଗ୍ମାନେ କାଠ ନୌକାରେ ୟୁରୋପର ସମସ୍ତ ସମୁଦ୍ର ପଥ ଚଷି ବୁଲୁଥିଲେ । ଆମର ମହାନଦୀରେ ଚଳୁଥିବା ବଡ଼ ବଡ଼ ପଟତନ ଆକାରର ନୌକା । ତେବେ ଗଠନ ପ୍ରଣାଳୀ ଭିନ୍ନ । ଏଭଳି କେତୋଟି ନୌକା ମଧ୍ୟ ସଂଗ୍ରହାଳୟରେ ରଖାଯାଇଛି ।

 

ଥର୍ ହେୟାରର୍ଡାଲ୍‌ଙ୍କର ‘କୋନ୍-ଟିକି’ ଅଭିଯାନ ଏହି ଅଭିଯାନ ମହାକାବ୍ୟର ଏକ ଅଦ୍ୟତନ ଅଧ୍ୟାୟ । ହେୟାର୍ଡାଲ୍ ଜଣେ ନୃତତ୍ତ୍ଵବିଦ୍ । ନୃତତ୍ଵ ଅଧ୍ୟୟନ କରୁ କରୁ ସେ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳ ଓ ଅଷ୍ଟ୍ରେଲିଆ ପାଖଆଖର ପୋଲିନେସିୟ ଦ୍ଵୀପପୁଞ୍ଜର ସଭ୍ୟତା ଭିତରେ ବହୁତ କିଛି ସାମ୍ୟ ଦେଖିବାକୁ ପାଇଲେ ଯାହା ଆଦୌ ଆକସ୍ମିକ ହେବା ସମ୍ଭବ ନୁହେଁ । ଏ ଦୁଇ ଅଞ୍ଚଳ ଭିତରେ ପ୍ରାୟ ଚାରି ହଜାର ମାଇଲ ଓସାର ପ୍ରଶାନ୍ତ ମହାସାଗର । ଏ ପ୍ରତିବନ୍ଧକକୁ ସେ ଯୁଗର ଆଦିମ ଲୋକେ ଅତିକ୍ରମ କରୁଥିଲେ କିପରି ? ନାନା ଐତିହାସିକ ଓ ପ୍ରାତ୍ନତାତ୍ତ୍ଵିକ ଗବେଷଣା ପରେ ହେୟାର୍ଡ଼ାଲ୍ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ଦକ୍ଷିଣ ଆମେରିକାର ଉପକୂଳରୁ ଭେଳା ସାହାଯ୍ୟରେ ଲୋକେ ପୋଲିନେସୀୟ ଦ୍ଵୀପପୁଞ୍ଜକୁ ଯାଉଥିଲେ । ମୌସୁମୀ ବାୟୁ ଓ ପ୍ରଶାନ୍ତ ମହାସାଗର ହମବୋଲ୍‌ଟ ପ୍ରବାହ ସେମାନଙ୍କର ସହାୟ ହେଉଥିଲା ।

 

ଅନ୍ୟ ନୃତତ୍ତ୍ଵବିଦ୍ ଓ ଇତିହାସବେତ୍ତା ଏ ‘ଉଦ୍ଭଟ’ ତତ୍ତ୍ଵକୁ ସହଜରେ ମାନନ୍ତେ କାହିଁକି ? ତେଣୁ ଏହାକୁ ହାତେକଲମେ ପ୍ରମାଣ କରି ଦେଖାଇବା ପାଇଁ ହେୟାରର୍ଡ଼ାଲ୍ ଉଦ୍ୟମ ହେଲେ । ସେ ଯୁଗରେ ଯେଉଁ ଉପାଦାନରେ ଯେଉଁ ଢଙ୍ଗରେ ଏସବୁ ଭେଳା ଗଢ଼ା ହେଉଥିଲା ବୋଲି ନାନା ସୂତ୍ରରୁ ଜଣାପଡ଼ିଥିଲା, ଯେଉଁ ମାପର ତିଆରି କରାଯାଉଥିଲା, ଅବିକଳ ସେହି ଉପାଦାନ ଓ ସେହି ମାପ ଓ ଧରଣର ଭେଳା ସେ ତିଆରି କଲେ । ଦକ୍ଷିଣ ଆମେରିକାର ଅତି ହାଲୁକା ବାଲସା କାଠର ଗଣ୍ତିକୁ ଲଟାର ବକଳରେ ତିଆରି ରସି ଦ୍ଵାରା ବାନ୍ଧି ଏହା ତିଆରି କରାହେଲା । ଏଥିରେ ଲୁହା କଣ୍ଟା ଗୋଟିଏ ହେଲେ ସୁଦ୍ଧା ଲଗାଯାଇ ନ ଥିଲା । ଭେଳା ଉପରେ ମାସ୍ତୁଲ ଲଗାଯାଇ ପାଲ ଟଙ୍ଗା ଯାଇଥିଲା ଓ ଅଭିଯାତ୍ରୀମାନେ ରହିବା ପାଇଁ ଏକ ଘାସ ଛାଉଣୀ ଚାଳିଆ ଥିଲା ।

 

ଏଇ ଭେଳାରେ ଦକ୍ଷିଣ ଆମେରିକାର ପେରୁ ଉପକୂଳରୁ ଯାତ୍ରା କରି ହେୟାରର୍ଡ଼ାଲ ଓ ତାଙ୍କର ଅନ୍ୟ ପାଞ୍ଚଜଣ ସଙ୍ଗୀ ପ୍ରାୟ ଶହେ ଦିନରେ ମହାସାଗର ପାରି ହେଇ ଏକ ପୋଲିନେସୀୟ ଦ୍ଵୀପରେ ପହଞ୍ଚିଲେ ଓ ତାଙ୍କର ତତ୍ତ୍ଵ ପ୍ରତ୍ୟକ୍ଷ ପ୍ରମାଣ ଦ୍ଵାରା ଯଥାର୍ଥ ସାବ୍ୟସ୍ତ ହେଲା । ଏହି ଭେଳା, ଅଭିଯାନର ଅନ୍ୟାନ୍ୟ ଉପକରଣ ଓ ଚିତ୍ରାବଳୀ ଏଠାରେ ଗୋଟାଏ ସ୍ଵତନ୍ତ୍ର ସଂଗ୍ରହାଳୟରେ ରଖା ଯାଇଛି । ଏହା ଉଣାଇଶ ଶହ ଅଠଚାଳିଶର କଥା । ହେୟାରଡ଼ାଲଙ୍କର ଅଭିଯାନବୃତ୍ତି ଏବେ ବି କାଏମ ରହିଛି । ଏଇ ଏବେ ସେ ମିଶରର ପାପିରସ୍ ଛାଲରେ ଗଢ଼ା ନୌକାରେ ଆଟଲାଣ୍ଟିକ ମହାସାଗର ପାର ହେବାର ଉଦ୍ୟମ କରୁଥିଲେ । ପ୍ରଥମ ଉଦ୍ୟମ ସଫଳ ହେଲା ନାହିଁ । ଏବେ ସେ ଦ୍ଵିତୀୟବାର ଉଦ୍ୟମର ଆୟୋଜନ କରୁଛନ୍ତି ।

 

ବିଗ୍‌ଡ଼ୟରୁ ସହରକୁ ଫେରିଲି ମୋଟର ଘାଟ ପାରି ନୌକାରେ । ଏଥିରେ ଦେଖିଲି ଯେ ଝିଅମାନେ ମାଝିମଲ୍ଲା କାମ କରୁଛନ୍ତି । ନୌକା ଘାଟରେ ଲାଗିଲାବେଳେ ଗୋଟିଏ ଝିଅ ତାକୁ ରଶିରେ ବାନ୍ଧିବା, ପୁଣି ଛାଡ଼ିବାବେଳକୁ ରଶି ଖୋଲିବା, ନୌକାକୁ କୂଳରୁ ଛଡ଼ାଇବା ଆଦି କାମ କରୁଛି ଓ ପୁଣି ଯାତ୍ରୀମାନଙ୍କୁ ଟିକଟ ମଧ୍ୟ ବିକୁଛି । ଘାଟରେ ମଧ୍ୟ ସେହିପରି ଅନ୍ୟ ଝିଅ ମାନେ ନୌକା ବନ୍ଧାବନ୍ଧି କାମରେ ସାହାଯ୍ୟ କରୁଛନ୍ତି ।

 

ଶ୍ରୀ ଏଇଡ଼େ ଏଠା ଶାନ୍ତି ଗବେଷଣା ସଂସ୍ଥାନର ସହକାରୀ ସଂଚାଳକ । ସେ ମତେ ନେଇ ଓସଲୋ ସହର ଓ ତା ଆଖପାଖର ଅଞ୍ଚଳରେ ମୋଟରରେ ବୁଲେଇ ଆଣିଲେ । ଓସଲୋଠୁଁ ଅଳ୍ପ ଦୂରରେ ପାହାଡ଼ ଚୂଡ଼ା ଉପରେ ଭୋଗନାରକୋଲନ୍ ଏକ ଗାଁ । ସେଠି ଏକ ପ୍ରମୋଦ ଉଦ୍ୟାନ ମଧ୍ୟ ଅଛି । ଛୁଟି ଦିନରେ ଅସଂଖ୍ୟ ଲୋକ ବୁଲି ଆସନ୍ତି । ଏଠୁ ଓସଲୋ ସହରର ମନୋରମ ଦୃଶ୍ୟ ଦେଖାଯାଏ । ବାଟରେ ଗୋଟାଏ Ski-jump ସ୍ତ୍ରୀ-ଲଂଫ ସ୍ଥାନ ପଡ଼ିଲା । ସ୍କୀ, ସ୍କେଟ୍, ସେ୍ଲଡ଼୍ ଏ ସବୁ ବରଫ ଉପରେ ଖେଳିବାର ବିବିଧ ସାଧନ । ପ୍ରାୟ ଛଅ ଇଞ୍ଚ ଓସାର ଆଠ ନଅ ଫୁଟ ଲମ୍ଵ ଦୁଇଟି ପଟା । ସାମନା ଅଗ ଡଙ୍ଗା ମଙ୍ଗ ପରି ଉପରକୁ ବାଙ୍କିଥାଏ । ଏହି ହେଲା ସ୍ତ୍ରୀ । ଏହାକୁ ପାଦରେ ଜୋତା ତଳେ ବାନ୍ଧି ବରଫ ଉପରେ ଯାତାୟାତ କରାଯାଏ । ଦେହର ଓଜନଟା ଲମ୍ଵ ପଟା ଉପରେ ବିଛେଇ ହେଇଥିବାରୁ ଗୋଡ଼ ବରଫ ଭିତରେ ଦବି ଯାଏ ନାହିଁ । ତାହାଛଡ଼ା ଚିକ୍‍କଣ ବରଫ ଉପରେ ଏ ପଟା ଖସରି ଚାଲେ । ଏ ସ୍କୀ ସାହାଯ୍ୟରେ ପାହାଡ଼ ଉପରୁ ଖସରି ଆସି ଡିଆଁ ମାରି ଶହେ ଦେଢ଼ ଶହ ଗଜ ଦୂରରେ ଯାଇ ପଡ଼ିବା ଏକ ସାହସିକତାପୂର୍ଣ୍ଣ ଓ ଉତ୍ତେଜନାମୟ ଖେଳ । ଗଡ଼ାଣିଆ ପାହାଡ଼ରୁ ଖସରିଲାବେଳେ ଖେଳାଳୀର ଗତି ଘଣ୍ଟାକେ ଷାଠିଏ ସତୁରି ମାଇଲ ହେଇଯାଏ । ସେତେବେଳେ ଟିକିଏ ଭୁଲ ତ୍ରୁଟି ହେଲେ, କେଉଁଠି ଧକ୍କା ବାଜିଲେ କି ଗତିପଥରେ ବ୍ୟତିକ୍ରମ ହେଲେ ସର୍ବନାଶ । ହାତ ଗୋଡ଼ ଚୁରମାର ହେଇଯିବ । ଏ ଖେଳରେ ସ୍ତ୍ରୀ ପୁରୁଷ ଉଭୟେ ଯୋଗ ଦିଅନ୍ତି । ଆନ୍ତର୍ରାଷ୍ଟ୍ରୀୟ ପ୍ରତିଯୋଗୀତା ମଧ୍ୟ ହୁଏ ।

 

ସ୍କେଟ୍ ହେଲା ଛୁରୀ କଟୁରୀ ଫଳ ପରି ଧାରୁଆ ପାତ । ପ୍ରତି ପାଦରେ ଠିଆ ବାଗରେ ଗୋଟିଏ ଲେଖାଁ ବନ୍ଧାଯାଏ ଓ ତାହା ସାହାଯ୍ୟରେ ଶକ୍ତ ଚିକ୍କଣ ଓ ସମତଳ ବରଫ ଉପରେ ଖସରି ଖସରି ନାନାପ୍ରକାର ଖେଳ ଦେଖାନ୍ତି । ସେ୍ଲଡ଼୍ ବା ସେ୍ଲଜ ହେଲା ବରଫ ଉପରେ ଖସରି ଚାଲିବା ଚକ ଥିବା ଗାଡ଼ି ।

 

ବାଟରେ ଗୋଟାଏ ଜାଗାରେ ଦେଖିଲୁ ସ୍କୀରେ ଖସିବା ପାଇଁ ପାହାଡ଼ ଉପରେ ଏକ ସିମେଣ୍ଟର ଖସଡ଼ା ତିଆରି କରା ହେଇଛି । ସାନ ପିଲାଙ୍କର ଖସିବା ପାଇଁ ଯେପରି ସ୍ଳାଇଡ଼୍ ବା ଘସରଗୁଣ୍ତୀ ଶିଶୁଭବନମାନଙ୍କରେ ଥାଏ ସେହିପରି, ତେବେ ବିରାଟ ବଡ଼, ଦୁଇଶହ ଫୁଟ କି ବେଶୀ ଉଚ୍ଚ ହେବ । ତା’ ଉପରକୁ ଉଠିବା ପାଇଁ ପଛପଟେ ଲିଫ୍‌ଟ ଅଛି । ଖେଳକସରତରେ ଆୟୋଜନାଟା ବି ଚରମ ରାଜସିକ ।

 

ଓସଲୋରେ ବିଦ୍ୟାର୍ଥୀ ଗ୍ରାମ ମଧ୍ୟ ଦେଖିଲୁ । ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ପାଇଁ ଛାତ୍ରାବାସ ଗୋଟାଏ ସାନ ସହର ବା ଗାଁ ସୃଷ୍ଟି କରିଛି । ଅନ୍ତତଃ ଦଶ ହଜାର ଛାତ୍ରଛାତ୍ରୀଙ୍କର ରହିବା ବ୍ୟବସ୍ଥା । ଏହାର ପରିଚାଳନାରେ ଛାତ୍ରମାନେ ନିଜେ ଅଂଶ ଗ୍ରହଣ କରିଥାନ୍ତି । ନରଓୟେରେ ଛାତ୍ର ସମସ୍ୟା ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ପରି ନୁହେଁ ବୋଲି ଶ୍ରୀ ଏଇଡ଼େ କହିଲେ । ଏଠି ବିଶ୍ଵବିଦ୍ୟାଳୟ ପରିଚାଳନା ସଭାରେ ଛାତ୍ରମାନଙ୍କର ପ୍ରତିନିଧିତ୍ଵ ରହିଛି ଓ ଅନ୍ୟ ଦେଶପରି ନାନା ବିରକ୍ତିକର କଟକଣା ମଧ୍ୟ ନାହିଁ । ଦାରିଦ୍ର୍ୟ ତ ନାହିଁ । ବିଶ୍ଵବିଦ୍ୟାଳୟର ଶେଷ ଯାଏ ପାଠପଢ଼ା ମାଗଣା । କୃତି ଛାତ୍ରମାନଙ୍କ ପାଇଁ ପ୍ରଚୂର ଛାତ୍ର ବୃତ୍ତିର ବ୍ୟବସ୍ଥା ଅଛି, ଛାତ୍ରାବାସ ଖର୍ଚ୍ଚ ଚଳାଇବା ପାଇଁ ।

 

ନରଓୟେରେ ଗୋଟାଏ କଥା ଦେଖିଲି ଯେ ଅନ୍ୟ ଦେଶ ଓ ଆମ ଦେଶ ପରି କାନ୍ଥରେ ବାଡ଼ରେ ବିଜ୍ଞାପନ ନାହିଁ । ରାସ୍ତା କଡ଼ର ଦୁଇପାଖରେ ପ୍ରାକୃତିକ ଦୃଶ୍ୟକୁ ଘୋଡ଼ାଇ ରଖୁଥିବା ବିରାଟ ବିରାଟ ବିଜ୍ଞାପନ ଫଳକର ଧାଡ଼ି ନାହିଁ । ପଚାରି ବୁଝିଲି ଯେ ଏଠି ଏଭଳି ବିଜ୍ଞାପନ ବିରେଧରେ ଆଇନ ଅଛି ଓ ଏଠାର ପୁଂଜିପତି ଓ ବ୍ୟବସାୟୀମାନେ ତାହା ମାନି ନେଇଛନ୍ତି । ଯାହାହେଉ ପୁଂଜିବାଦର ଗୋଟାଏ କଦର୍ଯ୍ୟ କାରବାରର ଲୋପସାଧନ ହେଇପାରିଛି-। ଏହା ଦେଖି ଭଲ ଲାଗିଲା ।

Image

 

ତେର

ଦିନେମାର ଦେଶ

 

ଓସଲୋରୁ କୋପେନ୍‌ହାଗେନ୍ ସିଧା ଦକ୍ଷିଣ ମୁହାଁ ତିନିଶହ ମାଇଲ । ଜେଟବିମାନ ଛୟାଳିଶ ମିନିଟରେ ପହଞ୍ଚାଇ ଦେଲା । ଡେନମାର୍କ ଦେଶଟିର ଉତ୍ତର ଅଂଶ ବହୁ ସାନବଡ଼ ଦ୍ଵୀପର ସମଷ୍ଟି । ରାଜଧାନୀ କୋପେନ୍‌ହାଗେନ୍ ମଧ୍ୟ ଏକ ଦ୍ଵୀପ ଉପରେ । ଏକା ବେଳେକ ସମୁଦ୍ର ଧାରରେ ବିମାନ ଘାଟି । ବେଶ ସୁନ୍ଦର ପରିବେଶ ।

 

ଏଠି ପହଞ୍ଚି ଏକ ମଜାର କାଣ୍ତ ଘଟିଲା । ଏକ ଶାନ୍ତିବାଦୀ ଦମ୍ପତୀ ଶ୍ରୀମତୀ ଏଲେନ୍ ଓ ଶ୍ରୀ ହେଲୀୟେ କିଂଡ଼୍‌ବୋ ଏଠି ମୋର ଅତିଥେୟତା କରିବାର ସ୍ଥିର ଥିଲା । ଏ ଦୁହେଁ କେତେବର୍ଷ ତଳେ ଭାରତ ଆସିଥିଲେ । ସର୍ବୋଦୟ ଆନ୍ଦୋଳନ ପ୍ରତି ଗଭୀର ଶ୍ରଦ୍ଧା ରହିଛି । ବିହାରରେ କିଛିଦିନ ସେବାକାର୍ଯ୍ୟ ମଧ୍ୟ କରିଛନ୍ତି । ମାତ୍ର ମୋ ସହିତ କେବେ ସାକ୍ଷାତ ହେଇ ନ ଥିଲା । ସେମାନେ ମତେ ନେବାକୁ ଉଡ଼ାଜାହାଜ ଘାଟୀକୁ ଆସିବା କଥା । ଏଣେ ଏଠାର ଦୂତାବାସକୁ ମଧ୍ୟ ଚିଠି ଲେଖା ହେଇଥିଲା । ମୁଁ ବିମାନରୁ ଉତୁରି ବିମାନଘାଟୀର ଦରଜାରେ ପଶିବାମାତ୍ରେ ଜଣେ ଭଦ୍ରଲୋକ ମତେ ଅଭିବାଦନ କରି ପଚାରିଲେ “ଆପଣ ଶ୍ରୀ ଚୌଧୁରୀ ? ମୁଁ ଶ୍ରୀ ବୋସ, ଭାରତୀୟ ଦୂତାବାସରୁ ଆପଣଙ୍କୁ ନେବାକୁ ଆସିଛି ।” କସ୍‌ଟମସ୍‍, ପାସପୋର୍ଟ ଓ ସ୍ଵାସ୍ଥ୍ୟ କଣ୍ଟ୍ରୋଲର ଘାଟୀ ସବୁ ପାର ହୋଇ କୌଣସି ବାହର ଲୋକ ଆଗନ୍ତୁକ ଯାତ୍ରୀ ପହଞ୍ଚିବାର ପ୍ରଥମ ଦରଜା ଯାଏ ଯାଇପାରିବା କଥା ନୁହେଁ । ମାତ୍ର ଶ୍ରୀ ବୋସ କୂଟନୀତିକ ସଂପ୍ରଦାୟର ଲୋକ ହେଇଥିବାରୁ ଓ ଏଠାରେ ବେଶ ପରିଚିତ ଥିବାରୁ ଭିତରଯାଏ ଚାଲିଯାଇଥିଲେ । ତାଙ୍କ ଯୋଗୁଁ ମୋର ସୁବିଧା ହେଲା । ପାସପୋର୍ଟ ଆଦି ତନଖି କେତେ ମୁହୂର୍ତ୍ତରେ ସରିଗଲା । ସମସ୍ତ କର୍ମଚାରୀ ଓ ପୁଲିସବାଲା ଖଟାଖଟ୍ ‘ସାବଧାନ’ ହେଇ ତାଙ୍କୁ ସେଲୁଟ୍ କରି ବାଟ ଛାଡ଼ି ଦେବାକୁ ଲାଗିଲେ । ମାତ୍ର ଏଇ ହେଲା ମୋର କାଳ । ପଦାକୁ ବାହାରି ଆସି ଦେଖେ ଯେ କାହିଁ ଆଉ କେହି ତ ମତେ ନେବାକୁ ଆସିନାହାନ୍ତି ? ଏଲେନ୍ ବା ହେଲିଏ କାହାନ୍ତି ? ପାଞ୍ଚସାତ ମିନଟ ଅପେକ୍ଷା କରି ଏଣେ ତେଣେ ଚାହିଁଲୁ । କେହି ନ ଦିଶିବାରୁ ଦୂତାବାସ ଗାଡ଼ିରେ ସହରକୁ ଯାଇ ତାଙ୍କର ବସା ଖୋଜି ବାହାର କଲୁ ଦେଖିଲୁ ସେଠି ତାଲା ବନ୍ଦ । କୁଆଡ଼େ ଗଲେ ? ନିରୂପାୟ ହେଇ ଦୂତାବାସ ଅଫିସକୁ ଯାଇ ଖୋଜି ଦେଖିଲୁ ଯେ ତାଙ୍କ ଘରେ ଫୋନ୍ ନାହିଁ । ଶାନ୍ତି ଅଫିସରେ ଫୋନ୍ ଅଛି ମାତ୍ର ତାହା କେବଳ ସନ୍ଧ୍ୟାବେଳେ ଖୋଲାଥାଏ । କଣ କରାଯିବ ? ଶେଷକୁ ସ୍ଥିର ହେଲା ମୁଁ ଏକ ହୋଟେଲରେ ଉଠିବି । ଫୋନ୍ ଯୋଗେ ହୋଟେଲ୍ ସ୍ଥିର ହେଲା । ବନ୍ଦରଠାରେ ଏକ ପୁରୁଣା ଜାହାଜକୁ ଭାସମାନ ହୋଟେଲ୍‌ରେ ପରିଣତ କରା ହେଇଛି । ଦିନକର ଭଡ଼ା ପଚାଶ ଟଙ୍କା । ଯାହା ହେଉ ପରିବେଶଟା ବେଶ ସୁନ୍ଦର । ଏ ପାଖରେ ସମୁଦ୍ର କୂଳର ପ୍ରଶସ୍ତ ରାସ୍ତା ଓ ଭବନମାଳା, ସେପାଖରେ ସୀମାହୀନ ସମୁଦ୍ର । ଉପଭୋଗ କରିବା ଭଳି ସ୍ଥାନ । ମାତ୍ର ମୋର ତ ଚିନ୍ତା କିଂଡ଼୍‌ବୋ ଦମ୍ପତି ଗଲେ କୁଆଡ଼େ ? ମୁଁ ହୋଟେଲରେ ଜିନିଷ ଥୋଇ ତୁରନ୍ତ ସେମାନଙ୍କୁ ଖୋଜି ବାହାରିଲି । ଘର ତ ଥରେ ଦେଖିଥିଲି । ମ୍ୟାପ୍ ସାହାଯ୍ୟ ନେଇ ଓ ପଚାରି ପଚାରି ବସ୍‌ରେ ଚଢ଼ି ଯାଇ ପହଞ୍ଚିଲି ।

 

ଦେଖିଲି ତାଲା ଫିଟିଛି । ଭିତରେ ପାଟି ଶୁଭୁଛି । ଘଣ୍ଟି ବଜାଇଲି । କବାଟ ଖୋଲି ଶ୍ରୀମାନ୍ ଓ ଶ୍ରୀମତୀ ଆବିର୍ଭୁତ ହେଲେ । ମତେ ଦେଖି ବିସ୍ମିତ ହେଇଗଲେ । ସେମାନେ ଉଡ଼ାଜାହାଜ ଘାଟିରୁ ନିରାଶ ହେଇ ଫେରି ଖାଇ ବସିଥିଲେ । ମୁଁ ବି ସେଥିରେ ସାମିଲ ହୋଇଗଲି-। ସେଠୁ ଘଟଣା ଜଣା ପଡ଼ିଲା ।

 

ସେମାନେ ଉଭୟେ ଖଣ୍ତେ ମୋଟରଗାଡ଼ି ଧାର କରି ବିମାନ ଘାଟୀକୁ ଯାଇଥିଲେ । ସେଠି ମତେ କସ୍‌ଟମ୍‌ସ ଅର୍ଗଳି ଭିତରୁ ବାହାରିବାର ମଧ୍ୟ ଦେଖିଲେ । ମାତ୍ର ପୁଲିସବାଲାଙ୍କର ଖଟାଖଟ୍ ସଲାମ କାରବାର ଦେଖି ବିଚାରିଲେ ଏ ବୋଧେ ଅନ୍ୟ କେହି ଭି. ଆଇ. ପି. । ତେଣୁ ଭରସି ପାଖ ପଶିଲେ ନାହିଁ । ଭି. ଆଇ. ପି. ଗିରିର ତଂଡ଼ ପଚାଶ ଟଙ୍କା ହୋଟେଲ ଭଡ଼ା ଗଣିବାକୁ ହେଲା ।

 

ମୋ ରହିବାର ବ୍ୟବସ୍ଥା ହେଇଥିଲା ସହରର ବାହାରେ ଟାସଟ୍ରୁପ୍‍ ନାମକ ଉପନଗରରେ ଏକ ଶିକ୍ଷକ ଦମ୍ପତି ମ୍ୟୁଏନକୋଙ୍କ ଘରେ । ସେଠାକୁ ଯିବା ପୂର୍ବରୁ ଆମେ ପ୍ରଥମେ ଗଲୁ ଲିଂଗବୀ ଗ୍ରାମରେ ଶ୍ରୀ ଓ ଶ୍ରୀମତୀ ରୋଜେନ୍‌କରଙ୍କୁ ଭେଟିବାକୁ । ଶ୍ରୀ ରୋଜେନକର ରବୀନ୍ଦ୍ରନାଥ ଓ ଗାନ୍ଧୀଜୀଙ୍କର ପରମ ଭକ୍ତ । ରବୀନ୍ଦ୍ର ନାଥ ୧୯୩୦ ରେ ୟୁରୋପ ଭ୍ରମଣବେଳେ ଆସି ଏହାଙ୍କ ଘରେ ରହିଥିଲେ ।

 

ରୋଜେନ୍‌କର ପ୍ରଥମ ମହାଯୁଦ୍ଧବେଳେ ଯୁବକ । ଏକ ବ୍ୟବସାୟ ସଂକ୍ରାନ୍ତରେ ୧୯୧୬ ରେ ବର୍ଲିନ ଯାଇଥିଲେ । ସେଠି ତାଙ୍କୁ ଯୁଦ୍ଧର ବିଭୀଷିକା, ଜନସାଧାରଣଙ୍କର ଚରିତ୍ର ଉପରେ ଯୁଦ୍ଧର ବିଷାକ୍ତ ପରିଣାମ, ସେମାନଙ୍କ ଦୈନନ୍ଦିନ ଜୀବନରେ ବୀପର୍ଯ୍ୟସ୍ତ ଓ ଆର୍ଥିକ ଦୁର୍ଦ୍ଦଶା ନିକଟରୁ ଦେଖିବାର ସୁଯୋଗ ମିଳିଲା । ପୁଣି ୧୯୧୯ରେ ପ୍ୟାରିସ୍‌ ଗଲେ ଓ ସେଠି ମଧ୍ୟ ସେୟା ଦେଖିଲେ । ଏସବୁ ଦେଖି ତାଙ୍କର ଯୁଦ୍ଧ ପ୍ରତି ବିତୃଷ୍ଣା ଆସିଲା ଓ ଶାନ୍ତି ପ୍ରତି ଆସ୍ଥା ଜନ୍ମିଲା-। ୧୯୨୧ ବେଳକୁ ସେ ଗାନ୍ଧୀଙ୍କ ନାମ ଶୁଣିଲେ । ଏହା ପରେ ତାଙ୍କୁ ରୋମ୍ୟାଁ ରୋଲଁ ଲିଖିତ ଗାନ୍ଧୀଜୀଙ୍କର ଜୀବନୀ ଓ ଡେନିଶ୍ ଭାଷାରେ ଗାନ୍ଧୀଜୀଙ୍କର ଆତ୍ମକଥାର ଅନୁବାଦ ପଢ଼ିବାକୁ ମିଳିଲା । ଅନ୍ୟାନ୍ୟ ବହିପତ୍ର ଓ ଲେଖା ଯାହା ପାଇଲେ ପଢ଼ିଲେ । ଏହିରୂପେ ଶାନ୍ତିବାଦ ତଥା ଗାନ୍ଧୀଜୀଙ୍କର ଆଦର୍ଶ ପ୍ରତି ତାଙ୍କର ନିଷ୍ଠା ଦୃଢ଼ ହେଲା ।

 

ଥରେ, ସମ୍ଭବତଃ ୧୯୨୫ରେ, ସେ ଗୋଟିଏ ସଭାରେ ବକ୍ତୃତା ଦେଇ ଗାନ୍ଧୀଜୀଙ୍କର ଆଦର୍ଶର କଥା କହିଲେ ଓ ଭାରତର ସ୍ଵାଧୀନତା ଦାବୀର ସମର୍ଥନ କଲେ । ଏଥରେ ଜଣେ ଶ୍ରୋତା ପ୍ରଶ୍ନ କଲେ ଯେ ଡେନମାର୍କର ଅର୍ଥନୀତି ତ ଇଂଲଣ୍ତ ସହ ଛନ୍ଦା ହେଇଛି (ଇଂଲଣ୍ତ ଏଠୁ ପ୍ରଚୁର ଦୁଧ ଓ ମାଂସ ଆମଦାନୀ କରେ । କାରଖାନାର ଉତ୍ପାଦିତ ବସ୍ତ୍ର ଯୋଗାଏ) ଯଦି ଭାରତ ସ୍ଵାଧୀନ ହେବ ତେବେ ଇଂଲଣ୍ତର ଅବସ୍ଥା ଖରାପ ହେବ ଓ ତା ସାଙ୍ଗରେ ଡେନମାର୍କର ମଧ୍ୟ । ତେଣୁ ଆମର ଭାରତର ସ୍ଵାଧୀନତା ଦାବୀକୁ ସମର୍ଥନ କରିବା ଉଚିତ କି ?

 

ଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରୋଜେନ୍‌କର ଦେଇ ନ ପାରି ଗାନ୍ଧୀଜୀଙ୍କୁ ଏହା ଚିଠି ଲେଖି ପଚାରିଲେ । ଗାନ୍ଧୀଜୀଙ୍କଠାରୁ ତିନି ସପ୍ତାହରେ ଆସି ଉତ୍ତର ପହଞ୍ଚିଲା ଯାହା ଏହାଙ୍କୁ ପୂର୍ଣ୍ଣ ସନ୍ତୋଷ ଦେଲା । ମାତ୍ର ତାଙ୍କୁ ଏକଥା ବିସ୍ମିତ କଲା ଯେ ଏତେ ବଡ଼ ଦେଶର ନେତା ଗାନ୍ଧୀଜୀ କେତେ କର୍ମବ୍ୟସ୍ତ ରହୁ ନ ଥିବେ । ଅଥଚ ତା’ରି ଭିତରେ ସେ ଜଣେ ଅଜ୍ଞାତ, ଅନାମଧେୟ ବିଦେଶୀର ପ୍ରଶ୍ନର ଉତ୍ତର ତୁରନ୍ତ ନିଜ ହାତରେ ଲେଖି ଦେଇ ପାରିଲେ ! ଏହା ତାଙ୍କୁ ଚିରଦିନ ପାଇଁ ଗାନ୍ଧୀଜୀଙ୍କ ସହ ଭକ୍ତି ସୂତ୍ରରେ ଆବଦ୍ଧ କଲା । ଗାନ୍ଧୀଜୀଙ୍କର ସେ ଚିଠିଟି ସେ ଯତ୍ନରେ ସାଇତି ରଖିଥିଲେ, ମାତ୍ର ତାଙ୍କର ପୁରୁଣା ଘରଟିର କେତେକ ଅଂଶ କେତେବର୍ଷ ତଳେ ଭୁଷୁଡ଼ି ପଡ଼ି ଅନେକ କାଗଜ ପତ୍ର ନଷ୍ଟ ହେଇଗଲା ଓ ତା’ ଭିତରେ ସେ ଚିଠିଟି ବି ।

 

ରୋଜେନ୍‌କର୍ ଓ ତାଙ୍କର ସ୍ତ୍ରୀ ଉଭୟେ ଭାରତପ୍ରେମୀ । ଥରେ ଦୁହେଁ ଭାରତ ବୁଲି ମଧ୍ୟ ଆସିଛନ୍ତି । ବୁଢ଼ାଙ୍କର ବୟସ ସତାଅଶି ହେଲାଣି । ବୁଢ଼ୀ ଦ୍ଵିତୀୟ ପକ୍ଷ, ଷାଠିଏ ଭିତରେ ହେବେ । ବୁଢ଼ା ଏବେ ବି ସୁସ୍ଥ ସମର୍ଥ ଅଛନ୍ତି । ପ୍ରତିଦିନ କିଛି ସମୟ ବଗିଚାରେ ପରିଶ୍ରମ କରନ୍ତି । ଗାନ୍ଧୀଜୀ ମାନସିକ ଶ୍ରମ ଓ ଶାରୀରିକ ଶ୍ରମର ସମନ୍ଵୟ ଚାହୁଁଥିଲେ । ସେହି ଆଦର୍ଶ ସେ ଅନୁସରଣ କରି ନିଜର ଦେହ ଓ ମନ ଉଭୟକୁ ସେହିପରି ରଖିଛନ୍ତି ବୋଲି ସେ କହିଲେ ।

 

ଆଜିକାଲି ଶ୍ରୀ ରୋଜେନ୍‌କର୍ ପଢ଼ାଶୁଣା କରି ଦିନ କଟାନ୍ତି । ସେ ଜଣେ ଶିଳ୍ପାନୁରାଗୀ-। ଘରେ ଅନେକ ଉତ୍କୃଷ୍ଟ ଚିତ୍ର ସଂଗ୍ରହ କରି ରଖିଛନ୍ତି ।

 

ଭାରତର ବର୍ତ୍ତମାନ ପରିସ୍ଥିତି ବିଷୟରେ ସେ ଅନେକ କଥା ଆଗ୍ରହର ସହିତ ପଚାରି ବୁଝିଲେ । ଭାରତରେ ଯେ ଅଶାନ୍ତି ଓ ହିଂସାକାଣ୍ତ ବଢ଼ିଛି ଏଥିରେ ସେ ବଡ଼ ଚିନ୍ତା ପ୍ରକଟ କଲେ । ଏଇନେଇ ଆଲୋଚନା ହେଲା ।

 

ମୁଁ କହିଲି ଯେ ଭାରତରେ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଘଟନା ହେଉଛି ଯେ ସେଠାର ସାଧାରଣ ଜନତା ବହୁଶତାବ୍ଦୀର ଜଡ଼ତା ପରେ ଜାଗି ଉଠୁଛି ଓ ଲୋକେ ନିଜର ମାନବୀୟ ଅଧିକାର ବିଷୟରେ ସଚେତନ ହେଉଛନ୍ତି । ଯେଉଁ ଅନ୍ୟାୟ ବ୍ୟବସ୍ଥା ଲୋକଙ୍କୁ ଦବେଇ ରଖିଛି ତାହା ସହିତ ଏଥିଯୋଗୁଁ ସଂଘାତ ଉପୁଜୁଛି । ଗାନ୍ଧୀଜୀ ଏହି ଜାଗରଣର ପ୍ରଧାନ ପୁରୋଧା । ସେ କବରର ଶାନ୍ତିକୁ ଭାଙ୍ଗି ବାସ୍ତବ ମାନବୀୟ ଶାନ୍ତି-ପ୍ରତିଷ୍ଠା କରିବାକୁ ଚାହୁଁଥିଲେ । ସେ ଲୋକଙ୍କର ଜଡ଼ତା ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଓ ଜାଣୁଥିଲେ ଯେ ଲୋକେ ଯେତେବେଳେ ପ୍ରଥମ କରି ତାଙ୍କ ଉପରେ ଚାଲିଥିବା ଅନ୍ୟାୟ ଓ ଶୋଷଣ ବିଷୟରେ ସଚେତନ ହେବେ ସେତେବେଳେ ସେମାନଙ୍କୁ ଅହିଂସାର ଶିକ୍ଷା ଯେତେ ଦିଆଗଲେ ମଧ୍ୟ ଅସମ୍ଭାଳ ହେଇ କିଛି କିଛି ହିଂସା ଘଟାଇ ପାରନ୍ତି । ତାଙ୍କ ଆନ୍ଦୋଳନ ବେଳେ ମଧ୍ୟ କିଛି କିଛି ହିଂସା ଘଟୁଥିଲା । ତଥାପି ଏ ବିପଦକୁ ମୁଣ୍ତାଇ ସେ ଲୋକଜାଗରଣ ପାଇଁ ଉଦ୍ୟମ କରୁଥିଲେ । ଆଜି ସେହି ଜାଗରଣର ପ୍ରକ୍ରିୟା ଆଗେଇ ଚାଲିଛି । ଲୋକେ ଅଧୈର୍ଯ୍ୟ ହୋଇ କିଛି କିଛି ହିଂସା ଘଟାଉଛନ୍ତି । ମାତ୍ର ଅସଲ କଥା ଓ ଆଶାର କଥା ହେଉଛି ଲୋକଙ୍କର ଜାଗରଣ ଓ ତାଙ୍କ ଭିତରେ ଏକ ନୂଆ ସମାଜର ଆକାଂକ୍ଷା । ଏ ଜାଗରଣ ଓ ଆକାଂକ୍ଷା ଯେତିକି ବଢ଼ିବ ଲୋକେ ସେତିକି ଅହିଂସାର ମହତ୍ତ୍ଵ ବୁଝିବାକୁ ସକ୍ଷମ ହେବେ । ସେଥିପାଇଁ ଭାରତର ପରିସ୍ଥିତିରେ ମୁଁ ନିରାଶାର କାରଣ ଦେଖୁ ନାହିଁ ।

 

ଶ୍ରୀ ରୋଜନ୍‌କର୍ ଏହି ବିଶ୍ଳେଷଣକୁ ପସନ୍ଦ କରିଥିଲେ ଓ କହିଲେ “ଭାରତ ବିଷୟରେ ମୋ ମନରେ ଯେଉଁ ନିରାଶା ଘୋଟିଯାଇଥିଲା ତାହା ତମର ଏ ବିଶ୍ଳେଷଣ ଦ୍ଵାରା ଦୂର ହେଲା ।”

 

ମୁଏନକୋ ଦମ୍ପତିଙ୍କ ଘର କୋପେନହାଗେନ୍ ଠାରୁ କୋଡ଼ିଏ କିଲୋମିଟର ଦୂର । ଉଭୟେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଜଣକା ପ୍ରାୟ ପାଞ୍ଚ ହଜାର ଟଙ୍କା ଦରମା ପା’ନ୍ତି । ଗୋଟିଏ ନୂତନ ଆବାସିକ କଲୋନୀରେ ତିନି ଲକ୍ଷ ଟଙ୍କା ଦେଇ ଘର କିଣିଛନ୍ତି । ପ୍ରତି ମାସରେ ଦାମ କିସ୍ତିଓ୍ଵାରି ଶୁଝନ୍ତି । ଘରଟି ଏକତାଲା । ଭୁବନେଶ୍ଵରର ଟାଇପେ ସିକ୍‌ସ ମାପର ହେବ । ଚାରି ବଖରା ରହିବା ଘର, ରୋଷେଇ ଘର ଓ ଗାଧୁଆ ଘର । ତା’ଛଡ଼ା ମାଟିତଳେ ବଖରାଏ ଗୋଦାମ ଘର, ବାକ୍‌ସ ପେଟରା ଆଦି ରଖିବା ପାଇଁ ଘର । ଭିତରେ ସାଜସଜ୍ଜା, ଆସବାବପତ୍ର ସ୍ଵଭାବତଃ ଆଧୁନିକ ରୁଚିସମ୍ପନ୍ନ ଓ ଆରାମଦାୟକ । ଏମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ-। ପୁଅ ସ୍ପେନ୍ ହାଇସ୍କୁଲରେ ପଢ଼େ । ହିପ୍ପି ଷ୍ଟାଇଲରେ ଲମ୍ଵ ବାଳ ରଖିଛି । ଝିଅ ତା’ର ଯୁବକ ସାଥୀ ବା ସ୍ଵାମୀ ସହିତ ପାଖ ସହରରେ ଥାଏ ।

 

ସେ ଦିନ ସନ୍ଧ୍ୟାରେ ସେ ଦୁହେଁ ସେଠିକି ଆସିଥାନ୍ତି । ଶ୍ରୀ ମୁଏନକୋ ସେମାନଙ୍କ ସହିତ ମୋର ପରିଚୟ କରାଇଦେଇ କହିଲେ “ଏ ଆମର ଝିଅ ଓ ସେ ଆମର ବେ-ଆଇନ୍ ଜୁଆଇଁ ।” ମୁଁ ପଚାରିଲି “ବେ-ଆଇନ କାହିଁକି?” ସେ ଜବାବ ଦେଲେ “କାରଣ ସେମାନେ ଏକାଠି ରହୁଥିଲେ ମଧ୍ୟ ଆଇନ ଅନୁସାରେ ବାହା ହୋଇ ନାହାନ୍ତି । ତେଣୁ ତାକୁ ଆମେ ସନ୍-ଇନ୍-ଲ କହିବା କିପରି ?” ପରିହାସରେ ମୁଁ କହିଲି—“ତେବେ ସନ୍ ଆଉଟ୍ ଲ କୁହାଯାଉ ।”

 

ରହଣୀର ଶେଷ ଦିନ ଆମେ ତାଙ୍କର ବେ-ଆଇନ ସମୁଧୀ ଶ୍ରୀ ୟୋହାନସେନଙ୍କ ଘରକୁ ସନ୍ଧ୍ୟାରେ ବୁଲି ଯାଇଥିଲୁ । ସେଠିକି ଝିଅ ଓ ଜ୍ଵାଇଁ ମଧ୍ୟ ଆସିଥାନ୍ତି । ଏମାନେ ଆଇନତଃ ବାହା ନ ହୋଇ ଏକାଠି ରହିବାଟାକୁ ଉଭୟ ପରିବାର ବେଶ୍ ସ୍ଵାଭାବିକ ଭାବରେ ଗ୍ରହଣ କରୁଥିବାର ଦେଖିଲି । ଶ୍ରୀ ମୁଏନକୋ ନିଜେ ଥରେ ଏ ପ୍ରସଙ୍ଗ ଉଠେଇଲେ, ସେ ପଚାରିଲେ “ଯଦି ଦୁଇଜଣ ଲୋକ ପରସ୍ପରକୁ ଭଲ ପାଇବେ ଓ ଏକାଠି ରହିବାକୁ ଚାହିଁବେ ତେବେ ତାଙ୍କୁ ଆଇନକାନୁନ, ଦଲିଲ ଦସ୍ତାବେଜର ଏତେ ଝାମେଲାରେ କ’ଣପାଇଁ ପଶିବାକୁ ହେବ ?”

 

ସ୍କାଣ୍ତିନେଭିଆର ଦେଶମାନଙ୍କରେ ସ୍ତ୍ରୀପୁରୁଷଙ୍କର ପରସ୍ପର ସମ୍ଵନ୍ଧରେ ସ୍ଵଚ୍ଛନ୍ଦତା ଅନ୍ୟାନ୍ୟ ଦେଶମାନଙ୍କ ଅପେକ୍ଷା ଅନେକ ବେଶୀ । ଆଇନତଃ ବିବାହ ନ କରି ଏକତ୍ର ରହିବାଟାକୁ ନିନ୍ଦନୀୟ ମନେ କରାଯାଏ ନାହିଁ । ଏହା ଆମ ଦେଶର ପ୍ରଚଳିତ ନୈତିକତା ଅନୁସାରେ ଦୂଷଣୀୟ ମନେ ହୋଇପାରେ । ମାତ୍ର ସେଥିଯୋଗୁଁ ସେମାନଙ୍କ ସମାଜରେ କିଛି ବେଶୀ ସମସ୍ୟା ସୃଷ୍ଟି ହେଇଛି ବୋଲି ତ ମନେ ହୁଏ ନାହିଁ । ଅପରାଧ, ଅଶାନ୍ତି, ଅବ୍ୟବସ୍ଥା ଯେ କିଛି ଅନ୍ୟ ଦେଶ ଅପେକ୍ଷା ବେଶୀ ତା’ ବି ନୁହେଁ ।

 

ମୁଏନକୋଙ୍କ ଜନ୍ମ ଜର୍ମାନୀରେ, ସେଠାରେ ଥିବା ଡେନିଶ୍ ସଂଖ୍ୟାଲଘୁ ଗୋଷ୍ଠୀ ଭିତରେ । ଗତ ଦ୍ଵିତୀୟ ମହାଯୁଦ୍ଧ ପୂର୍ବରୁ ତାଙ୍କୁ ପରିବାର ଡେନମାର୍କକୁ ଚାଲି ଆସିଥିଲେ, ମାତ୍ର ହିଟ୍‌ଲର ଯେତେବେଳେ ଡେନମାର୍କ ଦଖଲ କରିଗଲା ସେତେବେଳେ ତାଙ୍କୁ ବାଧ୍ୟତାମୂଳକ ଭାବରେ ଜର୍ମାନୀ ସୈନ୍ୟ ଦଳରେ ଭର୍ତ୍ତି କରାଗଲା । ୧୯୪୦ରେ ରୁଷ୍ ଉପରେ ଆକ୍ରମଣ ଚାଲିଲାବେଳେ ସେ ସେହି ଆକ୍ରମଣକାରୀ ବାହିନୀରେ ଥିଲେ । ଜର୍ମାନ ବାହିନୀ ଯେତେବେଳେ ଲେନିନଗ୍ରାଡ଼୍ ଦଖଲ କରିବାକୁ ଅସମର୍ଥ ହୋଇ ପରାସ୍ତ ହୋଇ ପଛଘୁଞ୍ଚା ଦେଲେ ସେତେବେଳେ ମୁଏନକୋ ଏହି ପଳେଇ ଆସୁଥିବା ସେନାର ପଛ ଦଳରେ ଥିଲେ । କୌଣସି ଏକ ଶୃଙ୍ଖଳାଭଙ୍ଗର ଶାସ୍ତି ସ୍ଵରୂପ ତାଙ୍କୁ ଏକ “ଦଣ୍ତିତ ଦଳ (Punishment unit)ରେ ରଖାଯାଇଥାଏ । ଏ ଦଳର ସମସ୍ତ ସିପେହୀ ଦଣ୍ତ ଭୋଗୁଥାନ୍ତି । ସେମାନଙ୍କୁ ରହିବା ପାଇଁ ତମ୍ଵୁ ବା ଶୋଇବା ପାଇଁ ବିଛଣା ଦିଆଯାଇ ନ ଥାଏ । ରୁଷ୍ ଦେଶର ଶୀତ ଦିନର ସେହି ଶୂନ୍ୟଡିଗ୍ରୀରୁ ବି କମ, ବିଯୁକ୍ତ ଡିଗ୍ରୀର ପ୍ରଚଣ୍ତ ଓ ଦୁଃସହ ହିମ ପ୍ରବାହ ଭିତରେ ସେମାନଙ୍କୁ ବରଫ ଉପରେ ଚାଲିବାକୁ, ବସିବାକୁ ଓ ଶୋଇବାକୁ ପଡ଼ୁଥିଲା । ଫଳରେ ଥଣ୍ତା ଲାଗି ମୁଏନକୋଙ୍କ ଗୋଡ଼ ଜଖମ ହେଲା । ପରେ ଯେତେ ଚିକିତ୍ସା କଲେ ମଧ୍ୟ ଏହା ପୁରା ଆରୋଗ୍ୟ ହେଲା ନାହଁ । ଏବେ ନିକଟରେ ଏହାର ଚିକିତ୍ସା ପାଇଁ ଛଅ ମାସ ହାସପାତାଳରେ ରହି ଆସିଲେ । ମାତ୍ର ତଥାପି ଜଖମ ଅଛି, ଛୋଟେଇ ଛୋଟେଇ ଚାଲନ୍ତି ।” ଯାହାହେଉ ମୁଏନକୋ ଭାଗ୍ୟବାନ ଯେ ସେ ଏତିକିରେ ଏ କରାଳ ପଛଘୁଞ୍ଚାରୁ ବର୍ତ୍ତିଗଲେ । ତାଙ୍କର ଏ ଦଳରେ ଥିବା ମୂଳ ଦେଢ଼ଶହ ସିପେହୀ ଓ ପରେ ଯୋଗ ଦେଇଥିବା ତିରିଶ, ଏପରି ମୋଟ ଶହେ ଅଶି ଜଣଙ୍କ ଭିତରୁ ଶେଷ ପର୍ଯ୍ୟନ୍ତ ବଞ୍ଚି କରି ଫେରିଲେ ମାତ୍ର ପନ୍ଦରଜଣ ।

 

ଯୁଦ୍ଧ ସରିବା ପରେ ମୁଏନକୋ ଡେନମାର୍କ ଚାଲିଆସି ଏଠାର ନାଗରିକତ୍ଵ ଗ୍ରହଣ କରିଛନ୍ତି । ସେ ଓ ତାଙ୍କ ସ୍ତ୍ରୀ ଉଭୟେ ଯୁଦ୍ଧ ବିରୋଧୀ । ଅହିଂସାରେ ତାଙ୍କର ବିଶ୍ଵାସ ଅତି ଗଭୀର-। ଏପରିକି ପୋକଜୋକ ସୁଦ୍ଧା ମାରିବା ସେ ପସନ୍ଦ କରନ୍ତି ନାହିଁ । ତାଙ୍କର ପଛପଟ ବାରିରେ କେତେଗୁଡ଼ିଏ ଫୁଲଗଛ ଲଗା ହୋଇଛି । ସେଥିରେ କେତେକ ପୋକ ଲାଗିଥିଲା । ଏ ପୋକ ମାରିବା ପାଇଁ ସେ ଗାମେକସିନ ଆଦି କୀଟନାଶକ ଔଷଧ ବ୍ୟବହାର କରିବାକୁ ନାରାଜ ହେଉଥାନ୍ତି । ସ୍ଵାଭାବିକ ଭାବରେ ପୋକଙ୍କର ଉପଦ୍ରବ କିପରି ଊଣା ହେବ ତାହାରି ଉପାୟ ଖୋଜୁଥାନ୍ତି ।

Image

 

ଚଉଦ

ଜନତା ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା

 

ହେଲ୍‌ସିଙ୍ଗର ବା ଏଲ୍‌ସିନୋରଠାରେ ଥିବା ଆନ୍ତର୍ରାଷ୍ଟ୍ରୀୟ ଜନତା ଉଚ୍ଚ ବିଦ୍ୟାଳୟ ଦେଖାଯିବାର ବ୍ୟବସ୍ଥା ଆମ ଦୂତାବାସ ତରଫରୁ କରାଯାଇଥିଲା । ଗତ ଶତାବ୍ଦୀର ଶେଷ ଆଡ଼କୁ ଡେନମାର୍କରେ ଜନତା ବିଦ୍ୟାଳୟ ଆନ୍ଦୋଳନ ବିଶପ ଏନ୍‌.ଏଫ୍‌.ଗ୍ରୁଣ୍ଟ୍‌ଭୀଗ୍‌ଙ୍କ ପ୍ରେରଣା ଆରମ୍ଭ ହୋଇଥିଲା । ଡ଼େନ୍‌ମାର୍କ କୃଷି ପ୍ରଧାନ ଦେଶ ଓ ଏଠାରେ ଗ୍ରାମବାସୀ ଚାଷୀମାନଙ୍କୁ ଉଚ୍ଚଶିକ୍ଷା ଓ ସାଂସ୍କୃତିକ ବିକାଶର ସୁଯୋଗ ଦେବା ଏ ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା । ଏ ସବୁ ବିଦ୍ୟାଳୟକୁ ଗାଁର ଯୁବକ ଯୁବତୀ ବା ଯେ କେହି ଫୁରସତ ସମୟରେ ଆସିଥାନ୍ତି ଓ ରାଜନୀତି, ଅର୍ଥନୀତି, ଇତିହାସ, ମାନବ ସଂସ୍କୃତିର ଇତିହାସ ବିଜ୍ଞାନ, ଉନ୍ନତ କୃଷି ବିଜ୍ଞାନ ଓ ଶିଳ୍ପକଳା ଓ ଏହିପରି ଅନ୍ୟ ଅନେକ ବିଷୟ ଭିତରୁ ନିଜ ନିଜର ରୁଚି ଅନୁସାରେ ବିଷୟ ବାଛିନେଇ ଅଧ୍ୟୟନ କରିଥାନ୍ତି । ଗୋଟିଏ ଗୋଟିଏ ବିଷୟରେ ଦୁଇମାସ ବା ତିନି ମାସର ପାଠ୍ୟକ୍ରମ ରଖାଯାଇଥାଏ । ଏ ଉଦ୍ୟମ କାଳକ୍ରମେ ଖୁବ ଲୋକପ୍ରିୟ ହେଲା ଓ ଏବେ ଏଭଳି ଶହ ଶହ ଜନତା ଉଚ୍ଚ ବିଦ୍ୟାଳୟ ଏ ଦେଶରେ ରହିଛି ।

 

ଏଲ୍‌ସିନୋର ହେଲା ସେକସପୀୟରଙ୍କର ବିଖ୍ୟାତ ନାଟକର ମୁଖ୍ୟପାତ୍ର ରାଜପୁତ୍ର ହ୍ୟାମଲେଟ୍‌ଙ୍କ ଜନ୍ମସ୍ଥାନ ଏଠି ସେହି ଅମଳର ହ୍ୟାମଲେଟଙ୍କ ବଂଶର ରାଜପ୍ରାସାଦ ଓ ଦୁର୍ଗ ମଧ୍ୟ ଅଛି । ଅବଶ୍ୟ ଏସବୁ କେବଳ ଦୂରରୁ ଦେଖିବାର ହିଁ ସମୟ ସେଠି ମିଳିଥିଲା । ଏଠାର ଜନତା ଉଚ୍ଚ ବିଦ୍ୟାଳୟଟି ଦେଶ ବିଦେଶର ଛାତ୍ରଙ୍କ ପାଇଁ ଖୋଲା ଓ ସେଥିପାଇଁ ଏହା ଆନ୍ତର୍ରାଷ୍ଟ୍ରୀୟ । ଏଠାର ଶିକ୍ଷାର ମାଧ୍ୟମ ଇଂରେଜୀ । ଷୋଳ ଏକର ଜମିର ହତା ଭିତରେ ବିଦ୍ୟାଳୟଟି ରହିଛି । ବେଶ୍ ଚମତ୍କାର ପ୍ରାକୃତିକ ପରିବେଶ । ବିଦ୍ୟାଳୟ ଗୃହ ପୁସ୍ତକାଗାର, ସଭାକକ୍ଷ, ଛାତ୍ରାବାସ, ଶିକ୍ଷକମାନଙ୍କର ବାସଗୃହ ଆଦି ସବୁ ରହିଛି ପୁସ୍ତକାଗାରରେ ବହିର ସଞ୍ଚୟ ଖୁବ୍ ବିସ୍ତୀର୍ଣ୍ଣ ଓ ଡେନିଶ୍ ଛଡ଼ା ଇଂରେଜୀ ଓ ଅନ୍ୟାନ୍ୟ ଭାଷାରେ ମଧ୍ୟ ପ୍ରଚୁର ବହି ରହିଥିବାର ଦେଖିଲି ।

 

ସେ ସମୟରେ ସେଠାରେ ମୋଟ କୋଡ଼ିଏଟି ଦେଶରୁ ତେୟାଅଶି ଜଣ ଛାତ୍ରଛାତ୍ରୀ ଥିଲେ । ପ୍ରଧାନତଃ ଥିଲେ ୟୁରୋପର ବିଭିନ୍ନ ଦେଶରୁ, ମାତ୍ର ଆଫ୍ରିକାର ଦେଶମାନଙ୍କରୁ କେତେଜଣ ଥିଲେ ଓ ଭାରତରୁ ଥିଲେ ଦୁଇଜଣ । ଉତ୍ତର ପ୍ରଦେଶରୁ ଶ୍ରୀ ଶର୍ମା ଓ ମହୀଶୂରରୁ ଶ୍ରୀ ବେଙ୍କଟସ୍ଵାମୀ ଶେଟ୍ଟୀ । ଏମାନେ ସେଠାରେ ଉନ୍ନତ କୃଷି ପ୍ରଣାଳୀ ଓ ଗୋପାଳନ ଶିଖିବାକୁ ଯାଇଛନ୍ତି । ଏ ବିଦ୍ୟାଳୟରେ କେତେ ମାସ ରହିବା ଛଡ଼ା ବିଭିନ୍ନ କୃଷି ଓ ଗୋପାଳନ କେନ୍ଦ୍ରରେ ମଧ୍ୟ କିଛି କିଛି ସମୟ ରହିବେ । ଏଠାରେ ଛଅ ଜଣ ସ୍ଥାୟୀ ଶିକ୍ଷକ ଥାଆନ୍ତି । ଅନ୍ୟ କେତେକ ଦରକାର ଅନୁସାରେ ଅସ୍ଥାୟୀ ଭାବରେ ନିଆଯାଇଥାନ୍ତି ।

 

ଏଇଠି ଦେଖିଲି ପନିପରିବା ଉପୁଜାଇବା ପାଇଁ କାଚ ଘର । ଅଧା ଗୋଲ ଆକୃତିର କାଚର ଛାତ । ଏହା ଭିତରଟା ଉଷୁମ ରହେ ଓ ଶୀତ ଥାଉଁ ଥାଉଁ ଆଗତୁରା ଖରାଦିନିଆ ଫସଲ ପାଇଁ ତଳି ପକାଯାଏ, ଫସଲ ମଧ୍ୟ ଉତ୍ପନ୍ନ କରାଯାଏ । ମନେ ରଖିବା ଚାହି ଯେ ଆଳୁ, କୋବି, ମଟର, ସୀମ, ଟମାଟୋ ଆଦି ଆମର ଶୀତଦିନିଆ ପନିପରିବାଗୁଡ଼ାକ ଏଣେ ଖରାଦିନିଆ ।

 

ଏଠି ଗୋଟିଏ ସଭା ହେଲା । ସର୍ବୋଦୟ ଆନ୍ଦୋଳନ ଓ ଖାସ୍ କରି ଅହିଂସାର ପ୍ରକ୍ରିୟା ବିଷୟରେ ମୁଁ କହିଲି । ଅନ୍ୟ ଦେଶରୁ ବିଶେଷ କରି ଆଫ୍ରିକାରୁ ଆସିଥିବା କେତେକ ଛାତ୍ରଛାତ୍ରୀ ସତ୍ୟାଗ୍ରହ ବିଷୟରେ ଖୁବ୍ ଆଗ୍ରହର ସହିତ ବାରମ୍ଵାର ପ୍ରଶ୍ନ ପଚାରିଥିଲେ ।

 

ଏଠୁ ରେଲଷ୍ଟେସନକୁ ଫେରିବା ବେଳେ ବେଂକଟସ୍ଵାମୀଙ୍କ ସାଙ୍ଗରେ ଚାଲି ଚାଲି ଗଲି । ସମୁଦ୍ରକୂଳ ଦେଇ ରାସ୍ତା । ସମୁଦ୍ର ସେପାରିରେ ସ୍ଵୀଡ଼େନ୍‌ର ଉପକୂଳ ଦେଖା ଯାଉଥାଏ । ତିନି ଚାରି ମାଇଲ ଦୂର ହେବ । ଏଠୁ ବରାବର ସେପାରିକୁ ଷ୍ଟୀମର ଚାଲେ । ଦୁଇ ଦେଶ ଭିତରେ ଯିବା ଆସିବାରେ କିଛି ଖାସ କଟକଣା ନାହିଁ । ଭିସା ଲାଗେ ନାହିଁ । ସବୁବେଳେ ଲୋକ ଚଳାଚଳ ଲାଗିଛି । ଯେଉଁ ଗାଡ଼ିରେ ମୁଁ କୋପେନହେଗେନ୍ ଫେରିଲି ସେଇଟି ମଧ୍ୟ ବୋଟ୍ ସ୍ପେଶାଲ । ସେପାରିରୁ ଆସୁଥିବା ଯାତ୍ରୀରେ ଭରା ।

 

ସେ’ଦିନ ସନ୍ଧ୍ୟାରେ କୋପେନହୋଗେନରେ ଦୁଇଟି ସଭା ହେଲା । ଗୋଟିଏ ଆୟୋଜିତ ହୋଇଥିଲା ସେଠା ବିଶ୍ଵ ଯୁବକ କେନ୍ଦ୍ରରେ । ଆମ ଦୂତାବାସର ଉଦ୍ୟମରେ ଏଇଟି ଆୟୋଜିତ ହୋଇଥିଲା । ବିଶ୍ଵ ଯୁବକ କେନ୍ଦ୍ରଟି ବିଭିନ୍ନ ଦେଶର ଛାତ୍ରମାନଙ୍କ ପାଇଁ ଏକ ମିଳନର ସ୍ଥାନ । ଏଠି ପୁସ୍ତକାଗାର, ପାଠାଗାର, ସଭାଗୃହ ଆଦି ଅଛି । ଏକ ରେସ୍ତୋରାଁ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ସୁବିଧା ଅଛି । ବିଭିନ୍ନ ଦେଶର ପତ୍ରପତ୍ରିକା ବି ଆସେ । ଏଠାରେ ଥିବା ବିଦେଶୀ ଛାତ୍ରମାନେ ଏଠି ଆସି ଆଡ଼୍ଡ଼ା ଦେବାକୁ ପସନ୍ଦ କରନ୍ତି । ଏଠା ସଭାରେ ବିଭିନ୍ନ ଦେଶର ପନ୍ଦର ଜଣ ଖଣ୍ତେ ଛାତ୍ରଛାତ୍ରୀ ଓ ଅନ୍ୟ କେତେ ଜଣ ବୟସ୍କ ବ୍ୟକ୍ତି ଉପସ୍ଥିତ ଥିଲେ । ମିଶର୍‌ର ଜଣେ ଭଦ୍ର ବ୍ୟକ୍ତି ଅହିଂସାର କାର୍ଯ୍ୟକାରିତା ସମ୍ଵନ୍ଧରେ ଖୁବ୍ ପ୍ରଶ୍ନ କଲେ । ସେଇ ଚିରନ୍ତନ ପ୍ରଶ୍ନ–ଅହିଂସା ତ ଭଲ, ମାତ୍ର ଯେତେବେଳେ ଅନ୍ୟ ପକ୍ଷରୁ ହିଂସାର ଆକ୍ରମଣ ହେବ ହିଂସାର ପ୍ରତିଶୋଧ ହିଂସାରେ କରିବା ଛଡ଼ା ଉପାୟ କ’ଣ ? ଅହିଂସା ଯେ ନିଷ୍କ୍ରିୟ ଅବସ୍ଥା ନୁହେଁ ମାତ୍ର ଏକ ସକ୍ରିୟ ଶକ୍ତି ଏହା ମୁଁ ବୁଝାଇବାର ଯଥାସାଧ୍ୟ ଚେଷ୍ଟା କଲି । ତାଙ୍କର ମନଃପୂତ ହେଲା ନାହିଁ ନିଶ୍ଚୟ । ଆଲୋଚନା ବି ଆଉ ବେଶୀ ଲମ୍ବେଇ ହେଲା ନାହିଁ । ଏ ସଭା ସାରି ଅନ୍ୟ ସଭାଟିକୁ ଯିବାକୁ ହେଲା ।

 

ଅନ୍ୟଟି ଆୟୋଜିତ ହୋଇଥିଲା । ବିଶ୍ଵଯୁଦ୍ଧ ବିରୋଧୀ ସଂଘର ସ୍ଥାନୀୟ ଶାଖା ପକ୍ଷରୁ-। ଏ ସଭାରେ ବି ବେଶୀ ଲୋକ ନ ଥିଲେ, ମାତ୍ର ଚାଲିଲା ରାତି ବାରଟା ପାଖାପାଖି ଯାଏ-। ଖୁବ୍ ତନ୍ନ ତନ୍ନ ପ୍ରଶ୍ନ ଉତ୍ତର ଆଲୋଚନା ଚାଲିଲା ଗ୍ରାମଦାନ ଓ ଶାନ୍ତିସେନା କାମର । ସର୍ବୋଦୟ ଦର୍ଶନର ବିବିଧ ବିଭାବ ନେଇ ।

 

କୋପେନହାଗେନରେ ଅଧିକାଂଶ ବୁଲାବୁଲି ହେଲା ହେଲିୟେ ମଟର ସାଇକେଲ୍ ପଛରେ ବସି । ଚବିଶ ପଚିଶ ବର୍ଷର ଭେଣ୍ତିଆ ଟୋକା । ମୁଣ୍ତରେ ଝାମ୍ପୁରା ବାଳରେ ଗୋଟାଏ ରୁମାଲ ବାନ୍ଧିଥାଏ । ନିଶ ଓ ଦାଢ଼ୀ ପ୍ରାଚୀନ ଯୁଗର ଜଳଦସ୍ୟୁଙ୍କ ପରି, ସେଥିପାଇଁ ମୁଁ ତା’ର ନାଁ ଦେଇଥିଲି ଭାଇକିଂ । ସେ ଯେମିତି ଜୋରରେ ମଟର ସାଇକେଲ ଚଳଉଥାଏ ସେଥିରେ ପଛରେ ବସି ଆଖିବୁଜି ରାମନାଥ ଜପିବା ଛଡ଼ା ଆଉ ଉପାୟ ନ ଥାଏ । କିନ୍ତୁ ସ୍ଵଭାବଟା ଚେହେରା ପରି ନୁହେଁ । ଖୁବ୍ ନମ୍ର ଓ ସେବାଭାବୀ । ତା’ର ସ୍ତ୍ରୀ ଏଲେନ୍ ମଧ୍ୟ ସେହିପରି ।

 

ହେଲିୟେ ଏଠି ମତେ ନେଇ ଏଠାର ଗୋଟିଏ ଅଭିନବ ପ୍ରଚେଷ୍ଟା ଦେଖାଇଲା । ତାହା ହେଉଛି ଏକ—କ’ଣ କୁହାଯିବ ? —ସଂସ୍ଥା ସଂଘ ଭବନ (?) । ଏ ଦେଶର ଛାତ୍ର ଓ ଯୁବକମାନଙ୍କର ବିବିଧ ସାର୍ବଜନୀନ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବା ଦୃଷ୍ଟିରୁ ଏଠାର ସରକାରଙ୍କର ଆର୍ଥିକ ସାହାଯ୍ୟ ନେଇ ଏକ ମସ୍ତବଡ଼ ଭବନ ତିଆରି କରାଯାଉଛି । ଏଥିରେ ଏଠାର ସବୁ ସାନ ବଡ଼ ଯୁବସଂସ୍ଥାମାନଙ୍କର ଅଫିସ ରହିଛି ଓ ରହିବ । ଏମାନଙ୍କୁ ଏଥିରେ ଅଫିସ ପାଇଁ ମାଗଣାରେ ଘର ମିଳିଛି । ଭବନର ପରିଚାଳନା ସଂସ୍ଥାମାନଙ୍କର ପ୍ରତିନିଧିଙ୍କ ହାତରେ ରହିଛି । ମୁଁ ଯିବାବେଳେ ତେଇଶ ଚବିଶଟି ସଂସ୍ଥାର ନାମ ସେଠାର ନାମ ଫଳକରେ ରହିଥିବାର ଦେଖିଲି । କେତେକ ଶାନ୍ତିବାଦୀ ଉପକରଣ ଓ ବ୍ୟବସ୍ଥାର ସୁବିଧା ସମସ୍ତେ ବାଂଟିକୁଂଟି ବ୍ୟବହାର କରିବାର ବନ୍ଦୋବସ୍ତ ରହିଛି ଯାହା ଫଳରେ କୌଣସି ସଂସ୍ଥାକୁ ଏ ସବୁ ପାଇଁ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଗୋଟାଏ ପ୍ରେସ୍ ମଧ୍ୟ ଏଠାରେ ରଖାଯାଉଛି । ସେଥିରେ ସମସ୍ତେ ନିଜ ନିଜର ପ୍ରଚାରପତ୍ର, ପତ୍ରିକା ଆଦି ଶସ୍ତାରେ ଓ ସହଜରେ ଛପେଇ ନେଇ ପାରିବେ । ଅଫିସ ଘର ଛଡ଼ା ସଭାସମିତି କରିବା ପାଇଁ ବଡ଼ ହଲ ତିଆରି ଚାଲିଥିଲା । ଏ ଭବନର କେତେକ ଅଂଶ ନୂଆ, ଆଉ କେତେକ ଅଂଶ ଗୋଟାଏ ପୁରୁଣା କୋଠାରେ, ବୋଧହୁଏ ଅଫିସ୍ ଘର ବା ଗୋଦାମ ଘର ହେବ । ଯାହାକୁ ନେଇ ଏସବୁ କାମ ପାଇଁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କରାଯାଉଥିଲା । ଏହା ନିଃସନ୍ଦେହରେ ଏକ ଅଭିନବ ଉଦ୍ୟମ ଓ ଏଠା ସରକାରର ପ୍ରଗତିଶୀଳ ମନୋଭାବର ପରିଚୟ ଦିଏ ।

 

ଏଠି ମୁଏନକୋଙ୍କ ବିଦ୍ୟାଳୟ ଦେଖିବା ପାଇଁ ମଧ୍ୟ ତାଙ୍କ ସାଙ୍ଗରେ ଗଲି । ଉଭୟେ ଭିନ୍ନ ଭିନ୍ନ ବିଦ୍ୟାଳୟରେ କାମ କରନ୍ତି । ଘରଠୁଁ ସାତଆଠ ମାଇଲ ଦୂର । ଏଇଟି ନର୍ମାଲ ସ୍କୁଲ ମାନେ ନିମ୍ନ ମାଧ୍ୟମିକ ସ୍ତରର । ନଅଶହ ପିଲା । ପଚାଶ ସରିକି ଶିକ୍ଷକ । ଗୋଟିଏ ଗୋଟିଏ ଶ୍ରେଣୀରେ ଛାତ୍ର ଛାତ୍ରୀ ସଂଖ୍ୟା କୋଡ଼ିଏରୁ ପଚିଶ ଭିତରେ । ସେଥିରୁ ଅଧିକ ନୁହେଁ । ସ୍କୁଲର ଘରବାଡ଼ି, ଉପକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ତୁଳନା ଆମ ଦେଶରେ କାହୁଁ ମିଳିବ ? ଦୋତାଲା ଘର । କ୍ଳାସଘର ମାନଙ୍କରେ ଅନ୍ୟାନ୍ୟ ଉପକରଣ ଛଡ଼ା ମ୍ୟାପ୍, ଚିତ୍ର, ମଡ଼େଲ୍ ଆଦି ପ୍ରଚୁର ରହିଛି । ଏହା ଛଡ଼ା ହାତକାମ ପାଇଁ ସ୍ଵତନ୍ତ୍ର ଘର ଓ ନାନା ପ୍ରକାର ସରଞ୍ଜାମ ରହିଛି–ମାଟିରେ ମୂର୍ତ୍ତି ଗଢ଼ିବା, ଛବି ଆଙ୍କିବାଠାରୁ ଆରମ୍ଭ କରି କାଠକାମର ଯନ୍ତ୍ରପାତି ପର୍ଯ୍ୟନ୍ତ । ବିଜ୍ଞାନ ଲାବରଟରୀରେ ଯେତେ ସରଞ୍ଜାମ ସେତେ ଆମର ଅଧିକାଂଶ କଲେଜରେ ନାହିଁ । ଫଟୋ ଉଠାଳୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଡାର୍କରୁମ୍ । ସେଠି ବି ସବୁ ପ୍ରକାରର ଆଧୁନିକ ସରଞ୍ଜାମ ଖଞ୍ଜା ହେଇଛି । ପିଲାଏ ଅବାଧରେ ସେସବୁ ବ୍ୟବହାର କରନ୍ତି । ସେମାନଙ୍କ ଦ୍ଵାରା ଉଠାହେଇଥିବା ଫଟୋର ନମୁନା ଦେଖିଲି । ପେଶାଦାର ଫଟୋ ଉଠାଳୀଙ୍କ କାନ କାଟି ନେବେ ।

 

ଏ ବିଦ୍ୟାଳୟ ସହିତ ଏକ ଶିଶୁମଙ୍ଗଳ କେନ୍ଦ୍ର ଓ ଏକ ଦାନ୍ତ ଚିକିତ୍ସା କେନ୍ଦ୍ର ରହିଛି । ଶିଶୁମାନଙ୍କର ଶାରୀରିକ ଅସୁସ୍ଥତା ବା ମାନସିକ ସମସ୍ୟା ନେଇ ଚିକିତ୍ସା ଓ ପରାମର୍ଶ ପାଇଁ ମା’ ମାନେ ଏଠିକି ଆସନ୍ତି । ଦାନ୍ତ ଚିକିତ୍ସା କେନ୍ଦ୍ରରେ ଜଣେ ମହିଳା ଡାକ୍ତର, ଜଣେ ସହକାରୀ ଓ ଜଣେ ନର୍ସ ଥାନ୍ତି । ସରଞ୍ଜାମ ଯେତେ ଅଛି ସେତେ ଆମ ଶ୍ରୀରାମଚନ୍ଦ୍ର ମେଡ଼ିକାଲ କଲେଜରେ ହିଁ କେବଳ ଥିବ । ପ୍ରତି ପିଲାର ଦାନ୍ତ ବର୍ଷରେ ଦୁଇଥର ପରୀକ୍ଷା କରାଯାଇ ଏଠାରେ ଆବଶ୍ୟକ ଚିକିତ୍ସା କରାଯାଏ ।

 

ମୁଏନକୋଙ୍କଠାରୁ ବୁଝିଲି ଯେ ଏଇଟା କିଛି ଗୋଟାଏ ବିଶେଷ ବିଦ୍ୟାଳୟ ନୁହେଁ । ସବୁ ବିଦ୍ୟାଳୟର ସାଜସରଞ୍ଜାମ ଓ ବ୍ୟବସ୍ଥାର ସ୍ତର ଏହି ପ୍ରକାରର । ବରଂ କୋପେନହାଗେନ୍ ସହରରେ ଥିବା ପୁରୁଣା ବିଦ୍ୟାଳୟ ଗୁଡ଼ିକରେ ହିଁ ସାଜ ସରଞ୍ଜାମ ଅପେକ୍ଷାକୃତ କମ୍ । ସ୍ଥାନର ମଧ୍ୟ ଟିକେ ଅଭାବ । ନୂଆ ନୂଆ ଖୋଲୁଥିବା ମଫସଲର ବିଦ୍ୟାଳୟମାନଙ୍କର ବ୍ୟବସ୍ଥା ସବୁଠାରୁ ଭଲ । ଏ ବିଦ୍ୟୟଳୟଟି ପନ୍ଦରବର୍ଷ ତଳେ ଖୋଲା ହେଇଥିଲା । ଏ ସହରରେ ଏହିଭଳି ନଅଟି ଅଛି । ଆଉ ମଧ୍ୟ ଖୋଲିବାର ଅଛି । ସହରଟି ଛୋଟ । ଲୋକ ସଂଖ୍ୟା ପଚାଶ ଷାଠିଏ ହଜାର ହେବ । ସ୍ଥାନୀୟ ମୁନିସପାଲିଟି ବିଦ୍ୟାଳୟଗୁଡ଼ିକର ପରିଚାଳନା କରିଥାଏ । ସରକାର ଶତକଡ଼ା ସତୁରୀ-ଅଶି ଭାଗ ଖର୍ଚ୍ଚ ଦିଏ ।

 

ବିଦ୍ୟାଳୟର ପଛୁଆ, ବ୍ୟାହତ ବୁଦ୍ଧି ପିଲାଙ୍କ ପାଇଁ ସ୍ଵତନ୍ତ୍ର ଶ୍ରେଣୀର ବ୍ୟବସ୍ଥା ଅଛି । ମୁଏନକୋ ସେଇ ଶ୍ରେଣୀର ଦାୟିତ୍ଵ ମଧ୍ୟ ତୁଲାଇଥାନ୍ତି । ବାର ଚଉଦ ବର୍ଷର ସାତୋଟି ପିଲା ଏ ଶ୍ରେଣୀରେ ଥାନ୍ତି ଆମେ ସେଠି ପହଞ୍ଚି କ୍ଳାସଘରେ ପଶିବାକୁ ଗଲା ବେଳକୁ ଗୋଟିଏ ସାନ ଝିଅ ଆସି ତରତର କରି କବାଟ ବନ୍ଦ କରିଦେଇ ଆମକୁ ବାଟ ଓଗାଳିଲା । କହିଲା ଆମେ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଦେବା ପାଇଁ ଏକ ଗୁପ୍ତ ଆୟୋଜନ କରୁଛୁ । ଏହିକ୍ଷଣି ଆପଣ ଭିତରକୁ ଯାଇ ପାରିବେ ନାହିଁ । ଆମେ ବାହାରେ ଅପେକ୍ଷା କରି ରହିଲୁ । ଦଶ ମିନିଟ ଖଣ୍ତେ ପରେ ଦୁଆର ଖୋଲିଲା ଓ ଆମକୁ ଭିତରକୁ ସ୍ଵାଗତ କରାହେଲା । ଦେଖିଲୁ ଯେ ଚା’ର ଆୟୋଜନ କରା ହୋଇଛି । ଚା ସାଙ୍ଗକୁ ବିସ୍କୁଟ୍, କେକ୍ ଆଦି ମଧ୍ୟ ରହିଛି । ମୁଁ ଚା’ ପିଏ ନାହିଁ ଜାଣି ଗୋଟିଏ ପିଲା ଦୌଡ଼ିଯାଇ କୋଉଠୁ ଦୁଧ ଯୋଗାଡ଼ କରି ନେଇ ଆସିଲା । ଚା’ ପିଉ ପିଉ ଶିକ୍ଷକ ଓ ଛାତ୍ରଙ୍କ ଭିତରେ ବେଶ୍ ଖୁସି ଗପ ଓ ପାଠ ବିଷୟରେ, ଆସନ୍ତା ପରୀକ୍ଷାର ଆୟୋଜନ ବିଷୟରେ, କଥାବାର୍ତ୍ତା ଚାଲିଲା । ଆଉ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଥାନ୍ତି ।

 

ମୁଁ ଲକ୍ଷ୍ୟ କଲି ଯେ ଏଠି ଛାତ୍ର ଓ ଶିକ୍ଷକ ଭିତରେ ସଂପର୍କ ସଂପୂର୍ଣ୍ଣ ସହଜ । କୌଣସି ପ୍ରକାର ଭୟ ଓ ଆଡ଼ଷ୍ଟତା ନାହିଁ । ବେଶ ହସି ହସି ସହଜ ଭାବରେ କଥାବାର୍ତ୍ତା ଥଟ୍ଟା ଟାପରା ହେଉଛନ୍ତି । ଶିକ୍ଷକଙ୍କର ବି କୃତ୍ରିମ ଆତ୍ମମ୍ଭରିତା ଓ କର୍ତ୍ତୃତ୍ଵ ଜାହିର କରିବାର ଭାବ ନାହିଁ । ଆମ ଦେଶରେ ତ ଗୁରୁଭକ୍ତି ନାଁରେ ଛାତ୍ରଙ୍କୁ ନ୍ୟୁନତା ହିଁ ଶିଖାଯାଏ ଏବଂ ତାରି ପ୍ରତିକ୍ରିୟା ହେଉଛି ଆଜିକାଲି ଦେଖା ଦେଉଥିବା ଚରମ ଅବଜ୍ଞା ଓ ଔଦ୍ଧତ୍ୟ ।

 

ବିଦ୍ୟାଳୟର ଅଫିସ ଘରକୁ ଗଲୁ ଓ ପ୍ରଧାନ ଶିକ୍ଷକଙ୍କ ସହିତ ସାଧ୍ୟ ସାକ୍ଷାତ କଲୁ । ଆମେ ପ୍ରଧାନ ଶିକ୍ଷକଙ୍କ ଘରେ ଥିବା ସମୟ ଭିତରେ ଦୁଇ ତିନିଜଣ ଛାତ୍ର ଛାତ୍ରୀ ସେଠାକୁ ଆସିଲେ, ପ୍ରଧାନ ଶିକ୍ଷକଙ୍କୁ କଣ ସବୁ ପ୍ରଶ୍ନ ପଚାରିଲେ ଓ କଥାଭାଷା ସାରି ଚାଲିଗଲେ । ସମସ୍ତ ଅତି ସହଜ ଭାବରେ, ସହୃଦୟତାର ବାତାବରଣ ଭିତରେ ।

 

ମୁଁ ବିଚାରୁଥାଏ ଯେ ଭାରତରେ ଆମର ଏତେ ସଂବଳ ନାହିଁ ଯେ ଏଭଳି ଭଲ ଭଲ ଘର ଓ ଉପକରଣ ଏତେ ପ୍ରାଚୂର୍ଯ୍ୟ ସୃଷ୍ଟି କରିପାରିବା । ମାତ୍ର ଶସ୍ତାରେ ମଧ୍ୟ କିପରି ଏ ଦେଶର ସର୍ବସାଧାରଣ ପିଲାଙ୍କର ମାନସିକ ଓ ସାଂସ୍କୃତିକ ଜଗତକୁ ସମୃଦ୍ଧ କରିବା ପାଇଁ ବିଦ୍ୟାଳୟ ମାନଙ୍କର କିଭଳି ଅଳ୍ପ ଖର୍ଚ୍ଚରେ ଆୟୋଜନ କରାଯାଇ ପାରେ ତା’ର ଉଦାହରଣ ମୌଳିକ ଶିକ୍ଷା ଉପସ୍ଥାପିତ କରିଥିଲା । ଏବଂ ଦେଖେଇ ଦେଇଥିଲା ଶିକ୍ଷକ ଓ ଛାତ୍ର ମଧ୍ୟରେ ଏକ ନୂଆ ଭାବଗତ ସମ୍ପର୍କ, ସାମନ୍ତବାଦର ବିଷାକ୍ତ ପରମ୍ପରାରୁ ମୁକ୍ତ । ମାତ୍ର ସାରାଜୀବନ ସରକାରୀ ଦପ୍ତରରେ ହରଡ଼ଘଣା ପେଲିବା ପରେ ଚାକିରୀର ଶେଷ ପର୍ଯ୍ୟାୟରେ ଓ ଜୀବନର ଖରା ନଇଁ ଆସିବାବେଳକୁ ଯେଉଁ ଜରଦ୍‌ଗବମାନେ ଆମ ଦେଶର ଶିକ୍ଷା ବ୍ୟବସ୍ଥାର କର୍ଣ୍ଣଧାର ହୁଅନ୍ତି ସେମାନଙ୍କର ଆଖିକାନ ନୂଆ କଥା ଦେଖିବାକୁ ଖୋଲା ନ ଥାଏ କି ମସ୍ତିଷ୍କରେ ନୂଆ ଚିନ୍ତା କରିବାର ଶକ୍ତି ଅବଶିଷ୍ଟ ନ ଥାଏ । ସେଥିପାଇଁ ଯାହା ଗତାନୁଗତିକ ଚାଲି ଆସିଛି ତାକୁ ହିଁ ଟିକିଏ ଜୋଡ଼ାତାଳି ଦେଇ ଚାଲୁ ରଖିବାଟାକୁ ସେମାନେ ନିରାପଦ ଓ ଶ୍ରମଲାଘବକର ମଣିଥାନ୍ତି । ତାହା ନ ହେଲେ ଏ ଦେଶରେ ଉତ୍କୃଷ୍ଟ ମୌଳିକ ବିଦ୍ୟାଳୟର ବହୁତ ନମୁନା ରହିଛି, ଶିକ୍ଷାରେ ନୂତନ ପ୍ରୟୋଗର ଅନ୍ୟବିଧ ଭଲ ନମୁନା ମଧ ବେଶ କିଛି ଅଛି, ମାତ୍ର ଶିକ୍ଷା କର୍ତ୍ତୃପକ୍ଷଙ୍କର ସଦାସର୍ବଦା ଚେଷ୍ଟା ହେଲା ଏ ସବୁର ବିଶେଷତ୍ଵକୁ ମାଡ଼ିମକଚି ଲୋପ କରି ସବୁଯାକକୁ ନେଇ ସେଇ ପୁରୁଣା ଛାଞ୍ଚ ଭିତରେ ଖୁନ୍ଦିବା ।

 

ଆଉ ଯେ କେନ୍ଦ୍ରରେ ବା ରାଜ୍ୟମାନଙ୍କରେ ଶିକ୍ଷାମନ୍ତ୍ରୀ ହୁଅନ୍ତି ସେମାନଙ୍କ କଥା ତ ଛାଡ଼-। ଏମାନଙ୍କର ଉତ୍କୃଷ୍ଟ ନମୁନା ହେଲେ ଶ୍ରୀ ଛାଗଲା । ଯେ ସାରାଜୀବନ ଆଇନ୍‌କାନୁନ୍‌ର ଗଳିକନ୍ଦିର ଧୂଳି ଘାଣ୍ଟିବା ପରେ ହଠାତ୍ ଦିନେ ଭାରତର ଶିକ୍ଷା ମନ୍ତ୍ରୀ ହେଇ ଗଲେ ଓ ମନ୍ତ୍ରୀତ୍ଵ କରିବାର ଦୁଇ ବର୍ଷ ଖଣ୍ତେ ପରେ ପରେ ରୁଷିଆ ବୁଲିଯାଇ ଅକସ୍ମାତ ଆବିଷ୍କାର କଲେ ଯେ ଏ ଦୁନିଆରେ ନୂଆ ଧରଣର ଶିକ୍ଷା ବୋଲି ବି କିଛି ବସ୍ତୁ ଅଛି ।

 

ଥାଉ ସେ କଥା ।

Image

 

ପନ୍ଦର

ଡେନମାର୍କର ଗାଁ ଓ ଚାଷ

 

ଡେନମାର୍କ କୃଷି ପ୍ରଧାନ ଦେଶ । ଏଠୁ ସାରା ୟୁରୋପକୁ ଦୁଧ, ମଖନ, ମାଂସ ରପ୍ତାନି ହୋଇଥାଏ । ଏ ଦେଶରେ ସମବାୟ ସଂଗଠିତ ମଧ୍ୟ ଖୁବ୍ ଆଗୁଆ । ଏଠାର ଗାଁ ଓ ଚାଷ ଦେଖିବା ପାଇଁ ମୁଁ ଇଚ୍ଛା ପ୍ରକାଶ କରିଥିଲି । ତେଣୁ ଶ୍ରୀ ମୁଏନକୋ ମତେ ତାଙ୍କ ଗାଡ଼ିରେ ଚଉରାଅଶି କିଲୋମିଟର ଦୂର ଏକ ଗାଁରେ ତାଙ୍କର ଏକ ଦୂର ସମ୍ପର୍କୀୟ ଭାଇଙ୍କର କୃଷିକ୍ଷେତ୍ରକୁ ନେଇଗଲେ । ପଲ୍ଲୀ ଅଞ୍ଚଳ ଦେଇ ଅଳ୍ପ ଉଠାଣି ଗଡ଼ାଣି ଏକ୍‍ସପ୍ରେସ୍ ରାସ୍ତା ଦେଇ ଗାଡ଼ି ଚାଲିଥାଏ । ଚାରିପାଖରେ ବିଲ, କେଉଁଠି ଫସଲ ଛିଡ଼ା ହେଇଛି । କେଉଁଠି ଫସଲ ଉଠିଯାଇ ଜମି ହଳ ହୋଇଛି । ମଝିରେ ମଝିରେ ବଗିଚା, ଛୋଟ ଛୋଟ ବଣ, ଛୋଟ ଛୋଟ ଗାଁର ଲାଲ ଟାଇଲ ଛାତ-। ଗାଁ ପାଖରେ ରୋମାନ ଯୁଗର ଚୌଖୁଣ୍ଟିଆ ଗୀର୍ଜା । ରୌଦ୍ରୋଜ୍ଜ୍ଵଳ ଦ୍ଵିପ୍ରହରେ ସବୁ ବେଶ୍ ସୁନ୍ଦର ଲାଗୁଥାଏ । ବିଶେଷ କରି କୌଣସି ମୁଣ୍ତିଆ ମଥା ଉପରୁ ଦୂରଦୂରାନ୍ତର ଦୃଶ୍ୟ । ବଡ଼ ରାସ୍ତା ଛାଡ଼ି ଅଳ୍ପ ଭିତରକୁ ଯିବା ପରେ ମୁଏନକୋଙ୍କ ଭାଇଙ୍କର ଘର ପଡ଼ିଲା । ସ୍ଵାମୀ ସ୍ତ୍ରୀ ଦୁଇଜଣ-। ପୁଅମାନେ ପାଠ ପଢ଼ି ଚାକିରୀ କରୁଛନ୍ତି । ଅଳ୍ପ କେତେ ଜଣ ମୂଲିଆଙ୍କ ସାହାଯ୍ୟରେ ଅଶି ଏକର ଜମି ଚାଷ କରନ୍ତି । ଦୁଧ, ଗୋରୁମାଂସ ଓ ଘୁଷିରୀ ମାଂସ ଉତ୍ପାଦନ ମୁଖ୍ୟ କାମ । ଜମିରେ ମୁଖ୍ୟତଃ ଗୋରୁ ଘୁଷୁରିମାନଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରନ୍ତି ଓ କିଛି ବାର୍ଲୀ, ସାନ ଫଳ ବଗିଚାଟିଏ ମଧ୍ୟ ଅଛି ।

 

ପଚାଶ ମୁଣ୍ତ ଦୁଧିଆଳୀ ଗାଈ ଓ ପଚାଶ ଖଣ୍ତେ ଘୁଷୁରୀ ଏହାଙ୍କର ଥାଏ । ଗାଈ ସବୁ ବିଲକୁ ଚରି ଯାଇଥାନ୍ତି । ଗୁହାଳ ଦେଖିଲୁ । ପକ୍କା ଘର । ଦୁଇ ପାଖରେ ଦୁଇ ଧାଡ଼ିରେ ଗାଈ ବାନ୍ଧିବା ବ୍ୟବସ୍ଥା । ଗାଈଙ୍କୁ ପିଇବା ପାଣି ଯୋଗାଇବାର ଏକ ଅଭିନବ ବ୍ୟବସ୍ଥା ଏଠି ଦେଖିଲି । ପ୍ରତ୍ୟେକ ଗାଈ ପାଇଁ ଗୋଟାଏ ସାନ କଂସା ଆକାରର ପାତ୍ର ରହିଛି ଓ ତା’ ଉପରେ ପାଣି ନଳ । ପାଣି ବାହାରିବା ପାଇଁ ନଳର ଚାବି ଠେଲିବାକୁ ହୁଏ, ଯେମିତି ଷ୍ଟେସନ୍‌ରେ ଥାଏ । ମାତ୍ର ଏସବୁ ଚାବି ବା ବୋତାମ ବଡ଼, ଚେପଟା ଓ ଗାଡ଼ୁଆ । ଗାଈ ଏହାକୁ ତା’ର ନାକ ଦ୍ଵାରା ଠେଲି ପାରିବା ପାଇଁ ଏହା ଏପରି ତିଆରି ହୋଇଛି । ଗାଈ ଏଭଳି ବୋତାମ ଠେଲି ପାଣି ପିଇବା ଶିଖିଯା’ନ୍ତି । ଏହା ଦ୍ଵାରା ତାଙ୍କୁ ସ୍ଵଚ୍ଛ ପାଣି ମିଳେ । ଶୀତଦିନେ କୁଣ୍ତରେ ପାଣି ଜମା ହୋଇ ବରଫ ମଧ୍ୟ ପାଲଟେ ନାହିଁ ।

 

ଆଉ ଦେଖିଲି ଯେ ପ୍ରତି ଗାଈର ବନ୍ଧା ହେବା ସ୍ଥାନରେ ଉପରୁ ତାରର କୋଟହ୍ୟାଙ୍ଗର ପରି ଗୋଟିଏ ଲେଖାଏଁ କ’ଣ ଝୁଲୁଛି । ପଚାରି ବୁଝିଲି ଯେ ଏହା ବୈଦ୍ୟୁତିକ ତାର । ଗାଈର କାନ୍ଧ ସିଧାରେ ରହିଛି । ଗାଈ ଯଦି ଆଗକୁ ବେଶୀ ଘୁଞ୍ଚିଯିବ ତେବେ ତାର କାନ୍ଧରେ ବାଜି ଶକ୍ ଲାଗିବ ଓ ସେ ପୁଣି ପଛକୁ ହଟି ଆସିବ । ଏ ବ୍ୟବସ୍ଥା ରହିଛି ଗାଈକୁ ଓ ଗୁହାଳକୁ ସଫା ରଖିବା ପାଇଁ । ଗାଈ ଠିକ୍ ଜାଗାରେ ଛିଡ଼ାହେଲେ ତା’ର ମଳମୂତ୍ର ପଛଆଡ଼େ ଥିବା ନାଳ ଭିତରେ ପଡ଼ିବ । ଗାଈର ଠିଆହେବା ଓ ଶୋଇବା ଜାଗାରେ ପଡ଼ିବ ନାହିଁ । ନଳାରେ ଥିବା ଗୋବରକୁ ଲମ୍ଵା ବେଣ୍ଟବାଲା ଝାଡ଼ୁରେ ଠେଲି ନେଇ ଶେଷ ମୁଣ୍ତରେ ଥିବା ଗାତରେ ତଳକୁ ପକାଇ ଦିଆଯାଏ । ତଳବାଟେ ବାହାରୁ ବାଟ ଅଛି ସେ ସବୁ ସଫାକରି ନେଇଯିବାକୁ ।

 

ପ୍ରତ୍ୟେକ ଗାଈ ପାଖରେ ଗୋଟିଏ କଳାପଟା ଝୁଲୁଥାଏ । ସେଥିରେ ସେ ଗାଈର ସମସ୍ତ ଟିକିନିଖି ବିବରଣ ଲେଖା ହୋଇଥାଏ । ତା’ର ମା’ ଓ ବାପାଙ୍କର ପରିଚୟ, ତା’ର ଜନ୍ମ ତାରିଖ, ପ୍ରଥମ କେବେ ଗାଭିଲି ହେଲା । ମୋଟରେ କେତେ ଛୁଆ, ଶେଷ ବାଛୁରୀ କେବେ ହେଲା, ଏହା ପୂର୍ବ ବିଆଣରେ ମୋଟ କେତେ ଦୁଧ ଦେଇଥିଲା, ଦୁଧରେ ଶତକଡ଼ା କେତେ ଭାଗ ଚର୍ବୀ ଅଂଶ ଇତ୍ୟାଦି ସବୁ ତଥ୍ୟ । ଏମାନେ ସବୁତକ ଦୁଧ ସମବାୟ ସମିତିକୁ ଦେଇଦିଅନ୍ତି । ସମିତି ପକ୍ଷରୁ ମଝିରେ ମଝିରେ ଲୋକ ଆସି ଗାଈମାନଙ୍କୁ ଯାଞ୍ଚ୍ କରନ୍ତି । ଏଠି ପ୍ରତି ଗାଈ ଦୈନିକ ପନ୍ଦରରୁ ପଚିଶ କିଲୋ ଦୁଧ ଦେଉଥିବାର ହିସାବରୁ ଦେଖିଲି । ସେ ସମୟରେ ମୋଟ ସାଢ଼େ ତିନି ଶହ କିଲୋ ଦୁଧ ଦୈନିକ ହେଉଥିଲା । ପାଇକାରୀରେ ସହକାରୀ ସମିତି କିଲୋ ପଞ୍ଚଷଠି ଓରେ (ପଞ୍ଚଷଠି ପଇସା ପ୍ରାୟ) ଦରରେ ଦୁଧ ନିଏ । ବଜାରରେ ଖୋଳରେ ପଶି ଏକ କ୍ରୋନର୍ କୋଡ଼ିଏ ଓରେ ଟଙ୍କାଏ କୋଡ଼ିଏ ପଇସା ପ୍ରାୟ ଦରରେ ବିକ୍ରୀ ହୁଏ ।

 

ଗାଈ ବିଦ୍ୟୁତ୍ ଯନ୍ତ୍ର ଦ୍ଵାରା ଦୁହାଁ ହୁଏ । ସବୁ ଦୁଧ ଏକାବେଳକେ ନଳ ଦ୍ଵାରା ଯାଇ କୁଣ୍ତ ଭଳି ବଡ଼ ପାତ୍ରରେ ଜମା ହୁଏ । ଖରାବେଳେ, ଗୁହାଳରେ ବନ୍ଧା ନ ହୋଇ ଗାଈମାନେ ବିଲରେ ଚରୁଥାନ୍ତି । ବଡ଼ ବଡ଼ ଲାଲ ଗାଈ ଡେନମାର୍କର ଖାସ୍ ଦୁଧିଆଳୀ ଜାତି ଏଠି ମଧ୍ୟ ବିଲ ଚାରିପଟେ ବୈଦ୍ୟୁତିକ ତାର ଘେରା ହୋଇଥାଏ । ଆମକୁ ଦେଖି ଗାଈ ସବୁ କୌତୁହଳୀ ହୋଇ ବାଡ଼ ପାଖକୁ ଆସି ଚାହୁଁ ଥାନ୍ତି । ଏମାନଙ୍କ ଆଖିରେ ବି ସେମିତି ବଣୁଆ ଭାବ । ଆମ ଗାଈଙ୍କ ପରି ସ୍ନିଗ୍ଧତା ନାହିଁ ।

 

ଏଇ କଥା ନେଇ ହେଲିୟେ ସାଙ୍ଗରେ ଥରେ ଆଲୋଚନା ହେଲା । ସେ ତା’ର ଭାରତର ଅଭିଜ୍ଞତାରୁ କହିଲା—“ମୁଁ ଦେଖିଛି ସେଠି ଭାରତରେ ଜନ୍ତୁଜୁନ୍ତା ଚଢ଼େଇ ଆଦି ମଣିଷକୁ ଆମ ଏଠିକା ଭଳି ଏତେ ଡରନ୍ତି ନାହିଁ । ବୋଧହୁଏ ତମ ଭାରତର ଲୋକଙ୍କର ଜନ୍ତୁଙ୍କ ପ୍ରତି ଅହିଂସା ମନୋଭାବର ଏଇଟା ପରିଣାମ । ସେଠାର ଗାଈ ଗୋରୁଙ୍କଠାରେ ବି ଗୋଟିଏ ବନ୍ଧୁତାର ଭାବ ଦେଖାଯାଏ । ଏଠାର ଗାଈଗୋରୁଗୁଡ଼ାକ କେମିତି ବୋକାବୋକା ଜଣାଯାନ୍ତି ।”

 

ହେଇଥିବ ବା । ମତେ ଲାଗିଲା ଯେ ଗାଈଙ୍କୁ ପାଳିବା ରୀତିରେ ଯେଉଁ ଫରକ ରହିଛି, ତାହାରି ଯୋଗୁଁ ସେମାନଙ୍କ ସ୍ଵଭାବରେ ଏ ପାର୍ଥକ୍ୟ ଉପୁଜିଛି । ଭାରତରେ ଗାଈ ପରିବାରର ଲୋକ ପରି ବ୍ୟବହାର ପାଏ । ଦାରିଦ୍ର୍ୟ ଯୋଗୁଁ ତାକୁ ଖାଇବାକୁ ଦେଇ ପାରନ୍ତି ନାହିଁ । ନାନା ଭାବରେ ତା’ପ୍ରତି ଦୁର୍ବ୍ୟବହାର କରାଯାଏ ସତ ମାତ୍ର ଏ ଦୁର୍ବ୍ୟବହାରରେ ବି ମଣିଷ ସହିତ ବରାବର ସେ ଘନିଷ୍ଠ ସମ୍ପର୍କରେ ଆସେ । ବାଛୁରୀଟିବେଳୁ ସେ ମଣିଷ ପିଲାଙ୍କ ମେଳରେ ମଣିଷ ହୁଏ ।

 

ଆଉ ସେ ଦେଶରେ ତ ଗାଈ ସହିତ ସବୁ କାରବାର ଯାନ୍ତ୍ରିକ, ନିର୍ବୈକ୍ତିକ, ମଣିଷର ହାତର ସ୍ଵର୍ଶ ବି ସେ କ୍ଵଚିତ୍ ପାଏ । ଇଲେକଟ୍ରିକ ତାରବାଡ଼, ‘ହ୍ୟାଙ୍ଗର’, ବୈଦ୍ୟୁତିକ ଦୁଧ ଦୁହାଁ ଯନ୍ତ୍ର, ଏମିତି ସବୁ କାରବାର । ଆମ ଦେଶରେ ବି ଆଧୁନିକ ଢଙ୍ଗରେ ଡେୟାରୀମାନ ହେଲାଣି । ସେଠି ବି ଗାଈ ସବୁ ଯାନ୍ତ୍ରିକ ଭାବରେ ପୋଷା ହେଉଥିବେ । ଦୁଇ ଚାରି ପିଢ଼ିରେ ଏହାର ପ୍ରଭାବ ଗାଈମାନଙ୍କର ଚରିତ୍ର ଉପରେ କି ପ୍ରକାରର ପଡ଼ୁଛି ତାହା କେହି ମନୋବୈଜ୍ଞାନିକ ଯାଞ୍ଚ୍ କରି ଦେଖିଲେ ଜଣାପଡ଼ନ୍ତା ।

 

ସନ୍ଧ୍ୟାରେ ଆମର ରାଷ୍ଟ୍ରଦୂତ ଶ୍ରୀ ଥଡ଼ାନୀଙ୍କ ଘରେ ଚା’ର ନିମନ୍ତ୍ରଣ ଥିଲା । ସେ ଗାଁରୁ କୋପେନହାଗେନ୍ ଉପକଣ୍ଠ ଯାଏ ଷାଠିଏ ମାଇଲ ତ ଘଣ୍ଟାକରେ ଆସିଗଲୁ । ବାକୀ ସହର ଭିତରେ ସନ୍ଧ୍ୟାର ଅଫିସ ଛୁଟି ଟ୍ରାଫିକ୍ ଭିତରେ ଦଶ ମାଇଲକୁ ଅଧଘଣ୍ଟାଏ ଲାଗିଗଲା । ତାଙ୍କ ଘର ସହର ଆର ମୁଣ୍ତରେ ଏକ ଉପନଗରୀ ହେଲେରୁପରେ । ଆମ ଦେଶରେ ‘ପୁର’ ପରି ଏଠି ‘ରୁପ୍’ର ଛଡ଼ାଛଡ଼ି । ଟାସଟ୍ରୁପ, ହେଲେରୂପ୍, ବୋଟରୂପ୍, କାସଟ୍ରୁପ୍… ।

 

ଏଠା ଦୂତାବାସ ମୋର ଡେନମାର୍କ ଭ୍ରମଣକୁ ଫଳପ୍ରଦ କରିବା ପାଇଁ ଅନେକ କିଛି କରିଥିଲେ । ସେଥିପାଇଁ ତାଙ୍କୁ ହୃଦୟର କୃତଜ୍ଞତା ଜଣାଇ ବିଦାୟ ନେଲୁ ।

Image

 

ଷୋଳ

ଲଣ୍ତନ

 

ଜୁନ ଅଠର ତାରିଖ । କେପେନହାଗେନରୁ ଲଣ୍ତନ । ବିମାନଘାଟିରେ ଲମ୍ଵା ଲମ୍ଵା ଗଳିବାଟରେ ବଣା ହୋଇ ଭୁଲ ଦିଗରେ ଚାଲିଯାଇ ଦୌଡ଼ି ଦୌଡ଼ି ଅଣନିଶ୍ଵାସୀ ହେଇ ଉଡ଼ାଜାହାଜ ଧରିଲି । ଲଣ୍ତନ ଦେଢ଼ଘଣ୍ଟାର ବାଟ । ଅଧବାଟରେ ହଲ୍ୟାଣ୍ତର ରାଜଧାନୀ ଆମଷ୍ଟର୍ଡ଼ାମ୍‌ର ଚମତ୍କାର ଦୃଶ୍ୟ ଦେଖାଗଲା । ଲଣ୍ତନ ଉଡ଼ାଜାହାଜ ଘାଟିରେ ପାସପୋର୍ଟ ଓ କଷ୍ଟମସ୍‌ର ଅର୍ଗଳି ପାରିହେବାକୁ ଯେତେ ସମୟ ଗଲା ଏପର୍ଯ୍ୟନ୍ତ ଆଉ କେଉଁଠି ହେଲେ ସେଭଳି ହୋଇ ନ ଥିଲା । ପ୍ରବେଶ ଅନୁମତି ଥିବା ସତ୍ଵେ ପାସପୋର୍ଟବାଲା ଗଣ୍ତା ଗଣ୍ତା ଆଜେବାଜେ ପ୍ରଶ୍ନ ପଚାରି ସମୟ ନଷ୍ଟ କଲା ଓ କଷ୍ଟମସ୍‌ର ଲୋକ ସବୁ ଜିନିଷପତ୍ର ତନ୍ନ ତନ୍ନ କରି ଖେଳେଇ ଦେଖିଲା ଅଧଘଣ୍ଟାଏ ଧରି ।

 

ଏହାର ଦୁଇ ରକମ ବ୍ୟାଖ୍ୟା କଲେ ସେଠାରେ ଥିବା ଦୁଇ ଭାରତୀୟ ବନ୍ଧୁ । ଜଣେ କହିଲେ ଯେ, ଏହାର କୌଣସି ବିଶେଷ ତାତ୍ପର୍ଯ୍ୟ ନାହିଁ । କଷ୍ଟମସ୍ ବାଲା ପ୍ରତି ଦୁଇ ଚାରି ଶହ ଯାତ୍ରୀଙ୍କ ଭିତରୁ କେତେ ଜଣକୁ ନମୁନା ସ୍ଵରୂପ ଯାଞ୍ଚ୍ କରନ୍ତି ଓ ତମେ ହୁଏତ ସେହି ଶହେ ବା ଦୁଇ ଶହ ଜଣରେ ଜଣେ ଭିତରେ ପଡ଼ିଗଲ । ଆଉ ଜଣେ କହିଲେ ଯେ ଏହା ଇଂଲଣ୍ତରେ ଏବେ ମୁଣ୍ତ ଟେକୁଥିବା ବର୍ଣ୍ଣବୈଷମ୍ୟର ଲକ୍ଷଣ । ଯେଉଁ କର୍ମଚାରୀଙ୍କ ଭିତରେ ଏ ଭେଦଭାବ ଜୋରଦାର ଥାଏ, ସେମାନେ କଳା ଲୋକ ଦେଖିଲେ ଟିକିଏ ହନ୍ତସନ୍ତ କରି ମଜା ଦେଖିବାକୁ ଭଲପାଆନ୍ତି । ଅନ୍ୟ ଭାରତୀୟ ଯାତ୍ରୀଙ୍କର ଅଭିଜ୍ଞତା କି ପ୍ରକାରର ଜାଣେ ନାହିଁ । ତେବେ ବନାରସରେ ଥିବା ଗାନ୍ଧୀ ବିଦ୍ୟା ସଂସ୍ଥାନର ସୁଗତବାବୁ ସପରିବାରେ କେତେ ମାସ ତଳେ ଇଂଲଣ୍ତ ଯାଇଥିଲେ । ତାଙ୍କୁ ଏଭଳି ହରକତ କରା ହୋଇ ନ ଥିଲା ବୋଲି ସେ କହିଲେ ।

ସେ ଯାହାହେଉ ବର୍ଣ୍ଣବୈଷମ୍ୟର ପ୍ରଭାବ ଯେ ଇଂଲଣ୍ତରେ କିଛି ବଢ଼ିଛି ଏହା ତ ଗତ ସାଧାରଣ ନିର୍ବାଚନର ଫଳାଫଳରୁ ଜଣା ପଡ଼ିଗଲା । ଜୁନ ଅଠର ସେଠି ସାଧାରଣ ନିର୍ବାଚନ ଦିବସ ଥିଲା । ମୁଁ ପରିହାସରେ ସୁଗତବାବୁଙ୍କୁ ଲେଖିଥିଲି ଯେ ଇଂରେଜ ସରକାର ମୋର ଇଂଲଣ୍ତ ଆଗମନ ଉପଲକ୍ଷ୍ୟରେ ମୋତେ ଦେଖିବାର ସୁଯୋଗ ଦେବାପାଇଁ ଏ ନିର୍ବାଚନର ଆୟୋଜନ କରିଛନ୍ତି । ଅବଶ୍ୟ ନିର୍ବାଚନର ପ୍ରତ୍ୟକ୍ଷ ଦୃଶ୍ୟ କିଛି ଦେଖିବାର ସୁଯୋଗ ହେଲା ନାହିଁ, ଟେଲିଭିଜନରେ କିଛି କିଛି ଦେଖାଗଲା ଓ ରାତିରେ ନିର୍ବାଚନର ଫଳାଫଳ ଆସିବାକୁ ଲାଗିଲା, ଯେଉଁଥିରୁ ସନ୍ଦେହ ହେଲା ଯେ ଖବର କାଗଜ ବାଲା ଓ ଲୋକମତ ଗଣନା ବ୍ୟବସାୟୀଙ୍କର ଭବିଷ୍ୟ-ବାଣୀ ମିଥ୍ୟା ହେଲା । ପ୍ରକୃତରେ ଶ୍ରମିକଦଳ ଜୋରସୋରରେ ଜିତୁ ନାହିଁ । ତାହା ପର ଦିନ ପୂରା ଫଳାଫଳ ଜଣାପଡ଼ି ଯେତେବେଳେ ଜାଠଦଳର ବିଜୟ ସାବ୍ୟସ୍ତ ହୋଇଗଲା ସେତେବେଳେ ୟା ବି ଦେଖାଗଲା ଯେ ଏ ବିଜୟ ଭିତରେ ବର୍ଣ୍ଣବୈଷମ୍ୟର ସର୍ବପ୍ରଧାନ ପ୍ରଚାରକ ଏନକ୍ ପାଓ୍ଵେଲଙ୍କର ଭାଗ କିଛି କମ ନାହିଁ । ତିରିଶଟି ଖଣ୍ତେ ଆସନ ତାଙ୍କର କଟ୍ଟର ସମର୍ଥକମାନେ ହାସଲ କରିଛନ୍ତି ।

ତେବେ ନିର୍ବାଚନରେ ନିକିତିର ପଲା ଭାରୀ କରିବାରେ ଏହା ସକ୍ଷମ ହେଲେ ମଧ୍ୟ ଲୋକଙ୍କ ଆଚରଣରେ ଏହା ବିଶେଷ କିଛି ପ୍ରକାଶ ପାଇବାର ମୁଁ ଲକ୍ଷ୍ୟ କଲି ନାହିଁ । ଇଂଲଣ୍ତରେ ପନ୍ଦର ଦିନର ରହଣୀ ଭିତରେ ମୋ ସହିତ କେହି ବୈଷମ୍ୟମୂଳକ ଆଚରଣ କରିନାହାନ୍ତି । ସେଠି ଅନେକ ଦିନୁ ବାସ କରୁଥିବା କେତେକ ଭାରତୀୟଙ୍କୁ ଓ ଜଣେ ପାକିସ୍ଥାନୀଙ୍କୁ ଏ ବିଷୟରେ ପଚାରିବାରେ ସେମାନେ ସମସ୍ତେ କହିଲେ ଯେ–ହଁ, କେତେକ ବା ଅନେକ ଲୋକଙ୍କ ଭିତରେ ଏହା ରହିଛି ମାତ୍ର ସାଧାରଣ କାରବାରରେ ଏହାର ପରିପ୍ରକାଶ ବିଶେଷ କିଛି ନୁହେଁ । ଜଣେ ତ କହିଲେ ଯେ ଏହା ବିରୋଧରେ ଆଇନ୍ ଅଛି ଓ ତାହା ଆମକୁ ରକ୍ଷା କରୁଛି ଓ କରିବ ।

ପୂର୍ବର ଶ୍ରମିକ ସରକାର ହିଁ ଲୋକମତ ଚାପରେ ପଡ଼ି ବାହାରୁ କଳା ଲୋକଙ୍କର ଇଂଲଣ୍ତରେ ପ୍ରବେଶ ଓ ବସବାସକୁ ରୋକିବା ପାଇଁ ନାନାପ୍ରକାରର କଟକଣା ଜାରୀ କରିଥିଲେ । ଏବର ଜାଠ ସରକାର ସେସବୁ କଟକଣା ଆହୁରି ଟାଣ କରିବେ ବୋଲି ସର୍ବତ୍ର ଆଶଙ୍କା ପ୍ରକାଶ ପାଉଥିଲା । ମାତ୍ର ଦେଶ ଭିତରେ କଳା ଗୋରାଙ୍କ ଭିତରେ ପାତର-ଅନ୍ତର ବ୍ୟବହାର କରିବା ଭଳି କୌଣସି ଆଇନ୍ ନାହିଁ ।

ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ, ଭାରତ, ପାକିସ୍ଥାନ, ଲଙ୍କା ଆଦିରୁ ବହୁତ ଲୋକ ଗତ ମହାଯୁଦ୍ଧ ପରଠାରୁ ଇଂଲଣ୍ତରେ ଯାଇ ବସବାସ କରିବା ଆରମ୍ଭ କଲେ । ସେଠି କାମ ମିଳିବାରେ ସୁବିଧା ଓ ଅପେକ୍ଷାକୃତ ଉଚ୍ଚ ଜୀବନମାନ ଲୋକଙ୍କୁ ଏଠାକୁ ଆକୃଷ୍ଟ କଲା । କେତେପ୍ରକାର କାମ ପାଇଁ ସେଠି ଲୋକ ଅଭାବ ପଡ଼ିଲେ । ମୋର ତ ସେଠି ଦେଖି ମନେହେଲା ବସ୍ ଓ ମାଟିତଳ ରେଲ୍‌ର କଣ୍ତକ୍ଟର, ଗାର୍ଡ଼ ଓ ଟିକଟ କଲେକ୍ଟରଙ୍କ ଭିତରୁ ଅଧାଅଧି କଳାଲୋକ । ସେଠି ଡାକ୍ତର ଓ ନର୍ସ ବି ଅଭାବ ହେଉଛନ୍ତି ଓ ତେଣୁ ବାହାରୁ ବହୁତ ଡାକ୍ତର ଓ ନର୍ସ ଆସି ଏଠାରେ କାମ କରୁଛନ୍ତି ବୋଲି ଜଣେ କହିଲେ ।

ଏବେ ଏଠି ମୋଟ ତିରିଶ ଲକ୍ଷ କଳା ଲୋକ ହେଲେଣି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଶୁଣିଲି । ତାହା ଭିତରୁ ତିନି ଲକ୍ଷରୁ ଅଧିକ ଭାରତୀୟ । ଲଣ୍ତନ ସହରରେ ହିଁ ବର୍ତ୍ତମାନ ଏହାଙ୍କ ଭିତରୁ ଅଧିକାଂଶ ରହିଛନ୍ତି । ଏଠି ବାଟଘାଟରେ ଯିବା ଆସିବା ବେଳେ ଏହିସବୁ ଲୋକଙ୍କର ପ୍ରାବଲ୍ୟ ବେଶ୍ ଆଖିରେ ପଡ଼େ । କେତେଥର ବସ ଓ ମାଟିତଳ ରେଲ୍‌ରେ ଯାତ୍ରୀମାନଙ୍କ ଭିତରେ କଳା ଗୋରାଙ୍କର ଅନୁପାତ ଗଣିଛି । ଦେଖିଛି—ସାଧାରଣତଃ ଏହା ଦଶ ଜଣରେ ଜଣେରୁ ତିନି ଜଣ । ଭାରତରୁ ପଞ୍ଜାବୀମାନେ ହିଁ ସବୁଠାରୁ ବେଶୀ ସଂଖ୍ୟାରେ ଯାଇଛନ୍ତି । କଲିକତାର ଏୟାର ଇଣ୍ତିଆ ଅଫିସରେ ଦେଖିଥିଲି ଯେ କେତେକ ପଞ୍ଜାବୀ ପୁରୁଷ ଓ ସ୍ତ୍ରୀ ଇଂଲଣ୍ତ ଯିବା ଉଦ୍ୟମରେ ସେଠାକୁ ଆସିଛନ୍ତି । ସେମାନଙ୍କ ବେଶଭୂଷାରୁ ସ୍ପଷ୍ଟ ଜଣାଯାଉଥାଏ ଯେ ସେମାନେ ଗାଉଁଲୀ ଲୋକ । ଇଂରେଜୀ ପଢ଼ାଶୁଣାର ଧାର ଧାରନ୍ତି ନାହିଁ । ମାତ୍ର ଭାଗ୍ୟାନ୍ଵେଷଣରେ ଇଂଲଣ୍ତ ଯିବାକୁ ବାହାରି ପଡ଼ିଛନ୍ତି ।

ୟୁରୋପରେ ଅନ୍ୟତ୍ର ଭାରତୀୟ ବାଟଘାଟରେ କ୍ଵଚିତ୍ ଦିଶୁଥିଲେ ଓ ଜଣେଅଧେ ଦେଖା ହୋଇଗଲେ ଉଭୟ ଆଡ଼ୁ ପରସ୍ପର ପରିଚୟ ଜାଣିବା ଓ କୁଶଳ ପ୍ରଶ୍ନ କରିବାର ଆଗ୍ରହ ଉଭୟଙ୍କୁ ପରସ୍ପର ନିକଟକୁ ଟାଣି ନେଉଥିଲା । ମାତ୍ର ଏଠି ତ ପଣପଣ ଭାରତୀୟ ଏବଂ ପାକିସ୍ଥାନୀ । କିଏ କାହାକୁ ପଚାରୁଛି ।

ପହଞ୍ଚିବା ମାତ୍ରେ ଲଣ୍ତନ ସହରଟା କେମିତି ଜାଣି ପୂର୍ବ ପରିଚିତ ଚିହ୍ନା ଚିହ୍ନା ମନେ ହେଲା । ଦେଖିଲି ତା’ର ପ୍ରଧାନତଃ ତିନୋଟି କାରଣ । ଏକ୍ ରେ—ସେଠାକାର ବଡ଼ ବଡ଼ ଅଫିସ, ବଜାର ପଡ଼ାର ଘରବାଡ଼ିର ନିର୍ମାଣ-ଶୈଳୀର ବମ୍ବେ ଓ କଲିକତା ସହିତ ଖୁବ୍ ସାଦୃଶ୍ୟ ଅଛି । ସେହି ଇଂରେଜ ସ୍ଥପତିମାନେ ହିଁ ତ ଆମର ବଡ଼ ବଡ଼ ସହରର ପ୍ରଧାନ ପ୍ରଧାନ କୋଠାବାଡ଼ିର ନକସା କରିଥିଲେ । ଦୁଇରେ–ଇଂରେଜୀ ସାହିତ୍ୟ ମାରଫତରେ ଏଠାର ସମସ୍ତ ପ୍ରଧାନ ଅପ୍ରଧାନ ସ୍ଥାନ, ଟ୍ରାଫାଲଗାର୍ ସ୍କୋୟାର, ଟେମସ୍ ବନ୍ଧ, ହବର୍ଣ୍ଣ, ହାଇଡ଼ପାର୍କ, କେନସିଂଟନ, କିଙ୍ଗ୍‌ସକ୍ରସ୍, ଇଉଷ୍ଟନ, ଗୋଲଡ଼ର୍ସ ଗ୍ରୀନ୍, ଚେୟାରିଂକ୍ରସ୍, ବଣ୍ତଷ୍ଟ୍ରୀଟ୍, ପିକାଡ଼ିଲୀ ଆଦିର ନାମ ଓ ବର୍ଣ୍ଣନା ସହିତ ପୂର୍ବରୁ ପରିଚୟ ରହିଥିଲା ଓ ତିନିରେ—ଏଠାର ବାଟଘାଟ ୟୁରୋପର ଅନ୍ୟ ଯେଉଁସବୁ ଦେଶ ଏ ପର୍ଯ୍ୟନ୍ତ ଦେଖି ଆସିଲି, ସେସବୁ ତୁଳନାରେ ଟିକିଏ ଅପରିଷ୍କାର । ଛିଡ଼ା କାଗଜ ଓ ଅଳିଆ ଏଠିସେଠି ଏପରି ପଡ଼ିଥିବାର ପୂର୍ବରୁ ଦେଖି ନ ଥିଲି । ଅବଶ୍ୟ ଆମ ଦେଶର ଅଳିଆର ତୁଳନା ଲଣ୍ତନରେ ମଧ୍ୟ କୁତ୍ରାପି ମିଳିବ ନାହିଁ; ତଥାପି ଟିକିଏ ଅଳିଆ-ମସ୍କରା ହୋଇଥିବାରୁ ଲଣ୍ତନ ଘରପାଖିଆ ଜଣାଗଲା । ଏସବୁ ଛଡ଼ା କଳା ଲୋକଙ୍କର ପ୍ରାଦୁର୍ଭାବ ତ ଥିଲା ହିଁ ।

ଲଣ୍ତନର ବିଖ୍ୟାତ କୁହୁଡ଼ି ଓ ଇଂଲଣ୍ତର ଅନିଶ୍ଚିତ ପାଣିପାଗ, ମେଘଢ଼ଙ୍କା ଆକାଶ, ସୂର୍ଯ୍ୟକିରଣର ବିରଳତା, ଏସବୁ କଥା ପୂର୍ବରୁ ବହୁତ ଶୁଣାଥିଲା । ମାତ୍ର ମୋର ଭାଗ୍ୟ ଏମିତି ଭଲ ଯେ ମୁଁ ଲଣ୍ତନରେ ଯେତେ ଦିନ ରହିଲି ସବୁଦିନେ ଭଲ ଖରାଟିଆ ପାଗ ରହିଲା । ମ୍ୟାଂଚେଷ୍ଟର୍ ଓ ଲେକ୍ ଅଞ୍ଚଳରେ ପହଞ୍ଚିବାବେଳକୁ ମେଘୁଆ ପାଗ ଘୋଟିଲା ।

ଇଂଲଣ୍ତରେ ଦେବୀଭାଇ ଓ ସୁଗତ ବାବୁ ମିଶି ମୋ ପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଦେବୀଭାଇ ନଅ ବର୍ଷ ହେଲା ଲଣ୍ତନରେ ଅଛନ୍ତି ବିଶ୍ଵ ଯୁଦ୍ଧବିରୋଧୀ ସଂଘର ସାଧାରଣ ସଂପାଦକ ରୂପେ । ତାହା ପୂର୍ବରୁ ସେବାଗ୍ରାମରେ ମୌଳିକ ଶିକ୍ଷାର ଅନ୍ୟତମ ପୁରୋଧା ଥିଲେ । ଖୁବ୍ ଭଲ ଚିତ୍ରଶିଳ୍ପୀ । ପିଲାମାନଙ୍କର ଶିକ୍ଷା ଓ ମାନସିକ ବିକାଶରେ ଚିତ୍ରକଳାର ସ୍ଥାନ ବିଷୟରେ ଏକ ଉତ୍କୃଷ୍ଟ ବହି ମଧ୍ୟ ଲେଖିଛନ୍ତି । ଅବଶ୍ୟ ସେଠି ପହଞ୍ଚିବା ପରେ କାମଦାମର ଚାପରେ ଚିତ୍ରକଳା ଚର୍ଚ୍ଚା କରିବାକୁ ଆଉ ସମୟ ମିଳୁ ନାହିଁ ବୋଲି କହିଲେ । ବର୍ଷକ ତଳେ ସେଇଠି ତାଙ୍କର ସ୍ତ୍ରୀ ଜାନକୀ ବେନଙ୍କର ମୃତ୍ୟୁ ଘଟିଯାଇଛି । ତାଙ୍କର ଦୁଇ ପୁଅ, ନଅବର୍ଷର ଗୋଟିଏ ସାନ ଝିଅ । ମୋର ରହିବା ବ୍ୟବସ୍ଥା ଦେବୀଭାଇଙ୍କ ଘରେ ହୋଇଥିଲା ।

Image

 

ସତର

ଇଂଲଣ୍ତର ଶାନ୍ତି ଆନ୍ଦୋଳନ

 

ଏଠାରେ ବିଶ୍ଵଯୁଦ୍ଧ-ବିରୋଧୀ ସଂଘ, ପୀସ୍‌ପ୍ଳେଜ୍ ୟୁନିୟନ୍, କ୍ଵେକରେ ସଂପ୍ରଦାୟ, ଅହିଂସା ସଂଗ୍ରାମ ପାଇଁ ସମିତି (CNVA) ଆଦି ଅନେକଗୁଡ଼ିଏ ଯୁଦ୍ଧବିରୋଧୀ ଓ ଶାନ୍ତିବାଦୀ ସଂସ୍ଥା ଅଛି । ଏମାନଙ୍କ ଭିତରେ ଦୃଷ୍ଟିକୋଣର ସାମାନ୍ୟ ସାମାନ୍ୟ ପାର୍ଥକ୍ୟ ଯୋଗୁଁ ସେମାନେ ଅଲଗା ଅଲଗା ରହିଛନ୍ତି ଓ ସମ୍ମଳିତ ଉଦ୍ୟମ ଖୁବ୍ କମ୍ କରିପାରିଥାନ୍ତି । ଏଠାରେ ଭାରତ ଓ ଗାନ୍ଧୀଜୀଙ୍କ ବିଚାର ପ୍ରତି ଶ୍ରଦ୍ଧା ରଖୁଥିବା ଲୋକ ଏ ସମସ୍ତ ଗୋଷ୍ଠୀରେ ଅଛନ୍ତି । ଇତିମଧ୍ୟରେ ଗାନ୍ଧୀଜୀଙ୍କର ଚିନ୍ତାଧାରାରେ ଆସ୍ଥା ଥିବା କେତେକ ସଜ୍ଜନ ଗୋଟିଏ ଗୋଷ୍ଠୀ ଗଢ଼ିଛନ୍ତି । ଲଣ୍ତନ ସ୍କୁଲ ଅଫ୍ ଇକନମିକସରେ ଏ ଗୋଷ୍ଠୀର ଗୋଟିଏ ବୈଠକ ରଖା ଯାଇଥିଲା । ମୁଁ ଲକ୍ଷ୍ୟକଲି ଯେ ଏଥିରେ ବିଭିନ୍ନ ଶାନ୍ତିବାଦୀ ଗୋଷ୍ଠୀ ଓ ଶ୍ରମିକ ତଥା ଲିବରାଲ ଉଭୟ ରାଜନୀତିକ ଦଳର ସମର୍ଥକମାନେ ଥିଲେ ।

 

ଇଂଲଣ୍ତରେ ଯେ ସବୁ ଛୋଟ ଛୋଟ ଗାଁ ବା ଉପନଗର ଏବେ ତିଷ୍ଠି ରହିଛି ସେ ସବୁକୁ ବଞ୍ଚାଇ ରଖିବା ଦୃଷ୍ଟିରୁ କ’ଣ କରାଯାଇପାରେ ସେ ବିଷୟରେ ଏକ ଚିତ୍ତାକର୍ଷକ ଆଲୋଚନା ହେଲା । ଏହାଛଡ଼ା ଗ୍ରାମଦାନ ଆନ୍ଦୋଳନ ବିଷୟରେ ବି ସେମାନେ ମୋ’ଠାରୁ କିଛି ଶୁଣିଲେ ଓ ବହୁତ ପ୍ରକାରର ପ୍ରଶ୍ନ ପଚାରିଲେ ।

 

କ୍ଵେକରମାନେ ମଧ୍ୟ ଗ୍ରାମଦାନ ବିଷୟରେ ଶୁଣିବା ଓ ଆଲୋଚନା କରିବା ପାଇଁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ କ୍ଵେକର୍ ମାନେ ଶାନ୍ତିବାଦୀ ଓ ଭାରତ ବିଷୟରେ ମଧ୍ୟ ସେମାନଙ୍କର ପୂର୍ବରୁ ବହୁତ ସ୍ପୃହା ଓ ସହାନୁଭୂତି ରହିଆସିଛି-। ଡୋନାଲଡ଼ ଗ୍ରୁମ୍ ୧୯୪୫ ବା ୪୬ ଠାରୁ ଦଶବର୍ଷରୁ ଅଧିକ କାଳ ଭାରତରେ ରହି ଗାଁଗାହଳରେ ସେବାକାର୍ଯ୍ୟ କରୁଥିଲେ ଓ ଭୂଦାନ ଆନ୍ଦୋଳନରେ ମଧ୍ୟ ପୂରା କାମ କରିଛନ୍ତି । ଦଶ ବର୍ଷ ତଳେ ଥରେ ସେ ଓଡ଼ିଶାକୁ ମଧ୍ୟ ଆସିଥିଲେ । ଜନ ଲିଣ୍ଟନ୍ ଓ ତାଙ୍କର ସ୍ତ୍ରୀ ଏରିକା ମଧ୍ୟ ଭାରତରେ ବହୁ ବର୍ଷ ଥିଲେ ଓ ସର୍ବୋଦୟ ଆନ୍ଦୋଳନ ସହିତ ଖୁବ୍ ଘନିଷ୍ଠ ଭାବରେ ସଂପୃକ୍ତ ହୋଇଥିଲେ । ଶ୍ରୀମତୀ ମାରଜୋରୀ ସାଇକ୍‌ସ ଏବେ ମଧ୍ୟ ଭାରତରେ ତାମିଲନାଡ଼ୁରେ ରହି ସର୍ବୋଦୟ କାମ କରୁଛନ୍ତି । ମୁଁ ଲଣ୍ତନରେ ପହଞ୍ଚିବା ବେଳକୁ ଡୋନାଲଡ଼ ଗ୍ରୁମ୍ ଅଷ୍ଟ୍ରେଲିଆ ଯାଇଥିଲେ । ଜନ୍ ଓ ଏରିକା ଲିଣ୍ଟନ୍ ଥିଲେ ।

 

ମଧ୍ୟାହ୍ନ ଭୋଜନ ସହିତ କୌଣସି ପ୍ରକାରର ବ୍ୟବସାୟିକ, ରାଜନୀତିକ ବା ଅନ୍ୟ ଆଲୋଚନା ଚଳାଇବା ଏଠାର ଏକ ରୀତି । ଏହା କେତେବେଳେ ଅବା ଔପଚାରିକ ଢଙ୍ଗରେ କରାଯାଏ, ଅର୍ଥାତ୍ ଖାଇବା ଟେବୁଲରେ କାଇଦାମାଫିକ ଖାନା ପରସାଯାଏ । କେତେବେଳେ ଅବା ଆଜିକାଲିକାର ବୁଫେ ଢଙ୍ଗରେ, ଯେଉଁଥିରେ ସମସ୍ତେ ହାତରେ ଥାଳି ଧରି ଖାଆନ୍ତି, ଟେବୁଲ ନ ଥାଏ । ଖାଉ ଖାଉ ସବୁ ପ୍ରକାରର ଆଲୋଚନା ଚାଲେ ।

 

ଏଠାରେ ଶେଷୋକ୍ତ ଢଙ୍ଗରେ ଆୟୋଜନ କରାଯାଇଥିଲା । ଗ୍ରାମଦାନ ବିଷୟରେ ତଥା ଭାରତର ସାଧାରଣ ପରିସ୍ଥିତି ବିଷୟରେ ଏମାନେ ଖୁବ୍ ତନ୍ନ ତନ୍ନ କରି ପ୍ରଶ୍ନ ପଚାରିଥିଲେ ।

 

ଅଧ୍ୟାପକ ସୁମାଖର୍ ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞ । ଇଂଲଣ୍ତର ରାଷ୍ଟ୍ରୀୟ କୋଲ୍ ବୋର୍ଡ଼ର ଅଧ୍ୟକ୍ଷ ଥିଲେ । ଗାନ୍ଧୀଜୀଙ୍କର ଆର୍ଥନୀତିକ ବିଚାରକୁ ସେ ଅନୁନ୍ନତ ଦେଶମାନଙ୍କ ନିମନ୍ତେ ବିଶେଷ ଗୁରୁତ୍ଵପୂର୍ଣ୍ଣ ଓ ମୂଲ୍ୟବାନ ମନେ କରନ୍ତି । ତାଙ୍କର ମତ ହେଲା ଯେ ଅନୁନ୍ନତ ଦେଶମାନଙ୍କର ଆର୍ଥିକ ବିକାଶ ଦିଗରେ ବଡ଼ ବଡ଼ ଯନ୍ତ୍ର ଉଦ୍ୟୋଗ ବିଶେଷ ସହାୟକ ହେଇପାରିବ ନାହିଁ । ଏଥିପାଇଁ ମଧ୍ୟମ ଧରଣର ଯନ୍ତ୍ର କୌଶଳ ଲୋଡ଼ା । ଏବେ ଏଭଳି ଦେଶମାନଙ୍କରେ ଗୋଟାଏ ଦିଗରେ ଏକାବେଳକେ ଆଦିମଯୁଗର ଯନ୍ତ୍ରପାତି, ଆମର ଢିଙ୍କି, ଚକୀ ଭଳି, ଚାଲୁଥିବା ସ୍ଥଳେ ଅନ୍ୟ ଦିଗରେ ଅତ୍ୟାଧୁନିକ ଯନ୍ତ୍ର ଖଞ୍ଜା ହେଉଛି । ଅଥଚ ଏସବୁ ଦେଶରେ ପୁଂଜୀର ଅଭାବ ଓ ଶ୍ରମ କରିବା ପାଇଁ ଲୋକଙ୍କର ପ୍ରାଚୂର୍ଯ୍ୟ ଦୃଷ୍ଟିରୁ ମଧ୍ୟମ ଧରଣର ଯନ୍ତ୍ର କୌଶଳର ପ୍ରୟୋଗ ଅଧିକ ଆବଶ୍ୟକ । ପୂର୍ବକାଳରୁ ଚଳି ଆସିଥିବା ଛୋଟ ଛୋଟ ଓ ଗ୍ରାମ୍ୟ ଶିଳ୍ପମାନଙ୍କର ଏ ମଧ୍ୟମ ଧରଣର ଯନ୍ତ୍ର କୌଶଳର ବ୍ୟବହାର ଦ୍ଵାରା ଏକ ଦିଗରେ ଏ ସବୁର ଉତ୍ପାଦିକା ଶକ୍ତି ବଢ଼ିବ । ଅନ୍ୟ ଦିଗରେ ଯେଉଁ ସବୁ ନୂଆ ନୂଆ ଶିଳ୍ପର ବିକାଶ ଏ ଯୁଗରେ ଘଟିଛି ଓ ସାଧାରଣତଃ ଖୁବ୍ ବଡ଼ ବଡ଼ କାରଖାନା ଆକାରରେ ଚଳୁଛି, ସେ ସବୁରେ ଯଦି ମଧ୍ୟମ ଧରଣର ଯନ୍ତ୍ର କୌଶଳର ପ୍ରୟୋଗ କରାଯାଏ ତେବେ ଅତି ବିରାଟକାୟ କଳ କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିବା ଯୋଗୁଁ ଅନ୍ୟ ଯେଉଁ ସବୁ ସମସ୍ୟା ସୃଷ୍ଟି ହେଉଛି ତାହା ଲାଘବ ହେବ । ଅବଶ୍ୟ ସବୁ ବୃହତ୍ ଶିଳ୍ପରେ ମଧ୍ୟମ ଧରଣର ଯନ୍ତ୍ର କୌଶଳର ପ୍ରୟୋଗ କରାଯାଇ ପାରିବ ଓ ସାରା ଅର୍ଥରଚନା ଏଇ ଢଙ୍ଗରେ ହେବ ବୋଲି ସେ ବିଚାରନ୍ତି ନାହିଁ, ମାତ୍ର ଏହାର ବହୁତ ବ୍ୟାପକ ପ୍ରୟୋଗର ଆବଶ୍ୟକତା ଓ କ୍ଷେତ୍ର ସାରା ଦୁନିଆରେ ରହିଛି ଓ ବିଶେଷ କରି ଅନୁନ୍ନତ ଦେଶ ମାନଙ୍କରେ ଏଇ ପଦ୍ଧତିର ସ୍ଥାନ ସର୍ବପ୍ରଧାନ ଓ ବ୍ୟାପକ ହେବା ଉଚିତ ବୋଲି ସେ ଭାବନ୍ତି ।

 

ଏହି ମଧ୍ୟମଧରଣର ଯନ୍ତ୍ର କୌଶଳର ବିକାଶ ଦିଗରେ ସାହାଯ୍ୟ କରିବା ପାଇଁ ପ୍ରଫେସର ସୁମାଖର ଓ ଅନ୍ୟ ଅନେକେ ମିଶି ଇଣ୍ଟର୍ମିଡ଼ିଏଟ୍ ଟେକ୍ନଲଜୀ ଡେଭଲପମେଣ୍ଟ ଗ୍ରୁପ ନାମକ ଗୋଟିଏ ସଂସ୍ଥା ଗଢ଼ିଛନ୍ତି । ଏ ସଂସ୍ଥାର ଗୋଟିଏ ବୈଠକରେ ଯୋଗ ଦେଇ ତାହା ବିଷୟରେ ଅଧିକ କିଛି ଜାଣିବାର ସୁଯୋଗ ମିଳିଥିଲା । ଏଥିରେ ମ୍ୟାକରୋବୀ ବୋଲି ଜଣେ ଭଦ୍ରଲୋକ ଅଛନ୍ତି ଯେ କେତେବର୍ଷ ଭାରତରେ ଆସି କାମ କରିଥିଲେ । କ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସାହାଯ୍ୟ କରିବା ପାଇଁ ହାଇଦ୍ରାବାଦରେ ଏକ ଅଧା-ସରକାରୀ ସଂସ୍ଥା ରହିଛି । ମ୍ୟାକରୋବୀ ସେଇଥିରେ କାମ କରୁଥିଲେ । ଏହାଛଡ଼ା ଶ୍ରୀ ହୁଦା ବୋଲି ଜଣେ ଭାରତୀୟ ମଧ୍ୟ ସେଥିରେ କାମ କରନ୍ତି । ଏହାଙ୍କ ଘର ବିହାରରେ । ଏହାଛଡ଼ା ଆହୁରି ଅନେକ ବିଶେଷଜ୍ଞ, ଇଂଜିନିୟର, ଶିକ୍ଷାବିତ୍ ଓ ସମାଜସେବୀ ଏହାର ସଦସ୍ୟ ।

 

ଆଜି ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ କ୍ଷେତ୍ରରେ ଏଭଳି ମଧ୍ୟମ ଧରଣର କୌଶଳ ବ୍ୟବହୃତ ହେଉଛି କିନ୍ତୁ ଅନ୍ୟ ଆଡ଼ର ବା ଅନ୍ୟ ଦେଶର ଲୋକଙ୍କୁ ତାହା ଜଣା ନାହିଁ । ତେଣୁ ଅନ୍ୟ କେଉଁଠି ଗୋଟିଏ କୌଣସି ବିଶେଷ କୌଶଳର ବ୍ୟବହାର ଖୁବ୍ ଫଳପ୍ରଦ ହେବାର ସମ୍ଭାବନା ଥିଲେ ମଧ୍ୟ ସେଠାରେ ତାହାର ଖବର ଜଣା ନ ଥିବାରୁ ତାହାର ବ୍ୟବହାର ହୋଇପାରୁ ନାହିଁ । ପ୍ର: ସୁମାଖର୍‍ ଗୋଟିଏ ଉଦାହରଣ ଦେଲେ ଯେ ଦକ୍ଷିଣ ଆମେରିକାର କୌଣସି ଦେଶରେ ଏକ ପ୍ରକାରର ତୈଳବୀଜର ମଂଜି ଛଡ଼େଇବା ପାଇଁ ଏକ ମଧ୍ୟମ ଧରଣର ଯନ୍ତ୍ର ଲୋଡ଼ା ହେଲା । ସେଥି ନିମନ୍ତେ ପାଞ୍ଚ ଛଅ ବର୍ଷ କାଳ ବହୁତ ଅର୍ଥବ୍ୟୟରେ ଗବେଷଣା ଚଳାଇବା ପରେ ଖବର ମିଳିଲା ଯେ ଯେଉଁଭଳି ଯନ୍ତ୍ର ଲୋଡ଼ା ଠିକ ସେହିଭଳି ଯନ୍ତ୍ର ଅନ୍ୟ ଏକ ଦେଶରେ ବହୁ କାଳରୁ କାମରେ ଲାଗି ଆସୁଛି । ଏହା ପୂର୍ବରୁ ଜଣାଥିଲେ ଆଉ ନୂଆ ଗବେଷଣା ପାଇଁ ଏତେ ସମୟ, ଶ୍ରମ ଓ ଅର୍ଥ ବ୍ୟୟିତ ହୋଇ ନ ଥାନ୍ତା । ତେଣୁ ସବୁ ଆଡ଼ୁ ଏଭଳି ଯନ୍ତ୍ର କୌଶଳ ବିଷୟରେ ତଥ୍ୟ ସଂଗ୍ରହ କରି ରଖିବା ଏବଂ ଯେଉଁଠି ଯାହା କାମରେ ଲାଗିପାରିବ ସେଠାକୁ ତାହାର ବିବରଣ ଯୋଗାଇ ଦେବା ଏ ସଂସ୍ଥାର ପ୍ରଧାନ ଉଦ୍ଦେଶ୍ୟ ।

 

ଏମାନେ କୃଷି, ଶିଳ୍ପ, ଘରତିଆରୀ, ସ୍ଵାସ୍ଥ୍ୟରକ୍ଷା, ସମବାୟ ଓ ସଂଗଠନ, ଏଇ ପାଞ୍ଚଟି କ୍ଷେତ୍ରରେ ମଧ୍ୟମ ଧରଣର ଯନ୍ତ୍ର କୌଶଳର ପ୍ରୟୋଗର ପ୍ରସାରର ଉଦ୍ୟମ କରୁଛନ୍ତି । କୃଷି, ଶିଳ୍ପ, ଘରତିଆରୀ ତ ବୁଝିହେଉଛି । ସ୍ଵାସ୍ଥ୍ୟରକ୍ଷାରେ ଓ ସମବାୟ ସଂଗଠନରେ ପୁଣି ମଧ୍ୟମ ଧରଣର ଯନ୍ତ୍ର କଣ ? ସ୍ଵାସ୍ଥ୍ୟରକ୍ଷାରେ ଏହାର ପ୍ରୟୋଗ ହେଲା ନିର୍ମଳ ପିଇବା ପାଣି ଯୋଗାଇବା, ସଫେଇ ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା ଆଦିରେ । ହିସାବ ରଖିବା, ଅଫିସ ସଂଗଠନ ଆଦି ବ୍ୟାପାରରେ ମଧ୍ୟ ଆଧୁନିକ ପଦ୍ଧତି ଅତି ସୂକ୍ଷ୍ମ ଓ ଜଟିଳ ପର୍ଯ୍ୟାୟରେ ପହଞ୍ଚିଲାଣି । ଛୋଟ ଛୋଟ ସଂଗଠନରେ ସେ ସବୁର ପ୍ରୟୋଗ ବ୍ୟାବହାରିକ ନୁହେଁ । ଅନ୍ୟ ଦିଗରେ ଏବେ ବି ଆମ ଗାଁମାନଙ୍କରେ ଲୋକେ କାନ୍ଥରେ ଗାର ପକେଇ ହିସାବ ରଖନ୍ତି । ତେଣୁ ଏ କ୍ଷେତ୍ରରେ ମଧ୍ୟ ମଧ୍ୟମ ଧରଣର କୌଶଳର ଆବଶ୍ୟକତା ରହିଛି ।

 

ଭାରତରେ ଏଭଳି ଏକ ସଂସ୍ଥା ଆରମ୍ଭ କରିବା ଉପରେ ସୁମାଖର ଜୋର ଦେଇଥିଲେ-। ଗୋଟାଏ ଖୁବ୍ ବ୍ୟୟବହୁଳ ବଡ଼ ଆଡ଼ାରେ ଅଫିସ୍ ଆଦି ଆରମ୍ଭ ନ କରି ଅଳ୍ପରେ ଆରମ୍ଭ କରିବା ଉଚିତ ବୋଲି ତାଙ୍କର ମତ । ତାଙ୍କର ଏ ଅଫିସ ମଧ୍ୟ ସେମାନେ ଯଥାସାଧ୍ୟ ଶସ୍ତାରେ ଚଳେଇଛନ୍ତି-। ଗୋଟାଏ କୋଠାର ବେସମେଣ୍ଟ୍ ବା ମାଟିତଳ ଘରେ ଏହା ରହିଛି । ସାଜସରଞ୍ଜାମ ବି ଆଡ଼ମ୍ଵର ଶୂନ୍ୟ ।

Image

 

ଅଠର

ସମାଜବାଦ ଓ ଗାନ୍ଧୀ ବିଚାରର ଅନୁଭୂତି

 

ଶ୍ରୀ ହୁଦାଙ୍କ ସାନଭାଇ ମଧ୍ୟ ଲଣ୍ତନରେ ଥା’ନ୍ତି । ସମାଜବାଦୀ ଆନ୍ତର୍ରାଷ୍ଟ୍ରୀୟ ସଂଘର ସାଧାରଣ ସମ୍ପାଦକ, ଏଇ ସଂଘଟି “ଦ୍ଵିତୀୟ ଆନ୍ତର୍ରାଷ୍ଟ୍ରୀୟ—ସେକେଣ୍ତ୍ ଇଣ୍ଟର ନ୍ୟାଶନାଲ” ନାମରେ ପରିଚିତ । ସାରା ବିଶ୍ଵର ସମାଜବାଦୀ ଆନ୍ଦୋଳନକୁ ଏକୀଭୂତ କରିବା ପାଇଁ ଯେତେଦୂର ମନେ ପଡ଼େ ଶହେ ଖଣ୍ତେ ବର୍ଷ ତଳେ ପ୍ରଥମ ଆନ୍ତର୍ରାଷ୍ଟ୍ରୀୟ ସଂଘ ଗଢ଼ା ହେଇଥିଲା । ତାହା କଳି କଜିଆ ହେଇ ଭାଙ୍ଗିଗଲା ଓ ପ୍ରଥମ ମହାଯୁଦ୍ଧର କିଛି ପୂର୍ବରୁ କମ୍ୟୁନିଷ୍ଟମାନଙ୍କୁ ବାଦଦେଇ ଏ ଦ୍ଵିତୀୟ ସଂଘ ଗଢ଼ା ହେଲା । ଏହା ବାଦ କମ୍ୟୁନିଷ୍ଟମାନେ ତୃତୀୟ ସଂଘ ଗଢ଼ିଲେ, ଯାହା କୋମିଣ୍ଟର୍ନ ନାମରେ ପରିଚିତ ।

 

ଏବେ ଇସ୍ରାଏଲ୍, ପଶ୍ଚିମ ଜର୍ମାନୀ, ସ୍କାଣ୍ତିନେଭିଆ, ମିଶର, ଫ୍ରାନ୍‌ସ ପ୍ରଭୃତି ଅନେକ ଦେଖିଲି ଯେ ପୃଥିବୀର କମ୍ୟୁନିଷ୍ଟ ଦଳମାନଙ୍କର ସମଗ୍ର ସଦସ୍ୟ ସଂଖ୍ୟା ଅପେକ୍ଷା ଏ ସଂଘ ସହିତ ସଂଯୁକ୍ତ ସମାଜବାଦୀମାନଙ୍କର ସଦସ୍ୟ ସଂଖ୍ୟା ଅନେକ ବେଶୀ ଓ କେତେ କେତେ ଦେଶରେ ସମାଜବାଦୀ ଶାସନ ରହିଛି । ମାତ୍ର ବାସ୍ତବରେ ସମାଜବାଦୀ ଆନ୍ଦୋଳନରେ କୌଣସି ବିଶ୍ଵବ୍ୟାପୀ ସାମୂହିକତା ଆଉ ନାହିଁ । ଏହା ବିଭିନ୍ନ ଦେଶରେ ବିଭିନ୍ନ ରୂପ ଧରିଲାଣି ଓ ଗତାନୁଗତିକ ରାଜନୀତିରେ ଏଭଳି ଛନ୍ଦି ହେଇ ଗଲାଣି ଯେ ତରୁଣମାନଙ୍କର ଆଦର୍ଶବାଦକୁ ଆଉ ଆକୃଷ୍ଟ କରିପାରୁ ନାହିଁ । ପୁଣି ଆରବ ସମାଜବାଦୀ ସରକାର ଇସ୍ରାଏଲର ସମାଜବାଦୀ ସଂଗଠନ କୌଣସି ପ୍ରଭାବ ପକାଇ ପାରୁନାହଁ । ଏ ସବୁ ବିଷୟରେ ଦୀର୍ଘ ଆଲୋଚନା ହେଲା । ମୋର ଧାରଣା ହେଲା ଯେ ଗୋଟାଏ ଯୁଗର ପରିସ୍ଥିତି ଓ ସମସ୍ୟାକୁ ନେଇ ଦୁନିଆରେ ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନର ଅଭ୍ୟୁଦୟ ହେଇଥିଲା । ମଣିଷ ସମାଜ ଆଗରେ ଗୋଟାଏ ଆଦର୍ଶବାଦ ତୋଳି ଧରିବାରେ ଓ ଏହାର ଚିନ୍ତାଧାରାରୁ ଏକ ଆଭିମୁଖ୍ୟ ଦେବାର ଏହାର ବିରାଟ ଅବଦାନ ରହିଛି । ମାତ୍ର ଯୁଗ ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ପରିସ୍ଥିତି ଓ ସମସ୍ୟାର ରୂପ ବଦଳିଲାଣି-। ତେଣୁ ଏସବୁ ଆନ୍ଦୋଳନର ଚିନ୍ତାଧାରା ଯେଉଁ ଗତରେ ପଡ଼ି ଯାଇଛି ତାହାର ସୀମା ଭିତରେ ଥାଇ ଆଉ ଏ ଯୁଗର ସମସ୍ୟାକୁ କାଟୁ କରି ପାରୁ ନାହିଁ । ନୂଆ ପରିସ୍ଥିତି ଉପରେ ଯେଉଁସବୁ ନୂତନ ବିଚାର ଓ ଆଚାର ଚାଲିଛି ତାହା ଶେଷକୁ କି ରୂପ ନେବ ଏବଠୁଁ କହିବା କଠିନ, ମାତ୍ର ଗାନ୍ଧୀଜୀଙ୍କର କେତେକ ମୂଳଗାମୀ ବିଶ୍ଳେଷଣ ଓ ଅନ୍ତର୍ଦୃଷ୍ଟି ସହିତ ଏସବୁ ନୂତନ ବିଚାରର ସାଦୃଶ୍ୟ ଲକ୍ଷ୍ୟ କରିବାର କଥା ।

 

ଏଠି ଏକ ଇଣ୍ତିଆ ଡେଭଲପମେଣ୍ଟ୍ ଗ୍ରୁପ୍ ଭାରତ ବିକାଶ ମଣ୍ତଳୀ ମଧ୍ୟ ଏବେ ସଂଗଠିତ ହେଇଛି । ଏଠାରେ ଆମର ହାଇକମିଶନର୍ ଶ୍ରୀ ଆପ୍ପା ସାହେବ ପଂତ ଅଧ୍ୟକ୍ଷ ଅଛନ୍ତି । ଭାରତର ଆର୍ଥିକ ଓ ସାମାଜିକ ବିକାଶରେ ସାହାଯ୍ୟ କରିବା ଏହାର ଲକ୍ଷ୍ୟ । ଏଥିରେ ମଧ୍ୟ ପ୍ର: ସୁମାଖର୍ ଆଦି ଅଛନ୍ତି । ଏହାର ମଧ୍ୟ ଏକ ବୈଠକ ହେଇଥିଲା ଓ ସେଥିରେ ଭାରତର ସମସ୍ୟା ଓ ସାହାଯ୍ୟ କରିବାର ଉପାୟ ବିଷୟରେ ଆଲୋଚନା ହେଇଥିଲା । ଆର୍ଥିକ ସାହାଯ୍ୟ ଦେବା ଦିଗରେ ଓ୍ୟାର୍ ଅନ୍ ଓ୍ୟାଣ୍ଟ୍, ଅକ୍‌ସଫାମ୍ ଆଦି ସଂସ୍ଥା ଉଦ୍ୟମ କରୁଛନ୍ତି ଓ ସେଭଳି ସାହାଯ୍ୟ ଅଧିକ ମାତ୍ରାରେ ସଂଗୃହିତ ହେଇ ପାରିଲେ ତ ଭଲ । ସ୍ଵୟଂସେବକ ଭାବରେ ମଧ୍ୟ ଅନେକେ ଆସି ଆମ ଦେଶରେ ସାହାଯ୍ୟ କରୁଛନ୍ତି ଓ ତାହା ବି ସ୍ଵାଗତ ଯୋଗ୍ୟ, ମାତ୍ର ମୁଁ ସୂଚାଇଥିଲି ଯେ ଏ ଦେଶରେ ପ୍ରାକୃତିକ ଓ ସାମାଜିକ ବିଜ୍ଞାନ ସମୂହର ଯେ ପୁଂଜି ରହିଛି ତାହାର ସାହାଯ୍ୟ ଯଦି ଭାରତକୁ ମିଳିପାରେ ତେବେ ସବୁଠାରୁ ଭଲ ହେବ । ଅର୍ଥାତ୍ ଭାରତର ବିବିଧ ସମସ୍ୟା ନେଇ ବୈଜ୍ଞାନିକ ଗବେଷଣା କରି ସେସବୁ ଉପରେ ଆଲୋକପାତ କରିବାରେ ଏଠାର ଅଧ୍ୟାପକ ଓ ଛାତ୍ରମାନେ ସାହାଯ୍ୟ କରିପାରନ୍ତେ ।

 

ଏଠି ଶ୍ରୀ ଭି. କେ. କୃଷ୍ଣମେନନ୍ ପ୍ରାୟ ଚାଳିଶ ବର୍ଷ ପୂର୍ବେ ଇଣ୍ତିଆ କ୍ଳବ୍ ନାଁରେ ଗୋଟିଏ ଅନୁଷ୍ଠାନ ଗଢ଼ିଥିଲେ । ଏଠା ଭାରତୀୟମାନଙ୍କୁ ଏକ ମିଳନର କ୍ଷେତ୍ର ଯୋଗାଇବା ଏହାର ଲକ୍ଷ୍ୟ । ଏଇଟି ଏବେ ବି ଭଲ ଚାଲିଛି । ଏହାର ନିଜସ୍ଵ ବେଶ୍ ବଡ଼ ଘର ରହିଛି । ସେଥିରୁ କିଛି ଅଂଶ ଭଡ଼ା ଦେଇ ଅନୁଷ୍ଠାନ କିଛି ଆୟ କରେ । ଏକ ଭଲ ରେସ୍ତାରାଁ ବି ଚାଲେ । ହୁଦା ଭାଇମାନଙ୍କ ସହିତ ଏହି ରେସ୍ତୋରାଁରେ ଖାଇବା ସାଙ୍ଗେ ସାଙ୍ଗେ ବହୁତ ଗପ ହେଲା । ଏଠି ସବୁପ୍ରକାର ଭାରତୀୟ ଖାଦ୍ୟ ବେଶ୍ ଶସ୍ତାରେ ମିଳେ । ଇଡ଼ଲି ଦୋସା ଠାରୁ ପରଟା କଚୁଡ଼ି ଓ ମୁର୍ଗ ମୁସଲ୍ଲମ୍ ଯାଏ । ଲଣ୍ତନରେ ପାନ ମିଳେ କି ନାହିଁ ପଚାରିବା ମାତ୍ରେ ବି ହୁଦା ସାହେବ ତୁରନ୍ତ ଅର୍ଡ଼ର କରିଦେଲେ । ପାନ ଆସିଥିଲା । ତାଙ୍କର ଧାରଣା ହେଲା ମୁଁ ଖାଇବାକୁ ଚାହେଁ । ମାତ୍ର ଆମେ ତିନିହେଁ ଙ୍କ ଭିତରେ କେହି ପାନ ଖାଇବାବାଲା ନ ଥିଲେ । ପାନ ଗୋଟିକରେ ଅଶି ପଇସା ଗଲା । ଲଣ୍ତନରେ କିଙ୍ଗସକ୍ରସ୍ ଷ୍ଟେସନ ପାଖରେ ଦେବୀଭାଇ ମତେ ଏକ ମାନ୍ଦ୍ରାଜୀ ହୋଟେଲକୁ ନେଇ ଯାଇଥିଲେ । ସେଠାରେ ଅଢ଼େଇ ଟଙ୍କାକୁ ବେଶ୍ ଭଲ ନିରାମୀଷ ଭାତ, ଡାଲି, ତରକାରୀ ମିଳେ । ଇଂଲଣ୍ତରେ ଖାଦ୍ୟ ୟୁରୋପର ଅନ୍ୟ ଦେଶ ତୁଳନାରେ ବେଶ୍ ଶସ୍ତା । ଏକପ୍ରକାର ଖାଦ୍ୟ ଯାହା ପଶ୍ଚିମ ୟୁରୋପର ଅନ୍ୟତ୍ର ଦଶ ଟଙ୍କା ପଡ଼ିବ; ତାହା ଏଠି ଛଅ ଟଙ୍କାରେ ମିଳିବ । କମନ୍ ମାର୍କେଟ ବା ସମୂହ ବଜାରରେ ମିଶିଥିବା ଦେଶମାନେ ଇଟାଲୀ, ଫ୍ରାନ୍‌ସ ପ୍ରଭୃତିର ଚାଷୀମାନଙ୍କ ସ୍ଵାର୍ଥରକ୍ଷା ପାଇଁ ସେ ସବୁ ଦେଶକୁ ବାହାରୁ ଖାଦ୍ୟ ଆମଦାନୀ ଉପରେ ନାନା କଟକଣା କରାଯାଇ କୃଷିଜାତ ଖାଦ୍ୟର ମୂଲ୍ୟ ବେଶୀ ରଖାଯାଇଛି । ଇଂଲଣ୍ତ ମଧ୍ୟ ଏ କମନ୍ ମାର୍କେଟରେ ଯୋଗ ଦେବା ପାଇଁ ଶ୍ରମିକ ମନ୍ତ୍ରୀମଣ୍ତଳ ଖୁବ୍ ଚେଷ୍ଟା ଚଳାଇଥିଲେ । ଇଂଲଣ୍ତକୁ ସେଥିରେ ନିଆଗଲେ ଅନ୍ୟ ଶିଳ୍ପ ବ୍ୟବସାୟରେ ଅନେକ ସୁବିଧା ହେବ ମାତ୍ର ଖାଦ୍ୟ ଦାମ୍ ମଧ୍ୟ ବଢ଼ିବ ବୋଲି ଜାଣିବା ଲୋକ ମତ ଦେଲେ ।

 

ଅହିଂସା ସମାଜ ଗଢ଼ିବା ଦୃଷ୍ଟିରୁ ଅର୍ଥନୀତି ବିଷୟରେ ବିଚାର ଓ ଗବେଷଣା କରୁଥିବା ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି ଶ୍ରୀ ଫ୍ରେଡ୍ ବ୍ଳୁମ୍ । ଏ ମଧ୍ୟ ଗତ ବର୍ଷ ଗାଂଧୀଜନ୍ମ ଶତବାର୍ଷିକୀ ଉପଲକ୍ଷ୍ୟରେ ଦିଲ୍ଲୀଠାରେ ହୋଇଥିବା ଆନ୍ତର୍ରାଷ୍ଟ୍ରୀୟ ବିଚାରଗୋଷ୍ଠୀରେ ଯୋଗଦେବାକୁ ଭାରତ ଆସିଥିଲେ । ଶ୍ରୀ ବ୍ଳୁମ୍ ଲଣ୍ତନ ବାହାରେ ବେଶ୍ କିଛି ଦୂରରେ ଏକ ମଫସଲ ଅଞ୍ଚଳରେ ରହନ୍ତି । ଘର ଚାରିପଟେ ବେଶ୍ କିଛିଟା ଜମି ରହିଛି । ଫଳଗଛ ପ୍ରଭୃତି ଲଗାଇଛନ୍ତି ।

 

ଶ୍ରୀ ବ୍ଳୁମ୍ ମଧ୍ୟମ ଧରଣର ଯନ୍ତ୍ରକୌଶଳର ଆବଶ୍ୟକତାକୁ ସମର୍ଥନ କରନ୍ତି । ଏହା ଛଡ଼ା ଏକ ଅହିଂସ ଓ ଗାଣତାନ୍ତ୍ରିକ ସମାଜରେ ଶିଳ୍ପ ସଞ୍ଚାଳନର ରୂପ କି ପ୍ରକାର ହେବ ସେ ବିଷୟରେ ବି ତାଙ୍କର ବିଶେଷ ବିଚାର ରହିଛି ।

 

ଏବେ ଶିଳ୍ପ ବ୍ୟବସାୟର ସଂଗଠନ ଗୋଟିଏ ଲେଖାଁ ପୀରାମିଡ଼୍ ପରି ହୋଇଥାଏ । ସବା ତଳ ସ୍ତରର୍ ଶ୍ରମିକ, କିରାଣୀ ଆଦି ଅଧିକ ସଂଖ୍ୟାରେ ଥିବା କେବଳ ଖଟିବା ଲୋକ ଓ ସବା ଉପର ସ୍ତରରେ ଡିରେକ୍ଟର ପ୍ରଭୃତି ଅଳ୍ପ ସଂଖ୍ୟକ ଆଦେଶ ଦେବା ଲୋକ । ମଝିରେ ବିଭିନ୍ନ ପ୍ରକାରର ସୀମାବଦ୍ଧ ଦାୟିତ୍ଵ ଓ କର୍ତ୍ତୃତ୍ଵ ଥିବା କର୍ମଚାରୀ । ଏ ପିରାମିଡ଼ରେ ଯାହାର ପାହ୍ୟା ଯେତେ ଉଚ୍ଚରେ ତା’ର କ୍ଷମତା ଓ ନିର୍ଣ୍ଣୟ ନେବାର ଅଧିକାର ସେତେ ବେଶୀ ଥାଏ ଓ ତାହା ସାଙ୍ଗକୁ ସାମାଜିକ ସ୍ତର ଉଚ୍ଚ ବୋଲି ମଧ୍ୟ ଧରାଯାଏ ।

 

ଶ୍ରୀ ବ୍ଳୁମଙ୍କ ମତରେ ଆଜିକାଲିକାର ଗଣତନ୍ତ୍ର ଯୁଗରେ ଏହା ଅଚଳ ହୋଇଆସୁଛି । ଶିଳ୍ପ ବ୍ୟବସାୟର ମାଲିକାନା କର୍ତ୍ତୃତ୍ଵ ଆଉ ମୁଷ୍ଟିମେୟ ଲୋକଙ୍କଠାରେ ଠୁଳ ନ ହୋଇ ସେଥିରେ କାମ କରୁଥିବା ସମସ୍ତ ଲୋକଙ୍କଠାରେ ବାଣ୍ଟି ହୋଇ ରହିବା ଉଚିତ । ଉକ୍ତ ବ୍ୟବସାୟ ବା ଶିଳ୍ପ ସଂକ୍ରାନ୍ତ ସମସ୍ତ ନିର୍ଣ୍ଣୟ ଗ୍ରହଣ କରିବାରେ ସେଥିରେ କାମ କରୁଥିବା ସମସ୍ତ ଲୋକଙ୍କର ଅଧିକାର ଥିବା ଆବଶ୍ୟକ । ପରିଚାଳନାର ଦାୟିତ୍ଵ ଯେଉଁମାନଙ୍କଠାରେ ରହିବ ସେମାନେ ସମାଜିକ ଶ୍ରେଣୀ ହିସାବରେ ଉଚ୍ଚସ୍ଥାନ ଅଧିକାର କରିବେ ନାହିଁ । ସେମାନଙ୍କର କାମ ତଳିଆ କର୍ମଚାରୀ ଓ ଶ୍ରମିକମାନଙ୍କ ଉପରେ କର୍ତ୍ତୃତ୍ଵ ଜାରୀ କରିବା ପରିବର୍ତ୍ତେ ନେତୃତ୍ଵ ଦେବା ହେବ । ଅନୁଷ୍ଠାନର ଅନୁଶାସନ ଉପରବାଲାଙ୍କର ହୁକୁମ ଦ୍ଵାରା ନିୟନ୍ତ୍ରିତ ନ ହୋଇ ସମସ୍ତଙ୍କର ସମ୍ମିଳିତ ଆତ୍ମଶାସନ ଦ୍ଵାରା ରକ୍ଷିତ ହେବ । ଏହିରୂପେ ଏ ନୂଆ ସଂଗଠନର ରୂପ ପୀରାମିଡ଼୍ ଭଳି ଉପରୁ ତଳକୁ ନ ହୋଇ ବୃତ୍ତାକାର ହେବ । ସମାନ ସ୍ତରରେ ଥିବା ସାନରୁ ବଡ଼ ବୃତ୍ତ, ଭିତରେ ସାନ ସାନ ବୃତ୍ତ ଓ ତାହା ବାହାରକୁ ତାଙ୍କୁ ଘେରି ରହିଥିବା ବଡ଼ ବଡ଼ ବୃତ୍ତ । ଏହି ହେଲା ସଂକ୍ଷେପରେ ଶ୍ରୀ ବ୍ଳୁମଙ୍କର ନୂତନ ପରିକଳ୍ପନା । ଭବିଷ୍ୟତ ମାନବ ସମାଜରେ ସଂଗଠନକୁ ଗାନ୍ଧୀଜୀ ‘ମହାସାଗରୀୟ ବୃତ୍ତସମୂହର କ୍ରମ ବିସ୍ତାର’ ରୂପେ ବର୍ଣ୍ଣନା କରିଛନ୍ତି । ଶ୍ରୀ ବ୍ଳୁମ୍ ତାଙ୍କର କଳ୍ପନା ଗାନ୍ଧୀଜୀଙ୍କର ଏହି ବିଚାରରୁ ନେଇଛନ୍ତି ।

 

ଏହା କେବଳ ଏକୁଟିଆ ବ୍ଳୁମଙ୍କର ପରିକଳ୍ପନା ନୁହେଁ କି ତାଙ୍କର କେବଳ କପୋଳ କଳ୍ପନା ନୁହେଁ । ଏ ଦିଗରେ ଅନ୍ୟ ଅନେକେ ମଧ୍ୟ ଚିନ୍ତା ଆରମ୍ଭ କରିଛନ୍ତି ଓ କେତୋଟି ସାନ ବଡ଼ ଶିଳ୍ପ ପ୍ରତିଷ୍ଠାନକୁ ଏହିଭଳି ନୂତନ ଢଙ୍ଗରେ ଚଳାଇବା ଉଦ୍ୟମ ମଧ୍ୟ ଏଠାରେ ହେଉଛି । ସ୍କଟ୍‌ବେଡ଼ର୍ କମନ୍ଓ୍ଵେଲ୍‌ଥ ଏହା ଭିତରୁ ଗୋଟିଏ । ଏହାର ପୂର୍ବତନ ମାଲିକ ମି: ବେଡ଼ର୍ ତାଙ୍କର କାରଖାନାର ମାଲିକାନା ସେଥିରେ କାମ କରୁଥିବା ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କର କରି ଦେଇଛନ୍ତି ଓ ଏହା ଏକ ଟ୍ରଷ୍ଟଭାବରେ ସଂଗଠିତ ହୋଇଛି । ଏହାର ପରିଚାଳନା ଏହି ସମସ୍ତଙ୍କର ମତରେ ହୋଇଥାଏ । ଫାର୍ମର ସର୍ଭିସ୍ ଏହିଭଳି ଆଉ ଗୋଟିଏ ପ୍ରତିଷ୍ଠାନ ।

 

ପୁଂଜିବାଦର ଦୋଷ ଦୂର କରିବା ପାଇଁ ସାମ୍ୟବାଦ ଓ ସମାଜବାଦର କଳ୍ପନା ଆସିଲା ମାତ୍ର ସେଥିରେ ମଧ୍ୟ ଗୁରୁତର ଦୋଷ ରହିଛି ବୋଲି ବାସ୍ତବ ଅଭିଜ୍ଞତାରୁ ଦେଖା ଯାଉଛି । ଏଥିର ଗୋଟିଏ ପ୍ରଧାନ ଦୋଷ ହେଲା କ୍ଷମତାର କେନ୍ଦ୍ରୀକରଣ । ଏଥିରେ ଶିଳ୍ପ ବ୍ୟବସାୟର ସଂଗଠନ ମଧ୍ୟ ପୁଂଜିବାଦ ପରି ସେହି ପୀରାମିଡ଼୍ ଆକାରରେ ହେଉଛି । ପରିଚାଳକ ଓ ଶ୍ରମିକ ଭିତରେ କର୍ତ୍ତୃତ୍ଵରେ ସେହି ଏକା ପ୍ରକାରର ପାର୍ଥକ୍ୟ ରହୁଛି ଓ ରୁଷ୍ ପ୍ରଭୃତିରେ ଶ୍ରେଣୀଭେଦ ମଧ୍ୟ ସୃଷ୍ଟି ହୋଇଛି । ସେଥିପାଇଁ ଏସବୁ ନୂଆ ଧରଣର ସଂଗଠନର ପ୍ରୟୋଗ ଓ ଏ ଦେଶରେ ଆରମ୍ଭ ହୋଇଛି । ଏଥିପାଇଁ ଏମାନେ କେତେକାଂଶରେ ଯୀଶୁଙ୍କର ଆଦର୍ଶରୁ ଓ କେତେକାଂଶରେ ଗାନ୍ଧୀଜୀଙ୍କର ମାରଫତଦାରୀ ବା ନ୍ୟାସବାଦର ସିଦ୍ଧାନ୍ତରୁ ପ୍ରେରଣା ପାଉଛନ୍ତି ।

 

ସ୍କଟ୍ ବେଡ଼ର ଅନୁଷ୍ଠାନ ଦେଖିବାକୁ ଯିବାର ମୋର ଖୁବ୍ ଇଚ୍ଛା ଥିଲା; ମାତ୍ର ମୋର କାର୍ଯ୍ୟକ୍ରମ ଭିତରେ ତାହା ଖାପ୍ ଖାଇ ନ ପାରିବାରୁ ହୋଇ ପାରିଲା ନାହିଁ । ମି: ବ୍ଳୁମଙ୍କର ଆଉ ଗୋଟିଏ ବିଚାର ନେଇ ମଧ୍ୟ ତାଙ୍କ ସହିତ ଆଲୋଚନା ହେଲା । ଆମେ ସର୍ବୋଦୟବାଲା ଭାରତରେ ଗ୍ରାମଶିଳ୍ପ ଓ ଅନ୍ୟ କ୍ଷୁଦ୍ରଶିଳ୍ପର ବିକାଶ ଓ ପ୍ରସାର ପାଇଁ ଉଦ୍ୟମ କରୁଛୁଁ । ଅହିଂସ ସମାଜ ରଚନା ପାଇଁ ଏହା ଆମେ ଆବଶ୍ୟକ ମନେ କରିଥାଉଁ । ସେହିପରି ସେସବୁ ଦେଶରେ ମଧ୍ୟ କ୍ଷୁଦ୍ରଶିଳ୍ପ ଓ ମଧ୍ୟମ ଧରଣର ଯନ୍ତ୍ରକୌଶଳର ସମର୍ଥକ ଅଛନ୍ତି । ମି: ବ୍ଳୁମଙ୍କ ବିଚାରରେ କୌଣସି ଦେଶ ବା ସମଗ୍ର ପୃଥିବୀର ଭବିଷ୍ୟତର ଓ ଆଦର୍ଶ ଆର୍ଥିକ ରଚନାର ଏକ ଚିତ୍ର ଯଦି ଆମେ ଆଖି ଆଗରେ ରଖିବାକୁ ଚେଷ୍ଟା କରୁଁ ତେବେ ଆମେ ଦେଖିବା ଯେ ସେଥିରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ସବୁ ପ୍ରକାରର ଶିଳ୍ପ ରହିବ । ଏ ସବୁରେ ଅନୁପାତ ଅବଶ୍ୟ ଭିନ୍ନ ପ୍ରକାରର ରହିବ, କ୍ଷୁଦ୍ରର ଅନୁପାତ ଅଧିକ ଓ ବୃହତ୍ ଶିଳ୍ପର ଊଣା ହେବ, ତଥାପି ସବୁ ପ୍ରକାରର ରହିବ । ତେଣୁ ଏକ ଅହିଂସ ସମାଜରେ ଏସବୁ ଶିଳ୍ପ କେଉଁ ଅନୁପାତରେ ରହିବା ଶ୍ରେୟସ୍କର ହେବ, ଏହାଙ୍କ ଭିତରେ ପରସ୍ପର ସମ୍ପର୍କ କି ପ୍ରକାର ହେବ, ବୃହତ୍ ଶିଳ୍ପର ସଂଗଠନ ଓ ପରିଚାଳନା କି ଢଙ୍ଗରେ ହେଲେ ଅହିଂସା ନୀତିର ଅନୁକୂଳ ହେବ, ଅର୍ଥନୀତିର ସର୍ବମୋଟ ସଂଯୋଜନ କି ଢଙ୍ଗରେ ହେବ ଆଦି ସବୁ ପ୍ରଶ୍ନ ନେଇ ଆମେ ଚିନ୍ତା କରିବା ଉଚିତ । ଏ ସବୁ ପ୍ରଶ୍ନର ସମାଧାନ ଦୃଷ୍ଟିରୁ କୌଣସି ଗୋଟିଏ ଅଞ୍ଚଳରେ ଏ ଭଳି ଏକ ସମଗ୍ର ବିକାଶର ଯୋଜନା ହାତକୁ ନେବା ଉଚିତ ଯେଉଁଠି କ୍ଷୁଦ୍ରଠାରୁ ବୃହତ୍ ଯାଏ ସବୁ ପ୍ରକାରର ଦରକାରୀ ଶିଳ୍ପର ସୁସମଞ୍ଜ ସଂଯୋଜନ ଓ ବିକାଶ କରାଯିବ ଓ ଅହିଂସ ଅର୍ଥନୀତିର ଏକ ନମୁନା ପରୀକ୍ଷା-ନିରୀକ୍ଷାଦ୍ଵାରା ଗଢ଼ି ତୋଳିହେବ ।

 

ତାଙ୍କର ଏ ବିଚାରଟି ମତେ ଭଲ ଲାଗିଲା । ଯେଉଁଠି ସବୁ ରାଜ୍ୟଦାନ ହୋଇଛି ସେହି ରାଜ୍ୟମାନଙ୍କର ଗ୍ରାମଦାନ ଆନ୍ଦୋଳନ ଶକ୍ତିଶାଳୀ ସଂଗଠନ ହୋଇପାରିଲେ ସେଠି ଏ ଭଳି ପ୍ରୟୋଗ ପାଇଁ ଯେ ଅନୁକୂଳ କ୍ଷେତ୍ର ମିଳିବ ସେତିକି ନୁହେଁ, ସେଠି ଏ ଭଳି ଉଦ୍ୟମ କରିବାକୁ ହିଁ ପଡ଼ିବ । କାରଣ ସେତେବେଳେ ସେଠି ବର୍ତ୍ତମାନ ଥିବା ବୃହତ, ମଧ୍ୟମ ଓ କ୍ଷୁଦ୍ର, ସବୁ ଶିଳ୍ପର ସଂଗଠନ ତ ଗ୍ରାମସ୍ଵରାଜ୍ୟ ଆଦର୍ଶର ଅର୍ଥାତ୍ ଅହିଂସା ନୀତିର ଅନୁରୂପ କରିବାକୁ ହେବ । ଆଗକୁ ମଧ୍ୟ ସାନ, ମଧ୍ୟମ, ବଡ଼ ସବୁପ୍ରକାର ଶିଳ୍ପର ସୁସମଞ୍ଜ ବିକାଶ ସେହି ଦୃଷ୍ଟିରୁ କରିବାକୁ ହେବ ।

Image

 

ଉଣେଇଶ

ଲଣ୍ତନର ଆଉ କେତେ କଥା

 

ଲଣ୍ତନରେ ଫିସ୍‍ପ୍ଲେଜ୍ ୟୁନିୟନ ନାମକ ଶାନ୍ତିବାଦୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏକ ସଭାର ଆୟୋଜନ ହୋଇଥିଲା । ଅନ୍ୟ ଦେଶ ଅନେକ୍ଷା ଏଠା ଲୋକେ ଭାରତ ବିଷୟରେ ଟିକେ ବେଶୀ ଜାଣନ୍ତି ଓ ଶାନ୍ତିବାଦୀମାନେ ତ ଅନେକ କିଛି ଖବର ରଖନ୍ତି ହିଁ । ତେଣୁ ଏଠାରେ ବକ୍ତୃତା ପରେ ଅନେକ କିଛି ପ୍ରଶ୍ନୋତ୍ତର ଓ ଆଲୋଚନା ହେଲା । ଗ୍ରାମଦାନ ବିଷୟରେ ଏଠାରେ ଦୁଇ ପ୍ରକାରର ଧାରଣା ରହିଛି । କେତେକଙ୍କର ଧାରଣା ଯେ ଗ୍ରାମଦାନ ଗାଁମାନଙ୍କରେ ପୂରାପୂରି ଗ୍ରାମସ୍ଵରାଜ୍ୟ ହୋଇସାରିଲାଣି ଏବଂ ଆଉ କେତେକ ଯେଉଁମାନେ ଭାରତକୁ ଆସି ବୁଲିବାକୁ ଯାଇଛନ୍ତି ସେମାନଙ୍କ ଭିତରୁ କେହି କେହି ଏକାବେଳକେ ନିରାଶ ହୋଇ ଯାଇଛନ୍ତି ଯେ କାହିଁ ଏଠି ତ ଗ୍ରାମସ୍ଵରାଜ୍ୟ ହୋଇନାହିଁ ? ଗ୍ରାମଦାନ ଯେ ଗୋଟାଏ ଆନ୍ଦୋଳନ ଓ ପ୍ରତିକୂଳ ଶକ୍ତି ବିରୋଧରେ ଲଢ଼େଇ କରି ଆଗେଇବା ଚେଷ୍ଟା କରୁଛି, ସବୁ ଆନ୍ଦୋଳନ ଭଳି ସେଥିରେ ଉତଥାନ ପତନ ରହିଛି ଏବଂ ସବୁଠାରୁ ବଡ଼ କଥା ଯେ ଏହାକୁ ସଫଳ କରିବା ପାଇଁ ହଜାର ହଜାର ଲୋକ ଜୀବନମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ଏ କଥାଟା ସେଠି ବୁଝାଇବାକୁ ଯାଇ ସମସ୍ତଙ୍କୁ ଗୋଟାଏ ସନ୍ତୋଷଜନକ ଦୃଷ୍ଟିକୋଣ ମିଳିଲା ।

 

ଇଂଲଣ୍ତରେ ଓ୍ଵାର୍ ଅନ୍ ଓ୍ଵାଣ୍ଟ (ଅଭାବ ବିରୋଧରେ ଯୁଦ୍ଧ) ଓ ଅକ୍‌ସଫାମ୍ (ଅକସଫୋର୍ଡ଼ ଦୁର୍ଭିକ୍ଷ ନିବାରଣ ସମିତି) ଦୁଇଟି ସଂସ୍ଥା ଭାରତ ତଥା ଅନ୍ୟ ଅନେକ ଦେଶର ଗାଁଗହଳର ଆର୍ଥିକ ବିକାଶ ପାଇଁ ସାହାଯ୍ୟ କରିଥାନ୍ତି । ଏମାନେ ସାଧାରଣ ଲୋକଙ୍କଠାରୁ ହିଁ ଅର୍ଥ ସାହାଯ୍ୟ ସଂଗ୍ରହ କରିଥାନ୍ତି । ସ୍କୁଲ, କଲେଜ, ଶ୍ରମିକ ସଂଘ, କ୍ଳବ୍, ଧାର୍ମିକ ମଣ୍ତଳୀ, ବ୍ୟବସାୟ ଓ ଶିଳ୍ପ ଅଫିସ୍ ଆଦିରୁ ଏମାନେ ସାହାଯ୍ୟ ସଂଗ୍ରହ କରିଥାନ୍ତି ଓ ଗୋଟିଏ ଅନୁଷ୍ଠାନ ଅନ୍ତତଃ ଗୋଟିଏ ଗାଁର ବିକାଶ ପାଇଁ ପାଞ୍ଚ ଛ ହଜାର ଟଙ୍କା ଦେଉ ବୋଲି ନିବେଦନ କରିଥାନ୍ତି । ସେ ଗାଁ ସହିତ ସେ ଅନୁଷ୍ଠାନର ସିଧା ସମ୍ପର୍କ ସ୍ଥାପନ କରାଯାଇଥାଏ ଓ ଗାଁରେ ଯାହା କାମ ହେଲା ତା’ର ବିବରଣୀ ଓ ଛବି ସେ ଅନୁଷ୍ଠାନମାନେ ଲୋଡ଼ିଥାନ୍ତି । ଏହି ରୂପେ ଓ୍ଵାଲ ଅନ୍ ଓ୍ଵାଣ୍ଟ୍ ମାଧ୍ୟମରେ ଭାରତରେ ଚାରିଶହରୁ ଅଧିକ ଗାଁକୁ ଚବିଶ ଲକ୍ଷ ଖଣ୍ତେ ଟଙ୍କା ସାହାଯ୍ୟ ମିଳିଛି । ଅନେକ ସ୍କୁଲ ପିଲାମାନେ ସପ୍ତାହରେ ଗୋଟାଏ ଓଳି ଉପାସ ରହି ସେତକ ପଇସା ଏ ପାଣ୍ଠିକୁ ଦେଇଛନ୍ତି ।

 

ଲଣ୍ତନରେ ଓ୍ଵାର୍ ଅନ୍ ଓ୍ଵାଣ୍ଟ ଅଫିସକୁ ମଧ୍ୟ ଯାଇଥିଲି ଓ ତା’ର ସମ୍ପାଦକ ଓ ଅନ୍ୟ କର୍ମୀମାନଙ୍କ ସହିତ ଆଳାପ କରି ସଂଗଠନର କାମ ଦାମ ବିଷୟରେ କିଛି ଅଧିକ ଜାଣିବାକୁ ପାଇଥିଲି ।

 

ଲଣ୍ତନରେ ଏ ସବୁ ସଭା ସମିତି ଓ ଦେଖା ସାକ୍ଷାତ ମଝିରେ ସହରଟା ବୁଲାବୁଲି କରି କିଛିଟା ଦେଖିନେଲି । ଅବଶ୍ୟ ସହର ଦେଖିବାକୁ ଆଗ୍ରହ ମୋର ବିଶେଷ କିଛି ନ ଥିଲା । ଆଜିକାଲିକାର ସହର ତ ସବୁ ଏକା ରକମର । ଯାହାକିଛି ସ୍ଥାପତ୍ୟ-ଶୈଳୀରେ ବିଶେଷତ୍ଵ ତାହା ପୁରୁଣା ଯୁଗରେ ଥିଲା ଓ ସେ ସବୁ ଏମିତି ସାଧାରଣ ଚଲାବୁଲାରେ ଆଖିରେ ପଡ଼ିଥାଏ । ମୁଁ ଆଗରୁ କହିଛି ଯେ ଲଣ୍ତନର ଷ୍ଟାଇଲ୍‌ର ବମ୍ଵେ କଲିକତା ଆଦି ସହ ବହୁତ ସାଦୃଶ୍ୟ ରହିଛି ।

 

ଲଣ୍ତନରେ ପ୍ରଥମ ଦ୍ରଷ୍ଟବ୍ୟ ଟେମସ୍ ନଈ । ପୂର୍ବରୁ ଏ ନଈର କ୍ଷୁଦ୍ରତା ନେଇ ଏତେ ପରିହାସ ଶୁଣାଯାଇଥାଏ ଯେ ତାଳଦଣ୍ତା କେନାଲ ଭଳି ଗୋଟିଏ କିଛି ବ୍ୟାପାର ଦେଖିବାକୁ ମିଳିବ ବୋଲି ଧାରଣା ହୋଇଯାଇଥାଏ । ତେବେ ନଈଟା ଏତେ ସାନ ନୁହେଁ । ବିରୂପା କି ଦୟା ସାଙ୍ଗରେ ତୁଳନା ହୋଇପାରେ ।

 

ଯେମିତି ନଈ ସେମିତି ପାହାଡ଼ । ଲଣ୍ତନରେ ଅନେକ ‘ହିଲ୍’ ନାମିତ ପଡ଼ା ଅଛି । ନଟିଂ ହିଲ୍ ଇତ୍ୟାଦି, ମାତ୍ର ସେଠି ଯାଇ ପାହାଡ଼ ତ ପାହାଡ଼ ମୁଣ୍ତିଆ ଖୋଜିଲେ ବି ମିଳିବ ନାହିଁ । ମିଳିବ ଢୀପ । ଥରେ ଗୋଟାଏ ଜାଗାକୁ ଯାଉଥିବା ବେଳେ ସାଙ୍ଗରେ ଥିବା ଜଣେ ବନ୍ଧୁ କହିଲେ “ସେ ଆଗ ପାହାଡ଼ଟା (ହିଲ୍) ପାରି ହେଲେ ତାଙ୍କ ଘର ରାସ୍ତା ଦେଖାଯିବ ।” ମୁଁ ତ ଚାରି ଆଡ଼କୁ ଚାହିଁଲି ଯେ ପାହାଡ଼ଟା କୋଉଠି ଅଛି । କାହିଁ ? ହାୟ ଭଗବାନ ! ରାସ୍ତାଟାରେ ଯେ ଟିକିଏ ଉଠାଣି ଦିଶୁଛି ସେଇଟା ହିଁ ପାହାଡ଼ ।

 

ବ୍ରିଟିଶ ମ୍ୟୁଜିୟମଟା ଦେଖିବାର ଖାସ୍ ଆଗ୍ରହ ଥିଲା । ପୃଥିବୀର ବୃହତ୍ତମ ସଂଗ୍ରହାଳୟ ଭିତରୁ ଗୋଟିଏ, ଦୁନିଆଯାକର ପ୍ରାତ୍ନତାତ୍ତ୍ଵିକ, ଐତିହାସିକ, ବୈଜ୍ଞାନିକ ସାମଗ୍ରୀ ଓ ସାହିତ୍ୟର ସଂଗ୍ରହ ରହିଛି । ଏଠାର ପୁସ୍ତକାଗାରଟି ମଧ୍ୟ ପ୍ରକାଣ୍ତ, ବୋଧହୁଏ ପୃଥିବୀର ବୃହତ୍ତମ । ବହୁ ପ୍ରାଚୀନ କାଳର ହାତଲେଖା ଗ୍ରନ୍ଥ ଓ ଐତିହାସିକ ଦଲିଲ ପତ୍ର ରହିଛି ।

 

ସେ ସମୟରେ ସେଠି ଲେନିନ୍ ଶତବାର୍ଷିକୀ ଉପଲକ୍ଷରେ ଏକ ପ୍ରଦର୍ଶନୀର ଆୟୋଜନ ଏହା ଭିତରେ କରା ହେଇଥିଲା । ଲେନିନ୍ ତାଙ୍କର ବିପ୍ଳବୀ ଜୀବନର ଆରମ୍ଭରେ ବହୁବର୍ଷ ଲଣ୍ତନରେ ଥିଲେ ଓ ଏହି ବ୍ରିଟିଶ ମ୍ୟୁଜିୟମରେ ଅଧ୍ୟୟନ କରୁଥିଲେ । ସେହି ସମୟର ବହିପତ୍ର, ଲେନିନଙ୍କ ଲେଖା ଚିଠି, ତାଙ୍କର ରଚିତ ବହି, ଜୀବନର ଛବି ଆଦି ଖୁବ୍ ମନୋଜ୍ଞ ଢଙ୍ଗରେ ସଜେଇ ରଖା ହୋଇଥାଏ । ଗାନ୍ଧୀଜୀ ମଧ୍ୟ ପ୍ରାୟ ସେହି ଏକା ସମୟରେ ଲଣ୍ତନରେ ଥିଲେ ଓ ଏଠାକୁ ଯା ଆସ କରୁଥିଲେ । ହୁଏତ ଦୁହେଁ ସେହି ଏକା ପାଠାଗାରରେ ଏକା ସମୟରେ ବସି ପଢ଼ାଶୁଣା କରୁଥିବେ । ଯିବା ଆସିବା ବେଳେ ଭେଟ ହେବାର ପରସ୍ପରକୁ ଅଭିବାଦନ କରିଥିବେ । ଗାନ୍ଧୀ ଜନ୍ମ ଶତବାର୍ଷିକୀ ଉପଲକ୍ଷରେ ମଧ୍ୟ ଏହା ପୂର୍ବରୁ ଏଠି ଏହିଭଳି ଗାନ୍ଧୀଜୀଙ୍କର ଜୀବନ ସଂକ୍ରାନ୍ତ ପ୍ରଦର୍ଶନୀ କରାଯାଇଥିଲା ।

 

ଗାନ୍ଧୀ, ଲେନିନ୍ କଣ, ଏ ପୁସ୍ତକାଗାରରେ ଇଂଲଣ୍ତର ଓ ସାରା ଦୁନିଆର ଯେତେ ଯେତେ ମନୀଷି, ବୈଜ୍ଞାନିକ, ବିପ୍ଳବୀ, ସାହିତ୍ୟିକ, ଇତିହାସକାର, ଦାର୍ଶନିକ, ଅର୍ଥନୀତିଜ୍ଞ, ରାଜନୀତିବିଦ୍ ଆଦି ଅଧ୍ୟୟନ କରିଛନ୍ତି ସେ ସମସ୍ତଙ୍କ ତାଲିକା କରି ବସିଲେ ଗୋଟାଏ ପୋଥି ହେବ ।

 

ସଂଗ୍ରହାଳୟରେ କେତେ କେଜାଣି ଘର । ଗୋଟାଏ ଗୋଟାଏ ଘରେ ପୃଥିବୀର ଗୋଟାଏ ଗୋଟାଏ ଯୁଗର, ଗୋଟାଏ ଗୋଟାଏ ସଭ୍ୟତାର ଇତିହାସ ଯେମିତି ଜାଣି ସ୍ତବଧ ହେଇ ରହିଛି । ସେଇ ବିତି ଯାଇଥିବା ଯୁଗର ଆତ୍ମା, ତାର ସୌରଭ ସେ ବଖରାର ବାତାବରଣରେ ମିଶି ରହିଛି । ଗୋଟାଏ ଗୋଟାଏ ଘର ଦେଖି ବସିଲେ ଘଣ୍ଟା ଘଣ୍ଟା ବିତିଯିବ । ଦୁଇତିନି ଘଣ୍ଟାରେ ସବୁଟାଯାକ ଉପରେ ଘେରାଏ ଆଖି ବୁଲେଇ ଦେଇ ବାହାରି ଆସିଲି ।

 

ଲଣ୍ତନରେ ଯିବା ଆସିବା ପାଇଁ ସବୁଠାରୁ ଦ୍ରୁତଗାମୀ ବ୍ୟବସ୍ଥା ହେଉଛି ସେଠାର ଟ୍ୟୁବ୍ ବା ମାଟିତଳ ରେଲଗାଡ଼ି । ସହରରେ ଏହାର ମୋଟ ଆଠଟା ଲାଇନ୍ ରହିଛି । ପଚାଶ ଉପରେ ଷ୍ଟେସନ । ପ୍ରତି ଦୁଇଚାରି ମିନିଟରେ ଗାଡ଼ି ଅଛି । ଅନ୍ତତଃ ଷାଠିଏ ସତୁରି ମାଇଲ ଗତିରେ ଚାଲେ-। କେତେକ ଲାଇନ ସହର ବାହାରକୁ ମଧ୍ୟ ଯାଇଛି । ସହର ବାହାରେ ଏହା ଆଉ ମାଟିତଳେ ନ ଯାଇ ଉପରେ ହିଁ ଚାଲେ । ମାଟିତଳେ ବିଭିନ୍ନ ସ୍ତରରେ ରହିଛି, ତିରିଶ ଫୁଟରୁ ଶହେ ଫୁଟ ବା ଅଧିକ ତଳ ଯାଏ । ତଳକୁ ଓହ୍ଳାଇବା ଓ ଉପରକୁ ଉଠିବା ପାଇଁ ଚଳନ୍ତା ସିଡ଼ି ଅଛି । ତାହା ଉପରେ ଛିଡ଼ା ହେଲେ ଆପେ ଆପେ ତଳେ ବା ଉପରେ ପହଞ୍ଚିଯିବ । ନିଜେ ବି ଚାଲିଲେ ଚଢ଼ିବା ବା ଓହ୍ଲେଇବା ଆହୁରି ଚଞ୍ଚଳ ହେବ । ପ୍ରତି ଷ୍ଟେସନରେ ପ୍ରତି ପ୍ଳାଟଫର୍ମରେ ଓ ଗାଡ଼ିର ପ୍ରତି ଡବାରେ ରେଲର ନକ୍‍ସା ରହିଛି, ଏକଦମ ନୂଆ ଲୋକ ବି କୌଣସି ପ୍ରକାର ବଣା ହେବାର ସମ୍ଭାବନା ନାହିଁ-। ବସ ଓ ଟ୍ୟୁବ୍‌ ରୁଟ୍‌ ମାନଙ୍କର ନକ୍‌ସା ମାଗିଲେ ମଧ୍ୟ ଷ୍ଟେସନରେ ମିଳେ । ଏଇଟା କେବଳ ଏଠି ନୁହେଁ ୟୁରୋପରେ ସର୍ବତ୍ର ଗୋଟାଏ ବଡ଼ ସୁବିଧା । ରେଲ ଷ୍ଟେସନରେ ମଧ୍ୟ ଛୋଟ ଛୋଟ ଲିଫଲେଟ୍ ରହଛି, ଧରନ୍ତୁ ଲଣ୍ତନରୁ ମ୍ୟାଞ୍ଚେଷ୍ଟର ବା ଏଡ଼ିନ୍‌ବରା, କେତେବେଳେ ଗାଡ଼ି ଅଛି, ସେଥିରେ କି କି ସୁବିଧା ଅଛି ଆଦି ସବୁ ଖବର ଗୋଟିଏ ପତ୍ରିକାରେ ମିଳିବ । ଡାକଘରେ ମଧ୍ୟ ଡାକତାରର ସମସ୍ତ ଖବର ଥିବା ଲିଫଲେଟ୍ ରହିଥାଏ ।

 

ଲଣ୍ତନରେ ଏବେ ଯେଉଁ ନୂଆ ମାଟିତଳେ ଲାଇନ ‘ଭିକ୍ଟଟୋରିଆ’ ଖୋଲିଛି ସେଥିରେ ଗାଡ଼ିସବୁ ପୂରାପୂରି କଂପ୍ୟୁଟର ସାହାଯ୍ୟରେ ଚାଲେ । ସେଥିରେ ଗାଡ଼ିରେ କେବଳ ଜଣେ ଗାର୍ଡ଼ ଥାଏ, ଡ୍ରାଇଭର ନ ଥାଏ । ଗାଡ଼ି ଅଟକିବା ଓ ଚାଲିବା ସବୁ ଗୋଟାଏ କେନ୍ଦ୍ରରୁ ନିୟନ୍ତ୍ରିତ ହୁଏ । ଗାର୍ଡ଼ର କାମ ହେଲା ଯଦି କେଉଁଠି କିଛି ଦୁର୍ଘଟଣା ଯୋଗୁ ଗାଡ଼ି ରୋକିବାକୁ ପଡ଼ିଲା ତେବେ ତାହା କରିବା ।

 

ଏଠି ବସ୍, ରେଲ୍ ଆଦିରେ ଆମ ଦେଶପରି ଅସମ୍ଭାଳ ଭିଡ଼ ମୋଟେ ଦେଖିବାକୁ ମିଳେ ନାହିଁ । ଅଫିସ୍‌କୁ ଯିବା ଓ ଫେରିବାବେଳେ ଯାହା ଅଳ୍ପ ଟିକିଏ ଭିଡ଼ ହୁଏ । ଅନ୍ୟ ସମୟରେ ଗାଡ଼ି ସବୁ ଫାଙ୍କା । ବ୍ରିଟିଶ ରେଲଓୟେର ଯାତ୍ରୀ ଊଣା ହେବାରୁ କେତେକ ଛୋଟ ଛୋଟ ଲାଇନ୍ ବନ୍ଦ କରିଦେବାକୁ ପଡ଼ିଛି । ମୋଟରଗାଡ଼ି ବଢ଼ିବାଦ୍ଵାରା ବେଶୀ ଲୋକ ନିଜ ଗାଡ଼ିରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି । ଯଦିଓ ଏଠାର ରେଲ୍ ଗାଡ଼ି ଖୁବ୍ ଦ୍ରୁତଗାମୀ ସାଧାରଣ ଏକସପ୍ରେସ ଗାଡ଼ିର ଗତି ଘଣ୍ଟା ନବେ ମାଇଲ୍‌ରୁ କମ୍ ନୁହେଁ । ବିଶେଷ ଦୂରଗାମୀ ଗାଡ଼ିର ଆହୁରି ବେଶୀ । ମୁଁ ଉତ୍ତର ଇଂଲଣ୍ତରୁ ଲଣ୍ତନ ଫେରିବାବେଳେ ଚାରିଘଣ୍ଟା ପଚିଶ ମିନିଟରେ ଅଢ଼େଇଶହ ମାଇଲ୍ ଆସିଲି । କଲିକତାରୁ କଟକ ଏତିକି ବାଟ ଓ ପୁରୀ ଏକସପ୍ରେସରେ ଏତକ ଆଠ ଘଣ୍ଟା ଲାଗେ । ତେବେ ଏଠି ଓ ୟୁରୋପରେ ଅନ୍ୟତ୍ର ରେଲ ଭଡ଼ା ଖୁବ୍ ଚଢ଼ା । ପ୍ରଥମ ଓ ଦ୍ଵିତୀୟ, ଦୁଇଟା ଶ୍ରେଣୀ-। ଦ୍ଵିତୀୟ ଶ୍ରେଣୀରେ ମୋର ଉପରୋକ୍ତ ଯାତ୍ରା ପାଇଁ ଭଡ଼ା ଲାଗିଲା ଛସ୍ତରି ଶିଲିଂ ବା ଅଠଷଠି ଟଙ୍କା ଚାଳିଶ ପଇସା । ଏଠାର ତୃତୀୟ ଶ୍ରେଣୀ ଭଡ଼ାର ପାଞ୍ଚଗୁଣରୁ ବେଶୀ ।

Image

 

କୋଡ଼ିଏ

Unknown

ପଶ୍ଚିମ ଇଂଲଣ୍ତରେ ମିତ୍ର ସମାଗମ

 

ଲଣ୍ତନରେ ପାଞ୍ଚଦିନ ରହଣୀ ପରେ ମୋର ମୁହଁ ବୁଲିଲା ଇଂଲଣ୍ତର ପଶ୍ଚିମ ଓ ଉତ୍ତରକୁ-। ପଶ୍ଚିମରେ ପ୍ରଥମ ରହଣୀ ଚେଲ୍‌ଟେନହ୍ୟାମ୍, ଲଣ୍ତନରୁ ଶହେ ମାଇଲ୍ । ବସ୍ ଭଡ଼ା ନେଲା ଅଠର ଟଙ୍କା, ତିନିଘଣ୍ଟା ଲାଗିଲା । ଏଇଟି ଗୋଟିଏ ଛୋଟ ସହର । ଏଠି ଦେଖା କରିବାର ଥିଲା ଡେଭିଡ଼୍ ହଗେଟ୍‌ଙ୍କ ସହିତ । ଡେଭିଡ଼୍ ଯୁବକ, ସଇଁତ୍ରିଶ ଚାଳିଶ ଭିତରେ ବୟସ । ସେ ଊଣେଇଶଶହ ତେପନ ଚଉବନରେ ଭାରତ ଆସିଥିଲେ ଓ ବିହାରର ଗୟା ଜିଲାରେ ଭୂଦାନ ଆନ୍ଦୋଳନରେ ଭୂଦାନ ସଂଗ୍ରହ ଓ ବଣ୍ଟନର କାମ ଅନେକ ଦିନ କରିଥିଲେ । ତା’ପରେ ଏଠୁ ଫେରି ସେ ପୋଲିଓରେ ଆକ୍ରାନ୍ତ ହୋଇ ଏକାବେଳକେ ପକ୍ଷାଘାତଗ୍ରସ୍ତ ଓ ଚଳତ୍‌ଶକ୍ତିରହିତ ହୋଇ ପଡ଼ିଛନ୍ତି । କେତେବର୍ଷ ଧରି ବିଛଣାରେ ହିଁ ପଡ଼ି ରହିଛନ୍ତି । ତାଙ୍କର ମା ପାଖରେ ଥାନ୍ତି, ତାଙ୍କର ସବୁପ୍ରକାର ସେବାଶୁଶ୍ରୂଷା କରନ୍ତି । ଆଉ ଜଣେ ଯୁବକ ମଧ୍ୟ ସାହାଯ୍ୟ କରନ୍ତି ।

 

ଏଭଳି ଶାରୀରିକ ଅକ୍ଷମତା ସତ୍ଵେ ଡେଭିଡ଼୍ ପରାଜୟ ସ୍ଵୀକାର କରି ନାହାନ୍ତି । ତାଙ୍କର ବୁଦ୍ଧି ସମ୍ପୂର୍ଣ୍ଣ ସତେଜ ରହିଛି ଓ ହୃଦୟ ମଧ୍ୟ ଯଦି ସମ୍ଭବତ ପୂର୍ବାପେକ୍ଷା ବିଶାଳତର ହିଁ ହୋଇଛି । କହିବା ବାହୁଲ୍ୟ ଯେ ଡେଭିଡ଼୍ ଅହିଂସାରେ ବିଶ୍ଵାସୀ, ଶାନ୍ତିବାଦୀ । ବିଛଣାରେ ପଡ଼ି ପଡ଼ି ତାଙ୍କର ଅହିଂସା ବିଷୟରେ ଓ ସାରା ଦୁନିଆର ନାନା ସମସ୍ୟା ତଥା ଅର୍ଥନୀତି, ରାଜନୀତି, ସମାଜନୀତି ଆଦି ବିଷୟରେ ଅଧ୍ୟୟନ ଚାଲିଛି, ବନ୍ଧୁମାନଙ୍କ ସହିତ ଅନବରତ ଆଲୋଚନା ଚାଲିଛି । ଏଠି ସେ ଅହିଂସା ଓ ଶାନ୍ତି ବିଷୟରେ ଗୋଟିଏ ଏଭଳି ପୂର୍ଣ୍ଣାଙ୍ଗ ଓ ସମୃଦ୍ଧ ପୁସ୍ତକାଗାର ଏକତ୍ର କରିଛନ୍ତି ଯାହାର ପଟାନ୍ତର ଏ ଦେଶରେ ଅନ୍ୟ କେଉଁଠି ନ ଥିବ । ଏଠି ତାଙ୍କର ଆଖପାଖରେ ଗୋଟିଏ ଖୁବ୍ ଉତ୍ସାହୀ ଓ ସକ୍ରିୟ ଅହିଂସାବାଦୀ ଗୋଷ୍ଠୀ ମଧ୍ୟ ଏକତ୍ରିତ ହୋଇଛି ।

 

ତାଙ୍କର ହାତ ସାମାନ୍ୟ ଟିକିଏ କାମ କରେ । ସେତିକିର ସୁବିଧା ନେଇ ସେ ଅନେକ ବିଷୟରେ ସ୍ଵାବଲମ୍ଵୀ ହୋଇ ପାରିଛନ୍ତି । ତାଙ୍କ ହାତ ପାଖରେ ଗୋଟିଏ ସୁଇଚବୋର୍ଡ଼ରେ ଅନେକଗୁଡ଼ିଏ ବୋତାମ ରହିଛି । ସେ ବୋତାମ ଟିପି ରେଡ଼ିଓ ଏବଂ ଟେଲିଭିଜନ ଯନ୍ତ୍ର ଚଳାଇବା ଓ ବନ୍ଦ କରିବା, ଆଲୁଅ ଜଳାଇବା ଲିଭାଇବା, ଆଦି ଅନେକ କିଛି କରିପାରନ୍ତି । ତାଙ୍କ ମୁଣ୍ତ ପାଖରେ ଟେଲିଫୋନ୍ ରିସିଭର ଲଟକା ହୋଇଛି । ଅନ୍ୟ ଘରେ ଥିବା ମା’ଙ୍କ ସହିତ ତାହାରିଦ୍ଵାରା କଥାବାର୍ତ୍ତା ହୁଅନ୍ତି । ଏହିରୂପେ ସେ ନିଜର ଅକ୍ଷମତାକୁ ଭ୍ରୂକ୍ଷେପ ନ କରି ମାନସର ରାଜ୍ୟରେ ସମ୍ପୂର୍ଣ୍ଣ କର୍ମଠ ରହିଛନ୍ତି । ତାଙ୍କର ପ୍ରଫୁଲ୍ଲତାର ଝରଣା ଅନବରୁଦ୍ଧ ରହିଛି । x x x

 

ଏଠି ଗୋଟିଏ ସଭାର ଆୟୋଜନ କରା ହୋଇଥିଲା । ଡେଭିଡ଼ଙ୍କୁ ଗୋଟିଏ ଚକଲଗା ଚଉକିରେ ବସାଇ ସଭାକୁ ନିଆ ହେଲା । ଏଠୁ ରାତିରେ ମୁଁ ହ୍ୟାରୀ ବ୍ରୁସଙ୍କ ସାଙ୍ଗରେ ତାଙ୍କର ଘର ଉଡ଼ଲ୍ୟାଣ୍ତ କଟେଜକୁ ଗଲି । ହ୍ୟାରୀ ଥିଲେ ପଦାର୍ଥବିଜ୍ଞାନର ଅଧ୍ୟାପକ । ଖୁବ୍ ଉଚ୍ଚକୋଟିର ବିଦ୍ଵାନ । ଏବେ ଅବସର ନେଲେଣି । ତାଙ୍କର ଆଉରି ଘନିଷ୍ଠ ପରିଚୟ ହେଉଛି ସେ ବାସନ୍ତୀ ବେନ ଓରଫ ବାର୍‌ବାରାଙ୍କର ସ୍ଵାମୀ । ବାର୍‌ବାରା ଊଣେଇଶଶହ ପଇଁଚାଳିଶରୁ ସେବାଗ୍ରାମ ଆଶ୍ରମରେ କେତେ ବର୍ଷଯାଏ ଥିଲେ ଓ ସେଠାର କସ୍ତୁରବା ହାସପାତାଲରେ ରୋଗୀସେବା କରୁଥିଲେ । ସେଇଠି ତାଙ୍କୁ ଭାରତୀୟ ନାମ ଦିଆ ହୋଇଥିଲା ବାସନ୍ତୀ ବେନ୍ । ସେବାଗ୍ରାମରେ ୧୯୪୬ରେ ମେ.ର ବାହାଘରବେଳେ ସେ ଉପସ୍ଥିତ ଥିଲେ । ଏଇ ଚେଲଟେନହ୍ୟାମ୍ ଓ ଊସ୍‌ଟର୍ ଅଞ୍ଚଳରେ ମୋର ବୁଲାବୁଲିର କାର୍ଯ୍ୟକ୍ରମ ସେଇ ତିଆରି କରିଥିଲେ ଓ ତାର ଦାୟିତ୍ଵ ସେଇ ନେଇଥିଲେ । ମାତ୍ର ମୁଁ ପହଞ୍ଚିବାର ସାତ ଆଠଦିନ ପୂର୍ବରୁ ସେ ହଠାତ୍ ଗୁରୁତରଭାବେ ଅସୁସ୍ଥ ହୋଇ ହାସପାତାଲରେ ଦାଖଲ ହେଲେ । ତେଣୁ ମୋର ମ୍ୟାନେଜରୀ କରିବାର ଦାୟିତ୍ଵ ପଡ଼ିଲା ହ୍ୟାରୀଙ୍କ ଉପରେ ।

 

ହ୍ୟାରୀ ହେଲେ ଇସପକାହାଣୀର ସେଇ ଦାର୍ଶନିକଙ୍କ ଭଳି ଆତ୍ମଭୋଲା ମଣିଷ ଯେ ଆକାଶର ତାରା ଗଣି ଗଣି କୂଅରେ ଖସି ପଡ଼ିଲେ । ଅତି ସାଦାସିଧା । ପ’ରଦିନ ଆମେ ଯେତେବେଳେ ବାର୍‌ବାରା ବେନଙ୍କୁ ଦେଖିବାକୁ ଉସ୍‌ଟର୍‌ ହାସପାତାଲକୁ ଗଲୁ ସେତେବେଳେ ଦେଖିଲୁ ଯେ ବାର୍‌ବାରାଙ୍କର ଅସୁସ୍ଥତା ଯୋଗୁଁ ହ୍ୟାରୀଙ୍କର ଯେତେ ଚିନ୍ତା ତାଠୁଁ ବେଶୀ ଚିନ୍ତା ହ୍ୟାରୀଙ୍କ ବିଷୟରେ ବାର୍‌ବାରାଙ୍କର ଯେ ସେ ଏକୁଟିଆ କେମିତି ଚଳିବେ, କିଛି ବିପଦ ଆପଦରେ ପଡ଼ିବେ ନାହିଁ କି ! ଯେମିତିଆ ଭୁଲା ମନ ! ବାରମ୍ଵାର କରି ସେ ହାରୀଙ୍କୁ ତାକିଦ୍ କଲେ ଯେ ଖବରଦାର ତେମେ ନିଜେ ଗାଡ଼ି ଚଳେଇ ହାସପାତାଲକୁ ଆସିବ ନାହିଁ । ଯାହା ପଛେ ଖର୍ଚ୍ଚ ପଡ଼ୁ ଟ୍ୟାକ୍‌ସୀ ନେଇ ଆସିବ । ନ ହେଲେ ଗାଡ଼ି ଚଳେଇବାବେଳେ ଅନ୍ୟମନସ୍କ ହେଇ କୋଉ ଖାତରେ ପଡ଼ିବ କିଏ ଜାଣେ ?

 

ବାର୍‌ବାରା ବେନ୍ ଭାରତରେ ତାଙ୍କର ରହଣୀବେଳର କଥା, ଏଠାର ସବୁ ସାଥୀମାନଙ୍କର କଥା ବହୁତ ମନେ ପକେଇଲେ ଓ ସମସ୍ତଙ୍କୁ ବହୁତ ବହୁତ କହିବାପାଇଁ କହିଲେ । ତାଙ୍କର ସ୍ଵାସ୍ଥ୍ୟ ସୁଧିରିଆସୁଥିବାର ଦେଖି ଆମେ ସମସ୍ତେ ଆଶ୍ଵସ୍ତ ହେଲୁ ।

 

ଏଇ ଅଞ୍ଚଳରେ ଗୋଟିଏ ସାନ ଗାଁ ଷ୍ଟାଣ୍ଟନଠାରେ ମିସ୍ ମେରୀ ଓସବୋର୍ଣ ଗୋଟିଏ ଆଶ୍ରମ ଭଳି ସଂସ୍ଥା ଆରମ୍ଭ କରିଛନ୍ତି । ଏଠି ଅଧିକାଂଶ ଲୋକ ଫୁରସତବେଳେ ଶୌକ ବା ‘ହବୀ’ ଭାବରେ କିଛି ନା କିଛି କାମ କରିଥାନ୍ତି । ଏହିରୂପେ ହସ୍ତଶିଳ୍ପ ଶିଖିବାର ବି ଗୋଟାଏ ଚାହିଦା ଅଛି-। ତାହା ଛଡ଼ା ଗାଁର ଲୋକେ, ସହରର ଅଳ୍ପ ଆୟ କରୁଥିବା ଶ୍ରମିକ ପରିବାର କିଛି ଅଧିକା ଆୟ ପାଇଁ ମଧ୍ୟ କୌଣସି ହସ୍ତଶିଳ୍ପ ଶିଖିବାକୁ ଚାହାନ୍ତି । ଏହିଭଳି ହସ୍ତଶିଳ୍ପ ଶିକ୍ଷାଦେବା ସାଙ୍ଗେ ସାଙ୍ଗେ ଲୋକଙ୍କ ଭିତରେ ଏକ ସମାଜ ଭାବନା ଗଢ଼ି ତୋଳିବା ଏହି ସଂସ୍ଥାର ଉଦ୍ଦେଶ୍ୟ । ମେରୀ ପ୍ରଥମେ ଉସ୍‌ଟର୍ ସହରରେ ଶ୍ରମିକମାନଙ୍କ ଭିତରେ ଏହିଭଳି କାମ କରୁଥିଲେ । ଏବେ ଏ ଗାଁକୁ ଆସିଛନ୍ତି-। ଏଠି ଗୋଟିଏ ମୁଣ୍ତିଆ ଉପରେ କେନ୍ଦ୍ରର ଘର ତିଆରି କରୁଛନ୍ତି । ଲୋକଙ୍କଠାରୁ ବହୁତ କିଛି ସାହାଯ୍ୟ କାଠ, ପଥର, ସିମେଣ୍ଟ, ଛଡ଼ ଆଦି ଉପକରଣ ଆକାରରେ ସଂଗ୍ରହ କରିଛନ୍ତି । ଆର୍ଥିକ ସାହାଯ୍ୟ ମଧ୍ୟ ପାଉଛନ୍ତି । ତାହା ଛଡ଼ା ଗାଁର ଲୋକେ ମଝିରେ ମଝିରେ ଆସି ଶ୍ରମଦାନ ବି କରିଦେଇ ଯାଆନ୍ତି । ଆମେ ଯିବାବେଳେ ଦୁଇ ଜଣ ଗ୍ରାମବାସୀ ମା’ ଓ ପୁଅ, ଆସି ସେ ହତାର ଘାସ ବଣକୁ କାଟି ସଫା କରୁଥାନ୍ତି, ଶ୍ରମଦାନ ଆକାରରେ ।

 

ଏ ଘର ତିଆରି ସେତେବେଳେ ବି ପୂରା ହୋଇ ନ ଥାଏ, ତେବେ ଯେତକ ବଖରା ସଂପୂର୍ଣ୍ଣ ହୋଇଯାଇଥାଏ ସେଥିରେ କାମ ଆରମ୍ଭ ହୋଇଥାଏ । କାର୍ପେଟ୍ ବୁଣା, କାଠକାମ ଆଦିର ବ୍ୟବସ୍ଥା ହୋଇଥାଏ । ଏହାଛଡ଼ା ଏଠି ପ୍ରାର୍ଥନା, ମନୋରଞ୍ଜନର କାର୍ଯ୍ୟକ୍ରମ ଆଦିର ମଧ୍ୟ ଆୟୋଜନ କରାଯାଏ । ଗାଁଲୋକେ ବେଶ୍ ଉତ୍ସାହର ସହିତ ଯୋଗ ଦିଅନ୍ତି ।

 

ମେରୀଙ୍କର ବୟସ ସତୁରି ପାଖାପାଖି; କିନ୍ତୁ ସ୍ଵାସ୍ଥ୍ୟ ଭଲ ଅଛି । ଖୁବ କର୍ମଠ ଓ ଉତ୍ସାହରେ ଭରପୁର । କଥାକଥାକେ ହସ ଝରି ପଡ଼େ—ସମସ୍ତଙ୍କ ପ୍ରତି, ସାରା ଦୁନିଆ ପ୍ରତି ତାଙ୍କ ଭିତରେ ଥିବା ସଦ୍ଭାବ ଓ ପ୍ରୀତି କଥାରେ, ପ୍ରତି ଭାବ-ଭଙ୍ଗୀରେ ପ୍ରକାଶ ପାଏ । ସାନ ପିଲାଙ୍କ ଭଳି ଉତ୍ସୁକତାର ସହିତ ସେ ଆମକୁ ତାଙ୍କର ସବୁ ଘର, ସବୁ ବ୍ୟବସ୍ଥା ଗୋଟି ଗୋଟି କରି ଦେଖେଇଲେ । ଆଗକୁ ଏଠି ସେ କେତେ କ’ଣ କରିବାକୁ ଚାହୁଁଛନ୍ତି, କେଉଁଠୁ କେମିତି ସାହାଯ୍ୟ ମିଳିଛି ଓ ମିଳିବ ସେ ସବୁ କଥା କହିଲେ । ବିନୋବା କହିଥାନ୍ତି ଯେ ଜଣେ ମଣିଷ ତ କାମ କରିବା ଗୋଟାଏ ସୀମାବଦ୍ଧ କ୍ଷେତ୍ରରେ, ଖଣ୍ତେ କି ପାଞ୍ଚଖଣ୍ତ ଗାଁରେ, ମାତ୍ର ତା’ର ବିଚାର ଓ ହୃଦୟ ବିଶ୍ଵବ୍ୟାପୀ ହେବା ଉଚିତ । ମେରୀ ଓସବୋର୍ଣ୍ଣଙ୍କଠାରେ ଏହି କଥାର ଦର୍ଶନ ମିଳିଲା ।

Image

 

ଏକୋଇଶ

ଏଠାର ନୂଆ ଶିକ୍ଷା ବ୍ୟବସ୍ଥା

 

ଲଣ୍ତନରେ ମି: ନୀଲ୍‌ସଙ୍କର ପରୀକ୍ଷାମୂଳକ ବିଦ୍ୟାଳୟ ଦେଖିବାର ମୋର ଇଚ୍ଛା ଥିଲା । ପିଲାଙ୍କର ସମଗ୍ର ବ୍ୟକ୍ତିତ୍ଵର ବାସ୍ତବ ବିକାଶ ଏହି ବିଦ୍ୟାଳୟର ଲକ୍ଷ୍ୟ । ମାତ୍ର ଯଥେଷ୍ଟ ପୂର୍ବରୁ ଏଥିପାଇଁ ଉଦ୍ୟମ କରା ନ ଯାଇ ଥିବାରୁ ଏହା ଦେଖିବା ସମ୍ଭବ ହେଲା ନାହିଁ । ତାହା ପରିବର୍ତ୍ତେ ଊଷ୍ଟର୍ ନିକଟରେ ଏକ ଆଧୁନିକ କମ୍ପ୍ରୀହେନସିଭ ସ୍କୁଲ ଦେଖିବାର ସୁଯୋଗ ମିଳିଲା । ସେ ଦେଶରେ ଓ ସେ ଦେଶର ବ୍ଳଟିଂ କାଗଜରୂପୀ ଏ ଦେଶର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର ପ୍ରାଥମିକ ଓ ମାଧ୍ୟମିକ ସ୍ତର ଭିତରେ ଗୋଟିଏ ଗୁରୁତର ପାର୍ଥକ୍ୟ ରହିଛି । ପ୍ରାଥମିକ ସ୍ତରରେ ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଦାୟୀ ଥା’ନ୍ତି । ସେ ସବୁ ବିଷୟ ପଢ଼ାନ୍ତି । ସବୁ ପିଲାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥାଏ । ମାତ୍ର ମାଧ୍ୟମିକ ସ୍ତରରେ ଶିକ୍ଷକମାନେ ଅଲଗା ଅଲଗା ବିଷୟ ପଢ଼ାନ୍ତି । କୌଣସି ଶିକ୍ଷକଙ୍କର କୌଣସି ଶ୍ରେଣୀ ପ୍ରତି ଖାସ୍ ସମ୍ପର୍କ ବା ଦାୟୀତ୍ଵ ନ ଥାଏ । ଏହା ପିଲାମାନଙ୍କର ବ୍ୟକ୍ତିତ୍ଵର ବିକାଶରେ ଏକ ବାଧା ସୃଷ୍ଟିକରେ । ଶିକ୍ଷକଙ୍କଠାରୁ ବିଷୟର ପଠନ ଛଡ଼ା ଅନ୍ୟ ଯେଉଁ ପ୍ରକାରର ମାର୍ଗ ଦର୍ଶନ ଓ ସାହାଯ୍ୟ ମିଳିବା ଉଚିତ ତାହା ମିଳେ ନାହିଁ । କମ୍ପ୍ରୀହେନସିଭ୍ ସ୍କୁଲରେ ଶିକ୍ଷାପ୍ରଣାଳୀର ଏ ଦୋଷ ଦୂର କରିବା ପାଇଁ ଉଦ୍ୟମ କରାଯାଇଛି । ଏହାଛଡ଼ା ଏଥିରେ ଶିକ୍ଷାଦାନର ଆଧୁନିକ ପଦ୍ଧତି ମଧ୍ୟ ଅନୁସରଣ କରାଯାଏ ।

 

ଡ୍ରୟଟ୍ଓ୍ଵିଚଠାରେ ଏ ସ୍କୁଲର ଘରଦ୍ଵାର ଦେଖିବାକୁ ବେଶ ସାଦାସିଧା । ଭିତରେ ଅବଶ୍ୟ ସବୁ ପ୍ରକାରର ସରଞ୍ଜାମ ପୂର୍ଣ୍ଣମାତ୍ରାରେ ରହିଛି । ହେଡ଼ମାଷ୍ଟର ମହାଶୟଙ୍କ ସହିତ ଏ ସ୍କୁଲର ସଂଗଠନ ଓ ପଦ୍ଧତି ବିଷୟରେ ଆଲୋଚନା ହେଲା । ଶିକ୍ଷକମାନଙ୍କୁ ଶ୍ରେଣୀ ପାଇଁ ଦାୟୀ କରିବା ପାଇଁ ଏଠି ଚାରିଜଣ ଶିକ୍ଷକଙ୍କର ଗୋଟିଏ ଗୋଟିଏ ଗୋଷ୍ଠୀ ଗୋଟିଏ ଲେଖାଁ ଶ୍ରେଣୀ ପାଇଁ ଦାୟୀ ହୋଇଥାନ୍ତି । ସେମାନଙ୍କ ଭିତରେ ଜଣେ ମୁଖ୍ୟ, ସଂଯୋଜକ ଥା’ନ୍ତି । ଏମାନେ ସେ ଶ୍ରେଣୀ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଯୋଜନା ପ୍ରତି ମାସରେ ତିଆରି କରନ୍ତି । ପ୍ରତ୍ୟେକ ଛାତ୍ର ବା ଛାତ୍ରୀର ପ୍ରଗତି ଓ ଗତିବିଧି ବିଷୟରେ ମଧ୍ୟ ଆଲୋଚନା ଓ ବିଚାର କରି ତାକୁ ସାହାଯ୍ୟ କରିବାର ପନ୍ଥା ନିରୂପଣ କରନ୍ତି । ଏହିଭଳି ଭାବରେ ପିଲାଙ୍କର ଓ ଶିକ୍ଷକଙ୍କ ଭିତରେ ପ୍ରତ୍ୟକ୍ଷ ସମ୍ପର୍କ ଗଢ଼ି ଉଠିବା ସହଜ ହୁଏ ।

 

ହେଡ଼୍ ମାଷ୍ଟରଙ୍କ ଘରେ ଆମେ ବସିଥିବା ବେଳେ ଏଠାର ବାତାବରଣର ଏକ ଉଦାହରଣ ଦେଖିବାକୁ ମିଳିଲା । ଜଣେ ସାନ ପିଲା ଆସି ଦରଜା ଠକ୍ ଠକ୍ କଲା ଓ ହେଡ଼୍ ମାଷ୍ଟ୍ରେ ଆସିବାକୁ କହିବାରୁ ଆସି କହିଲା ଯେ ତା’ର କେତେକ ପିରିଖ କଣ୍ଟା କ’ଣ ଗୋଟାଏ କାମ ପାଇଁ ଦରକାର । ଗୋଟାଏ ଠଣା ଉପରେ ଥିବା ଏକ କାଗଜ ବାକ୍‌ସରେ କଣ୍ଟା ଥିଲା । ହେଡ଼୍‌ମାଷ୍ଟ୍ରେ ଦେଖାଇଦେଲେ ଓ କାମ ସରିଲେ ବାକୀତକ ଆଣି ଫେରାଇ ଦେବାକୁ କହିଦେଲେ । ଅଳ୍ପ ସମୟ ପରେ ସେ ବଳକା କଣ୍ଟାତକ ନେଇ ଫେରିଆସିଲା; ମାତ୍ର ସେତକ ସେ ଏକ ଟିଣ ଡବାରେ ରଖିଥାଏ । କାଗଜ ବାକ୍‌ସଟା ଟିକିଏ ଛିଣ୍ତିଛାଣ୍ତି ଯାଇଥିଲା, ସେଥିପାଇଁ ସେ ତାହା ବଦଳାଇ ଦେଇଥାଏ । ତାକୁ ଏହା କରିବାକୁ କେହି ବତେଇ ନ ଥିଲେ । ନିଜ ବୁଦ୍ଧିରୁ କାଢ଼ି ଏହା କରିଥାଏ । ହେଡ଼୍‌ମାଷ୍ଟ୍ରେ ତାକୁ ଏଥିପାଇଁ ଧନ୍ୟବାଦ ଦେଲେ । ଦେଖିଲି ଯେ ଡେନମାର୍କରେ ଯେପରି ଲକ୍ଷ୍ୟ କରିଥିଲି ଏଠି ମଧ୍ୟ ସେହିପରି ଛାତ୍ର ଓ ଶିକ୍ଷକଙ୍କ ଭିତରେ ସମ୍ପର୍କ ବେଶ୍ ସହଜ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ।

 

ଏହାପରେ ସ୍କୁଲ ବୁଲି ଦେଖିଲୁ । ଏଠାର ଶ୍ରେଣୀରେ ପାଠ ପଢ଼ାଇବା ପଦ୍ଧତି ସମ୍ପୂର୍ଣ୍ଣ ନୂତନ ରକମର । ପିଲାମାନେ ଶ୍ରେଣାଗୃହରେ ଗୋଟିଏ ଗୋଟିଏ ଟେବୁଲ ଚାରିପଟେ ଚାରି ଚାରି ଜଣ ଲେଖାଁ ବସନ୍ତି । ଆମ ଶ୍ରେଣୀପରି ଗୋଟାଏ ଆଡ଼କୁ ମୁହଁ କରି ଧାଡ଼ି ଧାଡ଼ି ହୋଇ ନୁହେଁ । ଗୋଟିଏ ଶ୍ରେଣୀରେ ପଚାଶ ଜଣ ଖଣ୍ତେ ଥାନ୍ତି ଓ ଏକା ସାଙ୍ଗରେ ତିନି ଚାରି ଜଣ ଶିକ୍ଷକ ପଢ଼ାନ୍ତି ଅପେକ୍ଷା ବରଂ ପଢ଼ାରେ ସାହାଯ୍ୟ କରନ୍ତି କହିବା ଯଥାର୍ଥ ହେବ । ପିଲାଙ୍କୁ କୌଣସି ବିଷୟ ଜଣେ ଶିକ୍ଷକ ପାଞ୍ଚ ଦଶ ମିନିଟ୍ ବୁଝାଇ ଦେଲା ପରେ ସେମାନେ ବହି ସାହାଯ୍ୟରେ ସେ ବିଷୟକୁ ବୁଝନ୍ତି, ନୋଟ୍ ଲେଖନ୍ତି, ଅଙ୍କ ହୋଇଥିଲେ ଅନୁଶିଳନୀରୁ ଅଙ୍କ କଷନ୍ତି । ଶିକ୍ଷକମାନେ ବୁଲି ବୁଲି ଦେଖୁଥାନ୍ତି ଓ ଯାହାଙ୍କର ଯେଭଳି ସାହାଯ୍ୟ ଲୋଡ଼ା ହୁଏ ତାହା କରନ୍ତି ।

 

ଶ୍ରେଣୀରେ ପିଲାମାନେ ବସିଲାବେଳେ ଆପେ ଆପେ ଏଭଳି ବାଣ୍ଟି ହୋଇଯାନ୍ତି ଯେ ତୀକ୍ଷଣ ବୁଦ୍ଧି ଆଗୁଆ ପିଲାଏ ଗୋଟାଏ ମୁଣ୍ତରେ ଓ ମାନ୍ଦା ପିଲାମାନେ ଅନ୍ୟ ମୁଣ୍ତରେ ରହିଥାନ୍ତି । ଫଳରେ ଶିକ୍ଷକମାନଙ୍କୁ ସାହାଯ୍ୟ କରିବାକୁ ସୁବିଧା ହୁଏ । ମାନ୍ଦା ପିଲାଙ୍କ ପ୍ରତି ଖାସ୍ ଦୃଷ୍ଟି ଦେଇପାରନ୍ତି ଓ ତେଜ ପିଲାଙ୍କ ପ୍ରତି ମଧ୍ୟ । ଅନ୍ୟ ସ୍କୁଲ ପରି ଏଠି ମାନ୍ଦା ଓ ତେଜ ସବୁପିଲାଙ୍କୁ ଗୋଡ଼ ମିଳେଇ ଏକା ଗତିରେ ଚାଲିବାକୁ ପଡ଼େ ନାହିଁ । ଯେଉଁ ପିଲାର ଯେଉଁ ବିଷୟରେ ଅଧିକ ଆଗ୍ରହ ଏ ପାରଙ୍ଗମତା ଥାଏ ସେ ବିଷୟରେ ତାକୁ ଆଗେଇ ଯିବାକୁ ଉତ୍ସାହିତ କରାଯାଏ । ସେ ନିଜ ଶ୍ରେଣୀର ବିଷୟକୁ ଶେଷ କରି ଆହୁରି ଆଗକୁ ଉପର ଶ୍ରେଣୀର ପାଠ ଓ ସ୍କୁଲ ପାଠ୍ୟକ୍ରମର ବ୍ୟବହୃତ ସେ ବିଷୟରେ ଅଧିକା ବହିପତ୍ର ପଢ଼ି ଯାଇଥାଏ । ଏହାଦ୍ଵାରା ପିଲାମାନଙ୍କୁ ନିଜ ନିଜ ରୁଚି ଅନୁସାରେ ବିକାଶର ସୁଯୋଗ ପୂରାମାତ୍ରାରେ ମିଳେ ।

 

ଶ୍ରେଣୀଗୃହରେ ଛବି ଚାର୍ଟ ଆଦି ପ୍ରଭୃତି ପରିମାଣରେ ରହିଥାଏ । ଏ ସବୁ ପ୍ରାୟ ପିଲାମାନେ ନିଜେ ସଂଗ୍ରହ କରି ଓ ତିଆରି କରି ସଜେଇଥାନ୍ତି । ପିଲାମାନଙ୍କର ଅଙ୍କା ଚିତ୍ର ମଧ୍ୟ ଗୋଟିଏ ପ୍ରଦର୍ଶନୀ ଆକାରରେ ସଜା ହୋଇଥାଏ ।

 

ଏଠି ଦୈନିକ କିଛି ସମୟ ହାତ କାମ ଓ ବଗିଚା କାମ ପାଇଁ ଦିଆଯାଏ । ହାତକାମ ପାଇଁ ଏକ ସ୍ଵତନ୍ତ୍ର ଘର ରହିଛି । ସେଥିରେ ନାନା ପ୍ରକାରର ହାତକାମପାଇଁ ସବୁପ୍ରକାରର ଯନ୍ତ୍ରପାତି ଓ ସାମଗ୍ରୀ ଖଞ୍ଜା ହୋଇଛି । ପିଲାମାନେ ଫୁର୍‌ସତବେଳେ ବି ଆସି ସେଠି ଶଉକରେ କାମ କରନ୍ତି ।

 

ଏଠାରେ ବିଜ୍ଞାନାଗାର ତ ଆମର ବଡ଼ ବଡ଼ କଲେଜମାନଙ୍କରେ ନ ଥିବ । ଏଠାରେ ମୌଳିକ ଶିକ୍ଷା ନୀତିରେ ସମସ୍ତ ବିଷୟ ବ୍ୟାବହାରିକ କାମ ଓ ଅଭିଜ୍ଞତା ସହିତ ସମବାୟ ବା ଅନୁବନ୍ଧ ପଦ୍ଧତିରେ ଶିକ୍ଷା ଦିଆଯାଏ । ପ୍ରାଣୀବିଜ୍ଞାନ ଶିଖାଇବାପାଇଁ ନାନା ଜୀବଜନ୍ତୁ ପୋଷା ହୋଇଛନ୍ତି । ପିଲାଏ ତାଙ୍କର ଯତ୍ନ ନିଅନ୍ତି । ଉଦ୍ଭିଦ ବିଜ୍ଞାନ ବଗିଚା କାମ ସହିତ ଯୋଡ଼ା ହୋଇଛି-। ପଦାର୍ଥ ବିଜ୍ଞାନ ଓ ରସାୟନରେ ନାନାପ୍ରକାର ପରୀକ୍ଷାନିରୀକ୍ଷା ଉତ୍ସାହିତ କରାଯାଏ । ପ୍ରତି ଦୁଇଜଣ ପିଲାଙ୍କ ପାଇଁ ଗୋଟିଏ ଲେଖାଁ ଅଣୁବୀକ୍ଷଣ ଯନ୍ତ୍ର ରହିଛି ।

 

ଏଠାରେ ଅଙ୍କ ମଧ୍ୟ ଅତ୍ୟାଧୁନିକ ସେଟ୍ ଥିଓରୀ ଅନୁସାରେ ପଢ଼ା ଆରମ୍ଭ କରାଯାଏ । ଯାହା ଫଳରେ ଏଠାର ଉଚ୍ଚ ବିଦ୍ୟାଳୟ ପିଲା ପ୍ରାୟ ଆମର ବି. ଏ., ବି. ଏସ. ସି. ର ସମାନ ଗଣିତ ପଢ଼ିଯାନ୍ତି ।

 

ଇଂଲଣ୍ତରେ ସବୁ ବିଦ୍ୟାଳୟ ଯେ ଏହିଭଳି ତାହା ନୁହେଁ । ସେଠାରେ ପବ୍ଳିକ ସ୍କୁଲ ଓ ଗ୍ରାମର ସ୍କୁଲ ଏହି ଦୁଇ ପ୍ରକାରର ପୁରୁଣା ବ୍ୟବସ୍ଥା ଅଛି । ପବ୍ଳିକ ସ୍କୁଲ ତା’ର ନାମର ବ୍ୟାକରଣଗତ ଅର୍ଥର ବିପରୀତ କେବଳ ସମ୍ଭ୍ରାନ୍ତ ପଇସାବାଲାଙ୍କ ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ଶିକ୍ଷାପଦ୍ଧତି ଓ ଶାସନ ପଦ୍ଧତି ପରଂପରାଗତ ଓ ପ୍ରତିକ୍ରିୟାଶୀଳ ଥିଲା । ବଡ଼ଲୋକଙ୍କ ପିଲାଙ୍କୁ ଜାଠ, ନିର୍ମମ, ସାମ୍ରାଜ୍ୟବାଦୀ ଶାସକରେ ପରିଣତ କରିବା ଏଠା ପବ୍ଳିକ୍ ସ୍କୁଲର କାମ ଥିଲା । ଏବେ ସାମ୍ରାଜ୍ୟ ଲୋପ ହେଲା ପରେ ଏସବୁ ପବ୍ଳିକ୍ ସ୍କୁଲକୁ ଉଠାଇ ଦେବା ପାଇଁ ଦାବୀ ଆରମ୍ଭ ହୋଇଛି । ଏଥିରେ କେତେକ ସୁଧାର ମଧ୍ୟ ହେଲାଣି । ଗ୍ରାମର୍ ସ୍କୁଲ ସର୍ବସାଧାରଣଙ୍କ ପାଇଁ । ଏଥିରେ ପାଠପଢ଼ା ପଦ୍ଧତିର ଆମ ଦେଶର ଗତାନୁଗତିକ ପଦ୍ଧତି ସହିତ ସାଦୃଶ୍ୟ ରହିଛି ।

 

ଏଠାରେ ପିଲାଙ୍କର ତେର ବର୍ଷ ବୟସରେ ଯୋଗ୍ୟତା ପରୀକ୍ଷା କରି କିଏ କେଉଁ ଲାଇନରେ ଯିବ ତାହା ସ୍ଥିର କରିଦେବାର ବ୍ୟବସ୍ଥା ଅଛି । ଉଦ୍ଦେଶ୍ୟ ହେଲା ଯେ ତୀକ୍ଷଣ ବୁଦ୍ଧି ପିଲା ବିଶ୍ଵବିଦ୍ୟାଳୟରେ ରିସର୍ଚ୍ଚ ଆଦି ଦିଗରେ ଯିବେ, ତା’ ତଳର ପିଲା ଇଂଜିନିୟର, ଡାକ୍ତର ଆଦି ହେବେ ଓ ସାଧାରଣ ସ୍ତରର ପିଲା କାରିଗରୀ ଶିକ୍ଷା ପାଇବେ । ମାତ୍ର ଏହା ଗରିବ ଲୋକଙ୍କର ପିଲାଙ୍କୁ ବିଶ୍ଵବିଦ୍ୟାଳୟକୁ ଯିବାକୁ ନ ଦେବାର ଏକ କୌଶଳ ବୋଲି ମଧ୍ୟ ଏହା ବିରୋଧରେ ଆନ୍ଦୋଳନ ହେଉଛି ।

 

ଇଂଲଣ୍ତରେ ବର୍ତ୍ତମାନ ଅଶି ଭଳି କମ୍ପ୍ରୀହେନସିଭ ସ୍କୁଲ ଅଛି । ଶ୍ରମିକ ସରକାର ସେଠାର ସବୁ ସ୍କୁଲରେ ଏହି ପଦ୍ଧତି ଚଳାଇବାକୁ ଚାହୁଁ ଥିଲେ । ଡ୍ରୟଟ୍ଓ୍ଵିଚ୍‌ର ହେଡ଼ମାଷ୍ଟର ଆମକୁ କହିଲେ ଯେ ସରକାର ଯେତେ ଶୀଘ୍ର ଏ ପରିବର୍ତ୍ତନ ଚାହୁଁଛନ୍ତି ସେତେ ଶୀଘ୍ର କରିବା ଠିକେ ହେବ ନାହିଁ, କାରଣ ଉପଯୁକ୍ତ ସଂଖ୍ୟାରେ ତାଲିମପ୍ରାପ୍ତ ଯୋଗ୍ୟ ଶିକ୍ଷକ ପାଇବାକୁ ସମୟ ଲାଗିବ । ତରତର କଲେ ନୂଆ ପଦ୍ଧତିଟା ହିଁ ପାଣିମିଶା ଭେଜାଲ ହୋଇଯିବ । ମାତ୍ର ଏବେ ତ ଜାଠ ସରକାଲ ଆସିଲେଣି; କ’ଣ କରିବେ କେଜାଣି !

 

ଊଷ୍ଟର୍ ସହରରେ ଏକ ପ୍ରାଥମିକ ସ୍କୁଲ ଦେଖିଗଲୁ । ଏହା ଏଠାର ଚର୍ଚ୍ଚ ପକ୍ଷରୁ ଚଳାହୁଏ । ଘରଟା ବହୁତ ପ୍ରାଚୀନ, ଦେଢ଼ଶହ ଦୁଇଶହ ବର୍ଷ ତଳର ହେବ । ତେବେ ସ୍କୁଲରେ ଉପକରଣ ଓ ସାଜସଜ୍ଜା ସବୁ ଆଧୁନିକ ଓ ପୂର୍ଣ୍ଣାଙ୍ଗ । ଏହା ସହିତ ବାଲଓ୍ୟାଡ଼ୀ ମଧ୍ୟ ଚାଲେ । ପିଲାମାନେ ଖୁବ୍ ସତେଜ ଓ ଫୂର୍ତ୍ତିରେ ଥା’ ନ୍ତି ।

 

ଏହି ସହରରେ ଗୋଟିଏ ଶିକ୍ଷକ ତାଲୀମ୍ କଲେଜ ଅଛି । ସେଠି ମତେ ନିମନ୍ତ୍ରଣ କରିଥିଲେ । ସକାଳେ କଲେଜର ନାମ ଆରମ୍ଭ କରିବାର ଆଦ୍ୟରେ ସମବେତ ପ୍ରାର୍ଥନା କରାଯାଏ-। ସେଦିନ ପ୍ରାର୍ଥନାରେ ବିଶ୍ଵଜନଙ୍କର ଏକତା ବିଷୟରେ ଗୋଟିଏ ସୁନ୍ଦର ଭଜନ ବୋଲାହେଲା । ପ୍ରାର୍ଥନା ପରେ ମୁଁ ମଧ୍ୟ ଗାନ୍ଧୀଜୀଙ୍କର ଆଦର୍ଶ ବିଷୟରେ କିଛି କହିଲି ।

 

ଏଠି ଜଣେ ଭାରତୀୟ ଇଂଜିନିୟରି ଶ୍ରୀ ସରକାରଙ୍କର ଆମେ ଅତିଥି ହୋଇଥିଲୁ । ତାଙ୍କର ଘର ପୂର୍ବ ବଙ୍ଗରେ ଥିଲା । ସେଠୁ ଆସି କଲିକତାରେ ବସବାସ କରିଥିଲେ । ଏବେ ଏଠି ରହିଗଲେଣି । ପତ୍ନୀ ଜର୍ମାନ । ଖୁବ୍ କରିତ୍‌କର୍ମା ଲୋକ । ଅନେକ ଖବର ରଖନ୍ତି ଓ ସାମାଜିକ ସମସ୍ୟା ନେଇ ଚିନ୍ତା କରନ୍ତି । ଭାରତ ବିଷୟରେ ମଧ୍ୟ ଅନେକ କଥା ଭାବନ୍ତି । ଗ୍ରାମଦାନ ଗାଁମାନଙ୍କର ଆର୍ଥିକ ବିକାଶ ପାଇଁ ସେଠୁ କି ପ୍ରକାରେ ସାହାଯ୍ୟ କରିପାରିବେ ସେ ବିଷୟରେ ଆଲୋଚନା କଲେ ।

 

ଊଷ୍ଟରରେ ଗୋଟିଏ ଆନ୍ତର୍ରାଷ୍ଟ୍ରୀୟ କ୍ଳବ୍ ଅଛି । ଏଠାରେ ବାସ କରିଥିବା ଦେଶ ବିଦେଶର ଲୋକଙ୍କ ଭିତରେ ପରିଚୟ ଓ ସୌହାର୍ଦ୍ଦ୍ୟ ବଢ଼ାଇବା ଏହାର ଉଦ୍ଦେଶ୍ୟ । ଶ୍ରୀ ସରକାର ଏହି କ୍ଳବର ସମ୍ପାଦକ । ଏ କ୍ଳବ୍ ଓ ଏଠାରେ ଥିବା ରାଷ୍ଟ୍ରସଂଘ ଆସୋସିଏସନ୍ ପକ୍ଷରୁ ଗୋଟିଏ ସଭାର ଆୟୋଜନ ହୋଇଥିଲା । ସେଥିରେ କେତେଜଣ ଭାରତୀୟ ଓ ପାକିସ୍ତାନୀ ଛାତ୍ର ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ସହିତ ଆଳାପ ହେଲା । ଏ ଉଭୟ ଦେଶର ଛାତ୍ର ତ ଏଠି ବେଶ୍ ସୌହାର୍ଦ୍ଦ୍ୟର ସହିତ ରହିଛନ୍ତି । ପାକିସ୍ତାନୀ ଛାତ୍ର ଦୁଇଜଣ ଗାନ୍ଧୀଜୀଙ୍କର ଆଦର୍ଶ ଓ ଗ୍ରାମଦାନ ଆଦି ବିଷୟରେ ଜାଣିବାକୁ ଖୁବ୍ ଉତ୍ସୁକ ଜଣା ପଡ଼ିଲେ । ଊଷ୍ଟରରେ ଶ୍ରୀ ସରକାର ଯେଉଁ କାରଖାନାରେ କାମ କରନ୍ତି ତାହା ଦେଖାଇବାକୁ ନେଇଗଲେ । ଏଠାରେ ନାନାପ୍ରକାରର ଉଚ୍ଚକୋଟିର ମେଶିନ୍ ଟୁଲ୍ ତିଆରି ହୁଏ । କାରଖାନାଟି ବିଶେଷ ବଡ଼ ନୁହେଁ, ମାତ୍ର ଏହାର ବିଶେଷତ୍ଵ ହେଲା ଯେ ଏହାର ପରିଚାଳନା ଆଧୁନିକ ଢଙ୍ଗରେ କରାଯାଏ । ପ୍ରତ୍ୟେକ ସ୍ତରରେ ଶ୍ରମିକ ଓ କର୍ମଚାରୀଙ୍କ ସହିତ ପରାମର୍ଶରେ କାମ କରାଯାଏ । ଉତ୍ପାଦନର ଯୋଜନା ପଦ୍ଧତି ଆଦି ସ୍ଥିର କରାଯାଏ । କାରଖାନାର ଶୃଙ୍ଖଳା ରକ୍ଷା ମଧ୍ୟ ସେହିଭଳି ସମସ୍ତଙ୍କ ପରାମର୍ଶରେ କରାଯାଏ । ଏଥିପାଇଁ ପ୍ରତି ବିଭାଗର ଶ୍ରମିକ, କର୍ମଚାରୀମାନଙ୍କର ନିୟମିତ ବୈଠକ ହୁଏ । ସେହିପରି ସବୁ ବିଭାଗର କର୍ମକର୍ତ୍ତା ଓ ଶ୍ରମିକ ପ୍ରତିନିଧିଙ୍କୁ ନେଇ ସାରା କାରଖାନାର ବୈଠକ ବସେ । ଏହା ଫଳରେ ଏଠି ପରିଚାଳକ ଓ ଶ୍ରମିକଙ୍କ ଭିତରେ ଭଲ ବୁଝାମଣା ରହିଛି । ଧର୍ମଘଟ ଆଦି କେବେ ହୋଇ ନାହିଁ । ଅଳ୍ପ ଦିନ ତଳେ ଥରେ ମାତ୍ର ଓଳିକ ପାଇଁ କାମ ବନ୍ଦ ହୋଇଥିଲା । କିନ୍ତୁ ତୁରନ୍ତ ଆଲୋଚନା ଦ୍ଵାରା ତାହାର ସମାଧାନ ହୋଇଗଲା ।

Image

 

ବାଇଶ

ବରମିଂହାମ୍ ଓ ଶେକ୍‌ସପୀୟର ତୀର୍ଥ

 

ଊଷ୍ଟରରୁ ବର୍ମିଂହାମ । ମିସ୍ ରୁଥ୍ ରିଚାର୍ଡ଼ସନ୍ ମତେ ନେବାକୁ ବସ୍ ରହଣୀଠାକୁ ଆସିଥିଲେ । ବୟସ ସତୁରୀ ହେବ ମାତ୍ର ଖୁବ୍ କର୍ମଠ, ନିଜେ ଗାଡ଼ି ଚଳାନ୍ତି । ମିସ୍ ରିଚାର୍ଡ଼ସନ ଶାନ୍ତିବାଦୀ ଓ ଭାରତପ୍ରେମୀ । ଏହାଙ୍କ ଘର ଏଠାର ଶାନ୍ତିବାଦୀ ତଥା ଭାରତୀୟମାନଙ୍କର ଏକ ଆଡ଼୍ଡ଼ା । ଭାରତରୁ ଯେ କେହି ବିଶିଷ୍ଟ ଅବିଶିଷ୍ଟ ଲୋକ ଏଠାକୁ ଆସିଲେ ମିସ୍ ରିଚାର୍ଡ଼ସନ୍‌ଙ୍କ ଘରେ ପାଦ ପଡ଼େ । ସ୍ଵଭାବତଃ ଏଠି ଏକ ସଭା ଏହାଙ୍କ ଘରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ଭାରତୀୟମାନଙ୍କ ଭିତରୁ ଡଃ ପ୍ରେମ ଓ ତାଙ୍କ ସ୍ତ୍ରୀ, ବ୍ରହ୍ମାନନ୍ଦ, ଶ୍ରୀ ଗୋସ୍ଵାମୀ, ଶ୍ରୀ ରାଓ ଆସିଥିଲେ ଏବଂ ଆସିଥିଲେ କୋରାପୁଟର ଦୁଇଜଣ ଖ୍ରୀଷ୍ଟାନ ବନ୍ଧୁ ସର୍ବଶ୍ରୀ ବାଞ୍ଚ୍ଥାନିଧି ମହାନ୍ତି ଓ ବିଜୟ ଦାସ-। ଏମାନେ ସେଠାର ଉଡ଼୍‍ବ୍ରୋକ୍ କଲେଜରେ ଅଧ୍ୟୟନ ପାଇଁ ଯାଇଥିଲେ । ଏ କଲେଜଟି କ୍ଵେକର୍‌ମାନଙ୍କର ଏକ ପୁରୁଣା ଅନୁଷ୍ଠାନ ଓ ଏଥିରେ ସାଧାରଣ ସେବକମାନଙ୍କୁ ବିବିଧ ବିଷୟ ଶିକ୍ଷା ଦେବାର ଖୁବ୍ ଭଲ ବ୍ୟବସ୍ଥା ରହିଛି । ପରେ ମୁଁ ଏ କଲେଜ ଦେଖିବାକୁ ଯାଇଥିଲି ।

 

ଲଣ୍ତନର ବାଟଘାଟରେ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜର ଅଗଣିତ କଳା ସ୍ତ୍ରୀ ପୁରୁଷଙ୍କୁ ଦେଖି ଦେଖି ମୋ ମନରେ ଗୋଟାଏ ଭାବନା ବରାବର ଉଠୁଥିଲା ଯେ କୋରାପୁଟ ପ୍ରଭୃତିର ଜନତା କେବେ ଏହିଭଳି ସାରା ବିଶ୍ଵର ଜନତା ସାଙ୍ଗରେ ସମାନ ହୋଇ ଛିଡ଼ା ହେବ । କେବେ କୋରାପୁଟର ଲୋକେ ପେଷଣ ଓ କଷଣରୁ ମୁକ୍ତ ହୋଇ ପଦାକୁ ବାହାରିବେ ଓ ପୃଥିବୀର ରାଜଧାନୀମାନଙ୍କରେ ମୁଣ୍ତ ଟେକି ବିଚରଣ କରିବେ । ଏଠି ବରମିଂହାମରେ କୋରାପୁଟରୁ ଆସିଥିବା ଏ ଦୁଇଜଣ ଭାଇଙ୍କୁ ଦେଖି ମୋର ଯେତିକି ବିସ୍ମୟ ସେତିକି ଆନନ୍ଦ ହେଲା ।

 

ବ୍ରହ୍ମାନନ୍ଦ ପଞ୍ଜାବର ଯୁବକ । ତାଙ୍କ ବଡ଼ ଭାଇ ସଚ୍ଚିଦାନନ୍ଦ ଅନେକ ଦିନ ଓଡ଼ିଶାରେ କୋରାପୁଟରେ ଗ୍ରାମଦାନ ନିର୍ମାଣ କାମ କରିଥିଲେ । ବ୍ରହ୍ମାନନ୍ଦ ମଧ୍ୟ ଭୂଦାନ ଆନ୍ଦୋଳନରେ ପୂରା ସମୟ ଦେଇ ଉତ୍ତମ କାର୍ଯ୍ୟ କରୁଥିଲେ । ଏବେ କେତେ ବର୍ଷ ହେଲା ବର୍ମିଂହାମ୍ରେ ଏକ କାରଖାନାରେ କାମ କରୁଛନ୍ତି । ସଭାରେ ମୁଁ କହିଲି ଯେ ଆମର ଜଣେ ସହକର୍ମୀ ବ୍ରହ୍ମାନନ୍ଦ ଏଠି ନିକଟରେ କେତେବର୍ଷ ହେଲା ଆସି ରହିଛନ୍ତି । ସେ ଆପଣମାନଙ୍କୁ ଭୂଦାନ ଗ୍ରାମଦାନ ବିଷୟରେ ନିଶ୍ଚେ କିଛି ଶୁଣାଇଥିବେ ।

 

ସଭା ସରିବା ପରେ ଗୋସ୍ଵାମୀ କି ରାଓ କେହି ଜଣେ କହିଲେ “ବ୍ରହ୍ମାନନ୍ଦ ପରା ଆପଣଙ୍କ ପାଖରେ ବସିଥିଲେ !” ବ୍ରହ୍ମାନନ୍ଦ ମଧ୍ୟ ଆସି ମତେ ସାଙ୍ଗେ ସାଙ୍ଗେ କୁଣ୍ଢାଇ ପକାଇଲେ । ଭାରତରେ ଥିବାବେଳେ ଲମ୍ଵା ବାଳ, ଲମ୍ଵା ଦାଢ଼ି, ବାବାଜି ମାର୍କା ଲୁଙ୍ଗୀ, ସେଠି ଯାଇ ସେ ସବୁ ଚିକ୍‍କଣ ସଫା, ପ୍ୟାଣ୍ଟକୋର୍ଟ ଟାଇ ପିନ୍ଧା, ଚିହ୍ନିବି କିପରି ?

 

ଅନେକ ଗପସପ ହେଲା । ଏବେ ଇଂଲଣ୍ତରେ ଯେ ବର୍ଣ୍ଣବିଦ୍ଵେଷ ମୁଣ୍ତ ଟେକୁଛି ତାହା ବିରୋଧରେ ଏଠି ମୋର ଆସିବାର ପୂର୍ବଦିନ ଏକ ବିରାଟ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏଠାରେ ଥିବା ସବୁ ଦେଶର ଓ ସବୁ ଧର୍ମର ପ୍ରାୟ ପାଞ୍ଚ ହଜାର ଲୋକ ଏକ ମୌନ ଶୋଭାଯାତ୍ରାରେ ସହରରେ ବୁଲିଥିଲେ ଓ ଶେଷକୁ ଏକ ସର୍ବଧର୍ମ ପ୍ରାର୍ଥନା ସଭା କରିଥିଲେ । ସେଥିରେ ଏଠାର ସବୁ ଖ୍ରୀଷ୍ଟାନ ସଂପ୍ରଦାୟର ପାଦ୍ରୀମାନେ ବି ଯୋଗ ଦେଇଥିଲେ । ବର୍ଣ୍ଣବିଦ୍ଵେଷ ବିରୋଧରେ ଓ ସାର୍ବଜନୀନ ମୈତ୍ରୀ ଉପରେ ଜୋର ଦେଇ ବକ୍ତୃତାମାନ ମଧ୍ୟ ସମସ୍ତଙ୍କ ପକ୍ଷରୁ ହେଇଥିଲା । ସମସ୍ତ କାର୍ଯ୍ୟକ୍ରମଟି ଖୁବ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ପ୍ରଭାବକାରୀ ଢଙ୍ଗରେ ପରିଚାଳିତ ହେଇଥିଲା । ମୋର ଦୁଃଖ ହେଲା ଯେ ମୁଁ ଏହା ଦେଖି ପାରିଲି ନାହିଁ ।

 

କେତେଜଣ ଛାତ୍ରଛାତ୍ରୀ ମଧ୍ୟ ରିଚାର୍ଡ଼ସନଙ୍କ ଘର ସଭାକୁ ଆସିଥିଲେ । ସେମାନଙ୍କ ସହିତ ବର୍ତ୍ତମାନର ଛାତ୍ର ସମସ୍ୟା ବିଷୟରେ ଭଲ ଆଲୋଚନା ହେଲା । ସେଥିରେ ଜଣେ ଛାତ୍ରୀ ଯାହା କହିଲା ତା ମୋ ମନରେ ଲାଖି ରହିଛି । ଜଣେ ଭଦ୍ରଲୋକ ମନ୍ତବ୍ୟ କଲେ ଯେ ଆଜିକାଲିକାର ପିଲାମାନେ ସବୁ ନଷ୍ଟ ହେଇଯାଉଛନ୍ତି, କେବଳ ଫେସନ୍ କରିବା, କାହାରି କଥା ନମାନିବା ଏଇ ସବୁ ଚାଲିଛି ।

 

ଏ କଥାର ଜବାବରେ ଗୋଟିଏ ସାନଝିଅ, ହାଇସ୍କୁଲରେ ପଢ଼େ, କହିଲା, “ଏଭଳି ବିଚାରିବା ଠିକ ନୁହେଁ । ଅନେକ ପିଲା ଅବଶ୍ୟ ଛଇଛାଣ୍ଟ ହେବାରେ ମାତିଛନ୍ତି, ମାରିହୁଆନା, ଏଲ୍ ଏସ୍ ଡ଼ି ଆଦି ଖାଉଛନ୍ତି, କିନ୍ତୁ ସମସ୍ତ ଛାତ୍ର ବା ଯୁବସମାଜକୁ ସେଭଳି ବିଚାରିବା ଠିକ୍‍ ନୁହେଁ । ଏସବୁ ଯାହା ଦେଖାଯାଉଛି ସେସବୁ କେବଳ ଉପରର ଫେଣ । ତା’ ତଳେ ଗୋଟାଏ ନୂତନ ଚିନ୍ତାର ପ୍ରବାହ ଚାଲିଛି, ବହୁ ଛାତ୍ରଛାତ୍ରୀ ଏକ ନୂଆ ମୂଲ୍ୟବୋଧର ସନ୍ଧାନ କରୁଛନ୍ତି । ପୁରୁଣା ସମାଜପ୍ରତି ଆମର ସମସ୍ତଙ୍କର ଆସ୍ଥା ତୁଟି ଯାଇଛି, ମାତ୍ର ନୂଆର ସନ୍ଧାନ ମିଳି ନାହିଁ । ତା’ରି ବାଟ ଖୋଜା ଚାଲିଛି । ସେଇଟାଇ ଏଥିରେ ଅସଲ କଥା ।”

 

ତାହାର କଥାର ଗାମ୍ଭୀର୍ଯ୍ୟ ଓ ସଚ୍ଚୋଟ ପଣିଆ ଆମ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏଇ ବିଷୟ ନେଇ ତା’ପରେ ବେଶ କିଛି ସମୟ ଆଲୋଚନା ଚାଲିଲା । ସଭା ଶେଷରେ କିଛି ଚା ଓ ଜଳଯୋଗର ବ୍ୟବସ୍ଥା ଥିଲା । ଦେଖିଲି ଯେ ଖର୍ଚ୍ଚ ତୁଲାଇବା ପାଇଁ ଏକଶିଲିଂ ଦୁଇଶିଲିଂ କରି ଚାନ୍ଦା ସମସ୍ତଙ୍କଠାରୁ ସଂଗ୍ରହ କରା ହେଲା ।

 

ମହାକବି ସେକ୍‌ସପିଅରଙ୍କର ଜନ୍ମସ୍ଥାନ ଷ୍ଟ୍ରାଟଫୋର୍ଡ଼ ଅପନ୍ ଏଭନ୍ ଏଠୁ କୋଡ଼ିଏ ମାଇଲ ଖଣ୍ତେ ଦୂର । ପରଦିନ ସକାଳେ ସେଠାର ତୀର୍ଥଯାତ୍ରାରେ ବସରେ ବାହାରିଲି । ଷ୍ଟ୍ରାଟଫୋର୍ଡ଼ ଛୋଟ ସହର, ବଡ଼ ଧରଣର ଗାଁ କହିଲେ ଅତ୍ୟୁକ୍ତି ହେବନାହିଁ । ଏଭନ୍ ନଈ ମଧ୍ୟ ଅତି କ୍ଷୁଦ୍ର । ଏ ସହରଟିଯାକ ଜାଣି ସେକ୍‌ସପିଅରଙ୍କ ସ୍ମୃତିକୁ ସମ୍ଵଳ କରି ବଞ୍ଚିଛି, ପ୍ରତିଦିନ ଏଠାକୁ ଦେଶ ବିଦେଶରୁ ହଜାର ହଜାର ଦର୍ଶନାର୍ଥୀ ଆସୁଛନ୍ତି ଓ ସେମାନଙ୍କ ପାଇଁ ହୋଟେଲ, ବଜାର, ଗାଡ଼ି, ସୋଭେନିର୍ ଆଦିର ଯୋଗାଣ କରି ଏଠାର ଅଧିକାଂଶ ଲୋକେ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ମନେ ହେଲା । ଏଠାରେ ସେକ୍‌ସପିୟରଙ୍କ ଜନ୍ମସ୍ଥାନ ଓ ତାଙ୍କର ପ୍ରେୟସୀ ଏନ୍‌ହ୍ୟାଥ୍ଓୟେଙ୍କ ଜନ୍ମସ୍ଥାନ ଏକ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ପକ୍ଷରୁ ସୁରକ୍ଷିତ ହୋଇ ରହିଛି । ଏହା ଛଡ଼ା ଏବେ ମହାକବିଙ୍କର ଚତୁଃଶତବାର୍ଷିକୀ ଉପଲକ୍ଷରେ ସେଠାରେ ଏକ ନୂଆ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ସେକ୍‌ସପିୟରଙ୍କ ବିଷୟରେ ନାନା ତଥ୍ୟ ଓ ସାମଗ୍ରୀ ସଂଗୃହୀତ ହେଇ ରହିଛି, ତାଙ୍କର ଜୀବନ ଓ ସାହିତ୍ୟ ସମ୍ଵନ୍ଧରେ ଗବେଷଣା ମଧ୍ୟ କରାଯାଉଛି ।

 

ସେକ୍‌ସପିୟରଙ୍କର ଘରଟି ଦୋତାଲା କୁଟୀର । ମେଜିଆ ସବୁ କାଠ । ଘରର ସାଜସଜ୍ଜା ସେଇକାଳରେ ଯାହା ଥିଲା ତାହା ହିଁ । ପଲଙ୍କ ଗୁଡ଼ାକ ଦେଖି ଜଣାଗଲା ଯେ ସେ କାଳରେ ଲୋକମାନେ ବେଶ ଗେଡ଼ା ଥିଲେ । ପାଞ୍ଚଫୁଟରୁ ସେଗୁଡ଼ାକ ବେଶୀ ଲମ୍ଵ ହେବ ନାହିଁ । କୌଣସି ପ୍ରକାରର ଘାସର ବୁଣା ଚଟେଇ ସବୁ ତଳେ ବିଛା ହେବାର ଦେଖିଲି । ଆମ ଦେଶର ଖଜୁରି ଚଟେଇ ପରି ବୁଣା । ଗୋଟାଏ ମଜାର ଜିନିଷ ଦେଖିଲି, ଗୋଟାଏ ଘରେ ମଝିରେ କରି ଗୋଟାଏ ସରୁ କାଠ ଖୁମ୍ଵ ତଳୁ ଉପରଯାଏ ଲାଗିଛି, ଦୁଇ ମୁଣ୍ତଯାକ ଘାଇ ଭିତରେ ରହିଛି ଯେପରିକି ଖୁମ୍ଵଟା ଅଖ ଭଳି ବୁଲି ପାରିବ । ଏହା ସାନ ପିଲାଙ୍କୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ହେଉଥିଲା ବୋଲି ବିବରଣ ଲେଖାଥାଏ । ପଘା ଦେଇ ପିଲାଙ୍କୁ ଏଥିରେ ଯୋଚି ଦେଲେ ସେ ଚାରିପଟେ ବୁଲୁଥିବା ସାଙ୍ଗେ ସାଙ୍ଗେ ଖୁଣ୍ଟ ବି ବୁଲୁଥିବ, ସେଥିରେ ଆଉ ପଘା ଗୁଡ଼େଇ ହେଇ ଛୋଟ ହେଇ ଯିବନାହିଁ । ସେକ୍‌ସପିୟର ବି ହୁଏତ ଏଇଥିରେ ଯୋଚା ହୋଇଥିବେ !

 

ଏଠି ଏଭନ୍ ନଈ କୂଳରେ ବେଶ୍ ସୁନ୍ଦର ବଗିଚା କରାଯାଇଛି ଓ ଫଳରେ ଏଠାରେ ବସି ଆଡ଼୍ଡ଼ା ଦେବା ବା ବୁଲାବୁଲି କରିବା ପାଇଁ ସ୍ଥାନଟି ବେଶ୍ ଉପାଦେୟ ହୋଇଛି । ମାତ୍ର ଏତେ ଦିନ ପରେ ଏଇଠି ଆସି ମାର୍କାମରା ଇଂରେଜୀ ପାଗ, ଝିପି ଝିପି ବର୍ଷା ଓ କାଲୁଆ ପବନ, ମୋର ପିଛା ଧରିବାରୁ ଆଉ ଏଠାର ସୌନ୍ଦର୍ଯ୍ୟ ବେଶୀ ଉପଭୋଗ କରି ହେଲା ନାହିଁ ।

 

ସେଦିନ ସଂଧ୍ୟାରେ ବର୍ମିଂହାମ୍ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରେ ଏକା ସାଂଧ୍ୟମିଳନରେ ଏଠାର ବିଭିନ୍ନ ଶାନ୍ତିବାଦୀ ସଂସ୍ଥା ସହିତ ସଂପୃକ୍ତ ଥିବା ଅନେକ ବନ୍ଧୁ ଏକତ୍ରିତ ହେଇଥିଲେ । ଏଠି ପ୍ରଫେସର ଅଷ୍ଟରଗାର୍ଡ଼ଙ୍କ ସହିତ ଭେଟ ହେଲା । ଏ ମହାଶୟ ଭାରତରେ ସର୍ବୋଦୟ ଆନ୍ଦୋଳନରେ ନେତୃତ୍ଵର ରୂପରେଖ ବିଷୟରେ ଅଧ୍ୟୟନ କରିବାକୁ କିଛିଦିନ ଭାରତକୁ ଆସିଥିଲେ ଓ ଏବେ ସେ ବିଷୟରେ ତାଙ୍କର ଥେସିସ୍ ଲେଖୁଛନ୍ତି । ସର୍ବୋଦୟ ଆନ୍ଦୋଳନ ବିଷୟରେ ସେ ଅନେକ କିଛି ଖବର ରଖନ୍ତି । ତେଣୁ ଆଲୋଚନାଟା ଖୁବ୍ ଜମିଲା । ତେବେ ମତେ ରାତି ନଅଟାରେ ମ୍ୟାନଚେଷ୍ଟର ପାଇଁ ଟ୍ରେନ ଧରିବାକୁ ଥିବା ଯୋଗୁଁ ଶୀଘ୍ର ଶୀଘ୍ର ସାରିବାକୁ ହେଲା ।

 

ମ୍ୟାନଚେଷ୍ଟରର ଟ୍ରେନରେ ଜଣେ ଗୁଜୁରାତି ଭଦ୍ରଲୋକ ଶ୍ରୀ ପଟେଲଙ୍କ ସହ ଆଳାପ ହେଲା । ଉଲ୍‌ଟନ୍‌ର ମିନ୍‌ସିପାଲିଟିରେ କାମ କରନ୍ତି । ଏହାଙ୍କ ଘର ଲବଣ ସତ୍ୟାଗ୍ରହର ସେହି ପ୍ରସିଦ୍ଧ ପୀଠ ଦାଣ୍ତୀ ନିକଟରେ ଥିବା କରାଡ଼ୀ ଗାଁରେ । କରାଡ଼ୀରେ ରିଲଖୁଶ ଦିଓ୍ୟାନଜୀ ବୋଲି ଜଣେ ନିଷ୍ଠାପର ସର୍ବୋଦୟ କର୍ମୀ ସେଇ ଯୁଗରୁ ଆଜିଯାଏ କାମ କରି ଆସୁଛନ୍ତି । ସେଠି ସେ ଏକ ବିଦ୍ୟାଳୟ ମଧ୍ୟ ଚଳାନ୍ତି । ଶ୍ରୀ ପଟେଲ ତାଙ୍କରି ଛାତ୍ର ଥିଲେ । ଦିଓ୍ୟାନଜୀଙ୍କ ସାଙ୍ଗରେ ବହୁତ କାମ କରିଛନ୍ତି, ଗାନ୍ଧୀଜୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ୧୯୪୦ କି ୧୯୪୧ ରେ ସେ ଜୀବିକା ସଂଧାନରେ କେନିଆ ଗଲେ । ସେଠି ଛବିଶ ବର୍ଷ କଟେଇବା ପରେ ଭାରତୀୟମାନଙ୍କର ବିତାଡ଼ନ ଆରମ୍ଭ ହେଲାରୁ ତଡ଼ା ଖାଇଲେ । ସେଠି ମଧ୍ୟ ସେ ଏକ ମୁନସିପାଲିଟି ଅଫିସରେ କାମ କରୁଥିଲେ । ସେଠି ତାଙ୍କୁ ଚାକିରୀରୁ କାଢ଼ି ଦିଆଯାଇଛି ମାତ୍ର ପେନଶନ୍ ମିଳୁଛି ।

 

ଇଂଲଣ୍ତର ପରିସ୍ଥିତିରେ ସେ ଖୁବ୍ ସନ୍ତୁଷ୍ଟ । ବିଶେଷ କରି ଏଠାର ସାମାଜିକ ସୁରକ୍ଷା ବ୍ୟବସ୍ଥାର ପ୍ରଶଂସାରେ ପଞ୍ଚମୁଖ ହେଇ ଉଠିଲେ । ରଙ୍ଗଭେଦ ବିଷୟରେ ସେ ବିଶେଷ ଚିନ୍ତିତ ଦେଖାଗଲେ ନାହିଁ । କହିଲେ “କିଛି ମନ୍ଦ ଲୋକ ତ ସବୁ କାଳେ ସବୁ ଦେଶରେ ଥାନ୍ତି । ମାତ୍ର ସେଥିପାଇଁ ଭାବିବାର କିଛି ନାହିଁ । ଆଇନ ତ ଆମ ସପକ୍ଷରେ ଅଛି ।” ଏହାଙ୍କର ପୁଅଝିଅ ମାନେ ଏଠି ପାଠ ପଢ଼ୁଛନ୍ତି, ଗୋଟିଏ ଝିଅ ଚାକିରୀ କଲାଣି । ସବୁ ମନ୍ତେ ନିଶ୍ଚିନ୍ତ ଥିଲେ ବି ଦେଶକୁ ପୂରା ଭୁଲି ନାହାନ୍ତି । ଗାଁରେ ଘର ତିଆରୀ କରାଉଛନ୍ତି । ଏଠୁ ଅବସର ନେଲେ ଯାଇ ରହିବେ । ମାତ୍ର ପିଲାମାନେ ଯିବାକୁ ଚାହିଁବେ କି ? କେଜାଣି ।

Image

 

ତେଇଶ

ହ୍ରଦ ଅଞ୍ଚଳ ଓ ଶାନ୍ତିଗୋଷ୍ଠୀ

 

ମ୍ୟାନ୍‌ଚେଷ୍ଟରରେ ଜଣେ ନିକଟ ଆତ୍ମୀୟଙ୍କ ଘରେ ରହିବାର ଦିନଟିଏ ବିଶୁଦ୍ଧ ଆଡ଼୍ଡ଼ା ଦେଇ କଟେଇଲି । ଏଠି ଗୋଟିଏ ମଜାର ବ୍ୟବସ୍ଥା ଦେଖିଲି । ଘର ଗରମ କରିବାକୁ ଯେଉଁ ହୀଟର (ବୈଦ୍ୟୁତିକ ଉହ୍ଵେଇ) ଅଛି, ଗାଧୁଆ ଘରେ ପାଣି ଗରମ କରିବା ହୀଟର୍ ଓ ରୋଷେଇ ଘରର ବିଜୁଳି ଚୁଲି, ଏ ସବୁଥିରେ ପଇସା ବାକ୍‌ସ ଲାଗିଛି । ଉହ୍ଵେଇରେ ଏକ ଶିଲିଂ ପକେଇଲେ ଦୁଇରୁ ଚାରି ଘଣ୍ଟାଯାଏ ଜଳିବ । ଗାଧୁଆଘର ଗରମ ପାଣି ଯନ୍ତ୍ରରେ ଏକ ଶିଲିଂ ପକେଇଲେ ଦୁଇବାଲଟି ଖଣ୍ତେ ପାଣି ଗରମ ହେବ । ଚୁଲି ପାଇଁ ଛ ପେନୀ ପକେଇଲେ ଅଧ ଘଣ୍ଟାଏ ଖଣ୍ତେ ଜଳିବ । ଘର ମାଲିକ ମଝିରେ ବାକ୍‌ସ ଖୋଲି ଜମା ପଇସାତକ ନେଇଯାଏ । ତୁରନ୍ତ ତୁରନ୍ତ ହିସାବ ନିକାଶ । କେତେ ଗ୍ୟାସ୍ କେତେ ବିଜୁଳି ଖରଚ ହେଲା ତାହାର ହିସାବ ନେଇ ବକ୍ ବକ୍ ଝକ୍ ଝକ୍‌ର ଅବକାଶ ନାହିଁ । ପଚାରି ବୁଝିଲି ଘର ଗରମ କରିବାକୁ ଶୀତଦିନେ ମାସକୁ ତିନିଶହ ଟଙ୍କା ତ ଖରଚ ହୋଇଯାଏ । ଏ ଥଣ୍ତା ଦେଶରେ ଏ ଗୋଟାଏ ଖୁବ୍ ବଡ଼ ଖରଚ । ଘର, ସ୍କୁଲ, ଅଫିସ ପ୍ରଭୃତି ଗରମ ନ ରଖିଲେ ତ ମୋଟେ ଚଳି ହେବ ନାହିଁ । ଏଥିପାଇଁ ସବୁଠାରୁ ଆଦିମ ବ୍ୟବସ୍ଥା ହେଲା ଘରେ କାଠ ବା କୋଇଲା ଜାଳିବା । ଏଥିପାଇଁ ସବୁ ପୁରୁଣା ଘରମାନଙ୍କରେ ଗୋଟାଏ ଅଗିଜଳା ସ୍ଥାନ ଥାଏ । ଏବେ ବ୍ୟବସ୍ଥା ହେଉଛି ଗ୍ୟାସ୍ ବା ବିଜୁଳୀ ହୀଟର୍ । ବଡ଼ ବଡ଼ ଆଧୁନିକ କୋଠାମାନଙ୍କରେ ଘରସବୁ ଗରମ କରିବାର କେନ୍ଦ୍ରୀୟ ବ୍ୟବସ୍ଥା ଥାଏ । ଗୋଟାଏ ଜାଗାରେ ପାଣି ଗରମ ହୋଇ ଘରମାନଙ୍କରେ କାନ୍ଥରେ ଲାଗିଥିବା ନଳ ବାଟେ ପ୍ରବାହିତ ହେଇ ଘରସବୁକୁ ଗରମ କରେ ।

 

ଇଂଲଣ୍ତର ଉତ୍ତର-ପଶ୍ଚିମରେ ଏକ ହ୍ରଦ ଅଞ୍ଚଳ ଅଛି । ପାହାଡ଼ିଆ ଅଞ୍ଚଳ ଭିତରେ ବଡ଼ ବଡ଼ ହ୍ରଦ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ସମୃଦ୍ଧ, ଭ୍ରମଣକାରୀମାନଙ୍କ ପ୍ରତି ଏକ ଦୁର୍ଲଘ୍ୟ ଆକର୍ଷଣ । ଏହି ଅଞ୍ଚଳରେ କ୍ଵେକରମାନଙ୍କର ଏକ କେନ୍ଦ୍ରରେ ଏହି ସମୟରେ ଶାନ୍ତିବାଦୀମାନଙ୍କର ଏକ ଆଲୋଚନାଚକ୍ର ଚାଲିଥିଲା । ବିଷୟ ଥିଲା ଅହିଂସାର ତାଲୀମ୍ । ଇଂଲଣ୍ତ, ଯୁକ୍ତରାଷ୍ଟ୍ର, କ୍ୟାନାଡ଼ା ଓ ହଲାଣ୍ତରୁ ମୋଟ କୋଡ଼ିଏ ଜଣ ଯୋଗ ଦେଇଥିଲେ । ଏ ଚକ୍ର ସାତ ଦିନ ଯାଏ ଚାଲିଲା, ମାତ୍ର ମୁଁ ସେଥିରେ ଦୁଇଦିନ ପାଇଁ ଯୋଗ ଦେଇଥିଲି ।

 

ଯେଉଁମାନେ କୌଣସି ପ୍ରକାରର ଅହିଂସା ଆନ୍ଦୋଳନ ବା କାର୍ଯ୍ୟକ୍ରମର ପରିଚାଳନା କରିବେ ତଥା ଯେଉଁମାନେ ସେଥିରେ ଅଂଶ ଗ୍ରହଣ କରିବେ ସେ ସମସ୍ତଙ୍କୁ କି କି ବିଷୟରେ ଓ କିପରି ଭାବରେ ତାଲିମ ଦିଆଯିବ ତାହା ହିଁ ଏଠାରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚିତ ହେଉଥିଲା । ଗତ ବର୍ଷମାନଙ୍କରେ ଇଂଲଣ୍ତ ତଥା ଆମେରିକାରେ କେତେଗୁଡ଼ିଏ ବଡ଼ଧରଣର ଅହିଂସ ପ୍ରଦର୍ଶନ କଳା ଗୋରା ରଙ୍ଗଭେଦ, ଭିଏତନାମ ଯୁଦ୍ଧ ଓ ପରମାଣୁ ଅସ୍ତ୍ର ବିରୋଧରେ ହୋଇଯାଇଛି । ଆମେରିକାର ଗୋଟିଏ ଗୋଟିଏ ପ୍ରଦର୍ଶନରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଛନ୍ତି । ଏ ସମସ୍ତଙ୍କୁ ଅହିଂସାର ଶୃଙ୍ଖଳାରେ ରଖିବା କିଛି ଛୋଟିଆ କାମ ନ ଥିଲା । ସଭା, ଶୋଭାଯାତ୍ରା, ପିକେଟିଂ ଆଦିର ଆୟୋଜନ କରିବାର ବହୁତ ଅଭିଜ୍ଞତା ଏଠାରେ ଏକତ୍ର ହୋଇଛି ଓ ସେ ସବୁକୁ ଧାରାରେ ପକେଇ ନିୟମବଦ୍ଧ କରିବା ଉଦ୍ୟମ ଚାଲିଛି ।

 

ଏହାଛଡ଼ା ଯେ ଅହିଂସକ କର୍ମୀ ଭାବରେ କାମ କରିବ ତାହା ପାଇଁ ବୌଦ୍ଧିକ ଜ୍ଞାନର ଆବଶ୍ୟକତା ମଧ୍ୟ ରହିଛି । ଆଜିକାଲି ସମାଜ ବିଜ୍ଞାନ, ମନୋବିଜ୍ଞାନ ଆଦିର ଅନେକ ନବଲବ୍ଧ ଜ୍ଞାନ ଏ ଦିଗରେ ସହାୟକ ହୋଇପାରୁଛି । ଏ ସବୁର ସାହାଯ୍ୟ ନେଇ ବ୍ୟକ୍ତିଗତ ନିର୍ଣ୍ଣୟ ଓ ସାମୂହିକ ନିର୍ଣ୍ଣୟ ଭିତରେ ପାର୍ଥକ୍ୟ, ପରସ୍ପର ଅଭିଜ୍ଞତା ବିନିମୟରୁ ଲାଭ ଉଠାଇବା ଦୃଷ୍ଟିରୁ କାର୍ଯ୍ୟ ବିବରଣ ଲେଖିବା ତଥା ଆଳାପ ଆଲୋଚନାର ବିଶ୍ଳେଷଣ କରିବା, କୌଣସି ଘଟଣାରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଲୋକଙ୍କର ଭୂମିକା ପର୍ଯ୍ୟବେକ୍ଷଣ କରିବା, ଧ୍ୟାନ ଚିନ୍ତନର ଆବଶ୍ୟକତା ଓ ଗୁରୁତ୍ଵ ଆଦି ବିଷୟରେ ଖୁବ୍ ସରସ ଆଲୋଚନା ଚାଲିଥିଲା ।

 

ଆମେରିକାର ବିଭିନ୍ନ ଅଞ୍ଚଳରେ ପାଞ୍ଚୋଟି ବିଦ୍ୟାଳୟରେ ଏବେ ଅହିଂସା ବିଷୟରେ ତାଲିମ ଦିଆଯାଉଛି ଓ ଅଧ୍ୟୟନ ଚାଲିଛି । ଏସବୁ ସହିତ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଚାର୍ଲ ଓ୍ୟାକର୍, ଲୀନ୍ ଶୀଭର୍‌ସ, ଜର୍ଜ ଲେକୀ ପ୍ରଭୃତି ଏଠାକୁ ଆସିଥିଲେ । ଇଂଲଣ୍ତରେ ମଧ୍ୟ ଏ ଭଳି ଗୋଟିଏ କେନ୍ଦ୍ର ଚାଲୁଛି । ସେଠାରୁ କଲିନ୍ ହଜେଟ୍ ପ୍ରଭୃତି ଆସିଥିଲେ । ଏମାନଙ୍କର ଉଭୟ ଆନ୍ଦୋଳନ କରିବା ଓ ତାଲିମ ଦେବାର ଯଥେଷ୍ଟ ଅଭିଜ୍ଞତା ରହିଛି । ତେଣୁ ଆଲୋଚନା କେବଳ ପୋଥିଗତ ନ ହୋଇ ବାସ୍ତବାନୁଗ ହେଉଥିଲା ।

 

ଏ ଆଲୋଚନାଚକ୍ରରେ ଯୋଗ ଦେବାରେ ୟୁରୋପର ଗୋଟିଏ ବିଶେଷତ୍ଵ ଦୃଷ୍ଟିରେ ପଡ଼ିଲା, ଯେଉଁଟି ପରେ ମଧ୍ୟ ଅନ୍ୟତ୍ର ଅନୁଭବ କଲି । ସେଇଟି ହେଲା ଏଠାର ଶାନ୍ତିବାଦୀ ତଥା ସମାଜସେବୀମାନଙ୍କର ନିଜର କାମ ଓ ତା’ର ପରିଣାମକୁ ଗଭୀର ଓ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ତା’ର ପ୍ରକ୍ରିୟାଟାକୁ ଭଲଭାବରେ ହୃଦୟଙ୍ଗମ କରିବାର ଚେଷ୍ଟା । ଭାରତରେ ସମାଜସେବୀ କିଛି ଊଣା ନାହାନ୍ତି ଓ ବିନୋବା, ଜୟପ୍ରକାଶଙ୍କ ପରି ବିଶାଳ ବ୍ୟକ୍ତିତ୍ଵଙ୍କୁ ଛାଡ଼ିଦେଲେ ମଧ୍ୟ ଏଭଳି ବହୁ ସେବକ ଏଠାର ଗାନ୍ଧୀ ପରିବାର ଭିତରେ ଅଛନ୍ତି ଯାହାଙ୍କର କାମର ପଟାନ୍ତର ସାରା ପୃଥିବୀରେ ଦୁର୍ଲଭ । ମାତ୍ର ଏ ସମସ୍ତଙ୍କର ଅଭିଜ୍ଞତାର ସମ୍ୟକ୍ ପର୍ଯ୍ୟାଲୋଚନା ଅଭାବରୁ ସେ ସବୁର ପୂର୍ଣ୍ଣ ଗୁରୁତ୍ଵ ଜଣା ପଡ଼ି ପାରୁ ନାହିଁ କି ସେଥିରୁ ଅନ୍ୟମାନେ ପୂରାପୂରି ଲାଭବାନ ହୋଇପାରୁ ନାହାନ୍ତି । ୟୁରୋପର ସାଂସ୍କୃତିକ ପରମ୍ପରାରେ ଓ ଶିକ୍ଷାରେ ବୈଜ୍ଞାନିକତାର ଯେଉଁ ବିଶେଷ ପ୍ରାଧାନ୍ୟ ରହିଛି ତାହାରି ଯୋଗୁଁ ସେଠାରେ ଏହା ହୋଇପାରୁଛି । ସେମାନଙ୍କଠାରୁ ଆମର ଏହା ଗୋଟିଏ ଶିଖିବାର କଥା ।

 

ଏହି ଆଲୋଚନାଚକ୍ର ମଝିରେ ଗୋଟିଏ ଓଳି ସମସ୍ତେ ସେ ହ୍ରଦମାନଙ୍କ କୂଳରେ ବୁଲିଯିବାର କଥା ହୋଇଥାଏ; ମାତ୍ର ମୂଳରୁ ଏଠି ସେହି ମାର୍କାମରା ଇଂରେଜୀ ପାଗ ପିଛା ଧରିଥାଏ । ଏ ପାଗରେ ବୁଲିଯିବାରେ କି ଆନନ୍ଦ ରହିବ ? ଯାହାହେଉ ମୋ ଥିବା ଭିତରେ ଦିନେ ସକାଳୁ ପାଗ ଟିକିଏ ଖୋଲିଲା । ବହୁ ଅଧିକ ସଂଖ୍ୟକ ମତରେ ସ୍ଥିର ହେଲା ଯେ ଆଉ ଡେରି ନ କରି ଏଇବେଳା ବାହାରିଯିବା ଚାହି । ତିନି ଚାରି ଖଣ୍ତ ଗାଡ଼ିରେ ବୋଝେଇ ହେଇ ବାହାରିପଡ଼ିଲୁ । ଅଳ୍ପ ବାଟ ଯିବା ପରେ ୱିଣ୍ଟରମେୟର୍ ହ୍ରଦ ପଡ଼ିଲା, ଓସାର ସେତେ ବେଶୀ ନୁହେଁ ମାତ୍ର ଖୁବ୍ ଲମ୍ଵ-। କୂଳେ କୂଳେ ରାସ୍ତା । ମଝିରେ ମଝିରେ ଅଟକି ଦୃଶ୍ୟ ଉପଭୋଗ କରି ଚାଲିଥାଉ । ମଝିରେ ନିସର୍ଗ କବି ଓ୍ଵାର୍ଡ଼ସ୍ଓ୍ୟାରଥଙ୍କର କୁଟୀର ମଧ୍ୟ ଗୋଟିଏ ଗାଁରେ ଦେଖିଲୁ । ଏ ଅଞ୍ଚଳର ହ୍ରଦ, ପାହାଡ଼ ଓ ବଣର ସ୍ଵୀଡ଼େନ୍‌ର କେତେକ ଅଞ୍ଚଳ ସହିତ ସାଦୃଶ୍ୟ ରହିଛି । ଦ୍ଵିପ୍ରହର ବେଳେ ଗୋଟିଏ ସାନ ହ୍ରଦ କୂଳରେ ବସି ପିକନିକ୍ କରି ଅଢ଼େଇଟା ତିନିଟା ବେଳକୁ ଫେରିଲୁ । ଏହି ଓଳିଟା ବୁଲି ବାହାରିବାର ନିର୍ଣ୍ଣୟର ଯଥାର୍ଥତା ସାଙ୍ଗେ ସାଙ୍ଗେ ସାବ୍ୟସ୍ତ ହୋଇଗଲା ଯେତେବେଳେ ପରେ ପରେ ପୁଣି କଳାମେଘ ଘୋଟିଆସି ପାଗ ପୂର୍ବାପେକ୍ଷା ଅଧିକ ସନ୍ତସନ୍ତିଆ ଓ କାଲୁଆ ହୋଇଗଲା ।

 

ଏଠୁ ଲଣ୍ତନ ଫେରିଲି । ଦିନକ ପରେ ପ୍ୟାରିସ୍‌ ଯିବାର କଥା । ଇଂଲଣ୍ତରେ ଦୁଇ ସପ୍ତାହର ରହଣୀ ପୂରା ହୋଇ ଆସିଲା । ଭାରତ ଛାଡ଼ିବା ପୂର୍ବରୁ ଇଂରେଜମାନଙ୍କ ସମ୍ଵନ୍ଧରେ ଶୁଣିଥିଲି ଯେ ସେମାନେ ଖୁବ୍ ଉନ୍ନାସିକ, ସହଜରେ ମିଶନ୍ତି ନାହିଁ, ଅନ୍ୟ ଦେଶର ଲୋକଙ୍କୁ ବିଶେଷ ଖାତର କରନ୍ତି ନାହିଁ ଇତ୍ୟାଦି । ଏ ଦୁଇ ସପ୍ତାହ ଭିତରେ ମୁଁ ଯେଉଁସବୁ ଲୋକଙ୍କ ସହିତ କାରବାର କଲି ତାଙ୍କ ଭିତରେ ଖାସ କିଛି ଉନ୍ନାସିକତା ଥିବାର ତ ଦେଖିଲି ନାହିଁ । ତେବେ ଇଂରେଜମାନେ ଅନ୍ୟ ସବୁ ଦେଶର ଲୋକଙ୍କ ଅପେକ୍ଷା ଚାପା । ନିଜର ମନର ଭାବ ବା କୌଣସି ପ୍ରକାରର ଆବେଗ ପ୍ରକାଶ କରନ୍ତି ବହୁତ କମ । କଥାବର୍ତ୍ତା ବି ଖୁବ୍ ମୃଦୁ ସ୍ଵରରେ କରନ୍ତି । ଲଣ୍ତନର କିଙ୍ଗସ୍ କ୍ରସ୍ ବା ଇଉଷ୍ଟିନ୍ ଷ୍ଟେସନ୍ ହାଓଡ଼ା ଷ୍ଟେସନଠାରୁ ବଡ଼ ବରଂ ସାନ ନୁହେଁ । ମାତ୍ର ସେଠି ଆଖିବୁଜି ଛିଡ଼ା ହେଲେ ମଣିଷ ଅଛନ୍ତି ବୋଲି ଜାଣି ପାରିବ ନାହିଁ ।

 

ଟ୍ରେନ୍‌ବସରେ ଯିବାବେଳେ ପାଖ ପାଖ ବସି ଘଣ୍ଟା ଘଣ୍ଟା ଧରି ଚାଲିଥିଲେ ମଧ୍ୟ କେହି ଚିହ୍ନା ନ କରାଇ ଦେଲେ କଥା କହିବେ ନାହିଁ । ଅବଶ୍ୟ ଏଥିର ବ୍ୟତିକ୍ରମ ମଧ୍ୟ ଦେଖାଗଲା । ଯେମିତି ଉତ୍ତର ଇଂଲଣ୍ତରୁ ଲଣ୍ତନ ଫେରିବା ଟ୍ରେନରେ ଜଣେ ବୁଢ଼ା ଅବସରପ୍ରାପ୍ତ ଶିକ୍ଷକ ନିଜେ ଆଗୁଆ ହୋଇ ଖୁବ୍ ଗପ କଲେ । ବୁଢ଼ାଙ୍କର ବୟସ ଚଉରାଅଶି, ତେବେ ବି ବେଶ୍ ମଜବୁତ୍ ଦିଶୁଥାନ୍ତି । ଫଟୋ ଉଠେଇବା ଓ ନାନା ପ୍ରକାରର ବୈଜ୍ଞାନିକ ପରୀକ୍ଷା-ନିରୀକ୍ଷା କରିବା ତାଙ୍କର ସଉକ, ସେଥିରେ ସମୟ କଟାନ୍ତି । ଏହାଛଡ଼ା ଆଉ ଗୋଟିଏ ସଉକ ହେଲା ଏଣେତେଣେ ଭ୍ରମଣ କରିବା । ବୁଢ଼ାଙ୍କର ଦୁଇ ପୁଅ, ଗତ ଯୁଦ୍ଧବେଳେ ଭାରତରେ ସାମରିକ ଅଫିସର ଥିଲେ । ଭାରତକୁ ଖୁବ୍ ଭଲ ପାଉଥିଲେ ଓ ଫେରିବା ବେଳେ କାନ୍ଦିପକାଇଥିଲେ ବୋଲି ବୁଢ଼ା ବର୍ଣ୍ଣନା କଲେ ।

 

କଥାରେ କଥାରେ ବୁଢ଼ା ପଚାରିଲେ—“ଆମେ ଭାରତ ଛାଡ଼ି ଆସିବାଟା ଠିକ୍‍ ହୋଇଛି କି ? ଖବର କାଗଜରେ ତ ଦେଖୁଛୁ ସେଠି ଏତେ ଗଣ୍ତଗୋଳ ଓ ଅଶାନ୍ତି ଲାଗିରହିଛି ।”

 

ମୁଁ କହିଲି–“ଆପଣମାନେ ଚାଲି ନ ଆସିଥିଲେ ଏ ସବୁ ସମସ୍ୟା ଆହୁରି ଉତ୍କଟ ହୋଇଥାନ୍ତା, ଅଶାନ୍ତି ଆହୁରି ବେଶୀ ହୋଇଥାନ୍ତା, ତା’ଛଡ଼ା ଆପଣମାନେ ଚାଲିଆସିବା ଯୋଗୁଁ ଇଂଲଣ୍ତ ସାଙ୍ଗରେ ଆମର ସଦ୍ଭାବ ରହିଛି । ନ ଆସିଥିଲେ ବିଦ୍ଵେଷ ଭୟଙ୍କର ଭାବରେ ବଢ଼ିଥାନ୍ତା ।

 

“ଭାରତ ତ ଆକାରରେ ୟୁରୋପ ଭଳି ବଡ଼ । ନାନା ଜାତି, ନାନା ଭାଷା, ଧର୍ମ ରହିଛି । ତେଣୁ ସେ ସବୁ ସହି ସମ୍ଭାଳି ଯିବାକୁ ଟିକେ ସମୟ ଲାଗୁଛି ।”

 

ଇଂରେଜମାନେ ଭାରତକୁ ତା’ର ମଙ୍ଗଳ ପାଇଁ ଯାଇଥିଲେ ଏହାହିଁ ସାଧାରଣ ଇଂରେଜଙ୍କୁ ଶିଖାଯାଇଥିଲା ଓ ବୁଢ଼ାଙ୍କର ମନୋଭାବ ତା’ରି ଏକ ନମୁନା ।

Image

 

ଚବିଶ

ଫରାସୀ ଭୂଇଁର ପ୍ରଥମ ଅନୁଭୂତି

 

ଫ୍ରାନ୍‌ସରେ ପହଞ୍ଚିବା ମାତ୍ରେ ଦୁଇଦେଶର ଲୋକଙ୍କ ସ୍ଵଭାବରେ କେତେ ଫରକ ତାହା ଜଣା ପଡ଼ିଗଲା । ଇଂରେଜ ଯେତିକି ଚାପା, ଫରାସୀ ସେତିକି ଖୋଲା । ହାତ ହଲେଇ ଆଖି ନଚେଇ, ମୁଣ୍ତ ହଲେଇ ପ୍ରବଳ ଭାବରେ ମନର ଭାବପ୍ରକାଶ କରିବେ । ମନର ଭାବ ଚାପି ରଖିବାର ଚେଷ୍ଟା ନାହିଁ ।

 

ପ୍ୟାରିସ୍‌ ସହରଟା ଅବଶ୍ୟ ଅନେକ ଅଂଶରେ ଲଣ୍ଡନଠାରୁ ସୁନ୍ଦର ଓ କଲିକତାର ତ ତାହା ସାଙ୍ଗରେ ତୁଳନା ହିଁ ହେବ ନାହିଁ । ତଥାପି କାହିଁକି ପ୍ୟାରିସ୍‌ ଦେଖି କଲିକତା ମନେ ପଡ଼ିଲା-? ବୋଧହୁଏ ଲୋକଙ୍କର ଏହି ଖୋଲାମେଲା ସ୍ଵଭାବର ବଙ୍ଗାଳୀଙ୍କ ସହିତ ସାଦୃଶ୍ୟ ଅଛି-। ତା’ ଛଡ଼ା କାନ୍ଥରେ ବାଡ଼ରେ ସ୍ଳୋଗାନ ଲେଖା ୟୁରୋପରେ ଏଇ ପ୍ୟାରିସ୍ରେ ଆସି ପ୍ରଥମେ ଆଖିରେ ପଡ଼ିଲା । “Vive La France” ଫ୍ରାନ୍‌ସ ଜିନ୍ଦାବାଦ, “France Aux Francais” “ଫ୍ରାନ୍‌ସ ଫରାସୀଙ୍କ ପାଇଁ” “ଜୟ ଦିଗଲ୍” । “ଦିଗଲ୍ ନିପାତ ହେଉ” ଇତ୍ୟାଦି ଯାବତ୍ ପ୍ରକାରର ଦୁଆ । ପୁଣି ନକସଲ ଓରଫ ମାଓ-ପଂଥୀଙ୍କର ପ୍ରାଚୀରବାଣୀ ବି ଏଠି ହିଁ ଦେଖିବାକୁ ମିଳିଲା । ରାସ୍ତାଘାଟର ପରିଚ୍ଛନ୍ନତା ବି ବୋଧହୁଏ ଟିକିଏ ଊଣା । ଖାସକରି ମୁଁ ଯେଉଁଠି ରହିଥିଲି ସେଇଟା ଗରିବ ଅଞ୍ଚଳ, ସୀନ୍‌ର ବାମ କୂଳର ‘ଲାତିନ କ୍ଵାଟର’ । ସେଠି ଘରବାଡ଼ିର ସେତେ ଜୌଳୁସ ନାହିଁ-। ସେ ବି ହୁଏତ ଆଉ ଗୋଟିଏ କାରଣ ।

 

ଲଣ୍ତନରୁ ଅନେକ ବିଳମ୍ଵ କଲା ଉଡ଼ାଜାହାଜ ଛାଡ଼ିବାକୁ । ପ୍ୟାରିସ୍‌ ଯାଏ ଲାଗିଲା ପଚାଶ ମିନିଟ । ଲଣ୍ତନର ଅଳ୍ପ ବାଟ ପରଠାରୁ ଏଭଳି ମେଘ ଘୋଟି ଥିଲା ଯେ ବାଟରେ ଆଉ କିଛି ଦେଖା ହେଇ ପାରିଲା ନାହିଁ । ଇଂଲିଶ ଚ୍ୟାନେଲ୍ଟାର ଦର୍ଶନ ଏ ଯାତ୍ରାରେ ବାକୀ ରହିଗଲା । ପ୍ୟାରିସ୍‌ ପହଞ୍ଚିବାର ଅଳ୍ପ ପୂର୍ବରୁ ପୁଣି ମେଘ ସରିଗଲା ଓ ବିଖ୍ୟାତ ଭାର୍ସାଇ ପ୍ରସାଦ ଓ ଉଦ୍ୟାନର ତଥା ସୀନ୍ ନଈର ଦୁଇ କୂଳରେ ବିଛେଇ ହେଇଥିବା ପ୍ୟାରିସ୍‌ ସହରର ସୁନ୍ଦର ଦର୍ଶନ ଉପରୁ ମିଳିଲା ।

 

ସହରର ଏୟାର୍ ଟର୍ମୀନାଲ୍‌ଠାରୁ, ଯୋଉଠି ବିମାନଘାଟିରୁ ମୋଟର ବସ୍ ଯାତ୍ରୀଙ୍କୁ ନେଇ ଛାଡ଼ିଦିଏ, ମୋର ସେଠାରେ ଆତିଥେୟକ ମ: ଲିଓ ବାଁ ସୀମଁ ମୋତେ ପାଛୋଟିବାକୁ ଆସିଥିଲେ । ବାଁ ସୀମଁଙ୍କ ବୟସ ଷାଠିଏ ପାଖାପାଖି । ପରିବାରରେ କେହି ନାହାନ୍ତି । ବିଭା ହେବା କଥା ଖିଆଲ ହେଇ ନାହିଁ ବୋଲି କହିଲେ । ଯୋଗେ ଆସନ ଶିଖେଇ କିଛି ଆୟ କରନ୍ତି । ବାକୀ ସମୟ ନାନା ପ୍ରକାରର ସର୍ବସାଧାରଣ କାମରେ ଦିଅନ୍ତି । ସେ କେତେ ବର୍ଷ ତଳେ ଭାରତ ଆସି ବେଶ କିଛିଦିନ ସେବାଗ୍ରାମରେ ଥିଲେ । ବିନୋବାଙ୍କର ଖୁବ୍ ଭକ୍ତ । ବିନୋବା ତାଙ୍କୁ “ଫରାସୀ ବ୍ରାହ୍ମଣ” ବୋଲି ଡାକୁଥିଲେ । ଅନ୍ୟମାନେ ଜାଣନ୍ତି । ବେନ୍ ଭାଇ ବୋଲି ।

 

ବାଁ ସିମଁ ମତେ ଦେଖା ହେବାମାତ୍ରେ କହିଲେ ଯେ ଶ୍ରୀ ବାର୍‌ଥେଲ୍‌ମିଙ୍କଠାରୁ ଖବର ଆସିଛି ମତେ ସାଙ୍ଗେ ସାଙ୍ଗେ ରାତି ଟ୍ରେନରେ ନୀସ୍ ଯିବାକୁ ହେବ । ସେମାନେ ଷ୍ଟେସନକୁ ଲୋକ ପଠାଇଥିବେ । ଶ୍ରୀ ଗୀ ବାର୍‌ଥେଲମୀ ଓ ତାଙ୍କର ସ୍ତ୍ରୀ ଗ୍ରୀଟ ଡକ୍‌ଟର ଆଲବର୍ଟ ସ୍ଵାଇଟ୍‌ସରଙ୍କ ସହିତ କାମ କରୁଥିଲେ । ଏବେ ଦକ୍ଷିଣ ଫ୍ରାନ୍‌ସରେ ଏକ ସେବା ଅନୁଷ୍ଠାନ ଖୋଲିଛନ୍ତି । ନାଁ ଦେଇଛନ୍ତି ଆଲବର୍ଟ ସ୍ଵାଇତସର୍ ଗ୍ରାମ ।

 

ଏ ଦମ୍ପତିଙ୍କୁ ଭେଟିବା ଓ ତାଙ୍କ କାମ ଦେଖିବାର ମୋର ଇଚ୍ଛା ଥିଲା ଓ ତେଣୁ ଏଇ ପ୍ରକାର ବ୍ୟବସ୍ଥା ହେଇଛି ।

 

ତେଣୁ ଆମେ ସେଠୁ ସିଧା ଗାରଦ୍ୟ ଲିୟଁ ଷ୍ଟେସନକୁ ଗଲୁ । ବାଁ ସିମଁଙ୍କ ଘରକୁ ଯିବାକୁ ଆଉ ସମୟ ନ ଥିଲା । ବାଁ ସିମଁ ପକ୍କା ଭୂଦାନୀ । ଖର୍ଚ୍ଚ ବଞ୍ଚେଇବା ପାଇଁ ଘରୁ ରୁଟି, ମଖନ, ଓ ଟମାଟୋ ଆଣିଥିଲେ । ଫଳରସ ସହଯୋଗରେ ସେଇ ଷ୍ଟେସନରେ ବସି ରାତି ଭୋଜନ ସାରିଲୁ । ଟ୍ରେନ ସାଢ଼େ ଏଗାରଟାରେ ଯିବା କଥା । ମାତ୍ର ପ୍ରାୟ ଘଣ୍ଟାଏ ବିଳମ୍ଵରେ ଆସିଲା ।

 

ଏଇଟା ପୂରା ସ୍ଲୀପର୍ ଏକସପ୍ରେସ । ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଶୋଇବା ଡବା ସବୁତକ । ସାଧାରଣ ବସିବା ଡବା ନ ଥାଏ । ଗାଡ଼ି ପହଞ୍ଚିବା ମାତ୍ରେ ବାଁ ସିମଁ ମତେ ଗୋଟାଏ ଦ୍ଵିତୀୟ ଶ୍ରେଣୀ ଡବାରେ ଚଢ଼େଇ ଦେଇ କଣ୍ତକ୍‌ଟରକୁ ଖୋଜି ଗଲେ ମତେ ଗୋଟାଏ ଶୋଇବା ବର୍ଥ ଦିଆଇବା ଯୋଗାଡ଼ରେ । ଫ୍ରାନ୍‌ସର ରାଜଧାନୀ, ନଗରୀରାଣୀ ପ୍ୟାରିସ୍‌, ଏଠି ଗାଡ଼ି ଘଣ୍ଟାଏ ନ ହେଲେ ଅଧଘଣ୍ଟାଏ ତ ଛିଡ଼ା ହେବ ବୋଲି ମୁଁ ବିଚାରୁଥାଏ । ଆମ ରାଜଧାନୀ ଦିଲ୍ଲୀରେ ତ କୌଣସି ଗାଡ଼ି ପୁଣି ଦେଢ଼ ଘଣ୍ଟାରୁ କମ୍‍ ଛିଡ଼ା ହୁଏ ନାହିଁ । ମାତ୍ର ହରି ହରି, ପାଞ୍ଚ ମିନିଟ ଯାଇଛି କି ନାହିଁ ଗାଡ଼ି ମୁହଁ ଫେରେଇ ଦୌଡ଼ିବା ଆରମ୍ଭ କଲା । ବାଁ ସିମଁ କୁଆଡ଼େ ଗଲେ ? କଣ୍ତକ୍‌ଟର କାହିଁ ? ବର୍ଥ କାହିଁ ! ବାଁ ସିମଁ ପ୍ଳାଟଫର୍ମରେ ଛିଡ଼ା ହେଇଛନ୍ତି ଦେଖି କଣ ହେଲା ବୋଲି ପଚାରିବା ବେଳକୁ ଦନ୍ତ ବିକଶିତ କରି ହାତ ହଲେଇ ଉପଦେଶ ଦେଇଦେଲେ;

 

“ଘବଡ଼ାଓ ମତ୍, ଘବଡ଼ାଓ ମତ୍, ସବ୍ ଠିକ୍ ହୋ ଯାଏଗା”

 

ସୋ ତୋ ହୋଗା କିନ୍ତୁ କିପରି ? ପଦାରେ ଦୁଇ ତିନିଜଣ ଯାତ୍ରୀ ଦିଶଲେ । ବାକୀ ତ ରାତି ସାଢ଼େ ବାରଟାରେ କମ୍ପାର୍ଟମେଣ୍ଟର ଦରଜା କିଳି ଶୋଇଛନ୍ତି । ଏମାନଙ୍କୁ ପଚାରିଲି, “ଇଂରେଜୀ ଜାଣ କି ? ଜଣ ଜଣ କରି ସମସ୍ତେ ମୁଣ୍ତ ହଲେଇଲେ, “ନାହିଁ ।” ପିଲାଦିନେ ଶହେ ଖଣ୍ତେ ଫ୍ରେଞ୍ଚ୍‌ର ଶବ୍ଦ ଶିଖିଥିଲି କିନ୍ତୁ ସେ ସବୁ ଏ ବିପଦ ବେଳେ କଣ ମନେ ପଡ଼ୁଛି ? ଘଣ୍ଟାଏ ବିତିଗଲା, କଣ୍ତକ୍ଟର ଦେଖା ନାହିଁ । କେତେ ଛିଡ଼ା ହେବି ? ଓ୍ୟାଟରପ୍ରୁଫଟା ତଳେ ବିଛେଇ ବସିଲି, ବିଚାରିଲି ନ ହେଲେ ପଛେ ଏମିତି ବସି ବସି ରାତି କାବାର କରିବି, ଆଉ କଣ ?

 

କିନ୍ତୁ ମୁଁ ପ୍ୟାରିସ୍‌ ଫେରିବା ପରେ ମତେ ବାଁ ସିମଁ କହିଲେ ଯେ ଏ ପୂରା ସ୍ଳୀପର ଗାଡ଼ିରେ ଶୋଇବା ବର୍ଥ ଖାଲି ନ ଥିଲେ ଅଧିକା ଯାତ୍ରୀଙ୍କୁ ପର ଷ୍ଟେସନରେ ଉତାରି ଦେବାର କଥା-। ସେଥିପାଇଁ ମତେ ତ ‘ଘାବଡ଼ାଓ ମତ୍’ କହି ଦେଲେ, ମାତ୍ର ନିଜେ ଦୁଇ ଦିନଯାଏ, ମୁଁ ନ ଫେରିବା ପର୍ଯ୍ୟନ୍ତ, ମୋର କି ଦୁର୍ଗତି ହେଇଥିବ ବୋଲି ନିଜେ ଘାବଡ଼େଇ ନୟାନ୍ତ ହେଉଥିଲେ ।

 

ଯାହାହେଉ ଘଣ୍ଟାକ ପରେ କଣ୍ତକ୍‌ଟର ବା ଏଠା ଭାଷାରେ କଁତ୍ରୋଲର୍ ସାହେବ ଆସିଲେ । ମୁଁ ଟିକଟଟି ଦେଖାଇଲି ଓ କହିଲି “କୁଶେତ୍” । ମନେ ପଡ଼ିଗଲା ଦ୍ଵିତୀୟ ଶ୍ରେଣୀ ଶୋଇବା ଆସନକୁ “କୁଶେତ୍” କହନ୍ତି । ବୁଢ଼ା ତାଲିକା ଦେଖି ଗୋଟିଏ ଜାଗା ମିଳିବ ବୋଲି ମୁଣ୍ତ ଟୁଙ୍ଗାରି ସୂଚନା ଦେଲା । ମୁଁ ମନିବ୍ୟାଗ୍ କାଢ଼ି ଠାରିଲି ସ୍ଳୀପର ଭଡ଼ା କେତ ? ସେ ଯାହା କହିଲା ମତେ ଶୁଣାଗଲା “ଗାଁକଫାଁକ୍” । ଆନ୍ଦାଜିରେ କୋଡ଼ିଏ ଫ୍ରାଁ ବଢ଼େଇ ଦେଲି । ଦେଖିଲି ସେଇତକ ଠିକ୍ ଭଡ଼ା ।

 

ଏଠାର ଏ ଦ୍ଵିତୀୟ ଶ୍ରେଣୀ ଶୋଇବା ଡବା ଆମର ତୃତୀୟ ଶ୍ରେଣୀ ଡବା ପରି ତିନି ଥାକ, ତେବେ ଗଦୀ ଦିଆ ଆସନ । ତା’ଛଡ଼ା ରେଲବାଇ ପକ୍ଷରୁ ବିଛଣା ଚାଦର, ତକିଆ ଓ କମ୍ଵଳ ମଧ୍ୟ ଯୋଗାଇ ଦିଆଯାଏ । ଆମ ପ୍ରଥମ ଶ୍ରେଣୀ ପରି ଛଅଟି ଆସନରେ ଗୋଟିଏ ସାନ ବଖରା । ବଖରାର କବାଟ ବନ୍ଦ କରି ହୁଏ ।

 

ପରଦିନ ସକାଳେ ନିଦ ଭାଙ୍ଗିଲା ବେଳକୁ ଆଠଟା ସାଢ଼େ ଆଠଟା । ଦେଖେ ତ ଗାଡ଼ି ଆସି ଭୂମଧ୍ୟ ସାଗର କୂଳରେ ପହଞ୍ଚିଲାଣି । ସମୁଦ୍ର ସାଙ୍ଗରେ ଲୁଚକାଳି ଖେଳି ଖେଳି ଗାଡ଼ି ଚାଲିଛି-। ଏକସ୍‍ପ୍ରେସ୍ ଗାଡ଼ି, ବେଶୀ ଜାଗାରେ ରହୁ ନ ଥାଏ । ଗୋଟାଏ ପୂର୍ବପରିଚିତ ନାମର ଷ୍ଟେସନ ପଡ଼ିଲା, ‘କାନ୍’, ସିନେମା ଫିଲ୍‌ମ୍‌ସବୁର ଆନ୍ତର୍ରାଷ୍ଟ୍ରୀୟ ମେଳା ପାଇଁ ପ୍ରସିଦ୍ଧ । ସମୁଦ୍ର ଉପରେ ନାତିବୃହତ୍ ସହର । ଘନନୀଳ ଭୂମଧ୍ୟସାଗର । ସମୁଦ୍ର ଯେ ଏଭଳି ନୀଳ ହୋଇପାରେ ଏହାର ଧାରଣା ମୋର ପୂର୍ବରୁ ନ ଥିଲା । ମରକତମଣି ପରି ସ୍ଵଚ୍ଛ । ଆକାଶ ବି ନିର୍ମଳ ସ୍ଵଚ୍ଛ । ଉଜ୍ଜ୍ଵଳ ସୂର୍ଯ୍ୟକିରଣ ସମୁଦ୍ରର ଢେଉ ସବୁକୁ ହୀରାର ମୁକୁଟ ପିନ୍ଧାଇ ଦେଉଥାଏ । ସମୁଦ୍ର କୂଳରେ ଠାଏ ଠାଏ ପାହାଡ଼, ମୁଣ୍ତିଆ ସବୁ ସମୁଦ୍ର ଭିତରକୁ ପଶିଛି । ଠାଏ ଠାଏ ସାଦା ବାଲି । ଯେଉଁଠି ଚେନାଏ ବାଲି ସେଠି ଅଗଣିତ ସ୍ତ୍ରୀପୁରୁଷ ବାଳକ ବାଳିକା ହ୍ରସ୍ଵ ଗାଧୁଆ ପୋଷାକ ପିନ୍ଧି ଗାଧୋଉଛନ୍ତି, ଖରା ପୋହୁଛନ୍ତି, ବାଲିରେ ଖେଳୁଛନ୍ତି । ଗ୍ରୀଷ୍ମଛୁଟି, ଏମିତି ଝରଝରିଆ ପାଗ ଆଉ ତା’ ଉପରେ ଶନିବାର । ଏଥିରେ ଆଉ କିଏ ଘରେ ରହେ ? ଟ୍ରେନରେ ବି ତିନିଭାଗ ଯାତ୍ରୀ ଛୁଟି ଉପଭୋଗ ପାଇଁ ଆସୁଛନ୍ତି । କୋତ୍ ଦ’ ଆଜୁର ବା ‘ମରକତ ଉପକୂଳ’ କେବଳ ଫ୍ରାନ୍‌ସର କାହିଁକି ସାରା ୟୁରୋପର ପ୍ରସିଦ୍ଧ ଓ ମନୋରମ ଭ୍ରମଣସ୍ଥଳ । ଦୁନିଆ ଯାକର ଲୋକ ଏଠିକି ଆସନ୍ତି । ଧନୀମାନେ ଏଇଠି ପଡ଼ି ରହନ୍ତି । ମଦ ଜୁଆ ଓ ଅନ୍ୟ ସବୁ ପ୍ରକାରର ବିଳାସ ଓ ବ୍ୟଭିଚାରର ଆୟୋଜନ ଏଠା ସହରମାନଙ୍କରେ ରହିଛି । ପୃଥିବୀର ବୋଧହୁଏ ବୃହତ୍ତମ ଜୁଆ ଆଡ଼୍ଡ଼ା ଏଇ ପାଖରେ ରହିଛି । ଏଠି ଫ୍ରାନ୍‌ସ ଓ ଇଟାଲୀର ସୀମା ନିକଟରେ ମୋନାକୋ ଗୋଟିଏ ମଧ୍ୟମଭଳି ସହର ଓ ଏକ ସ୍ଵାଧୀନ ରାଜ୍ୟ । ଏଠାରେ ଏକ ରାଜା ମଧ୍ୟ ଅଛି । ଏ ରାଜ୍ୟରେ ଖଜଣା ଟିକସ ନାହିଁ । ଏଠାର ମୁଖ୍ୟ ଧନ୍ଦା ହେଲା ଜୁଆଖେଳ ଓ ସରକାର ସବୁ ଆୟ ମଧ୍ୟ ସେଇଥିରୁ ହୁଏ ।

 

ନୀସରେ ଗାଡ଼ି ପହଞ୍ଚିଲା ସାଢ଼େ ଦଶଟାରେ । ପ୍ୟାରିସ୍‌ରୁ ଏକହଜାର ଅଣାନବେ କିଲୋମିଟର, ଦଶ ଘଣ୍ଟାରେ ଆସିଲା । ହାରାହାରି ବେଗ ଘଣ୍ଟାକୁ ଶହେ ନଅ କିଲୋମିଟର । ପୂରା ବେଗ ଘଣ୍ଟାକୁ ଶହେ ସତୁରି କିଲୋମିଟର ବା ଶହେ ପାଞ୍ଚ ମାଇଲ ଯାଏ ଉଠୁଥାଏ । ଏତକ ଜାଣି କଲିକତାରୁ ନାଗପୁର ବା କାନପୁର ଯାଏ ବାଟ । ଆମର ବମ୍ଵେ ମେଲ୍ ବା ଦିଲ୍ଲୀ ମେଲ୍ ଏତକ ବାଟ ପାଇଁ ଠିକ୍ ଦୁଇଗୁଣ ସମୟ ନେଇଥାନ୍ତା । ଇଂଲଣ୍ତ ଭଳି ଏଠି ବି ଭଡ଼ା ବେଶ୍ ଚଢ଼ା । ଏତକ ବାଟକୁ ପଡ଼ିଲା ଶହେ ସତେଇଶ ଫ୍ରାଁ ବା ଶହେ ଚଉସ୍ତରି ଟଙ୍କା । ସ୍ଳୀପର ଭଡ଼ା ସତେଇଶ ଟଙ୍କା । ଆମ ଏଠା ତୃତୀୟ ଶ୍ରେଣୀର ଛଅ ଗୁଣ ।

Image

 

ପଚିଶ

ନବଜୀବନ କେନ୍ଦ୍ରରେ ଦିନେ

 

ଷ୍ଟେସନକୁ ନେବା ପାଇଁ ଶ୍ରୀମତୀ ବାର୍ଥେଲମୀ ଓ ମି: ଭାଲେ ଆସିଥିଲେ । ଶ୍ରୀମତୀ ବାର୍ଥେଲମୀ ଭଲ ଇଂରେଜୀ କହନ୍ତି । ମି: ଭାଲେ ଯତ୍‍ ସାମାନ୍ୟ । ଏଠୁ ତାଙ୍କର କେନ୍ଦ୍ର କୋଡ଼ିଏ କିଲୋମିଟର । ପାହାଡ଼ କାନ୍ଥିରେ ଗୋଟିଏ ଛୋଟିଆ ଗାଁ, ଶାତୋନ୍ୟଫ୍ ଦ୍ୟ କଁତ୍ । ସେଥିରେ ଏକ ପୁରୁଣା ଜମିଦାରଙ୍କ କୋଠି ଭଡ଼ାନେଇ ସେଥିରେ କେନ୍ଦ୍ର କରିଛନ୍ତି । ବିରାଟ ବିରାଟ ପୁରୁଣାକାଳିଆ ଘର । ଚାରିଆଡ଼ର ଦୃଶ୍ୟ ଖୁବ୍ ମନୋରମ । ଏଠି ଶ୍ରୀ ଓ ଶ୍ରୀମତୀ ବାର୍ଥେଲମୀଙ୍କ ସାଙ୍ଗକୁ ହଲ୍ୟାଣ୍ତ, ସ୍ଵୀଜରଲ୍ୟାଣ୍ତ ତଥା ଫ୍ରାନ୍‌ସର କେତେଗୁଡ଼ିଏ ତରୁଣ ତରୁଣୀ ସ୍ଵୟଂସେବକ ଭାବରେ ଆସି ଜୁଟିଛନ୍ତି । ଜଣେ ଇଂରେଜ ଭଦ୍ରଲୋକ ଶ୍ରୀ କ୍ୟାଭେଲିୟର-ସ୍ମିଥ୍ ମଧ୍ୟ ଅଛନ୍ତି, ବୟସ ସତୁରି ହେବ । ମୋଟ ଷୋଳ ସତର ଜଣ ଲୋକ । ଏମାନେ ସମସ୍ତେ ଏଠି ଆଶ୍ରମ ଭଳି ଏକ ସାମୂହିକ ଜୀବନ ବିତାଉଛନ୍ତି ।

 

ମ୍ୟାଡ଼ାମ୍ ବାର୍ଥେଲମୀଙ୍କ ଘର ହଲ୍ୟାଣ୍ତ । ସେ ବୁଶ୍ଵବିଶ୍ରୁତ ମାନବବାଦୀ ଆଲ୍‌ବର୍ଟ ସ୍ଵାଇଟ୍‌ସରଙ୍କର ଡାକ୍ତରଖାନାରେ ଛଅ ବର୍ଷ କାଳ ଅସ୍ତ୍ରଚିକିତ୍ସକ ଥିଲେ । ସ୍ଵାଇଟସର ବେଲଜିୟମ୍‌ର ଲୋକ । ଦର୍ଶନଶାସ୍ତ୍ରରେ ପଣ୍ତିତ ଓ ଉଚ୍ଚକୋଟିର ସଙ୍ଗୀତଜ୍ଞ । ମାତ୍ର ମାନବ ସେବାର ପ୍ରେରଣା ଅନ୍ତର ଭିତରୁ ଅନୁଭବ କରିବାରୁ ସେ ଆଫ୍ରିକାର ଆଦିବାସୀମାନଙ୍କ ସେବାରେ ଜୀବନ ଉତ୍ସର୍ଗ କରିବାକୁ ସଂକଳ୍ପ କଲେ ଓ ରୀତିମତ ଡାକ୍ତରୀ ପଢ଼ି ଆଫ୍ରିକାର ଲମ୍ଵାରେନେଠାରେ ଏକ ହାସ୍‌ପାତାଲ ସ୍ଥାପନ କଲେ ଓ ସେଇଠି ଜୀବନର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଅକ୍ଳାନ୍ତ ସେବା କରିଗଲେ । ମିଃ ବାର୍ଥେଲମୀ ଫରାସୀ ଓ ଜଣେ ବନସଂରକ୍ଷଣବିଦ୍ । ଜଙ୍ଗଲର ରକ୍ଷଣାବେକ୍ଷଣ ଓ ଉତ୍କର୍ଷ ସାଧନରେ ପାରଦର୍ଶୀ । ସେ ମଧ୍ୟ ବର୍ଷେଖଣ୍ତେ ପାଇଁ ଯାଇ ଡ: ସ୍ଵାଇତ୍ସରଙ୍କ ସହିତ କାମ କରିଥିଲେ । ସେଇଠି ଶ୍ରୀମାନ ଓ ଶ୍ରୀମତୀଙ୍କର ପରିଚୟ ହେଲା ଓ ସେ ପରିଚୟ ପ୍ରଗାଢ଼ ପ୍ରଣୟରେ ପରିଣତ ହେଲା ।

 

ସେମାନେ ଫ୍ରାନ୍‌ସରେ ମାନବସେବାରେ ଜୀବନ ଉତ୍ସର୍ଗ କରିବେ ବୋଲି ସ୍ଥିରକରି ଫ୍ରାନ୍‌ସର ଦକ୍ଷିଣପୂର୍ବ ଭାଗରେ ପୋନା-ଦୋର୍ଦୋୟଁ ନାମକ ଗାଁରେ ଆଲ୍‌ବର୍ଟ ସ୍ଵାଇଟ୍‌ସର ଗ୍ରାମ ନାମରେ କେନ୍ଦ୍ର ସ୍ଥାପନ କଲେ ।

 

ଆଫ୍ରିକା ବା ଭାରତ ଭଳି ଫ୍ରାନ୍‌ସରେ ତ ରୋଗୀ ସେବା ଏକ ସମସ୍ୟା ନୁହେଁ । ଡାକ୍ତର, ହାସ୍‌ପାତାଲ ଆଦି ସେଠି ଯଥେଷ୍ଟ, ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ରୁଗଣ ଲୋକର ଚିକିତ୍ସା ପାଇଁ ମଧ୍ୟ ଚଳନୀୟ ରକମର ଭଲ ବ୍ୟବସ୍ଥା ରହିଛି । ତେଣୁ ସେମାନେ ସ୍ଥିର କଲେ ଯେ ସେମାନେ ସମାଜର ଏଭଳି ଲୋକଙ୍କର ସେବାର ଦାୟୀତ୍ଵ ନେବେ ଯେଉଁମାନଙ୍କୁ ସରକାରୀ ବିଭାଗ ଅନ୍ୟ ସେବା ସଂସ୍ଥା ସାହାଯ୍ୟ କରିପାରନ୍ତି ନାହିଁ । “ଅନେକେ ଏଭଳି ପାରିବାରିକ ବା ନୈତିକ ସମସ୍ୟାଦ୍ଵାରା ପୀଡ଼ିତ ହୋଇଥାନ୍ତି ଯାହା କଥା ସେମାନେ କୌଣସି ବାହାର ଲୋକକୁ ଫିଟେଇ କହିବାକୁ ସକୋଚ କରନ୍ତି । “କେତେକ ସ୍ତ୍ରୀଲୋକ ବିବାହ ନ କରୁଣୁ ମା’ ହୋଇ ବସିଥାନ୍ତି ।” ମ: ବାର୍ଥେଲମୀ ନିଜର କାମର ପୃଷ୍ଠଭୂମି ବର୍ଣ୍ଣନା କରି କହିଲେ—“ଏ ସମସ୍ତଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ପୁଣି ସକ୍ଷମ କରି ଛିଡ଼ା କରିବା କାମ ଆମେ ନେଲୁ । ନିଜର ସମସ୍ୟା ସମାଧାନ କରିବାର ଶକ୍ତି ସେମାନଙ୍କ ଭିତରେ ଆଣିଦେବା ହେଲା କାମ ।

 

“ଆଜିକା ସମାଜରେ ମଣିଷ ଏଭଳି ପେଷି ହୋଇଯାଏ ଯେ ସେ ଆତ୍ମବିଶ୍ଵାସ ହରାଇ ବସେ । ସେ ନିଜକୁ ସଂପୂର୍ଣ୍ଣ ଅସହାୟ ଓ ଅକିଞ୍ଚିତ୍‌କର ମନେକରେ । ଯେ ପ୍ରଥମେ ନିଜର ବ୍ୟକ୍ତିତ୍ଵର ମହତ୍ତ୍ଵ ଓ ମୂଲ୍ୟ ହିଁ ବୁଝେ ନାହିଁ ସେ ଅନ୍ୟର ମହତ୍ତ୍ଵ ଓ ମୂଲ୍ୟ କ’ଣ ବୁଝିବ, ଅନ୍ୟର କି ସେବା କରିବ? ତେଣୁ ତାହା ଭିତରେ ଆତ୍ମବିଶ୍ଵାସ ଜଗାଇବା ତା’ର ନିଜର ଜୀବନର ଯେ ମୂଲ୍ୟ ଓ ମହତ୍ତ୍ଵ ରହିଛି ଏ ଉପଲବଧି ତାହା ଭିତରେ ଜଗାଇବା ହେଲା ଆମର ପ୍ରଥମ କାମ । ଏଥିପାଇଁ ଆମେ କେବେ କାହାରିକୁ କହୁନାହିଁ ଯେ ଆସ, ତମ ବିପଦରେ ଆମେ ତମକୁ ସାହାଯ୍ୟ କରିବୁ ବା ସେବା କରିବୁ । ଆମେ ଓଲଟି କହୁଁ, ‘ଆମେ ଯେଉଁ କାମ କରୁଛୁ ସେଥିରେ ଆମେ ତମର ସାହାଯ୍ୟ ଚାହୁଁ । ତେମେ ଆସି ଆମ ସାଙ୍ଗରେ କାମ କଲେ ଆମେ କୃତଜ୍ଞ ହେବୁ ।’

 

“ସେମାନଙ୍କର ଜନ୍ମଦିନ ଆଦି ମଧ୍ୟ ଖୁବ୍ ସମାରୋହରେ ପାଳନ କରି ଆମେ ତାଙ୍କର ଆତ୍ମମୂଲ୍ୟ ବଢ଼ାଇବାରେ ସାହାଯ୍ୟ କରୁଁ । ଏହା ଦ୍ଵାରା ସେମାନେ ଅନୁଭବ କରନ୍ତି ଯେ, ଅନ୍ୟମାନେ ତାଙ୍କ ପାଇଁ ଭାବୁଛନ୍ତି, ତାଙ୍କୁ ଆଦର-ସମ୍ମାନ କରୁଛନ୍ତି, ସେମାନେ ନଗଣ୍ୟ, ଅକିଞ୍ଚିତ୍‌କର ନୁହଁନ୍ତି ।

 

“ଯୁବକ ଯୁବତୀ, ଛାତ୍ରଛାତ୍ରୀମାନେ ମଧ୍ୟ ଆମ ପାଖକୁ ରହିବାକୁ ଆସନ୍ତି । ସେମାନେ ଜୀବନର ଉଦ୍ଦେଶ୍ୟ ଖୋଜୁଥାନ୍ତି । ନାନାଭାବରେ ବିବ୍ରତ ହେଇଥାନ୍ତି । ସେମାନେ ଧୀରସ୍ଥିର ଭାବରେ ନିଜର ସମସ୍ୟା ନେଇ ଚିନ୍ତା କରିବାର ଅବସର ଚାହାନ୍ତି । ଏଠି ସେମାନଙ୍କୁ ସେଭଳି ବାତାବରଣ ମିଳେ । ଏଠି ସେମାନଙ୍କ ଉପରେ କୌଣସି କଥା ଲଦି ଦିଆଯାଏ ନାହିଁ । ପ୍ରାପ୍ତବୟସ୍କ ନରନାରୀଙ୍କ ଭଳି ସେମାନଙ୍କ ସହିତ ବ୍ୟବହାର କରାଯାଏ । ବୟସ୍କାଉଟ୍ (ବାଳଚର) ଆଦି ସଂଗଠନ ସେମାନଙ୍କୁ ଆକୃଷ୍ଟ କରେ ନାହିଁ, କାରଣ ସେ ସବୁ ତ ପିଲା ଖେଳ । ଏମାନେ ପ୍ରାପ୍ତବୟସ୍କ ଲୋକଙ୍କ ପରି ଜୀବନ ବିତାଇବାକୁ ଚାହାନ୍ତି, ସମସ୍ୟାର ସମ୍ମୁଖୀନ ହେବାକୁ ଚାହାନ୍ତି । ଏଠି ସେମାନଙ୍କୁ ସେ ସୁଯୋଗ ମିଳେ ।”

 

ଏମାନେ ପୋନା-ଦୋର୍ଦୋୟଁଠାରେ ଆଠ ବର୍ଷ ତଳେ କାମ ଆରମ୍ଭ କରିଥିଲେ ଓ ଏହି ସମୟ ଭିତରେ ହଜାରେରୁ ଅଧିକ ଲୋକ ସେମାନଙ୍କ ନିକଟରେ ଆସି ରହିଛନ୍ତି ଓ ଲାଭବାନ ହୋଇ ଫେରିଛନ୍ତି । ସେଠି ପ୍ରାୟ ସତୁରି ଅଶି ଲୋକ ଏକା ସମୟରେ ରହୁଥାନ୍ତି । ତେବେ ସେ ସ୍ଥାନର ଜଳବାୟୁ ମି: ବାର୍ଥେଲମୀଙ୍କୁ ଆରେଇଲା ନାହିଁ । ସେଠି ବର୍ଷଯାକରେ ଛଅ ମାସ କି ବେଶୀ ବର୍ଷା ହୁଏ । ବହୁତ ସନ୍ତସନ୍ତିଆ ସ୍ଥାନ । ଫଳରେ ବାର୍ଥେଲମୀ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କର ଗୋଡ଼ରେ ବାତ ଭଳି ଗୋଟାଏ ରୋଗ ହେଲା । ସେଥିପାଇଁ ସେ ସେଠୁ ଆସି ଭୂମଧ୍ୟସାଗର କୂଳରେ ଏଠି ନୂଆ କେନ୍ଦ୍ର ଆରମ୍ଭ କରିଛନ୍ତି । ଏହାର ନାମ ରଖିଛନ୍ତି Centre for Human Regeneration ବା ମାନବ ନବଜୀବନ କେନ୍ଦ୍ର । ପୋନାଦୋର୍ଦୋୟଁଠାରେ ସେତେବେଳେ ଅଶି ଜଣ ଅନ୍ତେବାସୀ ଥିଲେ । ଏବେ ସେ ଜାଗାକୁ ଅନ୍ୟ କୌଣସି ଅନୁଷ୍ଠାନକୁ ବିକି ଦେବା କଥା ଚାଲିଥିଲା ।

 

ମ: ବାର୍ଥେଲମୀ କହିଲେ ଯେ ସେ ଏ ନୂଆ କେନ୍ଦ୍ରରେ ଏଣିକି ଲୋକଙ୍କର ସ୍ଥୂଳ ସେବା ଉପରେ ଟିକିଏ କମ ଜୋର ଦେଇ ଲୋକଙ୍କର ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ଅଧିକ ସାହାଯ୍ୟ କରିବାକୁ ଚାହାନ୍ତି । ସମାଜର ସମସ୍ୟା ସବୁର କାରଣ ଓ ତା’ର ସମାଧାନ ବିଷୟରେ ଅଧିକ ଚିନ୍ତନ, ମନନ ଓ ଅଧ୍ୟୟନ କରିବାକୁ ଚାହାନ୍ତି । ଏହାଛଡ଼ା ଏବେ ସାରା ଦୁନିଆରେ ଆଧୁନିକ ଶିଳ୍ପୀକରଣର ପ୍ରଭାବରୁ । ଯେପରି ପ୍ରାକୃତିକ ସମ୍ପଦ ନଷ୍ଟ ହୋଇ ଚାଲିଛି ଓ ଜଳବାୟୁ ଦୂଷିତ ହେଉଛି ତାହା ମଧ୍ୟ ଏକ ଗୁରୁତର ସମସ୍ୟା ଭାବରେ ଅଧିକ ଦୃଷ୍ଟି ଆକର୍ଷଣ କଲାଣି । ଫରାସୀ ସରକାର ମଧ୍ୟ ଏ ଦିଗରେ କିଛି କରିବାକୁ ଯାଉଛନ୍ତି ଓ ଏଭଳି ଏକ କାର୍ଯ୍ୟକ୍ରମରେ ମଧ୍ୟ ମି: ବାର୍ଥେଲମୀଙ୍କର ସହଯୋଗ ଲୋଡ଼ା ଯାଉଛି ।

 

ଏଠି ଗ୍ରାମଦାନ ବିଷୟରେ ଏକ ସଭା ହେଲା । ସହରରୁ ମଧ୍ୟ ଅନେକ ଲୋକ ଆସିଥିଲେ । ଏହାଛଡ଼ା ମି: ବାର୍ଥେଲମୀ ଓ ମି: ସ୍ମିଥଙ୍କ ସହିତ ଆଜିର ଯୁବ ସମସ୍ୟା ନେଇ ଦୀର୍ଘ ଆଲୋଚନା ହେଲା ।

 

ମୋର ପ୍ରଶ୍ନର ଉତ୍ତରରେ ମି: ବାର୍ଥେଲମୀ କହିଲେ “ୟୁରୋପରେ ସର୍ବତ୍ର ସେମାନେ ଏବେ ଏକା ପ୍ରକାରର । ସେମାନଙ୍କ ବିଷୟରେ ମତାମତ ଦେବା କଠିନ, ତେବେ ମୁଁ ସେମାନଙ୍କ ସହିତ ଆଲୋଚନା କରି ଦେଖିଛି ଯେ ସେମାନେ ଏକ ଭବିଷ୍ୟର ଦର୍ଶନ ପାଇଛନ୍ତି ଯାହା ନୂତନ, ଯଥାର୍ଥ ଓ ସତ୍ୟ । ମାତ୍ର ଯେ ପର୍ଯ୍ୟନ୍ତ ସେମାନେ ଏହା ନ ଦେଖଇ ଦେଇଛନ୍ତି ଯେ ସେମାନେ ନିଜର ସମସ୍ତ ଶକ୍ତି ଲଗାଇ ଏ ନୂଆ ଦୁନିଆ ଗଢ଼ିବାକୁ ସକ୍ଷମ ଓ ବିଶେଷ କରି ଏ କାମରେ ଦୀର୍ଘ କାଳ ଯାଏ ଅଧ୍ୟବସାୟ ସହ ଲାଗି ପାରିବେ, ସେ ପର୍ଯ୍ୟନ୍ତ କେବଳ ସତ୍ୟର ଦର୍ଶନ ଦ୍ଵାରା କିଛି ଉପକାର ହେବ ବୋଲି ମୋର ମନେ ହୁଏ ନାହିଁ । ରାସ୍ତାଟା ଦେଖିପାରିବା ପ୍ରଧାନ କଥା ନୁହେଁ, ପର୍ବତର ଶିଖରରେ ପହଞ୍ଚିବା ଯାଏ ସେ ବାଟରେ ଚାଲିବା ହେଲା ଅସଲ କଥା । ସେମାନେ ଏବେ ନିଜ କର୍ତ୍ତବ୍ୟ କର୍ମର ଆରମ୍ଭରେ ରହିଛନ୍ତି, ସେମାନଙ୍କ ତୁଣ୍ତରେ ବହୁତ ଭଲ ଭଲ କଥା ରହିଛି, ମାତ୍ର ସେମାନେ ଜୋରସୋରରେ କାମରେ ଲାଗିଲେ ଯାଇ କେତେ ବର୍ଷ ପରେ କହିପାରିବେ ଯେ ଆମେ ନୂଆ ମଣିଷ ହେବାକୁ ଲାଗିଲୁଣି ।”

 

‘ମାତ୍ର ଆମେ ବି ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବା ଉଚିତ’, ମୁଁ କହିଲି ।

 

“ହଁ, ମାତ୍ର କଥା କହି ବା ବକ୍ତୃତା ଦେଇ ନୁହେଁ । ମାତ୍ର ଆମକୁ ସେମାନଙ୍କ ନିକଟରେ ଥାଇ ଏକ ନୂତନ ଜୀବନ-ପ୍ରଣାଳୀର ଆଦର୍ଶ ଦେଖାଇବାକୁ ହେବ ।” ସେ ଜବାବ ଦେଲେ ।

 

ମି: ସ୍ମିଥ୍ ଯୋଗକଲେ “ମୁଁ ଦେଖିଛି ଯେ ଆମ ପାଖକୁ ଦୁଇ ପ୍ରକାରର ଯୁବକ ଯୁବତୀ ଆସନ୍ତି । କେତେକ ସ୍ଵାର୍ଥପର, ସେମାନେ ଜୀବନର ବାସ୍ତବ ସମସ୍ୟାରୁ ଲୁଚିବାକୁ ଚାହାନ୍ତି । ମାତ୍ର ଅନ୍ୟ କେତେକ ଏକ ନୂଆ ଦୁନିଆ ଗଢ଼ିବାରେ ଆମକୁ ସାହାଯ୍ୟ କରିବାର ଉଦ୍ଦେଶ୍ୟ ନେଇ ଆସିଥାନ୍ତି ।

 

“ଏଠିକି ଜଣେ ପାଦ୍ରୀଙ୍କ ପୁଅ ଆସିଥିଲା । ଛବି ଅଙ୍କା, ଗୀଟାର ବଜାଇବାରେ ଖୁବ୍ ଦକ୍ଷ । ମାତ୍ର ରୀତିମତ ହିପ୍ପୀ, କିଛି କାମ କରିବ ନାହିଁ । ମୁଁ ଦେଖୁଛି ଯେ ଏ ସବୁ ହେଉଛି ପୁଂଜିବାଦର ନିର୍ମମ, ଧ୍ଵଂସମୂଳକ ଓ ପ୍ରତିଯୋଗୀତାମୂଳକ ଶକ୍ତି ବିରୋଧରେ ଏକ ପ୍ରତିବାଦ, ପୁଂଜିବାଦ ଯାହା ପଛରେ ଅଛି ବସ୍ତୁବାଦ ଓ ସାମରିକତାବାଦ । ଇଂଲଣ୍ତର ଅବସ୍ଥା ତ ଆହୁରି ଖରାପ । ଏବେ ଆଉ ଏ କଥା ନାହିଁ ଯେ ଯୁବକ ଓ କର୍ମଠ ଲୋକେ ନୂଆ ରାଜ୍ୟକୁ ଯାଇ ବଣ-ଜଙ୍ଗଲ କାଟି ନୂଆ ସହର ଗଢ଼ିବେ । ସେମାନେ ପଲେ ମୂଷାଙ୍କ ପରି ସେ ଦ୍ଵୀପରେ ଜନ୍ତାରେ ପଡ଼ିଛନ୍ତି । ତେଣୁ ସେମାନେ ଲମ୍ଵ ବାଳ ଓ ହିପ୍ପୀ ପୋଷାକ ଦ୍ଵାରା ପ୍ରତିବାଦ ଜଣାଉଛନ୍ତି, ଅତୀତର ଭଲ ଦିନର କଥା ମନେ ପକାଇ ।

 

“ନାତସୀବାହିନୀର କଦମଫୁଲିଆ ବାଳକଟା ଅପେକ୍ଷା ସେମାନେ ଲମ୍ଵ ବାଳ ପସନ୍ଦ ଯୋଗ୍ୟ ମଣୁଛନ୍ତି । ନାତସୀମାନଙ୍କ ସାମରିକ ବୁଟଜୋତାର ବିରୋଧ କରି ସେମାନେ ନରମ ଚପଲ ପିନ୍ଧୁଛନ୍ତି । ତେଣୁ ଆମେ ଏ ନୂଆ ପିଢୀ ସହିତ ସମ୍ପର୍କ ଛିନ୍ନ କରିଦେବା, ନିରାଶ ହୋଇଯିବା ଉଚିତ ନୁହେଁ । … ଏଠୁ ଅଳ୍ପ ଦୂରରେ ଯୁବକମାନଙ୍କର ଏକ ନୂଆ ବସ୍ତି ଅଛି । ସେମାନେ ଜମି ନେଇଛନ୍ତି । ନୂଆ ଗାଁଟିଏ ଗଢ଼ୁଛନ୍ତି । ସେମାନଙ୍କ ସହିତ ଯେଗାଯୋଗ ରଖିବାକୁ ହେବ । ସେମାନଙ୍କର ଏକ ନକାରାତ୍ମକ ଭାବନା ରହିଛି, କିଛି କରିବାର ବିଧାୟକ ପ୍ରେରଣା ନାହିଁ-। ସେମାନଙ୍କ ଗୀତ ଶୁଣିଲେ ବୁଝିପାରିବେ :

 

‘ଏତେ ଧନ କ’ଣ ପାଇଁ ?

 

ଆହୁରି ତୋପ କିଣିବା ପାଇଁ ।

 

ଆହୁରି ତୋପ କ’ଣ ହେବ ?

 

ଅନ୍ୟ ଲୋକଙ୍କୁ ମାରି ସେମାନଙ୍କ ଦେଶ

 

ଦଖଲ କରାଯିବ ଯେପରି ଆହୁରି ଧନ ବଢ଼ିବ ।’

 

ଏ ସବୁ କେବଳ ନକରାତ୍ମକ ହେଲେ ବି ଯୁବସମାଜ ଦେଲା ଏକ ସୂକ୍ଷ୍ମ ବାୟୁଚାପ ମାପକ ଯନ୍ତ୍ର ଭଳି ଯେଉଁଥିରେ ଚାରିପାଖେ ଘୋଟି ରହିଥିବା ସାମାଜିକ ଅଧଃପତନ ଧରା ପଡ଼େ-।”

 

“ମୋର ସେ ପିଲା ମନେ ଅଛି । ସେ ଚିତ୍ରକାର ହେବାକୁ ଚାହୁଁଥିଲା; ମାତ୍ର ସେ କଳା ଶିଖିବା ତା’ର ଦରକାର ନାହିଁ, ସେ ସବୁ ଜାଣେ ବୋଲି କହୁଥିଲା । ଏଇ ଏକ ଗୁରୁତର କଥା । ଯେଉଁ କାମ କରିବ ସେଇଟା ଶିଖିବାକୁ ତ ହେବ ?” ବାର୍ଥେଲ୍‌ମୀ ମନ୍ତବ୍ୟ କଲେ । ଏଇ ନକରାତ୍ମକ ଭାବ ନେଇ ଆଲୋଚନା ଚାଲିଲା ଯେ ଏମାନେ ବଡ଼ ମଣିଷଙ୍କଠାରୁ କୌଣସି କଥା ଶିଖିବାକୁ ଚାହାନ୍ତି ନାହିଁ । ବାର୍ଥେଲମୀ ଜଣେ ପିଲାର ଉଦାହରଣ ଦେଲେ ଯେ ଚିତ୍ରକର ହେବାକୁ ଚାହୁଁ ଥିଲା ମାତ୍ର ଚିତ୍ରକଳା ଶିଖିବା ଆବଶ୍ୟକ ମଣୁ ନ ଥିଲା । ସ୍ମିଥଙ୍କ ମତରେ ଏଇଟା କେବଳ ଗୋଟାଏ ଉପରର ବାହାନା । ଭିତରେ ଭିତରେ ଏ ପିଲାମାନେ ଖୁବ୍ ଅସହାୟ । ସେଥିପାଇଁ ଉପରକୁ ଦେଖାନ୍ତି ଯେ ସେମାନଙ୍କର ବଡ଼ ମଣିଷଙ୍କ ସାହାଯ୍ୟ ଲୋଡ଼ା ନାହିଁ ।

 

ଏ ଯୁବ ଅସନ୍ତୋଷଟା କିପରି ଗୋଟାଏ ଏକମୁଖୀ ଆନ୍ଦୋଳନ ନୁହେଁ, ଏଥିରେ ବିବିଧ ଧାରା ରହିଛି । ବିବିଧ ରାଜନୀତିକ ଦଳ ଧର୍ମ-ସଂପ୍ରଦାୟରେ ଏ ଯୁବକମାନେ ଯୋଗ ଦେଉଛନ୍ତି ବୋଲି ସ୍ମିଥ୍ ମନ୍ତବ୍ୟ କରିବାରୁ ବାର୍ଥେଲମୀ କହିଲ୍ ଯେ ଏଥିରୁ କେତେକ ଆଧୁନିକ ସଭ୍ୟତାର ବ୍ୟବସ୍ଥାକୁ ଚାହାନ୍ତି ଅଥଚ ତା’ର ଫଳତକ ବି ଭୋଗିବାକୁ ଚାହାନ୍ତି । ଅନ୍ୟମାନେ ବୁଝନ୍ତି ଯେ ନୂଆ ସଭ୍ୟତା ଗଢ଼ିବାକୁ ହେଲେ ଆଜି ମଣିଷର ଆବଶ୍ୟକତା ଯେ ଅମାପ ବଢ଼ି ଚାଲିଛି ତାହା କମାଇବାକୁ ହେବ । ଏହାର ଦ୍ଵାରା ହିଁ ଆଧୁନିକ ସଭ୍ୟତାର ସମସ୍ୟାର ସମାଧାନ । ମୋ କଥା ଉପରେ ସମସ୍ତେ ଏକମତ ହେଲେ ଯେ ଆବଶ୍ୟକତା ଊଣା କରିବା ଅର୍ଥ ଆଦିମ ଅବସ୍ଥାକୁ ଫେରିବା ନୁହେଁ । ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିକାଶପାଇଁ ବି କେତେକ ବସ୍ତୁ ସାମଗ୍ରୀ ଲୋଡ଼ା । ଅସଲ ସମସ୍ୟା ହେଲା ଯେ ପୁଂଜିବାଦୀ ବ୍ୟବସ୍ଥାରେ ଆମକୁ ଲୋଡ଼ା ନ ଥିଲେ ବି ଜିନିଷ କିଣିବା ପାଇଁ ନାନା ଉପାୟରେ ବାଧ୍ୟ କରା ହେଉଛି, ଖବର କାଗଜ, ରେଡ଼ିଓ ଆଦି ବିଜ୍ଞାପନ ମାଧ୍ୟମରେ ।

 

ବୁଡ଼ିଯାଉଥିବା ଜାହାଜରୁ ମୂଷା ପଳେଇଲା ପରି କିପରି ଆମେରିକାର ସହରମାନଙ୍କରୁ ଲକ୍ଷ ଲକ୍ଷ ଯୁବକ ଯୁବତୀ ବଣକୁ ଚାଲିଯାଉଛନ୍ତି, ସଭ୍ୟତାକୁ ତ୍ୟାଗ କରିବାକୁ ଯାଇ ଲୁଗା ସୁଦ୍ଧା ପିନ୍ଧୁନାହାନ୍ତି, ତାହା ସ୍ମିଥ୍ ବର୍ଣ୍ଣନା କରିଥିଲେ । ସେମାନେ କହୁଛନ୍ତି–ଆମେ ପୁଂଜିବାଦର ହରଡ଼ଘଣାରେ ପେଷି ହେବାକୁ ରାଜି ନୋହୁଁ । ଆମେ ପାଠ ପଢ଼ିବୁ ନାହିଁ, କାରଣ ଆମକୁ ତ ଜ୍ଞାନ ଦିଆଯାଉ ନାହିଁ । କେବଳ ତମର ସମାଜଯନ୍ତ୍ର ଓ ଅର୍ଥନୀତିର ଦାସତ୍ଵ କରିବାକୁ ତାଲିମ ଦିଆଯାଉଛି । ତାଙ୍କ ମତରେ ଏ ଆନ୍ଦୋଳନ ଆହୁରି ବ୍ୟାପିବ, ରୁଷିଆ ଓ ଚୀନରେ ମଧ୍ୟ ଆରମ୍ଭ ହେବ ଓ ସବୁ ମିଶି ଏକ ବିଶାଳ ରୂପ ଧରିବ ।

 

ଏ ପିଲାମାନଙ୍କର ଭବିଷ୍ୟତ ସମ୍ଵନ୍ଧରେ ସ୍ପଷ୍ଟ ଧାରଣା ନାହିଁ ଓ ସେମାନଙ୍କର ଶକ୍ତିକୁ ଠିକଣା ବାଟ ଦେଖାଇବା ପାଇଁ ବଳିଷ୍ଠ ନେତୃତ୍ଵ ଲୋଡ଼ା, ଯାହାର ଏମାନଙ୍କ ଉପରେ ବିଶ୍ଵାସ ଥିବ ଓ ଯାହା ଉପରେ ପିଲାଙ୍କର ବି ଆସ୍ଥା ଥିବା ଚାହି । ସେ କହିଲେ, “ଆମେ ନମ୍ର ଭାବରେ ବିଶ୍ଵାସ କରୁଁ ଯେ ଆମଠାରେ ଭବିଷ୍ୟତର ଏକ ସ୍ପଷ୍ଟ ଧାରଣା ଅଛି, ମାତ୍ର ସେମାନେ ଆମ ପାଖକୁ ଆସୁନାହାନ୍ତି, କାରଣ ଆମେ ଅତି ଶୃଙ୍ଖଳିତ ଓ ସେମାନେ କୌଣସି କଟକଣା ମାନିବାକୁ ରାଜି ନୁହନ୍ତି, ନା ପ୍ରେମରେ, ବ୍ୟବହାରରେ, ଶିଳ୍ପକଳାରେ ବା ପାଠପଢ଼ାରେ । ମାତ୍ର ତଥାପି ଆମର ହୃଦୟ ସେମାନଙ୍କ ପାଇଁ ଦ୍ରବିତ ହେଉଛି, କାରଣ ଆମେ ସେମାନଙ୍କୁ କ’ଣ ଦେଇଛୁ ? କେବଳ ଏମାନଙ୍କୁ ଏକ ପଚନଶୀଳ ସମାଜର ଦାସ କରିବା ଛଡ଼ା ?”

 

ସେମାନଙ୍କୁ କେବଳ ସମାଲୋଚନ ଦୃଷ୍ଟିରେ ନ ଦେଖି ସେମାନଙ୍କର ଅନ୍ତରର ଭାବନାକୁ ଉପଲବଧି କରିବାର ଚେଷ୍ଟା କରିବା ଉଚିତ । ଆଜିର ସମୟରେ ଆମେ ସେହି ବୟସର ହୋଇଥିଲେ କ’ଣ କରିଥାନ୍ତେ ତାହା ବିଚାରିବା ଉଚିତ ବୋଲି ସେ ମତ ଦେଲେ ଓ ମୋର ଏ ମତକୁ ସମର୍ଥନ କଲେ ଯେ ଆଜିର ଏ ପିଢ଼ୀ ପୂର୍ବର ପିଢ଼ୀମାନଙ୍କ ଅପେକ୍ଷା ଖରାପ ନୁହେଁ ବରଂ ଭଲ । ସେତେବେଳେ ସେମାନଙ୍କଦ୍ଵାରା ଆମେ କି କୁକର୍ମ ନ କରେଇଛୁ ? ପ୍ରଥମ ମହାଯୁଦ୍ଧ, ଦ୍ଵିତୀୟ ମହାଯୁଦ୍ଧ ଇତ୍ୟାଦି । ସେମାନେ ସେତେବେଳେ ନିର୍ବିଚାରରେ ଶାସକମାନଙ୍କ ହୁକୁମ ମାନି ଯାଇଛନ୍ତି । ଏମାନେ ତ ଏବେ ହେଲେ ନିଜପାଇଁ ଚିନ୍ତା କରିବା ଚେଷ୍ଟା କରୁଛନ୍ତି ।

 

ସେ ଆହୁରି ଯୋଗକଲେ ଯେ ଆମେ ଏକ ସୁସ୍ଥିର ସମାଜରେ ଜନ୍ମିଥିଲୁ । ଏମାନେ ଜନ୍ମିଛନ୍ତି ଯୁଦ୍ଧ ପରର ଅସ୍ଥିର ସମାଜରେ ଯେତେବେଳେ ସବୁ ଟଳମଳ, ହାଣ୍ତିରେ ପଡ଼ିସବୁ ଆଉଟା ହେଉଛି । ବାର୍‌ଥେଲମୀ କହିଲେ ଯେ ଦୁନିଆର ଶ୍ରେଷ୍ଠ ମନିଷୀମାନଙ୍କ ସମସାମୟିକ ଭାବେ ଜନ୍ମଗ୍ରହଣ କରିଥିବା ଏକ ପିଢ଼ୀ ଭାବରେ ମଧ୍ୟ ଆମେ ଭାଗ୍ୟବାନ ଥିଲୁ, ଯେଉଁ ମନିଷୀମାନେ ଯୁବଗୋଷ୍ଠୀକୁ ବି ନେତୃତ୍ଵ ଦେଇଥିଲେ, ଯଥା ଗାନ୍ଧୀ । ମୁଁ ଯୋଗକଲି ଯେ ଏ ମନିଷୀମାନେ କେବଳ ନିଜ ଯୁଗ ପାଇ ନ ଥିଲେ, ସବୁ ଯୁଗ ପାଇଁ ସେମାନଙ୍କର ବାଣୀ ଓ ଆଦର୍ଶ ରହିଛି । ଏ ସବୁ ନେଇ ନୂଆ ପିଢ଼ୀ ପାଖରେ ପହଞ୍ଚାଇବା ଓ ତା’ର ଚିନ୍ତାଧାରାକୁ ସ୍ପଷ୍ଟରୂପ ଦେବାରେ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ବୋଲି ଆମେ ଶେଷରେ ଏକମତ ହେଲୁ-।

Image

 

ଛବିଶ

ପ୍ୟାରିସରେ ସଭାସମିତି ଓ ଭକ୍ତିମାର୍ଗ

 

ପ୍ୟାରିସରେ ଚାରୋଟି ସଭାର ଆୟୋଜନ ଥିଲା । ଗୋଟିଏ ରାମକୃଷ୍ଣ ମିଶନରେ, ଗୋଟିଏ ଆନ୍ତର୍ରାଷ୍ଟ୍ରୀୟ କ୍ଵେକର କେନ୍ଦ୍ରରେ, ଗୋଟିଏ ଆମେରିକାନ୍ କେନ୍ଦ୍ରରେ ଅନ୍ୟ ଗୋଟିଏ ସେଠାର ଏକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ । ରାମକୃଷ୍ଣ ମିଶନ୍‌ର ମଠ ସହରରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂର ଏକ ଉପନଗରୀ ଗ୍ରେତ୍‌ସଠାରେ । ପ୍ରକାଣ୍ତ ହତା ପାଞ୍ଚ ଏକର ଖଣ୍ତେ, ବଡ଼ ଦୋତାଲା ଘର, ବୋଧହୁଏ କୌଣସି ବଡ଼ ଲୋକଙ୍କର ବାଗାନବାଡ଼ି ଥିଲା । ଏଠି ସଭାରେ ଉପସ୍ଥିତି ବେଶ ଭଲ ରକମର ଥିଲା । ଶ୍ରୀରାମକୃଷ୍ଣ ଓ ବିବେକାନ୍ଦଙ୍କର ବହୁତ ଭକ୍ତି ଏଣେ ହେଲେଣି ବୋଲି ଜଣାଗଲା । କହିବା ବାହୁଲ୍ୟ ସମସ୍ତେ ଫରାସୀ । ତେବେ ମଠର ମୁଖ୍ୟ ପରିଚାଳକ ସ୍ଵାମୀ ପ୍ରଜ୍ଞାନାନନ୍ଦ ଫରାସୀ ନୁହନ୍ତି । କଥାବର୍ତ୍ତାରୁ ଇଂରେଜ ବୋଲି ମନେ ହେଲା । ଯେତେ ଚେଷ୍ଟା କଲେ ବି ତାଙ୍କର ପୂର୍ବ ପରିଚୟ ଆଉ ଜାଣି ପାରିଲି ନାହିଁ । ସଭା ପରେ ସନ୍ଧ୍ୟା ଆରତୀ ପର୍ଯ୍ୟନ୍ତ ରହିବା ପାଇଁ ଓ ସାଂଧ୍ୟଭୋଜନ ଏଇଠି ସାରି ଯିବା ପାଇଁ ସ୍ଵାମୀଜୀଙ୍କର ଅନୁରୋଧ ରକ୍ଷା କରି ରହିଗଲୁ । ସ୍ଵାମୀଜୀଙ୍କ ସହିତ ବହୁତ ଗପ ହେଲା ଓ ମଠର ଜମିବାଡ଼ି ଗୋଶାଳା ଆଦି ବୁଲି ଦେଖାହେଲା ।

 

ମଠରେ ପନ୍ଦର ଜଣ ସାଧକ ଅନ୍ତେବାସୀ ଅଛନ୍ତି । ପ୍ରାୟ ସମସ୍ତ ଅଳ୍ପବୟସ୍କ ତରୁଣ ତରୁଣୀ । ହଲ୍ୟାଣ୍ତ ଆଦି ବିଭିନ୍ନ ଦେଶରୁ ଆସିଛନ୍ତି । ଏମାନେ ଏଠି ଯୋଗସାଧନା ଓ ଉପନିଷଦ, ଗୀତା ବ୍ରହ୍ମସୂତ୍ର ତଥା ବିବେକାନନ୍ଦଙ୍କ ଲେଖା ଆଦି ଅଧ୍ୟୟନ କରନ୍ତି । ଗୋଶାଳା ଓ ବିଲବାଡ଼ି କାମ ବି କରନ୍ତି । ଗୋଶାଳରେ ବେଶ ଭଲ ଆଠ ଦଶଟି ଗାଈ ଅଛନ୍ତି । ବାଡ଼ିରେ ନାନା ପ୍ରକାର ପନିପରିବା ଲଗା ହେଇଛି । ଗାଈଙ୍କ ପାଇଁ ଚାରା ମଧ୍ୟ କିଛିଟା ଜମିରୁ ଉତ୍ପନ୍ନ ହୁଏ ।

 

ଏଇଟା ୟୁରୋପର ଏକ ପ୍ରଧାନ ମଠ । ଅନ୍ୟାନ୍ୟ ଆଡ଼େ ଆହୁରି ଗୁଡ଼ିଏ ମଠ ଅଛି ଓ ବହୁସହସ୍ର ଲୋକ ଏ ସବୁଥିର ଭକ୍ତ ଅଛନ୍ତି ବୋଲି ସ୍ଵାମୀଜୀ କହିଲେ । ମଠର ସମସ୍ତ ଖର୍ଚ୍ଚ ସାଧାରଣ ଚାନ୍ଦାରୁ ହିଁ ଚଳେ ।

 

ସଂଧ୍ୟାବେଳେ ଉପାସନାର ସମୟ ପାଖେଇ ଆସିଲା । ନିର୍ଦ୍ଦିଷ୍ଟ ସମୟରେ ଘଣ୍ଟା ବାଜିଲାରୁ ସମସ୍ତେ ଯାଇ ପୂଜା କକ୍ଷରେ ପହଞ୍ଚିଲୁ । ନାତିବୃହତ୍ କକ୍ଷରେ ତିରିଶ ଜଣ ଖଣ୍ତେ ଭକ୍ତ ଥାନ୍ତି । ଅଳ୍ପ କେତେଜଣ କାନ୍ଥ ପାଖରେ ରଖାହେଇଥିବା ଚୌକୀରେ ବସିଥାନ୍ତି, ବାକୀସବୁ ତଳେ-। ଚେକାମାଡ଼ି ତଳେ ବସିବା ଅଭ୍ୟାସ ଏମାନେ ସବୁ କରି ନେଲେଣି ଦେଖାଗଲା ।

 

ଅନେକ ସମୟ ଧରି ରୀତିମତ ପୂଜା ଚାଲିଲା । ସ୍ଵାମୀଜୀ ଗେରୁଆ ଲୁଗା ପିନ୍ଧି ଘଂଟି ବଜେଇ ଆରତୀ କଲେ । ସ୍ତୋତ୍ର ଆଦି ବୋଲିଲେ । ହାରମୋନିୟମ ବଜାଇ “ଗୁରୁଦେବ ଦୟା କର ଦୀନ ଜନେ” ଗୀତ ବୋଲା ହେଲା ଓ ଶେଷକୁ ଠାକୁର ରାମକୃଷ୍ଣ ଦେବକୀ ଜୟ, ଗୁରୁ ମହାରାଜାକୀ ଜୟ ଆଦି ଜୟଜୟକାର ସହ ଆରତୀ ଓ ପୂଜା ଶେଷ ହେଲା । ପେଣ୍ଟ କୋଟ ଓ ସ୍କାଟ୍ ପିନ୍ଧା ସାଇବ ମେମ୍‌ମାନେ ଯେତେବେଳେ ଆଂଠୁମାଡ଼ି ଠାକୁରଙ୍କୁ ଢୋ ଢୋ ମୁଣ୍ତିଆ ମାରୁଛନ୍ତି ସେତେବେଳେ ଏହା ଏକ ଦେଖିବା ଜିନିଷ ହେଇଥାଏ ।

 

ଖାଇବା ବେଳକୁ, ଦେଖାଗଲା ଯେ ବିଜୁଳି ଲାଇନ ବନ୍ଦ । ମହମବତୀ ଜାଳି ଖିଆ ହେଲା । ଯାହା ହେଉ ମତେ ଟିକିଏ ଆଶ୍ଵସ୍ତ ଲାଗିଲା ଯେ ଏଭଳି ଏସବୁ ଦେଶରେ ବି ଘଟୁଛି । କେବଳ ଆମ ଦେଶରେ ନୁହେଁ । ଖାଇବା ଖୁବ୍ ସାଦାସିଧା ଓ ନିରାମିଷ ହିଁ ଥିଲା । ଖବର କାଗଜମାନଙ୍କରୁ ସମସ୍ତେ ଦେଖୁଥିବା ଯେ ଏବେ ୟୁରୋପ ଓ ଆମେରିକାରେ ହିପ୍ପୀ ଆନ୍ଦୋଳନର ସାଙ୍ଗେ ସାଙ୍ଗେ ଭାରତୀୟ ଭକ୍ତିମାର୍ଗର ବି ଖୁବ୍ ପ୍ରସାର ହେଉଛି । ଏଥିରେ ଆମ ଦେଶରେ ଯେପରି ଦେଖାଯାଏ, ଅନେକ ପରିମାଣରେ ଗଡ଼୍ଡ଼ଳିକା ପ୍ରବାହ ତ ରହିଛି; କିନ୍ତୁ ମୋର ମନେ ହୁଏ ଗୋଟିଏ ମହତ୍ତ୍ଵପୂର୍ଣ୍ଣ ଦିଗ ମଧ୍ୟ ଅଛି । ଏ ଦେଶରେ ଲୋକେ ସମୃଦ୍ଧିର ଶିଖରରେ ପହଞ୍ଚିବା ପରେ ଏବେ ତାର ଆଗକୁ ଜୀବନର ଲକ୍ଷ୍ୟ କଣ, ଉଦ୍ଦେଶ୍ୟ କଣ, ତାହା ଖୋଜୁଛନ୍ତି । ଆଧୁନିକ ଶିଳ୍ପ ପ୍ରଧାନ ଓ ନଗର ପ୍ରଧାନ ଜୀବନରେ ମଣିଷ ସହିତ ମଣିଷର ସ୍ନେହ ସମ୍ପର୍କ ମଧ୍ୟ କ୍ଷୀଣରୁ କ୍ଷୀଣତର ହେଇ ଯାଉଛି । ସେଥିପାଇଁ ଭାବଜୀବନରେ ମଧ୍ୟ ଗୋଟିଏ ପ୍ରକାରର ଶୂନ୍ୟତା ଆସୁଛି ।

 

ଭାରତୀୟ ଭକ୍ତମାର୍ଗରେ ଭକ୍ତର ଆଧ୍ୟାତ୍ମିକ ପୂର୍ଣ୍ଣତାର ଯେଉଁ ଆଦର୍ଶ ରଖା ଯାଇଛି ତାହାକୁ ଆଧୁନିକ ମନୋବିଜ୍ଞାନର ମାପକାଠୀରେ କଳିଲେ ଜଣାଯିବ ଯେ ତାହା ଏକ ପୂର୍ଣ୍ଣ ବିକଶିତ, ସୁସମଞ୍ଜ ଓ ସୃଜନଶୀଳ ବ୍ୟକ୍ତିତ୍ଵର ମଧ୍ୟ ଲକ୍ଷଣ । ସେଥିପାଇଁ ଯେଉଁଠି ମଣିଷ ଜୀବନର ସାର୍ଥକତା ଖୋଜିବ ସେଠି ସେ ଭକ୍ତି ମାର୍ଗ ପ୍ରତି ଆକୃଷ୍ଟ ହେବା ସ୍ଵାଭାବିକ ।

 

ତାହା ଛଡ଼ା ଏହା ଜୀବନରେ ନାନା ଚାପ, ଦ୍ଵନ୍ଦ ଓ ଅନିଶ୍ଚିତତାରୁ ନିଜକୁ ରକ୍ଷା କରିବାର ମଧ୍ୟ ଗୋଟିଏ ଉପାୟ । ଏହା ଦୁଇପ୍ରକାରରେ ହେଇପାରେ । ଭକ୍ତିମାର୍ଗରୁ ମଣିଷ ଏ ସବୁର ସମ୍ମୁଖୀନ ହେବାର, ଜୀବନର ସମସ୍ୟାମାନଙ୍କ ସହିତ ଯୁଝିବାର ଆନ୍ତରିକ ଶକ୍ତି ଆହରଣ କରିପାରେ ବା ଅନ୍ୟଥା ଏ ସବୁକୁ ଏଡ଼େଇ ଯିବାର ଏକ ପଳାୟନବାଦୀ ପନ୍ଥାରୂପେ ମଧ୍ୟ ଏହାକୁ ବ୍ୟବହାର କରିପାରେ । ହୁଏତ ଆମ ଦେଶପରି ତେଣେ ମଧ୍ୟ ଏଇ ପଳାୟନବାଦୀ ଭକ୍ତିମାର୍ଗୀଙ୍କ ସଂଖ୍ୟା ବେଶୀ ।

 

ପ୍ୟାରିସରେ ମୋର ବସାରେ ମୁଁ ଦିନେ ଏକତାଲାକୁ ଗାଧୋଇବା ପାଇଁ ଓହ୍ଲାଇବାବେଳକୁ ଜଣେ ଫରାସୀ ଯୁବକ ଭେଟ ହେଲେ । ପ୍ୟାଣ୍ଟ ଓ ସ୍ଵେଟର ପିନ୍ଧିଛନ୍ତି, ମୁଣ୍ତା ଲଣ୍ତା ଓ ଗଳାରେ ତୁଳସୀମାଳା । ମତେ ଦେଖି ସହାସ୍ୟ ବଦନରେ “ହରେକୃଷ୍ଣ ହରେକୃଷ୍ଣ” କହି ଅଭିବାଦନ କଲେ । ମୁଁ ବି “ହରେକୃଷ୍ଣ” କହିଦେଲି ।

 

ଖବର ନେଇ ବୁଝିଲି ଯେ ଏଇ କୋଠାର ପାଖ ବଖରାରେ ଦୁଇଜଣ ଏ ଦେଶୀୟ ବୈଷ୍ଣବ ବୈଷ୍ଣବୀ ରହନ୍ତି ବୋଲି ଶୁଣିଥିଲି, ଏ ସେହି । ପରେ ଏହାଙ୍କ ସହିତ ଆଳାପ ହେଲା । ଭାରତ ସେବାଶ୍ରମ ସଂଘ ପ୍ରେରଣାରେ ଆମେରିକା ଓ ୟୁରୋପରେ ‘କୃଷ୍ଣପ୍ରେମ’ ଆନ୍ଦୋଳନ ଚାଲିଛି । ଏମାନେ ତା’ରି ଅନ୍ତର୍ଭୂକ୍ତ । ଯୁବକ ଲଣ୍ତନ ଫରାସୀ, ଯୁବତୀଟି ଆମେରିକାନ୍ । ଯୁବକ ଏମ୍. ଏ. ପଢ଼ୁଥିଲା । ପଢ଼ାଛାଡ଼ି ଦେଇଛି । ଝିଅଟି ବି କଲେଜ ଛାଡ଼ି ଚାଲି ଆସିଛି । ଏଠି ଏମାନଙ୍କର ଗୋଟାଏ ସତ୍‌ସଙ୍ଗ ଅଛି । ପ୍ରତି ରବିବାରେ ପଚାଶ ଖଣ୍ତେ ଲୋକ ଏକତ୍ର ହୁଅନ୍ତି । ଭଜନ କୀର୍ତ୍ତନ ହୁଏ । ପ୍ରତି ଦିନ ସଂଧ୍ୟାରେ ଏମାନେ ଯାଇ ରାସ୍ତାରେ ବୁଲି କୀର୍ତ୍ତନ କରି ଭୀକ୍ଷା ମାଗନ୍ତି । ଏକ ମନ୍ଦିର ତିଆରି କରିବା ପାଇଁ ଏହିରୂପରେ ଅର୍ଥ ସଂଗ୍ରହ ଚାଲିଛି । ଏଭଳି ଉଦ୍ୟମଦ୍ଵାରା ଆମେରିକାରେ ସାନଫ୍ରାନସିସ୍କୋ, ସିକୋଗୋ ଏବଂ ଆଉ କେତେ ସହରରେ ବାରଟା ଖଣ୍ତେ ମନ୍ଦିର ଗଢ଼ା ସରିଲାଣି ବୋଲି ଏମାନେ କହିଲେ ।

 

ଯୁବକ ଜଣକ କହିଲେ ଯେ ସେ ଚୈତନ୍ୟ ଚରିତାମୃତ ଓ ରୂପଗୋସ୍ଵାମୀଙ୍କର ଖଣ୍ତେ ଗ୍ରନ୍ଥ ପଢ଼ିଛନ୍ତି । ବେଶୀ ପଢ଼ାଶୁଣା ଆବଶ୍ୟକ ମନେ କରୁନାହାନ୍ତି । ଗୁରୁମହାରାଜ କହିଛନ୍ତି ନାମଜପ ଓ ଗୁରୁଭକ୍ତି, ଏହାରି ଦ୍ଵାରା ହିଁ ମୋକ୍ଷ ମିଳିବ । ତାହା ହିଁ କରୁଛନ୍ତି । ଗୁରୁ ମହାରାଜ ଯଦି କୋଣସି ବହି ପଢ଼ିବାକୁ କହିବେ ତେବେ ପଢ଼ିବେ ।

 

ଚଳୁଛନ୍ତି କିପରି, ପଚାରିବାରୁ ସେ କହିଲେ ଯେ ବୈଷ୍ଣବ ସାହିତ୍ୟର କେତେକ ଫରାସୀ ଅନୁବାଦ ପ୍ରକାଶିତ ହେଉଛି । ସେ ସବୁ ବହି ବିକନ୍ତି ଓ ସେଥିର କମିଶନରୁ ଚଳନ୍ତି । ତାଙ୍କ ଘରଟି ଗୋଟିଏ ବଖରା । ଆସାବାବ ପ୍ରାୟ ନଥାଏ । ତଳେ ବିଛଣା ରହିଥାଏ । ବସିବା ବ୍ୟବସ୍ଥା ମଧ୍ୟ ତଳେ । ଗୋଟିଏ ଖଟୁଲିରେ ଶ୍ରୀକୃଷ୍ଣଙ୍କର ଓ ଗୁରୁ ମହାରାଜଙ୍କର ଚିତ୍ର, ଆରତୀ ସାମଗ୍ରୀ, ଘଂଟୀ, ଧୂପଦାନୀ ଇତ୍ୟାଦି । କାନ୍ଥରେ ଗୁରୁଙ୍କର ଓ ଶ୍ରୀକୃଷ୍ଣଙ୍କର ଆହୁରି ଛବି, କାଳୀୟ ଦଳନ, ଆଂଠୁଆ ଗୋପାଳ, ତ୍ରିଭଙ୍ଗ ମୂର୍ତ୍ତି ଇତ୍ୟାଦି । ସାମନା କାନ୍ଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ପଟଚିତ୍ର । ଛୋଟ ଥାକ ଖଣ୍ତକରେ କେତେଖଣ୍ତ ବହି । ମୋ ପାଖରେ ଖଣ୍ତେ ବିଷ୍ଣୁସହସ୍ରନାମ ଥିଲା । ଏମାନଙ୍କୁ ଉପହାର ଦେଇଦେଲି । ଖୁସି ହେଲେ ।

 

ଆମେରିକାନ୍ ସେଣ୍ଟରଟା କିଭଳି ହେଇଥିବ, ଆମେରିକାନ୍ ସରକାରର ପ୍ରଚାର କେନ୍ଦ୍ର କି ବୋଲି ମୋର ସନ୍ଦେହ ଥିଲା । ଦେଖିଲି ଯେ ସେଟା ଏକ ବେସରକାରୀ ସଂସ୍ଥା ବରଂ ସବୁ ଉପଗ୍ରନ୍ଥୀ ଯୁବକଙ୍କର ଆଡ଼୍ଡ଼ା । ସେଠା ସଭାରେ ଅଳ୍ପ କେତେଜଣ ଛାତ୍ର ଆସିଥିଲେ । ଅହିଂସାର ସାମର୍ଥ୍ୟ ଓ ଆବଶ୍ୟକତା ବିଷୟରେ ଖୁବ୍ ଭଲ ଆଲୋଚନା ହେଲା । ଏମାନଙ୍କ ଭିତରୁ କେତେକ ୧୯୬୮ରେ ଫ୍ରାନ୍‌ସ ହେଇଥିବା ଛାତ୍ର ଆନ୍ଦୋଳନ କଥା ଜାଣିଥିଲେ । ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ନ ଥିଲେ, ମାତ୍ର ସହାନୁଭୂତି ରଖିଥିଲେ । ଉଣେଇଶ ଶହ ଆଠଷଠିରେ ଏ ଛାତ୍ର ଆନ୍ଦୋଳନ କେତେକ ସାଧାରଣ ଅଭିଯୋଗ ଓ ଦାବୀ ନେଇ ଆରମ୍ଭ ହେଇଥିଲା, ମାତ୍ର ଶେଷକୁ ଏହାର ଲକ୍ଷ୍ୟ ହେଇଗଲା ଫ୍ରାନ୍‌ସରେ ରାଜନୀତିକ ଓ ସାମାଜିକ ବିପ୍ଳବ ସାଧନ । ଲୋକେ କହନ୍ତି ଯେ ଯଦି କମ୍ୟୁନିଷ୍ଟ ପାର୍ଟିଦ୍ଵାରା ପ୍ରଭାବିତ ଶ୍ରମିକକୂଳ ଏଥିପ୍ରତି ଉଦାସୀନ ନ ରହିଥାନ୍ତେ ତେବେ ଅବଶ୍ୟ ଫ୍ରାନ୍‌ସର ତତ୍କାଳୀନ ସରକାରର ପତନ ଘଟିଥାନ୍ତା ।

 

ଏ ବିପ୍ଳବର ଉଦ୍ୟୋକ୍ତାମାନେ ନିଜର ବିଚାରଧାରାକୁ କମ୍ୟୁନିଷ୍ଟ ମତବାଦଠାରୁ ଆଗୁଆ ମନେ କରନ୍ତି । କମ୍ୟୁନିଷ୍ଟ ପାର୍ଟି ଜନତାର ନେତୃତ୍ଵ କରିବା ନାଁ ରେ ଜନତା ଉପରେ କର୍ତ୍ତୃତ୍ଵ ଲଦି ଆସିଛି ଓ ଫ୍ରାନ୍‌ସର କମ୍ୟୁନିଷ୍ଟ ପାର୍ଟି ସେଠାର ପୁଂଜିବାଦୀ ସମାଜସଂଗଠନର ଏକ ଅଂଶ, ଏକ ଅମଲାତନ୍ତ୍ରରେ ପରିଣତ ହେଲାଣି ବୋଲି ଏମାନେ ସମାଲୋଚନା କରିଥାନ୍ତି । ଏମାନଙ୍କର ବିଶ୍ଵାସ ଯେ ଦଳଗତ ସଂଗଠନ ଜନତାର ବାସ୍ତବ ଶକ୍ତିର ସ୍ଫୁରଣରେ ପ୍ରତିବନ୍ଧକ ସୃଷ୍ଟି କରେ ଓ ତେଣୁ ଦଳଗତ ସଂଗଠନ ବାଞ୍ଚ୍ଥନୀୟ ନୁହେଁ । ବିପ୍ଳବୀ ଜନତାର ନେତା ଭାବରେ ନୁହେଁ ତା’ର ଏଜେଣ୍ଟ ବା ସେବକ ଭାବରେ କାମ କରିବା ଚାହି ।

 

ସମାଜରୁ ଶୋଷଣ ଓ ଆର୍ଥିକ ବୈଷମ୍ୟ ଲୋପ ସହିତ ଏମାନେ କ୍ଷମତାର ଏଭଳି ବିକେନ୍ଦ୍ରୀକରଣ ଚାହାନ୍ତି ଯାହାଦ୍ଵାରା ସାଧାରଣ ଲୋକେ ଗାଣତାନ୍ତ୍ରିକ ଶାସନ ପରିଚାଳନାରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇପାରିବେ । ଏହିରୂପେ ଏମାନଙ୍କର କେତେକ ବିଚାରର ସାମ୍ୟ ସର୍ବୋଦୟର କେତେକ ବିଚାର ସହିତ ରହିଛି ।

 

ଏବେ କୌଣସି ପ୍ରକଟ ଆନ୍ଦଳନ ତ ନାହିଁ, ସବୁ ଚୁପଚାପ ବୋଲି ତାଙ୍କ କଥାରୁ ବୁଝିଲି-। ତେବେ ବେଶ କିଛି ଛାତ୍ର ସମାଜର ଜଟିଳ ସମସ୍ୟାସବୁ ନେଇ ଅଧ୍ୟୟନ ଓ ଚିନ୍ତା କରୁଛନ୍ତି ବୋଲି ଜଣାଗଲା ।

 

କ୍ଵେକର ଆନ୍ତର୍ରାଷ୍ଟ୍ରୀୟ କେନ୍ଦ୍ରର ସଭା ବାସ୍ତବତେ ଆନ୍ତର୍ରାଷ୍ଟ୍ରୀୟ ଥିଲା । ସେଥିରେ ପାଞ୍ଚ ମହାଦେଶର ଲୋକ ଥିଲେ । ଫରାସୀ, ଜର୍ମାନ ଓ ଇଂରେଜଙ୍କ ଛଡ଼ା ଆମେରିକା, ଦକ୍ଷିଣ ଆମେରିକା, ଜାପାନ, ଭିଏତନାମ, ପଶ୍ଚିମ ଆଫ୍ରିକା ଓ ଭାରତର ଲୋକ ଥିଲେ । ଏଠି ବେଶ ଘରୋଇ ଢଙ୍ଗରେ ମିଳାମିଶା ଓ କଥାବାର୍ତ୍ତା ସଂଧ୍ୟାଟି ଭଲରେ କଟିଲା ।

 

ଶେଷ ଦିନର ସଭା ପ୍ୟାଲେ ଦ୍ୟ ଶାୟୋ ନାମକ ଏକ ବଡ଼ ଭବନରେ ହେଇଥିଲା । ଏଇଠି ଏକ ବିରାଟ ନୃତତ୍ଵ ସଂଗ୍ରହାଳୟ ମଧ୍ୟ ଅଛି । ଏଠି ଆମର ଏଠା ଦୂତାବାସର ସାଂସ୍କୃତିକ ବିଭାଗର ଅଧିକାରୀ ଶ୍ରୀ ପୁଷ୍ପଦାସ ସଭାପତିତ୍ଵ କରିଥିଲେ ।

 

ସଭାର ଆୟୋଜନ କରିଥିଲେ “ମାନବ ଓ ତା’ର ଚୈତନ୍ୟ” ନାମକ ସଂସ୍ଥାର ସମ୍ପାଦିକା ମ୍ୟାଦାମ୍ ଆଁଦ୍ରୋ । ସଭା ଶେଷରେ ଗାନ୍ଧୀଜୀଙ୍କର ଓ ବିନୋବାଜୀଙ୍କର ଜୀବନୀର ଫିଲ୍ମ ମଧ୍ୟ ଦେଖାହେଲା ।

Image

 

ସତେଇଶ

ମାନବ ପ୍ରେମିକ ଆବେ ପିୟର୍

 

ପ୍ୟାରିସରେ ଆବେ ପିୟର୍‌ଙ୍କର କର୍ମକ୍ଷେତ୍ର ଦେଖିବା ଥିଲା ମୋର ସବୁଠୁଁ ବଡ଼ ବାସନା-। ଆବେ ପିୟର ଭାରତର ସର୍ବୋଦୟ ମଣ୍ତଳୀରେ ଅପରିଚିତ ନୁହନ୍ତି । ସେ ଅନ୍ତତଃ ତିନି ଥର ଭାରତ ଆସିଛନ୍ତି ଓ ସେଇ ସୂତ୍ରରେ ତାଙ୍କ ସହିତ ଓ ତାଙ୍କର କାମ ସହିତ ପରିଚୟ ହେଇଥିଲା । ଆଧୁନିକ ସମାଜର ପ୍ରତିଯୋଗୀତା ଓ ବିଷମତାର ଚାପରେ ପେଷି ହେଇ ଯାଉଥିବା ଅସହାୟ ଲୋକଙ୍କୁ ପୁଣି ଉଠେଇ ଛିଡ଼ା କରେଇବା ତାଙ୍କର କାମ । ବତ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସେ କାମ ଆରମ୍ଭ କଲେ, ଯୁଦ୍ଧ ବିଧ୍ଵସ୍ତ ପ୍ୟାରିସ୍‌ର ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ନେଇ । ତାଙ୍କର ପ୍ରଥମ ସେବ୍ୟ ଥିଲା ଜଣେ ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକ, ଯାହାକୁ ସେ ଯାଇ ରାତି ଅଧରେ ବଞ୍ଚାଇଲେ ଓ ନିଜ ପାଖକୁ ଆଣି ରଖିଲେ । ଶେଷ ଥର ସେ ଦିଲ୍ଲୀରେ ଅନୁଷ୍ଠିତ ଗାନ୍ଧୀଜୀଙ୍କ ବିଷୟରେ ଆନ୍ତର୍ରାଷ୍ଟ୍ରୀୟ ଆଲୋଚନା ଗୋଷ୍ଠୀରେ ଯୋଗ ଦେବାକୁ ଆସିଥିଲେ । ସେତିକିବେଳେ ସେ ମତେ ତାଙ୍କ କେନ୍ଦ୍ର ଦେଖିଯିବାକୁ ନିମନ୍ତ୍ରଣ କରିଥିଲେ ।

 

ପ୍ୟାରିସ୍‌ର ଗୋଟିଏ ମୁଣ୍ତରେ ଶାରାଁତଁ ଅଞ୍ଚଳରେ ତାଙ୍କ ଘରେ ପହଞ୍ଚିଲୁ । ଗୋଟାଏ ବହୁ ମହଲା ଭବନର ଛଅ ମହଲାରେ ସାନ ବସାଟିରେ ସେ ଥାନ୍ତି ।

 

ତାଙ୍କ ଘର ଦେଖାଚାହାଁ କରୁଥିବା ଭଦ୍ରମହିଳା ଆମକୁ ନେଇ ତାଙ୍କ ପଢ଼ାଘରେ ବସେଇଲେ । ଆବେ କାଥଲିକ ସଂପ୍ରଦାୟର ପାଦ୍ରୀ । ଆଜୀବନ ବ୍ରହ୍ମଚାରୀ । ସେ ଆସିବା ପୂର୍ବରୁ ପଢ଼ା ଘରଟା ଉପରେ ଆଖି ବୁଲେଇ ନେଲି । ଘର କାନ୍ଥରେ ଥିବା ରାକ୍‌ମାନଙ୍କରେ ବହୁତ ବହି ରହିଥାଏ । ଗୋଟାଏ ଟେବୁଲ୍ ଉପରେ ଫଟୋ ସରଞ୍ଜାମ, ରେକର୍ଡ଼ର, ଟେପ୍ ଆଦି ଇତସ୍ତତ ଜମା ହୋଇଥାଏ । କାନ୍ଥରେ ଖାଲି ଜାଗାମାନଙ୍କରେ ସବୁ ଫଟୋ ଟଙ୍ଗା ହେଇଥାଏ । ଏସବୁଥିରୁ ଅଧିକାଂଶ ଦକ୍ଷିଣ ଆମେରିକାର ଗରୀବ ଲୋକ ଓ ତାଙ୍କର ଭଙ୍ଗାତୁଟା ଚାଳିଆମାନଙ୍କର । ଭାରତର ମଧ୍ୟ ଅଳ୍ପ କେତୋଟି ନଜରରେ ପଡ଼ିଲା । ଆବେ ଜଣେ ଖୁବ୍ ଭଲ ଫଟୋଗ୍ରାଫର ଓ ଏ କଳାକୁ ନିଜର ସେବାକାର୍ଯ୍ୟର ସହାୟତାରେ ଭଲ ଭାବରେ କାମରେ ଲଗାଇଥାନ୍ତି ।

 

ବାଙ୍ଗରା ଓ ପତଳା ମଣିଷଟିଏ । ଥୋମଣିରେ ଏକ ଛେଳି ଦାଢ଼ୀ ଓ ମୁହଁରେ ପ୍ରଶସ୍ତ ହସ । ପାଦ୍ରୀମାନଙ୍କର ପରମ୍ପରାଗତ ପୋଷାକ କଳା ଆଲଖାଲ୍ଲାରେ ଭୂଷିତ । ଆବେ ଘରକୁ ପଶି ଆସି ମତେ ଆନନ୍ଦରେ ଓ ସ୍ନେହରେ ଆଲିଙ୍ଗନ କରି ସ୍ଵାଗତ ଜଣାଇଲେ ।

 

ତାଙ୍କର ଦୁଇଟି କେନ୍ଦ୍ର ଦେଖିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ । ତାହା ପୂର୍ବରୁ ମୋ ଅନୁରୋଧରେ ସେ ତାଙ୍କ କାମର ରୂପରେଖ ଓ ଅନ୍ତରନିହିତ ଆଦର୍ଶ ବିଷୟରେ କିଛି ଧାରଣା ଦେଲେ ।

 

ସମାଜର ନାନାବିଧ ଚାପରେ ତଳିତଳାନ୍ତ ହେଇଯାଇଥିବା ଲୋକଙ୍କୁ ଠିଆ କରାଇବା ଏହାଙ୍କ କାମ । ତାହାର ପ୍ରଥମ ସୋପାନ ହେଲା ସେମାନଙ୍କ ଭିତରେ ଏ ବିଶ୍ଵାସ ଜାଗ୍ରତ କରିବା ଯେ ଜୀବନ ଲକ୍ଷ୍ୟହୀନ ନୁହେଁ, ଏହାର ଲକ୍ଷ୍ୟ ଅଛି । ମଣିଷ ଅନ୍ୟମାନଙ୍କ ବିଷୟରେ ଚିନ୍ତାକଲେ ଅନ୍ୟମାନଙ୍କର ସେବାକଲେ ହିଁ ଏଭଳି ବିଶ୍ଵାସ ଆସେ । ମଣିଷ ପୂରାପୂରି ଆତ୍ମ କେନ୍ଦ୍ରିକ ହେଇଗଲେ ତ ସେ ଅନ୍ୟମାନଙ୍କ ପାଇଁ ପରିବାଏ କରେ ନାହିଁ, ବରଂ ଶେଷକୁ ନିଜ ଜୀବନର ମଧ୍ୟ କିଛି ଅର୍ଥ ନାହିଁ ବୋଲି ଅନୁଭବ କରେ ।

 

ଏ ସଂସ୍ଥାରେ ଆଶ୍ରୟ ପାଉଥିବା ଲୋକମାନଙ୍କୁ ପରର ଦୟା ଉପରେ ନିର୍ଭରଶୀଳ କରି ସେମାନଙ୍କର ଆତ୍ମବିଶ୍ଵାସକୁ ଆହୁରି କ୍ଷୀଣ କରିଦେବା ପରିବର୍ତ୍ତେ ତାହାକୁ ଅଧିକ ଦୃଢ଼ କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ଜୀବିକା ଉପାର୍ଜନରେ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ ରଖା ଯାଇଛି । ସେଥିପାଇଁ ଏସବୁ ଆଶ୍ରମତୁଲ୍ୟ ଅନୁଷ୍ଠାନମାନଙ୍କରେ ତିନୋଟି ନିୟମ ପାଳିବାକୁ ହୁଏ । ଏକରେ, ପ୍ରତ୍ୟେକେ ମେହନତ କରି ପେଟ ପୋଷିବେ । ଦୁଇରେ, ପ୍ରତ୍ୟେକେ ଅନ୍ୟମାନଙ୍କ ସହିତ ମିଳିମିଶି ସହଯୋଗରେ ଚଳିବେ ଓ ତିନିରେ ଅନ୍ୟ ଦୁଃଖଗ୍ରସ୍ତ ଲୋକଙ୍କ ସେବାପାଇଁ କିଛି ନା କିଛି କରିବେ-। ଏହାଛଡ଼ା ଏ ଆଶ୍ରମମାନଙ୍କରେ ଅନ୍ୟ କୌଣସି ନିୟମ ନାହିଁ ।

 

ଆବେ ପିୟର୍‌ ଧର୍ମପରାୟଣ ବ୍ୟକ୍ତି ହେଲେ ମଧ୍ୟ ତାଙ୍କର କାମ କୌଣସି ଖାସ୍ ସଂପ୍ରଦାୟ ସହିତ ସଂଶ୍ଳିଷ୍ଟ ନୁହେଁ । ସେ ଓ ତାଙ୍କର ସହକର୍ମୀମାନେ ସବୁ ଧର୍ମର ମୂଳରେ ଥିବା ଶାସ୍ଵତ ସିଦ୍ଧାନ୍ତ ସମୂହ ଗୁରୁତ୍ଵ ଦେଇଥାନ୍ତି । ସମାଜର ଚାପରେ ଭାଙ୍ଗିତୁଟି ଯାଇଥିବା ଲୋକଙ୍କୁ ସଜାଡ଼ିବା ପାଇଁ ଉଦ୍ଦିଷ୍ଟ ଏ ସଂସ୍ଥାର କାମ ଚଳାଇବା ଓ ଏ ସବୁ ଲୋକମାନଙ୍କୁ ଜୀବିକା ଦେବା ପାଇଁ ଏମାନେ ଏକ ଅତି ବିଚିତ୍ର ପନ୍ଥା ଆବିଷ୍କାର କରିଛନ୍ତି, ତାହାହେଲା—ଯାବତୀୟ ଭଙ୍ଗାତୁଟା ଜିନିଷ, ଲୁଗାପଟା ଆଦି ଅଳିଆଗଦାରୁ ସଂଗ୍ରହ କରି ସେ ସବୁକୁ ମରାମତି କରି ବିକିବା । ଏ ବିଚିତ୍ର ଉପାୟଟି ଆବେଙ୍କର ପକ୍ଷ ତଳେ ଆଶ୍ରୟ ନେଇଥିବା ଜଣେ ଲୋକ ହିଁ ସୁଝାଇଥିଲା । ତାଙ୍କର ଆଶ୍ରିତମାନଙ୍କୁ ପୋଷିବାର କି ଉପାୟ କରାଯିବ ବୋଲି ଆବେ ମୁଣ୍ତ ପୁରାଉଥିବାବେଳେ ସେମାନଙ୍କ ଭିତରୁ ଜଣେ କହିଲା ଯେ ଆମେ ଅନ୍ୟମାନଙ୍କ ଦୟାର ପାତ୍ର କାହିଁକି ହେବା ? ଏଇ ପନ୍ଥାରେ ତ ଆମେ ବେଶ୍ ଚଳିଯାଇ ପାରିବା ଓ ଆବେ ଏ ସୂଚନାକୁ ତୁରନ୍ତ କାମରେ ଲଗେଇଲେ-। ଏବେ ତ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଛି ।

 

ଆମେ ଯେଉଁ ଦୁଇଟି କେନ୍ଦ୍ର ଦେଖିଲୁ ସେଥିରୁ ପୁରୁଷମାନଙ୍କର କେନ୍ଦ୍ରରେ ପଚାଶ ଜଣ ଲୋକ ଥାନ୍ତି । ସେମାନଙ୍କର ଚାରୋଟି ଟ୍ରକ୍ ରହିଛି । ସେମାନେ ସେଥିରେ ଭଙ୍ଗା ଜିନିଷପତ୍ର ସଂଗ୍ରହ କରି ଆଣନ୍ତି ଓ ମରାମତ ହୋଇଥିବା ଜିନିଷ ଖରିଦଦାରମାନଙ୍କ ପାଖେ ପହଞ୍ଚାଇ ଦିଅନ୍ତି-। ଏହି ଗୋଟିଏ କେନ୍ଦ୍ରରେ ଗତବର୍ଷ ଆଠ ଲକ୍ଷ ଟଙ୍କା ଆୟ ହେଇଥିଲା । ଏହିପରି ଚାରୋଟି କେନ୍ଦ୍ର ପ୍ୟାରିସରେ ଅଛି ଓ ସେଥିରେ ମୋଟ ସାଢ଼େ ତିନିଶହ ଲୋକ ଥାଆନ୍ତି । ସାରା ଫ୍ରାନ୍‌ସରେ ଏପରି ଛବିଶଟି କେନ୍ଦ୍ର ଅଛି ।

 

ପ୍ରଥମେ ଆମେ ସ୍ତ୍ରୀଲୋକମାନଙ୍କ କେନ୍ଦ୍ର ଦେଖିଗଲୁ । ସେଠି ଷୋଳଜଣ ସ୍ତ୍ରୀଲୋକ ଥା’ନ୍ତି । ଜଣେ ମହିଳା ଦାୟିତ୍ଵରେ ଥା’ନ୍ତି । ଏକ ପ୍ରଶସ୍ତ ଦୋତାଲା ଘରେ ଏଇଟି ରହିଛି । ପାଖରେ କେତେକ ପଦା ଘରେ ଗୋଦାମ ଓ କାରଖାନା ଥାଏ । ପୁରୁଷମାନଙ୍କର କେନ୍ଦ୍ର ସଂଗ୍ରହ କରିଥିବା ପୁରୁଣା ଲୁଗାପଟା ସେମାନଙ୍କଠାରୁ କିଣିନେଇ ମହିଳାମାନେ ତାହା ଧୋଲେଇ ଓ ରଙ୍ଗ କରି ତଥା ମରାମତି କରି ବିକ୍ରୀପାଇଁ ଦିଅନ୍ତି । ଏଥିପାଇଁ ଏକ ରୀତିମତ କାରଖାନା ଏଠି ରହିଛି । ସେଥିରେ ଅଛି ଏକ ବିରାଟ ଲୁଗାକଚା ଯନ୍ତ୍ର, ଲୁଗା-ବିଶୋଧନ ଯନ୍ତ୍ର, ରଙ୍ଗ ଭାଟି, ସିଲେଇ କଳ ଇତ୍ୟାଦି । ଏସବୁ ‘ନବୀକରଣ’ ହୋଇଥିବା ଲୁଗା ପାଖ ଗୋଦାମରେ ବିକ୍ରୀ ପାଇଁ ସଜେଇ ରଖା ହୋଇଛି । କେତେକ କ୍ରେତା ମଧ୍ୟ ଯିବା ଆସିବା କରୁଥିବାର ଦେଖିଲି ।

 

ଯେଉଁ ପୁରୁଣା ଲୁଗାପଟାକୁ ମରାମତି କରି ନ ହେବ ସେ ସବୁକୁ ଛୋଟ ଛୋଟ ଖଣ୍ତ କରି କାଟି ବିଡ଼ା ବାନ୍ଧି କାରଖାନାମାନଙ୍କୁ ପୋଛାପୋଛି କାମ ପାଇଁ ବିକାଯାଏ । କିଛି ନଷ୍ଟ ହୁଏ ନାହିଁ ।

 

ଏମାନଙ୍କର ଖାଇବା, ଲୁଗାପଟା, ଚିକିତ୍ସା ଆଦି ସବୁ ଖର୍ଚ୍ଚ କେନ୍ଦ୍ର ବହନ କରେ । ଏହାଛଡ଼ା ପ୍ରତ୍ୟେକକୁ ପ୍ରତି ମାସରେ ପନ୍ଦର ଟଙ୍କା ହାତ ଖର୍ଚ୍ଚ ଦିଆହୁଏ । ବର୍ଷେ ବା ଦୁଇ ବର୍ଷରେ ଥରେ ସମସ୍ତଙ୍କୁ କୌଣସି ଆଡ଼େ ଛୁଟିରେ ବୁଲିବାକୁ ନେଇ ନିଆହୁଏ । ଏସବୁ ଖର୍ଚ୍ଚ ଯାଇ ଏଠା ମହିଳାମାନେ ନିଜର ପୂରା ଖର୍ଚ୍ଚ ଉଠାଇବା ଛଡ଼ା ଏ ବର୍ଷର ପେରୁ ଭୂମିକମ୍ପ ଦ୍ଵାରା ପୀଡ଼ିତା ଲୋକଙ୍କ ସାହାଯ୍ୟ ପାଇଁ ପନ୍ଦର ହଜାର ଟଙ୍କା ପଠାଇଛନ୍ତି ।

 

ଏହାଛଡ଼ା ପୃଥିବୀର ବିଭିନ୍ନ ଦେଶର ପାଞ୍ଚଷଠିଟି ବିଭିନ୍ନ ଯୋଜନା ପାଇଁ ଏହି ସଂସ୍ଥା ତରଫରୁ ଅର୍ଥ ସାହାଯ୍ୟ ଦିଆଯାଉଛି । ଏହା ଭିତରେ ଦକ୍ଷିଣ ଭାରତର ଦୁଇଟି ଗାଁର କେଉଟମାନଙ୍କୁ ମାଛଧରାର ଆଧୁନିକ ଉପକରଣ, ମୋଟର ବୋଟ୍ ଆଦି ଯୋଗାଇ ଦିଆଯାଇଛି-। ଅତି ଦଳିତ ଓ ଅସହାୟ ଲୋକ ବି ଅନ୍ୟକୁ ସାହାଯ୍ୟ କରିପାରନ୍ତି । ଏହା ବ୍ୟବହାରରେ ଦର୍ଶାଇ ଧନୀ ଅବସ୍ଥାପନ୍ନ ଲୋକଙ୍କର ବିବେକକୁ ଜାଗ୍ରତ କରିବା ଏହି ଆନ୍ଦୋଳନର ଏକ ଲକ୍ଷ୍ୟ ।

 

ଏହି ମହିଳା କେନ୍ଦ୍ରରେ ଆମେ ମଧ୍ୟାହ୍ନ ଭୋଜନ ସାରିଲୁ । ଖାଦ୍ୟ ବେଶ୍ ସରଳ । ଏସବୁ କେନ୍ଦ୍ରରେ ମଦ ନିଷିଦ୍ଧ । ଭୋଜନ ପରେ ଏଠା ଅନ୍ତେବାସିନୀମାନଙ୍କର ଏକ ସଭା ହେଲା । ସେଥିରେ ଆବେ ମାନବ-ସେବା ବିଷୟରେ କିଛି କହି ବିନୋବାଙ୍କ କଥା ଉଲ୍ଲେଖ କଲେ । ପରେ ମୁଁ ଗ୍ରାମଦାନ ବିଷୟରେ କିଛି କହିଲି । ମ: ବାଁସିମଁ ଫରାସୀରେ ଅନୁବାଦ କଲେ । ପରେ ମୁଁ ଆବେଙ୍କୁ ବିନୋବାଜୀଙ୍କ ପାଇଁ ଏକ ସନ୍ଦେଶ ଟେପରେକର୍ଡ଼ରେ ଦେବାକୁ କହିବାରୁ ସେ ପ୍ରସ୍ତାବ ଦେଲେ । ଏଠା ଭଉଣୀମାନେ ଭାରତର ମହିଳାମାନଙ୍କୁ ପଦେ ପଦେ କୁହନ୍ତୁ । ପ୍ରତ୍ୟେକେ ଭାରତର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇ ପଦେ ପଦେ କହିଲେ । ଜଣେ କହିଲେ—“ଆମେ ଏକତ୍ର କାମ କରୁଥିବା ଏକ ମହିଳା ସମାଜ । ଆମର ଲକ୍ଷ୍ୟ ହେଲା ଯେପରି ସ୍ତ୍ରୀଲୋକମାନେ ଆଉ ଦୁଃଖକଷ୍ଟ ନ ଭୋଗିବେ । ବିନୋବା, ଆପଣଙ୍କୁ ଧନ୍ୟବାଦ ।” ଆଉ ଜଣେ ଝିଅ ହସି ହସି କହିଲା- ‘‘ ଆମେ ଏକ ଛିଣ୍ଡାନେକଡ଼ା ଗୋଟାଳୀଙ୍କ ସମାଜ ।’’

 

ଏହି ସବୁ କେନ୍ଦ୍ରରେ ମୋଟ ବାରଶହରୁ ଅଧିକ ରହିଲେଣି ଓ ଗଲେଣି । ଏଠି କାହିରିକୁ ସ୍ଥାୟୀ ଭାବରେ ରଖିବା ତ ଉଦ୍ଦେଶ୍ୟ ନୁହେଁ । ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସକ୍ଷମ ଓ ସ୍ଵାଶ୍ରୟୀ କରି ସମାଜରେ ସାଧାରଣ ଜୀବନ ଯାପନ ପାଇ ଛାଡ଼ିଦେବା । ଏଠି ଆସିବା ଯିବା ଉପରେ ଖାସ କଟକଣା ନାହିଁ । ଯେ ଚାହିଁବା ଚାଲି ଯାଇପାରେ । କେତେକ ଏପରି ଚାଲିଯାନ୍ତି ଓ ପୁଣି ଫେରି ବି ଆସନ୍ତି ।

 

ଗରିବ ଲୋକଙ୍କୁ ଶସ୍ତାରେ ଘର ଯୋଗାଇବା ମଧ୍ୟ ଏ ସଂଗଠନର ଆଉ ଏକ ଲକ୍ଷ୍ୟ । ପ୍ୟାରିସ ଆଖପାଖରେ ଏହାର ଅନେକଗୁଡ଼ିଏ ବହୁ ତାଲା କୋଠା ରହିଛି । ସେଥିରେ ପ୍ରାୟ ଛଅ ହଜାର ଫ୍ଳ୍ୟାଟ୍ ଅଛି । ଟ୍ରେଭିସ୍ ଓ ଅନ୍ୟ ଏକ ଅଞ୍ଚଳରେ ପ୍ରାୟ ତିନି ଶହ ନୂଆ ଘର ତିଆରି କରି ଗରୀବ ପରିବାରମାନଙ୍କୁ ବିକି ଦିଆଯାଇଛି । ସେମାନେ ଏହାର ଦାମ ସହଜ କିସ୍ତୀରେ ସୁଝୁଛନ୍ତି ।

 

ବିନୋବା ଓ ଭାରତର ଅନ୍ୟ ବନ୍ଧୁମାନଙ୍କ ପ୍ରତି ଏକ ସନ୍ଦେଶରେ ଆବେ ତାଙ୍କର କାମ ପଛରେ ଥିବା ସାମାଜିକ ଦର୍ଶନ ବ୍ୟାଖ୍ୟା କରିଥିଲେ । ସେ କହିଲେ, “ମୋର ଏକମାତ୍ର ଆକାଂକ୍ଷା ହେଲା ସମାଜର ସବୁଠାରୁ ସାନ ଗୋଷ୍ଠୀ ପରିବାରଠାରୁ ଆରମ୍ଭ କରି ଅନ୍ୟ ସବୁ ଗୋଷ୍ଠୀ, ଗାଁ, ସହର, ଦେଶ ତଥା ଆନ୍ତର୍ରାଷ୍ଟ୍ରୀୟ ସମ୍ପର୍କରେ ମଧ୍ୟ, ସମାଜର ପ୍ରତ୍ୟେକ ସ୍ତରରେ ଶାନ୍ତି ଆଣିଦେବାରେ ସାହାଯ୍ୟ କରିବା । ପରିବାରର ପ୍ରଧାନ ଉଦ୍ଦେଶ୍ୟ ତ ହେଲା ସେଥିରେ ଥିବା ସବୁଠୁଁ ସାନ ବ୍ୟକ୍ତିର ସେବା କରିବା । ମାତ୍ର ଅନ୍ୟ ସର୍ବତ୍ର ସବୁଠାରୁ ବଳବାନ ଲୋକଙ୍କୁ ହିଁ ପ୍ରଥମେ ସେବା କରାଯାଇଥାଏ । ଫଳରେ ଈର୍ଷା ଓ ତା’ ପଛକୁ ଖୁବ୍ ଶୀଘ୍ର ଦ୍ଵେଷ ଉତ୍ପନ୍ନ ହୁଏ ।

 

“ଯେଉଁଠି ସବୁଠାରୁ ସାନ ବା ଦୁର୍ବଳର ସେବା ପ୍ରଥମେ କରାହୁଏ ସେଠି ଶାନ୍ତି ଥାଏ, କାରଣ କେହି ଦୁର୍ବଳ ହେବାର ଆକାଂକ୍ଷା ରଖେ ନାହିଁ । ଏଭଳି ସମାଜରେ କେହି ପ୍ରଥମେ ସେବା ପାଇବା ପାଇଁ କଳି କରେ ନାହିଁ, କାରଣ ସେଥିପାଇଁ ତ ନିଜକୁ କ୍ଷୁଦ୍ରତମ ଦେବାକୁ ହେବାକୁ ହେବ-। ଏହାର ବିପରୀତି ଯେଉଁଠି ବଡ଼ ବଡ଼ ଲୋକେ ପ୍ରଥମେ ସେବା ପାଇବାକୁ ଚାହାନ୍ତି, ସେଠି ଅନ୍ୟ ସମସ୍ତେ ବି ସେଇତା ଚାହାନ୍ତି । ହୁଏତ ଏହି ବିଚାର ଆପଣଙ୍କର ଦେଶର ଇତିହାସର ଯୁଗସନ୍ଧିରେ ତାହାପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ହେଇପାରେ ।

 

“ସମସ୍ତ ଯୁବକ ଯୁବତୀ, ସମସ୍ତ ଛାତ୍ରଛାତ୍ରୀ, ଯେଉଁମାନଙ୍କର ଖୁବ୍ ଧୀଶକ୍ତି ଅଛି ଓ ଯେଉଁମାନେ ବୈଜ୍ଞାନିକ ଜ୍ଞାନ ଲାଭ କରିଛନ୍ତି ସେ ସମସ୍ତଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ମୋର ପ୍ରାର୍ଥନା ଯେ ନିଜର ମାନବବନ୍ଧୁମାନଙ୍କର ସେବା ଅଧିକା ଭଲ ଭାବରେ କରିବା ହିଁ ସେମାନଙ୍କର ଆକାଂକ୍ଷା ହେଉ, ନିଜେ ଧନୀ ହେବା ନୁହେଁ । ଏବଂ ଆପଣଙ୍କର ଦେଶ ଯେତିକି ଅଗ୍ରଗତି କରି ଚାଲିବ, ଖାଦ୍ୟ ଅଭାବ ଲୋପ କରିପାରିବ, ସମସ୍ତଙ୍କ ପାଇଁ କାମ ଯୋଗାଇ ପାରିବ, ଘର ଓ ବିଦ୍ୟାଳୟ ଯୋଗାଇ ପାରିବ, ସବୁ ରୋଗୀଙ୍କର ଓ ସମସ୍ତ ଲୋକଙ୍କର ଯତ୍ନ ନେଇପାରିବ ଓ କ୍ରମେ ଯେତେବେଳେ ଆପଣଙ୍କର ଦେଶ ଅଧିକ ବଳବାନ ହେବ ସେତେବେଳେ ଏସିଆ ଉପରେ କର୍ତ୍ତୃତ୍ଵ କରିବାର ଆକାଂକ୍ଷା ପୋଷଣ କରିବ ନାହିଁ ବରଂ ସେବାର, ବିଶେଷ କରି କ୍ଷୁଦ୍ରତମର ସେବାର, ଶିକ୍ଷା ସାରା ଏସିଆକୁ ଦେବାର ଆକାଂକ୍ଷା ପୋଷଣ କରିବ ବୋଲି ମୁଁ ପ୍ରାର୍ଥନା କରୁଛି ।

 

“ଏହା କେବଳ ଏକ ରାଜନୀତିକ ଓ ସାମାଜିକ ଦୃଷ୍ଟିଭଙ୍ଗୀ ନୁହେଁ, ମାତ୍ର ମାନସିକ ଓ ଆଧ୍ୟାତ୍ମିକ ଶାନ୍ତି ପାଇବାର ପନ୍ଥା ମଧ୍ୟ । କାରଣ ଏହା ପ୍ରେମରୂପୀ ଭଗବାନଙ୍କୁ ପାଇବାର ବାଟ । ଈଶ୍ଵର ମଣିଷକୁ ସ୍ଵାଧୀନତା ଦେଇଛନ୍ତି, କିନ୍ତୁ ଆମେ ତାହାର ଅସଦ୍ ବ୍ୟବହାର କରୁଛୁ । ଆମେ ଏ ସ୍ଵାଧୀନତାକୁ ନିଜପାଇଁ ବିଶେଷ ସୁବିଧା ହାସଲ କରିବା ପାଇଁ ବ୍ୟବହାର କରୁଁ, ସେବା ପାଇଁ ନୁହେଁ-। ଆଜି ସାରା ଦୁନିଆ ଦୁଃଖରେ ପୂରି ରହିଛି ଓ ଏହା ଫଳରେ ବହୁତ ଲୋକ ଏ କଥା ବିଶ୍ଵାସ କରିବାକୁ ନାରାଜ ଯେ ଭଗବାନ ହିଁ ପ୍ରେମ ।

 

“ଏଥିପାଇଁ ଏହା ଜରୁରୀ ଯେ କ୍ଷୁଦ୍ରତମର ସେବା ପ୍ରଥମେ କରାଯିବ । କାରଣ ଲୋକେ ଯେତେବେଳେ ଦୁଃଖକଷ୍ଟରେ ମୁକ୍ତ ହେବେ ସେତେବେଳେ ଯାଇ ଭଗବାନ ପ୍ରେମମୟ ବୋଲି ବିଶ୍ଵାସ କରିବେ ।

 

“ଲୋକେ ଦାରିଦ୍ର୍ୟରୁ ମୁକ୍ତ ହୋଇଗଲା ପରେ ନୂଆ ନୂଆ ସମସ୍ୟା ଉପୁଜେ । ଯେ ପର୍ଯ୍ୟନ୍ତ ଦୁଃଖକଷ୍ଟ ଥାଏ ସେ ପର୍ଯ୍ୟନ୍ତ ନିଜେ ବଞ୍ଚି ରହିବାରେ ସଂଗ୍ରାମରେ ହିଁ ଲୋକେ ମଗ୍ନଥାନ୍ତି । ନିଜ ଜୀବନରେ କିଛିଟା ସୁରକ୍ଷା ମିଳିଲେ ଯାଇ ଆମେ ଅନ୍ୟର ଦୁର୍ଭାଗ୍ୟ ଅନୁଭବ କରିପାରୁଁ । ସୁଖୀ ଲୋକଙ୍କର ଦୁର୍ଭାଗ୍ୟ ହେଉଛି ଯେ ସେମାନେ କାହିଁକି ଓ କିମ୍ପାଇଁ ବଞ୍ଚିଛନ୍ତି ତାହା ଜାଣନ୍ତି ନାହିଁ-। ଯେଉଁମାନେ ଏ କଥାରେ ବିଶ୍ଵାସ କରନ୍ତି ଯେ ଈଶ୍ଵର ପ୍ରେମମୟ, ସେମାନଙ୍କର କର୍ତ୍ତବ୍ୟ ହେଲା ଲୋକଙ୍କୁ ଏ କଥା ଦେଖାଇବା ଯେ ଜୀବନ ଏକ ବିଦ୍ୟାଳୟ । ଆମେ ଧନୀ ହେଉ ବା ନିଃସ୍ଵ, ଆମ ସମସ୍ତଙ୍କ ପାଇଁ ଜୀବନ ଏକ ବିଦ୍ୟାଳୟ ଯେଉଁଥିରେ ଆମକୁ ପ୍ରେମ କରିବା ଶିଖିବାକୁ ହେବ । ଏହା ଫଳରେ ଆମେ ମୃତ୍ୟୁ ପୂର୍ବରୁ ମଧ୍ୟ ଈଶ୍ଵରଙ୍କର ସାନ୍ନିଧ୍ୟଲାଭ କରି ପାରିବୁ । ଯେଉଁମାନେ ପ୍ରେମ କରିପାରନ୍ତି ସେଇମାନେ ହିଁ ଈଶ୍ଵରଙ୍କର ସାନ୍ନିଧ୍ୟ ମଧ୍ୟ ଲାଭ କରନ୍ତି ।

 

“ମୁଁ ଜାଣେ ଯେ ଏହି କଥାରେ ଆପଣମାନେ ଓ ଆମେ ସମାନ ଭାବରେ ବିଶ୍ଵାସ କରୁଁ-। ବିନୋବା, ଆପଣଙ୍କର ସମଗ୍ର ଜୀବନରୁ ଆମକୁ ଯେଉଁ ପ୍ରେରଣା ଓ ସାହାଯ୍ୟ ମିଳୁଛି ସେଥିପାଇଁ ମୁଁ କୃତଜ୍ଞତା ଜଣାଉଛି । ଆପଣ ଆମ ପାଇଁ ପ୍ରାର୍ଥନା କରନ୍ତୁ, ଆମେ ଯେଉଁମାନେ କି ଅତି କ୍ଷୁଦ୍ର, ଅଥଚ ଯେଉଁମାନଙ୍କ ହୃଦୟରେ ଆଶା ରହିଛି, ଈଶ୍ଵରଙ୍କର ସାହାଯ୍ୟ ପାଇବାର ଆଶା-।”

Image

 

ଅଠେଇଶ

ପ୍ୟାରିସ୍‌ର ଆଉ ସବୁ କଥା ଓ ଷ୍ଟୁଟଗାର୍ଟ

 

ପ୍ୟାରିସରେ ଆଉ ଏକ ଆନ୍ଦୋଳନ ସହିତ ମଧ୍ୟ ପରିଚୟ ହେଲା । କୃଷକମାନଙ୍କୁ ପରସ୍ପର ସାହାଯ୍ୟ ସହଯୋଗ ଓ ଆତ୍ମପ୍ରତ୍ୟୟ ଭିତ୍ତିରେ ସଂଗଠିତ କରିବା ଏହାର ଉଦ୍ଦେଶ୍ୟ । ସମୟ ଅଭାବରୁ ମଫସଲକୁ ଯାଇ ଏହାର କାମ ଦେଖିବା ସମ୍ଭବ ହେଲା ନାହିଁ । ପ୍ୟାରିସରେ ଏହାର ପ୍ରଧାନ ଦପ୍ତରରେ ଏହାର ମୁଖ୍ୟ ସମ୍ପାଦକଙ୍କ ସହିତ ଏହା ବିଷୟରେ ଦୀର୍ଘ ଆଲୋଚନା ହେଲା ।

 

ମୁଖ୍ୟତଃ ଉତ୍ପାଦନ କାମରେ ପରସ୍ପର ସହଯୋଗ ପାଇଁ ଏହାର ଆରମ୍ଭ । ଏଥିପୂର୍ବରୁ କୃଷକମାନଙ୍କର ସମବାୟ ସମିତି ସବୁ ଥିଲା; କିନ୍ତୁ ସେ ସବୁ ଥିଲା କେବଳ କୃଷିଜାତ ଦ୍ରବ୍ୟ ବିକ୍ରୀ ପାଇଁ । ୧୯୬୨ରେ ଏହି ନୂତନ ଉଦ୍ୟମ ଆରମ୍ଭ ହେଲା । ଏ ଅନୁସାରେ କୃଷକମାନଙ୍କର ଯେଉଁ ସଂଘ ଗଢ଼ାଯାଏ ତାହା ସମବାୟ ଆଇନ୍ ବା ଲିମିଟେଡ଼୍ କୋମ୍ପାନୀ ଭାବରେ ରେଜଷ୍ଟ୍ରୀ ନ ହେଇ ସୋସାଇଟି ଆଇନ୍ ଅନୁସାରେ ହେଇଥାଏ । ପୂର୍ବ ଆଇନରେ କେତେକ ଅସୁବିଧା ଥିଲା, ଏବେ ଏଥିପାଇଁ ଖାସ୍ ଆଇନ୍ ଗଢ଼ାଯାଇଛି । ଲକ୍ଷ୍ୟ କରିବାର କଥା ଯେ ଆମର ଦେଶରେ ଖଦୀଗ୍ରାମୋଦ୍ୟୋଗ ତଥା ଗ୍ରାମୋନ୍ନୟନ କାମ କରିବା ପାଇଁ ଯେଉଁ ସବୁ ଅନୁଷ୍ଠାନ ଗଢ଼ାଯାଇଛି, ଯଥା—ଗ୍ରାମଦାନ ସଂଘ, ସେ ସବୁ ମଧ୍ୟ ସୋସାଇଟି ରେଜେଷ୍ଟ୍ରୀ ଆଇନ୍ ଅନୁସାରେ ରେଜେଷ୍ଟ୍ରୀ କରିବା ସୁବିଧାଜନକ ହେଉଛି ।

 

ଏଭଳି ସଂଘ ଫ୍ରାନ୍‌ସରେ ଦୁଇରୁ ଅଢ଼େଇ ହଜାର ଭିତରେ ଅଛି । ଏଥିରେ କୌଣସିଟିରେ ସଭ୍ୟ ସଂଖ୍ୟା ଦଶରୁ ଅଧିକ ନୁହେଁ । ଅର୍ଥାତ୍ ମୋଟରେ କୋଡ଼ିଏ ବାଇଶ ହଜାର କୃଷଜ ଏ ସବୁ ସଂଘର ସଦସ୍ୟ । ଫ୍ରାନ୍‌ସରେ ମାତ୍ର ଶତକଡ଼ା ସତର ଜଣ ଚାଷ କାମ କରନ୍ତି । ତା’ର ଅର୍ଥ ସେଠି ପ୍ରାୟ ପନ୍ଦର ଲକ୍ଷ କୃଷକ ଅଛନ୍ତି ।

 

“ସଂଘର ସଦସ୍ୟ ସଂଖ୍ୟା କାହିଁକି ଦଶରୁ ବେଶୀ ହେବ ନାହିଁ ?” ମୁଁ ପଚାରିଲି ।

 

ଭଦ୍ରମହିଳା ବୁଝାଇଲେ ଯେ ଦଶଜଣରୁ ଅଧିକ ସଦସ୍ୟ ହେଲେ ସେଥିରୁ କେତେକ ଉଦାସୀନ ରହିବେ ଓ ଅନ୍ୟ ଅଳ୍ପ କେତେଜଣ ସଂଘ ଉପରେ କର୍ତ୍ତୃତ୍ଵ ଜାହିର କରିବେ । ସେଥିପାଇଁ ଏ କଟକଣା । ଯଦି ଗୋଟିଏ ଗୋଷ୍ଠୀରେ ମାତ୍ର ଦୁଇ ତିନି ଜଣ ସଦସ୍ୟ ରହନ୍ତି ତେବେ ତାହା ଭଲ ଚାଲେ ନାହିଁ ବୋଲି ଅଭିଜ୍ଞତାରୁ ଦେଖାଯାଇଛି । ଚାରିରୁ ଆଠଜଣ ସଦସ୍ୟ ଥିଲେ ସବୁଠାରୁ ଭଲ କାମ ହୁଏ ବୋଲି ଦେଖାଯାଇଛି ବୋଲି ସେ ଜଣାଇଲେ । ଗୋଷ୍ଠୀମାନଙ୍କରେ ଶହେରୁ ଆରମ୍ଭ କରି ହଜାରେ ଏକର ଯାଏ ଜମି ରହିଛି । ହାରାହାରି ଅଢ଼େଇ ଶହ ଏକର ବୋଲି କୁହା ଯାଇପାରେ । ଏ ସବୁ ସଂଘର ସଦସ୍ୟମାନେ ଆଧୁନିକ ଯନ୍ତ୍ରପାତି ଓ କୃଷିପଦ୍ଧତି ଅନୁସରଣ କରି ଉତ୍ପାଦନ ବଢ଼ାଇଥାନ୍ତି । ଏ ସବୁ ଯନ୍ତ୍ରପାତି ସଂଘର ମାର୍ଫତରେ ହିଁ ଥାଏ । ବାସ୍ତବରେ ଏ ଆନ୍ଦୋଳନ ୧୯୬୨ରେ ବିଧିବଦ୍ଧ ଭାବରେ ସଂଗଠିତ ହେଲେ ମଧ୍ୟ କେତେ ବର୍ଷ ଆଗରୁ ଏହାର ସୂତ୍ରପାତ ହୋଇଥିଲା । ଦ୍ଵିତୀୟ ମହାଯୁଦ୍ଧ ପରେ ପରେ କେତେକ ଯୁବକ-କୃଷକ ଅନୁଭବ କଲେ ଯେ ପରସ୍ପର ସହଯୋଗ ବିନା ଆଧୁନିକ ଯନ୍ତ୍ରପାତିର ସାହାଯ୍ୟ ନେଇ ନିଜର ଉନ୍ନତି କରିବା ଅସମ୍ଭବ, ଏପରିକି ତିଷ୍ଠି ରହିବା ମଧ୍ୟ ଅସମ୍ଭବ ହେବ । ତେଣୁ ସେମାନେ ଏ ଉଦ୍ୟମ ଆରମ୍ଭ କଲେ ଓ ତାହା କ୍ରମେ ବ୍ୟାପକ ରୂପ ଧରିଲା ।

 

ଏସବୁ ସଂଘ ଉତ୍ପନ୍ନ ଦ୍ରବ୍ୟର ବିକ୍ରୀ ଅନ୍ୟ ସମବାୟ ସମିତି ଜରିଆରେ କରିଥାନ୍ତି । କେତେକ କ୍ଷେତ୍ରରେ ନିଜେ ବି କରନ୍ତି । କୃଷିଜାତ ଦ୍ରବ୍ୟର ଉତ୍‌ପାଦନ ଓ ବିକ୍ରୀ ଛଡ଼ା ଏ ସଂଘ ପକ୍ଷରୁ କେତେକ ହୋଟେଲ, ପାନ୍ଥନିବାସ ଓ ଦୋକାନ ମଧ୍ୟ ଚଳାଯାଏ ।

 

ଏ ତ ଗଲା ପ୍ରାଥମିକ ସଂଘର କଥା । ବାକୀ ପ୍ରଦେଶ ଓ ରାଷ୍ଟ୍ରର ସ୍ତରରେ ସଂଗଠନ କିପରି ଗଢ଼ା ହେଇଛି ବୋଲି ମୁଁ ପଚାରିବାରୁ ସଂପାଦକ କହିଲେ ଯେ ପ୍ରତି ପ୍ରଦେଶରୁ ଜଣେ ହିସାବରେ କୋଡ଼ିଏ ଜଣ ସଦସ୍ୟ ନେଇ ରାଷ୍ଟ୍ର ସ୍ତରର ମହାସଂଘ ଗଢ଼ା ହେଇଛି । (ଏଠି ମନେ ରହିବାକୁ ହେବ ଯେ ଫ୍ରାନ୍‌ସର ଗୋଟିଏ ଗୋଟିଏ ପ୍ରଦେଶ ଆମର ଗୋଟିଏ ଗୋଟିଏ ଜିଲା ସହିତ ସମାନ ।) ଏହାର ସାତଜଣିଆ କାର୍ଯ୍ୟକାରୀ ସମିତି ମଧ୍ୟ ଅଛି । ପ୍ରାଦେଶିକ ସ୍ତରରେ ମଧ୍ୟ ଏମାନଙ୍କର ସଂଗଠନ ଅଛି । ତେବେ ସବୁ ପ୍ରଦେଶରେ ଭଲ ଭାବରେ ନୁହେଁ ।

 

ଏ ସମିତି ହାତରେ ତିନିଜଣ କୃଷି ବିଶେଷଜ୍ଞ ଓ ଇଂଜିନିୟର ଅଛନ୍ତି । କୌଣସି ସଂଘର କୌଣସି ପ୍ରକାର ସମସ୍ୟା ଉପୁଜିଲେ ଏମାନଙ୍କର ଭିତରୁ କେହି ଯାଇ ସାହାଯ୍ୟ କରନ୍ତି । ଏମାନଙ୍କ ଛଡ଼ା ଅନ୍ୟ ବାହାରର ବିଶେଷଜ୍ଞରଙ୍କର ସାହାଯ୍ୟ ମଧ୍ୟ ନିଆଯାଏ । ବିଶେଷଜ୍ଞଙ୍କର ପରାମର୍ଶ ପାଇଁ ଫୀସ ନିଆଯାଏ । ପ୍ରଥମ ଓ ଦ୍ଵିତୀୟ ଦିନର ପ୍ରତ୍ୟେକ ଦିନପାଇଁ ଚାରିଶହ ଫ୍ରାଁ ବା ସାଢ଼େ ପାଞ୍ଚଶହ ଟଙ୍କା । ଦୁଇ ଦିନରୁ ଅଧିକ ହେଲେ ତେଣିକି କମ ହାରରେ । ଏଭଳି ବିଶେଷଜ୍ଞ ପଠାଇବା ଛଡ଼ା ଚିଠିପତ୍ର ମାଧ୍ୟମରେ ମଧ୍ୟ କୃଷକମାନଙ୍କର ସମସ୍ୟା ବିଷୟରେ ସମିତି ଖବର ରଖନ୍ତି ଓ ସେ ସବୁ ସମସ୍ୟାର ସମାଧାନରେ ସାହାଯ୍ୟ କରନ୍ତି ।

 

ସମିତିର ଏକ ମାସିକପତ୍ର ମଧ୍ୟ ବାହାରେ, ତାହା ଜରିଆରେ ସଦସ୍ୟାମାନଙ୍କ ସହିତ ସମ୍ପର୍କ ରଖାଯାଏ । ଏହା ଛଡ଼ା ସଭା ସମିତି ଦ୍ଵାରା ମଧ୍ୟ ସମିତିର ଉଦ୍ଦେଶ୍ୟର ପ୍ରଚାର କରାଯାଏ ।

 

ଏହାର ସଦସ୍ୟ ଚାନ୍ଦା ଛଡ଼ା ସମିତିକୁ ସରକାରୀ ଗ୍ରାଣ୍ଟ ମଧ୍ୟ ଭଲ ରକମ ମିଳେ । ଏହା ସାଙ୍ଗକୁ ଆଉ ଏକ ଅଧା ସରକାରୀ ଅନୁଷ୍ଠାନ ଅଛି । ଏହାର କାମ ହେଲା ଚାଷ ନ କରୁଥିବା ଜମି ମାଲିକଙ୍କଠାରୁ ଜମି କିଣି ନେଇ ଚାଷୀଙ୍କୁ କିସ୍ତିବାରୀରେ ବିକିବା । ଅବଶ୍ୟ କୌଣସି ମାଲିକର ଜମିକୁ ଯେଉଁ ଚାଷୀ ଖଜଣାରେ ଚାଷ କରୁଥିବ ତାହାରି ସେ ଜମିକୁ କିଣିବାର ପ୍ରଥମ ଅଧିକାର । ସେ ନ କିଣିଲେ ସମିତି କିଣି ନେଇ ଅନ୍ୟକୁ ବିକେ । ଚାଷୀମାନେ ବ୍ୟାଙ୍କରୁ ଋଣ ନେଇ ଜମି କିଣନ୍ତି ଓ ପୁଣି ସମସ୍ତେ ମିଶି ସଂଘ ଗଢ଼ନ୍ତି ।

 

ଜମିର ସାମୂହିକ ମାଲିକାନା ବିଚାର ଏ ଆନ୍ଦୋଳନରେ ଅଛି କି ନାହିଁ ?’ ଏ କଥା ପଚାରିବାରୁ ଉତ୍ତର ମିଳିଲା ଯେ କେତେକ ସଂଘ ଜମି କିଣି ସମୂହ ଭାବରେ ଚାଷ କରୁଛନ୍ତି, ମାତ୍ର ସମସ୍ତେ ନୁହେଁ ।

 

ଏସବୁ ଦେଖା ସାକ୍ଷାତ ଓ ସଭା ସମିତିର ଫାକରେ ବୁଲାବୁଲି କରି ପ୍ୟାରିସ୍‌ ସହରର କିଛିଟା ଦେଖି ନେଲି । ଏଠି ମଧ୍ୟ ଲଣ୍ତନ ଭଳି ମାଟି ତଳେ ରେଳରେ ଯିବା ଆସିବା ହିଁ ସୁବିଧା ଓ ସମୟ ବଞ୍ଚାଏ । ଏଠିକାର ବିଶେଷତ୍ଵ ହେଇଛି ଯେ ଏଥିରେ ଭଡ଼ା ଗୋଟିଏ ଏକ ଫ୍ରାଁ ଦଶ ସାଁ ତ୍ ବା ପ୍ରାୟ ଦେଢ଼ଟଙ୍କା । ଟିକଟ କାଟି ଭିତରେ ପଶ ଓ ଯେତେ ଇଚ୍ଛା ଯେତେବାଟ ଯାଇ ବାହାର । ଦିନଯାକ ତଳେ ରହିଗଲେ ବି ବାଧା ନାହିଁ ।

 

ପ୍ୟାରିସର ରାସ୍ତାଘାଟର ବିଶେଷତ୍ଵ ହେଲା ବିରାଟ ବିରାଟ ଚୌକ । ପ୍ରତି ଚୌକ ମଝିରେ ଗୋଟାଏ ନା ଗୋଟାଏ କିଛି ସ୍ମୃତିସ୍ତମ୍ଭ ରହିଛି । ଏଗୁଡ଼ିକ ସବୁ ଏଠାରେ ବିଭିନ୍ନ ପ୍ଳାସ୍ (ଇଂରଜୀ-ପ୍ଳେସ) ନାମରେ ପରିଚିତ । ପ୍ଳାସ ଦ୍ୟଲା କଁକରଦ୍, ପ୍ଳାସ୍‌ଦ୍ୟଲା ନାଶିଅଁ, ପ୍ଳାସ୍‌ ଦ୍ୟ ଏତୋୟାଲ ଇତ୍ୟାଦି । ଏହା ଭିତରେ ଶେଷୋକ୍ତ ଚୌକିରେ ନେପୋଲିୟନଙ୍କ ନିର୍ମିତ ଆର୍କଦ୍ୟ ତ୍ରୋୟାଁଫ ବା ବିଜୟ ତୋରଣ ରହିଛି । ଏହା ଉପରେ ଚଢ଼ିଲେ ଚାରି ପାଖରେ ବିଛେଇ ହୋଇ ରହିଥିବା ସାରା ପ୍ୟାରିସର ସୁନ୍ଦର ଦୃଶ୍ୟ ଦେଖାଯାଏ । ଏଠୁ ପ୍ଳାସ୍ ର୍ଦଲା କଁକଦ୍ୟ ବା ଶାନ୍ତି ଚୌକ ଯାଏ ଲମ୍ଵିଛି ସାଁଜ୍ ଏଲୀସି ପ୍ୟାରିସର ପ୍ରଧାନ ରାଜପଥ, ଏଠାର ଚୌରଙ୍ଗୀ । ବିରାଟ ଓସାର ରାସ୍ତା ଓ ସେଥିରେ କେତେକ ଅଂଶ କାଚରେ ଢଳେଇ ହେଇଛି । କାଚ ରାସ୍ତା କୁଆଡ଼େ ଖୁବ୍ ଟାଣ, ସହଜରେ ଘୋରି ହେବ ନାହିଁ ଓ ଗାଡ଼ି ଚାଲିବାକୁ ଖୁବ୍ ଆରାମ ।

 

ଏଇ ସାଁଜ୍ ଏଲୀସିରେ ସବୁ ବଡ଼ ବଡ଼ ଭବନ, ଅଫିସ, ସଂଗ୍ରହାଳୟ ଆଦି ରହିଛି, ନାମଜାଦା ଦୋକାନ ସବୁ ବି ଏଇଠି । ଏହି ରାସ୍ତା ଓ ସୀନ୍ ନଦୀ ମଝିରେ ବଡ଼ ବଡ଼ ଉଦ୍ୟାନ ଅଛି-। ଗଛପତ୍ର ବହୁତ ।

 

ଆର୍କଦ୍ୟ ତ୍ରୋୟାଁଫ୍ ଉପରୁ ଇଫେଲ ଟାଓ୍ୟାର୍ ଅଳ୍ପ ଦୂରରେ ଦେଖାଯାଉଥାଏ । ଯେ ପ୍ୟାରିସକୁ ଆସନ୍ତି ତାଙ୍କର ଏ ଟାଓ୍ୟାର୍ ଉପରେ ଚଢ଼ିବା ଗୋଟାଏ ଅବଶ୍ୟ କରଣୀୟ ବିଧି । ହଜାରେ ଫୁଟ ପାଖାପାଖି ଉଚ୍ଚ ଏଇ ମିନାରଟି ଲୁହାରେ ତିଆରୀ । ୧୮୯୦ ଆଡ଼କୁ ପ୍ୟାରିସରେ ଏକ ପ୍ରଦର୍ଶନୀ ସମୟରେ ତିଆରି ହୋଇଥିଲା । ଦେଖିବାକୁ ସେମିତି କିଛି ଭଲ ନୁହେଁ । ଏହା ଉପରେ ଆଉ ମୁଁ ଚଢ଼ିଲି ନାହିଁ ।

 

ପ୍ୟାରିସ୍‌ର ସବୁଠାରୁ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହେଲା ଲୁଭ୍‌ର୍ ସଂଗ୍ରହାଳୟ । ବିଟ୍ରିଶ ମ୍ୟୁଜିୟମ୍ ଭଳି ବିରାଟ, ତେବେ ଏଥିରେ ଚିତ୍ର ଓ ଭାସ୍କର୍ଯ୍ୟ ସଂଗ୍ରହ ହିଁ ପ୍ରଧାନ । ବିଶ୍ଵର ଅନେକଗୁଡ଼ିଏ ଶ୍ରେଷ୍ଠ କଳାକୃତି ଏଠାରେ ରହିଛି । ଅନେକ ଗୁଡ଼ିଏ ବିରାଟ ବିରାଟ ଭବନର ସମଷ୍ଟି ଏ ସଂଗ୍ରହାଳୟକୁ ପୂରା ଦେଖିବାକୁ ହେଲେ ହପ୍ତାଏ ଖଣ୍ତେ ଲୋଡ଼ା । ଆମ ପାଖରେ ଥିଲା ମାତ୍ର ତିନି ଘଣ୍ଟା ସମୟ । ତାହାରି ଭିତରେ ଏହାର ପ୍ରଧାନ ଅଂଶର ପ୍ରାୟ ଚାରିଭାଗରୁ ଭାଗେ ତରତର କରି ବୁଲି ଦେଖିନେଲୁ । ଗ୍ରୀସ୍‌ର ଅଜ୍ଞାତ ଭାସ୍କରଙ୍କର କୃତି ‘ଭେନସ୍ ଦ ମିଲୋ’, ଲୀଓନାର୍ଦୋ ଦା ଭିନ୍‌ଚିଙ୍କର ଅଙ୍କିତ ଚିତ୍ର ‘ମୋନା ଲିଜା’, ମିଲେଙ୍କର ‘ଲା ଆଁ ଜେଲିକ୍’ ଆଦି ଅନେକଗୁଡ଼ିଏ ଶ୍ରେଷ୍ଠ କୃତି ଦେଖିବାକୁ ସୁଯୋଗ ମିଳିଲା ଜାଣି ସନ୍ତୋଷ ଲିଭିବାକୁ ହେଲା ।

 

ଏଠି ଗୋଟିଏ ବିଚିତ୍ର ଯନ୍ତ୍ର ଦେଖିବାକୁ ମିଳିଲା—ଯାନ୍ତ୍ରିକ ଗାଇଡ଼୍ । ବାଁସିମଁ କହିଲେ ଯେ ହେଇ ସେଠି ମୋନା ଲିଜା ଚିତ୍ରର ପରିଚୟ ଦେଉଥିବା ଯନ୍ତ୍ର ରହିଛି, ଗୋଟାଏ ଆଣ । ଅଧ ଫ୍ରାଁ ଦର୍ଶନୀ ଦେଇ ଗୋଟାଏ ଆଣିଲି । ଚାଖଣ୍ତେ ଲମ୍ଵର ହାଲୁକା ଯନ୍ତ୍ରଟିଏ, କାନରେ ଲଗେଇ ଶୁଣିବାକୁ ହୁଏ । ଯନ୍ତ୍ରଟି ସ୍ଵୟଂ ପୂର୍ଣ୍ଣ, ତାର ଦ୍ଵାରା ଅନ୍ୟ କୌଣସି ଯନ୍ତ୍ର ସହ ସଂଯୁକ୍ତ ନୁହେଁ । ମଜ ହେଉଛି ଯେ ମୋନା ଲିଜା ଛବି ସମାନାରେ ଆସି ଛିଡ଼ାହେଲେ ତାହା କଥା କହିବାକୁ ଆରମ୍ଭ କରେ, ଦୂରକୁ ଘୁଞ୍ଚିଗଲେ ବନ୍ଦ ହୋଇଯାଏ । ଫରାସୀ, ଇଂରେଜୀ ଓ ଜର୍ମାନ୍ ଭାଷାର ଅଲଗା ଅଲଗା ଯନ୍ତ୍ର ଅଛି, ଯେ ଯାହାର ଆବଶ୍ୟକତା ମତେ ନେବ । ସେଥିରୁ ସେ ଛବିର ଚିତ୍ରକରଙ୍କର ଜୀବନୀ, ଛବିର ଚିତ୍ରକରଙ୍କର ଜୀବନୀ, ଛବିର ଇତିହାସ ଓ କଳାତ୍ମକ ବୈଶଷ୍ଟ୍ୟ ଆଦି ସମ୍ଵନ୍ଧରେ ବେଶ୍ ଲମ୍ଵା ବକ୍ତୃତା ଶୁଣିବାକୁ ମିଳେ ।

 

ଏଠାରେ ଅନ୍ୟତମ ଶ୍ରେଷ୍ଠ ଆକର୍ଷଣ ନୋତର ଦାମ୍ ଗୀର୍ଜା । ଏଇଟି ମଧ୍ୟଯୁଗରେ ତିଆରି ଓ ପୃଥିବୀର ସୁନ୍ଦରତମ ଗୀର୍ଜା ଭିତରୁ ଅନ୍ୟତମ । ଏହାଛଡ଼ା ଆହୁରି ଅନେକ ଦର୍ଶନୀୟ ସ୍ଥାନ ଏଠି ଅଛି । ମାତ୍ର ସମୟ ଅଭାବରୁ ସେ ସବୁ ଆଉ ଦେଖା ହୋଇ ପାରିଲା ନାହିଁ ।

 

ଫ୍ରାନ୍‌ସର ପାଉରୁଟିର ପରିଚୟ ନ ଦେଇ ଏ ବର୍ଣ୍ଣନା ଶେଷ କରିବାର ନୁହେଁ । ବହୁମୁଖୀ ସମବାୟ ସମିତି ପରି ଏ ରୁଟୀର ବହୁମୁଖୀ ଉପଯୋଗ ସମ୍ଭବ । ଖାଇବା ତ ଖାଇବା, ଏହାକୁ ଧରି ବିପ୍ଳବ ବା ଅତ୍ମରକ୍ଷା କରାଯାଇ ପାରେ, ଦୁର୍ବଳ ଲୋକ ଏହାକୁ ଲାଠି ରୂପେ ବ୍ୟବହାର କରି ଭାରା ଦେଇ ଚାଲିପାରେ ଓ ଏହି ରୂପେ ନିଜ ନିଜର ରୁଚି ଓ ଆବଶ୍ୟକତା ଅନୁସାରେ ଅନେକ କିଛି ଭାବରେ ଏହାର ବ୍ୟବହାର କରାଯାଇ ପାରେ । ଦେହହାତ ଲମ୍ଵ ଓ ଖୋଳପା ଏଭଳି ଟାଣ ଯେ କାହାରି ମୁଣ୍ତରେ ପାହାରେ ପିଟିଦେଲେ ମୁଣ୍ତ ଫାଟିପାରେ କିନ୍ତୁ ରୁଟୀ ଭାଙ୍ଗିବ ନାହିଁ । କଲିକତା ପ୍ରଭୃତିରେ ସୋଢ଼ା ବୋତଲ ବିପ୍ଳବର ଆୟୂଧ ହେଇଥାଏ । ଏଠି ଏ ରୁଟୀ ବି ସେହିପରି ବ୍ୟବହୃତ ହେଉଥିବ ।

 

କବି ଓମର୍ ଖୟାମ ଗାଇଛନ୍ତି ପାଖରେ ଖଣ୍ତେ ରୁଟୀ ସାଙ୍ଗକୁ ସୁରାପାତ୍ର ବି ଥିବା ଚାହି-। ଏ ଶେଷୋକ୍ତ ବସ୍ତୁଟି ପାଇଁ ତ ଫ୍ରାନ୍‌ସ ପ୍ରସିଦ୍ଧ, ତେବେ ସେ ରସର ଆସ୍ଵାଦନରୁ ଏ ଅଭାଗା ବଞ୍ଚିତ । ତେବେ ଦେଖିଲି ଯେ ଏଠି ବଜାରରେ ପାଞ୍ଚସାତଟା ଦୋକାନ ଭିତରେ ଗୋଟାଏ ଦୋକାନ ମଦର ନିଶ୍ଚୟ ଥିବ । ସେହିପରି ଜର୍ମାନୀରେ ଦେଖିଥିଲି ସର୍ବତ୍ର ବିୟର୍‌ର ଦୋକାନ ଓ ବିଜ୍ଞାପନ । ଅନେକେ ପଚାରନ୍ତି, ୟୁରୋପରେ ନିଶାନିବାରଣ ପାଇଁ କୌଣସି ଆନ୍ଦୋଳନ ଅଛି କି ନାହିଁ ? ସେଭଳି କେତେକ ଆନ୍ଦୋଳନ ଅଛି । କେତେକ ପୂରା ମଦ୍ୟପାନ ନିଷେଧର ପ୍ରଚାର କରନ୍ତି ଓ ଅନ୍ୟ କେତେକ ପାନରେ ପରିମିତତାର । ତେବେ ଏ ସବୁ ଆନ୍ଦୋଶନ ସେମିତି କିଛି ବ୍ୟାପକ ନୁହେଁ ।

 

ଫ୍ରାନ୍‌ସରୁ ମୁଁ ଜୁରିକ୍ ଯିବା ବାଟରେ ଦିନକ ପାଇଁ ପୁଣି ପଶ୍ଚିମ ଜର୍ମାନୀକୁ ଗଲି, ଷ୍ଟୁଟ୍‌ଗାର୍ଟ ସହରକୁ । ଉଡ଼ାଜାହାଜ ଧର୍ମଘଟ ଯୋଗୁଁ ସେଦିନ ବହୁତ ଡେରିରେ ଯାଇ ସେଠି ପହଞ୍ଚିଲି ଓ ସେ ସୁନ୍ଦର ସହରଟି ଦେଖିବା ପାଇଁ ଆଉ ସମୟ ରହିଲା ନାହିଁ । ତେବେ ସେଦିନ ସଂଧ୍ୟାରେ ଏଠାର ସର୍ବୋଦୟ ମିତ୍ର ମଣ୍ତଳୀର ବୈଠକରେ ଯୋଗ ଦେଇ ପାରିଲି ।

 

ଏଠୁ ବହୁବର୍ଷ ହେଲା ଏ ମିତ୍ରମଣ୍ତଳୀଟି ଚାଲିଛି । ଏହାର ଗଠନର ପ୍ରଧାନ ଶ୍ରେୟ ଅଧ୍ୟାପକ ଡଃ ଅନନ୍ତରାମନଙ୍କର । ଏଠିକାର ଗୋଟିଏ ଝିଅ ହେମା । ବାରବର୍ଷ ତଳେ ଭୂଦାନ ଆନ୍ଦୋଳନଦ୍ଵାରା ଆକୃଷ୍ଟ ହୋଇ ଭାରତରେ ପହଞ୍ଚିଥିଲା ଓ ଅନେକ ଦିନ କାମ ମଧ୍ୟ କରିଥିଲା । ଡଃ ଅନନ୍ତରାମନ୍ ମଧ୍ୟ ସର୍ବୋଦୟ ପ୍ରେମୀ । ଏ ଉଭୟଙ୍କର ପରିଚୟ କ୍ରମେ ପ୍ରଣୟରେ ପରିଣତ ହେଲା ଓ ଦୁହିଁଙ୍କର ବିବାହ ହେଲା । ଅନନ୍ତରାମନ୍‍ ଜର୍ମାନରେ ମେଟାଲର୍ଜି ବିଜ୍ଞାନ ପଢ଼ିଥିଲେ ଓ ପତ୍ନୀଙ୍କ ସୂତ୍ରରେ ଷ୍ଟୁଟ୍‌ଗାର୍ଟ ସହିତ ସମ୍ପର୍କ ଘନିଷ୍ଠ ହେଲା ଓ କ୍ରମେ ସେଠି ଏ ସର୍ବୋଦୟ ମଣ୍ତଳୀ ଗଢ଼ି ଉଠିଲା ।

 

ଏଥିରେ ଚାଳିଶ ଜଣ ସରିକି ସଦସ୍ୟ ଅଛନ୍ତି । ଏମାନେ ଏଠାର ଗଣ୍ୟମାନ୍ୟ ଲୋକ, ଅଧ୍ୟାପକ, ବ୍ୟବସାୟୀ, ଶିଳ୍ପୀ, ଇଂଜିନିୟର ଇତ୍ୟାଦି । ଏମାନେ ନିୟମିତ ମିଳିତ ହୁଅନ୍ତି ଓ ସର୍ବୋଦୟ ବିଷୟରେ ପଢ଼ାଶୁଣା ଓ ଆଲୋଚନା କରନ୍ତି । ମହାରାଷ୍ଟ୍ରର ଧୂଲିଆ ଜିଲାରେ ଗ୍ରାମଦାନ ଅଞ୍ଚଳରେ ଚାଲିଥିବା ନିର୍ମାଣ କାମ ପାଇଁ ଗତ କେତେବର୍ଷ ହେଲା ଏ ମୈତ୍ରୀ ମଣ୍ତଳୀ ଅର୍ଥ ସାହାଯ୍ୟ କରି ଆସୁଛନ୍ତି । ଭାରତର ସର୍ବୋଦୟ ଆନ୍ଦୋଳନ ବିଷୟରେ ଏମାନେ ବେଶ୍ ଓ୍ୟକିବହଲ । ମତେ ସେ ବିଷୟରେ ତନ୍ନ ତନ୍ନ କରି ସବୁ ଖବର ପଚାରିଲେ ।

 

ଏ ଗୋଷ୍ଠୀର ପ୍ରଧାନ ଆଡ଼୍ଡ଼ା ହେଲା ମାଦାମ୍ ଲୀତସଙ୍କର ଘର । ମୋର ରହଣୀ ମଧ୍ୟ ତାଙ୍କରି ଘରେ ହେଇଥିଲା । ଭାରତରୁ ସର୍ବୋଦୟ ବାଲା ଯେ ସେଠିକି ଯାନ୍ତି ସେଇଠି ରହନ୍ତି । ଅତି ସ୍ନେହଶୀଳା ମହିଳା, ଦଣ୍ତକ ଭିତରେ ମତେ ତାଙ୍କର ନିଜ ଘରର ଲୋକ କରିନେଲେ ଓ ତା ପରଦିନ ସକାଳେ ସେଠୁ ବିଦା ହେଲାବେଳେ ନିଜ ଘର ଛାଡ଼ିଲା ପରି ଲାଗିଲା ।

 

ମିଷ୍ଟର ଲୀତସ୍‍ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ମାଦାମଙ୍କର ଜଣେ ଭଉଣୀ ମଧ୍ୟ ତାଙ୍କ ସହିତ ରହନ୍ତି । ତାଙ୍କୁ ସେ ଯେତେବେଳେ ନାଁ ଧରି ଡାକିଲେ ‘ତାମାରା’, ସେତେବେଳେ ମୁଁ ବିସ୍ମିତ ହୋଇ ପଚାରିଲି “ଏ ତ ରୁଷ ଦେଶର ନାଁ !” ମାଦାମ୍ କହିଲେ, “ଆମେ ତ ରୁଷର ଲୋକ । ବିପ୍ଳବ ବେଳେ ଆମ ପରିବାର ସେଠୁ ପଳେଇ ଆସିଥିଲା ।” ତେବେଠୁଁ ସେମାନେ ଜର୍ମାନୀରେ ବସବାସ କରିଛନ୍ତି ଓ ମାଦାମ୍ ବିବାହ ମଧ୍ୟ ଏଇଠି କରିଛନ୍ତି ।

 

ଚିତ୍ରକଳା, ଭାସ୍କର୍ଯ୍ୟ ଆଦିର ଚର୍ଚ୍ଚା କରୁଥିବା ଏ ସହରର ମହିଳାମାନଙ୍କର ଏକ ସଂଘର ମଧ୍ୟ ମାଦାମ୍ ଲୀତ୍‌ସ୍ ସଂପାଦିକା । ମାଦାମ୍ ଲୀତସଙ୍କ ଘରଟି ବାସ୍ତବରେ ଏହି ସଂଘର ଭବନର ଉପର ମାହାଲାରେ । ସେ ନିଜ ମଧ୍ୟ କଳାପ୍ରେମୀ । ତାଙ୍କର ଘରର ସାଜସଜ୍ଜାରୁ ଏହି କଳାତ୍ମକ ରୁଚି ପୂରା ପ୍ରକାଶ ପାଉଥାଏ ।

Image

 

ଅଣତିରିଶ

ହ୍ରଦ ପର୍ବତର ଦେଶରେ

 

ସ୍ଵୀଜରଲ୍ୟାଣ୍ତରେ ମୋର ରହଣୀର ଦୁଇଦିନ ପୂରାପୂରି ଖରାଛୁଟି ଉପଭୋଗ ହିଁ ହେଲା । ଏଠି ଶାନ୍ତିପ୍ରେମୀମାନଙ୍କର ଗୋଟିଏ ଅଧ୍ୟୟନ କେନ୍ଦ୍ର, ମାର୍ଟିନ୍ ଲୁଥର୍ କିଙ୍ଗଙ୍କ ନାମରେ ନାମିତ, ନୟାଶାତେଲ୍ ନିକଟରେ ଅଛି । ସେଇଠି ସାକ୍ଷାତ୍ କରିବା ଓ କେନ୍ଦ୍ର ନେଖିବା ବାବତରେ ଆଗରୁ ଚିଠିପତ୍ର କାରବାର ହୋଇଥିଲା, ମାତ୍ର ସେମାନଙ୍କର ଉତ୍ତର ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ମୋ ପାଖରେ ସମୟରେ ପହଞ୍ଚି ପାରିଲା ନାହିଁ । କଟକରେ ପଡ଼ି ରହିଲା । ମୁଁ ଭାରତ ଫେରି ତାହା ପାଇଲି । ତେଣୁ ମୁଁ କେବଳ ଜୁରିକ୍‌ର ଦୁଇ ଦିନର କାର୍ଯ୍ୟକ୍ରମ ରଖିଲି । ତଥାପି ମୋର ଆଶା ଥିଲା, ମାତ୍ର ସେଠୁ ବି ଫୋନରେ କାହାରି ସହିତ ସଂପର୍କ ହୋଇ ପାରିଲା ନାହିଁ ।

 

ଜୁରିକରେ ରବର୍ଟ ଏବ୍‌ନୟଥରଙ୍କ ଘରେ ମୋର ରହଣୀ ହେଲା । ରବର୍ଟ ଉଚ୍ଚମନା ସେବାଭାବୀ ଯୁବକ । ସମସ୍ତ ପ୍ରକାରର ସଂକୀର୍ଣ୍ଣତାରୁ ମୁକ୍ତ । ନୂତନ ବିଶ୍ଵ-ସମାଜର ସ୍ଵପ୍ନରେ ଉଦବୁଧ । ଏହାଙ୍କ ବାପା ଘର ମରାମତି ଆଦି କାମ କରନ୍ତି । ଗୋଟିଏ ତିନି ବଖରିଆ ଘରେ ଥାଆନ୍ତି ।

 

ଆଦିବାସୀମାନଙ୍କର ଜୀବନ ଓ ସେମାନଙ୍କର ସମସ୍ୟା ବିଷୟରେ ରବର୍ଟଙ୍କର ଗଭୀର ଅନୁସନ୍ଧିତ୍ସା । ସେ ବିଷୟରେ ସେ ବହୁତ ପଢ଼ାଶୁଣା କରିଛନ୍ତି । ବହୁତ ଦେଶ ବୁଲିଛନ୍ତି । ଏବେ ସେ ଆଫ୍ରିକାର ବିଭିନ୍ନ ଦେଶ ବୁଲି ଫେରିଥାନ୍ତି । ପାଞ୍ଚ ଛଅ ବର୍ଷ ତଳେ ସେ ଭାରତ ମଧ୍ୟ ଆସିଥିଲେ । ଏଠି ନବଜୀବନ ମଣ୍ତଳ ଅଧୀନରେ ଯାଇ କୋରାପୁଟର ନିଘଞ୍ଚ ଜଙ୍ଗଲ ଭିତରେ ଗୁଡ଼ାରୀ ଅଞ୍ଚଳରେ ବହୁତ ଦିନ ରହିଥିଲେ ଓ ନିଜର ମଧୁର ସ୍ଵଭାବ ଓ ସେବାଭାବ ଯୋଗୁଁ ଆଦିବାସୀମାନଙ୍କର ଖୁବ୍ ପ୍ରିୟ ହୋଇଥିଲେ । ମାତ୍ର ଦିନେ ହଠାତ୍ କୌଣସି ଦେଶରକ୍ଷକ ସରକାରୀ କର୍ମଚାରୀ ଦେଖିଲେ ଯେ ରବାର୍ଟ ଗୋଟିଏ ପାହାଡ଼ ମୁଣ୍ତିଆ ଉପରେ ଚଢ଼ିଛନ୍ତି । ମୁଣ୍ତିଆ ଉପରେ କାହିଁକି ଚଢ଼ିଛି ? ନିଶ୍ଚୟ ସେଠୁ ଭାରତର ସୀମାନ୍ତ ଉପରେ ନଜର ପକଉଥିବ ! ତାଙ୍କ ବିରୋଧରେ ରିପୋର୍ଟ ହେଲା ଓ ଭାରତ ସରକାରଙ୍କ ଆଦେଶରେ ତାଙ୍କୁ ଭାରତ ଛାଡ଼ିବାକୁ ହେଲା । ଏ ମୂର୍ଖତା ଓ ଅନ୍ୟାୟପୂର୍ଣ୍ଣ ଆଦେଶ ବିରୋଧରେ ଖୋଦ୍ ଜୟପ୍ରକାଶ ନାରାୟଣ ଅନେକ ଲେଖାଲେଖି କରିବା ପରେ ଏବେ ତାଙ୍କୁ ପୁଣି ଭାରତ ଆସିବାକୁ ଅନୁମତି ମିଳିଛି ଓ ଏହା ଲେଖା ହେବାବେଳକୁ ସେ ଆସି ଭାରତରେ ପହଞ୍ଚିଛନ୍ତି ମଧ୍ୟ ।

 

ଅନ୍ୟ କିଛି କାମ ନ ଥିବାରୁ ଏଠାର ପାହାଡ଼ ଓ ହ୍ରଦ ସବୁ ବୁଲି ଦେଖିବା ହିଁ ସ୍ଥିର କଲ୍ । ସ୍ଵୀଜରଲ୍ୟାଣ୍ତ ହ୍ରଦ ଓ ପାହାଡ଼ର ଦେଶ, ୟୁରୋପର କାଶ୍ମୀର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଏଠିକି ସାଭା ୟୁରୋପ ଓ ଆମେରିକାରୁ ଅସଂଖ୍ୟ ଲୋକ ଆସନ୍ତି ଛୁଟି ବିତେଇବାକୁ । ଖରାଦିନେ ପାହାଡ଼ ଚଢ଼ନ୍ତି, ହ୍ରଦରେ ପହଁରନ୍ତି, ଡଙ୍ଗା ବାହାନ୍ତି, ବଣରେ ବୁଲନ୍ତି । ଶୀତଦିନେ ବରପ ଉପରେ ସ୍କୀଂ ଓ ସ୍କେଟିଂ କରନ୍ତି । ୟୁରୋପର ଉଚ୍ଚତମ ପର୍ବତଶୃଙ୍ଗ ମଁ ବ୍ଳାଁ—‘ଧବଳଗିରି’, ଏଇଠି । ଅବଶ୍ୟ ଆମ ହିମାଳୟର ମହା ମହା ଶୃଙ୍ଗମାନଙ୍କର ଅଧା ବି ନୁହେଁ । ଏହିସବୁ ପର୍ବତ ମଝିରେ ଉପତ୍ୟକା, ହ୍ରଦ ଓ ହ୍ରଦ କୂଳେ କୂଳେ ସବୁ ସଦର । ଜୁରିକ ସହର ମଧ୍ୟ ସେହି ନାମର ବିରାଟ ହ୍ରଦ କୂଳରେ । ହ୍ରଦ କୂଳରେ ମନୋରମ ଉଦ୍ୟାନ, ତାହା ଭିତରେ ରେସ୍ତୋରାଁ, ହୋଟେଲ ଆଦି । ପିଲାଙ୍କ ଖେଳିବା ଜାଗା, ହ୍ରଦରେ ବୁଲିବା ପାଇଁ ମୋଟର ବୋଟ୍, ପାଲଟଣା ଡଙ୍ଗା ଆଦିର ବ୍ୟବସ୍ଥା । ଅତି ରମଣୀୟ ସ୍ଥାନ; କିନ୍ତୁ ଆଧୁନିକ ସଭ୍ୟତା ଏ ରମଣୀୟତାକୁ ବି ବିଷାକ୍ତ କରୁଛି । ଦେଖାଗଲା ଯେ ହ୍ରଦ କୂଳରେ ଅସଂଖ୍ୟ ମାଛ ଓ ଅନ୍ୟ ଜଳଜନ୍ତୁ ମରି ପଡ଼ିଛନ୍ତି । କଳକାରଖାନା ଓ ସହରର ଆବର୍ଜନାମୟ ଜଳ ଏ ହ୍ରଦରେ ପଡ଼ି ପଡ଼ି ଏହି ବିରାଟ ହ୍ରଦର ଅଗାଧ ଜଳରାଶି ମଧ୍ୟ ଏତେ ଦୂଷିତ ହୋଇଗଲାଣି ଯେ ଏଥିରେ ଆଉ ମାଛ ବଞ୍ଚି ପାରୁ ନାହାନ୍ତି । ଏ ପାଣିରେ ଗାଧୋଇବା, ପହଁରିବା ବି ଆଉ ସମ୍ଭବ ନୁହେଁ । ଏବେ ଏହାର ପ୍ରତିକାର ଓ ଶୋଧନ କିପରି ହେବ ତାହା ଏକ ସମସ୍ୟା ହୋଇଛି ।

 

ସାରା ୟୁରୋପ ଓ ଉତ୍ତର ଆମେରିକାରେ ଏ ସମସ୍ୟା ବିକରାଳ ରୂପ ନେଇ ଦେଖା ଦେଲାଣି ଓ ଏଇଟି ଏବେ ଏସବୁ ଆଡ଼େ ଅନ୍ୟତମ ଗରମାଗରମ ସମସ୍ୟା ହୋଇଛି । କାରାଖାନାମାନଙ୍କରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ମହଣ ବିଷାକ୍ତ ବାଷ୍ପ ଓ ଧୂଳିଗୁଣ୍ତ, ଆବର୍ଜନା ପବନରେ ମିଳୁଛି ଓ ସେହିପରି କୋଟି କୋଟି ମହଣ ନଈ, ନାଳ, ହ୍ରଦ ଓ ସମୁଦ୍ରରେ ପଡ଼ୁଛି । ଏହି ଗତିରେ ଯଦି ଏହା ଚାଲେ ତେବେ ଆଉ ପଚାଶ ବର୍ଷ ପରେ ମଣିଷ ସେଠି ସୁସ୍ଥ ଭାବରେ ବଞ୍ଚିବା କଠିନ ହୋଇଯିବ ।

 

ଏହା ସାଙ୍ଗକୁ ପ୍ରାକୃତିକ ସମ୍ପଦ ଧ୍ଵଂସ ଓ ସାରା ପରିବେଶ ଅତି ଅସୁନ୍ଦର, ଅରୁଚିକର ଓ କଦର୍ଯ୍ୟ ହେବା ମଧ୍ୟ ଆଉ ଏକ ବ୍ୟାଧି । ବଡ଼ ବଡ଼ ସହରମାନଙ୍କର ଦଶ କୋଡ଼ିଏ ମାଇଲ ଦୂରରେ ଦେଖିଲି ପୁରୁଣା ମଟରଗାଡ଼ି ସବୁ କୁଢ଼ ହୋଇ ରହିଛି, ଯେମିତି ଆମ ଗାଁମୁଣ୍ତରେ ବାଇଜହାଣ୍ତି ସବୁ କୁଢ଼ ହୋଇଥାଏ । ଅଧିକ ଲାଭ କରିବା ଦୃଷ୍ଟିରୁ ଉତ୍ପାଦନ ବଢ଼େଇ ଚାଲିବା ହେଲା ପୁଂଜିବାଦର ପ୍ରକୃତି । ପୂର୍ବକାଳରେ ଲୋକେ ଯେତେବେଳେ ଅତି ଅଭାବ ଭିତରେ ରହୁଥିଲେ ସେତେବେଳେ ଲୋକେ ଅପାର ପ୍ରାଚୁର୍ଯ୍ୟର ସ୍ଵପ୍ନ ଦେଖୁଥିଲେ ଓ ମହାପୁରୁଷମାନେ କହୁଥିଲେ ଯେ ମଣିଷର ଭୋଗତୃଷ୍ଣା ଅସୀମ । ମାତ୍ର ଏବେ ପ୍ରାଚୂର୍ଯ୍ୟର ସମାଜରେ ଦେଖାଯାଉଛି ଯେ ମଣିଷର ଭୋଗତୃଷ୍ଣାର ବେଶ ନିର୍ଦ୍ଦିଷ୍ଟ ସୀମା ଅଛି । ସେଥିପାଇଁ ହଜାର ହଜାର କୋଟି ଟଙ୍କା ଖରଚ କରି ଖବରକାଗଜ, ରେଡ଼ିଓ, ଟେଲିଭିଜନ ଆଦି ପ୍ରଚାର ସାଧନ ମାଧ୍ୟମରେ ଲୋକଙ୍କୁ ନୂଆ ନୂଆ ଜିନିଷ ବ୍ୟବହାର କରିବା ପାଇଁ, କିଣିବା ପାଇଁ ପ୍ରବର୍ତ୍ତାଇବାକୁ ପଡ଼ୁଛି । ଅନ୍ୟ ସମସ୍ତେ କିଣିଲେଣି, ତେମେ ନ କିଣିଲେ ତମର ମାନ ତଳେ ପଡ଼ିଯିବ ବୋଲି ପ୍ରଚାର ହେଉଛି । ଜୋତା ପାଲିସ ଠାରୁ ମଟର ଗାଡ଼ି ଯାଏ ସ୍ଥାନରେ ଅସ୍ଥାନରେ ଅର୍ଦ୍ଧନଗ୍ନ ବା ନଗ୍ନ ନାରୀମୂର୍ତ୍ତିର ଚିତ୍ର ଯୋଡ଼ି ବିଜ୍ଞାପନକୁ ଆକର୍ଷଣୀୟ କରାହେଉଛି । ଏହାରି ଫଳରେ ଲୋକେ ଦରକାରରୁ ବେଶୀ ଜିନିଷ କିଣୁଛନ୍ତି । ପୁରୁଣା ଜିନିଷ ଅକାମୀ ହେବା ପୂର୍ବରୁ ତାକୁ ଫିଙ୍ଗି ଦେଇ ନୂଆ କିଣୁଛନ୍ତି । ଏହିଭଳି ପୁରୁଣା ମଟରଗାଡ଼ି ଫିଙ୍ଗି ଦିଆ ହେଉଛି ଓ ସହର ମୁଣ୍ତରେ କୃଢ଼ ହେଉଛି ।

 

ଏହି ଅସଂବୃତ ଓ କୃତ୍ରିମ ଉପଭୋଗ ଫଳରେ ଧାତବଦ୍ରବ୍ୟଠାରୁ ଆରମ୍ଭ କରି ବଣର ଗଛ ପର୍ଯ୍ୟନ୍ତ ସବୁ ପ୍ରକାରର ପ୍ରାକୃତିକ ସମ୍ପଦ ଅତି ଦ୍ରୁତଗତିରେ ବରବାଦ ହୋଇ ଚାଲିଛି । ଗୋଟିଏ ଦିନର ଖବର କାଗଜ ଛାପିବା ପାଇଁ ମାଇଲ ମାଇଲ ବଣ ଉପୁଡ଼ିଯାଉଛି, ଆଉ ଏ କାଗଜ ପଢ଼ୁଛି କିଏ ? ସେରେ ସେରେ ଓଜନର ଗୋଟାଏ ଗୋଟାଏ ରବିବାସରୀୟ ସଂସ୍କରଣର ତ ପନ୍ଦର ପଣ କେବଳ ବିଜ୍ଞାପନ ।

 

ଏବେ ଏହାକୁ ନେଇ ଚିନ୍ତା ଆରମ୍ଭ ହେଲାଣି । ନରଓୟେରେ ଶୁଣିଲି ଓସ୍‌ଲୋ ସହରକୁ ବାହାରୁ ମଟରଗାଡ଼ି ଆସିବା ବନ୍ଦ କରିଦେବା ପ୍ରସ୍ତାବ ଉଠିଛି । ସ୍ଵୀଜରଲ୍ୟାଣ୍ତରେ ମଧ୍ୟ ହ୍ରଦ ସବୁର ସୁରକ୍ଷା ଉପାୟ ବିଚାର ଚାଳିଛି । ଫ୍ରାନ୍‌ସର ସରକାର ମଧ୍ୟ ଏ ବିଷୟରେ ଅବହିତ ଦେଇଛନ୍ତି ଓ ବନସଂରକ୍ଷଣ ଓ ଜଳବାୟୁ ଶୋଧନ ପନ୍ଥା ଚିନ୍ତା କରୁଛନ୍ତି ।

 

ଅନ୍ୟ ଦିଗରେ ପୁଂଜିବାଦ ହାତରେ ଖେଳକୁଣ୍ଢେଇ ହୋଇ ତା’ରି ନିର୍ଦ୍ଦେଶରେ ଜିନିଷ ତିଆରି କରିବା ପାଇଁ କାରଖାନାରେ ଖଟି ମରିବା ଓ ପୁଣି ତା’ରି ପ୍ରରୋଚନାରେ ଜିନିଷ କିଣି ଚାଲିବା ବିରୋଧରେ ବିଦ୍ରୋହ ମଧ୍ୟ ଦେଖା ଦେଇଛି । ହିପ୍ପୀ ଆନ୍ଦୋଳନ ପଛରେ ଏଇ ମନୋଭାବ ରହିଛି । ଏଇ ତରୁଣ ତରୁଣୀମାନେ କହୁଛନ୍ତି ଆମେ ଏ ଚକ୍ର ଭିତରେ ଘାଣ୍ଟି ହେବାକୁ ଚାହୁନାହିଁ । ଆମେ ଆମ ନିଜ ମନମୁତାବକ ଜୀବନ ବଞ୍ଚିବୁ । ସେଥିପାଇଁ ଅଳ୍ପ ଜିନିଷରେ ଚଳିବା ଏମାନଙ୍କର ପସନ୍ଦ । ସର୍ବତ୍ର ଅନେକ ଏ ଭଳି ତରୁଣ ତରୁଣୀ ଦେଖିବାକୁ ମିଳିଲେ ଯେଉଁମାନେ ସେ ଦେଶରେ ବି ବିନା ଜୋତାରେ ଚଲାବୁଲା କରୁଛନ୍ତି ଓ ଯେଉଁମାନଙ୍କର ଲୁଗାପଟାର ଅବସ୍ଥା ଦେଖିଲେ ଜଣାଯାଏ ଯେ ସେଇସବୁ ଏକା ଲୁଗାପଟା ବେଶ୍ କିଛି ଦିନ ହେଲା ପିନ୍ଧା ହେଉଛି । ଅବଶ୍ୟ ଏହା ଫଳରେ ସଫେଇର ମାପକାଠିଟା ବହୁତ ଊଣା ହୋଇଛି । ମାତ୍ର ସ୍ଵୟଂ ଯୀଶୁ ତ ଧୂଆଧୋଇ ଉପରେ ଜୋର ଦେଉଥିବା ‘ଫରାସୀ’ ମାନଙ୍କୁ ନିନ୍ଦା କରିଥିଲେ ।

 

ସ୍ଵୀଜରଲ୍ୟାଣ୍ତର ପାହାଡ଼ ଓ ହ୍ରଦ ଅଞ୍ଚଳରେ ବୁଲିବା ପାଇଁ ପ’ର ଦିନ ସକାଳୁ ଗାଡ଼ି ନେଇ ବାହାରିଲୁ । ହ୍ରଦ କୂଳେ କୂଳେ ରାସ୍ତା, ଜୁରିକ୍, ସୁକ୍, ସ୍ଵୀତସ୍‍, ଉରି ଅଦି ଅନେକ ହ୍ରଦ, ଏ ପାଖ ସେ ପାଖରେ ବଣଘେରା ପାହାଡ଼ । ଉପରେ ନୀଳ ଆକାଶ, ମଝିରେ ନୀଳ ପାହାଡ଼, ତଳେ ନୀଳ ଜଳ ତାହା ଭିତରେ ମଝିରେ ମଝିରେ ଗାଁ ଓ ସହରମାନଙ୍କର ଉଜ୍ଜ୍ଵଳ ଲାଲ ଛାତ, ଆକାଶକୁ ଛୁଇଁବାକୁ ଚେଷ୍ଟା କରୁଥିବା ପାଇନ୍, ସାଇପ୍ରେସ୍ ଆଦି ସୂଚ୍ୟଗ୍ର ଗଛ ଓ ଏହା ଭତରେ ଆଙ୍କିବାଙ୍କି କ୍ରମେ ଉପରକୁ ଉଠୁଥିବା ରାସ୍ତା । ଆମେ ଏ ମନୋରମ ଶୋଭା ଦେଖିବା ପାଇଁ ବାଟରେ ଅଟକି ଅଟକି ଚାଲିଥାଉ । ଆହୁରି କେତେ ନା କେତେ ଲୋକ ମଧ୍ୟ ବାହାରି ପଡ଼ିଥାନ୍ତି, ଗାଡ଼ି ଛାତ ଉପରେ ସ୍ତ୍ରୀ ବା ରବରର ଡଙ୍ଗା ଲଦି ନେଇ ।

 

ସତୁରି ମାଇଲ ଅତିକ୍ରମ କରି ଆମେ ସାଢ଼େ ଛ’ ହଜାର ଫୁଟ ଉଚ୍ଚରେ ଉଚ୍ଚଶୃଙ୍ଗ ଘେରା ଏକ ସାନ ଅଧିତ୍ୟକା ଉପରେ ପହଞ୍ଚିଲୁ, ଯେଉଁଠି ଏ ଜ୍ୟେଷ୍ଠ ମାସରେ ବି ବରଫ ଜମା ହଇ ରହିଛି; ପୂରା ତରଳି ନାହିଁ । ଏଠି ବହୁତ ଲୋକ ଛୁଟି କଟଉଛନ୍ତି, ପିକନିକ କରୁଛନ୍ତି, ବରଫ ଉପରେ ସ୍କୀ କରୁଛନ୍ତି । ପାହାଡ଼ ମଝିରେ ଛୋଟ ଗାଁଟିର କଳାପଥରରେ ତିଆରି ପୁରୁଣା କାଳର ସାନ ଗୀର୍ଜାଟି ବିଶେଷ ଦୃଷ୍ଟି ଆକର୍ଷଣ କଲା ।

 

ଗୋଟିଏ ସାନ ପାହାଡ଼ି ତଟିନୀ କୂଳରେ ଆମେ ବି ଏସପାରାଗସ୍ ଆଚାର ସଂଯୋଗରେ ସ୍ୟାଣ୍ତ୍ଓ୍ଵୀଚ୍ ଖାଇ ବହଳିଆ ଘାସର ଗାଲିଚା ଉପରେ ବିଶ୍ରାମ କଲୁ । ଘାସରେ ଅସଂଖ୍ୟ ହଳଦିଆ, ଧଳା, ନୀଳ ଫୁଲ ଫୁଟି ବୈଚିତ୍ର ସୃଷ୍ଟି କରୁଥାଏ । ଏଠି ଗୋଟିଏ ବିଷୟରେ ମଣିଷ ନିଶ୍ଚିନ୍ତ । ଆମ ଦେଶ ପରି ଗାଁ ପାଖର, ନଈକୂଳରେ ପଡ଼ିଆ ଭୂଇଁରେ ମଇଳାକୁ ଡରି ଡରି କାରବାର ହେବା ଆବଶ୍ୟକ ନାହିଁ । ଲୋକେ ଏସବୁକୁ ପାଇଖାନା ରୂପେ ବ୍ୟବହାର କରନ୍ତି ନାହିଁ-। ଲକ୍ଷ୍ୟ କଲି ଯେ ବଡ଼ ବଡ଼ ରାସ୍ତା କଡ଼ରେ ପ୍ରତି ଦୁଇ ଚାରି ମାଇଲରେ ପାଇଖାନା ଓ ପାଣି ନଳର ବନ୍ଦୋବସ୍ତ ରହିଛି ।

 

ଶୋଇ ଶୋଇ ବିଶ୍ରାମ କରୁଛି, ଅଳ୍ପ ଦୂରରେ ମୃଦୁ ଘଣ୍ଟା ଧ୍ଵନି ଶୁଣାଗଲା କିଛି ସମୟ ପରେ ଘଣ୍ଟାର କାରଣ ମଧ୍ୟ ଦୃଷ୍ଟିଗୋଚର ହେଲେ । ପଲେ ସ୍ଵୀସ୍ ଗାଈ । ପାଉଁଶିଆ ରଙ୍ଗ, ସାନ ସାନ ଶିଘଂ, ଏମିତି ଚିକ୍‍କଣ ଦେହ ଯେ ମାଛି ଖସି ପଡ଼ିବ, ପହ୍ନା ପ୍ରାୟ ତଳେ ଘୁସୁରିବାର ଯୋଗାଡ଼ । ଧୀରେ ଧୀରେ ଘାସରେ ମୁହଁ ମାରି ମାରି ବାହାରି ଗଲେ । ସ୍ଵୀଜରଲ୍ୟାଣ୍ତ ତା’ର ଗୋସମ୍ପଦ ପାଇଁ ବିଖ୍ୟାତ । ଦୁଧ ଓ ଦୁଧଜାତ ମଖନ, ପନୀର ଆଦି ଏଠି ପ୍ରଚୁର ଉତ୍ପନ୍ନ ହୁଏ । ଫେରିବା ବେଳେ ବାଟଯାକ ଆହୁରି ଗୋରୁପଲ ଦେଖିଲୁ ।

 

ସ୍ଵୀଜରଲ୍ୟାଣ୍ତରେ ଚାରୋଟି ଭାଷାଭାଷୀ ଲୋକ ଅଛନ୍ତି, ଯଦିଓ ଦେଶଟି ବେଶୀ ବଡ଼ ନୁହେଁ, ଲୋକ ସଂଖ୍ୟା ଷାଠିଏ ଲକ୍ଷ ହେବ । ଫରାସୀ, ଜର୍ମାନ ଓ ଇତାଲୀୟାନ୍ ଛଡ଼ା ଏଠି ରୋମାନସ ଭାଷା ବ୍ୟବହାର କରୁଥିବା ଏକ ଛୋଟ ଗୋଷ୍ଠୀ ଅଛନ୍ତି । ଏ ସବୁ ଭାଷା ଏଠାର ରାଷ୍ଟ୍ରଭାଷା ରୂପେ ପରିଗଣିତ ଓ ସବୁ ସରକାରୀ କାଗଜପତ୍ର ଏ ସବୁ ଭାଷାରେ ପ୍ରକାଶିତ ହୁଏ ।

 

ଏଠାର ପ୍ରଦେଶଗୁଡ଼ିକୁ କ୍ୟାଣ୍ଟିନ୍ କୁହାଯାଏ, ଏ ସବୁ ଅବଶ୍ୟ ଆମ ଦେଶର ଜିଲାଠୁଁ ବି ଛୋଟ, କେତେକ ତ ଗୋଟିଏ ଗୋଟିଏ ପଞ୍ଚାୟତ ସମିତି ଭଳି ହେବ । ତେବେ ଏ ସବୁ କ୍ୟାଣ୍ଟନମାନଙ୍କ ସ୍ଵାୟତ୍ତ ଶାସନ କ୍ଷମତା ପ୍ରଚୁର ପରିମାଣରେ ରହିଛି ଓ କୌଣସି କ୍ୟାଣ୍ଟନ୍ ଚାହିଁଲେ ରାଷ୍ଟ୍ରସ୍ତରରେ ମଧ୍ୟ ଆଇନ ପ୍ରଣୟନ ଦିଗରେ ଅଭିକ୍ରମ କରିପାରେ । ଯଦି କୌଣସି କ୍ୟାଣ୍ଟନ୍‌ର ବହୁ ସଂଖ୍ୟକ ଲୋକ ଦରଖାସ୍ତ କରନ୍ତି ଯେ ଅମୁକ ବିଷୟରେ ଅମୁକ ପ୍ରକାରର ଆଇନ୍ ପ୍ରଣୟନ କରାଯାଉ ତେବେ ସେ ଦରଖାସ୍ତକୁ ସେଠା ପାର୍ଲାମେଣ୍ଟ ବିଚାର କରିବାକୁ ବାଧ୍ୟ । ପ୍ରତ୍ୟେକ କ୍ୟାଣ୍ଟନର ନିଜସ୍ଵ ପ୍ରତୀକ ପତାକା ମଧ୍ୟ ରହିଛି ।

 

ଯୁଦ୍ଧବିଗ୍ରହ ଦ୍ଵାରା ବାରମ୍ଵାର କ୍ଷତବିକ୍ଷତ ୟୁରୋପର ମଝିରେ ଥାଇ ମଧ୍ୟ ସ୍ଵୀଜରଲ୍ୟାଣ୍ତ ଗତ ସାତ ଶହ ବର୍ଷରୁ ଅଧିକ ହେଲା କୌଣସି ଯୁଦ୍ଧରେ ଲିପ୍ତ ନ ହୋଇ ଶାନ୍ତିରେ ରିହିଛି ଏଠାର ଜୀବନସ୍ତର ମଧ୍ୟ ସ୍ଵୀଡ଼େନ୍ ଭଳି ଅତି ଉଚ୍ଚ । ପାହାଡ଼ ଓ ହ୍ରଦମାନଙ୍କ ଯୋଗୁଁ ଏଠି ଜଳ-ବିଦ୍ୟୁତ୍-ଶକ୍ତି ପ୍ରଚୁର ପରିମାଣରେ ମିଳେ ଓ ତାହାଦ୍ଵାରା ଶିଳ୍ପର ବିକାଶ ମଧ୍ୟ ଖୁବ୍ ହୋଇଛି । ସମସ୍ତେ ଜାଣନ୍ତି ଯେ ସ୍ଵୀଜରଲ୍ୟାଣ୍ତ ଘଡ଼ି ପାଇଁ ବିଖ୍ୟାତ । ପୃଥିବୀର ଶ୍ରେଷ୍ଠ ଘଡ଼ି ସବୁ ଏଇଠି ତିଆରି ହୁଏ । ଦେଖିଲି ଯେ ଏଠି ସର୍ବତ୍ର ଘଡ଼ି ବିକ୍ରୀ ହେଉଛି, ରାସ୍ତାକଡ଼ ବହି ଦୋକାନ, ସିଗ୍ରେଟ୍ ଦୋକାନ, ରେଲ ଷ୍ଟେସନର ବହି ଦୋକାନ ଆଦି ସର୍ବତ୍ର । ଏଠି ଘଡ଼ି ଖୁବ୍ ଶସ୍ତା ମଧ୍ୟ ।

 

ସେଠି ସେତେବେଳେ ବେଶ୍ ଗରମ ପଡ଼ିଥାଏ । ସାଢ଼େ ଛ’ ହଜାର ଫୁଟ ପାହାଡ଼ ଉପରେ ବରଫ ଭିତରେ ମଧ୍ୟ ଦେଖିଲି ଯେ ବିଶେଷ ଶୀତ ନାହିଁ । ଖରାରେ ଝାଳ ବୋହିବାର ଉପକ୍ରମ । ଜୁରିକ ପାଖ ଗୋଟିଏ ଛୋଟ ହ୍ରଦରେ ଦୁଇଦିନଯାକ ଉପରଓଳି ଖୁବ୍ ଗାଧୁଆ ଓ ପହଁରା ହେଲା । ଏଠି ବି ଶହ ଶହ ସ୍ତ୍ରୀ ପୁରୁଷ, ବାଳକ ବାଳିକା ଗାଧୋଇବା, ପହଁରିବା ପାଇଁ ଆସି ଭିଡ଼ କରିଥାନ୍ତି । ପ୍ରାୟ କାର୍ତ୍ତିକ ବୁଡ଼ ପରି ଭିଡ଼ । ଏଠି ଗୋଟାଏ କଥା ବଡ଼ ବିସଦୃଶ ବୋଧ ହେଲା । ଗାଧୋଇବା ପାଇଁ ହ୍ରସ୍ଵ ପୋଷାକ ତ ଆଜିକାଲି ସମସ୍ତେ ସବୁଆଡ଼େ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ପିନ୍ଧନ୍ତି ଓ ସେଇଟାକୁ କେହି ଖରାପ ଦୃଷ୍ଟିରେ ଦେଖନ୍ତି ନାହିଁ । ଏ ତ ଏକ ସୁସ୍ଥ ମାନସିକତାର ଲକ୍ଷଣ ବୋଲି ମନେହୁଏ । ମାତ୍ର ଏଠି ହ୍ରଦ କୂଳରେ ଯେପରି ସ୍ଵାମୀ ସ୍ତ୍ରୀ ବା ପ୍ରଣୟୀ ପ୍ରଣୟିନୀ ସମସ୍ତଙ୍କ ମଝିରେ ନିର୍ବିକାର ଭାବରେ ଲଗାଲଗି ହୋଇ ଶୋଇଥାନ୍ତି ବା କୁଣ୍ଢାକୁଣ୍ଢି ହୋଇ ବସିଥାନ୍ତି ତାହା ରୁଚିକର ବୋଧ ହେଲା ନାହିଁ ।

Image

 

ତିରିଶ

ମିଲାନର ଶାନ୍ତିପ୍ରେମୀ

 

ଜୁଲାଇ ତେର ତାରିଖ ଜୁରିକରୁ ମିଲାନ୍, ଇଟାଲୀରେ ପ୍ରବେଶ । ଉଡ଼ାଜାହାଜରେ ମାତ୍ର ଚାଳିଶ ମିନିଟର ବାଟ । ମଝିରେ ପଡ଼ିଲା ଉତ୍ତୁଙ୍ଗ ଆଲପସ ପର୍ବତମାଳାର ଇତାଲୀୟ ଅଂଶ । ଦିନେ ଏ ପର୍ବତ ଏ ଦୁଇଦେଶ ମଧ୍ୟରେ ଦୁର୍ଲଘ୍ୟଂ ବ୍ୟବଧାନ ସୃଷ୍ଟି କରୁଥିଲା । ଏବେ ମଣିଷ କୁଦାମାରି କେତେ ମିନିଟରେ ତାହାର ଏ ପାଖରୁ ସେପାଖ ଯାଇ ପାରୁଛି । ଏହା ଭିତର ଦେଇ ଦୁଇ ଦେଶ ଭିତରେ ରେଲ ଲାଇନ୍ ମଧ୍ୟ ପଡ଼ିଛି ଓ ପୃଥିବୀର ଦୀର୍ଘତମ ସୁଡ଼ଙ୍ଗ ସାଁପ୍ଳଁ—ଏହି ଲାଇନରେ ରହିଛି । ଏହାର ଦୈର୍ଘ୍ୟ ତେର ମାଇଲ । ଏହାଠାରୁ ଟିକିଏ କମ ଲମ୍ଵ ଆଉ ଏକ ସୁଡ଼ଙ୍ଗ ବି ଅଛି—ସ୍ୟାଁ ଗଟାର୍ଡ଼ । ଏ ସୁଡ଼ଙ୍ଗ ଦୁଇଟି ଆଲପସ ପର୍ବତମାଳାକୁ ଏ ପାଖରୁ ସେ ପାଖ ଫୁଟେଇ ବାହାରି ଯାଇଛି । ପ୍ରଥମେ ମଣିଷ ପର୍ବତର ପେଟ ଫୁଟେଇ ବାଟ ଫିଟେଇଲା, ଏବେ ତାକୁ ଅବଜ୍ଞା କରି ଡେଇଁ ଯାଉଛି ।

 

ଉଡ଼ାଜାହାଜରୁ ଆଲପସର ଦୃଶ୍ୟ ଅତି ସୁନ୍ଦର ଦେଖାଯାଉଥାଏ । ପ୍ରଥମେ ଟିକିଏ ଟିକିଏ ମେଘ ଥିଲା, କ୍ରମେ ମେଘ ଦୂରରେ ଯାଇ ପର୍ବତ ମାଳାର ତୁଷାର ଶୃଙ୍ଗ ଝଟକି ଉଠିଲା । ଶହେ ଦେଢ଼ ଶହ ମାଇଲ ଯାଏ ପର୍ବତମାଳାର ଶୃଙ୍ଗ ଶ୍ରେଣୀ ଦେଖାଯାଉଥାଏ । ଗୋଟାଏ ଧାଡ଼ି ପରେ ଆଉ ଗୋଟାଏ ଧାଡ଼ି, ଯେପରିକି ଏକ ମହାସାଗରର ଉତ୍ତୁଙ୍ଗ ଲହରୀମାଳା ଅକସ୍ମାତ୍ ମନ୍ତ୍ରବଳରେ ପ୍ରସ୍ତରୀଭୂତ ଓ ସ୍ଥିର ହୋଇଯାଇଛି । ଅତି ଭୀଷଣ ସୁନ୍ଦର ଦୃଶ୍ୟ । ଏଇ ଆଲପସ ଏକ ଅଂଶ ଅତିକ୍ରମ କରିବାକୁ ଯାଇ ନେପୋଲିୟନଙ୍କ ସୈନ୍ୟବାହିନୀର କି ଦୁର୍ଦ୍ଦଶା ନ ହୋଇଥିଲା-? ଅଥଚ ଆମେ ବେଶ୍ ଆରାମରେ ଉଷୁମ ଆସନରେ ବସି ଏହାର ସମସ୍ତ କଠୋରତା, ଶୀତଳତା ଓ ନିଃସଙ୍ଗତାର ବହୁ ଊର୍ଦ୍ଧ୍ଵରେ ରହି ଏହାର ସୌନ୍ଦର୍ଯ୍ୟ ମାତ୍ର ଉପଭୋଗ କରି କରି ଏହାକୁ ଟପିଗଲୁ ।

 

ମିଲାନରେ ମୋର ରହଣୀ ଦିନକ ପାଇଁ ଥିଲା ଓ ଏ ଦିନକର ସମସ୍ତ ସମୟ, ଦିନ ବାରଟାରୁ ରାତି ବାରଟା ପର୍ଯ୍ୟନ୍ତ ଆଲୋଚନା ଓ ସଭାରେ ହିଁ ବିତିଲା । ସହର ଦେଖିବା ପାଇଁ ଆଉ ଫୁରସତ୍ ମିଳିଲା ନାହିଁ । ମୋର ରହଣୀ ହୋଇଥିଲା ଶ୍ରୀମତୀ ମେରିଆ ସୋରେସିନାଙ୍କ ଘରେ । ଏ ଭଦ୍ରମହିଳା ଏଠାର ସର୍ଭାସ ସଂସ୍ଥାର ସମ୍ପାଦିକା । ସ୍ଵାମୀ ପିଏତ୍ରୋ ଶିକ୍ଷକ । ଏଠି ଶାନ୍ତି, ଅହିଂସା ଆଦି ବିଷୟରେ ଉତ୍ସାହୀ ଗୋଟିଏ ତରୁଣ ଗୋଷ୍ଠୀ ରହିଛି । ଗାନ୍ଧୀଜୀଙ୍କର ବିଚାରଧାରା ବିଷୟରେ ବି ଏମାନେ ବେଶ୍ ଆଗ୍ରହୀ । ମତେ ଭେଟିବା ପାଇଁ ଏଭଳି ଛଅ ସାତ ଯୁବକ ଯୁବତୀ ମେରିଆଙ୍କ ଘରକୁ ଆସିଥିଲେ । ସାନ ଏକତାଲା ନିଜର ଘରଖଣ୍ତେ, ଏବେ ବି ପୂରା ହୋଇ ନ ଥାଏ, ତିଆରି ଚାଲିଥାଏ । ତା’ରି ସାନ ହତା ଭିତରେ ଗଛ ଛାଇରେ ବସି ଦ୍ଵିପହର ଭୋଜନ ସାଙ୍ଗେ ସାଙ୍ଗେ ଆଳାପ ଆଲୋଚନା ଆରମ୍ଭ ହେଲା । ଉପରଓଳି ପୁଣି ଆଉ କେତେ ଜଣ ଆସି ଜୁଟିଲେ ଓ ଆଲୋଚନା ଜମିଲା ।

 

ଏମାନଙ୍କ ଭିତରେ ଥିଲେ ମିକେଲିନୋ କାମିଓଲୋ ଓ ଡନ୍ ଚେଜାରେ । ମିକେଲିନୋ ଅହିଂସାରେ ବିଶ୍ଵାସୀ । ଅଳ୍ପଦିନ ପୂର୍ବରୁ ପନ୍ଦର ଦିନ ଅନଶନ କରିଥିଲେ ପୁଲିସ୍ ଅତ୍ୟାଚାର ବିରୁଦ୍ଧରେ । ପୁଲିସ୍ ଗୋଟିଏ ଘଟନାରେ କେତେକ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରିଥିଲା, ତାହାରି ପ୍ରତିବାଦରେ । ଅନଶନ ଫଳରେ ଗୋଟିଏ ସନ୍ତୋଷଜନକ ମିଳାମିଶା ହୋଇଗଲା । ତେବେ ଏହାଙ୍କୁ ଦେଖି ମୋର ମନେପଡ଼ିଲା ସ୍ଵର୍ଗତଃ କଳିଯୁଗ ବାମଦେବ ପ୍ରତିହାରୀଙ୍କ କଥା । ୧୯୩୦-୩୨ ସ୍ଵାଧୀନତା ଆନ୍ଦୋଳନରେ ଜେଲ୍ ଯାଇଥିଲେ । ତିନି ମାସ ଖଣ୍ତେ ସି କ୍ଳାସରେ ରହି ସାରୁପତ୍ର ଝୋଳ ଓ ଗୋଡ଼ି ମିଶା ଭାତ ଖାଇବା ପରେ ମଧ୍ୟ ପାଟନା କ୍ୟାମ୍ପ୍ ଜେଲରେ ପହଞ୍ଚିଲା ବେଳକୁ ଓଜନ ଥିଲା ତିନିଶହ ଦଶ ପାଉଣ୍ତ । ତିନିଟା ଲେଖାଁ ଗାମୁଛା ଯୋଡ଼ି ତାଙ୍କ ପାଇଁ ଯେଉଁ ସ୍ପେଶାଲ ଜଘିଂଆ ତିଆରି ହୋଇଥିଲା ତା’ର ଗୋଟିଏ ଗୋଡ଼ରେ ଆମ ଭଳି ଜଣେ ଜଣେ ପୂରା ଗଳି ଯାଉଥିଲେ । ମିକେଲିନୋ ଠିକ୍ ତାଙ୍କର ଦୋସର ।

 

ଡନ୍ ଚେଜାରେ ଯୁବକ ପାଦ୍ରୀ । ଏହାଙ୍କର ମଧ୍ୟ ଗାନ୍ଧୀ ବିଚାରଧାରା ପ୍ରତି ଖୁବ୍ ଶ୍ରଦ୍ଧା । ନାନାପ୍ରକାର ସମାଜ ସେବା କାର୍ଯ୍ୟରେ ଯୋଗ ଦେଇଥାନ୍ତି । ଗୋଟିଏ ଅସୁବିଧା ହୋଲା ଏମାନେ କେହି ଇଂରେଜୀ ଜାଣନ୍ତି ନାହିଁ । ମେରିଆ ହିଁ ବେଶ୍ କାମ ଚଳାଇବା ଭଳି ଜାଣିଥାନ୍ତି ଓ ତାଙ୍କର ଅନୁବାଦ ମାଧ୍ୟମରେ ଆଳାପ ଚାଲିଥାଏ । ସର୍ବୋଦୟ ଆନ୍ଦୋଳନ ଓ ଗାନ୍ଧୀଜୀଙ୍କର ଚିନ୍ତାଧାରା ବିଷୟରେ ହିଁ ଜାଣିବାର ଉତ୍ସୁକତା ସମସ୍ତଙ୍କର ଥିଲା । ଏହାଛଡ଼ା ଇଟାଲୀର ଶାନ୍ତି ଆନ୍ଦୋଳନ ଓ ସାଧାରଣ ପରିସ୍ଥିତି ବିଷୟରେ ବି କିଛି ଖବର ମିଳିଲା ।

 

ଇଟାଲୀରେ ଶାନ୍ତିବାଦୀ ଗୋଷ୍ଠୀ କିଛି କିଛି ଅଛନ୍ତି । ସେମାନଙ୍କ ଭିତରେ ସବୁଠାରୁ ଜଣାଶୁଣା ହେଲେ ଦାନିଲୋ ଦୋଲଚି ଓ ତାଙ୍କର ସହକର୍ମୀ ମଣ୍ତଳୀ ।

 

ସିସିଲୀ ଦ୍ଵୀପରେ ଡାକୁ ସମସ୍ୟା ସମାଧାନ ଉଦ୍ୟମ ସାଙ୍ଗକୁ ନାନା ରଚନାତ୍ମକ କାମ ସେ ହାତକୁ ନେଇଛନ୍ତି । ତାଙ୍କ କର୍ମକ୍ଷେତ୍ର ଦେଖିବାକୁ ମୁଁ ପରେ ଯାଇଥିଲି । ଅନ୍ୟମାନେ ସେଭଳି କୌଣସି କାମ ପ୍ରାୟ କରୁନାହାନ୍ତି । ଯୁଦ୍ଧ ବିରୋଧରେ ଆଲୋଚନା, ପ୍ରଚାର ଆଦି ହିଁ କରନ୍ତି ତେବେ ସମାଜ ରଚନାରେ ମୌଳିକ ପରିବର୍ତ୍ତନ ଯେ ସ୍ଥାୟୀ ଶାନ୍ତି ପାଇଁ ଜରୁରୀ ଏହା ଏମାନେ ବୁଝିବା ଆରମ୍ଭ କଲେଣି ।

 

ସନ୍ଧ୍ୟାବେଳକୁ ଏଠା ବିଶ୍ଵବିଦ୍ୟାଳୟର କେତେକ ଛାତ୍ର ମୋ ପାଇଁ ଗୋଟିଏ ସଭାର ଆୟୋଜନ କରିଥିଲେ । ଖବର ମିଳିଲା ଯେ ଏମାନେ ସେଥିପାଇଁ କାନ୍ଥରେ ବାଡ଼ରେ ଯେଉଁସବୁ ପ୍ରଚାରପତ୍ର ମାରିଥିଲେ ସେସବୁ ମାଓବାଦୀ ଛାତ୍ରମାନେ ଚିରି ଦେଇଛନ୍ତି ଓ ସେଥିପାଇଁ ଉଭୟ ଦଳ ଭିତରେ ବଚସା ଓ ବୋଧହୁଏ ଧସ୍ତାଧସ୍ତି ବି ହୋଇଯାଇଛି । ତେବେ ମାଓବାଦୀଙ୍କର ଗାନ୍ଧୀବାଦ ଆତଙ୍କ ଏଠି ବି ବ୍ୟାପିଛି ।

 

ସଭାକୁ କୋଡ଼ିଏ ଜଣ ଖଣ୍ତେ ଆସିଥିଲେ । ଅଧିକାଂଶ ଛାତ୍ରଛାତ୍ରୀ । ରାତି ସାଢ଼େ ଏଗାରଟା ଯାଏ ଜୋରଦାର ଆଲୋଚନା ଚାଲିଲା । ଜଣେ ଯୁବକ ମାଓପନ୍ଥୀ ହୋଇଥିଲେ, ଏବେ ସେଥିରୁ ଆସ୍ଥା ହରେଇଛନ୍ତି, ସେ ଗ୍ରାମଦାନ ଓ ସତ୍ୟାଗ୍ରହ ଆଦି ବିଷୟରେ ତନ୍ନ ତନ୍ନ କରି ପ୍ରଶ୍ନ କଲେ । ସଭା ଆହୁର ଚାଲିଥାନ୍ତା, ମାତ୍ର ସକାଳୁ ଉଠି ପୁଣି ରୋମ୍ ପାଇଁ ପ୍ଳେନ୍ ଧରିବା କଥାଥିବାରୁ ଏତିକିରେ କ୍ଷାନ୍ତ ହେବାକୁ ହେଲା ।

Image

 

ଏକତ୍ରିଶ

Unknown

ଇତାଲୀର ଗାଂଧୀଙ୍କ ଆଶ୍ରମରେ

 

ରୋମରେ ମୋର ରହିବାର ବ୍ୟବସ୍ଥା କରିଥିଲେ ପ୍ରଫେସର ଏରମିଲ୍‌ଲିଆ । ଏ ମହାଶୟ ଭାରତକୁ ଅନେକ ଥର ଆସିଛନ୍ତି ଓ ଏକ ସେବା ସଂସ୍ଥା ପକ୍ଷରୁ ଦକ୍ଷିଣ ଭାରତରେ କେତୋଟି କୃଷି ଉନ୍ନୟନ କେନ୍ଦ୍ର ମଧ୍ୟ ଗ୍ରାମଦାନ ଅଞ୍ଚଳମାନଙ୍କରେ ଆରମ୍ଭ କରିଛନ୍ତି । କୋରାପୁଟରେ ମଧ୍ୟ ଏଭଳି କେନ୍ଦ୍ର ଆରମ୍ଭ କରିବା ଉଦ୍ଦେଶ୍ୟରେ ସେ ଏଠାକୁ କେତେ ମାସ ତଳେ ଯାଇଥିଲେ ଓ ସେ ଜିଲାରେ ବହୁତ ବୁଲାବୁଲି କରି ସ୍ଥାନ ନିର୍ବାଚନ କରି ଯାଇଥିଲେ । ସେ ସମୟରେ ସେ ଫ୍ରାନ୍‌ସକୁ ଚାଲିଯାଇ ଥିବାରୁ ମୋର ବ୍ୟବସ୍ଥା ଏକ ହୋଟେଲରେ କରାଇ ଯାଇଥିଲେ । ଦାୟୀତ୍ଵ ଦେଇ ଯାଇଥିଲେ ଡନ୍ କାର୍ଲୋଙ୍କ ଉପରେ ।

 

ଏଠାର ଏକ କ୍ୟାଥଲିକ୍ ଶାନ୍ତିବାଦୀ ସଂସ୍ଥା “ପାକସତ୍ରୀସତି”ର ଡନ୍‌କାରଲୋ କ୍ରୋଚେଲା ହେଉଛନ୍ତି ଅନ୍ୟତମ ମୁଖ୍ୟ ସଂଞ୍ଚାଳକ । ଏଭଳି ନିଷ୍ଠାପର, ବିଚାରବାନ, ସମଝଦାର ଓ ସ୍ନେହଶୀଳ ଯୁବକ ମୁଁ କମ ଦେଖିଛି । ଡନ୍ କାରଲୋ କ୍ୟାଥଲିକ ପାଦ୍ରୀ ଓ ସବୁ କ୍ୟାଥଲିକ ପାଦ୍ରୀଙ୍କ ଭଳି ଆଜୀବନ ବ୍ରହ୍ମଚର୍ଯ୍ୟର ବ୍ରତ ନେଇଛନ୍ତି । ତାଙ୍କର ଅନୁଷ୍ଠାନର କାମଦାମ ହିଁ ତାଙ୍କର ଜୀବନର ସାରସର୍ବସ୍ଵ । ଏ ସଂସ୍ଥାଟିର ଜନ୍ମ ପ୍ରଥମ ମହାଯୁଦ୍ଧ ପରେ । ଯୁଦ୍ଧଯୋଗୁଁ ଖ୍ରୀଷ୍ଟଧର୍ମାବଲମ୍ଵୀ ଦେଶମାନଙ୍କ ଭିତରେ ହିଁ ଯେଉଁ ଉତ୍କଟ ବିଦ୍ଵେଷ ସୃଷ୍ଟି ହେଲା ତାହା ଦୂରକରି ବିଭିନ୍ନ ଦେଶର ଲୋକମାନଙ୍କ ଭିତରେ ପରିଚୟ ଓ ମୈତ୍ରୀ ବଢ଼ାଇବା ପାଇଁ ଏ ସଂସ୍ଥାର ସ୍ଥାପନା ହୋଇଥିଲା । ଏବେ ଇଂଲଣ୍ତ, ଫ୍ରାନ୍‌ସ, ଇଟାଲୀ, ଜର୍ମାନୀ, ସ୍ପେନ୍ ଆଦି ଦେଶମାନଙ୍କରେ ଏହାର ଶାଖା ଅଛି ଓ ଏହା ପକ୍ଷରୁ ବିଭିନ୍ନ ସ୍ଥାନରେ ଭ୍ରମଣକାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପାନ୍ଥନିବାସ ଚଳାଯାଏ ଓ ସେମାନଙ୍କର ଦେଶଭ୍ରମଣ ପାଇଁ ବିଭିନ୍ନ ପ୍ରକାରର ସୁବିଧା କରିଦିଆଯାଏ । ଏହାଛଡ଼ା ପରସ୍ପର ମିଳାମିଶା ଓ ପରିଚୟ ପାଇଁ ବିଭିନ୍ନ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଏ । ତେବେ ବିଶ୍ଵଶାନ୍ତି ମଧ୍ୟ ଏ ସଂସ୍ଥାର ଲକ୍ଷ୍ୟ ଓ ସେଥିପାଇଁ ଏହା କାମ କରୁଛି ।

 

ରୋମରେ ଏହାର କେନ୍ଦ୍ରରେ ଏକ ସଭାର ଆୟୋଜନ ହୋଇଥିଲା ଓ ଏଥିରେ ବିଭିନ୍ନ ଦେଶର ଅନେକଗୁଡ଼ିଏ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ଗାନ୍ଧୀଜୀଙ୍କର ଆଦର୍ଶ ତଥା ଅହିଂସା ବିଷୟରେ ବେଶ ସରଗରମ ଆଲୋଚନା ଚାଲିଥିଲା ।

 

ଇଟାଲୀର ଲୋକଙ୍କର ସ୍ଵଭାବ ଇଂରେଜଙ୍କର ଓଲଟା କହିଲେ ଅତ୍ୟୁକ୍ତି ହେବ ନାହିଁ । ଇଂରେଜମାନେ ଯେତିକି ଚାପା ଏମାନେ ସେତିକି ଖୋଲା । ଦୁଃଖ, ଆନନ୍ଦ ବା କ୍ରୋଧ ଆଦି ମନର ଭାବକୁ ଏମାନେ ମୁକ୍ତ ଭାବରେ ପ୍ରକାଶ କରନ୍ତି । କଥାବାର୍ତ୍ତା ବେଳେ ମଧ୍ୟ ହାତ, ମୁହଁ, ଆଖିର ଭାବଭଙ୍ଗୀରେ ଅଧିକ ସଜୀବତା ପ୍ରକାଶ ପାଏ ।

 

ଏହାର ଏକ ମଜାର ଉଦାହରଣ ମିଳିଲା ସିସୀଲୀରେ ପହଞ୍ଚିବା ଦିନ । ଦାନିଲୋ ଦୋଲଚୀଙ୍କ କଥା ପୂର୍ବରୁ ଉଲ୍ଲେଖ କରିଛି । ସିସୀଲୀରେ ତାଙ୍କର କାମ ଦେଖିବା ପାଇଁ ମୁଁ ରୋମରେ ପହଞ୍ଚିବାର ପରଦିନ ସେଠାକୁ ଗଲି । ଉଡ଼ାଜାହାଜ ପାଲେରମୋ ଘାଟିରେ ପହଞ୍ଚିବା ବେଳକୁ ଦେଖେ ଯେ ସେଠି ଏକାବେଳକେ ଲୋକାରଣ୍ୟ ଓ ସମସ୍ତେ ହାତ, ଟୋପି, ଛତା ହଲେଇ ପ୍ରାଣପଣେ ଚିତ୍କାର କରିବାରେ ଲାଗିଛନ୍ତି । ମୁଁ ବିଚାରିଲି ଯେ ବୋଧହୁଏ ଏ ଉଡ଼ାଜାହାଜରେ କୌଣସି ମନ୍ତ୍ରୀ ବା ଅନ୍ୟ ବା ଅନ୍ୟ ନେତା ଆସିଛନ୍ତି, ତାଙ୍କୁ ଅଭ୍ୟର୍ଥନା କରିବା ପାଇଁ ଭିଡ଼ । ଜଣେ ଦରବୁଢ଼ା ଯାତ୍ରୀ ଉଡ଼ାଜାହାଜରୁ ଓହ୍ଲାଉ ଓହ୍ଲାଉ ସିଡ଼ିରେ ଛିଡ଼ା ହୋଇପଡ଼ି ଟୋପି ହଲେଇବା ଆରମ୍ଭ କଲେ । ମୁଁ ଭାବିଲି ଏଇ ନିଶ୍ଚୟ ସେଇ ନେତା । କିନ୍ତୁ କାହିଁ ? ସେ ବୁଢ଼ା ତ ଓହ୍ଲେଇ ଭିଡ଼ ଭିତରେ ମିଶିଗଲା, ତା’ପରେ କେହି ଖାସ୍ କିଛି ଦୃଷ୍ଟି ଦେଲେ ନାହିଁ ?

 

ଘାଟିର ବିଶ୍ରାମାଳୟ ଭିତରକୁ ଦେଖେ ତ ତୁମୁଳ କାଣ୍ତ । କୋଉ ବୁଢ଼ୀ ତା’ ପୁଅ ଗାଲରେ ହାତ ବୁଲେଇ ଲୁହ ଗଡ଼ଉଛି, କିଏ କାହାକୁ ଚୁମା ଦେଉଛି, କାହାକୁ ତା’ର ବନ୍ଧୁବାନ୍ଧବ ପରିବାର ଘେରି ତା’ ପିଠି ଥାପୁଡ଼ଉଛନ୍ତି, ଶେକ୍ ହ୍ୟାଣ୍ତ କରୁଛନ୍ତି, ଏ ଭିଡ଼ ଭିତରେ ଆଉ ଚାଲିବାକୁ ସୁଦ୍ଧା ବାଟନାହିଁ । ହାଓଡ଼ାରୁ ପୁରୀ ଏକ୍ସପ୍ରେସ ଛାଡ଼ିବା ବେଳର ଦୃଶ୍ୟ ଆଖି ଆଗରେ ନାଚିଗଲା । “ହେ ରାମ ଭାଇ ! ମନେକରି ବାତିନି ଦବୁ ।” “ଆରେ ରଘୁ ଜିନିଷ ଉପରେ ନଜର ଦେଇଥିବୁ, ଶୋଇପଡ଼ିବୁ ନାହିଁ ।” ସେହିପରି କାରବାର, ହୋ’ହା । ପଦାରେ ମତେନେବାକୁ ଦୋଲ୍‌ଚୀଙ୍କ ସହକର୍ମୀ ଓରାତସିଓ ଆସିଥିଲେ । ତାଙ୍କୁ ପଚାରିଲି, ଘଟଣା କ’ଣ? ସେ କହିଲେ ଯେ ଏଇଟା ଏଠାକାର ନିତିଦିନିଆ କାରବାର । ପ୍ରକୃତରେ ମଧ୍ୟ ତା’ ପରଦିନ ସନ୍ଧ୍ୟାରେ ଫେରିବା ବେଳେ ଦେଖିଲି ଠିକ୍ ସେହି ଦୃଶ୍ୟର ପୁନରାବୃତ୍ତି ।

 

ଆଉ ଗୋଟାଏ କଥା ଲକ୍ଷ୍ୟ କଲି । ରୋମ୍-ପାଲେରମୋ ଉଡ଼ାଜାହାଜ ଅବସ୍ଥା ମଧ୍ୟ ପୁରୀ ପାସେଞ୍ଜର ଭଳି । ତା’ ଭିତରେ ଯାବତ୍ ପାଉଁରୁଟି ଠୋଲା, ଆଇସକ୍ରୀମ୍ ଖୋଳ, ବିସ୍କୁଟ ଓ କେକର ଟୁକରା ଆଦି ଅଳିଆ ପଡ଼ି ରହିଛି । ଯାତ୍ରୀମାନେ ଖିଆପିଆ କରି ନିର୍ବିକାର ଚିତରେ ସେ ସବୁ ତଳେ ପକେଇ ଦେଇଛନ୍ତି । ଯାହାହେଉ ମନରେ ଟିକେ ଶାନ୍ତି ଆସିଲା । ଆମେ ତା’ହେଲେ ଏ ବିଷୟରେ ପୃଥିବୀରେ ଏକୁଟିଆ ନୋହୁଁ ।

 

ଦାନିଲୋ ଦୋଲଚୀ ଜଣେ ସିଭିଲ୍ ଇଂଜିନିୟର୍ ଓ ଶାନ୍ତିବାଦୀ ମଧ୍ୟ । ଅହିଂସାରେ ତାଙ୍କର ଦୃଢ଼ ଆସ୍ଥା ଓ ସେହି ବାଟରେ ସମାଜ ସେବାର ବ୍ରତ ନେଇ ସେ ଆସି ପ୍ରାୟ କୋଡ଼ିଏ ବର୍ଷ ହେଲା ସିସୀଲୀରେ ବସିଛନ୍ତି । ଅହିଂସାରେ ତାଙ୍କର ଆସ୍ଥା ଓ ସତ୍ୟାଗ୍ରହ ଅନଶନ ଆଦି ପନ୍ଥା ଗ୍ରହଣ ଯୋଗୁଁ ସେ ‘ଇତାଲୀର ଗାଂଧୀ’ ଆଖ୍ୟା ପାଇଛନ୍ତି । ଇଟାଲୀର ଉତ୍ତର ଫାଳକରେ ବେଶ ଭଲ ରକମ ବୈଷୟିକ ବିକାଶ ହୋଇଛି ଓ ଲୋକଙ୍କ ଅବସ୍ଥା ମଧ୍ୟ ବେଶ ସ୍ୱଚ୍ଛଳ । ମାତ୍ର ସିସୀଲୀ ସମେତ ଦକ୍ଷିଣ ଫାଳକ ଏବେ ବି ବହୁତ ପଛୁଆ ରହିଛି । ଏ ଅଂଶରେ ବେଶୀ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଶିଳ୍ପର ପ୍ରସାର ଯଥେଷ୍ଟ ହୋଇ ନାହିଁ । ବେକାର ସମସ୍ୟା ବେଶ ଗୁରୁତର । ଦାରିଦ୍ର୍ୟ ମଧ୍ୟ ରହିଛି । ଏ ସବୁ ସାଙ୍ଗକୁ ସିସୀଲୀରେ ରହିଛି ଏକ ଗୁରୁତର ଡକେଇତ ସମସ୍ୟା, ଅନେକଟା ଆମ ଦେଶର ଚମ୍ଵଲଘାଟୀ ଅଞ୍ଚଳର ଡାକୁ ସମସ୍ୟା ପରି । ଦାରିଦ୍ର୍ୟ ଓ ବେକାରୀ ଯୋଗୁଁ ଏ ସମସ୍ୟା ଗଭୀର ଓ ଜଟିଳ ହୋଇଛି । ବହୁ ଲୋକ ଏହାକୁ ଏକ ଜୀବିକାର ସାଧନ ରୂପେ ଗ୍ରହଣ କରିଛନ୍ତି । ତେବେ ଏହା ମୂଳରେ ଏକ ହିଂସାତ୍ମକ ସଂଗଠନର ପରମ୍ପରା ମଧ୍ୟ ରହିଛି । ‘ମାଫିଆ’ ଇତାଲୀର ଏକ ପ୍ରସିଦ୍ଧ ଗୁପ୍ତ ସଂଗଠନ । କେତେ ଶହ ବର୍ଷ ହେଲା ଏହା ଚଳିଆସୁଛି । ଡକେଇତି, ନରହତ୍ୟା, ଚୋରା କାରବାର ଆଦି ହେଲା ଏହାର ଧନ୍ଦା । ଗାଁ ଓ ସହରର ମାତବ୍‌ବରମାନେ ନିଜ ନିଜର ପ୍ରତିପତ୍ତି କାଏମ ରଖିବା ପାଇଁ ଏହାର ସାହାଯ୍ୟ ନେଇଥାନ୍ତି । ବଡ଼ଲୋକମାନେ ଆପଣା ବିରୋଧୀ ବା ପ୍ରତିଦ୍ଵନ୍ଦୀକୁ ଖତମ କରିବାପାଇଁ ଓ ରାଜନୀତିକ ନେତାମାନେ ଭୋଟ ହାସଲ କରିବା ପାଇଁ ଏହାର ଶରଣାପନ୍ନ ହୋଇଥାନ୍ତି । ସେଥିପାଇଁ ଏ ସଂଗଠନର ମୂଳ ଖୁବ୍ ମଜବୁତ ଓ ତେଣୁ ଏହାକୁ ନିର୍ମୂଳ କରିବାର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି ।

 

ଆମ ଦେଶର ତଥା ଅନ୍ୟାନ୍ୟ ପୁଂଜିବାଦୀ ଦେଶର ସହରମାନଙ୍କରେ ବି ଏହିଭଳି ଗୁଣ୍ତା ସଂଗଠନ ରହିଛି ଓ ସେ ସବୁ ବି ଧନୀଲୋକ, ସମାଜପତି ଓ ରାଜନୀତୀକ ଦଳମାନଙ୍କର ସମର୍ଥନ ଓ ଆଶ୍ରୟ ପାଇ ବେଶ ମଜବୁତ ହେଇ ରହିଥାନ୍ତି । ତେବେ ଏମାନଙ୍କର ସଂଗଠନ ମାଫିଆ ଭଳି ଏତେ ବ୍ୟାପକ ଓ ରାଷ୍ଟ୍ରବ୍ୟାପୀ ହେବାର ଜଣା ନାହିଁ । ଇତାଲୀ ବାହାରେ, ଆମେରିକା ଆଦିରେ, ଯେଉଁଠି ଇତାଲୀୟ ଲୋକ ଅଛନ୍ତି ସେଠି ବି ଏହି ମାଫିଆ ସଂଗଠନର ଚେର ମାଡ଼ିଛି ।

 

ଲୋକଙ୍କର ଦାରିଦ୍ର୍ୟ ଓ ବେକାରୀର ପ୍ରତିକାରର ଉପାୟ ଖୋଜିବା ପାଇଁ ଦୋଲଚୀ ଆସି ସିସୀଲୀରେ ବସିଲେ ଓ କ୍ରମେ ଡକେଇତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଲେ । ସେଠା ଲୋକଙ୍କର ଦୂରବସ୍ଥା ପ୍ରତି ଦେଶବାସୀ ଓ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ସେ ଥରେ ଅନଶନ କରିଥିଲେ ଓ ତାହା ଫଳରେ ଏକ ନଦୀବନ୍ଧ ନିର୍ମାଣ ଯୋଜନା ହାତକୁ ନେବାକୁ ସରକାର ବାଧ୍ୟ ହୋଇଥିଲେ । ଆଉ ଥରେ ସେ ଏକ ‘ଓଲଟ ଧର୍ମଘଟ’ ଆରମ୍ଭ କରି ଯଶସ୍ଵୀ ହୋଇଥିଲେ । ସେ ଦେଖିଲେ ଯେ ଗାଁ ଲୋକ ବେକାର ବସିଛନ୍ତି, ସେମାନଙ୍କର ଧନ୍ଦା ଲୋଡ଼ା । କୌଣସି ଦାବୀ ଜଣାଇବା ଓ ସେଥିପାଇଁ ଲଢ଼ିବାର ଏକ ଉପାୟ ହେଲା ଧର୍ମଘଟ । ମାତ୍ର ଯେ ବେକାର ସେ କି ଧର୍ମଘଟ କରିବ ? ଦୋଲଚୀ ବୁଦ୍ଧି ଦେଲେ ଯେ ବେକାର ଲୋକ ଓଲଟ ଧର୍ମଘଟ ରୂପେ କାମ କରନ୍ତୁ । ସେମାନଙ୍କୁ ନେଇ ସେ ଗୋଟିଏ ସରକାରୀ ରାସ୍ତା ମରାମତି କରିବେ ବୋଲି ସରକାରଙ୍କୁ ନୋଟିସ ଦେଇ କାମ ଆରମ୍ଭ କଲେ ।

 

ସରକାରୀ ରାସ୍ତାଘାଟ ବା କୋଠାବାଡ଼ିରେ ହାତଦେବା ତ ବେଆଇନ । ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ହେଲା । ଲୋକେ ଗିରଫ ହେଲେ । ଦେଶଯାକ ଖବର କାଗଜରେ ଏ ଖବର ବାହାରିଲା ଓ ସବୁଠିଁ ସରକାର ଲୋକହସା ହୋଇଗଲେ । ସରକାର ଲୋକଙ୍କୁ କାମ ବି ଦେଉ ନାହିଁ କି ଖରାପ ରାସ୍ତା ମରାମତି କରୁ ନାହିଁ । ଅଥଚ ଲୋକେ କରିବାକୁ ଗଲେ ଗିରଫ କରୁଛି ? ସରକାର ଲଜ୍ଜିତ ହୋଇ ଗିରଫ ଲୋକଙ୍କୁ ଛାଡ଼ିଦେଲା ଓ ବାରିକମିସ୍ତ୍ରୀ ବିଭାଗ ଜରିଆରେ ସେମାନଙ୍କୁ କାମ ଯୋଗାଇବା ବ୍ୟବସ୍ଥା ହେଲା ।

 

ଏବେ ସିସୀଲୀରେ ଦାରିଦ୍ର୍ୟ, ବେକାରୀ ଓ ଡାକୁ ସମସ୍ୟା ସହିତ ଲଢ଼ିବାପାଇଁ ଦୋଲଚୀ ସେଠାରେ ବହୁମୁଖୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଗ୍ରାମ ସମାଜର ମୌଳିକ ପରିବର୍ତ୍ତନ ଆଣିବା ମଧ୍ୟ ତାଙ୍କର ଲକ୍ଷ୍ୟ । ରାଜନୀତି ଓ ଗାଁର ମାତବ୍‌ବରମାନଙ୍କ ସହିତ ଯୋଗାଯୋଗ ଯୋଗୁଁ ମାଫିଆ ଶକ୍ତିଶାଳୀ ହୋଇଛି । ଏହାର ମୂଳକୁ ଦୋହଲାଇବା ପାଇଁ ସେ ଗାଁରେ ଲୋକଙ୍କର ସାମୂହିକ ଅଭିକ୍ରମ ଜାଗ୍ରତ କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଦି ଗାଁର ସର୍ବସାଧାରଣ ଗଣତାନ୍ତ୍ରିକ ଢଙ୍ଗରେ ଗାଁର ସମସ୍ତ କାରବାର ବିଷୟରେ ନିର୍ଣ୍ଣୟ କରନ୍ତି ତେବେ ଏ ନୂଆ ଗଣନେତୃତ୍ଵର ଉଦ୍ଭବ ହେବ ଓ ଗୁଣ୍ତାଙ୍କ ସାହାଯ୍ୟରେ ଲୋକଙ୍କ ଉପରେ ପ୍ରଭୃତ୍ଵ କରୁଥିବା ପୁରୁଣା ମାତବ୍‌ବରମାନେ ଗାଦିଚ୍ୟୁତ ହେବା ସାଙ୍ଗେ ସାଙ୍ଗେ ମାଫିଆର ପ୍ରଭାବ ମଧ୍ୟ ଲୋପ ହେବ-। ଏ ଦିଗରେ ତାଙ୍କୁ କିଛିଟା ସଫଳତା ମଧ୍ୟ ମିଳିଛି ।

 

ଏହାଛଡ଼ା ସେ ମାଫିଆ ସହିତ ସଂପୃକ୍ତ ଥିବା ରାଜନୀତିକ ନେତାମାନଙ୍କର କାରାବାର ବିଷୟରେ ତଥ୍ୟମୂଳକ ପ୍ରମାଣ, ଦଲିଳିପତ୍ର ଆଦି ସଂଗ୍ରହ କରି ପ୍ରକାଶ କରିବା ଦ୍ଵାରା ଜନମତ ସଂଗଠିତ କରିବା ଉଦ୍ୟମ ମଧ୍ୟ କରୁଛନ୍ତି । ଏହିଭଳି ତଥ୍ୟ ପ୍ରକାଶ ପାଇବା ଫଳରେ ଏଠାର ପାର୍ଲାମେଣ୍ଟର ଦୁଇଜଣ ସଦସ୍ୟ ନିକଟରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।

 

ଦାରିଦ୍ର୍ୟ ଓ ବେକାରୀ ନିବାରଣ ପାଇଁ ସେ ସ୍ଥାନୀୟ ହସ୍ତଶିଳ୍ପର ବିକାଶ, ନୂଆ କ୍ଷୁଦ୍ର ଶିଳ୍ପର ପ୍ରସାର, କୃଷି ଉନ୍ନୟନ, ସମବାୟ ସମିତି ଗଠନ ଆଦି କାମ ହାତକୁ ନେଇଛନ୍ତି । ଶିକ୍ଷାର ପ୍ରସାର ଓ ସଂସ୍କାର ପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି ।

 

ଏବେ ଏଠାରେ ଚାରୋଟି କେନ୍ଦ୍ରରେ କୋଡ଼ିଏ କୋଡ଼ିଏ ଜଣ ସରିକି କର୍ମୀ କାମ କରୁଛନ୍ତି । ଏମାନଙ୍କ ଭିତରେ ଇତାଲୀ ବ୍ୟତୀତ ୟୁରୋପର ଅନ୍ୟାନ୍ୟ ଦେଶରୁ ଆସିଥିବା ସ୍ଵୟଂସେବକ ମଧ୍ୟ ଅଛନ୍ତି । ତ୍ରାପେତୋ ଗାଁରେ ଥିବା କେନ୍ଦ୍ରକୁ ମୁଁ ଆସିଲି । ଗାଁଟି ସମୁଦ୍ର କୂଳରେ, ବେଶୀ ବଡ଼ ନୁହେଁ । ଘରଗୁଡ଼ିକ ଅଧିକାଂଶ ସାନ ସାନ କିନ୍ତୁ ପକ୍‌କା । କେନ୍ଦ୍ରଟି ଗାଁର ଦକ୍ଷିଣକୁ ଏକ ମୁଣ୍ତିଆ ଉପରେ ରହିଛି । ଘରର ଛାତ ଉପରୁ ଭୂମଧ୍ୟସାଗରର ଘନନୀଳ ଜଳରାଶିର ମନୋରମ ଦୃଶ୍ୟ ଦେଖାଯାଏ । ଅଳ୍ପ ଦିନ ହେଲା ଏ କେନ୍ଦ୍ରର ଘରସବୁ ନୂଆ ତିଆରି ହୋଇଛି । ସବୁ ଆଧୁନିକ ସୁବିଧା ରହିଥିଲେ ମଧ୍ୟ ଖୁବ୍ ସାଧାସିଧା ।

 

ମୁଁ ପହଞ୍ଚିବା ଦିନ ଏଠି ଏକ ସେମିନାର ଆରମ୍ଭ ହେବାର ଥିଲା । ଫ୍ରାନ୍‌ସ, ସ୍ଵୀଜରଲ୍ୟାଣ୍ତ, ଇତାଲୀ, ଆମେରିକା ଓ ଲ୍ୟାମେକାରୁ କୋଡ଼ିଏ ବାଇଶ ଜଣ ଏଥିରେ ଯୋଗ ଦେବାକୁ ଆସିଥିଲେ । ଏଥିରେ ଚର୍ଚ୍ଚାର ବିଷୟ ଥିଲା ‘ଆର୍ଥିକ ବିକାଶ ଓ ବିକାଶ ଓ ସାମାଜିକ ପରିବର୍ତ୍ତନ ।’ ଆର୍ଥିକ ବିକାଶର କାମ କରିବା ସାଙ୍ଗେ ସାଙ୍ଗେ ସାମାଜିକ ପରିବର୍ତ୍ତନକୁ ଛାଡ଼ି ନ ଦେଇ କିପରି ଆଗେଇ ନେଇ ହେବ ଏଇ ହେଲା ସମସ୍ୟା । ଆମ ଦେଶରେ ଗ୍ରାମଦାନ ଆନ୍ଦୋଳନରେ ବି ଆମେ ଏଇ ସମସ୍ୟାର ସମ୍ମୁଖୀନ ହୋଇଥାଉ । ଏ ବିଚାର ଗୋଷ୍ଠୀରେ ବିଶେଷ ସମୟ ନେଇ ଗ୍ରାମଦାନର ଆଲୋଚନା ମଧ୍ୟ କରାହେଲା । ଏହାଛଡ଼ା ଦୋଲଟୀଙ୍କ କାମର ବିସ୍ତୃତ ବିବରଣ ମଧ୍ୟ ମିଳିଲା । ଏ ଗୋଷ୍ଠୀ ଛଅ ସାତ ଦିନ ଚାଲିବାର ଥିଲା । ମାତ୍ର ମୁଁ କେବଳ ଦେଢ଼ ଦିନ ରହି ଫେରି ଆସିବାରୁ ମୁଖ୍ୟ ଚର୍ଚ୍ଚାରେ ବିଶେଷ ଯୋଗ ପାରି ନ ଥିଲି ।

 

ସେ’ଦିନ ରାତିରେ ଖାଇ ସାରିବା ପରେ ସମସ୍ତେ ବାହାରିଲେ ସମୁଦ୍ରରେ ଗାଧୋଇବା ପାଇଁ । ରାତି ନଅଟା ହେଲେ ବି ସେତେବେଳେ ବେଶ୍ ଫର୍ଚା । ମୋର ଗାଧୋଇବା ଇଚ୍ଛା ନ ଥିଲା, କେବଳ ସମୁଦ୍ର ଦେଖିବାକୁ ଗଲି । ଏଭଳି ପୋଖରୀ ପରି ଶାନ୍ତ ସମୁଦ୍ର ମୁଁ ପୂର୍ବରୁ କେବେ ଦେଖି ନ ଥିଲି, ପବନ ନ ଥାଏ, ଚାଖଣ୍ତେ ଉଚ୍ଚର ଢେଉ କେବଳ ଖେଳୁଥାଏ । ସମୁଦ୍ର ମଧ୍ୟ ବେଶ ଅଗଭୀର, ଆରାମରେ ବେଶ ଦୂରକୁ ଯାଇ ହେବ । ଗାଧୋଇବାର ଲୋଭ ହେଲା, ମାତ୍ର ଲୁଗାପଟା ନ ଥିଲା । ପର ଦିନ ଦ୍ଵିପ୍ରହରେ ପୁଣି ସମସ୍ତେ ଆସିଲୁ ଓ ମନଇଚ୍ଛା ଗାଧୁଆ ହେଲା । ମାତ୍ର ଏ ଦିନ ସମୁଦ୍ରର ରୂପ ଏକାବେଳକେ ବଦଳି ଯାଇଥାଏ । ଏଣେ ଦ୍ଵିପ୍ରହରର ଜୁଆର ଓ ତା’ ସାଙ୍ଗକୁ ପବନ । ପୁରୀ ସମୁଦ୍ର ଭଳି ବେଶ ବଡ଼ ବଡ଼ ଢେଉ ଉଠୁଥାଏ । ଏଠାର ଏକ ମଧୁର ସ୍ମୃତି ତେରେସ୍ ଦମ୍ପତୀଙ୍କର ଚାରିବର୍ଷର ପୁଅ ଲୋରାଁ ସହିଳ ବନ୍ଧୁତାର । ତେରେସ୍ ଦମ୍ପତୀ ଫ୍ରାନ୍‌ସର ଲୋକ । ଦେଶ ଭ୍ରମଣ ପାଇଁ ମୋଟରରେ ବାହାରି ଏଠି ଆସି ପହଞ୍ଚିଥାଆନ୍ତି । ଶାନ୍ତିବାଦୀ । ସେମାନେ ସମୁଦ୍ରକୁ ଗାଧୋଇଗଲେ, ଲୋରାଁ ଏକୁଟିଆ କୂଳରେ ବୁଲି ବୁଲି ମୋ ପାଖରେ ଆସି ବସିପଡ଼ିଲା ଓ ଗପ ଆରମ୍ଭ କଲା । ସେ ଫରାସୀ ଭାଷାରେ ଅନର୍ଗଳ ଗପି ଯାଉଥାଏ । ମୁଁ କେବଳ ଦୁଇ ଚାରିଟା ଶବ୍ଦ ବୁଝୁଥାଏ । ପାପା, ମାମାଁ, ଲା ମେରା୍ (ସମୁଦ୍ର), ପୁର୍କୋଆ (କାହିଁକି-?)-। ସେ ଅଜସ୍ର ପ୍ରଶ୍ନ ପଚାରି ଚାଲିଥାଏ । ମୋର କେବତ ଉଇ୍, ଉଇ୍ ହଁ ହଁ) କରି ମୁଣ୍ତ ଟୁଙ୍ଗାରିବା ଛଡ଼ା ଅନ୍ୟ ଉପାୟ ନ ଥାଏ । କିନ୍ତୁ ଏମିତି ଆମ ଭିତରେ ବେଶ ବନ୍ଧୁତା ଜମିଉଠିଲା । ପରଦିନ ସେଠୁ ଚାଲି ଆସିବା ବେଳେ ଅତି ଖରାପ ଲାଗିଲା ।

Image

 

ବତିଶ

ତୀର୍ଥ-ନଗରୀ ରୋମ୍

 

ରୋମକୁ ପୁଣି ଫେରି ଆସିବା ପରେ ସେଠି ତିନି ଦିନ ରହଣୀ ଭିତରେ କେତେକ ଦେଖାସାକ୍ଷାତ କରିବା ଛଡ଼ା ରୋମର ଦର୍ଶନୀୟ ସ୍ଥାନ ସବୁ ଦେଖାହେଲା । ରୋମରେ ଭେଟିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ମି: ଲିଗୁତ୍ତିଙ୍କ ନାମ ଉଲ୍ଲେଖ ଯୋଗ୍ୟ । ଏ ହେଉଛନ୍ତି ରାଷ୍ଟ୍ରସଂଘର ଖାଦ୍ୟ ଓ କୃଷି ସଂଗଠିତ (FAO)ରେ ପୋପଙ୍କର ପ୍ରତିନିଧି । ଏହାଙ୍କର ଗାନ୍ଧୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ରହିଛି ଓ ବିନୋବାଜୀଙ୍କର ଗ୍ରାମଦାନ ଆନ୍ଦୋଳନକୁ ମଧ୍ୟ ସେ ପସନ୍ଦ କରନ୍ତି । ସେ କହିଲେ ଯେ ଖ୍ରୀଷ୍ଟଙ୍କର ଅନୁଯାୟୀମାନେ ଏକ ସମୟରେ ଗୋଷ୍ଠୀ ଜୀବନ ଯାପନ କରୁଥିଲେ । ସେଥିରେ କାହାରି କୌଣସି ବ୍ୟକ୍ତିଗତ ସମ୍ପତ୍ତି ରହୁ ନ ଥିଲା । ସମସ୍ତେ ସବୁ ସମ୍ପତ୍ତି ସମାନ ଭାବରେ ଭୋଗ କରୁଥିଲେ । ବିନୋବାଜୀ ସେହି ଆଦର୍ଶକୁ କାର୍ଯ୍ୟକାରୀ କରିବା ଉଦ୍ୟମ କରୁଛନ୍ତି । ଏଥିରେ ଜୋର ଜବରଦସ୍ତୀର ସ୍ଥାନ ନାହିଁ, କାରଣ ତାହା ମଣିଷର ଆତ୍ମାକୁ ବିନଷ୍ଟ କରେ ।

 

ସେ ପୁଣି କହିଲେ ଯେ ମଣିଷଠାରେ ବିଶ୍ଵାସ ହିଁ ସବୁଠାରୁ ବଡ଼ କଥା । ଆମେ ପରମାଣୁ ଶକ୍ତିର ରହସ୍ୟ ଉଦଘାଟନ କରିଛୁ ଓ ତାକୁ କାମରେ ଲଗାଇବାର ଉପାୟ ବାହାର କରିଛୁ । ମାତ୍ର କେବଳ ଆତ୍ମାର ଶକ୍ତି ବଳରେ ହିଁ ଭୟଙ୍କର ପରମାଣୁ ଶକ୍ତିକୁ ମଣିଷ ଆୟତ୍ତରେ ରଖିପାରିବ ।

 

ସେ ତାଙ୍କର ନିଜର ଜୀବନଦୃଷ୍ଟି ବିଷୟରେ କହିଲେ—“ମୋର ବିଶ୍ଵାସ ଯେ ଅତି ସାଧାରଣ କ୍ଷୁଦ୍ର ମନୁଷ୍ୟ ବି ବହୁତ କିଛି କରିପାରେ । ଯଦି ବହୁ ସଂଖ୍ୟକ କ୍ଷୁଦ୍ର, ସାଧାରଣ ନୁଷ୍ୟ ଅଜ୍ଞାତ ଓ କ୍ଷୁଦ୍ର ସ୍ଥାନରେ କ୍ଷୁଦ୍ର କ୍ଷୁଦ୍ର ସତ୍ ଉଦ୍ୟମ କରନ୍ତି ତେବେ ସେ ସବୁର ମୋଟ ପରିଣାମ ଖୁବ୍ ବିରାଟ ହୋଇଥାଏ ।”

 

ଦିନେ ରୋମ ଥିଲା ପ୍ରାଚୀନ ପ୍ରାକ-ଖ୍ରୀଷ୍ଟୀୟ ସଭ୍ୟତାର ପ୍ରାଣକେନ୍ଦ୍ର । ତା’ପରେ କାଳକ୍ରମେ ୟୁରୋପରେ ଘଟିଲା ଖ୍ରୀଷ୍ଟଧର୍ମର ପ୍ରାବଲ୍ୟ ଏବଂ ପୁଣି ରୋମ୍ ହେଲା ନୂତନ ନୂତନ ଧର୍ମ-ସାମ୍ରାଜ୍ୟର ପ୍ରଧାନ ପୀଠ । ଏବେ ବି ରୋମ୍ ଏ ଦୀର୍ଘ ଇତିହାସର ସ୍ମୃତିବୋଳା କଙ୍କାଳ ଧରି ଛିଡ଼ା ହୋଇଛି ।

 

ପ୍ରାଚୀନ ସାମ୍ରାଜ୍ୟ ଯୁଗର ରୋମ୍ ନଗରର ଭଗ୍ନାବଶେଷ ପ୍ରଧାନତଃ ବର୍ତ୍ତମାନ ସହରର ଗୋଟାଏ ଅଂଶ ଭିତରେ ହିଁ ରହିଛି । ଯେ ଯୁଗରେ ତ ସହର ଏତେ ବଡ଼ ନ ଥିଲା, ଅନେକ ଛୋଟ ଥିଲା । ସେ ଯୁଗର ସେ ସବୁ ବିରାଟ ଭବନ, ମନ୍ଦିର, ତୋରଣ ଆଦିରୁ ଅଧିକାଂଶ ଭାଙ୍ଗିରୁଜି ଯାଇଛି, କେବଳ ଖମ୍ୱ ଓ ଭଙ୍ଗା କାନ୍ଥ ଛିଡ଼ା ହୋଇ ରହିଛି । ଭଙ୍ଗା ପଥର ସବୁ ଇତସ୍ତତ ପଡ଼ିଛି । ସେ ସବୁକୁ କୌଣସି ପ୍ରକାରେ ସଜଡ଼ା ଯାଇ ନାହିଁ । ସେସବୁ ଇତସ୍ତତଃ ବିକ୍ଷିପ୍ତ ପଥର ଓ ଭଗ୍ନାବଶେଷ ଚାରିପଟେ ଉଦ୍ୟାନ ସଜେଇ ଦିଆଯାଇଛି ।

 

ଏହାଭିତରେ ସବୁଠାରୁ ବଡ଼ ବୋଧହୁଏ କଲୋସିୟମ୍ । ଏକ ବିରାଟ ତିନି ମାହାଲା ଉଚ୍ଚ ଗୋଲାକାର କ୍ରୀଡ଼ାଙ୍ଗଣ । ଚାରି ପାଖରେ ଦର୍ଶକମାନଙ୍କର ବସିବା ସ୍ଥାନ ଓ ମଝିରେ ଅଙ୍ଗନ । ଏଇଠି ସେ ଯୁଗରେ ପଳାତକ କ୍ରୀତଦାସ ଓ ଦଣ୍ତପ୍ରାପ୍ତ ଅପରାଧୀମାନଙ୍କୁ କ୍ଷୁଧାତୁର ସିଂହ ମୁହଁରେ ପକେଇ ଦିଆ ହେଉଥିଲା ଓ ରୋମ୍‌ର ସମ୍ରାଟଙ୍କ ସମେତ ହଜାର ହଜାର ନଗରବାସୀ ସେ ବିଚରାଙ୍କୁ ସିଂହ ଖଣ୍ତ ଖଣ୍ତ କରି ଛିଣ୍ତେଇ ଖାଇବାର ବିଭତ୍ସ ଦୃଶ୍ୟକୁ ଉପଭୋଗ କରୁଥିଲେ । ଖ୍ରୀଷ୍ଟାନମାନେ ସେ ଆଦିଯୁଗରେ ସାମ୍ରାଜ୍ୟ ଓ ତଜ୍ଜନିକ ବିଷମତା ଓ ଅନ୍ୟାନ୍ୟ ବିରୋଧରେ ବିଦ୍ରୋହୀ ଥିଲେ । ସାଧାରଣତଃ କ୍ରୀତଦାସ ଓ ଦରିଦ୍ର ଶ୍ରେଣୀର ଅତ୍ୟାଚାରିତ ଲୋକେ ହିଁ ଖ୍ରୀଷ୍ଟାନ ହେଉଥିଲେ । ସେମାନଙ୍କୁ ଅତି କ୍ରୁର ଭାବରେ ଦମନ କରାଯାଉଥିଲା ଓ ଏହିଭଳି ସିଂହ ମୁହଁରେ ମଧ୍ୟ ପକା ଯାଉଥିଲା । କେତେ ନା କେତେ ହଜାର ନରନାରୀଙ୍କର ରକ୍ତରେ ଏ ପ୍ରାଙ୍ଗଣ ଆପ୍ଳୁତ ନ ହୋଇଛି, ସେମାନଙ୍କର କି କରୁଣ ଆର୍ତ୍ତନାଦରେ ଏ ଭବନ ମୁଖରିତ ନ ହୋଇଛି ! ଏବେ ଏହାର ଭଗ୍ନାବଶେଷ ଦେଖି ମୋର ଆନନ୍ଦ ହେଲା । ବର୍ବର ରୋମଜ ସାମ୍ରାଜ୍ୟ ମାନବ ଜାତି ପ୍ରତି ଏକ ଅଭିଶାପ ଥିଲା, ସବୁ ଯଗର ସବୁ ସାମ୍ରାଜ୍ୟ ପରି । ତାହା ଯେ ଲୋପ ହୋଇଛି, ସେଥିରେ ଦୁଃଖ କରିବାର କିଛି ନାହିଁ ।

 

କିନ୍ତୁ ସେ ଯୁଗର ସେ ବର୍ବରତାର ପ୍ରଭାବ ଯେ ସଂପୂର୍ଣ୍ଣ ଲୋପ ହୋଇ ନ ଥିଲା ତହିଁର ପ୍ରମାଣ ଇତାଲୀରେ ମୁସୋଲିନୀଙ୍କର ବର୍ବର ଫାଶୀବାଦର ଅଭ୍ୟୁଦୟ । ମୁସୋଲିନୀ ଯେଉଁ ଘରେ ରହୁଥିଲେ ଓ ଯେଉଁ ଖିଲାଣ ତଳେ ଲୋକଙ୍କୁ ଦର୍ଶନ ଦେଉଥିଲେ, ବକ୍ତୃତା ଦେଉଥିଲେ ସେ ସବୁ ଏବେ ବି ରହିଛି, ତେବେ ସେଥିରେ ଗୋଟାଏ କ’ଣ ସରକାରୀ ଅଫିସ ଚାଲୁଛି । ମୁସୋଲିନୀଙ୍କର ସ୍ମୃତିକୁ ଯେ ଏବର ସଭ୍ୟ ଇତାଲୀୟମାନେ ଲଜ୍ଜାଜନକ ଘୃଣା ମନେ କରନ୍ତି ଏହା ଏକ ଆଶ୍ଵାସର କଥା ।

 

ତେବେ ଇତାଲୀର ସ୍ଥାପତ୍ୟ ଶିଳ୍ପୀ ଯେ ଅତି ଉଚ୍ଚକୋଟିର ଥିଲା ଏଥିରେ ସନ୍ଦେହ ନାହିଁ-। ଭଙ୍ଗା ତୋରଣ ବା ଭବନମାନଙ୍କର ପଚାଶ ପଚାଶ ଫୁଟ ଉଚ୍ଚ ଖମ୍ଵ ଛିଡ଼ା ହୋଇଛି, ଏକାବେଳକେ ନିଖୁଣ ଗଢ଼ଣ, ଏବେ ବି ସେ କାଳର ସେ ପାଲିଶ ଅକ୍ଷୁର୍ଣ୍ଣ ରହିଛି । ଆମ ଦେଶର ମନ୍ଦିରର ପଥର ପରି କ୍ଷୟ ପାଇ ନାହିଁ । ଏହା ଏ ଦେଶର ଜଳବାୟୁର ଗୁଣ । ଆମ ଦେଶର ପ୍ରବଳ ବର୍ଷା, ତୋଫାନ ଓ ପ୍ରଖର ସୂର୍ଯ୍ୟକିରଣ ପ୍ରକୃତିର କୃତି ବିରାଟ ବିରାଟ ପାହାଡ଼କୁ ମଧ୍ୟ ଭାଙ୍ଗିଚୂରି ମାଟିରେ ମିଶେଇ ଦେବାରେ ଅଧିକ ସଫଳ ହୁଏ, ଆଉ ମଣିଷର କୃତି ତ ଛାର କଥା ।

 

ଇଟାଲୀର ମଧ୍ୟଯୁଗର ଭାସ୍କର୍ଯ୍ୟ ଓ ଚିତ୍ରକଳା ମଧ୍ୟ ଶୀର୍ଷକୋଟିର । ମଧ୍ୟଯୁଗରେ ଏଠି ମିକେଲ୍ ଆଂଜେଲୋ ଲିଓନାର୍ଦୋ ଦା ଭୀନଚୀ, ବତିଚେଲ୍ଲୀ, ଜୋତତୋ ଆଦି ମହାନ୍ ଶିଳ୍ପୀ ଓ ଚିତ୍ରକରଗଣ ଜନ୍ମଗ୍ରହଣ କରିଥିଲେ । ସେମାନଙ୍କର କୃତି ତ ସାରା ୟୁରୋପର ସଂଗ୍ରହାଳୟମାନଙ୍କର ରହିଛି । ଏଠି ରେମ, ଫ୍ଲୋରେସ୍ ପ୍ରଭୃତିରେ ବିଶେଷ ରହିଛି । ଭୁବନେଶ୍ଵର ଯେପରି ଅସଂଖ୍ୟ ମନ୍ଦିରର ନଗରୀ ଥିଲା ସେହିପରି ରୋମ ଗୀରଜା ନଗରୀ । କାଥଲିକମାନଙ୍କର ସର୍ବ ପ୍ରଧାନ ଧର୍ମଗୁରୁ ପୋପ୍ ଏଇଠି ରହନ୍ତି । ମଧ୍ୟଯୁଗରେ ପ୍ରୋଟେଷ୍ଟାଣ୍ଟମାନେ ପୋପଙ୍କର ଆଧିପତ୍ୟକୁ ଅସ୍ଵୀକାର କରି ଅଲଗା ଅଲଗା ଧର୍ମ ସଂପ୍ରଦାୟ ଗଢ଼ିବା ପୂର୍ବରୁ ପୋପ୍ ତ ସାରା ଖ୍ରୀଷ୍ଟାନ ଜଗତର ଧର୍ମଗୁରୁ ଥିଲେ । ସେତେବେଳେ ବିଭିନ୍ନ ଦେଶରୁ ତାର୍ଥଯାତ୍ରୀମାନେ ରୋମକୁ ଆସୁଥିଲେ ପୋପଙ୍କ ଦର୍ଶନ ପାଇଁ । ଏବେ ମଧ୍ୟ କ୍ୟାଥଲିକମାନେ ଆସନ୍ତି । ସେତେବେଳେ ପ୍ରତ୍ୟେକ ଦେଶ ଓ ସଂପ୍ରଦାୟର ଲୋକେ ଏଠି ନିଜ ନିଜର ଗୀର୍ଜା ଗଢ଼ି ଯାଇଛନ୍ତି । ଭୁବନେଶ୍ଵରର ମନ୍ଦିର ସବୁ ପରି ଏଠା ଗୀର୍ଜା ମଧ୍ୟ ସାନରୁ ବଡ଼ ହରେକ କରମର ଅଛି । ଏ ସବୁ ଭିତରେ ବୃହତ୍ତମ ଓ ସବୁଠାରୁ ବିଖ୍ୟାତ ହେଲା ସେଣ୍ଟ୍ ପିଟରସ୍ ଗୀର୍ଜା ଓ ସବୁଠାରୁ ସୁନ୍ଦର ପୋପଙ୍କ ରାଜଧାନୀ ଭିତରେ ଥିବା ସୀସତିନେ ଚାପେଲ୍ । ଏ ଶେଷୋକ୍ତଟିକୁ ମୁଁ ଦେଖିପାରିଲି ନାହିଁ । ଶନିବାର ଦିନ ତାହା ମାତ୍ର ସକାଳଓଳି ଖୋଲା ରହେ ବୋଲି ମତେ ଜଣା ନ ଥିଲା ଓ ଉପରଓଳି ପହଞ୍ଚି ଦେଖେ ତାହା ବନ୍ଦ ହେଇ ସାରିଲାଣି । ଏଇଟା ଗୋଟାଏ ବଡ଼ ଆଶା ଅପୂର୍ଣ୍ଣ ରହିଗଲା ।

 

ସେଣ୍ଟ୍ ପିଟର୍ସ ଗୀର୍ଜାରେ ପ୍ରାୟ ସବୁ ପୋପମାନଙ୍କର ପଥର ମୂର୍ତ୍ତି ରହିଛି, ଏ ସବୁ ବଡ଼ ବଡ଼ ଭାସ୍କରମାନଙ୍କ ଦ୍ଵାରା ଗଢ଼ା ଓ ଶିଳ୍ପ ହିସାବରେ ଖୁବ୍ ଉଚ୍ଚକୋଟିର । ତେବେ ଏ ସବୁଥିରେ ଆଧ୍ୟାତ୍ମିକ ପବିତ୍ରତା ଅପେକ୍ଷା କ୍ଷମତା ଓ ପ୍ରତିଷ୍ଠାର ଗରିମା ହିଁ ବେଶୀ ପ୍ରକାଶ ପାଇଛି । ଏଠାର ସବୁଠାରୁ ବିଖ୍ୟାତ ଓ ଭାବପୂର୍ଣ୍ଣ ମୂର୍ତ୍ତି ହେଲା ମିକେଲ୍ ଆଞ୍ଜେଲୋଙ୍କ ଗଢ଼ା ‘ପିଏତା’-କ୍ରସ୍‌ରୁ ଅବତୀର୍ଣ୍ଣ ଯୀଶୁଙ୍କର ମୃତ ଦେହକୁ କୋଳରେ ଧରିଥିବା ମେରୀ ମାତାଙ୍କର ମୂର୍ତ୍ତି । ଗାନ୍ଧୀଜୀ ୧୯୩୧ରେ ଗୋଲଟେବୁଲ ବୈଠକରୁ ଫେରିବା ବେଳେ ରୋମ୍‌ରେ କିଛି ସମୟ ରହିଥିଲେ । ସେତେବେଳେ ସେ ଗୀର୍ଜା ଦେଖିବାକୁ ଆସି ବହୁ ସମୟ ଛିଡ଼ାହେଇ ଏ ମୂର୍ତ୍ତିର ଧ୍ୟାନ କରିବା ସାଙ୍ଗେ ସାଙ୍ଗେ କାନ୍ଦିଥିଲେ । ସେ ଦିନ ବି ଦେଖିଲି ବହୁ ଦର୍ଶକ ସାଶ୍ରୁ ନୟନରେ ଏହାକୁ ଚାହିଁ ରହିଛନ୍ତି । ମୋର ମଧ୍ୟ ହୃଦୟ ଭାବାପ୍ଳୁତ ହୋଇ ଉଠିଲା । ଏହାର ଗମ୍ଵୁଜର ଭିତରେ ଛାତରେ ମଧ୍ୟ ବିଶିଷ୍ଟ ଚିତ୍ରଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଯୀଶୁଙ୍କର ତଥା ଖ୍ରୀଷ୍ଟାନ ସନ୍ଥମାନଙ୍କର ଜୀବନଗାଥାର ଚିତ୍ର ରହିଛି । ଅନ୍ୟ ବଡ଼ ବଡ଼ ଗୀର୍ଜା ପରି ଏଠି ମଧ୍ୟ ପ୍ରଧାନ ପ୍ରାର୍ଥନାଂଗଣ ଛଡ଼ା ଚାରି ପାଖରେ ଛୋଟ ଛୋଟ ପ୍ରାର୍ଥନାସ୍ଥଳ ରହିଛି । ଏହାଛଡ଼ା ରହିଛି ବହୁତ ଛୋଟ ଛୋଟ କୋଠରୀ, ଯେଉଁଠି ଭକ୍ତମାନେ ପାଦ୍ରୀଙ୍କ ନିନଟରେ ନିଜର ପାପ ସ୍ଵୀକାର କରି ପାପମୁକ୍ତ ହୋଇପାରିବେ । ବିଭିନ୍ନ ଭାଷାଭାଷୀଙ୍କ ପାଇଁ ଏଭଳି ସବୁ ଅଲଗା ଅଲଗା କୋଠରୀ ଅଛି ଓ ନିର୍ଦ୍ଦିଷ୍ଟ ସମୟରେ ସେହି ଭାଷା ଜାଣିଥିବା ପାଦ୍ରୀ ସେଠି ଉପସ୍ଥିତ ରହି ସ୍ଵୀକାରୋକ୍ତି ଶୁଣନ୍ତି ଓ ଆଶୀର୍ବାଦ ଦିଅନ୍ତି ।

 

ରୋମ୍‌ର କେନ୍ଦ୍ରସ୍ଥଳରେ ଏକ ବିରାଟ ବିଜୟ ଭବନ ରହିଛି । କେଉଁ ଯୁଦ୍ଧରେ ଜିତିବା ପରେ କେଉଁ ରାଜା ଏହାକୁ ଗଢ଼ାଇଥିଲେ ମୋର ମନେ ନାହିଁ କିନ୍ତୁ ରାଜକୀୟ ଦମ୍ଭ ଓ ଅହଂକାରର ପ୍ରତୀକ ଏତେ ବଡ଼ ନୀକମା ନିର୍ମାଣ ଦୁନିଆରେ କମ ଥିବ ।

 

ରୋମ୍‌ରୁ ମୋର ଦିନକ ପାଇଁ ଫ୍ଲୋରେନ୍‌ସ ଯାଇ ସେଠୁ ଯୁଗୋସ୍ଳୋଭିଆ ଯିବାର କଥା । ଉଡ଼ାଜାହାଜ ଘାଟିକୁ ଡନ୍‌କାର୍ଲୋ ତଥା ପାକ୍‌ସ ତ୍ରୀସ୍ତୀ ସଂସ୍ଥା ସହିତ ସଂପୃକ୍ତ ଦୁଇଜଣ ତରୁଣ ତରୁଣୀ ଅଲେସସାଂଦ୍ରୋ ଓ ସେରୀନା ବିଦାୟ ଦେବା ପାଇଁ ଆସିଥିଲେ । ସେତେବେଳେ ଉଡ଼ାଜାହାଜ ଛାଡ଼ିବାକୁ ବେଶ ଡେରି କରୁଥାଏ । ଛିଡ଼ା ହୋଇ ଗପ କରୁଥାଉ । ଶେଷକୁ ଯେତେବେଳେ ଜାହାଜରେ ଚଢ଼ିବା ପାଇଁ ଡାକରା ଆସିଲା ସେତେବେଳେ ବିଦାୟ ନେବାକୁ ଯାଇ ମନେ ହେଲା ଯେପରି କେତେ କାଳର ଆପଣା ଲୋକଙ୍କୁ ଛାଡ଼ିଯାଉଛି । ଏଠି ପୂରା ପାଞ୍ଚ ଦିନର ରହଣୀ ଭିତରେ ନାନା ଉପଲକ୍ଷ୍ୟରେ ଡନ୍ କାରଲୋ ଓ ତାଙ୍କର ସହକର୍ମୀମାନଙ୍କ ସହିତ ଏତେ ନିକଟତା ଓ ହୃଦ୍ୟତାର ସମ୍ପର୍କ ଅଜାଣତରେ ଗଢ଼ି ଉଠିଥିଲା ।

Image

 

ତେତ୍ରିଶ

ମେରିଆ କୋମବର୍ତ୍ତୀ

 

ଫ୍ଳୋରେନ୍‌ସ ଉଡ଼ାଜାହାଜରେ ରୋମ୍‌ରୁ ପଇଁଚାଳିଶ ମିନିଟ୍‌ର ବାଟ । ଏଠି ମୋର ରହଣୀ ଥିଲା ମାଦାମ୍ ମେରିଆ କୋମବର୍ତ୍ତୀଙ୍କ ଘରେ । ଭଦ୍ରମହିଳାଙ୍କ ବୟସ ସତୁରି ଉପରେ ହେବ । କ୍ଵେକର୍ ସଂପ୍ରଦାୟର ଓ ଶାନ୍ତିବାଦୀ, ଘରଟା ସହରର ଗୋଟାଏ ମୁଣ୍ତରେ । ବେଶ ବଡ଼ ହତାବାଡ଼ି ଥିବା ବିରାଟ ପୁରୁଣାକାଳିଆ କୋଠା, ଏକକାଳରେ ଖୁବ୍ ଅବସ୍ଥାପନ୍ନ ଥିଲେ । ଏବେ ଅବସ୍ଥା ଆଉ ସେତେ ଭଲ ନାହିଁ । ଘରର ଅନେକ ଅଂଶ ଭଡ଼ା ଲଗେଇ ଦେଇଛନ୍ତି । ସରକାରୀ କାଗଜପତ୍ରର ଇଂରେଜୀ ଅନୁବାଦ କରି ମଧ୍ୟ କିଛି ରୋଜଗାର କରିବାକୁ ପଡ଼ିଥାଏ ।

 

ସେଦିନ ସନ୍ଧ୍ୟାରେ ବସି ବସି ତାଙ୍କ ସହିତ ଖୁବ୍ ଗପ ହେଲା । ସେତେବେଳେ ଜାଣିଲି ଏ ବୁଦ୍ଧାଙ୍କର ଜୀବନଦୃଷ୍ଟି କି ଅପୂର୍ବ । ଅବହେଳିତ ଓ ଲାଂଛିତ ମାନବପାଇଁ ତାଙ୍କର କରୁଣା ଏବଂ କରୁଣାର ପ୍ରକାଶ କି ଅଭିନବ ।

 

“ଯେଉଁମାନେ ଅସୁନ୍ଦର, ଯେଉଁମାନଙ୍କର ଅନ୍ୟମାନଙ୍କ ସହ ମିଳାମିଶା କରିବାରେ ଆଚରଣ କୁଶଳତାର ଅଭାବ ରହିଥାଏ ଓ ଫଳରେ ଯେଉଁମାନଙ୍କର ସଙ୍ଗ ଅନ୍ୟମାନଙ୍କ ପ୍ରତି ଅପ୍ରୀତିକର ହେଇଥାଏ ସେମାନଙ୍କ ପାଇଁ ମୁଁ ବରାବର ସହାନୁଭୂତି ଅନୁଭବ କରି ଆସିଛି । ସୌନ୍ଦର୍ଯ୍ୟର ଅଭାବ ବା ଅନ୍ୟକୁ ଅପ୍ରୀତିକର ବୋଧ ହେଉଥିବା ଚାରିତ୍ରିକ ତ୍ରୁଟି ପାଇଁ ମଧ୍ୟ ସାଧାରଣତଃ କୌଣସି ବ୍ୟକ୍ତି ନିଜେ ଦାୟୀ ନ ଥାଏ । ପ୍ରକୃତି ଯାହାକୁ ବୁଦ୍ଧିଶକ୍ତି ଊଣା ଦେଇଥାଏ ସେ ସେତେ ବ୍ୟବହାର କୁଶଳ ହୋଇ ପାରେ ନାହିଁ । ପିଲାଦିନେ ସମାଜର ବେଷ୍ଟନୀ ଓ ପାରିବାରିକ ପରିସ୍ଥିତି ଯୋଗୁଁ ମଧ୍ୟ ମଣିଷର ବ୍ୟକ୍ତିତ୍ଵର ଗଢ଼ଣରେ ଦୋଷ ଦେଖାଯାଏ ।” ନିଜ ଜୀବନର ଅଭିଜ୍ଞତା ବର୍ଣ୍ଣନା କରି ସେ କହିଲେ ।

 

“ମୁଁ ତ ବିଚାରେ ଯେ ଯାହାକୁ ପ୍ରକୃତି ବଞ୍ଚିତ କରିଛି, ବୁଦ୍ଧି ସୌନ୍ଦର୍ଯ୍ୟ ଓ ମନୋହାରିତା ଦେଇ ନାହିଁ ତା’ର ସ୍ନେହ ବେଶୀ ଲୋଡ଼ା । ସେପରି ଲୋକକୁ ସ୍ନେହ ଦେଇ ତା’ର ଜୀବନକୁ ସରସ କରିବା ଆମର କର୍ତ୍ତବ୍ୟ ବୋଲି ମୁଁ ବିଚାରେ ।”

 

ସେ ଆହୁରି କହି ଚାଲିଲେ “ମୁଁ ସାନ ଥିବାବେଳେ ସୁନ୍ଦରୀ ନ ଥିଲି । ମୋର ବୁଦ୍ଧି ବି ବେଶୀ ନ ଥିଲା । ତେବେ ସ୍ଵାସ୍ଥ୍ୟ ଭଲ ଥିଲା, ବେଶ ଫୁର୍ତ୍ତି ଥିଲି । ମତେ ସାଙ୍ଗମାନେ ପ୍ରାୟ ପାର୍ଟି ଆଦିକୁ ଡାକୁଥିଲେ । ପାର୍ଟିମାନଙ୍କରେ ତ ନାଚ ହୁଏ ଓ ନାଚରେ ଗୋଟାଏ ପାଳି ଆସେ ଯେତେବେଳେ ଝିଅମାନେ ନିଜ ନିଜର ନାଚର ସାଥୀ ବାଛନ୍ତି । ଏହି ସମୟରେ ମୁଁ ସବା ଶେଷ ଯାଏ ଅପେକ୍ଷା କରି ରହେ ଓ ଶେଷକୁ ଯେଉଁ ଯୁବକ ଜଣକ ବଳେ, ଯାହାକୁ ଅନ୍ୟ କେହି ବାଛି ନ ଥାନ୍ତି, ତାକୁ ହିଁ ବାଛେ । ମୁଁ ସେବଠୁଁ ଭାବିବା ଆରମ୍ଭ କଲି ଯେ ମତେ ତ ପ୍ରକୃତି ଅନେକ କିଛି ଦେଇଛି । ଯାହାକୁ ନ ଦେଇଛି ତାକୁ ଆନନ୍ଦ ଦେବା ମୋର କର୍ତ୍ତବ୍ୟ ।”

 

ଏହାକୁ ସେ ନିଜ ଜୀବନରେ କିପରି ଆଚରଣରେ କରିଥାନ୍ତି ତାହା ବର୍ଣ୍ଣନା କରି ସେ କହିଲେ, “ମୋର ପୁଅ ଅଠର କୋଡ଼ିଏ ବର୍ଷର ହେଇଥିବା ବେଳେ ଆମ ଘରେ ବହୁତ ପାର୍ଟି ହେଉଥାଏ । ମୁଁ ମୋ ପୁଅକୁ ବରାବର କହେ, ‘ଦେଖ ପୁଅ, ପାର୍ଟିକୁ ପ୍ରତିଥର ଗୋଟିଏ ଅସୁନ୍ଦରୀ ଝିଅକୁ ଡାକିବୁ ଓ ତାକୁ ତୋ ସାଙ୍ଗରେ ନାଚିବା ପାଇଁ ଦୁଇ ତିନିଥର ଅନୁରୋଧ କରିବୁ । ଏଥିରେ ତୋର ତ କିଛି ମାରା ନାହିଁ, ମାତ୍ର ତାକୁ କେତେ ଭଲ ଲାଗିବ । ସୁଖର କଥା ଯେ ତା’ର ମଧ୍ୟ ଏ ଦୃଷ୍ଟି ଆସିଛି ଓ ସେ ଏ ଅଭ୍ୟାସ ରଖିଛି । ମୋର ଜଣେ ବନ୍ଧୁଙ୍କର ସ୍ଵାମୀ ମରିଗଲେ । ଯେ ବିଚାରି ଶୋକରେ ଅପ୍ରକୃତିସ୍ଥା ହୋଇ ଯାଇଥିଲେ । ମୋ ପୁଅ ତାଙ୍କ ପାଖକୁ ଯାଏ । ତାଙ୍କ ସହିତ ଖୁସି ଗପ କରେ । ଥଟ୍ଟା ଟାପରା କରେ । ତାଙ୍କର ସ୍ଵାମୀ ତ ଖୁବ୍ ବିଦ୍ଵାନ ଓ ଖ୍ୟାତନାମା ବ୍ୟକ୍ତି ଥିଲେ । ମାତ୍ର ମୋର ପୁଅର ସାନ୍ନିଧ୍ୟ ଦ୍ଵାରା ସେ ଅନୁଭବ କରନ୍ତି ଯେ ତାଙ୍କର ନିଜର ବି କିଛି ମୂଲ୍ୟ ଅଛି ।

 

“ମୁଁ ଏଭଳି ଅପ୍ରୀତିକର ଲୋକ ଜଣେ ଦୁଇ ଜଣଙ୍କୁ ଅନ୍ୟ ଆଠ ଦଶ ଜଣଙ୍କ ସହିତ ପାର୍ଟିକୁ ଡାକେ । ଅନ୍ୟମାନଙ୍କୁ ମୁଁ ଆଗରୁ କହି ଦେଇ ଥାଏ ଯେ ଆଜି ପାର୍ଟିକୁ ଏଭଳି ଜଣେ ଦୁଇଜଣ ନିରସ ବା ଗୋଆଁର ଲୋକ ଆସିବେ ମାତ୍ର ସମସ୍ତେ ଯେପରି ସେମାନଙ୍କ ସହ ମିଳାମିଶା କରନ୍ତି, ସେମାନଙ୍କୁ ଏଡ଼େଇ ନ ଯା’ନ୍ତି ।

 

“କୌଣସି ଲୋକ ଯଦି ମତେ ଭଲ ନ ଲାଗେ ତେବେ ମୁଁ ଦଶ ମିନିଟ ଟେବୁଲ ପାଖରେ ଶାନ୍ତି ଓ ନୀରବ ହୋଇ ବସିଯାଏ ଓ ସେ ମତେ କାହିଁକି ଭଲ ନ ଲାଗୁଛି ତାହା ଅନ୍ତର୍ନିରୀକ୍ଷଣ ଦ୍ଵାରା ବୁଝିବା ପାଇଁ ଚେଷ୍ଟା କରେ । ଏ ଭଲ ନ ଲାଗିବାଟା ମୋ ମନରୁ ପୋଛି ଦେବା ପାଇଁ ଚେଷ୍ଟା କରେ ।”

 

ଜଣେ ଭାରତୀୟ ଯୁବକଙ୍କ ସମ୍ଵନ୍ଧରେ ସେ ନିଜର ଅନୁଭବ ଶୁଣାଇଲେ । ଜୁରିକରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ ପାଖରେ ଜଣେ ଭାରତୀୟ ଯୁବକ ଆସି ରହିଥିଲେ । ସେ ଜାତିରେ ବ୍ରାହ୍ମଣ ମାତ୍ର ଗାନ୍ଧୀଜୀଙ୍କର ପ୍ରେରଣାରେ ଛୁଆଁ ଛୁଇଁ ନମାନିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ବାଛନ୍ଦ କରିଥିଲେ । ସେ ଭାରତରେ କୌଣସି ଆଶ୍ରମରେ ଦଶବର୍ଷ ଖଣ୍ତେ ରହିବା ଆସି ୟୁରୋପରେ ପହଞ୍ଚିଲେ । ମାଦାମ୍ କୋମବର୍ତୀ ବର୍ଣ୍ଣନା କଲେ ଯେ ତାଙ୍କ ଘର ଲୋକେ ଏଭଳି ରକ୍ଷଣଶୀଳ ଯେ ସେ ଘରକୁ ଚିଠି ଦେଲେ ଘରର ଲୋକେ ସେ ଚିଠି ହାତରେ ଛୁଉଁ ନ ଥିଲେ । ଚିମୁଟାରେ ଧରି ନିଆଁରେ ପକେଇ ଦେଉଥିଲେ ।

 

ଯାହା ହେଉ ସେ ଜୁରିକରେ କୌଣସି ପାଠାଗାରରେ କାମ କରି ରୋଜଗାର କରିବା ସାଙ୍ଗେ ସାଙ୍ଗେ ପଢ଼ାଶୁଣା ବି କରିବାକୁ ଚାହୁଁଥିଲେ । ମାତ୍ର ତାଙ୍କର ଜ୍ଞାନ କମ୍ ଥିଲା, ବୁଦ୍ଧି ବି । ଏହା ସାଙ୍ଗକୁ ତାଙ୍କଠାରେ ସରସତା ବା ମନୋହାରିତା ମଧ୍ୟ ନ ଥିଲା । ଥରେ ସେ ଭଦ୍ରମହିଳା କୁଆଡ଼େ ବାହାରକୁ ବୁଲି ଯିବା ବେଳେ ମାଦାମ୍ କୋମ୍‌ବର୍ତୀଙ୍କୁ କହିଲେ ଯେ ସେ ଡକେଇ ନେଲେ-। ଭାରତ ସହିତ ଏଇ ତାଙ୍କର ପ୍ରଥମ ପ୍ରତ୍ୟକ୍ଷ ପରିଚୟ ।

 

ଏ କାହାଣୀ ଶୁଣିବା ବେଳେ ମୁଁ ବିଚାରୁଥାଏ ଯେ ଜଣେ ଗୃହତ୍ୟାଗୀ ଦୂର ବିଦେଶର ଅଖ୍ୟାତ ଯୁବକ ପାଇଁ ମଧ୍ୟ ସ୍ନେହରେ ନିର୍ଝର ପ୍ରବାହିତ ରହିଛି, ଏତେ ଦୂର ବିଦେଶରେ । ମାତ୍ର ଆମ ଦେଶର ଅସ୍ପୃଶ୍ୟତା କଳଙ୍କର କି ମର୍ମନ୍ତୁଦ ଚିତ୍ର ଏହାଙ୍କ ଆଗରେ ଉଦଘାଟିତ ନ ହେଲା !

 

ଭାରତ ସହିତ ଏହାଙ୍କର ସମ୍ପର୍କ ଖୁବ୍ ପ୍ରଗାଢ଼ । ଆଶାଦେବୀ ଆର୍ଯନାୟକମଙ୍କ ସମେତ ବହୁ ସର୍ବୋଦୟ ପନ୍ଥୀ ଭାରତୀୟ ଆସି ଏହାଙ୍କର ଆତିଥ୍ୟ ଗ୍ରହଣ କରିଛନ୍ତି । ଆଶାଦେବୀ ଥରେ ଏଠି ସାତଦିନ କାଳ ରହିଥିଲେ ଓ ମାଦାମ୍‍ କୋମବର୍ତୀ, ସେ ଓ ଅନ୍ୟ କେତେକ ବଂଧୁ ମିଶି ଏକ ଅହିଂସାବାଦୀ ସଂଘ ଗଢ଼ିଥିଲେ ।

 

ଏଠି ବଳକା ସମୟତକ ମୁଁ ଏଠାର ଦର୍ଶନୀୟ ସ୍ଥାନ ସବୁ ଯେତେଟା ପାରେ ଦେଖିନେଲି । ଫ୍ଳୋରେନ୍‌ସ ମଧ୍ୟଯୁଗର ଇତାଲୀୟ ଏକ ପ୍ରଧାନ ପୀଠ । ବହୁ ଖ୍ୟାତନାମା ଶିଳ୍ପୀ ଏଠି ଜନ୍ମ ଗ୍ରହଣ କରିଛନ୍ତି । ସହରଟି ଛୋଟ ମାତ୍ର ଏଥିରେ ବହୁ ସୁନ୍ଦର ସୁନ୍ଦର ଗୀର୍ଜା, ଭବନ ଓ ସଂଗ୍ରହାଳୟ ରହିଛି । ମିକେଲ୍ ଆଞ୍ଜୋଲୋଙ୍କର ନିର୍ମିତ କେତେଗୁଡ଼ିଏ ବିଖ୍ୟାତ ମୂର୍ତ୍ତି ମଧ୍ୟ ଏଇଠି ଅଛି । ଦୁର୍ଭାଗ୍ୟ ବଶତଃ ଏଠାରେ ପ୍ରଧାନ ସଂଗ୍ରହାଳୟ ଗୁଡ଼ିକ ଦେଖିବାର ସୁଯୋଗ ମିଳିଲା ନାହିଁ-। ପ୍ରଧାନ ଗୀର୍ଜା ଗୁଡ଼ିକ ବୁଲି ଦେଖିଥିଲି ।

Image

 

ଚଉତିରିଶ

ନବସାମ୍ୟବାଦୀ ଦେଶରେ

 

ଏଠୁ ମୋର ବେଲଗ୍ରେଡ଼୍—ଯୁଗୋସ୍ଳୋଭିଆର ରାଜଧାନୀ—ଯିବାର କଥା । ଯୁଗୋସ୍ଳୋଭାକିଆ ଯିବାର ବିଚାର ୟୁରୋପ ଯାତ୍ରା ଆରମ୍ଭରେ ମୋର ମନରେ ନ ଥିଲା । ଚେକୋସ୍ଳୋଭାକିଆ ରୁଷ୍ ପ୍ରଭୃତି ଯିବି ବୋଲି ବିଚାରିଥିଲି । ମାତ୍ର ରୁଷ୍ ଯିବାର ବିଶେଷ ସୁବିଧା ହେଇ ପାରିଲି ନାହିଁ । ଲଣ୍ତନରେ ପହଞ୍ଚି ବୁଝିଥିଲି ଯେ ରୁଷ୍ ସରକାରର ଭିସା ମିଳିବାକୁ ଅନ୍ତତଃ ଆଠଦିନ ଲାଗିବ । ସେତେଦିନ ଗୋଟିଏ ଜାଗାରେ ଅପେକ୍ଷା କରି ବସିଲେ ତ ହେବ ? ଏହାଛଡ଼ା ସେଠି ହୋଟେଲରେ ରହିଲେ ଦୈନିକ ଖର୍ଚ୍ଚ ଅନ୍ୟୁନ ଆଠ ପାଉଣ୍ତ ବା ଶହେ ଚୌରାଳିଶ ଟଙ୍କା ପଡ଼ିବ । ରୁଷ୍‌ରେ ଦୁଇ ଚାରି ଦିନରେ କ’ଣ ବା ଦେଖି ହେବ ? ଆଉ ତା’ଠୁ ବେଶୀ ଦିନ ରହିବାକୁ ହେଲେ ଅଣ୍ଟିରେ ଧନ କାହିଁ ? ତେଣୁ ରୁଷ୍ ଯିବାର ଇଚ୍ଛା ଓ ସେ ପାଖର ବାଟକୁ ଛାଡ଼ି ଦକ୍ଷିଣ ବାଟରେ ଫେରିବାର ସ୍ଥିର କଲି । ଲଣ୍ତନରେ ଦେବୀଭାଇଙ୍କଠାରୁ ଯୁଗୋସ୍ଳୋଭିଆର ଶାନ୍ତି ସମିତିର ଅଧ୍ୟକ୍ଷଙ୍କର ନାମଧାମ ମିଳିଥିଲା । ସେଠୁ ସେ ତାଙ୍କୁ ଚିଠି ମଧ୍ୟ ଲେଖି ଦେଇଥିଲେ । ସେଠି ତିନିଦିନର ରହଣୀ ପାଇଁ ଏକ ହୋଟେଲରେ ବ୍ୟବସ୍ଥା କରାଇଥିଲି । ବେଲଗ୍ରେଡ଼ରୁ ଏଥେନ୍‌ସ ହେଇ ଦିଲ୍ଲୀ ଫେରିବାର ସ୍ଥିର ଥିଲା ।

 

ଫ୍ଳୋରେନ୍‌ସରୁ ଜୁଲାଇ କୋଡ଼ିଏ ତାରିଖ ବିପହରେ ରୋମ ହେଇ ବେଲଗ୍ରେଡ଼ରେ ଉରରଓଳି ପହଞ୍ଚିବାର ଥିଲା । ବିମାନଘାଟୀରେ ପହଞ୍ଚି ଅପେକ୍ଷା କରି ରହି ରହି ଶେଷକୁ ହଠାତ୍ ମାଇକରେ ଘୋଷଣା ଶୁଣାଗଲା ଯେ କୁହୁଡ଼ିଆ ପାଗ ଯୋଗୁଁ ରୋମ୍‌ରୁ ଆସୁଥିବା ବିମାନ ଏଠାକୁ ନ ଆସି ପିସାଠାରେ ଉତୁରିବ । ସେଇ ଅଣେଇ ହେଇଥିବା ମିନାର୍‌ର ବିଖ୍ୟାତ ପିସା । ଏଇ ବିମାନ ରୋମକୁ ଆମକୁ ନେଇଯିବାର କଥା । ଘୋଷଣା ହେଲା ଯେ ଯାତ୍ରୀମାନଙ୍କୁ ବସରେ ପିସା ନେଇ ନିଆଯିବ । ପଚାଶ ମାଇଲ ବାଟ । ମୋ ମୁଣ୍ତରେ ବିଛା କାମୁଡ଼ିଲା: ଏସବୁ ଓଲଟ ଫେର ଭିତରେ ତ ମୋର ବେଲଗ୍ରେଡ଼ଗାମୀ ବିମାନ ଯାଇ ଅଧାବାଟରେ ହେଇ ସାରିଥିବ !

 

ବିମାନଘାଟୀର କର୍ମଚାରୀଙ୍କୁ ମୁଁ ଏ ସମସ୍ୟା କଥା ଜଣାଇଲି । ଏବଂ ଆଧୁନିକ ବିମାନ ପରିବହନ ସଂଗଠନର କର୍ମକୁଶଳତାର ଏକ ଚମତ୍କାର ଅଭିଜ୍ଞତା ହାସଲ କଲି । କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ କହିଲେ ଯେ ମୁଁ ରୋମ୍‌ରୁ ବେଲଗ୍ରେଡ୍ ଗାମୀ ପରବର୍ତ୍ତୀ ବିମାନରେ ଆପଣଙ୍କର ସ୍ଥାନ ସଂରକ୍ଷଣ କରି ଦେଉଛି । ମାତ୍ର ସମୟ ସାରିଣୀରୁ ଦେଖାଗଲା ଯେ ସେଦିନ ରୋମ୍‌ରୁ ବେଲଗ୍ରେଡ୍ ଆଉ ବିମାନ ନାହିଁ । ଚବିଶ ଘଣ୍ଟା ବସି ରହିବାକୁ ହେବ । ତେବେ ପୁଣି ଖୋଜାଖୋଜି କଲାରୁ ମିଳିଲା ଯେ ମିଲାନ୍‌ରୁ ଗୋଟାଏ ବିମାନ ସନ୍ଧ୍ୟାବେଳେ ବେଲଗ୍ରେଡ଼କୁ ଯାଏ । ମାତ୍ର ତାକୁ ଧରିବାଭଳି ବିମାନ ଫ୍ଳୋରେନ୍‌ସରୁ ମିଲାନକୁ ନାହିଁ । କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ନିର୍ଣ୍ଣୟ କଲେ ଯେ ମତେ ଟ୍ରେନରେ ମିଲାନ୍ ପଠେଇ ଦେବେ । କଂପ୍ୟୁଟର ଦ୍ଵାରା ନିୟନ୍ତ୍ରିତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ମାର୍ଫତରେ କେତେ ମୁହୂର୍ତ୍ତ ଭିତରେ ବେଲଗ୍ରେଡ଼ଗାମୀ ବିମାନରେ ମୋ ପାଇଁ ସ୍ଥାନ ସଂରକ୍ଷଣ କରି ନେଲେ, ମତେ ଏକ ଟିକଟ ଦେଲେ ଓ ଜଣେ ବିମାନ ପରିଚାରିକାଙ୍କ ସହ ଟ୍ୟାକସିରେ ସହରକୁ ପଠାଇ ଦେଲେ । ଏସବୁ ଲେଖିବାକୁ ଯେତେ ସମୟ ଲାଗିଲା ତା ଠୁଁ କମ୍ ସମୟରେ ଏ କାମ ହୋଇଗଲା ।

 

ସହର ଅଫିସର ଆଉ ଜଣେ କର୍ମଚାରୀ ସେଠୁ ମତେ ନେଇ ଏକ ପ୍ରଥମ ଶ୍ରେଣୀର ଟିକଟ କାଟି ମିଲାନ୍‌ଗାମୀ ଏକ୍ସପ୍ରେସ୍ ଗାଡ଼ିରେ ବସାଇ ଦେଲେ ଓ ଖାଇବା ଖର୍ଚ୍ଚ ତଥା ଟ୍ୟାକସି ଭଡ଼ା ଆଦି ପାଇଁ ସାଢ଼େ ପାଞ୍ଚ ହଜାର ଲିରେ ମୋ ହାତରେ ଦେଲେ । ଏଥିପାଇଁ ସେମାନେ ମୋଟରେ ଦେଢ଼ଶହ ଖଣ୍ତ ଖର୍ଚ୍ଚ କଲେ ।

 

ଏଠି କହିରଖେ ଯେ ଇତାଲୀଦେଶରେ କୋଟିପତି ହେବା ଖୁବ୍ ସହଜ । ଏଠାର ମୁଦ୍ରା ଲୀରା ଟଙ୍କାକେ ଶହେ ତେର ଖଣ୍ତେ ମିଳେ । ତେଣୁ ଆପଣ ହଜାର ଟଙ୍କା ନେଇଗଲେ ସେଠି ଲକ୍ଷପତି ବୋଲେଇ ପାରିବେ ।

 

ଏହାଦ୍ଵାରା ମତେ ଇତାଲୀର ରେଲରେ ଚଢ଼ିବାର ଏକ ସୁଯୋଗ ମିଳିଗଲା । ଟ୍ରେନଟିରେ ଏ ମୁଣ୍ତରୁ ଯାଏ ଯିବା ଆସିବା ପାଇଁ ସଂଯୋଗ ବାଟ ରହିଛି । ପ୍ରଥମ ଶ୍ରେଣୀର ଡବାରେ ବସିବା ପାଇଁ ଗୋଟିଗୋଟିକିଆ ଚୌକୀ ରହିଛି, ଶୋଇବା ବ୍ୟବସ୍ଥା ନାହିଁ, ବୋଧହୁଏ ଗାଡ଼ିଟା କେବଳ ଦିନରେ ଯାତାୟାତ କରେ ବୋଲି । ପଛ ପାଖର ଶେଷମୁଣ୍ତରେ ଏକ ବୈଠକଖାନା ଡବା ଅଛି । ତା’ର ତିନି ଚାରିପାଖର ଦୃଶ୍ୟ ବେଶ ଉପଭୋଗ କରିହୁଏ ।

 

ଗାଡ଼ି ବିଦ୍ୟୁତ୍ ଦ୍ଵାରା ଚାଲୁଥାଏ । ଫ୍ଳୋରେନ୍‌ସ ଛାଡ଼ିବା ପରେ ପ୍ରଥମେ କିଛି ବାଟ ପାହାଡ଼ିଆ ଅଞ୍ଚଳ ପଡ଼ିଲା, ଉପରକୁ ଚଢ଼ିବାକୁ ପଡ଼ିଲା । ସେତେବେଳେ ତା’ର ଗତି ଘଣ୍ଟାକୁ ଷାଠିଏ ମାଇଲ ପାଖାପାଖି ଥାଏ । ମାତ୍ର ପାହାଡ଼ ଶେଷ ହୋଇ ସମତଳ ଅଞ୍ଚଳ ଆରମ୍ଭ ହେବା ମାତ୍ରେ ତା’ର ଗତି ବଢ଼ି ଘଣ୍ଟାକୁ ଶହେ ମାଇଲ ଉପରକୁ ଉଠିଲା । ଦୁଇ ଶହ ମାଇଲ ବାଟ ତିନି ଘଣ୍ଟାରୁ କମ ସମୟରେ ଅତିକ୍ରମ କରି ଆମେ ସାଢ଼େ ଚାରିଟାରେ ମିଲାନ ପହଞ୍ଚିଲୁ ।

 

ସେଠୁ ଯୁଗୋସ୍ଳୋଭିଆନ୍ ବିମାନ ପରିବହନ ସଂସ୍ଥା ‘ୟାତ୍’ର ବିମାନ ଆମକୁ ବେଲଗ୍ରେଡ଼୍ ନେଲା । ଦେଖିଲି ଯେ ଏ ବିମାନଟି ଆମେରିକାନ କମ୍ପାନୀର ତିଆରି । ଜାଗ୍ରେବ୍ ଓ ବେଲଗ୍ରେଡ଼୍ ବିମାନଘାଟିମାନଙ୍କରେ ଲକ୍ଷ୍ୟ କରି ଦେଖିଲି ଯେ ଏ ସଂସ୍ଥାର ସବୁ ବିମାନ ହୁଏ ଆମେରିକାରୁ ଆମଦାନୀ ନତୁବା ଫ୍ରାନ୍‌ସରୁ । ରୁଷ ବିମାନ ଦେଖିବାକୁ ପାଇଲି ନାହିଁ ।

 

ମିଲାନରୁ ଯାଇ ବିମାନ ପ୍ରଥମେ ଜାଗ୍ରେବରେ ଓହ୍ଳାଇଲା । କେତେ ଯାତ୍ରୀ ଉତୁରିଗଲେ, ଆଉ କେତେ ଚଢ଼ିଲେ । ଦେଖିଲି ମୋର ଆଗ ସିଟରେ ଜଣେ ଭାରତୀୟ ଭଳି ଦେଖା ଯାଉଥିବା ଭଦ୍ରଲୋକ ଆସି ବସିଲେ । ଟିକିଏ ଇତସ୍ତତଃ କରି ପଚାରିଲି । ପରିଚୟ ହେଲା, ଜାଣିଲି ପ୍ରକୃତରେ ଭାରତୀୟ । ଭଦ୍ରଲୋକ ବେଲଗ୍ରେଡ଼ରେ ଥାନ୍ତି । ନାମ ଅଶୋକକୁମାର-। ଏକ ପ୍ରସିଦ୍ଧ ଭାରତୀୟ ବ୍ୟବସାୟୀ ସଂସ୍ଥାର କର୍ମଚାରୀ ଭାବରେ ସେଠି କାମ କରନ୍ତି । କୌଣସି କାମରେ ଜାଗ୍ରେବ୍ ଆସିଥିଲେ, ଫେରୁଛନ୍ତି । ମତେ ତାଙ୍କର ମୋଟରରେ ନେଇ ହୋଟେଲରେ ପହଞ୍ଚେଇ ଦେବାକୁ ଯାଚିଲେ । ବିମାନଘାଟିରୁ ବେଲଗ୍ରେଡ଼୍ ସହର ବେଶ ଦୂର । ବାଟରେ ଖୁବ୍ ଆଳାପ ହେଲା । ଯୁଗୋସ୍ଳୋଭିଆ ବିଷୟରେ ତାଙ୍କର ମତାମତ ଶୁଣିବାକୁ ମିଳିଲା ।

 

ବାଟରେ ଦେଖିଲ ବଡ଼ ବଡ଼ ପୋଷ୍ଟର ସବୁ ଲାଗିଛି । ସେଥିରେ ‘ଜେପି’ ଲେଖା । ଜୟପ୍ରକାଶ ତ ନିଶ୍ଚୟ ବୁଝାଉ ନ ଥିବ ! ଅଶୋକକୁମାରଙ୍କୁ ପଚାରିଲି । ସେ ବୁଝାଇଲେ ଯେ ଏଇଟା ‘ଯୁଗୋସ୍ଳୋଭିଆ ପେଟ୍ରୋଲ୍’ ସଂସ୍ଥାର ବିଜ୍ଞାପନ । ଏଠି ରାଷ୍ଟ୍ରାୟତ୍ତ ଶିଳ୍ପ ବ୍ୟବସାୟଗୁଡ଼ିକ ପରସ୍ପର ସହ ପ୍ରତିଯୋଗୀତା କରିବାକୁ ଦିଆହୁଏ । ପେଟ୍ରୋଲ୍ ଉତ୍ପାଦନ କରୁଥିବା ବା ମଟର ତିଆରି କରୁଥିବା ସଂସ୍ଥା ଦୁଇ ଚାରୋଟି ଲେଖା ଅଛନ୍ତି ଓ ସେମାନେ ନିଜ ନିଜ ମାଲ ଯେପରି ଭଲ କଟିବ, ସଂସ୍ଥାର ଯଥେଷ୍ଟ ଲାଭ ରହିବ, ସେଥିପାଇଁ ଚେଷ୍ଟା କରନ୍ତି । ବିଜ୍ଞାପନ ଦିଅନ୍ତି, ଖର୍ଚ୍ଚ କମାନ୍ତି, କର୍ମକୁଶଳତା ବଢ଼ାନ୍ତି । ଫଳରେ ଏଠାରେ ଶିଳ୍ପବାଣିଜ୍ୟ କ୍ଷେତ୍ରରେ କର୍ମକୁଶଳତା ଖୁବ୍ ଉଚ୍ଚକୋଟିର ବୋଲି ସେ କହିଲେ । ସରକାରୀ ଅଫିସ୍‌ମାନଙ୍କରେ ବି ଆମ ଭଳି ଆଳସ୍ୟ ଓ ଅଯୋଗ୍ୟତା ନାହିଁ । ଫଳରେ ଦେଶ ଖୁବ୍ ଦ୍ରୁତ ଆର୍ଥିକ ଉନ୍ନତି କରୁଛି । ଖାଦ୍ୟ ପ୍ରଚୁର ମିଳେ ଓ ବେଶ ଶସ୍ତା । ଘର ବି ମିଳେ ତେବେ ସେତେ ଭଲ ନୁହେଁ । ଦେଖିଲି ଯେ ପୁଂଜିବାଦୀ ଶିଳ୍ପ ସଂସ୍ଥାର ପ୍ରତିନିଧି ହେଇ ମଧ୍ୟ ସେ ସାମ୍ୟବାଦୀ ରାଷ୍ଟ୍ରର ନୀତିକୁ ବେଶ ପସନ୍ଦ କରୁଛନ୍ତି ।

 

ମୁଁ ଯେଉଁ ହୋଟେଲରେ ରହିଲି ତାର ନାମ ‘ମ୍ୟାଜେସଟିକ’—‘ରାଜକୀୟ’ । ସାମ୍ୟବାଦୀ ରାଜ୍ୟରେ ଖାପଛଡ଼ା ନାମ । ହୋଟେଲଟା ବେଶ ବଡ଼, ତେବେ ବେଶୀ ମହଙ୍ଗା ନୁହେଁ-। ତିନି ଦିନର ଖର୍ଚ୍ଚ, ମୟ ବକଶିଶ, ଶହେ ଷାଠିଏ ଟଙ୍କା ନେଲେ । ବିଲରେ ଦେଖିଲି ଲେଖା ଅଛି ସ୍ଵସ୍ଥ୍ୟ ବୀମା ପାଇଁ ଦୈନିକ ତିନି ଦିନାର ନା କେତେ । ବେମାର ପଡ଼ିଥିଲେ ମାଗଣା ଚିକିତ୍ସା ମିଳିଥାନ୍ତି ।

 

ହୋଟେଲବାଲା ମୋ ପାଇଁ ଆସିଥିବା ବାର୍ତ୍ତା ପହଞ୍ଚିବା ମାତ୍ରେ ମତେ ଦେଲେ, ଶାନ୍ତି କମିଟିର ସଭାପତି ଭୁୟାନୋଭିଚ ଲେଖିଛନ୍ତି, ପରଦିନ ସକାଳ ଏଗାରଟାରେ ଦେଖା କରିବାକୁ ।

 

ବେଲଗ୍ରଡ଼୍ ସହରଟି ବିଶେଷ ବଡ଼ ନୁହେଁ । ଆମ କଟକ ପରି ହେବ । ମାତ୍ର ଅନ୍ୟ ତୁଳନା ଚଳିବ ନାହିଁ, କାରଣ ରାସ୍ତାଘାଟ ଢେର ବେଶୀ ପରିଷ୍କାର ପରିଚ୍ଛନ୍ନ । ସଂକୀର୍ଣ୍ଣ ଗଳି ଓ ଘିଞ୍ଚି ବସ୍ତୀ କାହିଁ ଦେଖିବାକୁ ମିଳିଲା ନାହିଁ । ତିନି ଦିନ ରହିବା ଭିତରେ ସହରଟା ଚାଲି ଚାଲି ହିଁ ବୁଲି ଦେଖିଲି । ପୁରୁଣା ସହର ଛଡ଼ା ଏଠି ରାଜଧାନୀର ଏକ ନୂଆ ଅଂଶ ମଧ୍ୟ ତିଆରି ହୋଇଛି । ଏଇଟା ପୁରୁଣା ସହରଠାରୁ ଟିକିଏ ଦୂର । ସବୁ ଆଧୁନିକ ଧରଣର କୋଠାବାଡ଼ି ଓ ତାହା ଭିତରେ ସବୁଠାରୁ ଉଚ୍ଚ ବାର ମାହାଲା ନା ତେର ମାହାଲା ଘରଟା ହେଲା କମ୍ୟୁନିଷ୍ଟ ପାର୍ଟିର ଅପଶସ୍ ।

 

ସହରଟି ଡାନ୍ୟୁବ୍ ନଈ କୂଳରେ । ନଈଟି ଏଠି ବାଙ୍କି ଯାଇଛି । ଓ ଦକ୍ଷିଣ ଦିଗରୁ ଆସି ସହର ଉପକଣ୍ଠରେ ତାହା ସହିତ ମିଶିଛି ସାଭା ନଦୀ । ଏହିରୂପେ ସହରର ଦୁଇ ପାଖ ନଈ ଘେରି ରହିଛି, ଅନେକଟା ଆମ କଟକ ପରି ।

 

ଅନେକ ଉପରେ, ଭିଏନାଠାରେ, ଦାନ୍ୟୁବ୍‌ର ପ୍ରଥମ ଦର୍ଶନ ମିଳିଥିଲା । ସେଠିକା ଓ ଏଠିକା ରୂପ ଭିତରେ ବହୁତ ଫରକ । ସେଠି ସେ ଥିଲା କ୍ଷୀଣକାୟା, ଏଠି ବିଶାଳବକ୍ଷା, କଟକ ପାଖ କାଠଯୋଡ଼ି ପରି ପ୍ରାୟ । ନଦୀର ବକ୍ଷକୁ ଏକାଧିକ ଧାରାରେ ବିଭକ୍ତ କରି ମଝିରେ ଶୋଭାପାଉଛି ଗୁଳ୍ମ ମଣ୍ତିତ ଦ୍ଵୀପ । ସହରର ଗୋଟାଏ ମୁଣ୍ତରେ ନଈକୂଳରେ ଏକ ବିରାଟ ଉଦ୍ୟାନ ରହିଛି । ସେଠାରୁ ନଈର ଦୃଶ୍ୟ ଅତି ମନୋରମ । ଏ ଉଦ୍ୟାନ ଭିତରେ ଏକ ପୁରୁଣା ଦୁର୍ଗ ଓ ଏକ ସାମରିକ ସଂଗ୍ରହାଳୟ ମଧ୍ୟ ରହିଛି । ଅନ୍ୟ ଅଂଶରେ ସାଭା ନଦୀ ପୁରୁଣା ସହର ଓ ନୂଆ ରାଜଧାନୀ ମଝି ଦେଇ ବହି ଯାଇଛି । ଏ ନଦୀଟି ବେଶୀ ଚଉଡ଼ା ନୁହେଁ । ସେ ପାଖରୁ ପୁରୁଣା ସହରର ଦୃଶ୍ୟ ମଧ୍ୟ ଖୁବ୍ ସୁନ୍ଦର ।

 

ଶାନ୍ତି ସମିତିର ଅଫିସଟି ଉଲିକା ନାରୋଦନୋଗ୍ ଫ୍ରଣ୍ଟ । ଅର୍ଥାତ୍ ‘ଜନ ସାମ୍ମୁଖ୍ୟ ପଥ’ରେ ଅବସ୍ଥିତ । ଏ ସହରର ରାସ୍ତାମାନଙ୍କର ନାମ ସବୁ ଏହିପରି—ମାର୍କସ ଓ ଏଙ୍ଗେଲସ୍ ମାର୍ଗ, ସର୍ବହାରା ବାହିନୀ ପଥ ଇତ୍ୟାଦି ।

 

କୋଠାର ଚାରି ମାହାଲା ଉପରେ ଶାନ୍ତି ସମିତି ଅଫିସରେ ଶ୍ରୀ ଭୁୟାନୋଭିଚ ଭେଟ ହେଲେ । ଦୀର୍ଘକାୟ ସୁପୁରୁଷ । ବୟସ ଷାଠିଏ ପାଖ । ସମାଦରରେ ନେଇ ବସାଇଲେ ଓ ଭାରତର ସର୍ବୋଦୟ ଆନ୍ଦୋଳନ ତଥା ସାଧାରଣ ପରିସ୍ଥିତି ବିଷୟରେ ଆଗ୍ରହର ସହିତ ବାରମ୍ଵାର ପ୍ରଶ୍ନ ପଚାରି ସବୁକଥା ଜାଣିବାକୁ ଚାହିଁଲେ । ଭାରତର ଜମି ସମସ୍ୟାର ସମାଧାନ ନିକଟ ଭବିଷ୍ୟତରେ ହେବାର କେତେଦୂର ସମ୍ଭାବନା ଅଛି ତାହା ଜାଣିବାକୁ ଚାହିଁଥିଲେ । ସରକାରୀ ଉଦ୍ୟମ କି ଭଳି ଏ ଦିଗରେ ଅତି ବେପରଓ୍ୟା ଭାବରେ ଚାଲିଛି ତାହା ଦର୍ଶାଇଲି ଓ ଗ୍ରାମଦାନ ମାଧ୍ୟମରେ ଯେଉଁ ଉଦ୍ୟମ ଚାଲିଛି ତା’ର ପରିଚୟ ଦେଲି ।

 

ଇତିମଧ୍ୟରେ ଏଠାର ଶ୍ରମିକ ସଂଘମାନଙ୍କର ରାଷ୍ଟ୍ରୀୟ ମହାସଂଘର ଜନୈକ ବିଶିଷ୍ଟ କର୍ମୀ ଶ୍ରୀ ସାବା ତ୍ରସୀକାପା ଆସି ଆମ ସାଙ୍ଗରେ ଯୋଗଦେଲେ । ଏଠାର ଶ୍ରମିକ ଆନ୍ଦୋଳନ ସମ୍ଵନ୍ଧରେ ମଧ୍ୟ ମୁଁ ଜାଣିବାକୁ ଉତ୍ସୁକ ବୋଲି ପୂର୍ବରୁ ଲେଖିଥିବାରୁ ଭୁୟୋନୋଭିଚ୍ ତ୍ରସୀକାପାଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ।

 

ଭାରତ ବିଷୟରେ ଆଲୋଚନା ପ୍ରସଙ୍ଗରେ ଦେଖିଲି ଯେ ଏମାନେ ଏଠା ବିଷୟରେ ବେଶ୍ ଖବର ରଖନ୍ତି । ଇନ୍ଦିରା ଗାନ୍ଧୀଙ୍କର ସରକାରର ଗତିବିଧି ବିଷୟରେ ସେମାନେ ଉତ୍ସୁକ ଭାବରେ ପ୍ରଶ୍ନ କରିଥିଲେ । ୟୁରୋପରେ ସର୍ବତ୍ର ଦେଖିଛି ଯେ ଜଣେ ମହିଳା ଗୋଟାଏ ଏତେ ବଡ଼ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଚାଟା ସର୍ବତ୍ର ସମସ୍ତଙ୍କୁ ବେଶ୍ ବିସ୍ମିତ କରିଛି । ଇଂଲଣ୍ତ, ଫ୍ରାନ୍‌ସ ପ୍ରଭୃତି ଦେଶମାନଙ୍କରେ ମହିଳାମାନଙ୍କୁ ଭୋଟ ଅଧିକାର ହିଁ ଏଇ ଆମ ଦେଖିବାରେ ମିଳିଛି, ବହୁତ ଲଢ଼େଇ ଭିଡ଼େଇ ପରେ । ସ୍ଵୀଜରଲ୍ୟାଣ୍ତ୍‌ରେ ତ ମୁଁ ସେଠାକୁ ଯିବା ବେଳଯାଏ ମହିଳାମାନଙ୍କର ଭୋଟ ଅଧିକାର ନ ଥିଲା, ତା’ର ଅନେକ ପରେ ଏଇ ଏବେ ସେ’ ଦିନ ମିଳିଲା ।

 

ଏପରି ଅବସ୍ଥାରେ ସେଠି କୌଣସି ମହିଳା ପ୍ରଧାନମନ୍ତ୍ରୀ ବା ତତତୁଲ୍ୟ ଉଚ୍ଚପଦକୁ ଉଠିବାର କଳ୍ପନା ସୁଦ୍ଧା ସେଠାର ଅଧିକାଂଶ ଦେଶର ଲୋକେ କରିପାରନ୍ତି ନାହିଁ । ତେଣୁ ଭାରତରେ ଯେ ଏଭଳି ଏକ କଥା ବେଶ୍ ସହଜ ଭାବରେ ଘଟିଗଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି-। ଲକ୍ଷ୍ୟକଲି ଯେ ଇନ୍ଦିରାଙ୍କ ପ୍ରତି ଏଠାରେ ଖୁବ୍ ସଦ୍ଭାବ ରହିଛି ।

Image

 

ପଞ୍ଚତିରିଶ

ଯୁଗୋସ୍ଳୋଭିଆରେ ବିପ୍ଳବ ଓ ବିକାଶ

 

ଭାରତ ବିଷୟରେ ଆଲୋଚନାରୁ କ୍ରମେ ଯୁଗୋସ୍ଳାଭିଆ ଆଡ଼କୁ ଆଲୋଚନା ମୁହାଁଇଲା । ସେଠାର ରାଜନୀତି, ଅର୍ଥବ୍ୟବସ୍ଥା, ଶ୍ରମିକ ଆନ୍ଦୋଳନ ଆଦି ବିଭିନ୍ନ ବିଷୟରେ ଆଲୋଚନା ଆଗେଇ ଚାଲିଲା । ଇତିମଧ୍ୟରେ ଭୁୟାନୋଭିଚ୍ ଆମ ଦୁଇ ଜଣଙ୍କୁ ମଧ୍ୟାହ୍ନ ଭୋଜନକୁ ନିମନ୍ତ୍ରଣ କଲେ ଓ ଆମେ ଅଳ୍ପଦୂରରେ ଥିବା ଏକ ହୋଟେଲକୁ ଗଲୁ । ସେଠି ମଧ୍ୟ ଖାଇବା ସାଙ୍ଗେ ସାଙ୍ଗେ ଓ ତାହା ପରେ ମଧ୍ୟ କଥାବାର୍ତ୍ତା ଚାଲି ଶେଷକୁ ପ୍ରାୟ ତିନିଟା ବେଳକୁ ଆମେ ବିଦାୟ ନେଲୁ ।

 

ଏ ଚାରିଘଣ୍ଟା ଭିତରେ ଅନେକ କିଛି ଜାଣିବାକୁ ମିଳିଲା, ଯାହା ଭିତରେ ମିଳିଲା ଯୁଗୋସ୍ଳୋଭିଆରେ କମ୍ୟୁନିଷ୍ଟ ଆନ୍ଦୋଳନର ଇତିହାସର ଏକ ଝଲକ ଓ ସେଥି ସହିତ ଗୁନ୍ଥି ହୋଇ ରହିଥିବା ଭୁୟାନୋଭିଚଙ୍କର ନିଜ ଜୀବନର କାହାଣୀ ।

 

ଭୁୟାନୋଭିଚ୍ ଅଳ୍ପ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ସେ ଯୁଗରେ ସେଠି ରାଜତନ୍ତ୍ର ଥିଲା ଓ ଚରମପନ୍ଥୀ ଆନ୍ଦୋଳନ ସବୁକୁ ଦୃଢ଼ ଭାବରେ ଦମନ କରାଯାଉଥିଲା । ଫଳରେ ସେ ମଧ୍ୟ ମାସେ, ଦୁଇମାସ, ଚାରିମାସ କରି ଅନେକ ଦିନ ଜେଲରେ କଟାଇଥିଲେ । ତାଙ୍କର ଭାଇ, ପୁତୁରା ପ୍ରଭୃତି ମଧ୍ୟ ସମସ୍ତେ କମ୍ୟୁନିଷ୍ଟ ଆନ୍ଦୋଳନରେ ଯୋଗ ଦେଇଥିଲେ ।

 

କ୍ରମେ ଆସିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ଓ ତାହା ଭିତରେ ଜର୍ମାନୀର ନାତ୍‍ସୀ ବାହିନୀ ଯୁଗୋସ୍ଳୋଭିଆ ଦଖଲ କରିଗଲେ । ଫଳରେ ଭୁୟୋନୋଭିଚ୍ ଓ ଅନ୍ୟ ଚରମପନ୍ଥୀ ନାତ୍‍ସୀ ବିରୋଧୀମାନଙ୍କୁ ବନ୍ଦୀ ଶିବିରରେ ଆବଦ୍ଧ କରାଗଲା । ଯୁଦ୍ଧ ଶେଷ ପର୍ଯ୍ୟନ୍ତ ସେ ବନ୍ଦୀ ରହିଥିଲେ–ମୋଟ ସାଢ଼େ ଚାରି ବର୍ଷ । ତେଣେ ଜର୍ମାନୀର ନାତ୍‍ସୀ ଶାସକ ଗୋଷ୍ଠିଙ୍କର ଶକ୍ତି କମି ଆସିବା ବେଳକୁ ଏଣେ ମାର୍ଶାଲ ଟିଟୋଙ୍କ ନେତୃତ୍ଵରେ ମୁକ୍ତିଯୁଦ୍ଧ ଆରମ୍ଭ ହେଲା ଓ ନାତ୍‍ସୀ କବଳରୁ ଯୁଗୋସ୍ଳୋଭିଆ ମୁକ୍ତ ହୋଇ ସେଠାରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହେଲା । ଭୁୟାନୋଭିଚ୍ ଜେଲରୁ ମୁକୁଳିଲେ ଓ ଦାୟିତ୍ଵପୂର୍ଣ୍ଣ ସରକାରୀ ପଦରେ ପ୍ରତିଷ୍ଠିତ ହେଲେ । ସେ ବିଭିନ୍ନ ଦେଶରେ ଯୁଗୋସ୍ଳୋଭିଆର ରାଷ୍ଟ୍ରଦୂତ ପଦରେ ମଧ୍ୟ କାମ କରିଛନ୍ତି ।

 

ଜୀବନ କାହାଣୀ ବର୍ଣ୍ଣନା ପ୍ରସଙ୍ଗରେ ତାଙ୍କ ସହିତ ମୋର ବହୁତ ସମାନତା ବାହାରିଲା-। ବୟସରେ ସେ ମୋଠୁଁ ଖଣ୍ତେ ମାତ୍ର ବଡ଼ । ପ୍ରାୟ ଏକା ସମୟରେ ଦୁହେଁ ରାଜନୀତିକ ଆନ୍ଦୋଳନରେ ପଶିଥିଲୁ । ସେ ନାତସୀ କାରାଗାରରେ ସାଢ଼େ ଚାରିବର୍ଷ କଟେଇବା ବେଳେ ମୁଁ ଇଂରେଜ ସାମ୍ରାଜ୍ୟର କାରାଗାରରେ ସେତିକି ସମୟ କଟେଇଥିଲି । ଆମ ପରିବାର ପରି ତାଙ୍କ ପରିବାରର ମଧ୍ୟ ପ୍ରାୟ ସମସ୍ତେ ମୁକ୍ତି ଆନ୍ଦୋଳନରେ ଥିଲେ । ଏହିପରି ଜୀବନର ଅଭିଜ୍ଞତାରେ ବହୁତ ସାମ୍ୟବାଦ ହେବା ଫଳରେ ଆମ ଦୁହିଁଙ୍କର ଖୁବ୍ ଜମିଲା । ଜେଲ ଅଭିଜ୍ଞତା ବିନିମୟ କଲୁ-। ମୁଁ କହିଲି ଆମେ ତ ସବୁ ଜେଲରେ ପଢ଼ାଶୁଣାରେ ସମୟ କଟାଉଥିଲୁ । ଜ୍ଞାନ ଅର୍ଜନର ସେଇଟା ଏକ ମସ୍ତ ସୁଯୋଗ ଥିଲା ।

 

ସେ କହିଲେ—ଆମେ ବି ସେୟା କରୁଥିଲୁ । ଦେଶର ସବୁଠୁଁ ବଡ଼ ବଡ଼ ଜ୍ଞାନୀ ଗୁଣୀମାନେ ତ ଜେଲଖାନାରେ ହିଁ ମିଳୁ ଥିଲେ ।

 

ନାତସୀ ଆଧିପତ୍ୟ ଓ ସ୍ଵାଧୀନତା ସଂଗ୍ରାମରେ ଏ ଦେଶକୁ ବହୁତ ଭୋଗିବାକୁ ପଡ଼ିଥିଲା । ଦେଶର ବହୁ ଶିଳ୍ପ କାରଖାନା, ରାସ୍ତା, ପୋଲ ଆଦି ନାତସୀମାନେ ଧ୍ଵଂସ କରି ଦେଇଥିଲେ ଓ ଯାହା କିଛି ବଳିଥିଲା ତାହା ମୁକ୍ତି ସେନାନୀ ଧ୍ଵଂସ କରିଦେଲେ, ନାତ୍‍ସୀମାନଙ୍କ ଗତିବିଧିରେ ବାଧା ଦେବାକୁ । ମୁକ୍ତି ପରେ ସେମାନଙ୍କୁ ସବୁକିଛି ନୂଆ କରି ଗଢ଼ିବାକୁ ପଡ଼ିଲା ।

 

“ଆପଣ ଯାହା କିଛି ଏବେ ଦେଖୁଛନ୍ତି ସେ ସବୁ ଗତ ପଚିଶ ବର୍ଷରେ ଶୂନ୍ୟରୁ ଆରମ୍ଭ କରି ଗଢ଼ା ହେଇଛି । ଏ ବେଲଗ୍ରେଡ଼୍ ସହର ମଧ୍ୟ । ଏଥିରେ ତ ଅଧିକାଂଶ କୋଠାବାଡ଼ି ଯୁଦ୍ଧବେଳେ ପୂରାପୂରି ବିଧ୍ଵସ୍ତ ବା କ୍ଷତିଗ୍ରସ୍ତ ହୋଇଥିଲା ।”

 

“ଏ ସହର ବହୁତ ଦୁଃଖ ଅତ୍ୟାଚାର ଭୋଗିଛି ।” ସେ କହି ଚାଲିଲେ “ଏକ ଘାଟୀ ଜାଗାରେ ଅବସ୍ଥିତ ହେଇଥିବାରୁ ଏହା ଉପରେ ଏହାର ଇତିହାସରେ ତେୟାଳିଶ ଥର ଆକ୍ରମଣ ହେଇ ଏହା ବିଧ୍ଵସ୍ତ ହେଇଛି । ସେଥିଭିତରୁ ତେର ଥର ତ ପୂରାପୂରି ମାଟିରେ ମିଶାଇ ଦିଆଯାଇଥିଲା । ମାତ୍ର ପ୍ରତ୍ୟେକ ଥର ପୁଣି ଉଠି ଛିଡ଼ା ହେଇଛି ।”

 

ଏ କଥା ଶୁଣୁଥିଲା ବେଳେ ମୁଁ ବିଚାରୁଥାଏ ଯେ ମାନବର ଯେଉଁ ଅମର ଆତ୍ମା ଯୁଗେ ଯୁଗେ ସମସ୍ତ ବିପର୍ଯ୍ୟୟ, ଅତ୍ୟାଚାର ଅବମାନନାର ଗ୍ଳାନିକୁ ବେଖାତିର କରି, ପରାଜିତ କରି, ମୁଣ୍ତ ଟେକି ଛିଡ଼ା ହେଇଛି, ସଦାସର୍ବଦା ମାନବର ଗୌରବ, ମାନବତାର ସାର୍ବଭୌମତ୍ଵର ଜୟ ଘୋଷଣା କରିଛି ଏ ନଗରୀ ଯେପରି ସତେ ତାହାରି ପ୍ରତୀକ ।

 

ଯୁଗୋସ୍ଳୋଭିଆର ବର୍ତ୍ତମାନ ଆର୍ଥିକ ପରିସ୍ଥିତି କଥା ପଡ଼ିଲା । ଯୁଦ୍ଧ ପରେ ସମାଜବାଦୀ ବ୍ୟବସ୍ଥା ମାଧ୍ୟମରେ ଦେଶର ଅର୍ଥବ୍ୟବସ୍ଥାର ବିକାଶ ଏମାନେ ଖୁବ୍ ଦ୍ରୁତ ଗତିରେ କରିପାରିଛନ୍ତି ଓ ପୂର୍ବରୁ ଉଲ୍ଲେଖ କରିଛି ଯେ ଏଥିରେ ଏମାନେ ଗତାନୁଗତିକ ଅର୍ଥାତ୍ ସୋଭିଏଟ୍ ରୁଷ୍‌ରେ ଅନୁସତ ଗତାନୁଗତିକ ପନ୍ଥାକୁ ଛାଡ଼ି ଏକ ଅଭିନବ ପ୍ରୟୋଗ ଆରମ୍ଭ କରିଛନ୍ତି, ଯାହାର ଦୁଇଟି ମୁଖ୍ୟ ଅଙ୍ଗ ହେଲା ଶିଳ୍ପ, ବାଣିଜ୍ୟ, କୃଷି ଆଦି ଉତ୍ପାଦକ ସଂସ୍ଥାମାନଙ୍କର ପରିଚାଳନାରେ ସେଥିରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କର କର୍ତ୍ତୃତ୍ଵ ଓ ଏକାପ୍ରକାରର ବସ୍ତୁ ଉତ୍ପାଦନ କରୁଥିବା ବା କାମ କରୁଥିବା ସଂସ୍ଥାମାନଙ୍କ ଭିତରେ ବ୍ୟବସାୟଗତ ପ୍ରତିଯୋଗିତା ।

 

ଶିଳ୍ପ, କୃଷି, ବ୍ୟବସାୟ ଆଦି ସଂସ୍ଥାମାନଙ୍କର ପରିଚାଳନା ପାଇଁ ପ୍ରତ୍ୟେକଟିରେ ଶ୍ରମିକମାନଙ୍କର ପ୍ରତିନିଧିମୂଳକ କାଉନସିଲ ବା ପରିଚାଳକ ମଣ୍ତଳୀ ରହିଛି । ସଂସ୍ଥାର କାମଦାମ, ଉତ୍ପାଦନ ଯୋଜନା, ଲାଭର ବିନିଯୋଗ, ବାର୍ଷିକ ବଜେଟ ଆଦି ପ୍ରତ୍ୟେକ ବିଷୟର ନିର୍ଣ୍ଣୟ ଏହି ପରିଚାଳକ ମଣ୍ତଳୀ କରନ୍ତି । ସଂସ୍ଥାର ମ୍ୟାନେଜର ମଧ୍ୟ ଏହି ବ୍ୟବସ୍ଥା ସଭା ହିଁ ନିଯୁକ୍ତ କରେ । ଏ ବ୍ୟବସ୍ଥା ପ୍ରବର୍ତ୍ତିତ ହେବାର ପ୍ରଥମ ଅବସ୍ଥାରେ ମଣ୍ତଳୀକୁ ଯେତେ ଅଧିକାର ଦିଆଯାଇଥିଲା ଏବେ ତାହାଠାରୁ ଅଧିକ ଅଧିକାର ଓ ସ୍ଵାତନ୍ତ୍ର୍ୟ ଦିଆଗଲାଣି । ଉଦାହରଣ ସ୍ଵରୂପ ପୂର୍ବେ ମ୍ୟାନେଜର ନିଯୁକ୍ତି ଉର୍ଦ୍ଧ୍ଵତନ କର୍ତ୍ତୃପକ୍ଷ ହିଁ କରୁଥିଲେ । ମଣ୍ତଳୀ କେବଳ ନାମ ସୁପାରିଶ କରୁଥିଲେ । ଏବେ ମଣ୍ତଳୀ ହିଁ ନିଯୁକ୍ତି ଦେଇଥାଏ । ସ୍ଥାନୀୟ ନଗରସଭା ବା ମ୍ୟୁନିସିପାଲିଟିକୁ ଏ ନିଯୁକ୍ତି ଅନୁମୋଦନ ବା ସ୍ଵୀକୃତି ପାଇ ଯାଏ, ମାତ୍ର ତାହା କେବଳ ଔପଚାରିକତା ମାତ୍ର । ପରିଚାଳକ ମଣ୍ତଳୀର ନିର୍ଣ୍ଣୟକୁ ନଗରସଭା ସାଧାରଣତଃ ମାନି ହିଁ ନେଇଥାଏ । ଯଦି କୌଣସି କ୍ଷେତ୍ରରେ ନଗରସଭା ମଣ୍ତଳୀର ନିର୍ଣ୍ଣୟକୁ ସ୍ଵୀକାର ନ କରେ ତେବେ ତାହା ପୁଣି ମଣ୍ତଳୀକୁ ପୁନର୍ବିଚାର ପାଇଁ ଫେରିଯାଏ-

 

ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ ସରକାରୀ କୃଷି କ୍ଷେତ୍ରମାନଙ୍କରେ ବିଭିନ୍ନ ବିଭାଗର ବିଭାଗୀୟ ମଣ୍ତଳୀ ମଧ୍ୟ ରହିଛି । ଏସବୁ ବିଭାଗୀୟ ମଣ୍ତଳୀ ନିଜ ନିଜ ବିଭାଗ ଭିତରେ କାମର ଯୋଜନା ଗଢ଼ନ୍ତି, ତାହା ଭିତରେ ଉଠୁଥିବା ସ୍ଥାନୀୟ ସମସ୍ୟାର ସମାଧାନ କରନ୍ତି, ଶୃଙ୍ଖଳା ରକ୍ଷାର ଦାୟୀତ୍ଵ ନିଅନ୍ତି । ସବୁ ବିଭାଗର ପ୍ରତିନିଧି ନେଇ ଗଢ଼ା ଯାଇଥିବା ସଂସ୍ଥାର ଉଚ୍ଚତମ ପରିଚାଳକ ମଣ୍ତଳୀ ଉତ୍ପାଦନ ଯୋଜନା, ବଜେଟ ଓ ଲାଭର ବିନିଯୋଗ ବିଷୟରେ ବିଚାର କରିଥାଏ ।

 

ପ୍ରତ୍ୟେକ ସଂସ୍ଥାର ଯାହା ନେଟ୍ ଲାଭ ହୁଏ ତାହାର ଅଧେ ସରକାର ନେଇଥାଏ । ଏହାକୁ ସରକାରର ତିନୋଟି ମୁଖ୍ୟ ସ୍ତର: ସ୍ଥାନୀୟ ଶାସନ ବା କମ୍ୟୁନ୍, ରିପବ୍ଳିକ୍ ବା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଅନୁପାତରେ ବାଣ୍ଟି ନିଅନ୍ତି । ବାକୀ ଅଧିକାର ଉପଭୋଗ ସେହି ଶିଳ୍ପର ସଂପ୍ରସାରଣ ପାଇଁ ପୁଂଜି ଲଗାଣ, ଶ୍ରମିକ କର୍ମଚାରୀମାନଙ୍କ ପାଇଁ ଘର, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସଂକ୍ରାନ୍ତ ସୁବିଧା ଯୋଗାଣର ବ୍ୟବସ୍ଥା ତଥା ମଜୁରି ବୃଦ୍ଧିରେ କରାଯାଏ । କେଉଁ ବାବତରେ ଲାଭର କେତେ ଅଂଶ ବ୍ୟୟ କରାଯିବ ତାହା ପରିଚାଳକ ମଣ୍ତଳୀ ହିଁ ସ୍ଥିର କରିଥାଏ ।

 

ସାଧାରଣତଃ ସଂସ୍ଥାମାନଙ୍କର ଲାଭ କ୍ଷତିର ହିସାବ ପ୍ରତି ମାସରେ କରାଯାଇଥାଏ । ବଡ଼ ବଡ଼ ସଂସ୍ଥାମାନଙ୍କରେ ଅତି ବଡ଼ରେ ତିନି ମାସରେ ଥରେ ହିସାବ ହୁଏ । ସଂସ୍ଥାର ସାଧାରଣ ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ଶ୍ରମିକମାନଙ୍କୁ ଏକ ପୂର୍ବାନୁମାନିତ (anticipatory) ବେତନ ଦିଆଯାଇଥାଏ । ଯଦି ଅନୁମାନରୁ ଅଧିକ ଲାଭ ହେବାର ଦେଖାଯାଏ ତେବେ ସେହି ଅନୁସାରେ ପ୍ରାପ୍ୟ ଅଧିକ ବେତନର ଅବଶିଷ୍ଟାଂଶ ପରେ ପୂରଣ କରିଦିଆଯାଏ । ଯଦି ଲାଭ ଊଣା ହୁଏ ବା ଓଲଟା କ୍ଷତି ହୁଏ ତେବେ ପୂର୍ବରୁ ଦିଆସରିଥିବା ବେତନର ଅଧିକା ଅଂଶଟା ଏକ ଗଚ୍ଛିତ ପାଣ୍ଠି ରିଜର୍ଭ ଫଣ୍ତ)ରୁ ପୂରଣ କରାଯାଏ । ଲାଭର କେତେକ ଅଂଶ ଏହି ଉଦ୍ଦେଶ୍ୟରେ ଏ ପାଣ୍ଠି ଆକାରରେ ଜମା କରାଯାଏ ।

 

ଆମେ ଯେଉଁ ହୋଟେଲରେ ଯାଇ ମଧ୍ୟାହ୍ନ ଭୋଜନ କଲୁଁ ତାହା ‘ମେଟ୍ରୋପୋଲ୍ ଏଣ୍ଟରପ୍ରାଇକ୍’ ନାମକ ଏକ ସଂସ୍ଥାର ଅନ୍ତର୍ଗତ । ଏହା ହାତରେ ଅନେକଗୁଡ଼ିଏ ହୋଟେଲ ଓ ରେସ୍ତୋରାଁ ଅଛି । ଏହିଭଳି ସଂସ୍ଥା ବେଲ୍‌ଗ୍ରେଡ଼୍ ସହରରେ ତିନି ଚାରୋଟି ରହିଛି । ପ୍ରତି ସଂସ୍ଥା ଅନ୍ତର୍ଗତ ଅନ୍ତର୍ଗତ ପ୍ରତ୍ୟେକ ହୋଟେଲ ଓ ରେସ୍ତୋରାଁର ନିଜସ୍ୱ ପରିଚାଳକ ମଣ୍ଡଳୀ ରହିଛି, ପୁଣି ସମଗ୍ର ସଂସ୍ଥାର ଏକ ସର୍ବୋଚ୍ଚ ମଣ୍ତଳୀ । ଏ ସଂସ୍ଥାଗୁଡ଼ିକର ଅନ୍ତର୍ଭୁକ୍ତ ହୋଟେଲ ବା ରେସ୍ତୋରାଁ ଅମୁକ ସଂସ୍ଥାରେ ରହିବାକୁ ବାଧ୍ୟ ନୁହନ୍ତି । କୌଣସି ହୋଟେଲର ପରିଚାଳକ ମଣ୍ତଳୀ ଇଚ୍ଛା କଲେ ଗୋଟିଏ ସଂସ୍ଥାକୁ ଛାଡ଼ି ଅନ୍ୟ ଗୋଟିକରେ ଯୋଗ ଦେଇ ପାରନ୍ତି ।

 

ହୋଟେଲ ଆଦିକୁ ଗରାଖ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ସଂସ୍ଥା ବିଜ୍ଞାପନ ଦେଇଥାନ୍ତି ଓ ଗରାଖମାନଙ୍କ ସୁଖ ସୁବିଧା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ସଂସ୍ଥାର ଲାଭରେ ଓ ସୁନାମରେ ପ୍ରତ୍ୟେକ କର୍ମଚାରୀ ଅଂଶୀଦାର ହେଇଥିବାରୁ କାମଦାମରେ ଖୁବ୍ ତତ୍ପରତା ଦେଖାଇଥାନ୍ତି । ଗରାଖମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ଦୋକାନ ବଜାରରେ ମଧ୍ୟ ସେଇତା ଦେଖିବାକୁ ପାଇଲି ।

 

ହୋଟେଲରେ ସେଦିନ ନିରାମିଷ ଖାନା କ’ଣ ମିଳିବ ବୋଲି ପରିଚାରକକୁ ପଚାରିବାରୁ ସେ ବୁଝାଇଲା ଯେ ‘ରିସୋର୍ତୋ’ ଖୁବ୍ ଭଲ ହେବ । ଭୁୟାନୋଭିଚ୍ ମଧ୍ୟ ତାକୁ ସମର୍ଥନ କଲାରୁ ମୁଁ କହିଲି ତା’ହେଲେ ‘ରିସୋର୍ତୋ’ ଆସୁ । ତା’ ସାଙ୍ଗକୁ ସର୍ବିୟାନ୍ ସାଲାଡ଼୍ ଆସିଲାରୁ ଦେଖିଲି ଯେ ‘ରିସୋର୍ତୋ’ ମାନେ ଏକପ୍ରକାର ଖେଚୁଡ଼ି, ସେଥିରେ କୋବି, ସୀମ, ଗାଜର, ପିଆଜ ପରିବା ମିଶିଛି । ପରିବା ଅଂଶ ଟିକେ ବେଶୀ ଓ ଆମର ଖେଚୁଡ଼ି ରନ୍ଧାରେ ଚାଉଳଟା ଯେପରି ପୂରା ନରମ ହୋଇ ଘାଣ୍ଟି ହୋଇ ଯିବାରେ ଖେଚୁଡ଼ିର ଗୁଣ, ରିସୋର୍ତୋରେ ସେପରି ନ ହୋଇ ଭାତ ଗୋଟା ରହିଛି । ମଖନ ସଂଯୋଗରେ ଖାଇବାକୁ ବେଶ୍ ସୁସ୍ଵାଦୁ । ସର୍ବିଲାନ୍ ସାଲାଡ଼୍ ଆମ ଭୂଦାନ ଅଫିସ୍ ସାଲାଡ଼୍‌ଠାରୁ ଭିନ୍ନ ନୁହେଁ । ଏଥିରେ ଚେକା ଚେକା ହୋଇ କଟା ହୋଇଥିବା ଟୋମାଟୋ, କାକୁଡ଼ି, ପିଆଜ ଓ ପ୍ରଚୁର ଲଙ୍କାମରିଚ । ଦେଖିଲି ଏଠି ଲଙ୍କାମରିଚ ଖୁବ୍ ଚଳେ । ନାମ ପାପ୍ରିକା ।

 

ଗୋଟାଏ କଥା ଲକ୍ଷ୍ୟ କଲି ଯେ ଅନ୍ୟ ଦେଶ ପରି ଏଠା ହୋଟେଲର ପରିଚାରକମାନଙ୍କ ଭିତରେ ନ୍ୟୁନ ଭାବ ନାହିଁ ।

 

ୟୁରୋପର ଦେଶମାନଙ୍କରେ ଉଚ୍ଚ ନୀଚ ଭାବ ଆମ ଦେଶ ପରି ଉତ୍କଟ ନ ହେଲେ ମଧ୍ୟ ବେଶ୍‍କିଛି ଦେଖିବାକୁ ମିଳେ । ଉଚ୍ଚପଦସ୍ଥ ଓ ନିମ୍ନପଦସ୍ଥ ଲୋକଙ୍କ ଭିତରେ ଗୋଟାଏ ଦୂରତ୍ଵ ଥାଏ । ନିମ୍ନପଦସ୍ଥ କେତେ ଗୋଟିଏ ମର୍ଯ୍ୟାଦା ଜଗି ଚଳନ୍ତି । ଏଠି ସେଟା ନ ଥିବାର ବା କମ୍ ଥିବାର ମନେ ହେଲା । ପରିଚାରକମାନେ ବେଶ ସହଜ ସମାନତାର ସହ ଆଚରଣ ଓ କଥାବାର୍ତ୍ତା କରିବାର ମନେ ହେଲା ।

 

ଶିଳ୍ପ, ବ୍ୟବସାୟ ସଂସ୍ଥାର ପରିଚାଳକ ମଣ୍ତଳୀକୁ ଦେଖରେଖ କରିବାର ଅଧିକାର ସ୍ଥାନୀୟ ସ୍ଵାୟତ୍ତ ସଂସ୍ଥା କମ୍ୟୁନ ବା ପଞ୍ଚାୟତର ରହିଛି । ଯଦି କୌଣସି ସଂସ୍ଥାର ପରିଚାଳନାରେ ଗୁରୁତର ବିଶୃଙ୍ଖଳା ଦେଖାଯାଏ ତେବେ କମ୍ୟୁନ୍ ତାହାର ପରିଚାଳନା ମଣ୍ତଳୀକୁ ଭାଙ୍ଗିଦେଇ ଏଡ଼୍‌ହକ୍ ମଣ୍ତଳୀ ନିଯୁକ୍ତ କରିପାରେ । କମ୍ୟୁନମାନେ ଲାଭର ଅଂଶ ପାଉଥିବାରୁ ସଂସ୍ଥାର ସୁପରିଚାଳନା ଉପରେ ନଜର ରଖିଥାନ୍ତି ।

 

ମୁଁ ପଚାରିଲି ଯେ ଏ ସବୁ ଭିତରେ ସ୍ଥାନୀୟ ରାଜନୀତି ବି ଚାଲେ କି ନାହିଁ ? ବ୍ୟକ୍ତିମାନେ କ୍ଷମତାଲିପସା ବା ପରସ୍ପରର ବ୍ୟକ୍ତିଗତ ବିରୋଧ ଆଦି ଯୋଗୁଁ ଦଳାଦଳି ଓ ଠେଲାପେଲା ଏସବୁ ଭିତରେ ଚାଲେ କି ନାହିଁ ?

 

ଭୁୟାନୋଭିଚ୍ ଉତ୍ତର ଦେଲେ ଯେ ସେଭଳି ମଧ୍ୟ ଘଟେ ଓ ସ୍ଥାନୀୟ ରାଜନୀତିବାଲା ନାନା ଉଦ୍ଦେଶ୍ୟ ନେଇ ସଂସ୍ଥା କାମରେ ହସ୍ତକ୍ଷେପ କରନ୍ତି । ଏସବୁ ସତ୍ତ୍ଵେ ଶ୍ରମିକ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଏ ଦେଶର ଆର୍ଥିକ ବିକାଶ ବେଶ ଭଲଭାବରେ ଚାଲିଛି । ଦେଖାଯାଉଛି ଯେ ଏ ଦେଶର ରାଷ୍ଟ୍ରୀୟ ଉତ୍ପାଦନର ପରିମାଣ ବର୍ଷକୁ ଶତକଡ଼ା ଆଠରୁ ଦଶଭାଗ ବଢ଼ୁଛି । ଭାରତରେ ଆମର ବୃଦ୍ଧିର ହାର ମାତ୍ର ଅଢ଼େଇରୁ ତିନିଭାଗ ।

 

ଆଲୋଚନା ପ୍ରସଙ୍ଗରେ ଯୁଗୋସ୍ଳାଭ ବନ୍ଧୁମାନେ ଗୋଟିଏ କଥା ଉପରେ ଖୁବ୍ ଜୋର ଦେଇ ବୁଝାଇଲେ ଯେ ସେ ଦେଶର ଶିଳ୍ପ-ବ୍ୟବସାୟ ଆଦିର ମାଲିକ ରାଷ୍ଟ୍ର ବା ସରକାର ନୁହେଁ, ସେ ସବୁ ସମାଜର ସମ୍ପତ୍ତି । ଏହିରୂପେ ସେମାନେ ସମାଜ ଓ ରାଷ୍ଟ୍ରର ଭିତରେ ପାର୍ଥକ୍ୟ କରନ୍ତି ଓ ରାଷ୍ଟ୍ର ହାତରେ କ୍ଷମତାର କେନ୍ଦ୍ରୀକରଣ ଚାହାନ୍ତି ନାହିଁ । ସର୍ବୋଦୟ ଆନ୍ଦୋଳନରେ ଗ୍ରାମୀକରଣ ମାଧ୍ୟମରେ ଜମି ଉପରେ ସମାଜର ମାଲିକାନା କାଏମ କରିବାର କଳ୍ପନା ସହିତ ଏ ବିଚାରର ସାମ୍ୟ ରହିଛି ।

Image

 

ଛତ୍ରିଶ

ଯୁଗୋସ୍ଳାଭିଆ ବିଷୟରେ ଆହୁରି

 

ଯୁଗୋସ୍ଳାଭିଆର ଆର୍ଥିକ ସ୍ତର ପଶ୍ଚିମ ୟୁରୋପର ଦେଶମାନଙ୍କଠାରୁ ଯଥେଷ୍ଟ ତଳେ । ମାତ୍ର ଅନ୍ୟ ଗରିବ ଦେଶ ତୁଳନାରେ ଯଥେଷ୍ଟ ଉନ୍ନତ । ଏଠାରେ ଶ୍ରମିକମାନଙ୍କର ସାଧାରଣ ମଜୁରୀ ହାର ମାସକୁ ସାଢ଼େ ଛଅ ଶହରୁ ନଅ ଶହ ଟଙ୍କା ପର୍ଯ୍ୟନ୍ତ । କାମ ଓ ବ୍ୟକ୍ତିଗତ ଉତ୍ପାଦନ କ୍ଷମତା ଅନୁସାରେ ମଜୁରୀରେ ତାରତମ୍ୟ ଘଟିଥାଏ ।

 

ଗାଁର ଚାଷୀମାନଙ୍କର ଆୟର ସ୍ତର ବେଶ ଭଲ, ତେବେ ସଠିକ ହିସାବ ଦେବା କଠିନ ବୋଲି ବନ୍ଧୁମାନେ କହିଲେ । ପରିବାରର ମାସିକ ଆୟ ପାଞ୍ଚଶହରୁ ସାତଶହ ଭିତରେ ହେବ । ଦେଶର ଶତକଡ଼ା ଅଠଚାଳିଶ ଭାଗ ଲୋକ ଚାଷରୁ ଚଳନ୍ତି । ଚାଷଜମିର ଅଶିଭାଗ ବ୍ୟକ୍ତିଗତ ଚାଷୀଙ୍କ ହାତରେ ଓ କୋଡ଼ିଏ ଭାଗ ସାମୂହିକ କୃଷିକ୍ଷେତ୍ରରେ । ମାତ୍ର କୃଷି ଉତ୍ପାଦନର ଶତକଡ଼ା ଷାଠିଏ ଭାଗ ସାମୂହିକ କୃଷିକ୍ଷେତ୍ରରୁ ଆସିଥାଏ ବୋଲି ସେ ଜଣେଇଲେ ।

 

ସବୁ ଜମିରେ ସାମୂହିକ ଚାଷର ପ୍ରବର୍ତ୍ତନ ବିଷୟରେ ସେମାନେ କ’ଣ ବିଚାରୁଛନ୍ତି ବୋଲି ପଚାରିବାରୁ ସେ କହିଲେ ଯେ, ଏ ଦେଶରେ ବିପ୍ଳବ ପରେ ସେଭଳି କରିବା ଉଦ୍ୟମ ହୋଇଥିଲା ମାତ୍ର ତା’ର ପରିଣାମ ଭଲ ହେଲା ନାହିଁ । ଉତ୍ପାଦନ ଉପରେ ତା’ର ମନ୍ଦ ପ୍ରଭାବ ପଡ଼ିଲା, ତେଣୁ ସେ ବ୍ୟବସ୍ଥା ବଦଳାଇ ଦିଆହେଲା ଓ ବ୍ୟକ୍ତିଗତ ଚାଷକୁ ସୁବିଧା ଦିଆଗଲା । ଏଠି ଏକର ପିଛା ଉତ୍ପାଦନ ରୁଷର ଦୁଇଗୁଣ ବୋଲି ସେ କହିଲେ ।

 

ବ୍ୟକ୍ତିଗତ ଚାଷୀଙ୍କ ହାତରେ ଅଧିକତମ ଜୋତର ପରିମାଣ ଦଶ ହେକଟାର ବା ପଚିଶ ଏକର । ସାମୂହିକ କୃଷିକ୍ଷେତ୍ର ପକ୍ଷରୁ ଚାଷୀମାନଙ୍କୁ ଉତ୍ପାଦନ ବଢ଼ାଇବା ଦିଗରେ ନୂଆ ନୂଆ ପଦ୍ଧତି ଶିଖାଇବା କାମ ମଧ୍ୟ ହୁଏ । ସାମୂହିକ କୃଷିକ୍ଷେତ୍ରମାନଙ୍କରେ ଶ୍ରମିକମାନଙ୍କ ମଜୁରୀ ସହରର କଳକାରଖାନା ଅପେକ୍ଷା ବି ଅନେକ କ୍ଷେତ୍ରରେ ବେଶୀ । ତାହାଛଡ଼ା ସେମାନେ ଘରୋଇ ଚାଷ ପାଇଁ କିଛି କିଛି ଜମି ପାଇଥାନ୍ତି, ଖାଦ୍ୟ ଶସ୍ତାରେ ପାଇଥାନ୍ତି ଓ ଘର ମଧ୍ୟ । ଏହିରୂପେ ସହରର ଶ୍ରମିକଙ୍କ ଅପେକ୍ଷା ସେମାକେ ଅଧିକ ଭଲରେ ଥା’ନ୍ତି ବୋଲି ବନ୍ଧୁମାନେ ମତ ଦେଲେ ।

 

ବ୍ୟକ୍ତିଗତ କୃଷିକୁ ଚାଲୁ ରଖିବାର ଆଉ ଏକ କାରଣ ମଧ୍ୟ ଆଲୋଚନା ପ୍ରସଙ୍ଗରେ ଦୃଷ୍ଟିକୁ ଆସିଲା । ଏଠି କଳକାରଖାନାରେ ଯେତେ ପୁଂଜି ଲଗାଣ ହୋଇଛି ସେ ଅନୁପାତରେ ଉତ୍ପାଦନ କମ ହେଉଛି, ଅର୍ଥାତ୍ ସେ ସବୁର କର୍ମକୁଶଳତା ବା ଏଫିସିଏନ୍ସୀ ଯଥେଷ୍ଟ ଊଣା ରହିଛି । ଏବେ କେତେ ବର୍ଷ ହେଲା ଦେଶର ଶିଳ୍ପସଂସ୍ଥାମାନଙ୍କର କୁଶଳତା ବୃଦ୍ଧି ଦିଗରେ ଜୋର ଦିଆଯାଉଛି । ସେ ସବୁଥିରେ କାମ କରୁଥିବା ଲୋକଙ୍କ ସଂଖ୍ୟା କମେଇ ଦେଇ ଓ ଅନ୍ୟ ଭାବରେ ସେ ସବୁର କାମକୁ ସୁବ୍ୟବସ୍ଥିତ କରାଯାଉଛି । ଏ ସବୁ ଫଳରେ କଳକାରଖାନାମାନଙ୍କରେ ନୂଆ ନୂଆ କର୍ମସଂସ୍ଥାନର ସମ୍ଭାଦିନା ପୂର୍ବ ଅପେକ୍ଷା ଊଣା ହୋଇଯାଇଛି । ତେଣୁ ଗାଁରୁ ଅଧିକ ଲୋକ ସହରକୁ ଆସିବା ଏଠାର ଶାସକମାନେ ଚାହୁଁ ନାହାନ୍ତି । ସେଥିପାଇଁ ଚାଷରୁ ଚାଲୁ ବ୍ୟବସ୍ଥାରେ ସେମାନେ କୌଣସି ରକମର ବିକ୍ଷେପ ସୃଷ୍ଟି କରିବାକୁ ଚାହାନ୍ତି ନାହିଁ ।

 

ଏଠାର ଛାତ୍ର ଓ ଯୁବକଙ୍କର ମତିଗତି ବିଷୟରେ ପଚାରିଲି । ଜଣାଗଲା ଯେ ଅନ୍ୟ ଅନେକ ଦେଶ ପରି ପ୍ରବଳ ନ ହେଲେ ମଧ୍ୟ ଛାତ୍ରମାନଙ୍କ ଭିତରେ ଏଠି ଚହଳ ରହିଛି । ଅଳ୍ପ ଦିନ ତଳେ ଏଠା ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନର ଦାବୀ, ଯଥା ବିଶ୍ଵବିଦ୍ୟାଳୟମାନଙ୍କର ପରିଚାଳନାରେ ଛାତ୍ରମାନଙ୍କର ପରାମର୍ଶ ଗ୍ରହଣ, ଓ ଦେଶର ସାଧାରଣ ପରିସ୍ଥିତି ବିଷୟରେ ମଧ୍ୟ କେତେକ ଦାବୀ କରି ଏକ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିଥିଲେ-। ରାଷ୍ଟ୍ରପତି ଟିଟୋ ସ୍ଵୟଂ ଏହାକୁ ସ୍ଵାଗତ କଲେ, ବିକ୍ଷୋଭକାରୀଙ୍କ ସଭାରେ ଆସି ପହଞ୍ଚିଲେ ଓ ଛାତ୍ରଙ୍କର ମୁଖ୍ୟ ମୁଖ୍ୟ ଦାବୀଗୁଡ଼ିରୁ ସମର୍ଥନ କଲେ । ଫଳରେ ଏ ଆନ୍ଦୋଳନର ସମାଧାନ ସୁରୁଖୁରୁରେ ହେଇଗଲା ।

 

ଏଠି ଛାତ୍ରମାନଙ୍କ ଭିତରେ ନାନା ଧରଣର ସାନବଡ଼ ଗୋଷ୍ଠୀ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ଧରି ରହିଛି ବୋଲି ଭୂୟାନୋଭିଚଙ୍କ କଥାରୁ ଜଣାଗଲା । ତାହା ଭିତରେ ସମାଜବାଦ ବା ସାମ୍ୟବାଦର ସମାଲୋଚନା ଓ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟ ଅଛି ମାତ୍ର ସେଥିରେ ଅତି ସମାନ୍ୟ ସଂଖ୍ୟକ ଲୋକ ଅଛନ୍ତି ବୋଲି ସେ ଜଣାଇଲେ । ଏକ ମାଓବାଦୀ ଗୋଷ୍ଠୀ ମଧ୍ୟ ଥିବାର କଥା ଶୁଣି ସେମାନେ ଏଠି କି ବିଚାର ବାଢ଼ୁଛନ୍ତି ବୋଲି ମୁଁ ପଚାରିଲି ।

 

ଭୁୟୋନୋଭିଚ୍ ଜବାବ ଦେଲେ ଯେ ଆଜି ଏ ଦେଶରେ ଯେଉଁ ପ୍ରକାରର ଆର୍ଥିକ ଅସମାନତା ରହିଛି ତାହାକୁ ଏମାନେ ପସନ୍ଦ କରୁନାହାନ୍ତି ଓ ସଂପୂର୍ଣ୍ଣ ସମାନତା ସ୍ଥାପିତ ହେବା ଚାହି ବୋଲି ଦାବୀ କରୁଛନ୍ତି । ମାତ୍ର ତାଙ୍କର ଏ ଦାବୀ ଦାରିଦ୍ର୍ୟର ସମାନତା ବା ଦାରିଦ୍ର୍ୟ ବଣ୍ଟନର ଦାବୀ ମାତ୍ର । ଏଭଳି କରି ବସିଲେ ଏ ଦେଶର ବିକାଶ ବନ୍ଦ ହୋଇିଯିବ, କାରଣ ଶିକ୍ଷିତ ଓ ବିଶେଷ ଯୋଗ୍ୟତା ପ୍ରାପ୍ତ ଲୋକେ ଅଧିକ ପାରିଶ୍ରମିକ ନ ପାଇଲେ କାମ କରିବାକୁ ରାଜି ହେବେ ନାହିଁ । ତେଣୁ ଏ ମାଓବାଦୀମାନେ ଆଦିମ ସମାନତାର ସମର୍ଥକ, ଏହାଙ୍କ ଦାବୀରେ ବ୍ୟାବହାରିକତା ନାହିଁ, ଇତ୍ୟାଦି ।

 

ଏ ଧରଣର କଥା ନୂଆ ନୁହେଁ । ଆମଦେଶରେ ମଧ୍ୟ ଭୂଦାନ ବିରୋଧରେ, ଅଧିକ ସମାନତା ବିରୋଧରେ ବଡ଼ ବଡ଼ ଲୋକେ ଠିକ୍ ଏହି ଯୁକ୍ତି ବାଢ଼ିଛନ୍ତି । ‘ଦାରିଦ୍ର୍ୟ ବଣ୍ଟନ’ ଉଦ୍ୟମର ଉପହାସ କରିଛନ୍ତି । ତେବେ ଏହା ଗୋଟିଏ ବାସ୍ତବ ଓ ଜଟିଳ ପ୍ରଶ୍ନ ମଧ୍ୟ । ରୁଷ୍ ଦେଶରେ ବିପ୍ଳବର ପରେ ପରେ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେଇଥିଲେ । ପ୍ରଥମେ କେତେଟା ସମାନତା ସ୍ଥାପନର ଉଦ୍ୟମ ସେଠାରେ ନେତା ଓ ଶାସକମାନେ କରିଥିଲେ ମାତ୍ର ପରେ ତାକୁ କୋହଳ କରିବାକୁ ପଡ଼ିଥିଲା । ଅନ୍ୟ ଦେଶପରି ତଥାକଥିତ ବଡ଼ ପାହାଚକୁ ବେଶୀ ବେତନ ସହିତ ଜୋଡ଼ିବାକୁ ପଡ଼ିଲା ।

 

ତେବେ ମୁଁ ଏସବୁ ବୟାନ ନ କରି ତାଙ୍କ କଥାର ମୃଦୁ ପ୍ରତିବାଦ କରି ଅପର ଦିଗଟା ପ୍ରତି ଦୃଷ୍ଟି ଆକର୍ଷଣ କଲି । ମୁଁ କହିଲି ଯେ ଦାରିଦ୍ର୍ୟ ଲୋପ ପାଇଁ ଉତ୍ପାଦନ ବଢ଼ାଇବାକୁ ହେଲେ ମଧ୍ୟ ଅସମାନତା କମିବା ଚାହି ବୋଲି ଆଜିକାଲି ଅର୍ଥନୀତିଜ୍ଞମାନେ ବି କହିଲେଣି । କାରଣ ତାହା ନ ହେଲେ ଦେଶର ବହୁତ ଧନ ଉତ୍ପାଦନ କାମରେ ନ ଲାଗି ଅନାବଶ୍ୟକ ବିଳାସ ସାମଗ୍ରୀରେ ବରବାଦ ହେଉଛି । ଆମ ଦେଶର ଶିକ୍ଷିତ ଲୋକେ ଆମେରିକା, ବିଲାତର ସ୍ତରକୁ ଆଖିରେ ରଖି ବେତନ ଦାବୀ କରୁଛନ୍ତି । ଭାରତରେ ବେତନ ଅତି ଊଣା ବୋଲି ପଳେଇଯାଇ ବିଲାତ ଆମେରିକାରେ ଚାକିରୀ କରୁନ୍ତି । ଏକ ଦିଗରେ ସେମାନଙ୍କୁ ଧନୀ ଦେଶମାନଙ୍କର ହାର ଅନୁସାରେ ଦରମା ଦେଇ ଅନ୍ୟ ଦିଗରେ ଦେଶର ଦାରିଦ୍ର୍ୟ ଦୂର କରିବା ଉଦ୍ୟମ ସଫଳ କରିବା ଅସମ୍ଭବ । ସେଥିପାଇଁ ଟଙ୍କା ପଇସା ଛଡ଼ା ଦେଶପ୍ରେମ, ସମାଜବୋଧ, ସେବାଭାବ ଆଦି ଅନ୍ୟ ପ୍ରେରଣାରେ କିପରି ଏମାନେ କାମ କରିବେ ତା’ର ବାଟ ଖୋଜିବା ଚାହି । ଚୀନରେ ସାଂସ୍କୃତିକ ବିପ୍ଳବ ମାଧ୍ୟମରେ ଏଇକଥା କରିବା ପାଇଁ ଉଦ୍ୟମ କରା ହେଇଥିଲା । ଆମ ଦେଶରେ ମଧ୍ୟ ଗାନ୍ଧୀଜୀ ଏହିଭଳି ଆଦର୍ଶ ଦେଶର ଯୁବକମାନଙ୍କ ସମାନାରେ ରଖିଥିଲେ ।

 

ଭୂୟାନୋଭିଚ୍ କହିଲେ, ହଁ, ଆମ ଦେଶରେ ମଧ୍ୟ ବିପ୍ଳବ ପରେ ପରେ ଏହିଭଳି ଆଦର୍ଶବାଦ ଥିଲା । ମାତ୍ର ବିପ୍ଳବ ପରେ ପଚିଶବର୍ଷ ଭିତରେ ନୂଆ ପିଢ଼ୀ ସେସବୁ କଥାକୁ ଭୁଲି ବସିଲାଣି ଓ ଏବେ ଅଧିକ ବାସ୍ତବବାଦୀ ବା ବ୍ୟବହାରବାଦୀ ଢଙ୍ଗରେ ଚିନ୍ତା କରୁଛି । ଏହା କହି ସେ ପୁଣି ସଫେଇ ଦେଲେ ଯେ ତଥାପି ଏ ଦେଶରେ ଅସମାନତା ଅନ୍ୟ ଦେଶଠୁଁ ଊଣା । ସର୍ବନିମ୍ନ ଓ ସର୍ବୋଚ୍ଚ ଆୟରେ ପାର୍ଥକ୍ୟ ସାଢ଼େ ତିନିଗୁଣରୁ ପାଞ୍ଚଗୁଣ ଭିତରେ । ଅତି ବିଶେଷ କ୍ଷେତ୍ରରେ ପାଞ୍ଚଗୁଣ ହୋଇଥାଏ ।

 

ଏହାପରେ ଶ୍ରମିକ ସଂଗଠନ ବିଷୟରେ ଚର୍ଚ୍ଚା ହେଲା । କ୍ରସିକାପା ଏଠାର ରାଷ୍ଟ୍ରୀୟ ଶ୍ରମିକ ସଂସ୍ଥାର ଏକ ଉଚ୍ଚପାହ୍ୟାର କର୍ମୀ । ସେ ବିଷୟରେ ସେ ଅନେକ କିଛି ଖବର ଦେଲେ । ଏସବୁ ଦେଶରେ ଶ୍ରମିକ ସଂଗଠନର ପ୍ରଧାନ ଆଭିମୁଖ୍ୟ ମାଲିକ ବା କର୍ତ୍ତୃପକ୍ଷଙ୍କ ସହିତ ଲଢ଼େଇ କରି ଦାବୀ ହାସଲ କରିବା ନୁହେଁ । ବିଶେଷ କରି ଏଠି ଶିଳ୍ପ ବ୍ୟବସାୟର ପରିଚାଳନା ଶ୍ରମିକ ପ୍ରତିନିଧି ହିଁ କରୁଥିବାରୁ ପରିଚାଳକ ଓ ଶ୍ରମିକ ଏକ । ତେଣୁ ଶ୍ରମିକ ସଂଘର କାମ କ’ଣ ? କ୍ରସିକାପା ଜଣାଇଲେ ଯେ ଶ୍ରମିକକୁଳକୁ ଦାୟୀତ୍ଵ ତୁଲାଇବା ପାଇଁ ତାଲିମ ଦେବା, ସେମାନଙ୍କ ପାଇଁ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିବା ଓ ଶ୍ରମିକ ପରିଚାଳକ ମଣ୍ତଳୀ ସାମନାରେ ଶ୍ରମିକମାନଙ୍କର ବିଶେଷକରି ବ୍ୟକ୍ତିବିଶେଷର ବା ଗୋଷ୍ଠୀବିଶେଷର ଦୃଷ୍ଟିକୋଣ ରଖିବାରେ ସାହାଯ୍ୟ କରିବା ଶ୍ରମିକ ସଂଘର ପ୍ରଧାନ କାମ ।

 

ସେ କହିଲେ ଯେ ଶ୍ରମିକମାନଙ୍କ ହାତକୁ ପରିଚାଳନା ଆସିବା ପରେ ଅଲଗା ଶ୍ରମିକ ସଂଘର ଆବଶ୍ୟକତା ନ ରହିବାର କଥା ମାତ୍ର ଅନେକ ସ୍ଥଳରେ ମ୍ୟାନେଜର୍ ଇଂଜିନିୟର ଗୋଷ୍ଠୀର କର୍ମଚାରୀମାନେ ସାଧାରଣ ଶ୍ରମିକମାନଙ୍କୁ ନାନା ଭାବରେ ହଇରାଣ କରିଥାନ୍ତି । ପରିଚାଳକମଣ୍ତଳୀକୁ କୌଶଳରେ ଦଖଲ କରି ନେଇଥାନ୍ତି । ସାଧାରଣ ଶ୍ରମିକ ଭରସିକରି ନିଜର ସ୍ଵାର୍ଥ ଓ ଅଧିକାର ରକ୍ଷା ପାଇଁ କିଛି କରିପାରନ୍ତି ନାହିଁ । ସେଭଳି କ୍ଷେତ୍ରରେ ଶ୍ରମିକମାନଙ୍କୁ ସଚେତନ ଓ ଆଗୁସାର କରାଇବା ଶ୍ରମିକ ଆନ୍ଦୋଳନର କାମ । ଏହାଛଡ଼ା ପରିଚାଳକମଣ୍ତଳୀର ନିର୍ଣ୍ଣୟ କୌଣସି ବ୍ୟକ୍ତି ବା ଖାସ୍ ଗୋଷ୍ଠୀ ବିରୋଧରେ ଗଲେ ଶ୍ରମିକ ସଂଘ ତାଙ୍କ ପକ୍ଷ ନେଇ ଲଢ଼େ ।

 

କଳକାରଖାନାର ମାଲିକାନା ସମାଜ ହାତକୁ ଆସିଗଲେ ହିଁ ସମାଜବାଦ ହୋଇଗଲା, ଅନ୍ତତଃ ଏଭଳି ଭ୍ରମ ଏଠି ନାହିଁ ଦେଖି ଆଶ୍ଵସ୍ତ ହେଲି । ଏହା ପରେ ମଧ୍ୟ ସାଧାରଣ ଶ୍ରମିକମାନଙ୍କୁ ସଚେତନ ଓ ସକ୍ଷମ କରିବାର ଆବଶ୍ୟକତା ଏମାନେ ବୁଝୁଛନ୍ତି ଓ ସେଥିପାଇଁ ଉଦ୍ୟମ କରୁଛନ୍ତି ।

 

ଏଠାର ଖବର କାଗଜମାନଙ୍କର ପରିଚାଳନା ବ୍ୟବସ୍ଥା ବିଷୟରେ ଜାଣିବା ପାଇଁ ଚାହିଁଲି । ସେମାନେ କହିଲେ ଯେ ଖବର କାଗଜର ବ୍ୟବସାୟିକ ପରିଚାଳନ ପାଇଁ ତ ଶ୍ରମିକ ପରିଚାଳନା ମଣ୍ତଳୀ ରହିଛି ମାତ୍ର ତା’ର ସଂପାଦକୀୟ ନୀତି ନିର୍ଣ୍ଣୟ ପାଇଁ ସଂପାଦକ ମଣ୍ତଳୀ ମଧ୍ୟ ରହିଛି । ଯେଉଁ ସଂସ୍ଥା ପକ୍ଷରୁ ଜାଗଜ ବାହାରେ, ଯଥା– କମ୍ୟୁନିଷ୍ଟ ପାର୍ଟି ବା ସୋସାଲିଷ୍ଟ ଏଲାୟନସ୍, ସେହି ଏ ସଂପାଦକ ମଣ୍ତଳୀ ନିଯୁକ୍ତ କରେ । କୌଣସି ଗୋଷ୍ଠୀ ନୂଆ ପତ୍ରପତ୍ରିକା ବାହାର କରିବାକୁ ଚାହିଁଲେ ସ୍ଥାନୀୟ କମ୍ୟୁନର ଅନୁମତି ନେବାକୁ ପଡ଼ିଥାଏ । ଏଭଳି ଅନୁମତି ସହଜରେ ମିଳେ ଓ ଏଭଳି ଅନେକ ପତ୍ରିକା ବାହାରୁଛି ବୋଲି ଜାଣିବାକୁ ମିଳିଲା ।

 

ଭୁୟାନୋଭିଚ ଏଠାର ଶାନ୍ତି ସମିତିର ସଭାପତି ବୋଲି ଆଗରୁ କହିଛି । ଏ ଶାନ୍ତି ସମିତିର ପୂରା ନାମ : “ଲୋକମାନଙ୍କର ସ୍ଵାଧୀନତା, ସମାନତା ଓ ଶାନ୍ତି ନିମନ୍ତେ ସଂଘ ।” (League for the Freedom, Equality and Peace if Peoples) ଅନ୍ୟ କମ୍ୟୁନିଷ୍ଟ ଦେଶ ପରି ସଂଘ ସାଧାରଣତଃ ଦେଶର ସରକାରୀ ବିଦେଶ ନୀତିର ହିଁ ସମର୍ଥନ କରିଥାଏ । ବିଭିନ୍ନ ସମସ୍ୟା ଉପରେ ବିବୃତି ଦେବା, ସଭାସମିତି ଆଦି କରିବା ହିଁ ଏହାର ମୁଖ୍ୟ କାମ ।

 

କଥାବର୍ତ୍ତା ଶେଷରେ ସିକ୍ରକାପା ମତେ ଅଧବାଟ ଯାଏ ବଳେଇ ଦେବାକୁ ଆସିଲେ । ସେ ଥରେ ଭାରତ ବୁଲି ଆସିଥିଲେ । ଏଠାର ଦୁଃଖ ଦାରିଦ୍ର୍ୟ ତାଙ୍କୁ ଖୁବ୍ ବ୍ୟଥିତ କରିଛି । ସେଥିପାଇଁ ସେ ବାରମ୍ଵାର କହିଲେ ଯେ ଭାରତରେ ଦାରିଦ୍ର୍ୟ ଦୂର କରିବା ପାଇଁ ସମସ୍ତେ ମିଳିତ ଭାବରେ ବଦ୍ୟମ କରିବା ଚାହି । କୌଣସି ପ୍ରକାରର ଆଦର୍ଶଗତ ବା ଦାର୍ଶନିକ ମତବାଦ ଏ ଉଦ୍ୟମର ପ୍ରତିବନ୍ଧକ ହେବା ଉଚିତ ନୁହେଁ । ଏହାଙ୍କର ଭାରତ ପ୍ରତି ଗଭୀର ବନ୍ଧୁଭାବ ରହିଥିବାର ଦେଖିଲି । ଭାରତର ସାଧାରଣ ଲୋକଙ୍କର ବ୍ୟବହାରରେ ସେ ମୁଗ୍ଧ ହୋଇଛନ୍ତି ବୋଲି ବାରମ୍ଵାର ବ୍ୟକ୍ତ କଲେ ।

 

ଏ ଦିନ ସନ୍ଧ୍ୟାବେଳଟା ବଜାରରେ ବୁଲା ବୁଲି କରି କଟେଇଲି । ଦାନ୍ୟୁବ କୂଳରେ ଥିବା ଉଦ୍ୟାନ ଦେଖିଗଲି । ଆମ ହୋଟେଲ ପାଖରେ ହିଁ ଗୋଟାଏ ବଡ଼ ସୁପର ବଜାର ଧରଣର ଦୋକାନ ଥିଲା । ପାଞ୍ଚ ମହଲା କୋଠା । ପ୍ରତ୍ୟେକ ମହଲାରେ ଗୋଟାଏ ଗୋଟାଏ ବିଭାଗ ନାନା ପ୍ରକାରର ପଣ୍ୟଦ୍ରବ୍ୟରେ ଭରି ରହିଛି । ଅନ୍ୟାନ୍ୟ ଦୋକାନମାନଙ୍କରେ ମଧ୍ୟ ଜିନିଷର ଖୁବ୍ ପ୍ରାଚୁର୍ଯ୍ୟ । ଲକ୍ଷ୍ୟକଲି ଯେ ପାଶ୍ଚାତ୍ୟ ଦେଶ—ଇଂଲଣ୍ତ, ଫ୍ରାନ୍‌ସ, ସ୍ଵୀଜରଲ୍ୟାଣ୍ତ, ଆମେରିକା ଆଦିର ତିଆରି ପ୍ରଚୁର ସାମଗ୍ରୀ, ଘଡ଼ି, କଲମ, କ୍ୟାମେରା ଆଦି, ଯଥେଷ୍ଟ ରହିଛି । ଏଠାର ସ୍ଥାନୀୟ ହସ୍ତଶିଳ୍ପର ମଧ୍ୟ ପ୍ରଚୁର ଜିନିଷ ଦେଖିବାକୁ ମିଳିଲା । କାଠର ତିଆରି କଣ୍ଟା, ଚାମଚ, କାଗଜକଟା ଛୁରୀ, ସିଗ୍ରେଟ୍ କେସ, କାଠର ନାନାପ୍ରକାରର ବାସନ ଆଦି ଅନେକ ଜିନିଷପତ୍ର । ଏସବୁର କାରୀଗରି ମଧ୍ୟ ଉଚ୍ଚକୋଟିର । ବେଶ ସୁନ୍ଦର । ଏହାଛଡ଼ା ଚମଡ଼ାର ବ୍ୟାଗ୍, କଣ୍ଢେଇ ଆଦି, ଊଲ୍‌ର ଜିନିଷ ଏସବୁ ବି ଅନେକ ଥିଲା ।

 

ମଜା ଲାଗିଲା ଦେଖି ଯେ ଗୋଟାଏ ଜୋତା ଦୋକାନରେ ରହିଛି ଇଟାଲୀରେ ତିଆରି ‘ମାଡ୍ରାସ୍’ ଜୋତା !

 

ହୋଟେଲ୍ ପାଖରେ ହିଁ ଗୋଟିଏ ସଂଗ୍ରହାଳୟ ଥିଲା, ଜନସଂସ୍କୃତି ସଂଗ୍ରହାଳୟ । ବୁଲି ଦେଖିଲି । ଯୁଗୋସ୍ଳାଭିଆର ପୁରାତନ ସଂସ୍କୃତିର ବହୁ ନିଦର୍ଶନ ରହିଛି । ତାହାଛଡ଼ା ଅନେକ ଉତ୍କୃଷ୍ଟ ଚିତ୍ର ଓ ଭାସ୍କର୍ଯ୍ୟ ମଧ୍ୟ । ଆମ ଦେଶରେ ଆମେ ସାଧାରଣତଃ ପାଶ୍ଚାତ୍ୟ ଦେଶମାନଙ୍କ ଭିତରୁ ଇଂଲଣ୍ତ, ଫ୍ରାନ୍‌ସ, ଇତାଲୀ ଓ ଜର୍ମାନୀର ଶିଳ୍ପ ଓ ଚିତ୍ରକଳା ସହିତ ପରିଚିତ । ପୂର୍ବ ୟୁରୋପ ସହିତ ବିଶେଷ ସମ୍ପର୍କ ନ ଥାଏ । ମାତ୍ର ଏଠି ମୁଁ ଅନୁଭବ କଲି ଯେ ଏ ସବୁ ଦେଶର ଭାସ୍କର୍ଯ୍ୟ ଓ ଚିତ୍ରକଳାର ସ୍ତର ମଧ୍ୟ ଊଣା ନୁହେଁ । ଶେଷଦିନ ଆଧୁନିକ ଚିତ୍ରକଳା ଓ ଭାସ୍କର୍ଯ୍ୟର ଆଉ ଏକ ସଂଗ୍ରହାଳୟ ଦେଖିବାକୁ ସମୟ ମିଳିଲା । ଏ ସଂଗ୍ରହାଳୟଟି ଏକ ଆଧୁନିକ ଶୈଳୀର ନୂତନ ଭବନରେ ରହିଛି, ଦାନ୍ୟୁବ ନଈର ଅନତି ଦୂରରେ ଏକ ପ୍ରଶସ୍ତ ଉଦ୍ୟାନ ମଝିରେ ।

 

ଷ୍ଟକହଲ୍‌ମ ଓ ପ୍ୟାରିସ୍‌ର ଅତ୍ୟାଧୁନିକ କଳା ସଂଗ୍ରହାଳୟ ପରି ଏଠି ମଧ୍ୟ ମଣିଷର ମୁଣ୍ତକୁ ଏକାବେଳକେ ଘୂରାଇ ଦେବା ଭଳି ଆଧୁନିକ ଚିତ୍ରକଳା ଓ ଭାସ୍କର୍ଯ୍ୟର ସଂଗ୍ରହ ରହିଛି । କୌଣସି କୌଣସି ଶିଳ୍ପକୃତି ଦେଖିଲେ ସନ୍ଦେହ ହୁଏ ଏହାକୁ ପ୍ରକୃତରେ ଗାମ୍ଭୀର୍ଯ୍ୟର ସହ ସୃଷ୍ଟି କରାହୋଇଛି ନା ଦର୍ଶକଙ୍କୁ ବୋକା ବନେଇବା ପାଇଁ କୌତୁକ ଛଳରେ ? ଅନ୍ୟ କେତେକ ଚିତ୍ର ବିଜ୍ଞାନଶାଳାର ଚୌମ୍ଵକୀୟ ବା ବୈଦ୍ୟୁତିକ କ୍ଷେତ୍ରର ଗ୍ରାଫ୍ ପରି ଦେଖା ଯାଉଥାଏ । ଲୁହା ବା ପିତଳର ବଡ଼ ବଡ଼ ନଟ୍ ବୋଲ୍‌ଟ ବା ମେସିନ୍‌ର ମଝିରୁ ଫାଳ ଫାଳ କରି କଟା ହେବା ପରି ଅନ୍ୟ କେତେକ ଆଧୁନିକ ଭାସ୍କର୍ଯ୍ୟ ନମୂନା ଥାଏ । ଏହିପରି କେତେ କ’ଣ । ତେବେ ଏ ସଂଗ୍ରହାଳୟ ଦେଖୁ ଦେଖୁ ଗୋଟିଏ କଥା ଖିଆଲ ହେଲା । ଯୁଗୋସ୍ଳାଭିଆରେ ଯେ ଏଭଳି ଆଧୁନିକ କଳାକୃତି ଏତେ ସୃଷ୍ଟି ହେଉଛି ଓ ସେ ସବୁକୁ ଉତ୍ସାହିତ କରାଯାଉଛି ତାହା ଏଠାର ସାଂସ୍କୃତିକ ଆବହାଓ୍ୟାର ଆଧିକ ମୁକ୍ତତା ଓ ସୃଜନଶୀଳତାର ଦ୍ୟୋତକ । ରୁଷ୍‌ରେ ଏଭଳି କଳାର ସ୍ଥାନ ନାହିଁ କହିଲେ ଚଳେ-। ସେଠି ଷ୍ଟାଲିନ୍ ଅମଳରେ ସାହିତ୍ୟ ଓ କଳାକୁ ଯେଉଁ ଲୁହା ଛାଞ୍ଚ ଭିତରେ ପକାଗଲା ତାହା ଭିତରୁ ଉଧୁରିବାର ଉଦ୍ୟମ ଷ୍ଟାଲିନଙ୍କ ଅନ୍ତେ ସାହିତ୍ୟିକ ଓ କଳାକାରମାନେ କଲେ । ମାତ୍ର ସେ ଉଦ୍ୟମ ଏବେ ବି ସଂପୂର୍ଣ୍ଣ ସଫଳ ହୋଇନାହିଁ । ଆଧୁନିକ କଳାକୁ ସେଠି ଏବେ ନିରୁତ୍ସାହିତ କରାଯାଇଥାଏ-। ଅନେକ ଆଧୁନିକ କଳା ଖ୍ରୁଶ୍ଚେଭ କହିବା ପରି ଗଧ ଲାଙ୍ଗଡ଼ ଛଟାର ପରିଣାମ ବା କଳାକାରର ପାଗଳାମୀର ଅଭିବ୍ୟକ୍ତି ହୋଇପାରେ । ମାତ୍ର କୌଣସି ସମାଜରେ ଏଭଳି ପାଗଳାମୀ ପାଇଁ ମଧ୍ୟ ସୁଯୋଗ ରହିବା ସେ ସମାଜର ସାଂସ୍କୃତିକ ଆବହାଓ୍ୟାର ମୁକ୍ତତାର ଓ ସହନଶୀଳତାର ନିଦର୍ଶନ । ଯୁଗୋସ୍ଳୋଭିଆରେ ଏହି ମୁକ୍ତତାର ସ୍ପର୍ଶ ମିଳିବାରୁ ଖୁସି ଲାଗିଲା ।

Image

 

ସଇଁତିରିଶ

ବେଲ୍‌ଗ୍ରେଡ଼୍‌ରେ ବିନୋବା ଭକ୍ତ

 

ଯୁଗୋସ୍ଳାଭିଆର ଏକ ସରକାରୀ କୃଷିକ୍ଷେତ୍ର ଦେଖିବାର ଇଚ୍ଛା ମୋର ଥିଲା ଓ ସେ କଥା ମୁଁ ଭିୟାନୋଭିଚଙ୍କୁ କହିଥିଲି । ସେ ସେଥିପାଇଁ ବ୍ୟବସ୍ଥା କରିବାର ଚେଷ୍ଟା କରିବେ ବୋଲି କହିଲେ । ତା’ପରଦିନ ମୁଁ ବେଲଗ୍ରେଡ଼ରେ ଥିବା ଭାରତର ରାଜଦୂତଙ୍କ ସହିତ ଦେଖାକରି ଗଲି । ତାଙ୍କୁ ମଧ୍ୟ ଏକଥା ସୂଚାଇଲି । ସେ ମଧ୍ୟ ସାଙ୍ଗେ ସାଙ୍ଗେ ଟେଲିଫୋନ ଯୋଗେ ଭୁୟାନୋଭିଚଙ୍କର ଅଫିସ ଓ ଅନ୍ୟ କେତେକଙ୍କ ସହିତ ସମ୍ପର୍କ କରିବା ପରେ ମତେ ଜଣାଇଲେ ଯେ ଭୁୟାନୋଭିଚଙ୍କ କଥାମତେ ଏହାର ବ୍ୟବସ୍ଥା କରାଯାଇଛି ଓ ଏ ବିଷୟରେ କଥାବାର୍ତ୍ତା କରିବା ପାଇଁ ମି: ସ୍ତୋୟନିଚ୍ ନାମକ ଜଣେ ଭଦ୍ରବ୍ୟକ୍ତି ମତେ ତାଙ୍କ ଅଫିସରେ ବାରଟାବେଳେ ତାଙ୍କୁ ଦେଖା କରିବା ପାଇଁ ଅନୁରୋଧ କରିଛନ୍ତି ।

 

ରାଷ୍ଟ୍ରଦୂତ ଶ୍ରୀ ରିକି ଜୟପାଲଙ୍କ ସହିତ ଆଳାପା ପ୍ରସଙ୍ଗରେ ଯୁଗୋସ୍ଳାଭିଆ ବିଷୟରେ କେତେକ ଆଲୋଚନା ହେଲା । ସେଠାର ଶିଳ୍ପବ୍ୟବସାୟ ଆଦିର ଶ୍ରମିକ ପରିଚାଳନା ବ୍ୟବସ୍ଥାରେ ସେ ଖୁବ୍ ପ୍ରଶଂସା କଲେ । ମୁଁ ପୂର୍ବରୁ ଯେଉଁ କଥା ଶୁଣିଥିଲି ତାହାକୁ ସେ ସମର୍ଥନ କଲେ ଯେ ଗତ କୋଡ଼ିଏ ବର୍ଷ ଭିତରେ ଏ ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଘଟିଛି, ଶ୍ରମିକ ପରିଚାଳନା ମଣ୍ତଳୀମାନଙ୍କୁ ଅଧିକ କ୍ଷମତା ମଧ୍ୟ ଏବେ ଦିଆ ଯାଇଛି । ଏଠା ଲୋକଙ୍କର କର୍ମଠତାର ମଧ୍ୟ ସେ ପ୍ରଶଂସା କଲେ । ସେ କହିଲେ “ଏମାନେ କାମ ବେଳେ ଯେମିତି ମନଦେଇ କାମ କରନ୍ତି ସେମିତି କାମ ସରିଗଲେ ଫୁର୍ତ୍ତି କରିବାରେ ବି ଆଗୁଆ । ଏଠି ଅଫିସ୍ ଆଦିରେ କାମ ସକାଳ ସାତଟାରେ ଆରମ୍ଭ ହୁଏ ଓ ଦୁଇଟା ବେଳକୁ ଛୁଟି ହୋଇଯାଏ । ସାରା ଉପରଓଳି ଓ ସନ୍ଧ୍ୟାଟା ଏମାନେ ମଉଜ ମଜଲିସ୍ କରିବା ପାଇଁ ପାଆନ୍ତି ।”

 

ତାଙ୍କର ଏ କଥା ଶୁଣି ଗୋଟାଏ ରହସ୍ୟ ପରିଷ୍କାର ହୋଇଗଲା । ହୋଟେଲରେ ମୁଁ ଲକ୍ଷ୍ୟ କରିଥିଲି ଯେ କେତେକ ଯୁଗୋସ୍ଳାଭ ଲୋକ ସକାଳୁ ଖୁବ୍ ଚଞ୍ଚଳ ଚା’ ଜଳଖିଆ ଖାଇବାକୁ ଆସୁଛନ୍ତି, ୟୁରୋପରେ ଅନ୍ୟତ୍ର ଲୋକଙ୍କୁ ଏତେ ଚଞ୍ଚଳ ଖାଇବାକୁ ଆସିବା ଦେଖାଯାଏ ନାହିଁ । ତେବେ ସକାଳୁଆ ଅଫିସ୍ ଏହାର କାରଣ ।

 

ଶ୍ରୀ ଜୟପାଲ୍ ଭାରତ ପ୍ରତି ଯୁଗୋସ୍ଳାଭିଆର ବନ୍ଧୁଭାବର କଥା ମଧ୍ୟ ବଖାଣିଲେ ଓ ଏଠି ଗାନ୍ଧୀ ଜନ୍ମ ଶତବାର୍ଷିକୀ ଖୁବ୍ ଭଲ ଭାବରେ ପାଳିତ ହେଲା ବୋଲି ମଧ୍ୟ ସେ ଜଣାଇଲେ । ସେ କହିଲେ ଯେ ଏଇ ଶତବାର୍ଷିକୀ ଉପଲକ୍ଷ୍ୟରେ ଗାନ୍ଧୀଜୀଙ୍କର ଲେଖାର ଏକ ତିନିଶହ ପୃଷ୍ଠାର ସଂକଳନ ସର୍ବୋକ୍ରୋଶୀୟାନ୍ ଭାଷାରେ ପ୍ରକାଶିତ ହୋଇଛି । ଏଥିରେ ଗାନ୍ଧୀଜୀଙ୍କର ସଂକ୍ଷିପ୍ତ ଜୀବନୀ ଓ ବହୁଚିତ୍ର ଦିଆଯାଇଛି ଓ ବହିଖଣ୍ତିକ ଅତି ଉପାଦେୟ ହୋଇଛି ବୋଲି ସେ କହିଲେ ।

 

ଏହାପରେ ମୁଁ “ତ୍ରଗା ମାର୍କସ ଓ ଏଙ୍ଗଲ୍‌ସ” ରେ ଏଠାର ଶ୍ରମିକ ସଂଗଠନ ସଂସ୍ଥାର ଭବନରେ ସ୍ତୋୟନିଚଙ୍କ ସନ୍ଧାନରେ ପହଞ୍ଚିଲି । “ତ୍ରଗା” ମାନେ ବୋଧହୁଏ ‘ଚୌକ’, “ମାର୍କସ୍ ଓ ଏଙ୍ଗେଲ୍‌ସ”ର ବନାନ ଦେଖି ମନେ ପଡ଼ିଲା ପିଲାଦିନେ ଆମର ଜଣେ ଗୁରୁଜନସ୍ଥାନୀୟ ଆତ୍ମୀୟଙ୍କର ଇଂରେଜ ପଢ଼ା ଉଦ୍ୟମର କାହାଣୀ । ସି-ଏ-ଟି କ୍ୟାଟ, ବି-ଏ-ଟି ବ୍ୟାଟ୍ ସାରି ଯେତେବେଳେ ଓ-ଏକ୍ସ ଠାରେ ସେ ପହଞ୍ଚିଲେ ସେତେବେଳେ ତାଙ୍କ ତୁଣ୍ତରୁ ‘ଅକ୍‌ସଅ’ ଛଡ଼ା ଆଉ କିଛି ବାହାରିଲା ନାହିଁ । ଏଠି ମାର୍କସ ଓ ଏଙ୍ଗେଲ୍‌ସର ଉଚ୍ଚାରଣ ଆମ ସେଇ ମାଉସୀଙ୍କ ଅକସଅ ପରି ।

 

ମି: ସ୍ତୋୟନିଚ୍ ମୋ ପାଇଁ ଅପେକ୍ଷା କରିଥିଲେ । ମୋତେ ଦେଖିବା ମାତ୍ରେ ଅଭିବାଦନ କରି କହି ଉଠିଲେ “ମୁଁ ଓଡ଼ିଶା ଯାଇଛି, ସର୍ବୋଦୟ ସମ୍ମିଳନୀ ବେଳେ ପୁରୀରେ ଆଠ ଦିନ ଥିଲି, ବିନୋବାଙ୍କୁ ଦେଖିଛି ।”

 

ମୁଁ ଟିକିଏ ବିସ୍ମିତ ହୋଇ ପଚାରିବାରୁ ପୁଣି ବିସ୍ତୃତ ପରିଚୟ ମିଳିଲା । ସେ ପଚାଶର ଦଶନ୍ଧିରେ ବନାରସ ହିନ୍ଦୁବିଶ୍ଵବିଦ୍ୟାଳୟରେ ଭାରତୀୟ ଇତିହାସ ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଆସିଥିଲେ । ସେଇ ସମୟରେ ତାଙ୍କର ଭୂଦାନ ଆନ୍ଦୋଳନ ବିଷୟରେ ଅନୁସନ୍ଧିତ୍ସା ଜନ୍ମେ ଓ ସେ ଊଣେଇଶହ ପଞ୍ଚାବନର ପୁରୀ ସମ୍ମିଳନୀର ଆଠଦିନ ଯାକ ଥିଲେ । ଭୂଦାନ ଆନ୍ଦୋଳନ ବିଷୟରେ ଖୁବ୍ ଭଲରକମ ଓ୍ୟାକିବହାଲ୍ । ବିନୋବାଙ୍କ ପ୍ରତି ଖୁବ୍ ଶ୍ରଦ୍ଧା । ବିନୋବାଜୀଙ୍କ ବିଷୟରେ କହିଲେ “ତାଙ୍କୁ ଦେଖିଲେ ଗାନ୍ଧୀଙ୍କ କଥା ମନେ ପଡ଼େ । ଗାନ୍ଧୀଙ୍କ ପରି ସରଳ ଓ ଧର୍ମମୟ ଜୀବନ । ସାରା ଜୀବନ ଜନତାଙ୍କ ପାଇଁ ସମର୍ପଣ କରିଛନ୍ତି । ଜନତାର କଲ୍ୟାଣ ପାଇଁ ଚାଲି ଚାଲି ଦେଶସାରା ବୁଲୁଛନ୍ତି । ଏଭଳି ବୁଲିବା କିଛି ସହଜ ଓ ସାମାନ୍ୟ କଥା ନୁହେଁ । ଭୂଦାନ ଆନ୍ଦୋଳନକୁ ମଧ୍ୟ ମୁଁ ଖୁବ୍ ପସନ୍ଦ କରେ ।”

 

ସରକାରୀ କୃଷିକ୍ଷେତ୍ର ଦେଖିଯିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ମତେ ସେ ଆସିବାକୁ କହିଥିଲେ । କିନ୍ତୁ ମନେହେଲା ସେଇଟା ବାହାନା ମାତ୍ର । ଅସଲ ଆଗ୍ରହ ଭାରତ, ବିନୋବା ଓ ସର୍ବୋଦୟ ଆନ୍ଦୋଳନ ବିଷୟରେ ଗପ କରିବା । ସେ ଭାରତରୁ ଫେରିବାର ବାର ଚଉଦ ବର୍ଷ ଭିତରେ ଭୂଦାନ ଆନ୍ଦୋଳନର କିଭଲି ପ୍ରଗତି ହୋଇଛି ତାହା ଜାଣିବାରୁ ଆଗ୍ରହ ପ୍ରକାଶ କଲେ । ମୁଁ ଗ୍ରାମଦାନ ଆନ୍ଦୋଳନର ଗତିବିଧି ବିଷୟରେ ବିସ୍ତୃତ ଭାବରେ ଜଣାଇଲି ।

 

କଥାରେ କଥାରେ ଜଣାପଡ଼ିଲା ଯେ ଏଠୁ ଯେଉଁ ଗାନ୍ଧୀ ରଚନା ସଂକଳନ ବାହାରିଥିବା କଥା ଆମର ରାଷ୍ଟଦୂତ କହୁଥିଲେ ତା’ର ସଂକଳନ କର୍ତ୍ତା ଏଇ ମି: ସ୍ତୋୟନିଚ୍ ଏହି ସଂକଳନ ପାଇଁ ସେ ପୂରା ବର୍ଷ ପରିଶ୍ରମ କରିବା କଥା ବେଶ ଗର୍ବ ଓ ସନ୍ତୋଷର ସହିତ ପ୍ରକାଶ କଲେ । ଦୁର୍ଭାଗ୍ୟର କଥା ଯେ ତାଙ୍କ ପାଖରେ ସେ ସମୟରେ ବହିର ଖଣ୍ତେ ହେଲେ କପି ନ ଥିବାରୁ ସେଇଟି ଦେଖିବାର ସୁଯୋଗ ମିଳିଲା ନାହିଁ ।

 

ଗାନ୍ଧୀଜୀଙ୍କର ବିଚାରଧାରା ପ୍ରତି ଶ୍ରଦ୍ଧା ଯୋଗୁଁ ସେ ଗାନ୍ଧୀ ରଚନା ସଂକଳନ କାମ ହାତକୁ ନେଲେ ଓ ତାହା ଫଳରେ ସେ ଯେତେ ପଢ଼ାଶୁଣା କଲେ ତାହାଦ୍ଵାରା ତାଙ୍କର ସେ ଶ୍ରଦ୍ଧା ଆହୁରି ଦୃଢ଼ୀଭୂତ ହୋଇଛି ।

 

ବିନୋବାଜୀଙ୍କ ପ୍ରତି ଜଣାଇ କହିଲେ “ତାଙ୍କୁ ସେ କଥା ମନେ ପକାଇ ଦେବେ, ପଚାରିବେ ତାଙ୍କ ସହିତ ଜଣେ ଯୁଗୋସ୍ଳାଭ ଆଠ ଦିନ ଥିବା କଥା ତାଙ୍କର ମନେ ଅଛି କି ନାହିଁ ।”

 

ମୁଁ ପଚାରିଲି “ବିନୋବାଙ୍କ ସହିତ ପୁରୀରେ ଆପଣଙ୍କର କିଛି କଥାବାର୍ତ୍ତା ଓ ଆଲୋଚନା ହୋଇଥିଲା କି ?”

 

ସେ କହିଲେ “ନା, ସେତେବେଳେ ମୋର ଇଂରେଜୀ ଜ୍ଞାନ ବହୁତ କମ ଥିବାରୁ ଇଚ୍ଛା ଥିଲେ ମଧ୍ୟ ସେଭଳି ଆଲୋଚନା କରିପାରି ନ ଥିଲି ।”

 

ଭୂଦାନ ଆନ୍ଦୋଳନ ସାଙ୍ଗକୁ ସମବାୟ ଚାଷ ଉଦ୍ୟମ ମଧ୍ୟ ଚାଲୁଛି କି ନାହିଁ ବୋଲି ସେ ପଚାରିବାରୁ ମୁଁ ଜଣାଇଲି ଯେ ସେଭଳି ଉଦ୍ୟମ ଅଳ୍ପ କେତେକ ଗାଁରେ ସଫଳଭାବେ ଚାଲିଛି । ଅନ୍ୟ ବହୁ ଗାଁରେ ଲୋକେ ତାହା ଉତ୍ସାହର ସହିତ ଆରମ୍ଭ କରିଥିଲେ ମାତ୍ର ସେଥିପାଇଁ ଆବଶ୍ୟକ ହିସାବ କିତାବ ଜ୍ଞାନ, ପରିଚାଳନା ଶକ୍ତି ଆଦିର ଅଭାବରୁ ସେ ଉଦ୍ୟମ ଉଧେଇ ପାରି ନାହିଁ ।

 

ଯୁଗୋସ୍ଳାଭିଆର ଅଭିଜ୍ଞତା ଦର୍ଶେଇ ସେ ସମବାୟ ଚାଷର ଗୁରୁତ୍ଵ ଉପରେ ଖୁବ୍ ଜୋର ଦେଲେ । ସେ କହିଲେ ଯେ ସେଠି ସାଧାରଣ ଚାଷୀ ଏକ ହେକ୍ଟାର (ଅଢ଼େଇ ଏକର) ଜମିରେ ସାଧାରଣତଃ ପନ୍ଦରରୁ କୋଡ଼ିଏ କୁଇଣ୍ଟାଲ ଗହମ ଫଳାଏ । (ଏକର ପିଛା ଷୋଳରୁ ବାଇଶ ମହଣ) ମାତ୍ର ସମବାୟ କୃଷିକ୍ଷେତ୍ରରେ ଏହାର ଦୁଇଗୁଣ ଫଳେ ଓ ସରକାରୀ ଫାର୍ମରେ ତ ଷାଠିଏ କୁଇଣ୍ଟାଲ ଯାଏ ଫଳିଯାଏ ।

 

ଆଲୋଚନା ଅନ୍ୟାନ୍ୟ ବିଷୟକୁ ମଧ୍ୟ ଆଗେଇ ଚାଲିଲା ଓ ମତେ ସେ ମଧ୍ୟାହ୍ନ ଭୋଜନ ପାଇଁ ହୋଟେଲକୁ ନେଇଗଲେ । ସେଇ ପୂର୍ବଦିନର ହୋଟେଲ । ଆଲୋଚନା ପ୍ରସଙ୍ଗରେ ଚେକୋସ୍ଳାଭାକିଆ କଥା ଉଠିଲା, ରୁଷ୍‌ର ମତିଗତି ବିଷୟରେ ମଧ୍ୟ । ଏଠି ଏମାନେ ସ୍ଵଭାବତଃ ରୁଷ୍‌ର କ୍ଷମତା ବିସ୍ତାର ନୀତିର ବିରୋଧୀ । ତାହାରି ବିରୋଧରେ ସାହସର ସହିତ ଛିଡ଼ା ହୋଇ ମାର୍ଶାଲ ଟିଟୋ ଯୁଗୋସ୍ଳାଭିଆର ବାସ୍ତବ ସ୍ଵାଧୀନତା ହାସଲ କରିପାରିଛନ୍ତି । ସେଥିପାଇଁ ଚେକୋସ୍ଳାଭିଆରେ ସେଠାର କମ୍ୟୁନିଷ୍ଟ ନେତାମାନେ ଟିକିଏ ଉଦାରନୀତି ଧରିବାକୁ ରୁଷ୍‌ର ନେତୃତ୍ଵରେ ସେଠାରେ ଯେଉଁ ସାମରିକ ଆକ୍ରମଣ ଚଳାଗଲା ତାହାର ବିରୋଧ ଯୁଗୋସ୍ଳାଭିଆର ଅଧିକାଂଶ ଲୋକ କରିଥାନ୍ତି ।

 

ସ୍ତୋୟନିଚ୍ ଦୃଢ଼ ବିଶ୍ଵାସ ପ୍ରକାଶ କଲେ ଯେ ଚେକୋସ୍ଳାଭାକିଆବାସୀ ଅବଶ୍ୟ ରୁଷ୍‌ର କବଳରୁ ମୁକ୍ତିଲାଭ କରିବେ, ମାତ୍ର ସେଥିପାଇଁ ସମୟ ଲାଗିବ । ରୁଷ୍‌ର ଛତ୍ରଛାୟାରେ ଥିବା ଅନ୍ୟ ପୂର୍ବ ୟୁରୋପୀୟ କମ୍ୟୁନିଷ୍ଟ ଦେଶମାନଙ୍କ ଭିତରେ ରୋମାନିଆର ଅବସ୍ଥା ଅପେକ୍ଷାକୃତ ଭଲ, ଅର୍ଥାତ୍ ସେଠାରେ ସେମାନେ ଅପେକ୍ଷାକୃତ ଭାବରେ ଅଧିକ ସ୍ଵାଧୀନ ନୀତି ଧରି ଚଳାଉଛନ୍ତି ବୋଲି ସ୍ତୋୟନିଚ୍ ମତ ଦେଲେ । କହୁଁ କହୁ ସେ କହିଗଲେ ଯେ ରୁଷ୍ କେବେ ଯୁଗୋସ୍ଳୋଭିଆ ଆକ୍ରମଣ କରିବାକୁ ସାହାସ କରିବ ନାହିଁ । ସେ ଜାଣେ ଯେ ଯୁଗୋସ୍ଳାଭକାନେ ଉତ୍ତମ ଯୋଦ୍ଧା ଜାତି । ଯଦି ଆକ୍ରମଣ ହୁଏ ତେବେ ଆମେ ଆପ୍ରାଣ ଲଢ଼େଇ କରିବୁ । ରୁଷ୍‌ର ଲାଲସେନା ବିରୋଧରେ ଆମର ଲାଲସେନାର ଲଢ଼େଇ ହେବ । ଲାଲସେନା ବନାମ ଲାଲସେନାର ଲଢ଼େଇ ଏକ ବିସଙ୍ଗତ କଥା, ମାତ୍ର କ’ଣ କରାଯିବ, ଗୋଟିଏ ଲାଲସେନା ଯଦି ନୀତିବିରୁଦ୍ଧ କାର୍ଯ୍ୟକଳାପରେ ଲିପ୍ତ ହୁଏ ତେବେ ତା’ର ବିରୋଧ କରିବାକୁ ହିଁ ହେବ ।

Image

 

ଅଠତିରିଶ

ଏକ ସରକାରୀ କୃଷିକ୍ଷେତ୍ର

 

ପ’ର ଦିନ ସକାଳୁ ଆମର ସରକାରୀ କୃଷିକ୍ଷେତ୍ର ଦେଖିଯିବାର ସ୍ଥିର ହୋଇଥିଲା । ସେ ଅନୁସାରେ ସକାଳୁ ସ୍ତୋୟନିଚ୍ ଓ ମୁଁ ଗୋଟିଏ କାର୍‌ରେ ରମାନା ହେଲୁ । ବେଲଗ୍ରେଡ଼୍‌ର ଦକ୍ଷିଣପୂର୍ବକୁ ଷାଠିଏ କିଲୋମିଟର ଦୂରରେ ଏଇ କୃଷିକ୍ଷେତ୍ର । ରାସ୍ତା ଦାନ୍ୟୁବ୍ ନଈ କୂଳେ କୂଳେ ଚାଲିଥାଏ । କେତେବେଳେ ନଈଠାରୁ ଟିକିଏ ଦୂରେଇ ଯାଉଥାଏ, କେତେବେଳେ ବି ଏକାବେଳକେ ନଈ କୂଳ ଦେଇ ଚାଲିଥାଏ, ଅନେକଟା ମହାନଦୀ କୂଳ ଦେଇ ଯାଇଥିବା ବୌଦ-ସୋନପୁର ରାସ୍ତା ପରି । ଏଠି ମଧ୍ୟ ଦାନ୍ୟୁବ କଟକ ପାଖ ମହାନଦୀ ପରି, ହୁଏତ ତାହାଠାରୁ ମଧ୍ୟ ଅଧିକ ବିସ୍ତୀର୍ଣ୍ଣ । ଉପରମୁଣ୍ତର କ୍ଷୁଦ୍ର ରୂପ ଆଉ ନାହିଁ । କୂଳରେ ପାହାଡ଼ ମୁଣ୍ତିଆ, ଛୋଟ ଛୋଟ ବଣ, ମଝିରେ ମଝିରେ ଗାଁ । ନଈ ମଝିରେ ମଧ୍ୟ ବଡ଼ ବଡ଼ ପଠା, ସେଥିରେ ଖୁବ୍ ବଡ଼ ବଡ଼ ଗଛ ଥିବା ବଣ ।

 

ଏଠି ଦାନ୍ୟୁବର ବନ୍ୟା ବେଳେ ବେଳେ କୂଳ ଉଛୁଳାଇ ଗାଁ ଗଣ୍ତା ବୁଡ଼େଇଦିଏ । ଏହି ଭଳି ଏକ ବେଶ୍ ବଡ଼ ବନ୍ୟା ଅଳ୍ପଦିନ ତଳେ ଆସିଥିଲା । ତା’ର ଚିହ୍ନ ନଈକୂଳର ଗଛମାନଙ୍କରେ ରଖିଯାଇଛି । ସଡ଼କ ଉପରକୁ ବେଶ ଦୁଇତିନି ହାତ ଓ ଠାଏ ଠାଏ ଆହୁରି ଅଧିକ ପାଣି ଉଠିଥିଲା-

 

ଯିବାବେଳେ ବାଟରେ ଯୁଗୋସ୍ଳାଭିଆର ରାଜନୀତିକ ବ୍ୟବସ୍ଥା ବିଷୟରେ ସ୍ତୋୟନିଚଙ୍କୁ ପଚାରି ବୁଝିଲି । ନିର୍ବାଚନ ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା ହେଲା । ଏଠି କମ୍ୟୁନିଷ୍ଟ ପାର୍ଟି ଛଡ଼ା ସୋସାଲିଷ୍ଟ ଏଲାୟନ୍‌ସ ବୋଲି ଏକ ସଂଗଠନ ଅଛି । ଏ ଦୁଇ ଭିତରେ ପାର୍ଥକ୍ୟ କ’ଣ ତାହା ଜାଣିବାକୁ ଚାହିଁବାରୁ, ସ୍ତୋୟନିଚ୍ କହିଲେ ଯେ କମ୍ୟୁନିଷ୍ଟ ପାର୍ଟି ହେଲା ଖାସ କର୍ମୀଙ୍କର ସଂଗଠନ-। ଏହାର ସଦସ୍ୟ ସଂଖ୍ୟା ଦଶ ଲକ୍ଷ ହେବ । ମାତ୍ର ସୋସାଲିଷ୍ଟ ଏଲାୟନ୍‌ସ ଏକ ଗଣ ସଂଗଠନ । ଯୁବକ, ମହିଳା, ଶ୍ରମିକ ପ୍ରଭୃତିଙ୍କର ଯେ ସବୁ ସ୍ଵତନ୍ତ୍ର ସଂଗଠନ ରହିଛି ସେ ସବୁ ଏହା ସହିତ ସଂଯୁକ୍ତ । ତଥାପି ତାହାର ସଦସ୍ୟତା ସ୍ଵତନ୍ତ୍ର । ଅର୍ଥାତ୍ ଏହା ସହିତ ସଂଯୁକ୍ତ ଥିବା କୌଣସି ଏକ ବିଶେଷ ଗୋଷ୍ଠିଗତ ବା ଶ୍ରେଣୀଗତ ସଂଗଠନ ପ୍ରତ୍ୟେକ ସଦସ୍ୟ ଆପେ ଆପେ ସୋସଲିଷ୍ଟ ଏଲାୟନ୍‌ସର ସଦସ୍ୟ ହୋଇଯାନ୍ତି ନାହିଁ । ସ୍ଵତନ୍ତ୍ର ଭାବରେ ଏହାର ସଦସ୍ୟ ହେବାକୁ ପଡ଼େ । ଏହାର ମୋଟ ସଦସ୍ୟ ସଂଖ୍ୟା ଅଶି ଲକ୍ଷ ଯାଏ ହେବ । ସ୍ମରଣ କରାଯାଇ ପାରେ ଯେ ଯୁଗୋସ୍ଳାଭିଆର ମୋଟ ଲୋକ ସଂଖ୍ୟା ଦୁଇକୋଟି ।

 

ସ୍ତୋୟନିଚ୍ ଆହୁରି ଜଣାଇଲେ ଯେ ସୋସାଲିଷ୍ଟ ଏଲାୟନ୍‌ସ ତାହା ସହିତ ସଂଯୁକ୍ତ ବିଭିନ୍ନ ସଂଗଠନମାନଙ୍କୁ ନୀତିଗତ ମାର୍ଗଦର୍ଶନ ଦେଇଥାଏ । ମାତ୍ର ସେମାନେ ତାହା ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି ।

 

ସୋସାଲିଷ୍ଟ ଏଲାୟନ୍‌ସର ନିର୍ବାଚନ ଚାରି ବର୍ଷରେ ଥରେ ହୁଏ । ସାଧାରଣ ସଦସ୍ୟମାନେ ମ୍ୟୁନିସପାଲିଟି ବା ଜିଲା ସ୍ତରରେ ସମ୍ମିଳନୀ ପାଇଁ ପ୍ରତିନିଧି ବାଛନ୍ତି । ଏଠି ମନେ ରଖିବାକୁ ହେବ ଯେ ଏଠାର ଗୋଟାଏ ‘କିଲା’ ଆମର ଗୋଟାଏ ‘ବ୍ଳକ’ ଠାରୁ ବି ଟିକିଏ ସାନ ହେବ । ଏ ପ୍ରତିନିଧିମାନେ ସଂଗଠନର ସ୍ଥାନୀୟ କର୍ମକର୍ତ୍ତା, ସଭାପତି, ସମ୍ପାଦକ ଆଦି ନିଯୁକ୍ତ କରନ୍ତି । ରିପବ୍ଳିକ୍ ଅର୍ଥାତ୍ ଆମ ଏଠା ଅନୁସାରେ ରାଜ୍ୟ ସ୍ତରରେ—ଯୁଗୋସ୍ଳାଭିଆରେ ତିନୋଟି ରିପବ୍ଳିକ୍ ବା ରାଜ୍ୟ ଓ ଛ’ଟି ‘ସ୍ଵଶାସିତ’ ଅଞ୍ଚଲ ରହିଛି—ଓ ରାଷ୍ଟ୍ର ସ୍ତରରେ ମଧ୍ୟ ସଂଗଠନର କର୍ମକର୍ତ୍ତାମାନଙ୍କୁ ରାଜ୍ୟ ଓ ରାଷ୍ଟ୍ର ସ୍ତରୀୟ ସମ୍ମିଳନୀର ପ୍ରତିନିଧିମାନେ ହିଁ ବାଛନ୍ତି ।

 

ଏ ଦେଶର ବିଧାନସଭାମାନଙ୍କୁ ପ୍ରତିନିଧି ନିର୍ବାଚନ କରିବାରେ ଏହି ସୋସାଲିଷ୍ଟ ଏଲାୟନ୍‌ସ ଏକ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସୋସାଲିଷ୍ଟ ଏଲାୟନ୍‌ସର କାର୍ଯ୍ୟକାରୀ ମଣ୍ତଳୀ ପ୍ରତି ନିର୍ବାଚନ ମଣ୍ତଳୀ ପାଇଁ କେତେଗୁଡ଼ିଏ ପ୍ରାର୍ଥୀଙ୍କର ନାମ ସୁପାରିଶ କରେ । ସେହି ନିର୍ବାଚନ ମଣ୍ତଳୀର ଏଲାୟନ୍‌ସ ସମ୍ମିଳନୀରେ ସେ ତାଲିକା ଉପରେ ଆଲୋଚନା ହୁଏ ଓ ଯେଉଁ ଜଣେ, ଦୁଇଜଣ ବା ତିନିଜଣ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକତମ ମତ ପ୍ରକାଶ ପାଏ ସେମାନେ ନିର୍ବାଚନରେ ଛିଡ଼ା ହୁଅନ୍ତି ଓ ନିଜ ନିଜ କଥା ପ୍ରଚାର କରନ୍ତି । ସେଥି ଭିତରୁ ଯେ ଜିତେ ସେ ବିଧାନ ସଭାର ସଦସ୍ୟ ହୁଏ । ଏହିରୂପେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥିବା ସବୁଯାକ ପ୍ରାର୍ଥୀ ସୋସାଲିଷ୍ଟ ଏଲାୟନ୍‌ସ ପକ୍ଷରୁ ହିଁ ବଛା ଯାଇଥାନ୍ତି ଏ ସମ୍ମିଳନୀର ପ୍ରତିନିଧିମାନଙ୍କ ମାଧ୍ୟମରେ ସେମାନଙ୍କ ପଛରେ ଥିବା ଜନମତର ଗୋଟାଏ ମୋଟାମୋଟି ଧାରଣା ମିଳିଥାଏ । ନିର୍ବାଚନ କ୍ଷେତ୍ରରେ ଏ ଗୋଟିଏ ପ୍ରକାରର ଅଭିନବ ପ୍ରୟୋଗ । ସ୍ତୋୟନିଚ୍ ଆହୁରି କହିଲେ ଯେ କୌଣସି ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ଅନ୍ୟୁନ ପଚାଶ ଜଣ ଭୋଟରଙ୍କ ସମର୍ଥନ ପାଇପାରିଲେ ନିର୍ବାଚନରେ ଛିଡ଼ା ହୋଇ ପାରନ୍ତି । ଏଭଳି କେତେକ ସ୍ଵାଧୀନ ପ୍ରାର୍ଥୀ ବିଭିନ୍ନ ରାଜ୍ୟର ବିଧାନସଭା ଓ ରାଷ୍ଟ୍ରୀୟ ବିଧାନ ସଭାରେ ରହିଛନ୍ତି ବୋଲି ମଧ୍ୟ ସେ କହିଲେ ।

 

ଏଥିପୂର୍ବରୁ ଜୟପ୍ରକାଶଜୀ ଯୁଗୋସ୍ଳାଭିଆର ଏ ନିର୍ବାଚନ ପଦ୍ଧତିକୁ ଦେଖିଆସି ପସନ୍ଦ କରିଥିଲେ ଓ ଗ୍ରାମଦାନ ଗାଁର ଲୋକମାନେ ନିର୍ଦ୍ଦଳୀୟ ଭିତ୍ତିରେ କିଭଳି ବିଧାନସଭା ଲୋକସଭାକୁ ପ୍ରତିନିଧି ନିର୍ବାଚନ କରିବେ ତାହାର ରୂପରେଖ ନିର୍ଣ୍ଣୟ କରାଯିବାବେଳେ ଏଇ ପଦ୍ଧତିର କେତେକ ଅଂଶ ସାମିଲ କରାଯାଇ ଏକ ଚିଠା ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଫଳରେ ତାହା ଅଧିକ ସ୍ପଷ୍ଟ ହେଲା ।

 

ଅନ୍ୟ କମ୍ୟୁନିଷ୍ଟ ଦେଶମାନଙ୍କରେ କମ୍ୟୁନିଷ୍ଟ ପାର୍ଟିର କର୍ତ୍ତୃପକ୍ଷ ହିଁ ପ୍ରାର୍ଥୀ ମନୋନୟନ କରି ଛିଡ଼ା କରନ୍ତି, ଗଣତାନ୍ତ୍ରିକ ଦେଶମାନଙ୍କରେ ମଧ୍ୟ ବିଭିନ୍ନ ବିଭିନ୍ନ ଦଳର କର୍ତ୍ତୃପକ୍ଷମାନେ ହିଁ ପ୍ରାର୍ଥୀ ମନୋନୟନ କରନ୍ତି, ମାତ୍ର ଏସବୁ ଦେଶରେ ଏକାଧିକ ଦଳ ପ୍ରାର୍ଥୀ ଛିଡ଼ା କରନ୍ତି । କମ୍ୟୁନିଷ୍ଟ ଦେଶମାନଙ୍କରେ କେବଳ ଏକମାତ୍ର କମ୍ୟୁନିଷ୍ଟ ଦଳ ହିଁ ଛିଡ଼ା କରେ । ଏହି ଗୋଟିଏ ଦଳର ପ୍ରାର୍ଥୀଙ୍କ ବିରୋଧରେ ଶ୍ରମିକ ସଂଘ, ସମବାୟ ସମିତି ଆଦି ପକ୍ଷରୁ ପ୍ରାର୍ଥୀ ଛିଡ଼ା ହୋଇ ପାରନ୍ତି ମାତ୍ର କମ୍ୟୁନିଷ୍ଟ ଦଳ ସାମନାରେ ଏମାନଙ୍କର କେତେ ବା ଜୁ ରହୁଥିବ ।

 

ଯୁଗୋସ୍ଳାଭିଆର ବ୍ୟବସ୍ଥା ଏହି ଦୃଷ୍ଟିରେ ଏହା ଅପେକ୍ଷା ଢେର ଉନ୍ନତ ଯେ ଏଥିରେ ପ୍ରାର୍ଥୀ ମନୋନୟନ ସୋସାଲିଷ୍ଟ ଏଲାୟନ୍‌ସର ଏକ ସମ୍ମଳନୀରେ ହେଉଥିବାରୁ ସେଥିରେ ସମ୍ମିଳନୀର ପ୍ରତିନିଧିମାନଙ୍କ ମାରଫତରେ ଏଲାୟନ୍‌ସର ସାଧାରଣ ସଦସ୍ୟଙ୍କର ମତାମତ ପ୍ରକାଶ ପାଏ ଓ ଦୁଇତିନି ଶ୍ରେଣୀ ପ୍ରାର୍ଥୀ ଏଲାୟନ୍‌ସ ପକ୍ଷରୁ ମନୋନୀତ ହେଉଥିବାରୁ ଭୋଟଦାତାମାନଙ୍କୁ ମଧ୍ୟ ବଛାବଛି କରିବାର ଅଧିକ ଅବକାଶ ମିଳେ ।

 

ଗାଣତାନ୍ତ୍ରିକ ଦେଶମାନଙ୍କର ପଦ୍ଧତି ଅପେକ୍ଷା ମଧ୍ୟ ଏହା ଗୋଟାଏ ଗୁଣରେ ଭଲ ଯେ ଗାଣତାନ୍ତ୍ରିକ ଦେଶରେ ଦଳମାନଙ୍କର ଉପରିସ୍ଥ କର୍ମକର୍ତ୍ତା ହିଁ ପ୍ରାର୍ଥୀ ମନୋନୟନ କରନ୍ତି । ସ୍ଥାନୀୟ ସ୍ତରରେ ମତାମତ ସେଥିରେ ଖୁବ୍ କମ ପ୍ରଭାବ ପକାଇଥାଏ । ଏଠି ବହୁସଂଖ୍ୟକ ଲୋକଙ୍କର ପ୍ରତିନିଧିମୂଳକ ସମ୍ମିଳନୀରେ ମନୋନୟନ ହେବାଦ୍ଵାରା ସେଥିରେ ସ୍ଥାନୀୟ ମତାମତ ଢେର ବେଶୀ ପ୍ରତିଫଳିତ ହୁଏ ।

 

ଗପ କରି କରି ଓ ବାଟର ଦୃଶ୍ୟ ଦେଖି ଦେଖି କୃଷି କ୍ଷେତ୍ରରେ ପହଞ୍ଚିଲୁ । ଜଣେ ମହିଳା ଆମକୁ ସ୍ଵାଗତ କରି ଅଫିସ ଭିତରକୁ ନେଇଗଲେ । ଏକତାଲା ପକ୍କା ଘର । ସାଧାରଣ ରକମର ଆସବାବ । ଅଫିସ ଭିତରେ ଜଣେ ଭଦ୍ରଲୋକ ଆମକୁ ସ୍ଵାଗତ କରି ନେଇ ବସାଇଲେ । ପରିଚୟ ଦେଲେ ଯେ ସେ ଏ କୃଷି କ୍ଷେତ୍ରରେ ଜଣେ ସହକାରୀ ସଂଚାଳକ ।

 

ପରିଚୟ ଓ କୁଶଳ ସମ୍ଭାଷଣ ପରେ ମୁଁ କୃଷିକ୍ଷେତ୍ର ବିଷୟରେ ବିଶଦ ବିବରଣ ଜାଣିବା ପାଇଁ ମୋର ଆଗ୍ରହ ପ୍ରକାଶ କଲି । ଇତି ମଧ୍ୟରେ ସରବତ ଓ କିଛି ଜଳଯୋଗ ସାମଗ୍ରୀ, କାଠି ଅଗରେ ଖୋସା ହେଇଥିବା ମିଠେଇ ଜାତୀୟ ଜିନିଷ, ଆସିଲା । ମୁଁ ସ୍ତୋୟନିଚଙ୍କୁ ପ୍ରଶ୍ନବାଚକ ମୁଦ୍ରାରେ ଚାହିଁଲି, “ଏଥିରେ ଆମିଷ ନାହିଁ ତ ?” ସେ ଅଭୟ ଦେଇ କହିଲେ “ନା, ଭାରତୀୟମାନେ ଅନେକେ ନିରାମିଷାଶୀ ଏହା ଆମେ ଜାଣୁ । ଆପଣଙ୍କ ପାଇଁ ଏଥିପ୍ରତି ଖିଆଲ ରଖାଯାଇଛି ।”

 

ଆଲୋଚନା ଆରମ୍ଭରେ ମୁଁ ଇଚ୍ଛା ପ୍ରକାଶ କଲି ଯେ ସେମାନେ ଯେବେ ରାଜି ହେବେ ତେବେ କଥାବାର୍ତ୍ତାକୁ ମୁଁ ଟେପ୍ ରେକର୍ଡ଼ କରିନେବି । ପରସ୍ପର ଭିତରେ ଟିକେ ଆଲୋଚନା ପରେ ସ୍ତୋୟନିଚ୍ ଜଣାଇଲେ “ଆପଣ ଆଲୋଚନାରୁ କାଗଜରେ ଟିପି ନିଅନ୍ତୁ । ଟେପ୍ ରେକର୍ଡ଼ ନ କରିବା ଭଲ ହେବ ।”

 

ୟୁରୋପରେ ଏ ପର୍ଯ୍ୟନ୍ତ ଅନ୍ୟ କେଉଁଠି ଟେପ୍ ରେକର୍ଡ଼ ବାବତରେ ଏଭଳି ଅନିଚ୍ଛାର ସମ୍ମୁଖୀନ ହୋଇ ନ ଥିଲି । ସେହିପରି କୃଷିକ୍ଷେତ୍ରରୁ ଫେରିବା ବେଳେ ମୁଁ ସ୍ତୋୟନିଚ୍‌ଙ୍କୁ କହିଲି ଯେ ଚାଲନ୍ତୁ ବାଟରେ ଗୋଟାଏ ଗାଁକୁ ଯିବା । ଗାଁ ସବୁ ତ ଦୂରରୁ ଦେଖୁଛୁ, ଗାଁ ଭିତରକୁ ଯିବା, ଲୋକଙ୍କ ସାଙ୍ଗରେ ଟିକେ କଥାବାର୍ତ୍ତା ହେବା । ମାତ୍ର ସେ କଥାଟାକୁ ବାଁରେଇ ଦେଲେ । ଗାଁରେ ଏଇକ୍ଷଣି କେହି ନ ଥିବେ, ଅସୁବିଧା ହେବ ଇତ୍ୟାଦି କହି । ମତେ ତୁଷ୍ଟ କରିବା ପାଇଁ ଶେଷକୁ କହିଲେ ‘ଚାଲନ୍ତୁ ଗୋଟିଏ ପ୍ରସିଦ୍ଧ ପୁରୁଣା ଦୁର୍ଗ ବାଟରେ ପଡ଼ିବ । ସେଇଟା ଦେଖିଯିବା ।’ ମୋର ମନେହେଲା କମ୍ୟୁନିଷ୍ଟ ଦେଶ ହିସାବରେ ଏଠି ଭାବ ପ୍ରକାଶ, ଚଲାବୁଲା ଉପରେ ଯେ କିଛି ନା କିଛି କଟକଣା ରହିଛି ବା ବାସ୍ତବ କଟକଣା ନ ଥିଲେ ବି ଏକ ସାବଧାନତାର ମନୋଭାବ ରହିଛି ଏହା ତାହାରି ଲକ୍ଷଣ ।

 

ଏ କୃଷିକ୍ଷେତ୍ରଟି ଆରମ୍ଭ ହୁଏ ୧୯୪୬ରେ । ଏଠା ପାଖ ସହରର ନଗରପାଳିକା ହାତରେ କିଛି ଜମି ଥିଲା, ପୂର୍ବତନ ଜମିଦାରମାନଙ୍କର ମଧ୍ୟ । ଏ ସବୁକୁ ନେଇ ଏହା ଆରମ୍ଭ ହେଲା । ଏହା ସାଙ୍ଗକୁ ମିଶିଲା ଜୋତର ସର୍ବୋଚ୍ଚ ସୀମା ଧାର୍ଯ୍ୟ ହେବା ଫଳରେ ଚାଷୀମାନଙ୍କ ଠାରୁ ମିଳିଥିବା ବଳକା ଜମି ଓ ଯୁଦ୍ଧ ବେଳେ ଶତ୍ରୁ, ଅର୍ଥାତ୍ ଜର୍ମାନୀର ନାତ୍‍ସୀ ସରକାର ସହ ସହଯୋଗ କରିଥିବା ଲୋକଙ୍କଠାରୁ ବାଜ୍ୟାପ୍ତ କରାଯାଇଥିବା ଜମି । ଏ ଅଞ୍ଚଳରେ ପୂର୍ବରୁ ଯେଉଁସବୁ କୃଷି ସମବାୟ କାମ କରୁଥିଲେ ସେ ସବୁ ଓ ଏଠାରେ ଥିବା ଏକ କ୍ଷୁଦ୍ରତର ସରକାରୀ କୃଷିକ୍ଷେତ୍ର ବି ଏଥିରେ ମିଶିଗଲେ । ଏହା ଭିତରେ ଅଙ୍ଗୁରଚାଷୀ ସମବାୟ, ଫଳବଗିଚା ସମବାୟ, ନଅଟା ଗାଁର ସରକାରୀ କୃଷି ସମବାୟ ଓ ପରେ ଆହୁରି ଏହିପରି ଅନେକ ଗାଁ ଏଥିରେ ମିଶିଲେ-। ଏହିରୂପେ ଏହାର ଜମି ହେଲା ମୋଟରେ ସାଢ଼େ ତିନି ହଜାର ହେକ୍ଟାର ବା ୮୭୫୦ ଏକର-। ପୂର୍ବ ବର୍ଷ ଏମାନେ ଆହୁରି ଦେଢ଼ ହଜାର ହେକ୍ଟାର ଜମି କିଣିଲେ । ଏହିରୂପେ ଏବେ ଏହାର ମୋଟ ଆୟତନ ସାଢ଼େ ବାର ହଜାର ଏକର ।

 

ଏ ଜମି କାହାଠାରୁ କିଣାହେଲା ବୋଲି ମୁଁ ପଚାରିଲି । ଜବାବ ମିଳିଲା ଚାଷୀଙ୍କଠାରୁ । କେଉଁ ଚାଷୀ ଜମି ବିକିବାକୁ ଚାହିଁଲେ ? “କେତେକ ଚାଷୀ ଚାଷ ଛାଡ଼ି ସହରକୁ କାମ କରିବାକୁ ଚାଲିଗଲେ । ସେମାନଙ୍କର ଜମି, ଏହାଛଡ଼ା କୃଷିକ୍ଷେତ୍ରକୁ ବଢ଼ାଇବା ଦୃଷ୍ଟିରୁ ମଧ୍ୟ କେତେକ ଚାଷୀଙ୍କଠାରୁ ଜମି କିଣି ନିଆହେଲା ।

 

ଏ ଜମିର ବିନିଯୋଗ ନିମ୍ନମତେ କରାଯାଉଛି ବୋଲି ତାଙ୍କ କଥାରୁ ଜଣାଗଲା । ସାଢ଼େ ସାତ ଶହ ଏକର ଅଙ୍ଗୁର ଚାଷ, ସାଢ଼େ ସତର ଶହ ଏକର ଫଳବଗିଚା, ସାଢ଼େ ବାର ଶହ ଏକର ଜଙ୍ଗଲ ଓ ବାକୀ ଆଠ ହଜାର ତିନିଶହରେ ସାଧାରଣ ଚାଷ ।

 

ଏଠାର କର୍ମବ୍ୟବସ୍ଥା ବିଭିନ୍ନ କାର୍ଯ୍ୟକାରୀ ୟୁନିଟ୍ ବା ଏକକ ଭିତ୍ତିରେ ସଂଗଠିତ । ଫଳ ବଗିଚା, ଦ୍ରାକ୍ଷାକ୍ଷେତ୍ର, ଗୋଶାଳା, ଅଟାକଳ, ବିକ୍ରି ବିଭାଗ ଆଦି ପାଇଁ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଏକକ ରହିଛି । ବ୍ୟକ୍ତିଗତ ଚାଷୀଙ୍କର ସହିତ ସହଯୋଗ ପାଇ ମଧ୍ୟ ଗୋଟିଏ ଏକକ ରହିଛି । ଏସବୁ ଏକକ ସ୍ଵାୟତ୍ତ ଶ୍ରମିକ ପରିଚାଳନା ନୀତିରେ ଚାଲେ । ପ୍ରତି ଏକକ ନିଜର ଯୋଜନା, ବଜେଟ ଆଦି ତିଆରି କରନ୍ତି । ସେ ସବୁ ପୁଣି କୃଷିକ୍ଷେତ୍ରର କେନ୍ଦ୍ରୀୟ ପରିଚାଳନା ମଣ୍ତଳୀଠାରେ ପେଶ ହୁଏ ଓ ସେ ସବୁକୁ ଏକତ୍ର କରି କୃଷିକ୍ଷେତ୍ରର ମୋଟ ଯୋଜନା ଓ ବଜେଟ ତିଆରି ହୁଏ । ଟଙ୍କା ଲଗାଣ ଏକତ୍ର ଗୋଟିଏ ସୂତ୍ରରୁ ହୁଏ । ମାତ୍ର ଲାଭର ବିନିଯୋଗର ଯୋଜନା ପ୍ରତ୍ୟେକ ଏକକ କରିଥାନ୍ତି ।

 

ଏଥିରେ ମୋଟ ଛଅଶହ ଲୋକ କାମ କରନ୍ତି । ଏଠାର କେନ୍ଦ୍ରୀୟ ପରିଚାଳନାମଣ୍ତଳୀର ମୋଟ ସଦସ୍ୟ ସଂଖ୍ୟା ପଚାଶ, ସେଥିଭିତରୁ ଜଣେ ହେଲେ ଡିରେକ୍‌ଟର ବା ପରିଚାଳକ । ଏହାର କାର୍ଯ୍ୟକାରୀ ସମିତିର ସଦସ୍ୟ ସଂଖ୍ୟା ପନ୍ଦର । କେନ୍ଦ୍ରୀୟ ପରିଚାଳନା ମଣ୍ତଳୀ ହିଁ ପରିଚାଳକଙ୍କୁ ନିଯୁକ୍ତ କରେ ।

 

ପ୍ରତି ଏକରର ମଧ୍ୟ ନିଜସ୍ଵ କାର୍ଯ୍ୟକାରୀ ସମିତି ରହିଛି । ଏ ସମିତି ସବୁ ଟିକିନିଖି କାରବାର ବୁଝାସୁଝା କରେ । ଅବଶ୍ୟ ନିତିଦିନିଆ ଦାୟୀତ୍ଵ ତୁଲାଇବା ପାଇଁ ପ୍ରତି ଏକକରେ ମଧ୍ୟ ଜଣେ ଜଣେ ପରିଚାଳକ ଅଛନ୍ତି । ଏକକର ସାଧାରଣ ସଭାରେ ସେଥିରେ କାମ କରିଥିବା ସମସ୍ତ ଶ୍ରମିକ ଓ କର୍ମଚାରୀ ସଦସ୍ୟ । ଏହାର ବୈଠକ ବର୍ଷରେ ପାଞ୍ଚ ଛଅ ଥର ଲେଖା ହୁଏ । ଏ ବୈଠକରେ ଏକକର କାମର ଯୋଜନା ବିଷୟରେ ଆଲୋଚନା ହୁଏ, ଦରକାର ହେଲେ ସେଥିରେ ଅଦଳବଦଳ ମଧ୍ୟ କରାଯାଏ । ଏକକର କାର୍ଯ୍ୟକଳାପ ଓ ବିଶେଷ କରି ଆର୍ଥିକ ପରିସ୍ଥିତିର ସମୀକ୍ଷା ମଧ୍ୟ କରାଯାଏ । କାମର ଉନ୍ନତି ବିଧାନ ଦିଗରେ ନୂଆ ନୂଆ ସୂଚନା ଓ ପରାମର୍ଶ ମଧ୍ୟ ଏ ବୈଠକମାନଙ୍କରେ ମିଳେ ଓ ସେ ସବୁ ଉପରେ ମଧ୍ୟ ବିଚାର କରାଯାଏ ।

 

କାର୍ଯ୍ୟକାରୀ ସମିତି ଆବଶ୍ୟକତା ଅନୁସାରେ ମାସରେ ଥରେ ବା ଅଧିକ ଥର ବସିଥାଏ । ଏ ସବୁଥିରେ ନିର୍ଣ୍ଣୟ ସିଧାସଳଖ ସଂଖ୍ୟାଗରିଷ୍ଠତା ଦ୍ଵାରା ହିଁ କରାଯାଇଥାଏ ।

 

ଏ କୃଷିକ୍ଷେତ୍ରର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ ହେଲା: ଗହମ, ମକା, ଚିନି, ତିଆରି ପାଇଁ ବିଟ୍, ରାମତିଳା ଜାତୀୟ ତୈଳବୀଜ, ମାଂସ, ଦୁଧ ଓ ମଦ । ଗହମ ଓ ମକା ଏହି କୃଷିକ୍ଷେତ୍ରର ଅଟାକଳରେ ପେଷାଯାଏ । ବିଟ୍ ଓ ରାମତିଳା ବାହାରର ଚିନିକଳ ଓ ତେଲ କଳରୁ ବିକାଯାଏ ।

 

ଏଠାର ମୋଟ ଜମି ଭିତରୁ ଶତକଡ଼ା ତିରିଶ ଭାଗ ଜମିରେ ଜଳସେଚନ ବ୍ୟବସ୍ଥା ରହିଛି । ପାଣି ମାଡ଼ୁ ଥିବା ଜମିରେ ଗହମ, ମକା, ପଶୁଖାଦ୍ୟ, ଫଳବଗିଚା ଓ ପନିପରିବା ଚାଷ କରାଯାଏ । ଏ ଜମିରେ ଗହମ, ତୈଳବୀଜ ଓ ମକାର ଉନ୍ନତ ଧରଣର ବିହନ ମଧ୍ୟ ଉତ୍ପାଦନ କରାଯାଏ ଓ ଆଖପାଖର ଚାଷୀଙ୍କୁ ବିକାଯାଏ ।

 

ଏଠାର ପଶୁମାନଙ୍କୁ ଏଠି କାଟିବାର ବ୍ୟବସ୍ଥା ନାହିଁ । ଅନ୍ୟ କାରଖାନାକୁ ପଶୁ ବିକାଯାନ୍ତି ।

 

ଗୋଶାଳା ଦେଖିବା ପାଇଁ ଇଚ୍ଛାପ୍ରକାଶ କରିବାରୁ ପୁଣି ଏକ ନାସ୍ତି ଶୁଣିବାକୁ ହେଲା । ସଞ୍ଚାଳକ ମହାଶୟ କହିଲେ ଯେ ଏଠାକୁ କେତେକ ନୂଆ ଘୁଷୁରି ଏବେ ଅଣା ହୋଇଛନ୍ତି । କାଳେ ସେମାନଙ୍କଠାରୁ କୌଣସି ରୋଗ ବ୍ୟାପିବ ସେଥିଲାଗି ଗୋଶାଳା ଓ ଘୁଷୁରିଶାଳା କ୍ଵାରାଂଟାଇନ୍ କରି ରଖାଯାଇଛି । ଗୋରୁମାନଙ୍କୁ ମଧ୍ୟ ବାହାର ଲୋକଙ୍କ ମାଧ୍ୟମରେ ରୋଗ ବ୍ୟାପିପାରେ ବୋଲି ସାଧାରଣତଃ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଦିଆହୁଏ ନାହିଁ ।

 

ଜଣାଗଲା ଯେ ଏଠାରେ ଦୁଧ ଦେବା ଗାଈ ତିନି ଶହ, ମାଂସ ପାଇଁ ଗାଈ ବଳଦ ପାଞ୍ଚ ଶହ ଓ ପନ୍ଦରରୁ କୋଡ଼ିଏ ହଜାର ଘୁଷୁରି ଥାଆନ୍ତି । ଏମାନଙ୍କର ଦେଖାରେଖ କରିବା ପାଇଁ ସତୁରି ଜଣ ଲୋକ ଅଛନ୍ତି ।

 

ଏଠି ଦୁଧ ଉତ୍ପାଦନ ଗାଈ ପିଛା ଦୈନିକ ହାରାହାରି ପନ୍ଦର ଲିଟର । ସର୍ବୋଚ୍ଚ ଚାଳିଶ ଲିଟର ।

 

ଏଠାର ମୋଟ ବାର୍ଷିକ ଉତ୍ପାଦନର ମୂଲ୍ୟ ନଅକୋଟି ଦିନାର ବା ବା ପ୍ରାୟ ସାଢ଼େ ପାଞ୍ଚ କୋଟି ଟଙ୍କା । ଏକର ପିଛା ସାଢ଼େ ଚାରି ହଜାର ଟଙ୍କାରୁ ଟିକେ କମ ।

 

ଏଠାର ଫସଲର ଏକର ପିଛା ଉତ୍ପାଦନ ହାରର ନିମ୍ନମତେ ହିସାବ ମିଳିଲା :

 

ଗହମ

ଏକରକୁ

ଅଠର କୁଇଣ୍ଟାଲ

ମକା

ଏକରକୁ

ଅଠେଇଶ ତିରିଶ କୁଇଣ୍ଟାଲ

ବୀଟ

 

୨୪୦ କୁଇଣ୍ଟାଲ

 

ଦରଦାମ: ଗହମ କିଲୋ ପଞ୍ଚସଠି ସତୁରି ପଇସା, ମକା କିଲୋ ୪୦ ।୪୫ ପଇସା, ବିଟ କିଲୋ ବାର ତେର ଏଇସା, ତୈଳବୀଜ ପ୍ରାୟ ଏକ ଟଙ୍କା ।

 

ପୂର୍ବଦିନ ବେଲ୍‌ଗ୍ରେଡ଼୍‌ର ବଜାରରେ ବୁଲି ବୁଲି କଲାବେଳେ ଦୋକାନମାନଙ୍କରେ ଦର ଦେଖୁଥିଲି । ପନିପରିବାର ଦର ନିମ୍ନମତେ ଦେଖିବାକୁ ମିଳିଥିଲା: ଟମାଟୋ କିଲୋ ଦୁଇଟଙ୍କା ଷୋଳ ପଇସା, ସେଓ (ଏପଲ୍) କିଲୋ ଟଙ୍କାଏ ଅଶି, ଲଙ୍କାମରିଚ କିଲୋ ତିନି ଟଙ୍କା, ଆଳୁ ଟଙ୍କାଏ, ବନ୍ଧାକୋବି ତିରିଶ ପଇସା ।

 

ଫେରିବାବେଳେ ବାଟରେ ସ୍ମେଦେରେଭୋ ସହରରେ ହାଟ ଦେଖିବା ପାଇଁ ଅଟକିଥିଲୁ-। ଏ ସହରଟି ଆକାରରେ ଆମର କେନ୍ଦ୍ରାପଡ଼ା ବା ଯାଜପୁର ପରି ହେବ, ତେବେ କହିବା ବାହୁଲ୍ୟ, ଆମ ସହରମାନଙ୍କର ଅସହନୀୟ ଦାରିଦ୍ର୍ୟ ଓ ଅପରିଚ୍ଛନ୍ନତା ଏଠି ନାହିଁ । ସହରର ଗୋଟାଏ ମୁଣ୍ତରେ ସପ୍ତାହରେ ଥରେ ହାଟ ବସେ । ଫଳ, ପନିପରିବା, ମାଛ, ମାଂସ, ମକା, ଗହମ ଆଦି ସବୁ ରକମର ଜିନିଷ ଚାଷୀମାନେ ବିକିବାକୁ ଆଣନ୍ତି, ଫୁଲ ମଧ୍ୟ ପ୍ରଚୁର ଆସିଥାଏ । ଉପରେ ରଙ୍ଗ ବେରଙ୍ଗର ପ୍ଳାଷ୍ଟିକ୍ ଓ କ୍ୟାମ୍ଵିସ୍‌ର ଛାଉଣୀ, ତଳେ ଜିନିଷପତ୍ର ରଖିବା ଓ ବସାଉଠା ପାଇଁ କାଠର ଟେବୁଲ, ବେଞ୍ଚ । ବିକାଳୀମାନେ ଅଧିକାଂଶ ସ୍ତ୍ରୀଲୋକ । କାଠର ଡାଲା, ବେତର ଟୋକେଇ ଆଦିରେ ଜିନିଷପତ୍ର ରଖା ହୋଇଛି । ଗୋଟିଏ ମୁଣ୍ତକୁ ପଦାରେ ଗହମ ଓ ମକା ହାଟ । ବୋରାରେ ପୁରାଇ ଚାଷୀମାନେ ବିକିବାକୁ ଆଣିଛନ୍ତି । ଆମଆଡ଼ ହାଟ ପରି ହିଁ ଚହଳ ଲାଗିଥାଏ, ଏଠି କୁଆଡ଼େ ଗୋରୁ ହାଟ ବି ହୁଏ, ଟିକିଏ ଛଡ଼ାରେ ଗୋଟାଏ ପଡ଼ିଆରେ । ତେବେ ଏ ପାଳି ନ ଥିଲା । ଏଠି ଦେଖିଲି ଯେ ପନିପରିବା ଦରଦାମ୍ ବେଲ୍‌ଗ୍ରେଡ଼୍‌ଠାରୁ ଶସ୍ତା, ସ୍ଵଭାବତଃ ।

 

କୃଷିକ୍ଷେତ୍ରର ମୂଲମଜୁରୀର ହାର ବିଷୟରେ ପଚାରି ଯାହା ବୁଝିଲି ସେଥିରୁ ଜଣାଗଲା ଯେ ଏଠାରେ ନ୍ୟୁନତମ ମଜୁରୀ ମାସକୁ ସାତଶହ ଦିନାର–ଚାରିଶହ କୋଡ଼ିଏ ଟଙ୍କା ଓ ଉଚ୍ଚତମ ବେତନ, ଯାହାକି ଏଠାର ସଂଚାଳକ ପାଆନ୍ତି, ବାଇଶଶହ ଦିନାର ବା ତେରଶହ କୋଟିଏ ଟଙ୍କା । ଟ୍ରାକ୍ଟର ଚାଳକମାନେ ଆଠଶହ, ନଅଶହ ଓ ଏପରିକି ହଜାର ଟଙ୍କା ଯାଏ ମାସକୁ ଉପାର୍ଜନ କରନ୍ତି-। ଯେଉଁ ମାସରେ କାମ ବେଶୀ ଥାଏ ସେ ମାସରେ ଅଧିକ ପାଆନ୍ତି । କମ୍ଭାଇନ୍ ବା ଫସଲ କଟା ଓ ବିଡ଼ା ବନ୍ଧା ଯନ୍ତ୍ରର ଚାଳକ ସବୁଠୁଁ ବେଶୀ ରୋଜଗାର କରନ୍ତି । ସବୁଠାରୁ କମ ପାଆନ୍ତି, ସଫେଇବାଲା, ଷ୍ଟେନୋଗ୍ରାଫର ଓ କିରାଣୀ, ପହରାବାଲା ଇତ୍ୟାଦି । ଷ୍ଟେନୋଗ୍ରାଫରର ଦରମା ସାଢ଼େ ଚାରିଶହ ଟଙ୍କା । ଏ ହେଲା ବୁନିଆଦୀ ଦରମା । ଏହାଛଡ଼ା ପ୍ରତି ଛଅ ମାସରେ ଥରେ ଲାଭ କ୍ଷତିକୁ ହିସାବ କରି ସମସ୍ତଙ୍କୁ ଲାଭାଂଶ ବିତରଣ କରାଯାଏ । ଏହିରୂପେ ଗତବର୍ଷ ହାରାହାରି ମାସିକ ଆୟ ଛଅଶହ ତିରିଶ ଟଙ୍କା ବା ହଜାରେ ପଚାଶ ଦିନାର ଯାଏ ଯାଇଥିଲା ।

 

ଏଠି ସବୁ ଶ୍ରମିକ, କର୍ମଚାରୀ ଆଦିଙ୍କୁ ଘରଭଡ଼ା ଦେବାକୁ ପଡ଼ିଥାଏ । ପ୍ରତି ପିଲା ପାଇଁ ବାପାମା’ଙ୍କୁ ମାସିକ ପ୍ରାୟ ତିରିଶ ଟଙ୍କା ଅଧିକ ଭତ୍ତା ଦିଆଯାଇଥାଏ । ଏହାଛଡ଼ା ସମସ୍ତେ ସେ ଦେଶରେ ପ୍ରଚଳିତ ସାମାଜିକ ସୁରକ୍ଷା ବ୍ୟବସ୍ଥାର ସବୁ ସୁବିଧା ପାଆନ୍ତି ।

 

ଫେରିବା ବେଳେ ସ୍ତୋୟନିଚଙ୍କଠାରୁ ଏ ବିଷୟରେ ବିଶେଷ ତଥ୍ୟ ମିଳିଲା । ଏଠି ସାମାଜିକ ସୁରକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଇଁ, ଅର୍ଥାତ୍ କେବଳ ସରକାରୀ କର୍ମଚାରୀ ବା କଳକାରଖାନାର ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ନୁହେଁ । ଚାଷୀମାନଙ୍କ ପାଇଁ ମଧ୍ୟ ଏହା ପ୍ରଯୋଜ୍ୟ । ପୁରୁଷମାନଙ୍କୁ ଷାଠିଏ ଓ ସ୍ତ୍ରୀଲୋକଙ୍କୁ ପଞ୍ଚାବନ ବର୍ଷରେ ପେନ୍‌ଶନ ମିଳେ । ନ୍ୟୁନତମ ହାର ମାସକୁ ତିନିଶହ ଦିନାର ବା ଶହେ ଅଶି ଟଙ୍କା । ବେଶୀ ଦରମା ପାଉଥିବା କର୍ମଚାରୀମାନେ ବେଶୀ ପାଆନ୍ତି, ସବୁ ଦେଶ ପରି । ଉଚ୍ଚତମ ପେନଶନ ହାର ବାରଶହ ଟଙ୍କା ପର୍ଯ୍ୟନ୍ତ ଯାଏ ।

 

ପ୍ରତି ମାସରେ ପ୍ରତ୍ୟେକେ ନିଜ ଆୟର ସାମାନ୍ୟ ଅଂଶ ସ୍ଵାସ୍ଥ୍ୟ ବୀମା ପାଣ୍ଠିକୁ ଦିଅନ୍ତି । କେହି ବେମାର ପଡ଼ିଲେ ତା’ର ସବୁ ଖର୍ଚ୍ଚ ଏହି ବୀମା ବ୍ୟବସ୍ଥା ପକ୍ଷରୁ ବହନ କରାଯାଏ । ଯଦି କାହାରିକୁ ହାସପାତାଲରେ ଦାଖଲ ହେବାକୁ ପଡ଼େ ତେବେ ସେତକ ସମୟ ପାଇଁ ସେ ଅଧା ଦରମା ଓ ହାସପାତାଲର ପୂରା ଖର୍ଚ୍ଚ ପାଇଥାଏ । ପ୍ରଥମ ମାସର ଖର୍ଚ୍ଚ ସେ ଯେଉଁ ସଂସ୍ଥା ଅଧୀନରେ କାମ କରୁଥାଏ ସେଇ ସଂସ୍ଥା ଦିଏ, ପରବର୍ତ୍ତୀ ମାସର ଖର୍ଚ୍ଚ ସ୍ଵାସ୍ଥ୍ୟ ବୀମା ଯୋଜନା ପକ୍ଷରୁ ଦିଆଯାଏ ।

 

ଗୋଟିଏ କଥା ସେତେବେଳେ ପଚାରିବାକୁ ମନେ ହେଲା ନାହିଁ; ବ୍ୟକ୍ତିଗତ ଚାଷୀଙ୍କର ହାସପାତାଲ ଖର୍ଚ୍ଚ ପ୍ରଥମ ମାସ ପାଇଁ କିଏ ଦିଏ ? ସେ ନିଜେ ?

 

ଅନ୍ୟାନ୍ୟ ଦେଶ ପରି ଏଠି ବେକାର ଭତ୍ତାର ବ୍ୟବସ୍ଥା ଅଛି । ପିଲାଙ୍କର ପାଠପଢ଼ା ସବୁତକ ମାଗଣା । ପ୍ରତି ପିଲାର ଭରଣପୋଷଣା ପାଇଁ ବାପାମା’ଙ୍କୁ ବର୍ଷକୁ ତିନିଶହ ଖଣ୍ତେ ଟଙ୍କା, ପାଞ୍ଚଶହ ଦିନାର୍, ଭତ୍ତା ମିଳେ ।

 

ଏସବୁ ଗପ କରି କରି ଦାନ୍ୟୁବ୍ କୂଳେ କୂଳେ ବେଲଗ୍ରେଡ଼୍ ଫେରିଥାଉ । ମଟର୍‌ର ରେଡ଼ିଓଟା ଖୋଲାଥାଏ । ଗୀତ ଓ ଯନ୍ତ୍ର ସଙ୍ଗୀତର ଝଙ୍କାର ଭାସି ଆସୁଥାଏ । ମଝିରେ ମଝିରେ ଗଦ୍ୟ, ବୋଧହୁଏ ସମ୍ଵାଦ ପରିବେଷଣ ବା ଘୋଷଣା । ହଠାତ୍ ଏହା ଭିତରେ ଏକ ଗୀତର ଧ୍ଵନି ଆସି କାନ ଓ ମନ ଉଭୟକୁ ଧକ୍କା ହେଲା—“କ୍ୟା କରୁଁ ମୁଝେ ତୋ ଏକ ବୁଡ଼୍‍ଢା ମିଲ୍ ଗୟା”—ହିନ୍ଦୀ ଫିଲ୍ମୀ ଗୀତ ! ଏ କେଉଁଠୁ ଆସିଲା ରେ ବାବା ! ଗପ ବନ୍ଦ କରି କାନ ପାରିଲୁ । ଫିଲ୍ମୀ ଗୀତ, କବୀରଙ୍କ ଭଜନ, ପୁଣି ମଝିରେ ମଝିରେ ବର୍ଣ୍ଣନା । ସ୍ତୋୟନିଚ୍ ବୁଝାଇ ଦେଲେ ଯେ ଭାରତବର୍ଷ ବିଷୟରେ ଏକ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି । ଏଥିରେ ଭାରତର ବିଭିନ୍ନ ଅଞ୍ଚଳର ସଭ୍ୟତା ଓ ସଂସ୍କୃତି ବିଷୟରେ ବର୍ଣ୍ଣନା କରାଯାଉଛି । ଅବୋଧ୍ୟ ସର୍ବକ୍ରୋଟ ଭାଷା ଭିତରେ ବନାରସ, ଏଲାହାବାଦ, ଏ ସବୁ ନାମ ଶୁଣାଗଲା । ଏହା ସାଙ୍ଗକୁ ପୁଣି ଗଜଲ, ଟପ୍‍ପା ଆଦି ସଙ୍ଗୀତର ନମୁନା, ଉଚ୍ଚକୋଟିର ସୀତାର ଆଳାପ, ପୁଣି ଦିଲ୍ଲୀ, ଆଗ୍ରା, ତାଜମହଲର ନାମ । ତା’ପଛକୁ ବମ୍ଵେ, ତ୍ରିଭାଂଦ୍ରମ, କଥାକଲୀ ନାଚ ଓ ଭାରତ ନାଟ୍ୟମର ସଙ୍ଗୀତ ଓ ତାଳ । ଚାଲିଲା ବେଶ ଚାଳିଶ ମିନିଟ୍ କି ଆହୁରି ବେଶୀ । ବେଲ୍‌ଗ୍ରେଡ଼୍‌ରେ ପହଞ୍ଚିବା ଯାଏ ସରି ନ ଥିଲା । ଯୁଗୋସ୍ଳୋଭିଆରେ ଭାରତ ପ୍ରତି ଯେଉଁ ସଦ୍ଭାବ ମୁଁ ପ୍ରଥମରୁ ଅନୁଭବ କରୁଥିଲି ଏହା ତାହାର ଏକ ନିଦର୍ଶନ ବୋଲି ମୁଁ ଅନୁଭବ କଲି ।

 

“ଏଇ ରେଡ଼ିଓ ପ୍ରୋଗ୍ରାମଟା ସତେ ଅବା ଆଜି ଦିନରେ ଆମର କାର୍ଯ୍ୟକ୍ରମର ପରିପୂରକ ରୂପେ ପରିକଳ୍ପନା କରାଯାଇଥିବା ପରି ମନେ ହେଉଛି ।” ସ୍ତୋୟନିଚ୍ ମନ୍ତବ୍ୟ କଲେ । ମୁଁ ସେଥିରେ ପ୍ରସନ୍ନ ଚିତ୍ତରେ ହିଁ ଭରିଲି ।

Image

 

ଅଣଚାଳିଶ

ଏଥେନ୍‌ସରେ ଦିନେ

 

ଆଦ୍ୟରୁ ମୋର ଗ୍ରୀସ୍ ଯିବାର କୌଣସି ଯୋଜନା ନ ଥିଲା । ସେଠାର କାହାରି ସହିତ, କୌଣସି ସଂସ୍ଥା ସହିତ, ଯୋଗସୂତ୍ର ବି ନ ଥିଲା ଓ ସେଠି କେତେବର୍ଷ ହେଲା ଯେଉଁ ଦକ୍ଷିଣପନ୍ଥୀ ଏକଛତ୍ର ଶାସନ ଚାଲିଛି ତାହା ଦାଉରେ ସେଠି କୌଣସି ପ୍ରଗତିଶୀଳ ଗୋଷ୍ଠୀ ଖୋଲାଖୋଲି ଭାବରେ କାମ କରିବାର ସମ୍ଭାବନା ମଧ୍ୟ ଅତି ଊଣା ରହିଛି । ତା’ର ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ, କୋଠାବାଡ଼ି, ମନ୍ଦିର, ମୂର୍ତ୍ତିକଳା ଆଦି ପାଇଁ ଗ୍ରୀସ୍ ପ୍ରସିଦ୍ଧ ଓ ଏକ ପ୍ରଧାନ ଟୁରିଷ୍ଟ ଆକର୍ଷଣ । ମାତ୍ର କେବଳ ଏସବୁ ଦେଖିବା ପାଇଁ ସେଠାକୁ ଯିବାର ମୋର ଇଚ୍ଛା ନ ଥିଲା ।

 

ବେଲଗ୍ରେଡ଼ରୁ ସୋଭିଏତ୍ ୟୁନିୟନ୍ ହେଇ ଭାରତ ଫେରିବାର ଇଚ୍ଛା ମୋର ଥିଲା । ମାତ୍ର ଏହାର ସୁବିଧା ହୋଇ ପାରିଲା ନାହିଁ । ତେଣୁ ସେଠାକୁ ଯିବାର ଆଶା ତ୍ୟାଗ କରି ବେଲ୍‌ଗ୍ରେଡ଼୍‌ରୁ ହିଁ ଭାରତ ଫେରିବା ମନସ୍ଥ କରିଥିଲି । ଏଥିପାଇଁ ଉଡ଼ାଜାହାଜର ସୁବିଧାଜନକ ଯୋଗାଯୋଗ ମିଳିଲା ଏଥେନ୍‌ସ ବାଟେ । ତେଣୁ ଏଥେନ୍‌ସରେ ଗୋଟିଏ ଦିନ ରହିବାର ଠିକ୍ କଲି ।

 

ବେଲ୍‌ଗ୍ରେଡ଼୍‌ରୁ ଉଡ଼ାଜହାଜ ଛାଡ଼ିଲା ସନ୍ଧ୍ୟାବେଳେ । ଅନେକ ବାଟ ପର୍ଯ୍ୟନ୍ତ ଦାନ୍ୟୁବ ନଦୀ ତଳେ ଆମ ସହିତ ଏକା ଦିଗରେ ଚାଲିଥାଏ । ତଳେ ନଈରେ ଦୃଶ୍ୟ ଓ ପଶ୍ଚିମ ଆକାଶରେ ସୂର୍ଯ୍ୟସ୍ତରେ ବର୍ଣ୍ଣ ବୈଭବ ଉପଭୋଗ କରି କରି ଆମେ ଚାଲିଥାଉ । କ୍ରମେ ଅନ୍ଧାର ଘୋଟି ଆସିଲା, ବେଶ୍ ଶୀଘ୍ର, ଏ କଥା ମନେ ପକେଇ ଦେଇ ଯେ ଆମେ ୟୁରୋପର ଦକ୍ଷିଣତମ ସୀମା ପାଖରେ ପହଞ୍ଚିଲୁଣି, ପ୍ରାଚ୍ୟ ଦେଶର ସୀମାନ୍ତରେ ମଧ୍ୟ ।

 

ଘଣ୍ଟାକରେ ତଳେ ଭାସି ଉଠିଲା ଏଥେନ୍‌ସ ନଗରୀର ଆଲୋକମାଳା, ତା’ର ପୋତାଶ୍ରୟର ସୀମାରେଖା । ମାତ୍ର କୌଣସି କାରଣରୁ ଆମ ଜାହାଜ ଆକାଶରେ ପ୍ରାୟ ଅଧଘଣ୍ଟାଏ ଚକ୍କର କାଟିବା ପରେ ମାଟି ଛୁଇଁଲା । ଏହା ଭିତରେ ଆମେ ଏକାଧିକ ଥର ଏଥେନ୍‌ସର ନିଶୀଥ ସଜ୍ଜା ଆକାଶରୁ ଉପଭୋଗ କରିବାର ସୁଯୋଗ ପାଇଲୁ ।

 

ଏଥେନ୍‌ସରେ ମୋର ରହିବାର ବ୍ୟବସ୍ଥା ଉଡ଼ାଜାହାଜ କମ୍ପାନୀ ହିଁ କଲେ, ହୋଟେଲ ଖର୍ଚ୍ଚ ସେଇମାନେ ହିଁ ଦେଲେ । ଏୟା ନିୟମ ଯେ ବାଟରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ ରହଣୀର ଖର୍ଚ୍ଚ ଉଡ଼ାଜାହାଜ କମ୍ପାନୀ ବହନ କରିବ ।

 

ପରଦିନ ରାତିରେ ଦିଲ୍ଲୀଗାମୀ ଉଡ଼ାଜାହାଜ ମିଳିବାର କଥା । ସାରା ଦିନଟି ମୋ ହାତରେ ଥାଏ । ସକାଳୁ ଖଣ୍ତେ ଏଥେନ୍‌ସର ମାନଚିତ୍ର ହାତରେ ଧରି ଚଞ୍ଚଳ ବାହାରି ପଡ଼ିଲି । ଠିକ୍ କଲି ଯେ ଚାଲି ଚାଲି ହିଁ ବୁଲିବି, ଏଥେନ୍‌ସ ସହରର ପୁରୁଣାକାଳର ଭଗ୍ନସ୍ତୁପ କୋଠାବାଡ଼ି, ତୋରଣ, ମନ୍ଦିର ଆଦିରେ ପୂର୍ଣ୍ଣ । ଏହା ଭିତରେ ପ୍ରଧାନ ହେଲା ସହରର ପ୍ରାୟ ମଝିରେ ଥିବା ଏକ୍ରୋପୋଲିସ୍ । ଗୋଟିଏ ମୁଣ୍ତିଆ ଉପରେ ବିରାଟ ମନ୍ଦିର, ସହରବାସୀଙ୍କର ସମବେତ ହେବାର ସ୍ଥାନ ଥିଲା । ଭାଙ୍ଗିରୁଜି ଗଲାଣି । ବଡ଼ ବଡ଼ ଖୁଣ୍ଟ ସବୁ ଛିଡ଼ା ହୋଇଛି । ଭବନରେ ଲାଗିଥିବା ଭଙ୍ଗା ପଥର ଖଣ୍ତମାନ ଇତସ୍ତତ୍ଃ ବିକ୍ଷିପ୍ତ ହୋଇ ପଡ଼ି ରହିଛି । ଏଥିରୁ ମିଳିଥିବା ମୂର୍ତ୍ତି ଓ ଅନ୍ୟ ଭାସ୍କର୍ଯ୍ୟର ନିଦର୍ଶନ ସବୁ ସଂଗ୍ରହ କରି ତଳେ ଏକ ସଂଗ୍ରହାଳୟରେ ରଖାଯାଇଛି । ଏହା ଭିତରେ ଗ୍ରୀକ୍ ଭାସ୍କର୍ଯ୍ୟର କେତେକ ଶ୍ରେଷ୍ଠତମ କୃତି—ଖ୍ରୀଷ୍ଟପୂର୍ବ ଯୁଗ ଦୁଇ ହଜାର ବର୍ଷ ତଳର ରହିଛି-

 

ଏକ୍ରୋପୋଲିସ୍ ପାହାଡ଼ ଉପରୁ ଏଥେନ୍‌ସ ନଗର ଓ ଆଖପାଖ ଅଞ୍ଚଳର ମନୋରମ ଦୃଶ୍ୟ ଦେଖାଯାଏ, ଚାରିଆଡ଼ଟା ପାହାଡ଼ିଆ ଭୂଇଁ । ଛୋଟ ବଡ଼ ମୁଣ୍ତିଆ ସବୁ ଦୂରରେ ମୁଣ୍ତ ଟେକିଛନ୍ତି । ଏଥିଭିତରୁ କେତେକଙ୍କ ଉପରେ ପ୍ରାଚୀନ କୀର୍ତ୍ତର ଭଗ୍ନାବଶେଷ ରହିଛି । ଭ୍ରମଣକାରୀମାନେ ଗାଇଡ଼୍ ବହି ଦେଖି ଦେଖି ସେଥିରେ ଲେଖାଥିବା ପ୍ରତ୍ୟେକଟି ଦର୍ଶନୀୟ ସ୍ଥାନର ପରିନ୍ତ୍ରମା କରନ୍ତି, ବହିରେ ଟିକ୍ ମାର୍କ ଦେଇ ଚାଲନ୍ତି, କେତେଟା ଦେଖାହେଲା । ଏକ୍ରୋପୋଲିସ୍ ଉପରୁ ମତେ ଦୂରରେ ପ୍ରାଚୀନ ଏଂଫିଥିଏଟର ସଭା ଓ କ୍ରିଡ଼ାଙ୍ଗଣ ଦେଖିବାକୁ ମିଳିଲା, ଯାହା ଚାରିପଟେ ଅର୍ଦ୍ଧବୃତ୍ତାକାରରେ କେତେ ହଜାର ଲୋକଙ୍କର ବସିବା ପାଇଁ ପାହାଚ ପାହାଚ ହୋଇ ଆସନ ରହିଛି । ଅନ୍ୟ କେତେକ ଛୋଟବଡ଼ ଭଗ୍ନାବଶେଷ ମଧ୍ୟ ଏଠି ସେଠି ଦିଶୁଥାଏ । ଏସବୁକୁ ଗୋଟି ଗୋଟି କରି ପରିକ୍ରମା କରିବାର ପ୍ରବୃତ୍ତି ଆଉ ମୋର ହେଲା ନାହିଁ । ଗୋଟାଏ ଭଗ୍ନାବଶେଷ ଦେଖିଦେଲେ ସବୁ ଦେଖିନେଲି ବୋଲି ବିଚାରିଲି ।

 

ଏକ୍ରୋପୋଲିସ୍‌ରୁ ଉତୁରି ଫେରିବା ବାଟରେ ପଡ଼ିଲା ସେଇ ଉଦ୍ୟାନ; ଯେଉଁଠି ବସି ସୋକ୍ରେଟିସ୍ ତାଙ୍କର ବୈପ୍ଳବିକ ବିଚାରଧାରା ଏଥେନ୍‌ସର ଯୁବକମାନଙ୍କ ଭିତରେ ପ୍ରଚାର କରୁଥିଲେ । ଏହାଦ୍ଵାରା ସେ ଦେଶର ଯୁବଗୋଷ୍ଠୀଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କୁ ମୃତ୍ୟଦଣ୍ତ ଦିଆଗଲା । ସେ ହସି ହସି ବିଷ ପିଇ ମୃତ୍ୟୁ ବରଣ କଲେ । ତାଙ୍କର ବନ୍ଦୀଶାଳା ଯେଉଁ ସ୍ଥାନରେ ଥିଲା ବୋଲି କଥିତ ସେ ସ୍ଥାନ ମଧ୍ୟ ବାଟରେ ପଡ଼ିଲା । ଲୋକେ ପ୍ରାଚୀନ ଇତିହାସର ସ୍ମୃତି ଏଇ ଏଥେନ୍‌ସର ବାଟଘାଟରେ ଜଡ଼ି ନ ରହିଛି । ୟୁରୋପର ପ୍ରାଚୀନତମ ଓ ଶ୍ରେଷ୍ଠତମ ସଭ୍ୟତାର ଜନ୍ମଭୂମି ଏଥେନ୍‌ସ, ଏବେ ଏକ ସାମରିକ ଏକଛତ୍ରବାଦ କବଳିତ ଅନୁନ୍ନତ ଦେଶର ରାଜଧାନୀ । ମାର୍କିନ୍ ସାମ୍ରାଜ୍ୟର ଆଗୁଆ ଘାଟି । ଛିଣ୍ତା ଲେଙ୍କଡ଼ା ପିନ୍ଧା ଭିକାରୀ ରୋମର ଭାତିକାନ୍‌ରେ ଦେଖିଥିଲି, ୟୁରୋପରେ ଦ୍ଵିତୀୟଥର ପୁଣି ଏଠି ଦେଖିଲି ।

 

ଏକ୍ରୋପୋଲିସ୍‌ର ମୁଣ୍ତିଆ ତଳେ ମନୋହାରୀ ବଜାର । ଛୋଟ ଛୋଟ ଦୋକାନ, ଭ୍ରମଣକାରୀଙ୍କର ସଉକ ଓ ସ୍ମୃତିଚିହ୍ନର ଆବଶ୍ୟକତା ମେଣ୍ଟାଇବା ପାଇଁ ନାନା ପ୍ରକାରର ମନୋହରୀ ପଣ୍ୟଦ୍ରବ୍ୟରେ ପୂର୍ଣ୍ଣ, ଆମ ପୁରୀ ବଡ଼ ଦାଣ୍ତରେ ଦୋକାନମାନଙ୍କ ପରି । ପ୍ରତିବର୍ଷ ଏଠାକୁ ବହୁ ଲକ୍ଷ, ବୋଧହୁଏ କୋଟି ପାଖାପାଖି, ଭ୍ରମଣକାରୀ ଆସନ୍ତି ଓ ସେମାନଙ୍କ ପାଇଁ ହୋଟେଲ, ଯାନବାହାନ ଓ ସୌକିନିଆ ଜିନିଷ ଯୋଗାଇ ପ୍ରଚୁର ଲୋକ ଦୁଇ ପଇସା ରୋଜଗାର କରୁଛନ୍ତି । ଜୁଲାଇ ମାସଟା ତ ଭ୍ରମଣକାରୀଙ୍କର ଅସଲ ମଉସୁମ । ଏଥେନ୍‌ସଯାକ ତ ମେଳା ମେଳା ହୋଇ ବୁଲୁଥାନ୍ତି । ଯେଉଁଠି ଦେଖିବ ତିରିଶ ଚାଳିଶ ଲେଖାଏଁ ଗୋଟାଏ ଗୋଟାଏ ଦଳ ।

 

ଉଡ଼ାଜାହାଜ ଅଫିସ୍‌ରେ ଖବର ନେବାକୁ ଯାଇ ବୁଝିଲି ଯେ କୌଣସି କାରଣରୁ ଉଡ଼ାଜାହାଜଟି ଲଣ୍ତନରୁ ଆଠ ଦଶ ଘଣ୍ଟା ଡେରିରେ ଛାଡ଼ିବ । ତେଣୁ ରାତି ଦଶଟା ବଦଳରେ ସକାଳ ଛଅଟାରେ ଏଥେନ୍‌ସ ପହଞ୍ଚିବାର ଅନୁମାନ । ଯେତେ ଡେରି ହେଉ ପଛେ ‘କ୍ଵାଂଟାଟ୍’ କମ୍ପାନୀର ଏ ସର୍ଭିସ ଅପେକ୍ଷା ଅଧିକ ସହଳ କୌଣସି ଜାହାଜ ମିଳିବାର ସମ୍ଭାବନା ନ ଥିଲା । ତେଣୁ ତା’ରିପାଇଁ ଅପେକ୍ଷା କରିବା ସ୍ଥିର କଲି । ଆଉ ରାତିକର ହୋଟେଲ୍ ଖର୍ଚ୍ଚ ମଧ୍ୟ ଉଡ଼ାଜାହାଜ କମ୍ପାନୀ ଭରଣା କଲେ ।

 

ଇଟାଲୀରେ ଦେଖିଥିଲି, ଏଠି ବି ଦେଖିଲି, ଦୋକାନ ବଜାର ସବୁ ଦିନ ଗୋଟାଏ ଦେଢ଼ଟା ଆଡ଼କୁ ବନ୍ଦ ହୋଇଯାଏ । ପୁଣି ଚାରିଟା ଆଡ଼କୁ ଖୋଲେ । ଲୋକେ ଖାଇପିଇ ଦିବାନିଦ୍ରାଟା ବେଶ୍ ଉପଭୋଗ କରୁଥିବେ । ଉତ୍ତର ଓ ପଶ୍ଚିମ ୟୁରୋପରେ ଏପରି ଦିବାନିଦ୍ରା ସ୍ଵପ୍ନର ଆଗୋଚର, ଯୁଗୋସ୍ଳାଭିଆ ପରି କମ୍ୟୁନିଷ୍ଟ ଦେଶମାନେ ବି ଏହାକୁ ବିଦାୟ ଦେଇଥିବାର ମନେ ହୁଏ । ମାତ୍ର ଦକ୍ଷିଣରେ, ଏପରିକି ସ୍ପେନରେ ମଧ୍ୟ ଏ ପ୍ରାଚ୍ୟଦେଶୀୟ ଅଏଶ୍‌ର ଅଭ୍ୟାସଟି ବଜାୟ ରହିଛି ।

 

ଏଠି ମୁଁ ବି ଏହାରି ପାଲରେ ପଡ଼ିଗଲି । ସକାଳଯାକ ବୁଲିବାଲି ଆସି ଖାଇଦେଇ ଲମ୍ଵହୋଇ ପଡ଼ିଗଲି । ଉଠିବାବେଳକୁ ଦେଖେ ବେଳେ ଗଡ଼ିଗଲାଣି । ପ୍ରଧାନ ଶିଳ୍ପ ସଂଗ୍ରହାଳୟଟି ତ ଦେଖିବାର ଥିଲା । ଦୌଡ଼ାଦୌଡ଼ି କରି ପହଞ୍ଚି ଦେଖେ ତ ବନ୍ଦ ହେବାକୁ ଅଳ୍ପ ସମୟ ବାକୀ । ଫଳରେ ଏଇଟି ଅଦେଖା ରହିଗଲା । ପରିବର୍ତ୍ତରେ ଆଉ କେତୋଟି ଛୋଟ ଛୋଟ ସଂଗ୍ରହାଳୟ ବୁଲି ଦେଖିଲି । ପ୍ରାଚୀନ ସଂସ୍କୃତିର ନାନା ନିଦର୍ଶନ ସଂଗ୍ରହ କରି ରଖା ହୋଇଛି । ଗୋଟିଏ କଥା ମନେ ହେଲା । ଏକ କାଳରେ ଏସବୁ ସୁନ୍ଦର ସୁନ୍ଦର ଜିନିଷ ଲୋକଙ୍କର ଘରେ ଘରେ ନିତିଦିନିଆ କାରବାରରେ ଲାଗୁଥିଲା । ସେମାନଙ୍କ ଜୀବନକୁ ସୌନ୍ଦର୍ଯ୍ୟର ସ୍ପର୍ଶରେ ସରସ କରୁଥିଲା । ଏବେ ତା’ର ସ୍ଥାନ ନେଉଛି ପ୍ଳାଷ୍ଟିକର ବାସନ ଓ କାରଖାନାର ଛାଞ୍ଚରେ ଢଳା ଆସବାବ । ମାସେ ପକ୍ଷରେ ଥରେ ସଂଗ୍ରହାଳୟ ବୁଲି ଆସିଲେ ଯାଇ କଳାର ଦର୍ଶନ ମିଳୁଛି ।

Image

 

ଚାଳିଶ

ଘରମୁହାଁ

 

ହୋଟେଲବାଲା ଭୋରରୁ ଉଠେଇଦେଲେ । ସଜବାଜ ହେଇ ବି. ଓ. ଏ. ସି. କମ୍ପାନୀର ଅଫିସରେ ପହଞ୍ଚିଲି । ସେଠୁ ବସଯୋଗେ ଉଡ଼ଜାହାଜ ଘାଟୀ । ଠିକ୍ ଛଅଟାବେଳେ ଅଷ୍ଟ୍ରେଲିଆର ‘କ୍ଵାଂଟାସ୍’ କମ୍ପାନୀର ୭୦୭ ଜେଟ୍ ବିମାନ ଏଥେନ୍‌ସ ଛାଡ଼ିଲା । ଅଳ୍ପବାଟ ଦକ୍ଷିଣମୁହାଁ ଯାଇ ପୁଣି ପୂର୍ବକୁ ମୁହାଁଇଲା, ପ୍ରଥମ ରହଣୀ ତେହେରାନ୍ ଆଡ଼କୁ । ତଳୁ ସମୁଦ୍ର ଓ ଛୋଟ ଛୋଟ ଦ୍ଵୀପର ପୁଞ୍ଜ ଉଭେଇଯାଇ ଆରମ୍ଭ ହେଲା ଏସିଆ ମାଇନର୍‌ର ରୁକ୍ଷ, ପାର୍ବତ୍ୟ ଭୂମି । ଧୂସର ପର୍ବତ, ପୀତାଭ ମାଟି, ସବୁ ମନେ ହେଲା ଶୁଷ୍କ, କ୍ଵଚିତ୍ କେଉଁଠି ଶ୍ୟାମଳିମାର ସ୍ପର୍ଶ । ଆମ ବାଁପଟେ ଆମର ଉଡ଼ାବାଟର ପ୍ରାୟ ସମାନ୍ତରଭାବରେ ଲମ୍ଵି ରହିଥାଏ ଏସିଆ ମାଇନର୍‌ର ସୁଉଚ୍ଚ ତୁଷାରଶୋଭିତ ପର୍ବତମାଳା : କୋରୋଗଲୁ ଦାଗଲାଇ, ବିଲାବିନ ଦାଗଲାଇ । କ୍ଷଣକ ପାଇଁ ଦେଖା ଦେଇ ଉଭେଇଗଲା ଏକ କ୍ଷୀଣକାୟା ନଦୀ ଓ ଗୋଟିଏ ବଡ଼ଧରଣର ହ୍ରଦ । ମାନଚିତ୍ରକୁ ମିଳେଇ ଅନୁମାନ କଲି ଏଇଟି ତୁର୍କୀ ଦେଶର ମଝିରେ ଥିବା ନଦୀ ‘କିଜିଲ୍ ଇର୍ମାକ୍’ ଓ ତାହା ଯେଉଁଥିରୁ ବାହାରିଛି (ନା ଯେଉଁଥିରେ ପଡ଼ିଛି ?) ସେ ହ୍ରଦ ‘ତୁଜ୍ ଗୋଲୁ’ । ମଝିରେ ମଝିରେ ସବୁ ଦୃଶ୍ୟ ମେଘ ଢାଙ୍କି ଦେଉଥାଏ । ପୁଣି ଫାଙ୍କାରେ ଯାହା ଦେଖାଯାଉଥାଏ ତାହା ମନେ ହେଉଥାଏ ଯେପରିକି ମରୁଭୂମିର ବାଲି ।

 

କ୍ରମେ ତେହେରାନ ପାଖେଇ ଆସିଲା । ଉଡ଼ାଜାହାଜ ତଳକୁ ଖସିଲା । ଏବେ ଦେଖାଗଲା ଇରାନ ଦେଶର ସାନ ବଡ଼ ଗାଁ, ଚାଷ ଜମି, ହଳଦିଆ ବାଲି ମଝିରେ ସବୁଜର ସ୍ପର୍ଶ । ତେହେରାନ୍ ବିମାନ ଘାଟୀରେ ଓହ୍ଲାଇବାବେଳକୁ ଆମମାନଙ୍କ ଘଡ଼ିରେ ସମୟ ନଅଟା, ଏଥେନସରୁ ଠିକ୍ ତିନିଘଣ୍ଟାର ଉଡ଼ାଣ, ମାତ୍ର ବିମାନଚାଳକ ଘୋଷଣା କଲେ ସ୍ଥାନୀୟ ସମୟ ସାଢ଼େ ଦଶଟା, ଘଡ଼ି ମିଳେଇ ନିଅନ୍ତୁ । ଆରେ, ପଶ୍ଚିମମୁହାଁ ଗଲାବେଳେ ସେତକ ସମୟ ଲାଭ ଖାତାରେ ଜମା ହୋଇଥିଲା ସେତକ ଏଥର ପୂର୍ବାମୁହାଁ ଫେରିବା ବେଳକୁ ଗଣି ଗଣି କରି ଖେସାରତ ଦେବାକୁ ହେବ । ଆଗରୁ ଇତାଲୀ ଫେରିବାବେଳେ ଘଣ୍ଟାଟାଏ ଯାଇଛି, ଦକ୍ଷିଣ ୟୁରୋପର ଖରାଦିନ ସମୟ ହିସାବରେ, ଏବେ ଦେଢ଼ଘଣ୍ଟା ଗଲା । ଦିଲ୍ଲୀ ପହଞ୍ଚିବାବେଳକୁ ଆଉ ଦୁଇଘଣ୍ଟା ଯିବ ।

 

ମାତ୍ର ଏଥିରେ ଗୋଟାଏ ଆଡ଼େ ସମୟ ଖାତାରେ ଖର୍ଚ୍ଚ ଲେଖାଦେବାବେଳକୁ ଭୋଜନ ଖାତାରେ ଲାଭ ଜମା ହୁଏ ।

 

ସମୟ ଶୀଘ୍ର ଶୀଘ୍ର ଗଡ଼ିଯିବାରୁ ବ୍ରେକଫାସ୍‌ଟ, ଲଞ୍ଚ, ଅପରାହ୍ନର ଚା’ ମଧ୍ୟ ଶୀଘ୍ର ଶୀଘ୍ର ଅଳ୍ପ ସମୟ ପରେ ପରେ ମିଳିଯିବାକୁ ଲାଗିଲା, ଦୁଇଟା ପରିବର୍ତ୍ତେ ତିନିଟା ଭୋଜନ ।

 

ତେହେରାନରେ ରହଣୀ ଘଣ୍ଟାଏ । ପୁଣି ସମସ୍ତେ ବିମାନରେ ବୋଝେଇ ହୋଇ ଉଡ଼ାଣ ଆରମ୍ଭ । ଏଠୁ ଦିଲ୍ଲୀ ତିନିଘଣ୍ଟାର ବାଟ । ପୁଣି ସେଇ ଊଷର ଧୂସର ଭୂଇଁ, ପର୍ବତମାଳା, ମଝିରେ ମଝିରେ କ୍ଷୀଣତୋୟା ନଦୀ । ଇରାନ୍ ଟପି ଆଫଗାନିସ୍ତାନ, ତା’ପରେ ପାକିସ୍ତାନର ଉତ୍ତର ଅଂଶ । ସିନ୍ଧୁ ନଦୀ ଆସିଲା, କ୍ଷଣେ ଦେଖାଦେଇ ଚାଲିଗଲା । ଏହାପରେ ଭାରତ ଭୂମି । ଉପରୁ ଧରଣୀବକ୍ଷକୁ ଚାହିଁଲେ ତ କେଉଁଠି ବାଡ଼ି ନାହିଁ, ଗାର ନାହିଁ ଯେ ଏଇଠୁ ଏ ଦେଶଟା ସରି ସେ ଦେଶଟା ଆରମ୍ଭ ହେବ ବୋଲି ବିଧିର ବିଧାନର ସୂଚନା ଦେବ । ପୃଥିବୀର ଏମୁଣ୍ତରୁ ସେଇ ଏକ ଭୂଇଁ ସେଇ ଏକ ମଣିଷଜାତିକୁ କୋଳରେ ଧରି ରହିଛି ।

 

ଏହା ମଣିଷ; କିନ୍ତୁ ବିବର୍ତ୍ତନର ପାକଚକ୍ରରେ ବାଣ୍ଟି ହୋଇଗଲା ରଙ୍ଗ, ଭାଷା ଧର୍ମର ଅସଂଖ୍ୟ ଗଣ୍ତିଦ୍ଵାରା । ମନ ଭିତରର ଏ ଗଣ୍ତିକୁ ସେ କ୍ରମେ ମାଟିରେ ଉତାରିଲା, ଭୂଇଁରେ ବାଡ଼ ପୋତିଲା, କହିଲା, ଏ ଖଣ୍ତକ ମୋର, ସେ ଖଣ୍ତକ ତୋର । ସେ ବାଡ଼ ଉପରେ କାଳକ୍ରମେ ମଡ଼ାହେଲା କଣ୍ଟା ତାର ତା’ ପଛାରେ ସଜା ହେଲା ତୋପ କମାଣ । ଏଇ ବାଡ଼ ହେଲା ମୁଖ୍ୟ, ମଣିଷ ହେଲା ଗୌଣ । ତା’ ପାଇଁ ବୋହିଲା ରକ୍ତନଦୀ ।

 

ମାତ୍ର ଏବେ ଏ ବାଡ଼ିକୁ ବିଜ୍ଞାନ ତୁଚ୍ଛ କରିଦେଲାଣି । ତା’ର ଗତିବିଧିକୁ ଚାହିଁ ଏବେ ଏସବୁ ଅତି ସଂକୀର୍ଣ୍ଣ । ଆମେ କେତେ ସହଜରେ ଛଅଘଣ୍ଟାରେ ପାଞ୍ଚଟା ବାଡ଼ ଡେଇଁ ଆସିଲୁ ! ମାନବର ଜାଗ୍ରତ ଆତ୍ମା ବି ଏବେ ଆଉ ଏ ଭେଦବାଡ଼କୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ ।

 

ସେ ଦିନ ପାଖେଇ ଆସୁଛି ଯେତେବେଳେ ଯେଉଁ ମଣିଷ ଦିନେ ଏସବୁ ବାଡ଼ ପୋତିଥିଲା, ତା’ରି ବଂଶଧର ସେ ବାଡ଼ସବୁକୁ ଉପାଡ଼ି ଫିଙ୍ଗିଦେବେ । ପୁଣି ଧରିତ୍ରୀ ହେବ ସବୁ ମଣିଷଙ୍କର ଏକ ମା । ଏ ନୂତନ ଦିନର ଇଙ୍ଗିତ ମୁଁ ସବୁଠିଁ ଦେଖି ଆସିଲି ।

 

ଉଡ଼ାଜାହାଜ ପାଲାମ୍ ବିମାନଘାଟିର ମାଟି ଛୁଇଁଲା । ଦରଜା ଖୋଲିଲା । ଏକ ଉତ୍ତପ୍ତ ଅପରାହ୍ନର ପ୍ରଖର ସୂର୍ଯ୍ୟ ଓ ଝଲକାଏ ଗରମ ଝାଞ୍ଜିପବନ ମତେ ମାତୃଭୂମିକୁ ସ୍ଵାଗତ ଜଣାଇଲେ-

Image